ବ୍ୟବହାରକାରୀ:Ssgapu22/ଲକ୍ଷ୍ମଣ ମିଶ୍ର

ଲକ୍ଷ୍ମଣ ମିଶ୍ର
ଜନ୍ମ(1900-01-21)୨୧ ଜାନୁଆରୀ ୧୯୦୦
ମୃତ୍ୟୁ୨୬ ଜାନୁଆରୀ ୧୯୮୯(1989-01-26) (ବୟସ ୮୯)
ବୃତ୍ତି(ସମୂହ)କବିରାଜ, ପ୍ରଶାସନିକ ଅଧିକାରୀ
ପିତାମାତା(s)ଦୟାନିଧି ମିଶ୍ର (ବାପା)
ପଦ୍ମା ଦେବୀ (ମାଆ)

ଲକ୍ଷ୍ମଣ ମିଶ୍ର (୨୧ ଜାନୁଆରୀ ୧୯୦୦ - ୨୬ ଜାନୁଆରୀ ୧୯୮୯) ଜଣେ ଜଣାଶୁଣା ଓଡ଼ିଆ କବିରାଜ ଥିଲେ । ସେ ଆୟୁରବେଦ ଚିକିତ୍ସା କ୍ଷେତ୍ରରେ ସହଜ ଚିକିତ୍ସା, ଘର ବଇଦ, ବିଶଲ୍ୟକରଣୀ, ସଂକ୍ରାମକ ରୋଗ ଚିକିତ୍ସା ଆଦି ବହି ଲେଖିଥିଲେ, ଯାହାକି ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଛି ।

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଲକ୍ଷ୍ମଣ ମିଶ୍ର ୧୯୦୦ ମସିହାର ଜାନୁଆରୀ ୨୧ ତାରିଖରେ ପୁରୀ ଜିଲ୍ଲାର ବୀର ପ୍ରତାପପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୟାନିଧି ମିଶ୍ର ଓ ମାଆଙ୍କ ନାମ ପଦ୍ମା ଦେବୀ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରୁ ପଢ଼ା ଶେଷ କରିବା ପରେ ସେ ରେଭେନ୍ସା କଲେଜରେ ସ୍ନାତକ କରିଥିଲେ ।[୧]

ପେଷା ସମ୍ପାଦନା

ପୋଲିସ୍ ଅଧିକାରୀ ସମ୍ପାଦନା

ସ୍ନାତକ ପରେ ୧୯୨୪ ମସିହାରେ ସେ ପୋଲିସ୍ ବିଭାଗରେ ଯୋଗ ଦେଇଥିଲେ । ସେ ୧୧ ବର୍ଷ ଧରି ଭାରତୀୟ ପୋଲିସ୍ ସେବା ଅଧିକାରୀ ଭାରେ କାର୍ଯ୍ୟ କରିଥିଲେ । କିଛି ଜିଲ୍ଲାର ଅରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିବା ପରେ ୧୯୫୮ ମସିହାରେ ସେ ଚାକିରୀରୁ ଅବସର ନେଇଥିଲେ ।[୧]

ଜଗନ୍ନାଥ ମନ୍ଦିର ପ୍ରଶାସକ ସମ୍ପାଦନା

ପୋଲିସ୍ ଚାକିରୀରୁ ଅବସର ନେବା ପରେ ସେ ୧୯୬୧ ମସିହାରେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଶାସକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୬୫ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ ।[୧]

ଆୟୁର୍ବେଦ ଚିକିତ୍ସା ସମ୍ପାଦନା

ସତ୍ୟବାଦୀ ବନ ବିଦ୍ୟାଳୟରେ ପଢ଼ିବାବେଳେ ସେ ଆଚାର୍ଯ୍ୟ ହରିହରଙ୍କ ଛାତ୍ର ଥିଲେ ଏବଂ ତାଙ୍କ ପ୍ରେରଣାରେ ରୋଗୀ ସେବା ପ୍ରତି ଆକୃଷ୍ଟ ହୋଇଥିଲେ । ଏଲୋପାଥିକ ଚିକିତ୍ସା ବ୍ୟୟବହୁଳ ଥିବାରୁ ସେ ଚରକ, ଶୁଶ୍ରୁତ ସଂହିସା ପଢ଼ିବା ସହିତ ଭାରତୀୟ ଆୟୁର୍ବେଦ ବିଜ୍ଞାନୀଙ୍କ ପୁସ୍ତକ ଆଦି ପଢ଼ିଥିଲେ ଏବଂ ଏହାକୁ ଆଧାର କରି ବିଭିନ୍ନ ପରୀକ୍ଷା କରିବା ପରେ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ କିଛି ଉପାଦେୟ ପୁସ୍ତକ ରଚନା କରିଥିଲେ ।[୧]

ରଚିତ ପୁସ୍ତକ ସମ୍ପାଦନା

  • ଅନୁଭୂତ ଯୋଗମାଳା (ସହଜ ଚିକିତ୍ସା)
  • ଅନୁଭୂତ ଯୋଗମାଳା - ୨ୟ ଭାଗ (ଘର ବଇଦ)
  • ବିଶଲ୍ୟକରଣୀ - ପରିକ୍ଷିତ ସର୍ବବିଷ ଚିକିତ୍ସା ଓ ମନ୍ତ୍ରଦ୍ୱାରା ରୋଗ ଚିକିତ୍ସା (ଅନୁଭୂତ ମନ୍ତ୍ରମାଳା)
  • ସଂକ୍ରାମକ ରୋଗ ଚିକିତ୍ସା

ମୃତ୍ୟୁ ସମ୍ପାଦନା

ଲକ୍ଷ୍ମଣ ମିଶ୍ର ୧୯୮୯ ମସିହାର ଜାନୁଆରୀ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା (in ଓଡ଼ିଆ) (12 ed.). ଭୁବନେଶ୍ୱର: ପ୍ରାଣକୃଷ୍ଣ ମିଶ୍ର. 1 February 2014. p. 217.{{cite book}}: CS1 maint: unrecognized language (link)