Rankanidhi
ସୁନ୍ଦର ସଂସାର
ଆକାଶ ଦିଶେ କି ସୁନ୍ଦର |
ତାହାକୁ ରଚିଲେ ଈଶ୍ୱର ||
ଉଜ୍ଜ୍ୱଳ ସୂର୍ଯ୍ୟ, ଚନ୍ଦ୍ର, ତାରା |
ନୀଳ ସମୁଦ୍ର, ଶ୍ୟାମ ଧରା ||
ପର୍ବତ, ନଦୀ, ତରୁମାନ |
ସୃଜିଲେ ପ୍ରଭୁ ଭଗବାନ ||
ନାନା ବର୍ଣ୍ଣର ଫୁଲ ଫଳ |
ବୃକ୍ଷର ପଲ୍ଲବ କୋମଳ ||
ମନୁଷ୍ୟ, ପଶୁ, ପକ୍ଷୀ ଆଦି |
ସକଳ ସୃଜିଲେ ଅନାଦି ||
ତାଙ୍କର ଆଜ୍ଞାରେ ପବନ |
ସର୍ବତ୍ର କରେ ବିଚରଣ ||
ଅଗ୍ନି ତାଙ୍କର ଆଦେଶରେ |
ଉତ୍ତାପ, ତେଜ ଦାନ କରେ ||
ଈଶ୍ୱର ଦୟାର ସାଗର |
ତାଙ୍କର ମହିମା ଅପାର ||
ପାହିଲା ଅନ୍ଧାର ରଜନୀ,
ଉଠ ଉଠ ବାଳକେ |
ନବୀନ ପ୍ରଭାତ ସମୟ,
ଏବେ ଗାଅ ପୁଲକେ |
ଦଶ ଦିଗ ଦେଖ ଉଜ୍ଜ୍ୱଳ,
ପାଇ ରବି କିରଣ |
ଫୁଲ ଫୁଟିଅଛି କାନନେ,
ଧୀରେ ବହେ ପବନ |
ଥିଲେ ଅଚେତନ ନିଦ୍ରାରେ,
ସର୍ବେ ଧରଣୀବାସୀ |
କି ମନ୍ତ୍ର ପଢିଲା ପ୍ରଭାତ,
କେଉଁ ଦେଶରୁ ଆସି |
ନବପ୍ରାଣ ଲଭି କ୍ଷଣକେ,
ଜାଗି ଉଠିଲେ ସର୍ବେ |
ଆକାଶ ପୃଥିବୀ ପୁରିଲା,
ମହା ଆନନ୍ଦ ରବେ |
ବିହଙ୍ଗେ ଗାଇଲେ ସଙ୍ଗୀତ,
ଆହା କି ମନୋହର |
ସେ ଗୀତ ଶ୍ରବଣେ ହୃଦୟ,
ନାଚି ଉଠେ ମୋହର |
ବିହଙ୍ଗ ସଙ୍ଗତେ ବାଳକେ,
ଗାଆ ଆନନ୍ଦ ମନେ |
ହୃଦୟେ ସୁମରି ଜଗତ-ପିତା,
ସୃଷ୍ଟି କାରଣେ |
ରାମ ମହାଳିକ