ମୋକ୍ଷ

ଚଲାପଥ ଅଉ ନାହିଁ ଆଖି ସେପାରିରେ

   ଚାହିଁଦେଲେ ଦିଶେ ଖାଲି ଶୁନ୍ୟ
   ଶୈଶବ, କୈଶୋର କଥା
    ଲିଭିଗଲା ତୁହା ତୁହା ଆଖିର ଲୁହରେ
     ଝାପସା ଦିଶଇ ଯଉବନ
       ନିଃସନ୍ଦେହ ଏ ଯେ
         ଜୀବନର ଚତୁର୍ଥ ସୋପାନ

ଧର୍ମ, ଅର୍ଥ, କାମ ଆଉ ଲୋଡାନାହିଁ ଲୋଡାନାହିଁ ମାଟିର ଜୀବନ ଏବେ ଖାଲି ମୋକ୍ଷ ପାଇଁ ଦେଖୁଛି ସପନ --୦-- ହରିହର ପ୍ରସାଦ ଶତପଥୀ ମାର୍ଫତ: ପରିବାର ଅଦାଲତ, ରାୟଗଡ


ପରିବାର ଅଦାଲତ, ରାୟଗଡ


ଦୁଇହଜାର ଉଣିଶ ଇଂରେଜୀ ମସିହା ଜାନୁୟାରୀ ଉଣିଶିରେ ଘଟିଗଲା ଯାହା ......୧

ରାୟଗଡ ଇତିହାସେ ନୁଆ ଏକ ପୃଷ୍ଠା ପରିବାର ଅଦାଲତ ହୋଇଲା ପ୍ରତିଷ୍ଠା ......୨

ପାରିବାରିକ ବିବାଦ ସମାଧାନ ପାଇଁ ଅନନ୍ୟ ଏ ଅନୁଷ୍ଠାନ ଆସିଛି ଆଗେଇ ......୩

ସ୍ଵତନ୍ତ୍ର ବ୍ୟବସ୍ଥା ଯେତେ ରହିଛି ଏଥିରେ ଗୋଟି ଗୋଟି କରି ଶୁଣ କହୁଅଛି ଧିରେ ......୪

ଭରଣପୋଷଣ ଅବା ହେଉ ଛାଡପତ୍ର ବୈବାହିକ ଅଧିକାରେ ରହିବା ଏକତ୍ର ......୫

ହେପାଜତ ପାଇଁ ଦାବି ଜନ୍ମିତ ଶିଶୁର ଅଥବା ସ୍ତିରିର ବୈବାହିକ ଅଧିକାର ......୬

ପରିବାର ଅଦାଲତେ ସ୍ଵତନ୍ତ୍ର ଏ ନୀତି ବୁଝାମଣା ଦ୍ଵାରା ଲଭିବାକୁ ସହମତି ......୭

ପବିତ୍ର ବିବାହ ଡୋରୀ ରଖିବାକୁ ବାନ୍ଧି ଆଇନର ସୂକ୍ଷ୍ମ ଜାଲେ ନ ହେବାକୁ ଛନ୍ଦି ......୮

ପ୍ରଦାନ କରିବା ପାଇଁ ତ୍ଵରିତ ଯେ ନ୍ୟାୟ ଅଦାଲତ ଆପଣାନ୍ତି ଅନେକ ଉପାୟ ......୯

କାଉନସେଲର, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟସ୍ଥତା, ବିଶେଷଜ୍ଞ ଯେ ମନୋବିଜ୍ଞାନ ......୧୦

ପ୍ରୟାସ କରନ୍ତି ଯୋଡିବାକୁ ପରିବାର ଅନ୍ୟଥା ଆପୋଷ ବୁଝାମଣାରେ ନଜର ......୧୧

ପରିବାର ଅଦାଲତ ଅଧିନିୟମର ଧାରା ଦଶରେ ରହିଛି ବିଶେଷାଧିକାର ......୧୨

ପରିବାର ଅଦାଲତ ଆଇନ ମହିମା ମାମଲା ସାରିବା ପାଇଁ ତିନିମାସ ସୀମା ......୧୩

ମାମଲା କରିବା ପାଇଁ ନାହିଁ ଅର୍ଥ ବାଧା ଧାରା ପାଞ୍ଚରେ ରହିଛି ସ୍ଵତନ୍ତ୍ର ସୁବିଧା ......୧୪

କୋର୍ଟ ଫି ଛାଦ ଏଠି ସମସ୍ତଙ୍କ ପାଇଁ ଯୋଗ୍ୟ ସ୍ଥଳରେ ମାଗଣା ଓକିଲ ମିଳଇ ......୧୫

ବାଦୀ, ପ୍ରତିବାଦୀ ତେଣୁ ନ ହୁଅ ଚିନ୍ତିତ ବିବାଦର ସମାଧାନ ହୋଇବ ତ୍ଵରିତ ......୧୬

ତ୍ଵରିତ ନ୍ୟାୟ ପାଇବା ଆମ ଅଧିକାର ପରିବାର ଅଦାଲତ କରୁଛି ସାକାର ......୧୭


-୦-

ହରିହର ପ୍ରସାଦ ଶତପଥୀ,Gr-I BC ମାର୍ଫତ- ପରିବାର ଅଦାଲତ, ରାୟଗଡ ୯୬୫୮୧୭୧୬୮୭


ମୁଁ ମରିଗଲା ପରେ

.............

ମୁଁ ମରିଗଲା ପରେ

ଅନିତ୍ୟ ମୋ ଦେହ ମୋହରେ ଆଖିକୁ

ଭିଜାଇବନି ଲୁହରେ.........୧

ଲୋଡାନାହିଁ ମୋର ଲୁହର ଆସର

ମୋକ୍ଷ ଲାଗି ମୁଖେ ତୁଳସୀ ପତର

ବିଦାୟ ବାରତା ଭାଇ‌ରାଲ କରି

ଦେବନାହିଁ ଦୁଃଖ କାରେ

ମୁଁ ମରିଗଲା ପରେ.........୨

ଜୀବ ଯିବା ଆଗୁ ଶରୀରକୁ ଛାଡ଼ି

ବିଦାୟ ବେଳାର ସେ ଅମୃତ ଘଡ଼ି

ଇଛା ମୋ ପରମ ଭାଗବତ ବାଣୀ

ଶୁଣାଇଦେବ କର୍ଣ୍ଣରେ

ମୁଁ ମରିଗଲା ପରେ.......୩

ଛଅ ଖଣ୍ଡି କାଠେ ଯତନେ ସଜାଡ଼ି

ସ୍ଵର୍ଗ ଦ୍ଵାରେ ମୋର ଶବ ଦେବ ପୋଡ଼ି

ଫେରିବା ବାଟରେ କେ ଯଦି ପଚାରେ

ଏକଥା କହିବ ତାରେ

ମୁଁ ମରିଗଲା ପରେ........୪

କହିବ ତାହାକୁ ହୋଇ ଅତି ଧୀର

ଅସାର ସଂସାରେ କେ ନୁହେଁ ଅମର

ନୂଆଦେହ ପାଇଁ ପୁରୁଣା ତେଜିଛି

ଆସିବି ମୁଁ ଆଉଥରେ

ମୁଁ ମରିଗଲା ପରେ.......୫

-୦-

ହରିହର ପ୍ରସାଦ ଶତପଥୀ,Gr-I BC ମାର୍ଫତ- ପରିବାର ଅଦାଲତ, ରାୟଗଡ ୯୬୫୮୧୭୧୬୮୭