ଭଜନ ମାଳା ଲେଖକ- ସ୍ଵର୍ଗତ ମୀନକେତନ ସତପଥୀ, ପଦ୍ମପୁର ପ୍ରଥମ ଭାଗ ଜିଲ୍ଲା- ରାୟଗଡ଼୭୬୫୦୦୧ ଅଲେଖ ବ୍ରହ୍ମ ଭଜନ

ଜୟ ଜୟ ଅଲେଖ ନିରଞ୍ଜନ

ଅଣ ଅକ୍ଷର ରୂପ ଚିରନ୍ତନ ..୧

ମହାବ୍ରହ୍ମ ଅନନ୍ତ ସର୍ବବ୍ୟାପୀ

ସତ୍ୟ, ଧର୍ମ, ଦୟା ଜ୍ଞାନ ସ୍ଵରୁପୀ ..୨

ଚତୁର୍ଦ୍ଦଶ ଭୂବନ ଅଧୀଶ୍ଵର

ସର୍ବ ଦେବଙ୍କ ତୁମ୍ଭେ ହିଁ ଆଧାର ..୩

ଅଣ ଅରୂପ ରୂପେ ପ୍ରକାଶକ

ନାମ ସ୍ମରଣେ ହରେ ଭବଦୁଃଖ ..୪

ଭକ୍ତ ଜନଙ୍କ ତୁମ୍ଭେ ଅଟ ବନ୍ଧୁ

ମହାମହିମ ନାମ କୃପାସିନ୍ଧୁ ..୫

ସର୍ବ ଜୀବଙ୍କ ଦେହେ ଆତ୍ମାରୂପ

ସ୍ଵୟଂଜ୍ୟୋତି ପରଂଜ୍ୟୋତି ସ୍ଵରୂପ ..୬

ଦୀନଜନଙ୍କ ପରମ ଆଶ୍ରୟ

ମୀନକେତନକୁ ଦିଅ ଆଶ୍ରୟ ..୭



ଶ୍ରୀ କୃଷ୍ଣଚନ୍ଦ୍ର ଚଉତିଶା

କୋଟି ବ୍ରହ୍ମାଣ୍ଡ କାରଣ କରେ ଶୋଭାପାଏ ସୁଦରଶନ ହେ କୃଷ୍ଣଚନ୍ଦ୍ର କାକୁସ୍ଥଜନ ତାରଣ ହେ......୧

ଖଗପତି ପୃଷ୍ଠେ ବସି ଖଳ ଦନୁଜଙ୍କୁ ଦେଇଛ ନାଶି ହେ କୃଷ୍ଣଚନ୍ଦ୍ର ଖିତି ବାରାକୁ ଉଶ୍ଵାସି ୨

ଗରିବ ଜନଙ୍କ ବନ୍ଧୁ ଗତିମୁକ୍ତି ଦାତା କରୁଣାସିନ୍ଧୁ ହେ କୃଷ୍ଣଚନ୍ଦ୍ର ଗୋପପୂର ପୂର୍ଣ୍ନ ଈନ୍ଦୁ ୩

ଘନନୀଳ କଲେବର ଘଟଣ ଦିଶେ ଶ୍ରୀମୁଖ ସୁନ୍ଦର ହେ କୃଷ୍ଣଚନ୍ଦ୍ର ଘେନିବା ବିନତି ମୋର ୪

ଓଁକାର ନାଦ ସତତେ ଉଚ୍ଚାରଣ କର ମୂରଲୀ ସୁତ୍ରେ ହେ କୃଷ୍ଣଚନ୍ଦ୍ର ଉଭାରି ପରମ ଯନ୍ତ୍ରେ ୫

ଚାହୁଁଥିଲେ ତୁମ୍ଭ ରୂପ ଚିତ୍ତେ ନ ରହଇ ଭବ ସନ୍ତାପ ହେ କୃଷ୍ଣଚନ୍ଦ୍ର ଚିତ୍ତୁ ଯାଏ ମନସ୍ତାପ ୬

ଛବି ଜିଣି କୋଟି କାମ ଛନ୍ଦା ଚରଣରେ ର୍ହୁ ମୋ ମନ ହେ କୃଷ୍ଣଚନ୍ଦ୍ର ଛଡିବି ନାହିଁ ତୋ ପ୍ରେମ ୭

ଜଗମୋହନ ମନ୍ଦିରେ ଜଗି ଦେଖୁଥିଲେ ତୋ ରୂପ ଥରେ ହେ କୃଷ୍ଣଚନ୍ଦ୍ର ଜାଗିରହେ ହୃଦୟରେ ୮

ଝାଞ୍ଜ, ଗିନି, କରତାଳ ଝଟତି ବଜାନ୍ତି କୀର୍ତ୍ତନ ମେଳ ହେ କୃଷ୍ଣଚନ୍ଦ୍ର ଝମକାନ୍ତି ମରଦଳ ୯

ନିତ୍ୟ ରାହାସ ପରାୟେ ନିୟମେ ତୋ ନାମ ଗାଇ ସଭିଏଁ ହେ କୃଷ୍ଣଚନ୍ଦ୍ର ନମନ୍ତି ତୋ ପଦ୍ମ ପାୟେ ୧୦

ଟେକି ଗୋବର୍ଧନ ଗିରି ଟାଣୁଆ ଇନ୍ଦ୍ରର ଗରବ ଚୁରି ହେ କୃଷ୍ଣଚନ୍ଦ୍ର ଟାଣ ଭାଙ୍ଗିଲ ତାହାରି ୧୧

ଠାକୁର ତୋ ପରି କେହି ଠଉରିଲେ ଜଗତେ ଦିଶୁନାହିଁ ହେ କୃଷ୍ନଚନ୍ଦ୍ର ଠୁଳ ଶୁନ୍ୟ ବ୍ରହ୍ମ ଦେହୀ ୧୨

ଡର ମୋ ନାହିଁ କାହାକୁ ଡାକୁଅଛି ନିତି ତୋର ନାମକୁ ହେ କୃଷ୍ନଚନ୍ଦ୍ର ଡରିବି ନାହିଁ ଯମକୁ ୧୩

ଢମପଣେ ତୋର ନାମ ଢାଳେ ନ ଭଜଇ ମୂର୍ଖ ଅଧମ ହେ କୃଷ୍ନଚନ୍ଦ୍ର ଢମପଣେ ସାରେ ଦିନ ୧୪

ଅଣ ଆୟତ୍ତ ବେଳକୁ ଅନେକ ଭାବେ ଡାକନ୍ତେ ତୁମ୍ଭଙ୍କୁ ହେ କୃଷ୍ନଚନ୍ଦ୍ର ଅନୁଗ୍ରହ କରୁ ତାକୁ ୧୫

ତୋର ନାମ ରତ୍ନମାଳା ତରିଛନ୍ତି ଭକ୍ତେ ଲମ୍ବାଇ ଗଳା ହେ କୃଷ୍ନଚନ୍ଦ୍ର ଭବାବ୍ଧି ତାରଣେ ଭେଳା ୧୬

ଥବିର ବୟସେ ମୋତେ ଥୟକରି ରଖ ତୋ ପାଦଗତେ ହେ କୃଷ୍ନଚନ୍ଦ୍ର ଥରେ ଜଣାଉଛି ତୋତେ ୧୭

ଦୟା ସାଗର ଶ୍ରୀହରି ଦୟାକରି ଘେନ ମୋର ଗୁହାରୀ ହେ କୃଷ୍ନଚନ୍ଦ୍ର ଦୀନବନ୍ଧୁ ଦଇତ୍ୟାରୀ ୧୮

ଧରିଣ ନୃସିଂହ କାୟ ଧରଣୀରୁ କଲ ଦନୁଜକ୍ଷୟ ହେ କୃଷ୍ନଚନ୍ଦ୍ର ଧରଣୀ ହୋଇଲା ଥୟ ୧୯

ନର ନାରାୟଣ ହରି ନୃସିଂହବାମନ ପରଶୁଧାରୀ ହେ କୃଷ୍ନଚନ୍ଦ୍ର ନଖେ ହିରଣ୍ୟ ବିଦାରି ୨୦

ପୁରୁଷୋତ୍ତମ କ୍ଷେତ୍ରରେ ପୂଜାପାଉଅଛ ଦାରୁ ରୂପରେ ହେ କୃଷ୍ନଚନ୍ଦ୍ର ପବିତ୍ର ପୁରୀ ଧାମରେ ୨୧

ଫୁଲମାଳ ଅଙ୍ଗେ ଶୋଭା ଫୁଲ୍ଲମନେ ଭକ୍ତେ କରନ୍ତି ସେବା ହେ କୃଷ୍ନଚନ୍ଦ୍ର ଫୁଲ୍ଲେନ୍ଦୁ ବଦନ ପ୍ରଭା ୨୨

ବନମାଳି ବେଣୁପାଣି ବାମପାଶେ ଉଭା ଶ୍ରୀ ରାଧାରାଣୀ ହେ କୃଷ୍ନଚନ୍ଦ୍ର ପରଂବ୍ରହ୍ମ ସ୍ଵରୂପିଣୀ ୨୩

ଭକତ ଜନଙ୍କ ଧନ ଭକ୍ତ ଭାବେ ବନ୍ଧା ଶ୍ରି ଭଗବାନ ହେ କୃଷ୍ନଚନ୍ଦ୍ର ଭକତି ଏବେ ମୋ ଘେନ ୨୪

ମରଣ ସମୟେ ମୋର ମନେ ଚିନ୍ତୁଥିବି ରୁପ ତୋହର ହେ କୃଷ୍ନଚନ୍ଦ୍ର ମାଗୁଣି ଏତେ ମାତର ୨୫

ଯଶୋଦା ଦେବୀଙ୍କ କୋଳେ ଜାତହେଲ ଯୋଗମାୟାର ବଳେ ହେ କୃଷ୍ନଚନ୍ଦ୍ର ଯଶ ରହିଛି ଭୂତଳେ ୨୬

ରାମରୂପେ ହୋଇ ଜାତ ରାକ୍ଷସ ବଂଶ କରିଛ ନିପାତ ହେ କୃଷ୍ନଚନ୍ଦ୍ର ରାବଣାରି ନାମ ଖ୍ୟାତ ୨୭

ଲୟକରି ମୁନି ଜନେ ଲଭିଛନ୍ତି ତବ ଭାବ ଯତନେ ହେ କୃଷ୍ନଚନ୍ଦ୍ର ଲୟରହୁ ମୋର ମନେ ୨୮

ବାଷଠି ବରଷ ଶେଷ ହୋଇଲାଣି ଆସି ମୋର ବୟସ ହେ କୃଷ୍ନଚନ୍ଦ୍ର ବାରେ କ୍ଷମାକର ଦୋଷ ୨୯

ଶରଣ ଗଲି ତୋହରେ ସମ୍ଭାଳିଣ ରଖ ନେଇ ସ୍ନେହରେ ହେ କୃଷ୍ନଚନ୍ଦ୍ର ଶେଷ ନିବେଦନ କରେ ୩୦

ସକଳ ଲୋକର ଗୁରୁ ସଂସାର ଜନଙ୍କ ତୁ କଳ୍ପତରୁ ହେ କୃଷ୍ନଚନ୍ଦ୍ର ସର୍ବ ବାଞ୍ଛା ପୂର୍ଣ୍ଣ କରୁ ୩୧

ଷଡରିପୁ ତ୍ରାସୁ ମୁହିଁ ସଂହରି ରହିଛି ତୋ ରୂପ ଚାହିଁ ହେ କୃଷ୍ନଚନ୍ଦ୍ର ସତ୍ୟପଥେ ମନ ଦେଇ ୩୨

ହୋଇ ଦିବ୍ୟ ଅବତାର ହରଷେ ବିଜୟ ନୀଳ ମନ୍ଦିର ହେ କୃଷ୍ନଚନ୍ଦ୍ର ହୃଷୀକେଶ ଦାମୋଦର ୩୩

କ୍ଷମାସାଗର ଶ୍ରୀହରି ମୀନକେତନର ଶୁଣ ଗୁହାରୀ ହେ କୃଷ୍ନଚନ୍ଦ୍ର ପାଦେରଖ କ୍ଷମା କରି ୩୪




...........................

ପରମଗୁରୁ ଭଜନ

ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...

ବେଲ ଥାଉ ଥାଉ ବାବୁ କର ଯତନ କାଳ ଘୋଟିଗଲେ ହଜି ଯିବ ରତନ ଘରେ ଲୋଡିଲେ ଆଉ -ପାଇବୁ ଅବା କାହୁଁ ଏ ଜୀବ ଥାଉ ଥାଉ - ସେବ ଶ୍ରୀ ମହାବାହୁ ପ୍ରଭୁ କରିବେ ଭବ ସାଗରୁ ପାରି ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୧

ଜୀବରୂପେ ସ୍ଥିତ ସର୍ବ ହୃଦେ ଈଶ୍ୱର ମୂଳ ଆଧାର ଅଟନ୍ତି ସେହୁ ବିଶ୍ଵର ବିଶ୍ଵରୂପୀ ପୁରୁଷ- ବିଶ୍ଵେ ଯାହାଙ୍କ ବାସ ବିଶ୍ଵାସରେ ମାନସ-ମଧ୍ୟେ ତାହାଙ୍କୁ ଘୋଷ ବିଶ୍ଵେ ହୋଇବେ ଦୃଶ୍ୟ ବିଶ୍ଵ ବିହାରି ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୨

ବିଶ୍ଵାସ ବିନା ବିଫଳ ଏକଥା ହେଜ ଏକ ଲୟେ ବିଶ୍ଵପତି ଚରଣେ ଭଜ ଭଜିଲେ ଅଛି କାର୍ଯ୍ୟ-କାର୍ଯ୍ୟ ବିନା ଅକାର୍ଯ୍ୟ ଅଇରି ଗଣ ତେଜ -ବଳେ ହେବୁ ଦହିର୍ଯ୍ୟ ଆଉ ପାଇବୁ କାହିଁ କରୁଣା ତରୀ ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୩

ଏ ଭବ ସାଗରେ ରାମନାମଟି ନାବ ତାକୁ ଆଶ୍ରେ କର ମନ ଅତି ସୁଲଭ ସୁଖେ ତୁ ଯିବୁ ତରି-ଭୟ ନାହିଁ କାହାରି ଆଣ୍ଟେ ତୁ ଥିବୁ ଧରି-ଛାଡିଲେ ଯିବୁ ମରି ଏହି କଥାକୁ ଯାଅ ନାହିଁ ପାଶୋରି ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୪

ପାଶୋରିଲା ପଦାର୍ଥକୁ ପାଶୋର ବାବୁ ପାଶରେ ଥିବା ପଦାର୍ଥ ପାଶେ ପାଇବୁ ଶେଷେ ଜାଣିବୁ ଯାହା-ତୁହିଟି ଅଟୁ ତାହା ସକଳ ଅଟେ ମାୟା-ମାୟା ଘଟେ ନିର୍ମାୟା ନିରାକାର ଜ୍ୟୋତିଟି ସର୍ବତ୍ର ପୂରି ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୫

ନିଶ୍ଚଳଭାବେ ତାହାଙ୍କୁ କରିବୁ ଧ୍ୟାନ ନିଶବଦେ ଶବଦକୁ ଶୁଣିବ କର୍ଣ୍ଣ ଯିବ ସର୍ବ କଷଣ-ଜିଣିବୁ କାଳଯମ ଭବେ ହୋଇବୁ ରାଜା-ସର୍ବେ କରିବେ ପୂଜା କହେ ମୀନକେତନ ଯିବୁ ତୁ ତରି ମନ ଭଜତୁ ରାମକୃଷ୍ଣ ଶ୍ରୀହରି ରାଗ ଅହଂକାରାଦି ହୃଦୁ ସଂହରି....ମନ...୬



ରାମ ହୃଦୟ ପାଠଃ

ସୁମନେ ଶୁଣ ବିଦୁଷ ରାମ ହୃଦୟ ମାନସ ଚତୁର୍ବେଦ ସାରତତ୍ତ୍ଵ କହେ ପ୍ରମାଣି ଓଁକାର ଝଙ୍କାର ଭେଦ ପରମ ଗୁପତ ପଦ ଏହି ସେ ଶିଶୁ ବେଦର ଅମୀୟ ବାଣୀ ନାମ ବ୍ରହ୍ମ ରୂପେ ଶୋଭିତ ସପତ ଭୁବନ ଭେଦି ଭାବ ଉଦିତ ...୧

କହିତ ନୁହଇ ମୁଖେ ଭାବହୁଏ ଆତ୍ମା ସୁଖେ ମହାମହିମ ଶ୍ରୀଗୁରୁ ପଦ ଭାବନା ଶ୍ରୀନୃସିଂହ ନାମଧ୍ୟାନେ ଲେଖିଯାଏ ଅନୁଧ୍ୟାନେ ଅମନସ୍କ ଯୋଗ ଭାବ ଦିବ୍ୟ ବୋଧନା ଦେଖିତ ନ ହୁଅଇ ନେତ୍ରେ ଆତ୍ମ ଭୂତି ଯୋଗ ଗର୍ଭେ ଶୁଣାଏ ଶ୍ରୋତ୍ରେ ...୨

ରାମ ନାମ ଅଣାକ୍ଷର ପରମ ଜ୍ୟୋତି ଆକର ଅମୃତ ଆନନ୍ଦମୟ ଭାବ ପୂରିତ ଭକତଭାବେ ପ୍ରକାଶି ଜଗଜ୍ଜନମନ ତୋଷି ପ୍ରକୃତି ରୂପରୁ ପର ଇନ୍ଦ୍ରିୟାତୀତ ପରମ ଆତ୍ମନ ସ୍ଵରୂପ ସଂସାର ଧାରଣାରୂପ ଧରମ ୟୁପ ...୩

ଅନନ୍ତ ଯୁଗାଦିରୂପେ ପ୍ରକାଶିତ ବିଶ୍ଵକଳ୍ପେ ଅନନ୍ତ କୋଟି ବ୍ରହ୍ମାଣ୍ଡ ଯହୁଁ ଉଦିତ ଜାତହୁଁ ଅନନ୍ତ ଲୀଳା ପରକାଶେ ରୂପକଳା ସତ୍ୟ ଜ୍ଞାନ ଦୟା ଭାବେ ନାମ ଭେଦିତ ଅଭେଦ ଅଗମ୍ୟ ଅଚିନ୍ତ୍ୟ ଅନାଦି ସିଦ୍ଧ ନିଗମ ପରମ ନିତ୍ୟ ...୪

ବିଦେହଭାବେ ଶ୍ରୀପଦ ଭଜି ଜନକ ନାରଦ ଲଭିଛନ୍ତି ମୋକ୍ଷପଦ କରୁଣାରସ ପରମ ଆନନ୍ଦେ ପାୟୀ ରହିଛନ୍ତି ରୂପଧ୍ୟାୟୀ ବ୍ରହ୍ମାରେ ଦୁର୍ଲ୍ଲଭ ପ୍ରେମ ଭାବ ରାହାସ ନାମ ଏକା ଅଟେ ସଂସିଦ୍ଧି ଭକତଭାବେ ପ୍ରସନ୍ନ ଯୋଗ ସମାଧି ...୫

ବିମଳ ଭରତଭାବ ଭାବେ ପ୍ରସନ୍ନ ରାଘବ ପିତାସତ୍ୟେ ତପୋବନେ ଯୋଗେଣ ରହି ଭାତୃସ୍ନେହେ ନିଜପଦ ସମର୍ପିଲେ ବହି ମୋଦ ସେହି ଯେ ରାମପାଦୁକା ନାମ ବୋଲାଇ ପ୍ରେମେ ପୂଜି ରାମ ଶ୍ରୀପଦ ରହିଲେ ଭରତ ତେଜି ଭବ ବିଷାଦ ...୬

ପରମ ସୁଜ୍ଞାନୀ ମାତା କଉଶଲ୍ୟା ଶୁଦ୍ଧଚେତା ପୁତ୍ର ଭାବେ ରାମରୂପ ହୃଦୟେ ଧ୍ୟାୟୀ ଚତୁର୍ଦ୍ଦଶ ବର୍ଷକାଳ ଜାଗି ରହିଲେ କେବଳ ଯେସନେ ଯୋଗୀଏ ଯୋଗେ ଥାଆନ୍ତି ରହି ଧନ୍ୟ ସେହୁ ଏହି ଜଗତେ ବିଷ୍ଣୁ ପ୍ରେମେ ଭାବ ଯେହୁ ରଖେ ନିରତେ ...୭

ଭକ୍ତଭାବେ ଭାବଗ୍ରାହୀ ନାମ ଯେଣୁ ଛନ୍ତି ବହି ତେଣୁ ତପୋବନୁ ଫେରି ଦେଲେ ଦର୍ଶନ ଯୋଗମାୟା ବଳେ ହରି ଅବନି ଭାରା ସଂହରି ବିଷ୍ଣୁଭାବ ଯୋଗେ ହୃଦେ ହେଲେ ପ୍ରସନ୍ନ ଜ୍ଞାନ ରୂପ ଜ୍ୟୋତି ପ୍ରକାଶି ରାମ-ରାଜ-ଯୋଗ ଦିବ୍ୟ ଭାବ ବିକାଶି ...୮

ଭକତି ଭଜନ ମାଳା ନାମ ଏକା ଜପାମାଳା ଭବ କାମ-ତାପ ନାଶକାରୀ ଏ ଭାବ ଆତ୍ମ ପ୍ରସନ୍ନେ କେବଳ ଜୀବ ଲଭେ ଦିବ୍ୟଫଳ ନିଜ ବ୍ରହ୍ମରୂପ ଜ୍ଞାନ ପରମଠାବ ବେଦରୂପ ବିଜ୍ଞାନମୟ ନିର୍ବେଦ ନିର୍ଗୁଣ ସର୍ବ ଲୋକ ଆଶ୍ରୟ ... ୯

ନବଧା ଭକ୍ତିରୁ ସାର ରାମନାମ ସୁଧାଧାର ଆସ୍ଵାଦନେ ନିତ୍ୟ ନବ ଭାବ ପ୍ରକଟେ ମୁନି ମାନସ ରଞ୍ଜନ ମହାମୋହ ବିନାଶନ ଆତ୍ମାଭାବେ ପରକାଶ ସକଳ ଘଟେ ଅରୂପ, ଅନାଦି, ଅବ୍ୟୟ ଅନାମୟ ଭାବ ରୂପ ଯୋଗ ବିଲୟ ... ୧୦

ପରମ ଆରାଧ୍ୟ ଦେବାନନ୍ତ ମହିମା ଭାବ ଅନବରତେ ଏ ଜୀବ କରେ ମିନତି ମୀନକେତନର ମନେ ଜାଗିରହୁ ଅନୁଦିନେ ରାମନାମ ପ୍ରେମ ଭାବ ପରମ ଗୀତି ଜୟଜୟ ଶ୍ରୀରାମ ଜୟ ଜୟ ରାମ ଜୟ ରାମ ଶ୍ରୀରାମ ଜୟ ...୧୧





............................... ରାମନାମ ମହାଭାବ

ଏଥୁଅନ୍ତେ ଶୁଣରସ ଶ୍ରୀ ରାମନାମ ପରମ ରହସ୍ୟ ସୁଜନେ ହେ ଭୁଷଣ୍ଡ ମୁଖୁ ପ୍ରକାଶ ...୧

ଭୂଷଣ୍ଡ ପରମ ଯତି ବିଷ୍ଣୁଙ୍କ ପ୍ରସନ୍ନାନଦ ବିଭୁତି ସୁଜନେ ହେ ଶୁଦ୍ଧ ସ୍ଵର୍ଣ୍ନ ପ୍ରାୟ ଦ୍ୟୁତି ...୨

ପାଇ ଦିବ୍ୟ ବ୍ରହ୍ମଜ୍ଞାନ ବିଷ୍ଣୁ ଅଙ୍ଗେ ସେହୁ ହୋଇଛି ଲୀନ ସୁଜନେ ହେ ରୂପ ବହେ ଆନୁ ଆନ ...୩

ରାମନାମ ମୁଖେ ରଟେ ବସିଥାଇ ନିତ୍ୟ କଳପ ବତେ ସୁଜନେ ହେ ବିହରଇ ସର୍ବଘଟେ ...୪

ଜ୍ଞାନମୁଖେ କହେ ବାଣୀ କୋଟି ସୃଷ୍ଟି କଥା ଅଛଇ ଜାଣି ସୁଜନେ ହେ ନେତ୍ରେ ଦେଖୁଥାଇ ପୁଣି ...୫

ନେତ୍ର ତାର ଜ୍ଞାନଜ୍ୟୋତି ଶ୍ରୋତ୍ରେ ଶୁଣି ନାମେ ରଖଇ ସ୍ମୃତି ସୁଜନେ ହେ ଅମୃତମୟ ତା ଗୀତି ...୬

ରାମ ଗର୍ଭେ ତାର ବାସ ନାମ ଭଜୁଥାଇ ରାତ୍ର ଦିବସ ସୁଜନେ ହେ ନାହିଁ ତା ନିଦ୍ରା ଆଳସ୍ୟ ...୭

ରାମନାମ ସୁଧା ରସ ପାନ କରି ତାର ମନ ହରଷ ସୁଜନେ ହେ କହୁଥାଇ ଜ୍ଞାନରସ ...୮

ଅଜାମ୍ରର ଦିବ୍ୟ ଦେହୀ ମୀନକେତନର ହୃଦୟେ ଶୋହି ସୁଜନେ ହେ ସତ୍ୟପଥେ ଚଳୁଥାଇ ...୯

-0-




ଶିବ ସ୍ତୁତି

ଜୟ ଶ୍ରୀ ମଲ୍ଲୀକେଶ୍ଵର ଧବଳେଶ୍ଵର ବିଜୟ ଜ୍ୟୋତି ମନ୍ଦିର ଲୋକଙ୍କ ତ୍ରାଣ ଅର୍ଥେ ଗୁପ୍ତେ ରହିଛ ଏଥେ ତୁମ ମହିମା ପ୍ରଭୁ ଜାଣିବେ କାହୁଁ ନର ଜୟ ଶ୍ରୀ .........୧

ପବିତ୍ର ନାମ ତୁମ୍ଭର ଶିବ ଶଙ୍କର ଉମାପତି ବିଶ୍ଵମ୍ଭର ମହେଶ୍ଵର ଈଶାନ ଶମ୍ଭୁ ତ୍ରୟଲୋଚନ ତ୍ରିତାପ ହାରୀ ତୁମ୍ଭେ ନିର୍ଗୁଣ ନିର୍ବିକାର ଜୟ ଶ୍ରୀ ..........୨

ଜୟ ତ୍ରିଅମ୍ବକ ହର କାଶୀ ଈଶ୍ଵର ମୋ ପ୍ରତି କରୁଣାକର ତୋ ଦିବ୍ୟଭାବ ଦେଇ ରଖ ଶ୍ରୀପଦେ ନେଇ ଦ୍ଵିଜ ମୀନକେତନ ଚିନ୍ତଇ ନିରନ୍ତର ଜୟ ଶ୍ରୀ ........୩

      -୦-

................................ ମଲ୍ଲୀକେଶ୍ଵର ମାହାତ୍ମ୍ୟ

ଏଥୁ ଅନନ୍ତରେ ଜନେ ଶୁଣ ଦିବ୍ୟବାଣୀ ମଲ୍ଲୀକେଶ୍ଵର ମନ୍ଦିର ନିର୍ମାଣ କାହାଣୀ ହେ ...୧

ବହୁ ପୁରାତନର ଏ ଅଟେ କଥା ଜାଣ ବୃଦ୍ଧଙ୍କ ମୁଖରୁ ମୁହିଁ ଶୁଣିଛି ପ୍ରମାଣ ହେ ...୨

ପୂର୍ବରୁ ଏ ତୀର୍ଥ୍ଭୂମି ଅଟେ ଦିବ୍ୟ ସ୍ଥଳ କୋଟି ଶିବଲିଙ୍ଗ ଏଠି ହୋଇଥାନ୍ତା ଠୁଳ ହେ ...୩

ଏମନ୍ତ ଭାବେ ଦେବଙ୍କ ଆଦେଶରେ ଜାଣ ରାତ୍ରମଧ୍ୟେ ହେଉଥିଲା ମନ୍ଦିର ନିର୍ମାଣ ହେ ...୪

କି ଯୋଗେ ମନ୍ଦିର ତୋଳା ଆରମ୍ଭ ହୋଇଲା ରାତି ନ ପାହୁ ସୁନାର କୁକ୍କୁଟ ରାବିଲା ହେ ...୫

ଖିଲାମଣ୍ଡା ପରବତେ ଶୁଭେ ଶୁବ୍ୟବାଣୀ ସୁନାର କୁକୁଡା ଡାକେ ପାହିଲା ରଜନୀ ହେ ...୬

ଡାକଶୁଣି ଦେବଲୋକେ ହେଲେ ବିଚଳିତ ରାତି ନ ପାହୁଣୁ ସର୍ବେ ହେଲେ ଅନ୍ତର୍ହିତ ହେ ...୭

ମାୟା-ଶିଳ୍ପୀ ରୂପେ ଦେବେ ଆସିଥିଲେ ଯେଣୁ ଶିବଙ୍କ ଆଜ୍ଞାରେ କାର୍ଯ୍ୟ ବନ୍ଦ ହେଲା ତେଣୁ ହେ ...୮

ଏହି ରୂପେ ପୁର୍ବୁ ରହି ଅଛଇ କଥିତ ତେଣୁ ଏ ସ୍ଥାନଟି ଜାଣ ପରମ ପବିତ୍ର ହେ ...୯

ଶିବଙ୍କ ମହିମା ଏହି ଅଟଇଟି ଜାଣ ମଲ୍ଲୀକେଶ୍ଵର ପୀଠର ଏହି ସେ ପ୍ରମାଣ ହେ ...୧୦

ଜୟ ଜୟ ମହାଦେବ ପରମ ଈଶାନ ମୀନକେତନର ହୃଦେ ଦିଅ ଦିବ୍ୟ ଜ୍ଞାନ ହେ ...୧୧





ମଲ୍ଲୀକେଶ୍ଵର ମହିମା ଗୀତି

ଜୟଜୟ ମହାଦେବ ହେ ପ୍ରଭୁ ମଲ୍ଲୀକେଶ୍ଵର

ପବିତ୍ର ପ୍ରସ୍ତର ଖଣ୍ଡରେ ଗଢା ତୁମ ମନ୍ଦିର ......୧

ପଦ୍ମପୁର ଗ୍ରାମ ନିକଟେ ଯୋଗମଣ୍ଡା ପର୍ବତ

ତହିଁ ପୂର୍ବ ଭାଗେ ମନ୍ଦିର ହୋଇଅଛି ନିର୍ମିତ ......୨

ଅନ୍ୟ ଦେବପୀଠ ଗହଣେ ଶୋଭା ପର୍ବତ ସ୍ଥଳୀ

ପୂର୍ବରୁ ପ୍ରଶଂସା ପାଇଛି ତାର ଗଠନ ଶୈଳୀ ......୩

ମୁଖ୍ୟ ମନ୍ଦିରର ଦକ୍ଷିଣେ ପ୍ରଭୁ ଧବଳେଶ୍ଵର

ମନ୍ଦିର ନିର୍ମାଣ ହୋଇଛି ଦିଶେ କି ମନୋହର ......୪

ଧର୍ମକୀର୍ତ୍ତି ନାମେ ନଗର ପୂର୍ବୁ ଅଛି ବିଦିତ

ଯୋଗମଣ୍ଡା ନାମ ସେହିଟି ଲୋକମୁଖେ କଥିତ ......୫

ପୂର୍ବେ ଏ ପର୍ବତ ଗୁମ୍ଫାରେ ଯୋଗୀ ଋଷିଏ ଜାଣ

ଯୋଗଧ୍ୟାନ ମଗ୍ନ ଥିବାର ରହିଅଛି ପ୍ରମାଣ ......୬

ଯୋଗମଣ୍ଡା ନାମ ତେଣୁଟି ହୋଇଅଛି ଏହାର

ଗୁପତ ଗୁମ୍ଫାଏ ପର୍ବତେ ଅଛି ବହୁତ ଦୂର ......୭

ଏମନ୍ତ ତୁମର ଅମହିମା ଆହେ ପାର୍ବତୀ ସାଇଁ

ପର୍ବତ ଉପରେ ରହିଛ ଦୁଃଖୀ ତାରିବା ପାଇଁ ......୮

ଜୟଜୟ ମହାଦେବ ହେ ଜୟ ଜଗତପତି

ମୀନକେତନର ହୃଦୟେ ଦିଅ ପୂରୁବ ସ୍ମୃତି ......୯

          -୦-



................................



ଶ୍ରୀ ତ୍ରିନାଥ ଚଉତିଶା

କର ବେନିକୁ ଯୋଡିଣ କରୁଛି ପ୍ରଭୁଙ୍କ ପାଦେ ଜଣାଣ ...ହେ ତ୍ରୟନାଥ କରିବା ମୋତେ କାରଣ ୧

ଖଳବୁଦ୍ଧି ମାନ ମୋର ଖଣ୍ଡନ କରାଅ ଦେହୁ ସତ୍ତ୍ଵର ...ହେ ତ୍ରୟନାଥ ଖଟିଅଛି ତୋ ପୟର ୨

ଗତି ମୁକତି କରତା ଗରିବ ଜନଙ୍କ ତୁମ୍ଭେ ହିଁ ପିତା ...ହେ ତ୍ରୟନାଥ ଗୁହାରି ଶୁଣ ସର୍ବଥା ୩

ଘୋଷି ତୋ ନାମ ମୁଖରେ ଘାଣ୍ଟି ନ ହୋଇବି ଭବ ଦୁଃଖରେ ...ହେ ତ୍ରୟନାଥ ଘେନ ମୋ ବିନତି ବାରେ ୪

ଓଁକାର ବ୍ରହ୍ମରୁ କ୍ଷରି ଉକାର ଶକ୍ତିରୁ ସ୍ଵରୂପ ଧରି ...ହେ ତ୍ରୟନାଥ ନାମ ବ୍ରହ୍ମା, ଶିବ, ହରି ୫

ଚତୁର୍ଦ୍ଦଶପୁର ପତି ଚାରିଯୁଗେ ରୁହାଇଛ କୀରତି ...ହେ ତ୍ରୟନାଥ ଚ୍ଚନ୍ଦ୍ର କୋଟିସମ ଜ୍ୟୋତି ୬

ଛୋଟା ଅନ୍ଧ ଦୁହେଁ ତୋର ଛଛନ୍ଦ୍ରେ ରୂପକୁ ଧ୍ୟାୟୀ ସତ୍ଵର ...ହେ ତ୍ରୟନାଥ ଛଡାଇଲେ କଷ୍ଟ ଘୋର ୭

ଜୟ ବ୍ରହ୍ମା, ବିଷ୍ଣୁ ଶିବ ଜଗତେ ମହିମା ତୁମ ଦୁର୍ଲ୍ଲଭ ...ହେ ତ୍ରୟନାଥ ଜ୍ୟୋତିରୂପେ ଆବିର୍ଭାବ ୮

ଝିନ ପଟ୍ଟବସ୍ତ୍ର ଅଙ୍ଗେ ଝଟ ଝଟ ଦିଶୁଥାଇ କି ରଙ୍ଗେ ...ହେ ତ୍ରୟନାଥ ଝଳିତ ରୂପ ଅଭଙ୍ଗେ ୯

ନିୟମେ ତୋ ମେଳା କରି ନିତି ଭଜୁଥିଲେ ନାମ ତୋହରି ...ହେ ତ୍ରୟନାଥ ନିଶ୍ଚେ ହେବ କଷ୍ଟୁ ପାରି ୧୦

ଟାହି ଟାପରା ଯେ କରେ ଟାଣ ପଣ ତାର ଭାଙ୍ଗୁ ସତ୍ତ୍ଵରେ ...ହେ ତ୍ରୟନାଥ ଟିକକରେ ଗଞ୍ଜୁ ତାରେ ୧୧

ଠଣା ତୋ ନିତ୍ୟ ମନ୍ଦିର ଠୁଳ ଶୁନ୍ୟ ଜ୍ୟୋତି ବ୍ରହ୍ମ ଗୋଚର ...ହେ ତ୍ରୟନାଥ ଠାକୁର ନାମ ତୋହର ୧୨

ଡାକିଲେ ତୋତେ ଆରତେ ଡାକଶୁଣି ରକ୍ଷା କରୁ ନିରତେ ...ହେ ତ୍ରୟନାଥ ଡାକଶୁଣ ଭକ୍ତ ହିତେ ୧୩

ଢମପଣେ ସୌଦାଗର ଢାଳେ ହେଁ ମହିମା ନ ବୁଝି ତୋର ...ହେ ତ୍ରୟନାଥ ଡୁବାଇଲା ଭେଳା ତାର ୧୪


ଅଣ ଆୟତ୍ତ ବେଳକୁ ଅନେକ ସ୍ତୁତି କରନ୍ତେ ତୁମ୍ଭକୁ ...ହେ ତ୍ରୟନାଥ ଅନୁକମ୍ପା କଲ ତାକୁ ୧୫


ତହୁଁ ମାନି ପାଞ୍ଚ ମେଳା ତତ୍କାଳେ ଧନିକ ପାଇଲା ଭେଳା ...ହେ ତ୍ରୟନାଥ ତରୀମାନ ବାହିନେଲା ୧୬


ଥବିର ସମୟ ମୋର ଥୟ ହୋଇ ରହୁ ନାହିଁ ଶରୀର ...ହେ ତ୍ରୟନାଥ ଥରି ଯାଉଛି ପୟର ୧୭

ଦେଇ ତୋର ନାମ ଭାବ ଦୟାକରି ଦିଅ ଚରଣେ ଠାବ ...ହେ ତ୍ରୟନାଥ ଦୟିନୀ ମୋର ଘେନିବ ୧୮

ଧର୍ମେ ତିନିରୂପ ବହି ଧର୍ମ-ରୂପ ବଟବୃକ୍ଷରେ ରହି ...ହେ ତ୍ରୟନାଥ ଧର୍ମେ ପାଳୁଅଛ ମହୀ ୧୯


ନମୋ ଜଗତ ଠାକୁର ନାମ ଧ୍ୟାନେ ହୁଏ କଳୁଷ ଦୂର ...ହେ ତ୍ରୟନାଥ ନାହିଁ ଅନ୍ୟେ ଆଶ୍ରା ମୋର ୨୦

ପରମ ଦିବ୍ୟ ବିଭୂତି ପରଂବ୍ରହ୍ମ ବିଷ୍ଣୁ ଶିବ ମୂରତି ...ହେ ତ୍ରୟନାଥ ପ୍ରତ୍ୟକ୍ଷେ ବ୍ରହ୍ମ ଉତ୍ପତ୍ତି ୨୧

ଫଳ ବାଞ୍ଛା ଅର୍ଥେ ତବ ପୂଜା କଲେ ସିଦ୍ଧି ହୁଅଇ ଧ୍ରୁବ ...ହେ ତ୍ରୟନାଥ ଫନ୍ଦାମନ ଏକା ଥିବ ୨୨

ବରଦାନେ ସବୁଙ୍କରି ବଡହୋଇ ତୁମ୍ଭ ତହୁଁ କେ ସରି ...ହେ ତ୍ରୟନାଥ ବିଶ୍ଵେ ତୋ ମହିମା ପୂରି ୨୩

ଭାରତେ ତୁମ୍ଭ ମହିମା ଭକତ ଜନଙ୍କ ଅଟେ ଗାରିମା ...ହେ ତ୍ରୟନାଥ ଭାବେ ଭାବଗ୍ରାହୀ ସିନା ୨୪

ମଧୁସୂଦନ ବ୍ରାହ୍ମଣ ମେଳାକରି ତୁମ୍ଭ ତୋଷିଲା ମନ ...ହେ ତ୍ରୟନାଥ ମହିମା କଲା ବଖାଣ ୨୫

ଜାଣନ୍ତେ ଜନ ପରଜା ଯହିଁ ତହିଁ ତୁମ୍ଭ ହୋଇଲା ପୂଜା ...ହେ ତ୍ରୟନାଥ ଜାଣିଲେ ସେ ମହାରାଜା ୨୬

ରାଜା ଗରବ କରନ୍ତେ ରାଜସ ଗୁଣ ଭାଙ୍ଗିଲ ତ୍ଵରିତେ ...ହେ ତ୍ରୟନାଥ ରହିଛି କୀର୍ତ୍ତି ଜଗତେ ୨୭

ଲୟ କରି ତୋତେ ନିତି ଲଭନ୍ତି ଜନେ ସୁପୁତ୍ର ସମ୍ପତ୍ତି ...ହେ ତ୍ରୟନାଥ ଲୟ ରହୁ ମୋର ମତି ୨୮

ବିଜୟ ବଟ ପୁରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ନାମରେ ...ହେ ତ୍ରୟନାଥ ବନ୍ଦୁଥାନ୍ତି ତିନିପୁରେ ୨୯

ଶରଣ ତବ ପୟର ସାହା ହୋଇଥିବ ପରମେଶ୍ଵଋ ...ହେ ତ୍ରୟନାଥ ସାହା କେ ନାହିଁ ମୋହର ୩୦

ସର୍ବ ରକ୍ଷଣ କରତା ସ୍ମରଣେ ତୋନାମ ନ ରହେ ଚିନ୍ତା ...ହେ ତ୍ରୟନାଥ ସକଳ ଲୋକର ପିତା ୩୧

ସତତ ତୁମ୍ଭ ଚରଣେ ସେବା କରୁଥିବି ମୁଁ ଏକଧ୍ୟାନେ ...ହେ ତ୍ରୟନାଥ ସ୍ମରାଇବୁ ମୋର ମନେ ୩୨

ହରିହର ବ୍ରହ୍ମ ରୂପ ହୃଦେଧ୍ୟାନ କଲେ ନ ରହେ ପାପ ...ହେ ତ୍ରୟନାଥ ହତ ହୁଏ ଭବ ତାପ ୩୩

କ୍ଷମେ ଚିନ୍ତି ତୋ ଚରଣ କ୍ଷୁଦ୍ରମତି ମୀନା କରେ ଜଣାଣ ...ହେ ତ୍ରୟନାଥ କ୍ଷୟ କର ମୋ କଷଣ ୩୪

-୦-








............................................................ ଶ୍ରୀ ନାରାୟଣ ଚଉତିଶା

କୃପାସାଗର ଶ୍ରୀହରି କିପାଁ ନ ଶୁଣୁଛ ମୋର ଗୁହାରି ...ହେ ନାରାୟଣ କଷ୍ଟ ତ ହୋଇଲା ଭାରି ...୧

ଖଟରୁ ନ ପାରେ ଉଠି ଖୋଲ୍ଲ ପଡିଗଲା ମୋ ଅଣ୍ଟା ପିଠି ...ହେ ନାରାୟଣ ଖାଲି କଥା କହେ ପାଟି ...୨

ଗତି ମୋର ତୁହି ଏକା ଗଲାବେଳେ ପ୍ରାଣ ତୋ ନାମ୍ ସଖା ...ହେ ନାରାୟଣ ଗୋବର୍ଦ୍ଧନ ଗିରି ଟେକା ...୩

ଘୋର ଜଞ୍ଜାଳେ ପଡିଣ ଘୋଷୁଛି ତୋ ନାମ ମୁଁ ଅନୁକ୍ଷଣ ...ହେ ନାରାୟଣ ଘେନ ବାରେ ମୋ ଜଣାଣ ...୪

ଓଁକାର ବ୍ରହ୍ମ ସ୍ଵରୂପ ଓମିତି ଅକ୍ଷରେ ହରୈ ପାପ ...ହେ ନାରାୟଣ ଅନନ୍ତ ମହିମା ଯୂପ ...୫

ଚଞ୍ଚଳ ଚିତ୍ତ ମୋହର ଚଇତନ୍ୟ ଭାବ ନୁହେଁ ସଞ୍ଚାର ...ହେ ନାରାୟଣ ଚେତାଅ ହୃଦ ଗହ୍ଵର ...୬

ଛାଡିଲି ସକଳ ଆଶ ଛନ୍ଦା ଚରଣରେ କରାଅ ଦାସ ...ହେ ନାରାୟଣ ଛାଇ ପ୍ରାୟେ ଥିବେ ପାଶ ...୭

ଜନମ ମରଣ ପଥେ ଯାତ୍ରା କରୁଥିବି ତୋ ନାମ ରଥେ ...ହେ ନାରାୟଣ ଜାତିସ୍ମର କତ ମୋତେ ...୮

ଝାସିବି ତୋ ପ୍ରେମେ ମନ ଝଟତି ମୋଠାରେ ହୁଅ ପ୍ରସନ୍ନ ...ହେ ନାରାୟଣ ଝୁରୁଅଛି ପ୍ରତିଦିନ ...୯

ନିଅ ତୋ ସେବକ କରି ନିତି ଚାହୁଁଥିବେ ରୂପ ମାଧୁରୀ ...ହେ ନାରାୟଣ ନିନ୍ଦା ମୋ ନ ହେଉ ହରି ...୧୦

ଟାଣ ବଡିମା ମୋ ଦେହେ ଟିକିଏ ଅବା ନ ରହୁ କେବେହେଁ ...ହେ ନାରାୟଣ ଟାଣ କଥା କେ ନ ସହେ ...୧୧

ଠାକୁର ଜଣେ ତୋ ପରି ଠୁଳ ବ୍ରହ୍ମାଣ୍ଡେ କେ ନାହିଁ ହେ ହରି ...ହେ ନାରାୟଣ ଟାଣ ଭାଙ୍ଗୁ ତୁ ସବୁରି ...୧୨

ଡାକୁଥିବି ତୋର ନାମ ଡାକୁଥିଲେ ସିନା ରହିବ ମନ ...ହେ ନାରାୟଣ ଡରେ ପଳାଇବ ଯମ ...୧୩

ଢଳ ଢଳ ଚକା ଡୋଳା ଢଳି ଢଳି ନାଚ ଭକତ ମେଳା ...ହେ ନାରାୟଣ ଢାଳେ ମନ ହୁଏ ଭୋଳା ...୧୪

ଅଣ ଅକ୍ଷର ଅମୂର୍ତ୍ତି ନାରାୟଣ ନାମେ ହୃଦୟେ ସ୍ଥିତି ...ହେ ନାରାୟଣ ଅନାହତ ପୁର ଜ୍ୟୋତି ...୧୫

ତାରକ ବ୍ରହ୍ମ ତୋ ନାମ ତାରିବାକୁ କେହି ନାହିଁ ତୋ ସମ ...ହେ ନାରାୟଣ ତୋ ମହିମା ଅନୁପମ ...୧୬

ଥୟ ନୁହଁଇ ମୋ ପାଟି ଥରକୁ ଥର ତୋ ନାମକୁ ରଟି ...ହେ ନାରାୟଣ ଥିର କରାଅ ମନଟି ...୧୭

ଦଦରା ନାବ ଏ ମୋର ଦୟାକରି ଦିଅ ଭରସା ତୋର ...ହେ ନାରାୟଣ ଦରିୟା ହୋଇବି ପାର ...୧୮

ଧାରଣା ତୋ ପାଦତଳେ ଧ୍ୟାନକଲା ମାତ୍ରେ ମରଣ କାଳେ ...ହେ ନାରାୟଣ ଉଦ୍ଧରି ରଖିବୁ ବେଳେ ...୧୯

ନାରାୟଣ ନାରାୟଣ ନାରାୟଣ ନାମ ନରକ ସ୍ତ୍ରାଣ ...ହେ ନାରାୟଣ ନମୋ ଲକ୍ଷ୍ମୀ ନାରାୟଣ ...୨୦

ପୁରୁଷୋତ୍ତମ ମୁରାରୀ ପରମାନନ୍ଦ ଗୋବିନ୍ଦ ଶ୍ରୀହରି ...ହେ ନାରାୟଣ ପତିତ ଉଦ୍ଧାରକାରୀ ...୨୧

ଫନ୍ଦା କଲି ତୋ ପୟର ଫେଡ ଏ କଷଣୁ ମୋତେ ସତ୍ଵର ...ହେ ନାରାୟଣ ଫଟା କରମ ମୋହର ...୨୨

ବ୍ରଜ ସୁନ୍ଦର ମୋହନ ବଂଶୀଶ୍ଵନ ଶୁଣି ପାପ ଦହନ ...ହେ ନାରାୟଣ ବ୍ରଜ ବନ୍ଧୁ ପ୍ରେମ ଧନ ...୨୩

ଭଗବାନ ଭାବଗ୍ରାହୀ ଭବାବ୍ଧିରୁ ମୋତେ କରିବ ତ୍ରାହି ...ହେ ନାରାୟଣ ଭରସା ମୋର କେ ନାହିଁ ... ୨୪

ମୁଖେ ତୋର ନାମ ଧରି ମୃତ୍ୟୁମୁଖୁ ପାପୀ ଗଲେଣି ତରି ...ହେ ନାରାୟଣ ମୁକୁନ୍ଦ ମାଧବ ହରି ...୨୫

ଯଦୁପତି ଭକ୍ତ ବନ୍ଧୁ ଯଶୋଦା ନନ୍ଦନ କରୁଣା ସିନ୍ଧୁ ...ହେ ନାରାୟଣ ଯୋଗୀ ହୃଦ ଜ୍ଞାନ ଇନ୍ଦୁ ...୨୬

ରମାପତି ରାଧାଧବ ଋକ୍ମିଣୀ ରମଣ କୃଷ୍ଣ କେଶବ ...ହେ ନାରାୟଣ ରଘୁନନ୍ଦନ ରାଘବ ...୨୭

ଲୟ କରି ତୋର ନାମ ଲଭନ୍ତି ଯୋଗୀଏ ପରମ ଧାମ ...ହେ ନାରାୟଣ ଲୟ ରହୁ ହୃଦେ ମମ ...୨୮

ବାରେ କୃପା କର ମୋତେ ବାରବର୍ଷକାଳ ଭଜୁଛି ଚିତ୍ତେ ...ହେ ନାରାୟଣ କି ବର ମାଗିବି ତୋତେ ...୨୯

ଶରଣ ରକ୍ଷଣ ବାନା ସମ୍ଭାଳିଣ ମୋତେ ରଖ ତୁ କିନା ...ହେ ନାରାୟଣ ସାହାହେବୁ ଏବେ ସିନା ...୩୦

ସକଳ କାମନା ମୋର ସତତ ତୋ ନାମ ଚିନ୍ତେ ହୃଦର ...ହେ ନାରାୟଣ ସତ୍ୟ ଏ ନାମ ତୋହର ...୩୧

ସ୍ଵୟଂ ସତ୍ୟ ବିଷ୍ଣୁ ହରି ଷୋଳାକ୍ଷରେ ତୋର ଭଜନ କରି ...ହେ ନାରାୟଣ ସଂସାରୁ ଯିବି ମୁଁ ତରି ...୩୨

ହରେ କୃଷ୍ଣ ନାମ ନିତି ହଂସ ରୂପେ ଜୀବ ଭଜଇ ଚେତି ...ହେ ନାରାୟଣ ହେଜୁଥିବି ଦିବାରାତି ...୩୩

କ୍ଷୀରାବ୍ଧି ତନୟା ପତି ମୀନକେତନକୁ ଦିଅ ସୁଗତି ...ହେ ନାରାୟଣ ସତ୍ୟପଥେ ରହୁ ମତି ...୩୪


-୦- ....................................

ଶ୍ରୀ ଜଗନ୍ନାଥ ଚଉତିଶା

କରଯୋଡି ବିନୟରେ କରୁଛି ଜଣାଣ ତୁମ ପୟରେ ହେ ଜଗନ୍ନାଥ କର ସୁଦୟା ମୋ ପରେ ୧

ଖଗରାଜନ ଆସନ ଖରେ କର ମୋର ଦୁଃଖ ନାଶନ ହେ ଜଗନ୍ନାଥ ଖିତିଭାରା ବିନାଶନ ୨

ଗଜ ଉଦ୍ଧାରଣ କାରୀ ଗରବ ଗଞ୍ଜନ ବାନା ତୋହରି ହେ ଜଗନ୍ନାଥ ଗତି ମୁକ୍ତି ଦାତା ହରି ୩

ଘୋର ଅଘ ବିନାଶନ ଘନଶ୍ୟାମରୂପ କି ଶୋଭାବନ ହେ ଜଗନ୍ନାଥ ଘେନିବ ମୋ ନିବେଦନ ୪

ଓଁକାର ବ୍ରହ୍ମ ତୋ ତନୁ ଅନ୍ତର୍ଯ୍ୟାମୀ ସର୍ବ ହୃଦୟ ଜାଣୁ ହେ ଜଗନ୍ନାଥ ଅନ୍ତର ଭାବ ତୁ ଘେନୁ ୫

ଚକାଆଖି ତୋର ଦେଖି ଚେତା ଆସି ହୃଦେ ରହିଲା ଲାଖି ହେ ଜଗନ୍ନାଥ ଚେତାଉଛୁ ହୋଇ ସାକ୍ଷୀ ୬

ଛନ୍ଦ କଥା ମାନ ଯେତେ ଛଡାଅ ନିରେଖି ତୋ କୃପା ନେତ୍ରେ ହେ ଜଗନ୍ନାଥ ଛାଡିଯିବୁ ନାହିଁ ମୋତେ ୭

ଜପ ତପ ଯୋଗ ଧ୍ୟାନ ଜାଣେ ନାହିଁ ତୋର ପୂଜା ବିଧାନ ହେ ଜଗନ୍ନାଥ ଜାଣେ ଏକା ତୋର ନାମ ୮

ଝରଇ ଚରଣାମୃତ ଜପଟି ପିଇ ମୁଁ ହେବି ତୃପତ ହେ ଜଗନ୍ନାଥ ଝଗଡା କରେ ଏଣୁ ତ ୯

ନିୟମ କରିଛ ପରା ନିତି ହେଉଥାଏ ତୁମ ଯାତରା ହେ ଜଗନ୍ନାଥ ନିତ୍ୟ ଆନନ୍ଦ ପସରା ୧୦

ଟେକ ରହିଛି ଜଗତେ ଟେକପଣ ତୋର ଭକ୍ତଙ୍କ ହିତେ ହେ ଜଗନ୍ନାଥ ଟିକେ ଚାହଁଅ କିନା ମୋତେ ୧୧

ଠାକୁର ବଡ ଦେଉଳେ ଠଣା ବାନ୍ଧିଅଛ ସମୁଦ୍ରକୂଳେ ହେ ଜଗନ୍ନାଥ ଠାବ ଦିଅ ପାଦ ତଳେ ୧୨

ଡର ଲାଗୁନାହିଁ ମୋତେ ଡରିବି କିଆଁ ତୋ ପାଖେ ଥାଅନ୍ତେ ହେ ଜଗନ୍ନାଥ ଡାକୁଥିବେ ନାମ ନିତ୍ୟେ ୧୩

ଢାଳିବି ତୋ ପ୍ରେମେ ପ୍ରାଣ ଢମାଳି ତୋହର ଶୁଣିବ କାନ ହେ ଜଗନ୍ନାଥ ନ ରହିବ ଢମପଣ ୧୪

ଅଣାକାର ବିଷ୍ଣୁ ହରି ଅନନ୍ତ ବିଶ୍ଵର ତୁ ଅଧିକାରୀ ହେ ଜଗନ୍ନାଥ ଅନୁଗ୍ରହ ଥିବୁ କରି ୧୫

ତାରକ ଅମୃତ ଭାବ ତବପଦ ଧ୍ୟାନ ମହା ବିଭବ ହେ ଜଗନ୍ନାଥ ତ୍ରାଣକର୍ତ୍ତା ଆଦିଦେବ ୧୬

ସ୍ଥାଣୁରୂପେ ଆବିର୍ଭାବ ସ୍ଥାବରାଦି ଯେତେ ଜୀବ ଅଜୀବ ହେ ଜଗନ୍ନାଥ ସ୍ଥାପି ରଖିଅଛୁ ସର୍ବ ୧୭

ଦଶ ଅବତାର ମାନ ଦେହରୁ ତୋହର ହୋଇ ଜନମ ହେ ଜଗନ୍ନାଥ ଦେହେ ହେଉଥାନ୍ତି ଲୀନ ୧୮

ଧନ ମାଗୁନାହିଁ ତୋତେ ଧନ ମୋର ତୁମ ନାମ ଯୁକତେ ହେ ଜଗନ୍ନାଥ ଧ୍ୟାଉଥିବି ହୃଦଗତେ ୧୯

ନୃସିଂହ ଶ୍ରୀ ନାରାୟଣ ନବ କଳେବର କି ମନୋରମ ହେ ଜଗନ୍ନାଥ ନାହିଁ ତିନିପୁରେ ସମ ୨୦

ପ୍ରସିଦ୍ଧ ଏ କୋରାପୁଟେ ପ୍ରତ୍ୟକ୍ଷେ ତୋ ଅଂଶ କଳା ପ୍ରକଟେ ହେ ଜଗନ୍ନାଥ ପବିତ୍ର ପର୍ବତ ପୀଠେ ୨୧

ପ୍ରଫୁଲ୍ଲ ଶ୍ରୀମୁଖ ଗୋଟି ଫୁଲମାଳେ ଅଙ୍ଗ ଦିଶେ ଚହଟି ହେ ଜଗନ୍ନାଥ ଫରମାସ ତୋର ଏଟି ୨୨

ବରଷକେ ଥରେ ତହିଁ ବହୁ ସମାରୋହ ଯାତ୍ରା ହୁଅଇ ହେ ଜଗନ୍ନାଥ ବସିଥାଉ ରଥେ ତୁହି ୨୩

ଭାଇ ଭଉଣି ସଂଗରେ ଭଲା ଯାତ୍ରା ଭିଆଇଛ ଏଠାରେ ହେ ଜଗନ୍ନାଥ ଭୋଳା ହ୍ଵନ୍ତି ଦେଖି ନରେ ୨୪

ମହରାଜା ରାଜେଶ୍ଵର ମଣିମା ଡାକ ଦିଅନ୍ତି ଛାମୁର ହେ ଜଗନ୍ନାଥ ମହିମା ପୁରୀ ମନ୍ଦିର ୨୫

ଯଶ ରହିଲା ଜିଲ୍ଲାରେ କୋରାପୁଟ ରଥଯାତ୍ରା ନାମରେ ହେ ଜଗନ୍ନାଥ ଜାଣିଲେ ସକଳ ନରେ ୨୬

ରହି ନୀଳ ପରବତେ ରଙ୍ଗେ ଲୀଳା କର ଭକ୍ତଙ୍କ ହିତେ ହେ ଜଗନ୍ନାଥ ରାକ୍ଷସ ବଦ୍ଧ ନିମିତ୍ତେ ୨୭

ଲୟ କଲେ ତୋର ନାମ ଲବେ ନ ଘୋଟିବ ହୃଦୟେ ତମ ହେ ଜଗନ୍ନାଥ ନାଶଯାଏ ମାୟା ଭ୍ରମ ୨୮

ବଡ ଠାକୁର ନାମରେ ବିଜେ କରିଅଛ ପୁରୀ ଧାମରେ ହେ ଜଗନ୍ନାଥ ବାରେ କୃପା କର ମୋରେ ୨୯

ଶୁକ୍ଳ କୃଷ୍ଣ ଜ୍ୟୋତି ଦେହ ସ୍ନେହମୟୀ ଭଦ୍ରା ମଧ୍ୟେ ବିଜୟ ହେ ଜଗନ୍ନାଥ ଶୋଭିତ ନୀଳ ନିଳୟ ୩୦

ସତ୍ୟ ତ୍ରେତୟା ଦ୍ଵାପରେ ଶ୍ଵେତ, ପୀତ, କୃଷ୍ଣ ଜ୍ୟୋତି ରୂପରେ ହେ ଜଗନ୍ନାଥ ଶୋଭାପାଅ ଶ୍ରୀ ମନ୍ଦିରେ ୩୧

ଷାଠିଏ ପଉଟି ଅନ୍ନ ଷଡରସେ ସିଦ୍ଧ ହୁଏ ବ୍ୟଞ୍ଜନ ହେ ଜଗନ୍ନାଥ ମହାପ୍ରସାଦ ସେ ଜାଣ ୩୨

ହରିନାମ ମହାମନ୍ତ୍ରେ ହବିଷ୍ୟାନ୍ନ ଭୋଗ ହୁଅଇ ନିତ୍ୟେ ହେ ଜଗନ୍ନାଥ ଧ୍ଵନି ଶୁଭେ ଅହୋରାତ୍ରେ ୩୩

କ୍ଷୀରସିନ୍ଧୁ ପୁର ବାସୀ ମୀନକେତନର ହୃଦେ ପ୍ରକାଶି ହେ ଜଗନ୍ନାଥ ଖଣ୍ଡ ମୋ ଦୁରିତ ରାଶି ୩୪



..................................... ଜୟଗୀତି

ଜୟ ଜୟ ଜଗତ ଜୀବନ ହରି ଯଶ ରଖିଛ ଦେଇ କରୁଣା ତରି ଭବ-ମୋହ ଜଳରୁ ତରିବା ପାଇଁ ଭକତ ଜନେ ନିତି ତୋ ରୂପ ଧ୍ୟାୟୀ ୧

ଭକତି ହୃଦେ ପୂଜି ତବ ଶ୍ରୀପଦ ଅଚିରେ ଖଣ୍ଡିଛନ୍ତି ଭବ ବିଷାଦ ବିଷମ ଏହି ମାୟା ମୋହ ବନ୍ଧନ ତୁଟଇ କରି ମୁଖେ ତୋ ନାମ ଗାନ ୨

ଜୟହେ ନୀଳାଚଳ କ୍ଷେତ୍ରମୋହନ ପାପୀଙ୍କୁ ତାରୁଅଛ ଦେଇ ଦର୍ଶନ କଳା ଶ୍ରୀମୁଖେ ନେତ୍ର ବେନି ସୁନ୍ଦର ପବିତ୍ର ଭାବ ହୃଦେ ହୁଏ ସଂଚାର ୩

ଅନନ୍ତ ମହିମାକୁ ଅଛ ପ୍ରକାଶି ସତତ ପଦ୍ମମୁଖୁ ସୁଧା ବରଷି ସନକ ଶୁକ ଆଦି ଋଷି ସକଳ ତୋ ନାମାମୃତ ପାଇ ଆନନ୍ଦେ ଭୋଳ ୪

ତ୍ରିଦଶଗଣ ସହ ନିତି ମଘବା ଧାତା ଗୋଚରେ କରେ ତୋ ପଦସେବା ଶିବମୁଖେ ତୋ ନାମ ବ୍ରହ୍ମ ପ୍ରକାଶେ ତେଣୁଟି ବ୍ରହ୍ମଜ୍ୟୋତି ପୂରିତ ବିଶ୍ଵେ ୫

ଶିବରାମ ସ୍ଵରୂପ ଜଗତେ ଶ୍ରେଷ୍ଠ ରାମ ହିଁ କୃଷ୍ଣ-ରୂପ କଳିରେ ଶ୍ରେଷ୍ଠ କଳିତ ନୁହେଁ ତବ ମହିମା ରାଶି ଜଗନ୍ନାଥ ସ୍ଵରୂପେ ବିଶ୍ୱେ ପ୍ରକାଶି ୬

ଆଦ୍ୟ ସତ୍ୟଯୁଗେ ତୋ ନୃସିଂହ ରୂପ ଦ୍ଵାପରେ ଚକ୍ର ଘେନି ନାଶିଛ ପାପ ତାରକ ବ୍ରହ୍ମ ରୂପ ତ୍ରେତୟା ଯୁଗେ ତାରଣ କର୍ତ୍ତା ତୁହି ଏ ମହି ଭାଗେ ୭

ଜଗତ ଲୀଳା ତୋର ଇଛାଏ ହୋଇ ଜନମ ଲଭି ଫଳ ଭୋଗଇ ଦେହୀ ଜଗତ ସାକ୍ଷୀରୂପେ କରୁ ବିହାର ଯେସନେ ବିଶ୍ଵେ ଭାନୁ ବିତରେ କର ୮

ଜଡ଼ିତ ହେଉ ମନ ତୋ ପ୍ରେମ ରସେ ପଡି ନ ଯାଉ ଝୁଣ୍ଟି ଭବ-ଲାଳସେ କଣ୍ଟକ ଖୁଣ୍ଟ ଭରା ବିଷମ ପଥେ ତୋ ନାମ ଆଶ୍ରେ ଆଣ୍ଟେ ଚଳା ସୁପଥେ ୯

ଏମନ୍ତ ଭାବ ହୃଦେ ରହୁ ସତତ ହେ ଅନ୍ତର୍ଯ୍ୟାମୀ ନ ଜାଣ କି ମୋ ଚିତ ପୂରି ରହିଛ ନାଥ ସକଳ ଘଟେ ତେଣୁଟି ଜଗନ୍ନାଥ ନାମ ପ୍ରକଟେ ୧୦

ଜୟ ହେ ବିଭୁ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ତୋନାମ ଧ୍ୟାନେ ଦେହେ ନରହେ ପାପ ପୁରୁଷୋତ୍ତମ ତବ କ୍ଷେତ୍ର ମହିମା କୋଟି ମୁଖେ ବର୍ଣ୍ଣି ନ ପାରଇ ବ୍ରହ୍ମା ୧୧

ଅନନ୍ତ କୋଟି ପୃଥ୍ଵୀ ଧାରଣେ ସେତୁ ଅନନ୍ତ ବ୍ରହ୍ମ ଜ୍ଞାନ ଚେତନେ ହେତୁ ଅମୃତ ପୟୋନିଧି କାରୁଣ୍ୟ ଜଳ ତୋ ପଦ ଧ୍ୟାନ ଏକା ଅଟଇ ମୂଳ ୧୨


ସାକ୍ଷାତେ ଅଟୁ ତୁହି ଧରମ ଦେବ ସତ୍ୟ ସ୍ଵରୂପେ ବିଶ୍ୱେ ଦେଉ ସୁଭାବ ଜ୍ଞାନ ସ୍ଵରୂପେ ଜ୍ୟୋତି ମଣ୍ଡଳୁ କ୍ଷରି ଦୟାନିଧି ସ୍ଵରୂପେ ନାମ ବିତରି ୧୩

ଜଗତନାଥ ରୂପ ଜଗତଗୁରୁ ନିଗମ ଭାବ ଯୋଗ କଳପତରୁ ପୂରୁବ ସ୍ମୃତିଯୋଗ-ଗୋଚରେ ସିଦ୍ଧ ଜୀବର ମୋକ୍ଷଦାତା ପରମାରାଧ୍ୟ ୧୪

ମୁନିଜନ ମାନସ ପରମ ହଂସ ହୃଦୟାନନ୍ଦ ଭାବ ରୂପ ପ୍ରକାଶ ଅରୂପାନନ୍ଦ ଦେହୀ ତୁ ଯୋଗେଶ୍ୱର ସକଳ ଜୀବ ହୃଦେ ଜ୍ଞାନ ସଂଚର ୧୫

ହେ ଦୀନନାଥ ଦୀନ ବାନ୍ଧବ ହରି ଆରତ ଭଞ୍ଜନ ଶ୍ରୀ କୃଷ୍ଣ ମୂରାରୀ ଭାରତ ଯୁଦ୍ଧେ ପାର୍ଥେ ଦେଇ ସୁଜ୍ଞାନ ମହାମୋହ ବନ୍ଧନୁ କରିଛ ତ୍ରାଣ ୧୬

ମୁଁ ହୀନ ଶ୍ରୀ ଚରଣେ କରେ ମିନତି ଉଦ୍ଧରି ଧର ବାରେ କମଳାପତି ମୁକାର ଭାବ ମୋର ହୃଦରୁ ଛେଦ କହେ ମୀନକେତନ ରାସ-ବିନୋଦ ୧୭


-୦-

.....................................

ତ୍ରିନାଥ ଭଜନ

ଜୟ ତ୍ରିନାଥ ଠାକୁର ବ୍ରହ୍ମା ବିଷ୍ଣୁ ମହେଶ୍ଵର ଅଭୟ ବର ଦାୟକ ବିନତି ଘେନ ଆମ୍ଭର (୧) ଜୟ

କଳ୍ପବଟ ପରେ ବିଜେ କରିଛ ହେ ଦେବରାଜେ କଳି କଳୁଷ ନାଶନେ ଏହି ତୁମ୍ଭ ଅବତାର (୨) ଜୟ

ତୁମ୍ଭ ନାମ ହୃଦେ ସ୍ମରି ଅନ୍ଧ ଛୋଟା ଗଲେ ତରି ଅନାଦି ପୁରୁଷ ତୁମ୍ଭେ ତ୍ରୟମୂର୍ତ୍ତି ଏକେଶ୍ଵର (୩) ଜୟ

ଜୟ ତ୍ରିଭୁବନ ପତି ମହାବିଷ୍ଣୁ ବ୍ରହ୍ମ ଜ୍ୟୋତି ତ୍ରୟତାପ ହର ଶିବ ମହିମା ଭବେ ଗୋଚର (୪) ଜୟ

ଏହିତୁମ୍ଭ ଦିବ୍ୟ ମେଳା ଭବାବ୍ଧି ତାରଣେ ଭେଳା ଭାବେ ସୁପ୍ରସନ୍ନ ଦେବ ଭାବଗ୍ରାହୀ ଯୋଗେଶ୍ଵର (୫) ଜୟ

ଜୟଜୟ ନାରାୟଣ ଜୟ ବ୍ରହ୍ମ ସନାତନ ଜୟ ହେ କୈଳାସ ପତି ଅନନ୍ତ ଶକତିଧର (୬) ଜୟ

ତୁମରି ମହିମା ବଳେ ସୃଷ୍ଟି ସର୍ଜ୍ଜନାଦି ଚଳେ ଦ୍ଵିଜ ମୀନକେତନର ଲୟ ସଦା ଶ୍ରୀପୟର (୭) ଜୟ










................................... ଶ୍ରୀରାମ ହୃଦୟ ଚଉତିଶା

କମଳ ଲୋଚନ ହରି କୌଶଲ୍ୟା ନନ୍ଦନ କୋଦଣ୍ଡଧାରୀ ହେ ରାମଚନ୍ଦ୍ର କର ମୋତେ ଭବୁ ପାରି ହେ .......୧

ଖର ଦୂଷଣକୁ ମାରି ଖରାରି ନାମ ହୋଇଲା ତୁମରି ହେ ରାମଚନ୍ଦ୍ର ଖରେ ଶୁଣ ମୋ ଗୁହାରି ହେ....... ୨

ଗଲ ବିଶ୍ଵାମିତ୍ର ସଙ୍ଗେ ଗୌତମ ପତ୍ନୀକୁ ତାରିଲ ମାର୍ଗେ ହେ ରାମଚନ୍ଦ୍ର ଗତି ଲଭିଲା ସେ ବେଗେ ହେ...... ୩

ଘେନିଣ ଭାଇ ଭାରିଜା ଘୋର ବନେ ଗଲ ନ ହୋଇ ରାଜା ହେ ରାମଚନ୍ଦ୍ର ଘର ସୁଖ କଲ ତେଜ୍ୟା ହେ ..... ୪

ଉଦୟେ ଥରେ ତୋ ନାମ ଉଚ୍ଚାରନ୍ତେ କେଭେ ନ ଦଣ୍ଡେ ଯମ ହେ ରାମଚନ୍ଦ୍ର ଓଁକାର ଜ୍ୟୋତି ପରମ ହେ ...... ୫

ଚତୁର୍ଦ୍ଧା ମୂରତି ହୋଇ ଚକ୍ର ସୁଦର୍ଶନେ ଭୂବନ ମୋହି ହେ ରାମଚନ୍ଦ୍ର ଚାରି ଯୁଗେ ଅଛ ରହି ହେ ...... ୬

ଛଅଚାରି ମୁଖ ଦୈତ୍ୟ ଛେଦିଲ ତା ଶିର ପେଷିଣ ଅସ୍ତ୍ର ହେ ରାମଚନ୍ଦ୍ର ଛାୟାପତି ବଂଶେ ଖ୍ୟାତ ହେ .... ୭

ଜଗତ ଜୀବନ ହରି ଜ୍ୟୋତିରୂପେ ଥାଅ ସର୍ବତ୍ର ପୁରି ହେ ରାମଚନ୍ଦ୍ର ଜୀବ ଆତ୍ମା ନାମ ଧରି ହେ .... ୮

ଝଳିତ ସୁଦିବ୍ୟ ତନୁ ଝଳି ଦିଶେ ରୂପ କି ଶତଭାନୁ ହେ ରାମଚନ୍ଦ୍ର ଯୋଗୀଏ ଜାଣନ୍ତି ଧ୍ୟାନୁ ହେ .... ୯

ନିତି ତୋର ନାମ ମୁଖେ ନିମିଷେ ନ ଛାଡି ଭଜୁଛି ସୁଖେ ହେ ରାମଚନ୍ଦ୍ର ନେଇ ରଖ କିନା ପାଖେ ହେ ..... ୧୦

ଟାଣି କରେ ଧନୁର୍ବାଣ ଟାଣୁଆ ଦୈତ୍ୟଙ୍କ ଘେନିଲ ପ୍ରାଣ ହେ ରାମଚନ୍ଦ୍ର ଟେକ ପଣେ ଦ୍ଵିତୀଯମ ହେ ..... ୧୧

ଠୁଳ ଶୁନ୍ୟ ବ୍ରହ୍ମ ଜ୍ୟୋତି ଠୁଳ ଶୁନ୍ୟୁ ଜାତ ଦିବ୍ୟ ମୂରତି ହେ ରାମଚନ୍ଦ୍ର ଠାବ ବ୍ରହ୍ମାଏ ନ ପାନ୍ତି ହେ ..... ୧୨

ଡାକୁଥିଲେ ନାମ ଧରି ଡରି ପଳାଇବ କାମ ଅଇରି ହେ ରାମଚନ୍ଦ୍ର ଡାକୁଅଛି ହୃଦେ ସ୍ମରି ହେ ......୧୩

ଢମପଣେ ତୋତେ ମୁହିଁ ଡାଳେ ପାଶୋରିଲି ଦେବୁ ଚେତାଇ ହେ ରାମଚନ୍ଦ୍ର ଢମ ମୋର ହୃଦେ ନାହିଁ ହେ .... ୧୪

ଅନନ୍ତକୋଟି ବିକ୍ରମ ଅନନ୍ତ ବିଷ୍ଣୁଙ୍କ ରୂପ ପ୍ରତିମ ହେ ରାମଚନ୍ଦ୍ର ଅଣାକାର ସତ୍ୟବ୍ରହ୍ମ ହେ .......୧୫


ତାରକ ସତ୍ୟସ୍ଵରୂପ ତାରଣ କରତା ଶ୍ରୀଗୁରୁ ରୂପ ହେ ରାମଚନ୍ଦ୍ର ତ୍ରୀଗୁଣ ଅତୀତ କଳ୍ପ ହେ .... ୧୬

ଥୟ କରି ରୂପ ତୋର ଥରେ ଦେଖିଥିଲେ ଏ ନୟନର ହେ ରାମଚନ୍ଦ୍ର ସ୍ଥିର ହୋନ୍ତା ଚିତ୍ତ ମୋର ହେ .... ୧୭

ଦୟାବହି ମୋ ଉପରେ ଦରଶନ ଦିଅ ଦାସକୁ ଥରେ ହେ ରାମଚନ୍ଦ୍ର ଦୟା ହେଉ କିଞ୍ଚିତରେ ହେ .....୧୮


ଧ୍ୟାନଜ୍ଞାନ ମୋର ନାହିଁ ଧ୍ୟାଉଛି କେବଳ ନିଷ୍କାମେ ମୁହିଁ ହେ ରାମଚନ୍ଦ୍ର ଧୀରସ୍ଥିର ମନ ନେଇ ହେ ..... ୧୯

ନ କରିବ ୟେବେ ଦୟା ନାହିଁ କେ ମୋ ସହା ଚତୁରବାହା ହେ ରାମଚନ୍ଦ୍ର ନ ହୁଅ ଦାସେ ନିର୍ଦ୍ଦୟା ..... ୨୦

ପରମ ମଙ୍ଗଳ ନାମ ପତିତତାରଣ ପୁରୁଷୋତ୍ତମ ହେ ରାମଚନ୍ଦ୍ର ପାପ ତାପ ବିମୋଚନ ହେ ..... ୨୧

ଫୋଟ ଦେଖିଣ ତୋହର ଫନ୍ଦା କରିଅଛି ପଦ୍ମ ପୟର ହେ ରାମଚନ୍ଦ୍ର ଫେଡିବ କଷ୍ତ ମୋହର ହେ .....୨୨

ବାୟୁସୁତ ହନୁ ବୀର ବର ଦେଇ ତାକୁ କଲ ଅମର ହେ ରାମଚନ୍ଦ୍ର ବନ୍ଦିଲା ତୁମ୍ଭ ପୟର ହେ ..... ୨୩

ଭକ୍ତ ଭାବେ ସଦା ଭୋଳା ଭକତ ତାରଣେ ତୁମ୍ଭର ଳୀଳା ହେ ରାମଚନ୍ଦ୍ର ଭବ ଜଳେ ନାମ ଭେଳା ହେ .....୨୪

ମାରିଣ ରାକ୍ଷସ ବଂଶ ମହିଭାରାକୁ କରିଛ ଉଶ୍ଵାସ ହେ ରାମଚନ୍ଦ୍ର ମହିମା ତୁମ୍ଭ ଅଶେଷ ହେ ..... ୨୫

ଯୋଗୀ ଜନେ ତୁମ୍ଭ ନାମ ଯୋଗାସନେ ବସି କରନ୍ତି ଧ୍ୟାନ ହେ ରାମଚନ୍ଦ୍ର ଜ୍ୟୋତିରୂପ ଭଗବାନ ହେ ..... ୨୬

ରାମନାମ ବ୍ରହ୍ମ ସୂତ୍ରେ ରମଣ କରନ୍ତେ ପରମ ଗାତ୍ରେ ହେ ରାମଚନ୍ଦ୍ର ରଟୁଠାଇ ଅହୋରାତ୍ରେ ହେ ..... ୨୭

ଲୟ କରି ଭକ୍ତେ ନିତି ଲଭିଛନ୍ତି ତବ ଦିବ୍ୟ ବିଭୂତି ହେ ରାମଚନ୍ଦ୍ର ଲୟ ରହୁ ମୋର ମତି ହେ .....୨୮

ବଶିଷ୍ଠ ଭୂଷଣ୍ଢ କାକ ବସି କଳ୍ପ ବୃକ୍ଷେ ପଢନ୍ତି ଶ୍ଳୋକ ହେ ରାମଚନ୍ଦ୍ର ରାମନାମ ପୂଣ୍ୟଶ୍ଳୋକ ହେ ..... ୨୯

ଶତଲକ୍ଷ ଯୁଗଯାଏଁ ଶେଷ ନୁହେଁ ରାମନାମ ଏ ଦେହେ ହେ ରାମଚନ୍ଦ୍ର ଶୁଣନ୍ତି ପରୀକ୍ଷ ରାୟେ ହେ .... ୩୦

ଶୁକ- ପରୀକ୍ଷ ସମ୍ବାଦ ଶ୍ରଦ୍ଧାଭାବେ ଶୁଣି ନାମର ଭେଦ ହେ ରାମଚନ୍ଦ୍ର ତୁଟଇ ଭବ ବିଷାଦ ହେ ..... ୩୧

ଷଡରିପୁ ତ୍ରାସ ଦେହେ ଶ୍ରୀରାମନାମେ ନ ରହେ କେବେହେଁ ହେ ରାମଚନ୍ଦ୍ର ବଶିଷ୍ଠେ ଭୂଷଣ୍ଡ କହେ ହେ ..... ୩୨

ହରେରାମ କୃଷ୍ଣ ଗୀତି ହରଷେ ଶୁଣିବ ହୃଦୟେ ଚେତି ହେ ରାମଚନ୍ଦ୍ର ହତ ହେବ ଭବ ଭୀତି ହେ ..... ୩୩

କ୍ଷୀରାର୍ଣ୍ଣବପୁର ବାସୀ ମୀନକେତନର ହୃଦୟ ଶଶୀ ହେ ରାମଚନ୍ଦ୍ର କ୍ଷୟ ନୋହୁ ଦିବାନିଶି ହେ ..... ୩୪

ଲେଖକଙ୍କ ଅନ୍ୟାନ୍ୟ ଅପ୍ରକାଶିତ ଲେଖା ସବୁ

  • ଜ୍ଞାନାମୃତ ସାଗର

ପ୍ରଥମ ଭାଗ ମହାଳୟା ଅମାବାସ୍ୟା ୧୭ ସେପ୍ଟେମ୍ବର, ୨୦୨୦ ୧୯୮୬-୧୯୮୭-୧୯୮୮ ...............................

ମା ମଝିଘରିଆଣୀ ଭଜନ ମାଆ ଠାକୁରାଣୀ ମଝିଘରିଆଣୀ ରାୟଗଡାଗ୍ରାମେ ତୋ ନାମ ଖ୍ୟାତ ........ଘୋଷା ରେଳ ପୋଲପାଖ ପୂଣ୍ୟଭୂମି ଠାରେ ତୋହର ମନ୍ଦିର ହେଲା ନିର୍ମିତ ହେମ ଗଉରାଙ୍ଗୀ ପ୍ରତିମା ରୂପେ ତୁ ରହିଛୁ ଏଠାରେ ଜଗତମାତ ମାଆ ଠାକୁରାଣୀ....... ୧ ସୁପବିତ୍ର ପୀଠ କଳ୍ପବଟମୂଳେ ପୂର୍ବରୁ ରହିଛି ତୋର ସଂକେତ ପୂଜାପାଇ ତହିଁ ଥିଲୁ ମାଗୋ ରହି ବହୁ କାଳ ପରେ ହେଲୁ ବିଦିତ ମାଆ ଠାକୁରାଣୀ....... ୨ ପୂଜାରୀ ତୋହର ମହା ନିଷ୍ଠାବନ୍ତ ସେ ଏକା ଜାଣନ୍ତି ତୋ ପୂଜା ତତ୍ତ୍ୱ ସର୍ବଦା ତାହାଙ୍କୁ ହେଉ ତୁ ପ୍ରସନ୍ନ ଶ୍ରୀମୁଖ ବଚନ ତୋହର ସତ୍ୟ ମାଆ ଠାକୁରାଣୀ....... ୩ ପ୍ରତ୍ୟକ୍ଷ ତୁ ସିଦ୍ଧ ବର ପ୍ରଦାୟିନୀ ତୋ ନାମ ସ୍ମରିଲେ ହରେ ଦୁଷ୍କୃତ ଭୂତ ପ୍ରେତ ଭୟ ନ ଛୁଅଁଇ କାୟ ମହିମା ତୋହର ଜଗତେ ଖ୍ୟାତ ମାଆ ଠାକୁରାଣୀ....... ୪

ପ୍ରତିଦିନ ତୋର ପୂଜା ହେଉଥାଏ ବଳି ଭୁଜାରେ ତୁ ହେଉ ତୃପତ ଯେ ଯାହା ମନାସେ ବର ଦେଉ ତୋଷେ ବାଞ୍ଛିତ ଫଳ ହୁଅଇ ପ୍ରାପତ ମାଆ ଠାକୁରାଣୀ...... ୫

ଦୁର୍ଗମ ଅରଣ୍ୟେ ଅର୍ଦ୍ଧନିଶୀମାନେ ତୋ ନାମ ସ୍ମରଣେ ନାହିଁ ମା ଭୀତ ମହା କଷ୍ଟେ ତୋତେ ଡାକୁଥିଲେ ନିତ୍ୟେ ବାଧା ବିଘ୍ନମାନ ଫେଡୁ ତୁରିତ ମାଆ ଠାକୁରାଣୀ...... ୬

ତୋ ନାମ ସ୍ମରଣ ପରମ କାରଣ ଶରଣା ଗତ ମୁଁ ତୋ ପାଦେ ନିତ୍ୟ ମୀନକେତନର ଭବ ଦୁଃଖ ହର ତୋ ବିନୁ ଆଶ୍ରା ନାହିଁ ମୋର ତ ମାଆ ଠାକୁରାଣୀ ମଝିଘରିଆଣୀ ରାୟଗଡାଗ୍ରାମେ ତୋ ନାମ ଖ୍ୟାତ...... ୭ -୦-



ମନବୋଧ ଜଣାଣ-୧

ମନ କାହିଁକି ରେ କହିଲା କଥା ନ ଶୁଣୁ ଯାହା ପାଇଁ ତୁହି ଆସିଛୁ ରେ ବାଇ ସେ ନାମ କିପାଁ ନ ଗୁଣୁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୧

ଏ ସଂସାର ମାୟା ଜାଲରେ ପଡିଣ ଏଣେ ତେଣେ ତୁହି ଭ୍ରମୁ ଯେଣେ ଗଲେ ତେଣେ ବଣା ହେଉଅଛୁ ଶ୍ରୀହରି ଧିଆନ ବିନୁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୨

ଏ ତୋହର କାୟା ଅଟଇଟି ମାୟା ଏହାକୁ ପାଶୋର ମନୁ ତେଜି ଅଭିମାନ ନାମ କର ଧ୍ୟାନ ପାଇବୁ ଚରଣ ରେଣୁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୩

ଧନ ଦାରା ସୁତ ସକଳ ଅସତ ସଙ୍ଗେ ତୋ ନ ଯିବେ କେହି ସେହି ନାମ ଧନ ପାଇଲେ ରେ ବାବୁ ବୋହିଲେ ସରିବ ନାହିଁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୪

ଅକାରଣେ ତୁହି ଅଇରିଙ୍କୁ ଘେନି ଅସତ ପଥରେ ଗମୁ ଅଳସୁଆ ହୋଇ ଦିନ କଟାଉଛୁ ବାନ୍ଧି ନେବ ରବି ସୁନୁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୫

ରାମ କୃଷ୍ଣ ନାମ ଗାନକର ମନ କହୁଅଛି ତୋତେ ଏଣୁ ମୀନକେତନର ସେ ପାଦେ ଶରଣ ଆଶ୍ରା ନାହିଁ ତାଙ୍କ ବିନୁ ମନ କାହିଁକି ରେ କହିଲା କଥା ନ ଶୁଣୁ .......୬


-୦-


ମନବୋଧ ଜଣାଣ-୨

ମନର ଭ୍ରମରେ ପଡି ହୋ ବାବୁ ମନର ଭ୍ରମରେ ପଡି

ମୀନକେତନଯେ ବୁଡିଯାଉଅଛି ଦୀନବନ୍ଧୁ ନାମ ହୁଡି

ଆହା ମନର ଭ୍ରମରେ ପଡି......... ଘୋଷା

ବିଷମ କଟକ ମାଳରେ ପଡିଣ ବିଷମ ମଣୁଛି ମନ

ବିଷପ୍ରାୟ ସବୁ ଲାଗୁଅଛି ବାବୁ କିଷ କହିବି ତା ଭ୍ରମ

ଆହା ମନର ଭ୍ରମରେ ପଡି......... ଘୋଷା

ରାମକୃଷ୍ଣ ନାମ ଜପିବାକୁ ମନ ବଳୁନାହିଁ ଯେଣୁ ତାର

ତେଣୁ ଏ ବିଷମ କଟକେ ପଡିଣ ହୁଏ ଏତେ ହରବର

ଆହା ମନର ଭ୍ରମରେ ପଡି......... ଘୋଷା

ଶୁଣ ଆରେ ମନ ମୋହର ବଚନ ସ୍ଥିର ହୋଇ ତୁହି ବସ

ବିଷମ କଟକ କି କରିବ ତୋର ମୁଖେ ହରିନାମ ଘୋଷ

ଆହା ମନର ଭ୍ରମରେ ପଡି......... ଘୋଷା

ବିଷମ ଯନ୍ତ୍ରଣା ଅତେ ଏ ପାଟଣା ଏହାକୁ ନ ବଳା ଆଶ

ଆଶାକୁ ଛାଡିଲେ ଖଣ୍ଡି ମାୟାପାଶ ହୋଇବୁ ଶ୍ରୀହରି ଦାସ

ଆହା ମନର ଭ୍ରମରେ ପଡି......... ଘୋଷା

-୦-

ଶ୍ରୀକୃଷ୍ଣ ଜଣାଣ

ବନ୍ଦେ ଶ୍ରୀ ଭଗବାନଙ୍କ ଚରଣାରବିନ୍ଦ

ମୋ ହୃଦ କମଳାସନେ ଶୋଭିତ ଗୋବିନ୍ଦ

ବେଣୁପାଣି ନାରାୟଣ ସୁଦର୍ଶନ ଧାରୀ

ବୃନ୍ଦାବନ ଶୋଭନ ହେ ଭବଭୟ ହାରୀ

ଭକ୍ତାର୍ତ୍ତନାଶନ ଗୋପୀ ମାନସ ରଞ୍ଜନ

ବରଜ ସୁନ୍ଦର ଶେଷଶାୟୀ ଭଗବାନ

ଏମନ୍ତ ଶ୍ରୀକୃଷ୍ଣଙ୍କର ଶ୍ରୀରୂପ ମାଧୂରୀ

ଚିନ୍ତନେ ସକଳ ପାପ ଦେହୁ ଯାଏ ହରି

ଜୟ ଜୟ କୃଷ୍ଣଚନ୍ଦ୍ର ରାଧାବ୍ରହ୍ମପ୍ରମୀ

ଜୟ ଜୟ କୃଷ୍ଣଚନ୍ଦ୍ର ତ୍ରିଭୂବନ ସ୍ଵାମୀ

-୦-


ପ୍ରଭାତ ସ୍ମରଣ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

ମାଧବ ମଧୁସୂଦନ ବ୍ରଜ ଦ୍ଵିଜରାଜରେ

ଏ ମାୟା ସଂସାରେ ବାବୁ ନୁହେଁ କିଛି କାର୍ଯ୍ୟରେ

ଅକାରଣ ଅଟଇ ଏ ଦାରାଧନ ହେଜରେ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

ଏହାଙ୍କ ସଂଗତେ ପଡି ନୁହଁ ରଞ୍ଜ ଖଞ୍ଜରେ

ସାହା କେ ତୋ ନ ହୋଇବେ ମନ ମଧ୍ୟେ ହେଜରେ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

ହୃଦୟରୁ କାମ କ୍ରୋଧ ଆଦି ରିପୁ ତ୍ୟଜରେ

ହୃଦୟାଧୀକାରୀ ଯେହୁ ତା ଚରଣେ ମଜ୍ଜରେ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

ସେ ଚରଣ ଆଶ୍ରା କଲେ ପୂର୍ଣ୍ନ ହେବ କାର୍ଯ୍ୟରେ

କି କରି ପାରିବ ତୋତେ ଆଉ ଜନ୍ତୁ ରାଜରେ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

କହଇ ମୀନକେତନ ନ ହୁଅ ଅଧୈର୍ଯ୍ୟ ରେ

ସତ୍ୟ ପଥ ଆଶ୍ରେ କରି କୃଷ୍ଣ ପାଦେ ଭଜରେ

ମୂଢମନ ରାଧେ କୃଷ୍ଣ ରାଧେ କୃଷ୍ଣ ଭଜରେ

-୦-


ଜଣାଣ

ପରମାନନ୍ଦ ପୁରୁଷ ହେ ଜଗଦୀଶ ପରମବ୍ରହ୍ମ ପ୍ରକାଶ (ଘୋଷା)

ପର ଅପରେ ବାସ ପରାପରେ ପ୍ରକାଶ

ପରମାତ୍ମା ପୁରିଷ ପରିପୂର୍ଣ୍ନ ପରେଶ

ପରମାନନ୍ଦ ପୁରୁଷ ହେ ଜଗଦୀଶ

ପରମବ୍ରହ୍ମ ପ୍ରକାଶ (ଘୋଷା) ୧

ପ୍ରକୃତି ପୁଣ୍ୟ ପୁରିଷ ପ୍ରକୃତ ଈଶ

ପବିତ୍ର ଜନ ହୃଦେଶ

ପରମାନନ୍ଦ ପୁରୁଷ ହେ ଜଗଦୀଶ

ପରମବ୍ରହ୍ମ ପ୍ରକାଶ (ଘୋଷା) ୨

ପୂର୍ଣ୍ଣାନନ୍ଦ ସର୍ବେଶ ଜଗତ୍ର ଜନ ପୋଷ

ପରମ ଗୁଣ ଘୋଷ ନିତ୍ୟ ପରମ ହଂସ

ପରମାନନ୍ଦ ପୁରୁଷ ହେ ଜଗଦୀଶ

ପରମବ୍ରହ୍ମ ପ୍ରକାଶ (ଘୋଷା) ୩

ନିଗମ ପୁର ପ୍ରକାସ ସତ୍ୟ ଭୂତେଶ

ସତ୍ତ୍ଵାଦି ଗୁଣ ଜିତେଶ

ଅଦ୍ଵୀତୀୟ ପୁରୁଷ ଅଣାକାର ଅଦୃଶ୍ୟ

ମୀନକେତନ ସତ୍ୟ ପଥ ହୃଦ ନିବାସ

ପରମାନନ୍ଦ ପୁରୁଷ ହେ ଜଗଦୀଶ

ପରମବ୍ରହ୍ମ ପ୍ରକାଶ (ଘୋଷା) ୪


-୦-

ମାନସ ରାମନାମ ଗାନ କରରେ

ଜାନକୀ ପ୍ରାଣେଶ୍ଵର ଦୀନ ଜନ ସୋଦର

ବିନୟେ ଲୟ କର ଶ୍ରୀ ପଦ୍ମ ପୟରରେ

ମାନସ ରାମନାମ ଗାନ କରରେ(ଘୋଷା)......୧

ଶ୍ରୀକୃଷ୍ଣ ନାମାମୃତ ପାନ କର ସନ୍ତତ

ଆନେ ନ ବଳା ଚିତ୍ତ ତାରିବେ ଶ୍ରୀଧର ରେ

ମାନସ ରାମନାମ ଗାନ କରରେ(ଘୋଷା)......୨

ଅରିମାନଙ୍କୁ ନାଶି ହରି ନାମକୁ ଘୋଷି

ଫିଟାଇ ଭବ ପାଶୀ ପାପ ମାନ ହରରେ

ମାନସ ରାମନାମ ଗାନ କରରେ(ଘୋଷା)......୩

ଘେନିଣ ଜ୍ଞାନ ଅସୀ ଅଜ୍ଞାନ ଦିଅ ନାଶି

ମଜ୍ଜିଣ ନ ଯାଅଟି ଏ ମାୟା ସଂସାରରେ

ମାନସ ରାମନାମ ଗାନ କରରେ(ଘୋଷା)......୪

ମୀନ କେତନ କହି ଦୀନବନ୍ଧୁଙ୍କୁ ଧ୍ୟାୟୀ

ଦିନ କଟାଅ ତୁହି ଭବୁ ହେବୁ ପାରରେ

ମାନସ ରାମନାମ ଗାନ କରରେ(ଘୋଷା)......୫
-୦-




ଜ୍ଞାନାମୃତ ସାଗର (ପ୍ରଥମ ଭାବ) ମୀନକେତନ ଶତପଥୀ ପଦ୍ମପୁର ପ୍ରକାଶକ- ହରିହର ପ୍ରସାଦ ସତପଥୀ ପ୍ରକାଶ କାଳ- ଜୁନ ୨୦୨୦



ଜ୍ଞାନାମୃତ ସାଗର (ପ୍ରଥମ ଭାବ)

ଜୟ କୃଷ୍ଣରାମ ରୂପ ଅନୁପମ ଜୟ ତ୍ରିଲୋକ ନାୟକ

ଅଭୟ ପୟରେ ସଦା ଲୟ କରେ ଦିବ୍ୟ ଜ୍ଞାନ ପ୍ରଦାୟକ.............୧

ଜୟ ଗଣନାଥ ଉମା ପ୍ରିୟ ସୂତ ସର୍ବ ବିଦ୍ୟାରେ ନିପୂଣ

ଦିବ୍ୟ ମନୋହର ମହିମା ସାଗର ସୁବିଦିତ ରୂପଗୁଣ................୨

ଜୟମା ଶାରଳା ବିଷ୍ଣୁ ପ୍ରିୟମ୍ବଦା ସୁଶ୍ଵରେ ବୀଣା ବଜାଇ

ଜଗଜ୍ଜନମନ ମୋହୁ ଅନୁକ୍ଷଣ ବିଷ୍ଣୁ ଗୁଣ କୀର୍ତ୍ତୀ ଗାଇ.............୩

ଶ୍ରୀ ବିଷ୍ଣୁଙ୍କ ନାମ ରୂପ ଲୀଳା ଜ୍ଞାନ ଖଣ୍ଡେ ସେ ଯାହା ବଖାଣି

ଅକଳିତ ଭାବ କରି ନୁହେଁ ଠାବ ମହିମା ଅମୃତ ବାଣୀ..............୪

ଅତି ହିଁ ଅଜ୍ଞାନ ମୁହିଁ ଦୀନ ମୀନ କେତନ ନାମ ମୋ ଭଣି

ଗୁରୁ ଭୀମ ଲିଙ୍ଗ ଦେବଙ୍କ ପ୍ରସନ୍ନେ ବିରଚଇ ପଦ ଜାଣି...............୫

ପିତା ଦୀନବନ୍ଧୁ ମାତା ଗୁଣେ ସାଧୁ ସତ୍ୟ ପଥ ମୋ ଆଶ୍ରୟ

ଶ୍ରୀ ବିଜୁଳି ଅବଧୂତ ଦିବ୍ୟ ଭାବ ମୋ ହୃଦୟେ ଅଭ୍ୟୁଦୟ............୬

ଶ୍ରୀ ରାଧା ରମଣ ନାମ ପ୍ରେମେ ଧ୍ୟାନ କରି ଲେଖେ ଦିବ୍ୟ ବାଣୀ

ଅମୃତ ଆନନ୍ଦମୟ ଶ୍ରୀ ଗୋବିନ୍ଦ ନାମ ମୁଖେ ସଦା ଭଣି............୭

ଶ୍ରୀ ଗଣେଶ ସରସ୍ଵତୀଙ୍କ ପୟର ଏକା ଅଟେ ମୋ ଭରସା

ବିଷ୍ଣୁ ଜ୍ଞାନାମୃତ ରସ ପାନ କରି ମେଣ୍ଟାଇବି ଭବ ତୃଷା.............୮

ଅମୃତ ପୟୋଧୀ ଦିବ୍ୟ ଗୁଣ ନିଧି ବିଷ୍ଣୁ ନାମ ରସ ସାର

କର୍ଣ୍ନ ପଟ୍ଟହରେ ଶୁଣି ହୃଦ ଘରେ ଖେଳି ଯାଏ ଭାବ ଧାର............୯

ଜୟ ଦୀନବନ୍ଧୁ କୃପାଜଳ ସିନ୍ଧୁ ବାରେକ ହୁଅ ପ୍ରସନ୍ନ

ଜଗତର ପିତା ଦିବ୍ୟ ଜ୍ଞାନ ଦାତା କରେ ଶୋହେ ସୁଦର୍ଶନ............୧୦

ଜଗତର ଗୁରୁ ଜୟ ଆଦିଗୁରୁ ଜୟ ହେ ଜଗଦୀଶ୍ଵର

ଜଗତ ହୃଦୟେ ଜ୍ଞାନାଲୋକ ଦେଇ ସୁଦର୍ଶନେ ତମୋ ହର.............୧୧

ଅଜ୍ଞାନ ତିମିର ନାଶକାରୀ ତବ ନାମ ଏକା ଦିବ୍ୟ ଜ୍ୟୋତି

ଶ୍ରୀଗୁରୁ ସ୍ଵରୂପ ବ୍ରହ୍ମଜ୍ଞାନ ରୂପ ପରମ ଆନନ୍ଦ ସ୍ମୃତି...............୧୨

ପୂର୍ବ କର୍ମ ଯୋଗେ ଜୀବ ଫଳ ଭୋଗେ ଦେହ ପୁରେ ଅନୁଭବୀ

ବିଷ୍ଣୁ ଜ୍ଞାନ-ରସ ପାନେ ହୁଏ ତୋଷ କଲା କର୍ମ ମନେ ଭାବି............୧୩

ବିଷ୍ଣୁ ନାମ ଧ୍ୟାନ କରି ପଞ୍ଚ ମନ ତୁଟାଏ ଭବ ବିଷାଦ

ପରମ ବିଭବ ଜ୍ଞାନ ଏହୁ ଭାବ ବିଷୟା ବିଷକୁ ଗଦ.............୧୪

ହରେ କୃଷ୍ଣ ନାମ ଗାନକର ମନ ନ ଘୋଟିବ ଭବ ବାଧା

ରାମ ନାମ ଏକାକ୍ଷରେ ଲୟ ଟେକି ଭଜୁଥିବୁ ମୁଖେ ସଦା...........୧୫

ଶ୍ରୀକୃଷ୍ଣ ଗୋପାଳ ଗୋବିନ୍ଦ ମାଧବ ଦୀନବନ୍ଧୁ ଦଇତ୍ୟାରୀ

ଋକ୍ମିଣୀ ରମଣ ଗୋପୀ ଜନ ପ୍ରାଣ ଭକତ ତାରଣ ହରି............୧୬

ଅଚ୍ୟୁତ ଅନନ୍ତ ଶ୍ରୀପତି ଶ୍ରୀନାଥ ଶ୍ରୀନିବାସ ଦାମୋଦର

ସୁଦାମା ଦାରିଦ୍ର‍୍ୟ ଭଞ୍ଜନ ମୁରାରୀ ଗୋବର୍ଦ୍ଧନ ଗିରିଧର............୧୭

ଅଶେଷ ଭୂବନ ମୋହନ ଶ୍ରୀଧର ଗୋପୀନାଥ ବନମାଳୀ

ବସୁଦେବ ସୂତ ପାର୍ଥ ପଞ୍ଚଭୂତ ଭକ୍ତ ହୃଦ ଜପାମାଳୀ.............୧୮

ଜଗତ ଜୀବନ ପତିତ ପାବନ ପରମାନନ୍ଦ କେଶବ

ନୀଳଗିରିନାଥ ଜୟ ଜଗନ୍ନାଥ ଜଗଜ୍ଜ୍ୟୋତି ଆଦିଦେବ............୧୯

ଏମନ୍ତେ ଶ୍ରୀବିଷ୍ଣୁ ନାମ ଜ୍ଞାନାମୃତ ପାନେ ଜୀବ ହୁଏ ତୋଷ

ପରମ ଆନନ୍ଦ ଭାବେ ଦେହ ପ୍ରାଣ ବିଷ୍ଣୁ ଭାବେଣ ଆବେଶ..........୨୦

ଜୟ ଆଦିକନ୍ଦ ମୁକୁନ୍ଦ ଶ୍ରୀଦେବ ପୂର୍ଣ୍ଣାନନ୍ଦ ପୂର୍ଣ୍ନ ଜ୍ୟୋତି

ଅଖିଳ ବିଶ୍ଵର ତାରଣ ଈଶ୍ଵର ଅନନ୍ତ ଦିବ୍ୟ ବିଭୂତି.........୨୧

ସୃଷ୍ଟି ସଂହାରଣ ସର୍ଜନ ପାଳନ ସର୍ବ ରକ୍ଷଣ କରତା

ଅନନ୍ତ ଶକତି ଧର ବିଶ୍ଵପତି ଜୀବର ମୁକତି ଦାତା...........୨୨

ହରିନାମ ପ୍ରେମ ପରମ ପୀୟୁଷ ଜୀବର ଏ ଭୂମି ରସ

ମୁଖେ ପାନକରି ଭବୁ ଯାଏ ତରି ପରମାନନ୍ଦ ପ୍ରକାଶ..............୨୩

ହରେ ଶବଦେଟି ଭବ ରୋଗ ତୁଟି ଭାବ ଏକା ଅଟେ ମୂଳ

ଭବ ବାରିଧୀରେ ହରିନାମ ଆଶ୍ରା ନାବ ଅଟଇ କେବଳ.............୨୪

ହରିନାମ ଧ୍ୟ୍ୟାନ କର ଆରେ ମନ କହୁଅଛି ତୋତେ ଏଣୁ

ହରିନାମେ ଦେଖ ଅମୃତ ଲହରି ବହି ଆସେ ମହାଶୁନ୍ୟୁ..............୨୫

ହରିଭାବ ଜଳ ଦିବ୍ୟ ଗଙ୍ଗା ଜଳ ହରିପଦୁ ଯାଏ ବହି

ହରିଭାବ ଜଳେ ସିକ୍ତ କଳେବରେ ପାପ ରାଶି ନ ରହଇ...............୨୬

ହରିନାମ ଜ୍ଞାନ ଅମୃତ ସାଗର ଅଟେ ପୂଣ୍ୟ ତୀର୍ଥରାଜ

କୋଟି ଗଙ୍ଗାସ୍ନାନ ଫଳ ତହିଁ ଠୁଳ ବିଷ୍ଣୁ ଭାବେ ତହିଁ ହେଜ..............୨୭

ହରିନାମ ଭାବ କୋଟି ଯୁଗେ ଶିବ ଯୋଗେଣ ନୁହଁନ୍ତି ଜ୍ଞାତ

ବ୍ରହ୍ମାରେ ଦୁର୍ଲ୍ଲଭ ପ୍ରେମ ହରିଭାବ ଭାବେ ନୁହଁଇ କଳିତ ................୨୮

ହରି ହରି ଧ୍ଵନୀ ପୂରିତ ଅବନୀ ଦିବି,ଭୁବି ଆଦି ଭେଦି

ହରି ରସ ଜଳେ ପ୍ଳାବିତ ହୋଇଣ ବହିଯାଏ ନଦନଦୀ ..................୨୯

ଅନନ୍ତ ଦିଗନ୍ତ ହୋଇ ମୂର୍ତ୍ତିବନ୍ତ ପ୍ରକାଶେ ହରି ଜ୍ୟୋତିରେ

ରବି, ଶଶି, ତାରା ବିଜୁଳିର ଧାରା ଝଲସେ ଦିନ ରାତିରେ ................୩୦

ସଚର, ଅଚର ଭୂଚର, ଖେଚର ଆଦିଏ ହରି ଭାବନା

ହରିନାମ ବିନୁ ନାହିଁ କିଛି ଆଉ ହରି ଭାବେ ବୁଝ କିନା ................୩୧

ହରିନାମାମୃତ ପାନେ ଲଭି ତୃପ୍ତ ତୁଟାଅ ଭବ ଜଞ୍ଜାଳ

ଘରେ ବସି ସୁଖେ ଘୋଷୁଥିଲେ ନାମ ନ ଘୋଟିବ ଦେହେ କାଳ ..............୩୨

ହରି ନାମ ଭଜି ହରି ପ୍ରେମେ ମଜ୍ଜି ହରି ରସେ ମନ ଫନ୍ଦା

ହରି ନାମ ତାମ ରସ ମଧୁପାନେ ନ ରହିବ ଭବ ଧନ୍ଦା .................୩୩

ଭଜୁ କିନା ହରି ନାମରେ ମାନସ ଭଜ ଏବେ ହରି ନାମ

ହରିନାମ ଏକା ଅମୃତ ଆନନ୍ଦ ଭଜେ ନିତି ଆତ୍ମାରାମ .................୩୪

ହରିନାମେ ମାଳା କୃଷ୍ଣ ନାମେ କଳା ରାମ ନାମେଟି ଶକତି

ଭଜି ପାରିଲେଟି କାଳ କାମ କାଟି ଲଭିବୁ ଭବୁ ମୁକତି ....................୩୫

ହରେ ରାମ କୃଷ୍ଣ ମହାମନ୍ତ୍ର ରାଜ ହେଜି ରଖ ହୃଦୟରେ

ରାମନାମେ ଦିବ୍ୟ ଜ୍ୟୋତି ବିରାଜଇ କୃଷ୍ଣନାମେ ଲୀଳା କରେ ................୩୬

ହରିନାମେ ସେଟି ସଂସାରେ ପ୍ରକଟି ତୁଟାଏ ଭବ ବିଷାଦ

ଅମୃତ ସୌରଭ ଦାନେ ପ୍ରାଣି ହୃଦେ ବିଳଷଇ ଦିବ୍ୟ ନାଦ ..................୩୭

ବନ ପୁଷ୍ପ ଫଳ ଲତା ଦେହେ ରାଜି ବହଇ ଅମୃତ ଧାରା

ଅପୂର୍ବ ଆନନ୍ଦ ଶୋଭା ପରକାଶି ହସୁଥାଏ ବସୁନ୍ଧରା ...................୩୮

ପ୍ରକୃତି ରାଣୀର ଅତୁଳ ସୌନ୍ଦର୍ଯ୍ୟ ପ୍ରକାଶିତ ହରି ନାମେ

ରମ୍ୟ ରାମ ରୂପ ରମଣୀୟ ଭାବ ପୁରି ଉଠେ ହରି ପ୍ରେମେ ..............୩୯

ଅନନ୍ତ ବିଶ୍ଵର ପୂର୍ଣ୍ନ କଳା ରୂପ କୃଷ୍ଣ ନାମେ ବିରାଜିତ

ସୁମଧୁର ତାନେ ହରି ରସ ଗାନେ ନାମ ହୁଏ ନିନାଦିତ .................୪୦

ପୂରୁବ ସୁକୃତ ଫଳେ ଆତ୍ମ ତତ୍ତ୍ଵ ଜୀବ ନିଜ ହୃଦେ ପାଇ

ବିଷ୍ଣୁ ନାମାମୃତ ରସ ପାନେ ନିତ୍ୟ ଅଜାମ୍ବର ଦିବ୍ୟ ଦେହୀ ................୪୧

ବଶିଷ୍ଠ ମାର୍କଣ୍ଡ ଗରୁଡ ଭୂଷଣ୍ଡ ଶୁକ, କୃଷ୍ଣ ଦ୍ଵୈପାୟନ

ଭକ୍ତ ପ୍ରହଲ୍ଲାଦ ଅର୍ଜ୍ଜୁନ ନାରଦ ଏ ଆଦିଙ୍କ ଭାବ ଘେନ ...............୪୨

ଗୁରୁ ସ୍ଵରୂପ ଏ ଜ୍ଞାନ ସ୍ଵରୂପ ଏ ଧ୍ୟାନ ଯୋଗେଣ ନିରୁଢ

ବିଷ୍ଣୁଙ୍କ ପ୍ରସନ୍ନେ ଯୋଗ ଗର୍ଭ ଜ୍ଞାନେ ବୋଲାଅନ୍ତି ଯୋଗାରୂଢ ..............୪୩

ଭଜ ଏବେ ରାମ ନାମ ଆରେ ମନ ଭଜ ବାରେ କୃଷ୍ଣ ନାମ

କୃଷ୍ଣ ପଦ୍ମ ମୁଖୁ ରାମ ନାମାମୃତ ଝରୁଅଛି ଅନୁପମ .................୪୪

ରାମ ନାମାମୃତ ପିଅରେ ମାନସ ପିଅ ରାମ ନାମାମୃତ

ସେ ଅମୃତ ପାନେ କୃଷ୍ନ ରୂପ ଧ୍ୟାନେ ପ୍ରେମେ ହେବୁ ନିମଜ୍ଜିତ .............୪୫

ହରି ନାମ ପ୍ରେମେ ମଜ୍ଜରେ ମାନସ ହରିନାମେ ଲୟ କର

ହରି ମୁଖୁ ରାମ କୃଷ୍ଣ ନାମାମୃତ ବହୁଅଛି ନିରନ୍ତର ................୪୬

ପରମ ଆନନ୍ଦ ନାମ ବ୍ରହ୍ମ ଭେଦ ଭକତଙ୍କ ଗଣ୍ଠି ଧନ

ଭକତି ମାନସେ ରସ ତାଙ୍କ ରସେ ଫିଟିବ ଭବ ବନ୍ଧନ ...............୪୭

ନିତ୍ୟ ବ୍ରହ୍ମ କଳ୍ପ ଅମୃତ ସ୍ଵରୂପ ହରେ ରାମ କୃଷ୍ନ ଭାବ

ଶ୍ରୀ ଜଗନ୍ନାଥଙ୍କ ନିତ୍ୟ କଳେବର ଦିବ୍ୟ ଜ୍ୟୋତି ଆବିର୍ଭାବ .............୪୮

ଯହିଁ ନିତ୍ୟଧାମ ଶ୍ରୀ ଜଗମୋହନ ନାମ ତହିଁ ପ୍ରକାଶିତ

ଆଦି ବ୍ରହ୍ମ ଦେବ ସ୍ଵୟଂ ବିଷ୍ଣୁଦେବ ଅମୃତ ଚିର ଶାଶ୍ୱତ ...............୪୯

ନାମ ରୂପ ଜ୍ୟୋତି ଦାରୁ ବ୍ରହ୍ମ ମୂର୍ତ୍ତି ରୂପେ ଦୀପ୍ତିମନ୍ତ ମହୀ

ଦର୍ଶନେ ଅପୂର୍ବ ଆନନ୍ଦ ବିଭବ ବ୍ରହ୍ମ ଯୋଗେ ଲଭେ ଦେହୀ ..........୫୦

କଳି କାଳ ପାପ ତାରଣ ଏ ରୂପ ପରମ ଆନନ୍ଦ ମୟ

ଶ୍ରୀ ମହାପ୍ରସାଦ ଅମୃତ ଆହ୍ଲାଦ ଭକ୍ଷଣେ କଳୂଷ କ୍ଷୟ ..............୫୧

ଭକତ ଜନଙ୍କ ମନ ମନୋହର ଭାବଗ୍ରାହୀ ଜଗନ୍ନାଥ

ଜଗତ ଜନଙ୍କ ତାରଣ କରତା ଜୟ ନୀଳଗିରି ନାଥ ................୫୨

ଦିବ୍ୟଗୁଣ ଧାମ ଶ୍ରୀ ପୁରୁଷୋତ୍ତମ ମନ ମୋହନ ମୂରତି

କଳି କବଳରୁ ଉଦ୍ଧରିଣ ରଖ ଶ୍ରୀପଦେ କରେ ବିନତି .............୫୩

ଜୟ ଜଗବନ୍ଧୁ ଦୀନ ଜନବନ୍ଧୁ କରୁଣା ସାଗର ହରି

ଅମୃତ ଲୋଚନେ ଚାହିଁ ଅନୁକ୍ଷଣେ ପାପୀଙ୍କୁ ଦେଉଛ ତାରି ..............୫୪

ଅଜାମିଳ ପାପୀ ତବ ନାମ ଜପି ପାଇଅଛି ପରିତ୍ରାଣ

ଗଜାର୍ତ୍ତ ନାଶନେ ଗ୍ରାହକୁ ଛେଦିଲ କରେ ଘେନି ଶୁଦର୍ଶନ ..............୫୫

ଜୟ ଜଗନ୍ନାଥ ଦୀନ ଜନନାଥ ଜଗତ ମଙ୍ଗଳ ହରି

ମଙ୍ଗଳେ ତୋ ନାମ ସୁମରି ଏ ଜୀବ ରହି ଥାଉ ଲୟ କରି .............୫୬

ଏଥୁଅନ୍ତେ ମନ ହେତୁ କରି ଶୁଣ କହେ ଅମୃତ ଭାରତୀ

ଅନୁଦିନେ ହରି ନାମ ହୃଦେ ଧରି ରହିଥିବୁ ଭାବେ ଚେତି ............୫୭

ଅନନ୍ତ କେଶବ ବିଷ୍ଣୁ ପଦ୍ମନାଭ ରାମ ରମଣୀୟ ରୂପ

ଅନନ୍ତଶାୟୀଙ୍କୁ ସୁମରିଲା ମାତ୍ରେ ନାଶଯାଉ କୋଟି ପାପ .............୫୮

ଶୟନର କାଳେ ଯୋଗନିଦ୍ରା ବଳେ ଯୋଗମାୟାଙ୍କୁ ସୁମରି

ତେବେ ସେ ପରମ ଯୋଗ ସାଧିପାରୁ ବିଷ୍ଣୁନାମ ହୃଦେ ଧରି ..............୫୯

ଭୋଜନ ସମୟେ ଭଜୁଥିବୁ ସଦା ଆରତ ଭଞ୍ଜନ ନାମ

ତେବେ ସେ ଜୀବର କାରଣ ଅଟଇ ଘୋଷୁଥିଲେ ମୁଖେ ନାମ ...........୬୦

ସ୍ଵପ୍ନ ଜାଗରିତେ ସୁନିର୍ମଳ ଚିତ୍ତେ ଭଜୁଥିବୁ ରାମ ହରି

ତେବେଟି ସପନେ ଜାଗରଣ ଭାବ ସ୍ମୃତି ପଟେ ଥିବ ହେରି ..........୬୧

ଶୟନେ ସପନେ ନିଦ୍ରା ଜାଗରଣେ ହେଜୁଥିବୁ ମନେ ମନ

ଚକ୍ଷୁର ପଲକ ପଡିବା ମାତ୍ରକେ ଚେତି ଉଠିବୁ ବହନ ..........୬୨

ଗମନେ କଥନେ ନୟନରିକ୍ଷଣେ ହୋଇଥିବୁ ସାବଧାନ

ଶବଦକୁ ବାରି ଥିବୁ ଅନୁସରି ବିଷ୍ଣୁ ଭାବେ ଥିବ ମନ.......... ୬୩

ଚେତାଘରେ ଜାଗି ଚେତି ରହିଥିବୁ ବିଷ୍ଣୁ ଭାବ ହୃଦେ ଧରି

ଶ୍ରୀ ଗୁରୁ ଆଜ୍ଞାକୁ ମାନି ରହିଥିବୁ ଗୁରୁ ଭାବ ନ ପାଶୋରି........ ୬୪

ମାୟା ମୋହିନୀକୁ ପରତେ ନ ଯିବୁ କାୟୀକୁ ମଣିବୁ ମାୟା

ଛାୟାପଥ ଏଡି ଗମିପାରିଲେଟି ଯୋଗେ ସିଦ୍ଧ ହେବ କାୟା ..........୬୫

ଯୋଗାସନେ ବସି ଯୋଗ ସାଧୁଥିବୁ ନ ଲିଭିବ ଜ୍ଞାନଦୀପ

ଝଞ୍ଜା ପବନକୁ ବନ୍ଦୀଘରେ ରଖି ହେଜୁଥିବୁ ଜ୍ୟୋତିରୂପ ..........୬୬

ଏକ ଅଙ୍ଗେ ଶୋଇ ଏକ ଅଙ୍ଗେ ଧ୍ୟାୟୀ ଏକ ଅଙ୍ଗେ ଥିବୁ ଚେତି

ତେବେସିନା ବାବୁ ଯୋଗ ସାଧୁଥିବୁ ନ ମଣିବୁ ଦିବା ରାତି ..........୬୭

କହିବା,ବାରିବା, ଶୁଣିବା, ଚାହିଁବା ଏ ଭାବର ମୂଳ ହେତୁ

ଯେଉଁଠାରୁ ବାବୁ ଚେତି ଆସୁଅଛି ତାକୁ କରୁଥିବୁ ହେତୁ ..........୬୮

ହେତୁ ଅଟେ ଏକା ସାର ଆରେ ବାବୁ ହେତୁ ଅତେ ଏକା ସାର

ଶ୍ରୀଗୁରୁଙ୍କ ପଦ ଅହେତୁ ରଖିଥିଲେ ଭବଜଳୁ ହେବୁ ପାର ............୬୯

ଶ୍ରୀଗୁରୁ ପୟର ମୂଳ ଆରେ ବାବୁ ଶ୍ରୀଗୁରୁ ପୟର ମୂଳ

ଶ୍ରୀଗୁରୁ ପୟରୁ ଗଳି ପଡୁଅଛି ପରମ ଅମୃତ ଜଳ .............୭୦

ସେ ଅମୃତ ପାନ କର ଆରେ ମନ ସେ ଅମୃତ ପାନ କର

ଗୁରୁ ପଦାମୃତ ପାନେ ସଦା ହେତୁ ରହିଥିବ ହୃଦୟର ..........୭୧

ପୁଣି ଅରେ ବାବୁ ହେତୁ ରଖିଥିବୁ ଅମୃତ ଦିବ୍ୟ ଭାରତୀ

ଶ୍ରୀଗୁରୁ ଚରଣ ବିଷ୍ଣୁ ନାମାମୃତ ବିନୁ ନାହିଁ ଆନ ଗତି ............୭୨

ଗତି ମୁକ୍ତି ଦାତା କାରଣ କରତା ଅଟନ୍ତିଟି ସେହୁ ଏକା

ଏ ଜୀବ ଯିବାର ସମୟରେ ବାବୁ ସଙ୍ଗେ ହୋଇଥିବେ ସଖା ............୭୩

କର ଆରେ ମନ ଗୁରୁପାଦ ଧ୍ୟାନ ନ ବାଧିବ ଭବ ତାପ

ଗୁରୁହିଁ ଅଟନ୍ତି ପିଣ୍ଡର କରତା ଜଗଜ୍ଜ୍ୟୋତି ଜ୍ଞାନଦୀପ ..............୭୪

ବ୍ରହ୍ମା ବିଷ୍ଣୁ ଶିବ ଗୁରୁ ଆଦି ଦେବ ଗୁରୁ ପରନ କାରଣ

କୋଟି ଜନ୍ମ ତପେ ଶ୍ରୀଗୁରୁ ଦର୍ଶନେ ଜୀବ ହୁଏ ପରିତ୍ରାଣ ..........୭୫

ଭଜରେ ମାନସ ଶ୍ରୀଗୁରୁ ସ୍ଵରୂପ ଲଭିବୁ ଅମୃତ ଜ୍ଞାନ

ସେହି ଜ୍ଞାନ ଯେବେ ପାଇବୁରେ ବାବୁ ଛିଡିବ ଭବ ବନ୍ଧନ ............୭୬

ଅନନ୍ତ ଶକତି ଗୁରୁ ବ୍ରହ୍ମ ଜ୍ୟୋତି ଆନନ୍ଦ ମୟ ବିଭବ

ଅମୃତ ସାଗର ଜ୍ଞାନ ରତ୍ନାକର ଦିବ୍ୟ ଜ୍ୟୋତିର୍ମୟ ଭାବ ............୭୭

ବିଷ୍ଣୁନାମ ଜ୍ଞାନ ଗୁରୁପଦ ଧ୍ୟାନ ଆତ୍ମ ତତ୍ତ୍ଵ ଅନୁଭୂତି

ଶିବ ବ୍ରହ୍ମଯୋଗ ଧ୍ୟାୟୀ ଲଭିଛନ୍ତି ମହା ମହିମା ବିଭୂତି .............୭୮

ରାମ ନାମ ମୁଖେ ଭଜରେ ମାନସ ରାମ ନାମେ କର ଲୟ

ନାମର ମହିମା ଆଜଯାଏ ଶିବ କରି ନ ପାରନ୍ତି ଥୟ ............ ୭୯

କୋଟିଯୁଗ ତପକରି ପଶୁପତି ନ ପାଇଲେ ନାମ ଅନ୍ତ

ଅନନ୍ତ ବ୍ରହ୍ମାଣ୍ଡେ ପୂରି ରହିଅଛି ମହିମାର କୋଟି ଗ୍ରନ୍ଥ............ ୮୦

ଶତଲକ୍ଷ ଶ୍ଳୋକ ନାମର ମହିମା ପବିତ୍ର ରାମ ଚରିତ

ସ୍ଵୟଂ ବିଷ୍ଣୁରୂପୀ ବେଦବ୍ୟାସଙ୍କର ମୁଖ ପଦ୍ମରୁ ନିଃସୃତ ............୮୧

କୋଟିଗୁଣେ ରାମ ନାମର ମହିମା ବ୍ରହ୍ମାଣ୍ଡେ ରହିଛି ଘୋଟି

କୋଟି ମୁଖେ ବ୍ରହ୍ମା ବର୍ଣ୍ନି ନ ପାରିଲେ ଶିବ ମୁଖେ ନାମ ରଟି ...........୮୨

ସୁର, ନାଗ ନର ତିନି ଲୋକ ଯାଏଁ ନାମ ମହିମା ବିସ୍ତାରି

ଏକାକ୍ଷରେ ରାମ ନାମ ଲୟ ଯୋଗେ ବସିଲେକ ତ୍ରିପୁରାରି ..............୮୩

ଏମନ୍ତେ ସେ ଶିବ ବ୍ରହ୍ମ ଯୋଗ ଧ୍ୟାୟୀ ଲଭିଲେ ଦିବ୍ୟ ବିଭୁତି

ତେଣୁ ଶିବ ରାମନାମ ମୁଖେ ଭଣି ଯୋଗ ଲୟେ ସେ ରଟନ୍ତି .........୮୪

ଭଜୁକିନା ରାମନାମରେ ମାନସ ଭଜମୁଖେ ରାମନାମ

ରାମନାମାମୃତ ଶିବରାମ ତତ୍ତ୍ଵ ସୁପବିତ୍ର ଗୁଣଧାମ ..............୮୫

ନାମ ଏକା ମୂଳ ନାମ ଏକା ସିଦ୍ଧି ନାମହିଁ ଅଟଇ ସାର

ନାମ ନ ଥିବାର ରୂପ କି ସୁନ୍ଦର ନାମ ଯୋଗେ ଚିହ୍ନିପାର ..............୮୬

ବିଷ୍ଣୁ ଗୁଣ ଗାଥା ଯହିଁ ନ ହୁଅଇ ତହିଁ ରହି କି କାରଣ

ଭଣ୍ଡଙ୍କ ଆଗରେ କହିଲେ କି ହେବ ମାରକଣ୍ଡଙ୍କ ପୁରାଣ ..............୮୭

ମାର୍କଣ୍ଡେୟ ଋଷି କୋଟି ପ୍ରଳୟରେ ବିଷ୍ଣୁ ଗର୍ଭେ ଯୋଗ ସାଧି

ବିଷ୍ଣୁଜ୍ଞାନାମୃତ ପାନ କରି ସେହୁ ରହିଛନ୍ତି ନିରବଧି .............୮୮

ପରମ ଅମୃତ ବିଷ୍ଣୁ ନାମାମୃତ ପାନେ ଭବ ତୃଷା ତୃଟି

ପରମ ଆନନ୍ଦ ଭାବ ଯୋଗାନନ୍ଦ କାଳ କାମ ପାର କାଟି ............୮୯

କାଳ କବଳରୁ ଉଦ୍ଧରିବା ପାଇଁ ବିଷ୍ଣୁ ନାମ ଏକା ମୂଳ

ଅନ୍ତିମ କାଳରେ ବିଷ୍ଣୁ ଜ୍ଞାନେ ଥିଲେ କି କରି ପାରିବ କାଳ .............୯୦

କାମନାଟି ଅଟେ କାଳ ଆରେ ମନ କାମନାଟି ଅଟେ କାଳ

ରାମନାମ ଜ୍ଞାନ ଖଣ୍ଡା ଧରି ବାବୁ ଛେଦିପକା ତାର ମୂଳ ..............୯୧

ରାମ ନାମ ଜାଣ ଅଟେ ଜ୍ଞାନ ବାଣ ଯୋଗେ ବସି ତ୍ରିଲୋଚନ

ଛାର କନ୍ଦର୍ପକୁ ଚାହିଁଦେବା ମାତ୍ରେ ହୋଇ ଗଲା ସେ ଦହନ............. ୯୨

ଜ୍ଞାନ ଅଗ୍ନିବାଣେ କାମକୁ ଦହନ କରିଛନ୍ତି ଏକା ଶିବ

ପରମ ପବିତ୍ର ରାମନାମ ତତ୍ତ୍ଵ ବିଷ୍ଣୁଜ୍ଞାନାମୃତ ଭାବ ............୯୩

ରାମନାମ ଓଜ ଶକତିର ବଳେ ଚଳୁଛନ୍ତି ସର୍ବ ଦେହୀ

କୃଷ୍ଣନାମ ବୀଜ ଅଙ୍କୁରିତ ହୋଇ ସରସ ହୋଇଛି ମହୀ ...........୯୪

ହରିନାମ ଭାବ ଜଳେ ପରିପ୍ଳୁତ ହୋଇ ସ୍ରବଇ ଅମୃତ

ସେ ଅମୃତ ପାନ କରି ସର୍ବ ଜୀବ ହୃଦୟେ ଲଭନ୍ତି ତୃପ୍ତ .............୯୫

କୃଷ୍ଣ ନାମାମୃତ ପିଅରେ ମାନସ କୃଷ୍ନ ନାମାମୃତ ପିଅ

ସେ ଅମୃତ ପାନେ କଷ୍ଟ ନ ରହିବ ହରି ଭାବେ ଲୟ ଦିଅ ...........୯୬

ହରେ ରାମ କୃଷ୍ଣ ନାମ ରସ ଏକା ଅଟଇ ଜଗତେ ସାର

ପରମ ଆନନ୍ଦ ଅମୃତଟି ଏହି ବହି ଆସେ ତିନିଧାର ..............୯୭

ବିଷ୍ଣୁ ପଦ ମୂଳୁ ବହି ଯାଉଅଛି ତ୍ରିକୁଟ ତ୍ରିମୁଳା ଭେଦି

ଗଙ୍ଗା ଯେ ଯମୁନା, ସରସ୍ଵତୀ ଏହି ନାମେ ହୋଇଛି ପ୍ରସିଦ୍ଧି .............୯୮

ବିଷ୍ଣୁ ପଦାମୃତ ଏହି ସେ ଅଟଇ ପବିତ୍ର ଜାହ୍ନବୀ ଜଳ

ତହିଁ ସ୍ନାନ କଲେ ବିଷ୍ଣୁ ଜ୍ଞାନ ପାଇ ମିଳେ କୋଟି ତୀର୍ଥ ଫଳ .............୯୯

ଭଜୁ କିନା ହରି ନାମରେ ମାନସ ଭଜ ଏବେ ରାମ ନାମ

ହରେ ରାମ ନାମ ଭଜି ପାରିଲେଟି କୃଷ୍ଣ ନାମେ ହେବ ପ୍ରେମ .............୧୦୦

ବିଷ୍ଣୁ ଜ୍ଞାନାମୃତ ସାର ଏହି ବାଣୀ ହରେ ରାମ କୃଷ୍ନ ରସ

ସୁନିର୍ମଳ ଚିତ୍ତେ ପାଠ କଲେ ନିତ୍ୟେ ନ ରହିବ ଭବକ୍ଲେଶ ..............୧୦୧

ପାତକ ନାଶନ ଗରୁଡ ଆସନ ପରମ ମଙ୍ଗଳ ହରି

ମୀନକେତନକୁ ଦିବ୍ୟ ଜ୍ଞାନ ଦେଇ ଏ ଭବୁ କରିବା ପାରି .............୧୦୨


ମୋକ୍ଷ

ଚଲାପଥ ଅଉ ନାହିଁ ଆଖି ସେପାରିରେ

   ଚାହିଁଦେଲେ ଦିଶେ ଖାଲି ଶୁନ୍ୟ
   ଶୈଶବ, କୈଶୋର କଥା
    ଲିଭିଗଲା ତୁହା ତୁହା ଆଖିର ଲୁହରେ
     ଝାପସା ଦିଶଇ ଯଉବନ
       ନିଃସନ୍ଦେହ ଏ ଯେ
         ଜୀବନର ଚତୁର୍ଥ ସୋପାନ

ଧର୍ମ, ଅର୍ଥ, କାମ ଆଉ ଲୋଡାନାହିଁ

   ଲୋଡାନାହିଁ ମାଟିର ଜୀବନ
    ଏବେ ଖାଲି 
     ମୋକ୍ଷ ପାଇଁ
       ଦେଖୁଛି ସପନ

--୦-- ହରିହର ପ୍ରସାଦ ଶତପଥୀ ମାର୍ଫତ: ପରିବାର ଅଦାଲତ, ରାୟଗଡ


ପରିବାର ଅଦାଲତ, ରାୟଗଡ


ଦୁଇହଜାର ଉଣିଶ ଇଂରେଜୀ ମସିହା ଜାନୁୟାରୀ ଉଣିଶିରେ ଘଟିଗଲା ଯାହା ......୧

ରାୟଗଡ ଇତିହାସେ ନୁଆ ଏକ ପୃଷ୍ଠା ପରିବାର ଅଦାଲତ ହୋଇଲା ପ୍ରତିଷ୍ଠା ......୨

ପାରିବାରିକ ବିବାଦ ସମାଧାନ ପାଇଁ ଅନନ୍ୟ ଏ ଅନୁଷ୍ଠାନ ଆସିଛି ଆଗେଇ ......୩

ସ୍ଵତନ୍ତ୍ର ବ୍ୟବସ୍ଥା ଯେତେ ରହିଛି ଏଥିରେ ଗୋଟି ଗୋଟି କରି ଶୁଣ କହୁଅଛି ଧିରେ ......୪

ଭରଣପୋଷଣ ଅବା ହେଉ ଛାଡପତ୍ର ବୈବାହିକ ଅଧିକାରେ ରହିବା ଏକତ୍ର ......୫

ହେପାଜତ ପାଇଁ ଦାବି ଜନ୍ମିତ ଶିଶୁର ଅଥବା ସ୍ତିରିର ବୈବାହିକ ଅଧିକାର ......୬

ପରିବାର ଅଦାଲତେ ସ୍ଵତନ୍ତ୍ର ଏ ନୀତି ବୁଝାମଣା ଦ୍ଵାରା ଲଭିବାକୁ ସହମତି ......୭

ପବିତ୍ର ବିବାହ ଡୋରୀ ରଖିବାକୁ ବାନ୍ଧି ଆଇନର ସୂକ୍ଷ୍ମ ଜାଲେ ନ ହେବାକୁ ଛନ୍ଦି ......୮

ପ୍ରଦାନ କରିବା ପାଇଁ ତ୍ଵରିତ ଯେ ନ୍ୟାୟ ଅଦାଲତ ଆପଣାନ୍ତି ଅନେକ ଉପାୟ ......୯

କାଉନସେଲର, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟସ୍ଥତା, ବିଶେଷଜ୍ଞ ଯେ ମନୋବିଜ୍ଞାନ ......୧୦

ପ୍ରୟାସ କରନ୍ତି ଯୋଡିବାକୁ ପରିବାର ଅନ୍ୟଥା ଆପୋଷ ବୁଝାମଣାରେ ନଜର ......୧୧

ପରିବାର ଅଦାଲତ ଅଧିନିୟମର ଧାରା ଦଶରେ ରହିଛି ବିଶେଷାଧିକାର ......୧୨

ପରିବାର ଅଦାଲତ ଆଇନ ମହିମା ମାମଲା ସାରିବା ପାଇଁ ତିନିମାସ ସୀମା ......୧୩

ମାମଲା କରିବା ପାଇଁ ନାହିଁ ଅର୍ଥ ବାଧା ଧାରା ପାଞ୍ଚରେ ରହିଛି ସ୍ଵତନ୍ତ୍ର ସୁବିଧା ......୧୪

କୋର୍ଟ ଫି ଛାଡ଼ ଏଠି ସମସ୍ତଙ୍କ ପାଇଁ ଯୋଗ୍ୟ ସ୍ଥଳରେ ମାଗଣା ଓକିଲ ମିଳଇ ......୧୫

ବାଦୀ, ପ୍ରତିବାଦୀ ତେଣୁ ନ ହୁଅ ଚିନ୍ତିତ ବିବାଦର ସମାଧାନ ହୋଇବ ତ୍ଵରିତ ......୧୬

ତ୍ଵରିତ ନ୍ୟାୟ ପାଇବା ଆମ ଅଧିକାର ପରିବାର ଅଦାଲତ କରୁଛି ସାକାର ......୧୭


-୦-

ହରିହର ପ୍ରସାଦ ଶତପଥୀ,Gr-I BC ମାର୍ଫତ- ପରିବାର ଅଦାଲତ, ରାୟଗଡ ୯୬୫୮୧୭୧୬୮୭

ମୁଁ ମରିଗଲା ପରେ .............

ମୁଁ ମରିଗଲା ପରେ

ଅନିତ୍ୟ ମୋ ଦେହ ମୋହରେ ଆଖିକୁ

ଭିଜାଇବନି ଲୁହରେ.........୧

ଲୋଡାନାହିଁ ମୋର ଲୁହର ଆସର

ମୋକ୍ଷ ଲାଗି ମୁଖେ ତୁଳସୀ ପତର

ବିଦାୟ ବାରତା ଭାଇ‌ରାଲ କରି

ଦେବନାହିଁ ଦୁଃଖ କାରେ

ମୁଁ ମରିଗଲା ପରେ.........୨

ଜୀବ ଯିବା ଆଗୁ ଶରୀରକୁ ଛାଡ଼ି

ବିଦାୟ ବେଳାର ସେ ଅମୃତ ଘଡ଼ି

ମୁଁ ଚାହେଁ ପରମ ଭାଗବତ ବାଣୀ

ଶୁଣାଇଦେବ କର୍ଣ୍ଣରେ

ମୁଁ ମରିଗଲା ପରେ.......୩

ଛଅ ଖଣ୍ଡି କାଠେ ଯତନେ ସଜାଡ଼ି

Saraga duare ଦେବ ଶବ ପୋଡ଼ି

ଫେରିବା ବାଟରେ କେ ଯଦି ପଚାରେ

ଏକଥା କହିବ ତାରେ

ମୁଁ ମରିଗଲା ପରେ........୪

କହିବ ତାହାକୁ ହୋଇ ଅତି ଧୀର

ଅସାର ସଂସାରେ କେ ନୁହେଁ ଅମର

ନୂଆଦେହ ପାଇଁ ପୁରୁଣା ତେଜିଛି

ଆସିବି ମୁଁ ଆଉଥରେ

ମୁଁ ମରିଗଲା ପରେ.......୫