ଜୀବନର ଧାରା-ଜିଜ୍ଞାସା


ୱିକିପିଡ଼ିଆ ସହ ମୋର ପରିଚୟ ଦୀର୍ଘ ୭ ବର୍ଷରୁ ଅଧିକ । ତେବେ ଇଁରାଜୀ ୱିକିପିଡ଼ିଆରେ (Wikipedia) ପ୍ରଥମେ ଲେଖାଲେଖି ଅରମ୍ଭ କରିବା ପରେ ହିଁ ମୁଁ ଓଡ଼ିଆ ୱିକିପିଡ଼ିଆ ସହ ପରିଚିତ ହେଲି । ଉଭୟ ୱିକିପିଡ଼ିଆରେ ମୋର କୃତି ସେଭଳି ଆଖିଦୃଶିଆ ନ ହେଲେ ବି ଇଁରାଜୀ ୱିକିପିଡ଼ିଆ ପ୍ରତି ମୋର ଆଗ୍ରହକୁ ନେଇ ଏକ ଅନନ୍ୟ ତଥା ଶିକ୍ଷଣୀୟ ଅନୁଭୂତି ପାଠକଙ୍କ ସହ ବାଣ୍ଟିବାକୁ ଚାହେଁ ।

୨୦୧୨ ମସିହାରେ ଗୁଣପୁର ସହରକୁ ବଦଳି ହୋଇ ଆସି ଦେଖେ ତ ଆମ ଅଫିସରେ ନୂଆ କରି କମ୍ପ୍ୟୁଟର ସହ ଇଣ୍ଟରନେଟ ସଂଯୋଗ ଦିଆଯାଇଛି । ମୋର ତଥା ମୋର ସମସାମୟିକ ସହକର୍ମୀଙ୍କ ମଧ୍ୟରେ ସେତେବେଳେ ଇଣ୍ଟରନେଟ ବିଷୟରେ ଏତେଟା ଜ୍ଞାନ ନ ଥିଲା । କମ୍ପୁଟର ଜରିଆରେ ଇଣ୍ଟରନେଟକୁ ବ୍ୟବହାର କରି ଯେ ଆମେ ସବୁ କିଛି ଜାଣିପାରିବୁ, ଏମିତି ଗୋଟେ ଧାରଣା ମୋର ଅବଶ୍ୟ ଥିଲା । ତେଣୁ ଗୁଗୁଲ୍‌ ବ୍ୟବହାର କରି ମୁଁ ଅନେକ ତଥ୍ୟ ଖୋଜୁ ଖୋଜୁ ଜାଣିବାକୁ ପାଇଲି ଯେ ଇଁରାଜୀ ୱିକିପିଡ଼ିଆ ଅନ-ଲାଇନରେ ଉପଲବ୍ଧ ଏକ ଖୋଲା ଜ୍ଞାନକୋଷ । ଆମ ଦେଶ ବାହାରେ ଆମେରିକାରୁ ଏହା ପରିଚାଳିତ । ଏଥିରେ ସବୁକିଛି ତଥ୍ୟ ସାଇତା ହୋଇ ରହିଛି । ବାସ୍, ତା ପରେ ମୁଁ କୌତୁହଳ ପୂର୍ବକ ଅନେକ ତଥ୍ୟ ଖୋଜିବା ଆରମ୍ଭ କରିଦେଲି । ଗୁଣପୁର ସହର ବିଷୟରେ ମଧ୍ୟ ଅନେକ ତଥ୍ୟ ରହିଥିବାର ଦେଖିଲି । ଏପରିକି ମୁଁ କାର୍ଯ୍ୟ କରୁଥିବା ଅଦାଲତ ସମ୍ମୁଖରେ ଯେ ଏକ ଛୋଟ ତ୍ରିନାଥ ମନ୍ଦିର ରହିଛି ଏକଥାର ଉଲ୍ଲେଖ ମଧ୍ୟ ପାଇଲି । ବାଃ, ମୁ ଚକିତ ହେଲି ଯେ ଆମେରିକାବାଲେ ଏତେ ସଠିକ ତଥ୍ୟ ଦେଇପାରନ୍ତି । ଏଥର ଖୋଜିବା ଆରମ୍ଭ କଲି ମୋର ଜନ୍ମ ସ୍ଥାନ ପଦ୍ମପୁର ଗ୍ରାମ ବିଷୟରେ । ଗୁଗୁଲ୍‌ରେ ଯେତେ ଥର ପଦ୍ମପୁର (Padmapur) ପାଇଁ ତଥ୍ୟ ଖୋଜିବାରୁ ସେଇ ଗୋଟିଏ ଉତ୍ତର ମିଳିଲା "ବରଗଡ ଜିଲାର ପଦ୍ମପୁର" । ଅନେକ ଚେଷ୍ଟା କଲା ପରେ ମୁଁ ଜାଣିଲି ମୋ ଗାଁ ପଦ୍ମପୁର (ରାୟଗଡ଼ ଜିଲ୍ଲା ଅନ୍ତର୍ଗତ) ବିଷୟରେ ଇଁରାଜି ଉଇକିପିଡିଆରେ କୌଣସି ତଥ୍ୟ ନାହିଁ । ଖୋଜୁ ଖୋଜୁ ଦେଖିଲି ଆମ ଜିଲାର ଅନେକ ଛୋଟ ଛୋଟ ଗାଁ ବିଷୟରେ ସମ୍ୟକ ତଥ୍ୟ ଥିଲେ ବି ମୋ ଗାଁ ବିଷୟରେ କିଛି ବି ତଥ୍ୟ ନାହିଁ । ଏଥର ଆମେରିକାବାଲାଙ୍କ ଉପରେ ମୋର ମନେ ମନେ ରାଗ ବଢିଲା । ମୁଁ ଭାବିଲି ମୁଁ ଏକ ପତ୍ର ଲେଖି ୱିକିପିଡ଼ିଆକୁ ଅନୁରୋଧ କରିବି ମୋ ଗାଁ ବିଷୟରେ କିଛି ଲେଖିବାକୁ । ତେବେ କାହାକୁ ଚିଠିଟି ପଠେଇ‌ବି ? ଆଛା, ଭଲ କଥାଟାଏ ମନେପଡିଗଲା । ମୁଁ ଭାବିଲି, ଗୁଣପୁର ବିଷୟରେ ଲେଖିବା ବେଳେ କେହି ତ ଜଣେ ଗୁଣୁପୁର ଆସି ଏତେ ସବୁ ତଥ୍ୟ ସଂଗ୍ରହ କରିଥିବେ । ତାଙ୍କ ଠିକଣା ବାହାର କରି ତାଙ୍କୁ ଅନୁରୋଧଟିଏ କରିବି; ସେ ଆମ ଭାରତ କିମ୍ବା ଓଡ଼ିଶାର ଲୋକ ନିଶ୍ଚେ ହୋଇଥିବେ । ଗୁଣପୁର ସହରର ଲେଖାର ଇତିହାସ (History link) ଖୋଲି ବିଶେଷ କିଛି ପାଇଲି ନାହିଁ । ତେବେ ଦେଖିଲି ଅନେକ ସ୍ଥାନରେ "User:MKar" ଲେଖାଅଛି । ୟାର ଅର୍ଥ କର ସାଜ୍ଞାଧାରୀ କୌଣସି ବ୍ୟକ୍ତି ଏହା ଲେଖିଛନ୍ତି । ଗୁଣପୁର ପ୍ରସଙ୍ଗର ପ୍ରାଞ୍ଜଳତାରୁ ମନେହେଲା କର ସାଜ୍ଞାଧାରୀ ବ୍ୟକ୍ତି ଗୁଣପୁର ଆସି ଏହାର ଭୌଗୋଳିକ ବିଶେଷତ୍ଵ ନିଜ ଆଖିରେ ଦେଖିଛନ୍ତି । ଏମିତି ବି ହୋଇପାରେ ଏଇ ଗୁଣପୁରରେ ସେ ରହୁଛନ୍ତି । ବାସ୍, ତା ପରେ ଆରମ୍ଭ ହେଲା ଗୁଣପୁରର କର-ସାଜ୍ଞାଧାରୀ ବ୍ୟକ୍ତିଙ୍କ ତାଲିକା ସଂଗ୍ରହ । ଗୁଣପୁର ବାସିନ୍ଦା ମୋର ଯେତେ ସବୁ ସହକର୍ମୀ ଥିଲେ ସେମାନଙ୍କ ଠାରୁ ତଥ୍ୟ ଆଦାୟ କଲି ଯେ ଏ ସହରରେ କେତେ କର-ପରିବାର ରହୁଛନ୍ତି । ବାସ, ଦୁଇଟି ପରିବାରର ଠିକଣା ମିଳିଗଲା । ଖୋଜି ଖୋଜି ଯାଇ ସେମାନଙ୍କ ଘର ଆଗରେ ଠିଆ ହେଲି । ଘରର ଅବସ୍ଥା ଦେଖି ମୁଁ ନିଶ୍ଚିତ ହେଲି ଏ ଘର ବ୍ୟକ୍ତି କେବେ ଏତେ ସୁନ୍ଦର ଇଁରେଜୀରେ ୱିକିପିଡ଼ିଆରେ ଲେଖା ଲେଖି ନ ଥିବେ । ଅଧିକ ପଚାରିବା ପାଇଁ ଉଚିତ ନ ମଣି ଫେରି ଆସିଲି । ତାପରେ ମୋର ଜଣେ ବନ୍ଧୁଙ୍କ ପରାମର୍ଶରେ ଫେସବୁକରେ "M. Kar" ଠିକଣା ଖୋଜିବା ଆରମ୍ଭ କଲି । ମାତ୍ର କିଛି ଘଣ୍ଟାରେ କରବାବୁଙ୍କ ପରିଚୟ ପାଇଲି । ସେ ଆଉ କେହି ନୁହନ୍ତି, ଓଡିଆ ଉଇକିପିଡ଼ିଆର ଜଣେ ଆଗଧାଡ଼ିର ଉଇ‌କିଆଳି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ କର । ୟା ପରେ ମୁଁ କରବାବୁଙ୍କ ସହାୟତାରେ ଇଁରେଜୀ ତଥା ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଅନେକ କଥା ଜାଣିବାକୁ ପାଇଲି । ଉଇକିପିଡ଼ିଆରେ ଯେ କେହି ଚାହିଁଲେ ଉପଯୁକ୍ତ ଆଧାର ଦେଇ ପ୍ରସଙ୍ଗଟିଏ ଗଢିପାରିବ, ଏକଥା ଜାଣିବା ପରେ ଇଁରେଜୀ ତଥା ଓଡ଼ିଆ ଉଇକିପିଡ଼ିଆରେ ମୋ ଜନ୍ମମାଟି "ପଦ୍ମପୁର" (Padmapur, Rayagada) ବିଷୟରେ ପ୍ରସଙ୍ଗ ତିଆରି କରିବା ସହ ଓଡ଼ିଆ ଏବଂ ଇଁରେଜୀ ଉଇକିପିଡ଼ିଆରେ ୫୦୦ରୁ ଅଧିକ ପ୍ରସଙ୍ଗ ଯୋଡ଼ିଛି ।

କହିବା ବାହୁଲ୍ୟ, ମୋର ଜିଜ୍ଞାସା ହିଁ ମୋର ଏସବୁ କୃତି ପାଇଁ ପ୍ରେରଣା ଯୋଗାଇବା ସହ ଜୀବନର ଧାରାକୁ ଆଉପାଦେ ଆଗେଇ ନେଇଥିଲା ।

ହରିହର ପ୍ରସାଦ ଶତପଥୀ, ମାର୍ଫତ-ପରିବାର ଅଦାଲତ, ରାୟଗଡ଼ ମୋବାଇଲ ନଂ-୯୬୫୮୧୭୧୬୮

.....................


ଆମ କର୍ତ୍ତବ୍ୟ

ଆମ ସମ୍ବିଧାନ କର ଅଧ୍ୟୟନ ତା ଧାରା କ-ଏକାବନ ଲିପିବଦ୍ଧ ସେଠି ଆମରି କର୍ତ୍ତବ୍ୟ ପାଳିବା ଦେଇ ସମ୍ମାନ

ସର୍ବଜନ ହିତ ଆଦର୍ଶ ସେ ଗ୍ରନ୍ଥ ମାନିବା ତା ଅନୁଶାସନ ଜାତୀୟ ପତାକା ଜାତୀୟ ସଂଗୀତ ସଦା ବଢାଇବା ତା ମାନ

ସ୍ୱାଧୀନତା ସଂଗ୍ରାମର ଯେ ଆଦର୍ଶ କରି ତାକୁ ଅନୁସରଣ ଏ ମାଟି ମାଆର ସନ୍ତାନ ଆମେ ଦେଶ ପାଇଁ ଦେବା ଜୀବନ

ହିନ୍ଦୁ, ଖିରସ୍ତାନ, ବୁଦ୍ଧ ଅବା ଜୈନ ଭାତୃଭାବ କରି ପୋଷଣ ଏ ଦେଶର ସାର୍ବଭୌମତ୍ୱ ସାଙ୍ଗକୁ ଅଖଣ୍ଡତା ରକ୍ଷାର ପଣ

ସୁରକ୍ଷିତ ହେଉ ଦେଶର ସମ୍ପତ୍ତି ତା ସାଥେ ଏ ଦେଶ ସଂସ୍କୃତି ପ୍ରାକୃତିକ ପରିବେଶ ସଂରକ୍ଷଣ ଆମରି କର୍ତ୍ତବ୍ୟ ନିହାତି

ନୂତନ ଏ ଯୁଗେ ବିକାଶ ଲଭୁରେ ଆମ ବୈଜ୍ଞାନିକ ସ୍ୱଭାବ ସବୁରି କ୍ଷେତ୍ରରେ ଉତ୍କର୍ଷ ପାଇଁକି ଉଦ୍ୟମ ନ ହେଉ ଅଭାବ

ପିଲାଏ ଆମର ଭାବି ନାଗରିକ ଏ ଦେଶ-ନାଆର ନାଉରୀ ସଶକ୍ତ ଭାରତ ପାଇଁକି ଶିଶୁଙ୍କ ପ୍ରାଥମିକ ଶିକ୍ଷା ଜରୁରୀ

କର୍ତ୍ତବ୍ୟ ଭୁଲି ଯେ ଅଧିକାର ପାଇଁ ନ ହେବା କଦାପି ଉଚ୍ଛନ୍ନ ପ୍ରଥମେ କର୍ତ୍ତବ୍ୟ ପରେ ଅଧିକାର ଏ ପରା ବିଧିର ବିଧାନ -୦- ..........


ଆମ ଅଧିକାର

ଆମ ସମ୍ବିଧାନ ଅଟେରେ ଅନନ୍ୟ ସୂତ୍ର ଦେଶ ଶାସନର ପରିଛେଦ ତିନି ତା ମଧ୍ୟେ ବର୍ଣିତ ଅଛି ଆମ ଅଧିକାର

ସମ୍ମାନର ସହ ବଞ୍ଚିବା ଏ ଦେଶେ ଅଛି ଆମ ଅଧିକାର ସଭିଏଁ ପାଇବେ ପ୍ରାଥମିକ ଶିକ୍ଷା ନ ରହିବ ନିଜ ପର

ସ୍ଵାଧିନ ଭାଷଣ, ସ୍ଵାଧୀନ ବିହାର ଧର୍ମଗତ ସ୍ଵାଧୀନତା ତା ସାଥେ ଭୋଗୁଛି ଶୋଷଣ ବିରୋଧୀ ଅଧିକାର ଏ ଜନତା

ସାଂସ୍କୃତିକ ଅଧିକାର ସହ ପୁଣି ଶିକ୍ଷାଗତ ଅଧିକାର ପ୍ରତିକାର ଯାହା ସାମ୍ବିଧାନିକ ସେ ତାହା ଆମ ଅଧିକାର

ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଭେଦ ଭୁଲି ସୁବିଧା ସୁଯୋଗ ଏକ ସଭିଏଁ ପଢିବେ ସଭିଏଁ ବଢ଼ିବେ ରଖିବେ ଦେଶର ଟେକ

.....................

ଆମ ନ୍ୟାୟପାଳିକା

ଆମ ଗଣତନ୍ତ୍ର ତା ମଧ୍ୟେ ସ୍ବତନ୍ତ୍ର ଅନନ୍ୟ ନ୍ୟାୟପାଳିକା ନାହିଁ ସରକାରୀ ନିୟନ୍ତ୍ରଣ ଏଠି ସ୍ଵାଧୀନ ବିଧି ତନ୍ତ୍ରିକା

ଉଚ୍ଚତମ ଅଦାଲତ ବା ସୁପ୍ରିମ ଶେଷ ପାହାଚରେ ଉଭା ବିଧି ବ୍ୟବସ୍ଥାର ମଉଡ଼ମଣି ସେ ଦିଲ୍ଲୀରେ ପାଉଛି ଶୋଭା

ସୁପ୍ରିମ ଅଧିନେ ପ୍ରତିଟି ରାଜ୍ୟରେ ଉଚ୍ଚ ନ୍ୟାୟାଳୟ କେତେ ରାଜ୍ୟସ୍ତରରେ ଏ ଶେଷ ଅଦାଲତ ନ୍ୟାୟର ମନ୍ଦିର ସତେ

ଜିଲ୍ଲା ସ୍ତରେ ଜିଲ୍ଲା, ଦୌରା ଅଦାଲତ ମାମଲା ପ୍ରକାର ଘେନି ଉଚ୍ଚ ନ୍ୟାୟାଳୟ ଅଧିନ ଏ ସବୁ ଫୌଜଦାରୀ ବା ଦେବାନୀ

ଶିଶୁ ଅଦାଲତ ବିଚାର ସ୍ବତନ୍ତ୍ର ଶିଶୁ ମନସ୍ତତ୍ବ ସାହା ବାଳ ଅପରାଧୀ ସୁଧାର ଗୃହରେ ଗଢ଼ଇ ଜୀବନ ନୁଆଁ

ବିଳମ୍ବିତ ନ୍ୟାୟ ଥିଲା ବିଡ଼ମ୍ବିତ ତ୍ବରିତ ନ୍ୟାୟର ବେଳ କେତେ ଯେ ସ୍ବତନ୍ତ୍ର ଅଦାଲତେ ଆଜି ଫୈସଲା ହୁଏ ସଅଳ

             -୦-

...


ଆମ ଆଇନ-୧

ଆମ ଗଣତନ୍ତ୍ର ଅଟଇ ସ୍ବତନ୍ତ୍ର ଅଛି ଅନନ୍ୟ ବ୍ୟବସ୍ଥା ସମ ଅଧିକାର ସମାନ ସୁଯୋଗ ଶସ୍ତା ନ୍ୟାୟ ସହାୟତା

ଅଣଚାଳିଶ-କ ସମ୍ବିଧାନ ଧାରା ଦେଇଅଛି ବରଦାନ ଲାଗୁ ହୋଇଅଛି ଜାତୀୟ ଆଇନ ପ୍ରାଧିକରଣ ଆଇନ

ଜାତୀୟ ସ୍ତରରୁ ଲମ୍ବିଛି ବ୍ୟବସ୍ଥା ରାଜ୍ୟ, ଜିଲ୍ଲା ଓ ତାଲୁକ ଲକ୍ଷ୍ୟ ରହିଅଛି ସୁଲଭ ଆଇନ ଅର୍ଥ ନୋହିବ ବାଧକ

ଶିଶୁ, ଭିନ୍ନକ୍ଷମ, ମହିଳା ଓ ବନ୍ଦୀ ଆଦିବାସୀ, ହରିଜନ ଅଥବା ଯାହାର ଏକଲକ୍ଷ ଠାରୁ କମ ବାର୍ଷିକ ଅର୍ଜନ

ପ୍ରାକୃତିକ ଅବା ସମୂହ ଆପଦା ବିପର୍ଜୟରେ ପୀଡିତ ଶିଳ୍ପ କର୍ମଜୀବୀ, ମାନସିକ ରୋଗୀ ଏ ତାଲିକା ଅନ୍ତର୍ଭୁକ୍ତ

ମାଗଣା ଆଇନ ସହାୟତା ତଥା ଅଦାଲତ ଫିସ ଛାଡ ଏଥିଲାଗି ଯୋଗ୍ୟ ବିବେଚିତ ହୋନ୍ତି ଜିଣି ପାରିବେ ସେ ଗଡ଼

...........


ଆମ ଗଣତନ୍ତ୍ର

ଆମ ଲୋକତନ୍ତ୍ର ଦେଶ ଶାସନ ମୁଖ୍ୟ ମୂଳଦୁଆ ତିନୋଟି ଜାଣ

ବିଧାୟିକା, ନ୍ୟାୟପାଳିକା ପୁଣି କାର୍ଯ୍ୟପାଳିକାର ସହିତ ତିନି

ଚତୁର୍ଥ ସ୍ତମ୍ଭ ତା ମିଡ଼ିଆ ଜାଣ ଚାରି ସ୍ତମ୍ଭେ ଯୋଡ଼ା ଏ ଦେଶ ମାନ

ସଂସଦର ଦୁଇ ଗୃହେ ବସିଣ ବିଧାୟିକା ଗଢ଼େ ଆମ ଆଇନ

କାର୍ଯ୍ୟପାଳିକାର ତତ୍ତ୍ଵାବଧାନ କାର୍ଯ୍ୟକାରୀ ହୁଏ ଆମ ଆଇନ

ଆଇନ ପାଳନ ନ ହେଲେ ଏକା ବିଚାର ଓ ଦଣ୍ଡ ନ୍ୟାୟପାଳିକା

ଜାଗ୍ରତ ପ୍ରହରୀ ପ୍ରାୟ ମିଡ଼ିଆ ସବୁରି ସାଥିରେ ହୁଅଇ ଠିଆ

ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ଗଣ ମାଧ୍ୟମରେ ଦେଖାଇ ନିତି

ଖବର ସାଙ୍ଗକୁ ଶିକ୍ଷା ସଂସ୍କୃତି ଜନମାନସରେ ଆଣେ ଜାଗୃତି

ଗଣତନ୍ତ୍ରର ଏ ବିଧି ବ୍ୟବସ୍ଥା ଦେଶବାସୀ ମନେ ଆଣିଛି ଆସ୍ଥା ....................................


ଆମ ସମ୍ବିଧାନ 

ସ୍ଵାଧୀନତା ରଣେ ତଡ଼ି ଗୋରା-ବଇରୀ

ଆମରି ନାଆଁରେ ହେଲୁ ଆମେ ନାଉରୀ

ଭାରତ ଶାସନ ପାଇଁ ହୋଇଲା ଲୋଡ଼ା

ସର୍ବଜନ ହିତ ଶାସନର ଖସଡ଼ା

ଜ୍ଞାନୀଗୁଣୀ ଭରା ସମ୍ବିଧାନ ସଭାର

ଅଧ୍ୟକ୍ଷ ରହିଲେ ଡ଼୍ଃ ଆମ୍ବେଦକର

ସମ୍ବିଧାନ ପ୍ରଣୟନ କମିଟି ଗଢି

ଭାରତର ସମ୍ବିଧାନ ଦେଲେ ସଜାଡ଼ି

ଉଣୀଶ ଉଞ୍ଚାଶ ନଭେମ୍ବର ଛବିଶି

ଗୃହୀତ ହୋଇଲା ଉକ୍ତ ସଭାରେ ଆସି

ଏଥୁଅନ୍ତେ ଦୁଇ ମାସ ହେଲା ଅନ୍ତର

ନୂଆ ସମ୍ବିଧାନ ଲାଗୁ ହେଲା ଏଥର

ଜାନୁଆରୀ ଛବିଶି ଉଣୀଶ ପଚାସ

ଜନ୍ମ ନେଲା ଆମ ଗଣତନ୍ତ୍ର ଦିବସ

ହରିହର ପ୍ରସାଦ ଶତପଥୀ, ମାର୍ଫତ-ପରିବାର ଅଦାଲତ, ରାୟଗଡ଼ ମୋବାଇଲ ନଂ-୯୬୫୮୧୭୧୬୮ ..............................

     --ହାରିବୁନି ଆମେ--

ଆସ କୁନା, ମୁନା ବାବୁଲା ଖୁସି

କରିବା ଯୋଜନା ଏକାଠି ବସି

କରୋନା ବିରୁଦ୍ଧେ ଯେଉଁ ସମର

ସାମିଲ ହୋଇବା ହୋଇ ନିଡ଼ର

ମୁଖେ ପିନ୍ଧି ମାସ୍କ ଧୋଇବା ହାତ

ଛଅ ଫୁଟ ସାମାଜିକ ଦୂତତ୍ଵ

ବଜାର ଖାନାକୁ ନ କରି ଅଳି

ଅଯଥା ବାହାରେ ନ ହେଉ ମେଳି

ବୟସ୍କ ଲୋକଙ୍କ ନେବା ଯତନ

ଘରେ ପଢୁଥିବା ଅନ- ଲାଇନ

ସମୟାନୁସାରେ ଟୀକାକୁ ନେଇ

କରୋନାକୁ ମାରି ହେବା ବିଜୟୀ


ହରିହର ପ୍ରସାଦ ଶତପଥୀ, ମାର୍ଫତ-ପରିବାର ଅଦାଲତ, ରାୟଗଡ଼ ମୋବାଇଲ ନଂ-୯୬୫୮୧୭୧୬୮୭


ଦାଦନ

ଦାଦନ ଜୀବନ ଏଡ଼େ ହୀନିମାନ

ବଞ୍ଚିବା ତା ପାଇଁ ଯନ୍ତ୍ରଣା

ଜନମୁ ମରଣ ସହେ ସେ କଷଣ

ଚିନ୍ତା ଏକା ପେଟ ପାଟଣା.....୧

ଏନ୍ତୁଡି ଶାଳରୁ ଗୋଡ଼ାଇଛି ଦୁଃଖ

ଶୈଶବେ ପରା କୁପୋଷଣ

କିଶୋର କାଳରେ ଶିକ୍ଷା, ଦୀକ୍ଷା ବିନା

କଳୁଷିତ ଯାର ସପନ.......୨

ସେ ଆମ ଓଡ଼ିଆ ଏ ମାଟି ସନ୍ତାନ

ବଞ୍ଚିବାର ରାହା ନ ପାଇ

ଦାଦନ ସାଜିଛି ସୁଦୂର ସୁରାଟେ

ଜନମ ମାଟିରୁ ଦୁରେଇ.......୩

ତଥାପି ଭୁଲିନି ଏ ମାଟି ମମତା

କୋଇଲିର କଳା କୁହୁକ

ସରଳ ତରଳ ପଲ୍ଲୀ ଜୀବନ

ମନରେ ଜଗାଏ ପୁଲକ.....୪

ଅଭାବୀ ଜୀବନ ନାହିଁ ବନ୍ଧୁଜନ

କରୋନା ବିପତ୍ତି କାଳରେ

ଦାଦନ ଫେରୁଛି ଜନମ ମାଟିକୁ

ନିଶ୍ଚିନ୍ତ ହେବ ଯା କୋଳରେ.....୫

       -୦-


ଦୂରନ୍ତ

ସମୟର ଅଛିଣ୍ଡା ଖିଅରୁ

ଭାରି ଭଲ ଲାଗେ

ଦୂରନ୍ତ ସେ

ମରୀଚିକା ବୁଣୁଥିବା ଖିଅଟା

ଯେମିତି...

ଥୁଣ୍ଟ। ଏକ ଗଛ ତଳେ

ଠିଆ ହେଲେ

ଚମତ୍କାର ଦିଶୁଥାଏ

ଦୂରନ୍ତ ସେ ପାହାଡି ଝିଅଟା

ମୁଁ ତୁମକୁ ଭଲ ପାଏ ........................

ମୁଁ ତୁମକୁ ଭଲ ପାଏ

ହେଲେ ଏତେ ନୁହେଁ

ଯେତେ ଜଣେ ଗାନ୍ଧୀ ଭଲ ପାଏ ମଣିଷକୁ

ମାଓ-ସେ-ତୁଂ ଭଲ ପାଏ ଖଟିଖିଆକୁ

ଗୋପବନ୍ଧୁ ଭଲପାଏ ଗରୀବକୁ, ସର୍ବହରା ମଣିଷକୁ

ତଥାପି ମୁଁ ତୁମକୁ ଭଲ ପାଏ ?

ଭଲ ପାଏ ବୋଧେ ତୁମ ରକ୍ତ ଆଉ କଂଚା ମାଂସ

ତୁମ ଯଉବନର ଆଦ୍ୟ ଆଉ ମଧ୍ୟ ପର୍ବ

ଶେଷ ପର୍ବରେ ତ ଆସିଯିବେ ଗାନ୍ଧୀ ଅବା ଗୋପବନ୍ଧୁ

ମୁଁ ବୋଧେ ଲୁଚି ଲୁଚି ପୋଛୁଥିବି

ଲୁହ ଆଉ ରକ୍ତ । ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌......................


ଭଗବାନ ଅଛ କାହିଁ

.............. ଭଗବାନ ଅଛ କାହିଁ

ବିଶ୍ବ ବିଜ୍ଞାନୀ ଖୋଜିଲେ ତୁମକୁ

ଦିନେ କହୁଥିଲେ ନାହିଁ

ଭଗବାନ ଅଛ କାହିଁ ?

ମୁନି ରୁଷି ଅବା ଖୋଜିଲେ ବନସ୍ତେ

ଭକତେ ଖୋଜିଲେ ଯୋଡି ବେନି ହସ୍ତେ

ତୁମେ ସର୍ବ-ବ୍ୟାପି ତୁମରି ଠିକଣା

ବିଜ୍ଞାନ ପୃଷ୍ଠାରେ ନାହିଁ

ଭଗବାନ ଅଛ କାହିଁ ?

ଅଣୁ ପରମାଣୁ ତା ମଧ୍ୟେ କଣିକା

ସର୍ବବ୍ୟାପି ସେହି ଭଗବାନ ଏକା

ସତ୍ୟ ଯେ ଈଶ୍ବର ଜ୍ଞାନର ଭଣ୍ଡାର

ବିଶ୍ବାସେ ଈଶ୍ବର ପାଇ

ଭଗବାନ ଅଛ କାହିଁ....୩


ଅନାବନା ଭଜନ

ଦୁଃଖ ହାରି ହୋଇ ଦୁଃଖ ନ ହାରିଲୁ ଚାହିଁ ଲୁନି ଆଡ଼ ଆଖି ରେ... ମୋ ଗୁହାରି କିଵା ନ ଶୁଭଇ ତୋତେ ଦିଶୁନି କି ଚକା ଆଖିରେ..୧

କେଉଁ ଭରସାରେ ଭଜିବି ତୋତେ ମୁଁ ମନେ ହେଜି ହୁଏ ବାଇ ରେ. ଜଗତର ନାଥ ଵୋଲାଊଛୁ ମିଛେ ତୋଠାରେ ଭରସା ନାହିଁ ରେ..୨

ଦାରୁ ମୁରତି ତୋ ପାଷାଣ ହେଲାକି ଘୋର କଳି କାଳ ପ୍ରଭାବେ... ପାପ ତାପେ ସନ୍ତାପିତ ମୁହିଁ ଦୀନ ହୀନ ମତି ଅଟେ ସ୍ୱଭାଵେ.....୩

ମିଛେ ତୁ ଵୋଲାଉ ଦୀନଜନ ଵନ୍ଧୁ ଦୁଃଖ ହାରୀ ନାମ ପାଇଛୁ... ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଆଖି ବୁଜି ଦେଇଛୁ......୪

ଏ କଳି ଯୁଗରେ କେତେ ଆଶା ନେଇ ଭକତ ଯାଏ ତୋ ମନ୍ଦିରେ. ଦୁଃଖ ଜଣାଇ ତୋ ପୟରେ ଲୋଟଇ ମୁକତି ଲଭିଵା ଆଶାରେ...୫

ବାରମାସେ ତେର ବ୍ରତ ସେ ପାଳଇ ପୂଜା ଆରାଧନା ଅନେକ... ତୋର ପ୍ରିତି ଅର୍ଥେ କେତେ ଦାନ ପୁଣ୍ୟ ନାମ ଭଜନ ମାନସିକ....୬

କହ କାହା ଡାକ ଶୁଣି ଅଛୁ ଅବା ଉଦ୍ଧରିଛୁ କେଉଁ ଦୁଃଖିକୁ.... ନିରାଶେ ଦୁଃଖିଏ ଛାଡ଼ିଲେ ତୋ ଆଶ ଧନ୍ୟ ତୋ ପାରିବାପଣକୁ.୭

ଆସ୍ତିକ ମନରେ ସନ୍ଦେହ ଜନମେ ନାସ୍ତିକ ନ ନିଏ ତୋ ନାମ... ଏରୁପେ ଏ କାଳେ ତୁହି ଆଚରିଲେ ଦୁଃଖି କରମ ହେବ ବାମ.....୮

ତୁ ଯଦି ସତରେ ଜଗଜ୍ଜନ ଵନ୍ଧୁ ଜଗତ କାରଣ ତାରଣ..... ତୋ ଶରଣାଗତ ଦୁଃଖି ଜନ ଯେତେ କର ତାଙ୍କ ଦୁଃଖ ହରଣ....୯

କରୁଣାର ସିନ୍ଧୁ ନାମ ତୁ ଵହିଛୁ ନାମକୁ କରିଯା ସାର୍ଥକ...... ଵାଣ୍ଟିଦେଇଯା ତୋ କରୁଣାର ବିନ୍ଦୁ ଦୁଃଖୀଜନେ ଛନ୍ତି ଯେତେକ..୧୦

ଏଇ ତୋ ଜଗତେ ହେଉ ଅବିରତେ ସତ୍ୟ ଧର୍ମର ସଦା ଜୟ..... ପୂଣ୍ୟକର୍ତ୍ତା ପାଉ ତୋ ଆଶୀଷ ହେଲେ ପାପୀ ନର୍କେ ହେଉ ବିଲୟ......୧୧

ମଣିଷ ଜୀବନ ଲଭି କିସ ଲାଭ ମଣିଷ ପଣିଆ ନ ଥାଇ.... ବୃଥା ଯିବ ସିନା ଏ ଦିଵ୍ୟଜୀବନ ଅନ୍ତରେ ତୋ ନାମ ନନେଇ...୧୨

ମଣିଷ ଜୀବନ ଅଟଇ ଦୁର୍ଲଭ ଦୟା କ୍ଷମା ତାର ଭୁଷଣ.... ତୋହରି ଦୟାରୁ ମାନଵ ସମାଜେ ଶୁଦ୍ଧ ହେଉ ତା ଆଚରଣ..୧୩

ତୋର ଏ ଜଗତେ କର୍ମଫଳ ମତେ ସୁଖ ସାଥେ ଦୁଃଖ ରଖିଛୁ.. ତୋ ଶରଣାଗତେ ତୁ ଖାଲି ଦୁଃଖଦେଇ କେଉଁଯଶ ଅବା ପାଉଛୁ..୧୪

ମିଛ ନାମ ତୋର ଭକ୍ତଜନ ଵନ୍ଧୁ ଦୁଖ ହାରି ମିଛେ ଵୋଲାଉ.... ପ୍ରାଣୀଙ୍କ ଆରତ ଦେଖି ନ ଦେଖିଲାଭଳି କେମିତି ବା ତୁ ରହୁ...୧୫

ଗୀତା ଭାଗବତ ପୁରାଣରେ ଅଛି ତୋ ଗୁଣ ଗାରିମା ଝଲକ.. ସାଧୁ ତାରିଵାକୁ ଦୁଷ୍ଟ ମାରିଵାକୁ ନେଲୁ ଅବତାର ଅନେକ....୧୬

ଏ କଳି ଯୁଗରେ କେଉଁ ମନ୍ଦିରରେ କି ରୂପରେ ଅବା ରହିଛୁ.... ସନ୍ଥ ତାରିଵାକୁ ଦୁଷ୍ଟେ ମାରିବାକୁ ଏତେ ଡେରି କିଆଁ କରୁଛୁ....୧୭

ଭକ୍ତ ବିନୋଦିଆ ନାମ ଵହି କିଆଁ ଚାହୁଁ ନାହୁଁ ଆଡ଼ ଆଖିରେ.... ଶୁଭୁନାହିଁ ତୋତେ ଆରତ ଗୁହାରୀ କେମିତିକା ପ୍ରଭୁ ତୁହି ରେ...୧୮

ତୋ ନାମ ଅମୃତ ଶୁଦ୍ଧଭାଵଗତ ପାପ ନାଶେ ଵୋଲି ଶୁଣିଛି.... ତୋର ନାମ ଡାକି ଗଲିଣି ମୁଁ ଥକି ବଧିର ହେଲୁ କି ଭାଵୁଛି.....୧୯

ତୋତେ ଡାକି ଡାକି ଗଲି ମୁହିଁ ଥକି ଦୁଃଖ ତ ନ ଗଲା ମୋହରି... ଦୀନବନ୍ଧୁ ନାମ ବହିଛୁ ମିଛରେ କାରେ ମୁଁ କରିଵି ଗୁହାରୀ......୨୦

ମିଛ ଦୁନିଆରେ ସବୁ ତ ଅନିତ୍ୟ ଜନମ ମରଣ ଖେଳ ରେ.... ଦୁଃଖହାରୀ ଦେଖା ନମିଳିଲା ମୋତେ ମୋର ଏଇଦୁଃଖଵେଳରେ.୨୧

ତୁମରି ଆଦେଶେ ଚଳମାନ ଯଦି ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରାଏ.... ପ୍ରତିଟି ଶରୀରେ ତୁମ ସତ୍ତା ପରା ରହିଛି କଣିକା ପରାଏ....୨୨

ଜଗତ କରତା ସନ୍ତାନ ସଭିଏଁ ପିତା ମାତା ଯଦି ସେହିରେ..... ତେବେକିଆଁ ଏତେ ଭେଦଭାବ ଆଉ ସୁଖଦୁଃଖ ଭରା ମହୀରେ..୨୩

କରମ ଫଳରୁ ମୁକତି ନାହିଁତ ସୁକର୍ମେ ଯଦ୍ୟପି ମୁକତି .... ଅଜାମିଳ ପାପୀ ଥରେମାତ୍ର ଡାକି କି ଭାଵେ ଲଭେ ସଦଗତି...୨୪

ଏ ଧରା ଧାମରେ ଭକତେ ଆରତେ ଡାକି ଡାକି ଗଲେ ଥକି ଯେ... ଦୁଃଖୀ ଦୁଃଖ ଏଣେ ସରୁନାହି ତେଣେ ପାପୀକୁ କରିଛୁ ସୁଖୀ ଯେ..୨୫

ତୋ ଦୟାର ଯଦି ନାହିଁ ପଟାନ୍ତର ତୁ ଯଦି ଦୟାର ସାଗର... ଅସାର ସଂସାର ଛନ୍ଦି ହୁଏ ଧନ୍ଦି ଭୋପ୍ରଭୁ ମୋତେ ତୁ ଉଦ୍ଧର..୨୬

ଜଗତ କରତା ତୁ ଵିଶ୍ଵ ନିୟନ୍ତା ଜଗତ ଜନର ବନ୍ଧୁ ଟି..... ଦୁଃଖଵେଳେ ଦେଖା ନଦେଇ ମୋସଖା ପରଖୁ ମୋ ଟାଣପଣଟି..୨୭

ନାନା ଅଵତାରେ କରୁ ଲୀଳା ଖେଳା ଭକତ ଉଦ୍ଧାର ପାଇଁ କି.... ଏ କଳି ଯୁଗରେ ଦୁଷ୍ଟ ଵିନାଶନେ ଏତେ ଡେରି କରୁ କାହିଁକି...୨୮

ମର୍ତ୍ତ୍ୟରେ ଦେଇଛୁ ଦୁର୍ଲଭ ଜୀବନ କରିଵାକୁ ତାହା ସାର୍ଥକ... ତୋ ଗୁଣ ଗାରିମା ଅନୁସରି ହେବି ଦୀନ ଦୁଃଖୀ ଜନ ସେଵକ....୨୯

ନିଷ୍କାମ ସେବା ତୋ ଚରଣେ ସମର୍ପି କର୍ମେ ଜିଇଵି ଏ ଜୀବନ... ତୋପାଶେ ଫେରିଲେ ହିସାଵ ଦେଵାରେ ଉଣା ନହେବଟି ମୋ ମନ.୩୦

ଭକ୍ତି ରସେ ଭରିଦିଅ ମୋ ହୁଦୟ ଦାସଭାବ ଅନୁରକ୍ତି ଯେ.. ଜୀଵନ ଜଞ୍ଜାଳ ସାଥେ କର୍ମଫଳ ସହିବାକୁ ଦେଵୁ ଶକ୍ତି ଯେ....୩୧

ତୋ ପାଦେ ଶରଣ ଦେବୁ ନାରାୟଣ ରଖି ଥିବୁ ଭକ୍ତି ନିଶାରେ..... ତୋ ପାଦ ପଦ୍ମରେ ଲୋଟି ରହିଥିବି ତୋ ଅଭୟ ବର ଆଶାରେ....୩୨

ଆରତ ତାରଣ ଜଗତ କାରଣ ହେ ପ୍ରଭୁ ଅନାଥର ନାଥ.... ତୋହରି ଚରଣ ଗଲି ମୁଁ ଶରଣ ଦେଖାଅ ମୋତେ ତୁ ସୁପଥ...୩୩


.......................... ଖୋଲା ଚିଠି

ଏଇ ମୋର ଖୋଲା ଚିଠି ପ୍ରାପ୍ତେଷୁ ଶ୍ରୀମାନ ମୁଖ୍ୟମନ୍ତ୍ରୀ ମାରଫତ ଓଡିଶା ଶାସନ.....୧

ଦୁଇ ଦଶନ୍ଧିରୁ ବେଶି କରିଲ ରାଜୁତି ସ୍ଵପନେ ଦେଖିଛ ଖାଲି ଏ ରାଜ୍ୟ ଉନ୍ନତି ?....୨

ତୁମ ହାତେ ଆଜି ଓଡିଆଙ୍କ ଭାଗ୍ୟ-ଡୋରି ଚହଟିବ ଆମ ଭାଷା, ଏ ମାଟିର ଶିରୀ....୩

ଭାଷା ଭିତ୍ତିରେ ଯଦିଚ ଆମ ରାଜ୍ୟ ଗଢ଼ା ଓଡ଼ିଆ ଭାଷା ଏଇଠି ଖାଏରେ କଚଡା.....୪

ଖଣି ଖାଦାନ ସହିତ ପ୍ରକୃତି ଭଣ୍ଡାର ମାନବ ସମ୍ବଳ ଏଠି ଅଛି ଭରପୁର.....୫

ରାଇଜ ମୁଖିଆ ଯଦି ପ୍ରଜା ହିତ ପାଇଁ ରାଜ୍ୟ ଉନ୍ନତିର ସ୍ଵପ୍ନ ଦେଖି ନ ପାରଇ....୬

ମାତୃଭାଷା ଆଉ ମାତୃଭୂମିର ଉନ୍ନତି ଗୌଣ ଯିଏ ଭାବେ ନୁହେଁ ଗୁଣୀରେ ଗଣତି....୭

ଜୀବିକା ଅଭାବେ ଆଜି ଓଡ଼ିଆ ସନ୍ତାନ ରାଜ୍ୟ ବାହାରକୁ ଯାଇ ସାଜିଛି ଦାଦନ .....୮

ତାଙ୍କ ଦୁଃଖ ଦେଖି ଯଦି ଝରାଇଛ ଲୁହ ହୃଦୟ ଭିତରୁ ଯଦି ବାହାରିଛି କୋହ.....୯

ଗାନ୍ଧୀ, ଗୋପବନ୍ଧୁ ଯଦି ଆଦର୍ଶ ତୁମର ତାଙ୍କରି ଅଧୁରା ସ୍ଵପ୍ନ କର ହେ ସାକାର....୧୦

ଲକ୍ଷ ଲକ୍ଷ ଦାଦନଙ୍କ ଲୁହର କାହାଣୀ ଚିଠିରେ ଜଣାଇ ଦେଲି ରାଜା ଗୁଣ ଗୁଣି....୧୧

ଏ ରାଜ୍ୟ ମଉଡ଼ମଣି ନିକଟେ ମିନତୀ ଆମ ରାଜ୍ୟ ଆମ ଭାଷା ଦୁହିଁଙ୍କ ଉନ୍ନତି....୧୨


...............................


କରୋନା

ଏଇ ଶତାବ୍ଦୀର ନୂଆ ଆତଙ୍କ ଚାଇନା ମାଟିରେ ଦେଇଛି ଡାକ......୧

ଖାଉଛି ମଣିଷ ଯାଉଛି ମାଡି ଏ ଦେଶୁ ସେ ଦେଶ ପଵନେ ଉଡ଼ି.....୨

ଚାଇନା ସନ୍ତାନ ଏ ମହାମାରୀ କେତେଯେ ଦେଶକୁ ପଡିଲା ଭାରି.....୩

କରୋନା ନାମରେ ଏହି ଅଶିବ ଶଵ ପାହାଡ଼ରେ ଖେଳେ ତାଣ୍ଡବ.....୪

କେତେ ଯେ ଜୀବନ ଗଲାଣି ଖାଇ ତ୍ରାହି ତ୍ରାହି ଡାକେ ଥରୁଛି ମହୀ.....୫

କିଏ କହେ ଏ ତ କଳିର ଅନ୍ତ ପାପୀ ଯିବେ ମରି ରହିବେ ସନ୍ଥ.....୬

ଅବା ହେଇପାରେ ଦଇବୀ କୋପ ପାପୀ ନାଶିବାକୁ ଅମୋଘ ତୋପ.....୭

ଚାଇନା ଖାନାର ଜୀଵେ କଷଣ ପ୍ରଭୁ ସହିଲେନି ମାରିଲେ ବାଣ.....୮

ଏ ସବୁ ଗୁଜଵ ନ ମାନ ସତ ମୁକାବିଲା ପାଇଁ ହୁଅ ପ୍ରସ୍ତୁତ.....୯

ବିଶ୍ୱ ଆତଙ୍କ ଏ ଅକାଳ କାଳ ଆସ ମିଶି ଉପାଡିବା ସମୂଳ.....୧୦

................................. ଦୈନିକ ଧରିତ୍ରୀରେ ପ୍ରକାଶିତ

ଈତିପାଇଁ ଗୀତିଟିଏ

ଆଦ୍ୟ ବସନ୍ତର ଈତି

ମାଗୁଥିଲା ଭିକ୍ଷା ନୁହେଁ, ହକ୍ ଜୀବନର

ଚଢୁଥିଲା ପାହାଚ

କଞ୍ଚାମାଂସ ଲୋଭୀ ସୈତାନ ବଜାରେ

ଖୋଜୁ ଖୋଜୁ ନର ଦେହେ ନାରାୟଣ ସତ୍ତା

କୁଢ କୁଢ ସପନରେ ଜଳିଗଲା ଜୁଇ

ହଜିଗଲା ବେଦନାର ସ୍ଵର

ଚାନ୍ଦ ତେବେ କେମିତି ବା ଭୁଲିଗଲା

ନିଜ ଧର୍ମ ?

ଏଠି ତ ମାସ ସାରା ଅମା ଅନ୍ଧକାର

...................................

ଦାନୁ ମାଝି

ଦାନୁ ମାଝି ସେ ତ ଅମୃତ ସନ୍ତାନ

ଧନ୍ୟ କହିବଇଁ ତାକୁ

ନିଷ୍ପାପ, ସରଳ,ମନ ନିରିମଳ

ଧନ୍ୟ ତା ପାରିଲା ପଣକୁ,......୧

ଜାଣେନା ସେ ଆମ ହୀନ ରାଜନୀତି

କଳୁଷିତ ଗଣତନ୍ତ୍ର

ମଳିମୁଣ୍ଡିଆ ସେ କର୍ମେ ତା ବିଶ୍ଵାସ

କର୍ମ ତା ଜୀବନ ମନ୍ତ୍ର.........୨

ସ୍ତିରୀ ଥିଲା ତାର ଜୀବନ ଦୁଃଖୀନି

ବଞ୍ଚିବାର ଆଶା ଛାଡ଼ି

କହିଲା ଦାନୁକୁ ମୋ ଅନ୍ତେ ମୋ ଶବ

ଦେବନି କାହିଁ ଫୋପାଡ଼ି….......୩

ମୋ ଗାଆଁ ମଶାଣି ପୁଣ୍ୟ ପୀଠରେ

ମୋ ଶବକୁ ଦେବ ଜାଳି

ଝିଅ କଥା ପରା ଲାଗିଲା ତୁମକୁ

ଏତିକି ମାତ୍ର ମୋ ଅଳି .........୪

ଦାନୁର ଜୀବନ ଏଡ଼େ ହୀନୀମାନ

ସ୍ତିରୀ ଗଲା ଆର ପାରିକି

ଶହେ ଆଠ ଗାଡି ନ ପାଇ ବିଚରା

ଦଉଡେ ଏଣିକି ତେଣିକି.........୫

ଦାନୁ ବିଚରାର ମନ ଛଟପଟ

ସ୍ତିରୀ କଥା ମନେ ହେଜିକି

ଭାବେ ମନେ ଭୋଳା ଜୀବନ ସାଥୀକୁ

ମୋ କାନ୍ଧେ ନେବି ମୁଁ ବୋହିକି......୬

ଏମନ୍ତ ଭାଳି ସେ ଉଠନ୍ତେ ତ୍ବରିତେ

ସାହା ତା ଦଇବ ହୋଇଲା

ଦାନୁ କାନ୍ଧେ ହେଲା ଶତ ସିଂହ ବଳ

ସାଥିକୁ ତା କାନ୍ଧେ ଥୋଇଲା .....୭

ଝିଅକୁ କହଇ କାନ୍ଦେନି ମାଆଲୋ

ଏ ଆମ ଜୀବନ ରୀତି

କଥା ଦେଇଥିଲି ମାଆକୁ ତୋହର

ସେଇ ମୋ ଜୀବନ ସାଥୀ ... ... ୮

ନିର୍ବିକାର ଦାନୁ ଚାଲଇ କାନ୍ଧରେ

ଜୀବନ ସାଥୀର ଶବ

ଦେଖୁଲା ଦୁନିଆ ଧନ୍ୟ ସେ ଦାନୁ

ଧନ୍ୟ ତା ପୀରତି ଭାବ ... ... ୯

........................

କବିତା ଲେଖେ ମୁଁ

ଭୁଲି ଜୀବନର ସକଳ ଦୁଃଖ

ଆପଦେ ବିପଦେ ନୋହି ବିମୁଖ

କି ଅବା ବିଷାଦ କି ଅବା ସୁଖେ

କବିତା ଲେଖେ ମୁଁ

କବିତା ଲେଖେ .......୧

ଏ ମନ ବଣରେ ଲାଗିଲେ ନିଆଁ

କେହି ନ ଜାଣନ୍ତି ବାହାରେ ଧୁଆଁ

ତଡି ଦେଇ ମନୁ ସକଳ ଦୁଃଖେ

କବିତା ଲେଖେ ମୁଁ

କବିତା ଲେଖେ .......୨

କବିତା ମୋ ପ୍ରାଣ ଜୀବନ ତରୀ

ବିହୁନେ ତାହାରି ଯିବି ମୁଁ ମରି

ଇଂଗିତେ ତାହାରି ଚାଲି ମୁ ଶିଖେ

କବିତା ଲେଖେ ମୁଁ

କବିତା ଲେଖେ .......୩

କରୁଣାମୟଂକୁ ଅଧମ ମୁହିଁ

ଜୀବନେ ତ କିଛି ପାରିନି ଦେଇ

ତେଣୁେ ବିଭୁ ବଂଦି ହରଷେ ଦୁଃଖେ

କବିତା ଲେଖେ

କବିତା ଲେଖେ .......୪

.... ପ୍ରିୟା

ମୃତ୍ୟୁ ତୁମେ ଶୁଣ

ତୁମକୁ ମୋ ରାଣ

ଆସିବନି ମୋ ପ୍ରିୟାର ନିଦୁଆ ଆଖିରେ

ଯଦି ସିଏ ହଜି ଅବା ମଜ୍ଜି ଯାଇଥିବ

ମିଠା ମିଠା ସପନର ଭସା ବାଦଲରେ

ଅବା ଯଦି

କଦବା କେମିତି

ହଜି ଯାଇଥିବ

ଶୈଶବର ଖେଳ ଆସରରେ

ହଁ, ଯଦି ଅବା ଜିଦି କରୁଥାଅ

ମୋ ପରିକା ସାଥୀ ପାଇ ଚୁମି ଦେଇଯାଅ

...................... ଆଇନି ତା ବାଟେ ଯାଉଛି

ଆମ ଆଇନି ଵ୍ୟବସ୍ଥା ପାଠ

ଲାଗେ ପାଠ କମ୍ ଵେଶୀ ନାଟ

ଅନ୍ଧ ପୁଟୁଳିରେ ବନ୍ଧା ନ୍ୟାୟ ଦେବୀ ଆଖି ବୁଜି ନ୍ୟାୟ ଦେଉଛି

ଆଇନି ତା ବାଟେ ଯାଉଛି ......... (୧)

ଆମ ଆଇନ ଆଖିରେ ପଟି

ଏଠି ବ୍ୟବସ୍ଥା ପଡିଛି ଝୁଣ୍ଟି

ପୋଲିସି ଡାଳରେ ଆଣ୍ଠେଇଛି ଡାକୁ ପତରେ ପତରେ ଚାଲୁଛି

ଆଇନି ତା ବାଟେ ଯାଉଛି ......... (୨)

ଏଠି ଆଇନର ସୂକ୍ଷ୍ମ ଜାଲ

ତାକୁ ଓକିଲ ବନାନ୍ତି ଢାଲ

ଶହ ଶହ ଦୋଷୀ ଯାଆନ୍ତିରେ ଖସି ହେଲେ ଅଭିଯୋଗକାରୀ ଫସିଛି

ଆଇନି ତା ବାଟେ ଯାଉଛି ......... (୩)

ଜାଣ ବିଳମ୍ବେ ନ୍ୟାୟ ଵେକାର

ଖାଲି ତାରିଖ ମିଳେ ହଜାର

ଜେଜେ ଚାଲିଗଲେ ନ୍ୟାୟ ନ ପାଇ ନାତିଆ କଚେରୀ ଧାଉଁଛି

ଆଇନି ତା ବାଟେ ଯାଉଛି ......... (୪)


ଏ ବ୍ୟବସ୍ଥାରେ ଵେଶି ଅଳିଆ

ପ୍ରତି ଧାରାରେ ହଜାରେ ଗଳିଆ

ଶହରୁ ସତୁରୀ ଅପରାଧୀ କେଶ ବଙ୍କା କି କେବେ ହୋଇଛି

ଆଇନି ତା ବାଟେ ଯାଉଛି ......... (୫)


ଏଠି ଆଇନର ହାତ ଛନ୍ଦା

ପୁଣି ଆଖିରେ ପୁଟୁଳି ବନ୍ଧା

ସତ କୁହ କେବେ ନ୍ୟାୟର ମନ୍ଦିରେ ନ୍ୟାୟ ବା କାହାକୁ ମିଳିଛି

ଆଇନି ତା ବାଟେ ଯାଉଛି ......... (୬)


ଏଠି ଗ୍ରହଣ ଲାଗିବା ହେତୁ

କେବେ ରାହୁ କେବେ କେତୁ

ଗ୍ରାସ କରିଛନ୍ତି ବିଚାର ବ୍ୟବସ୍ଥା, ସର୍ବ ମୋକ୍ଷ ବେଳ ଆସୁଛି

ଆଇନି ତା ବାଟେ ଯାଉଛି ......... (୭)

.................................................

ଆଜିର ଶିଶୁ

ଜାଗରେ ଜାଗ ଆଜିର ଶିଶୁ କାଲିର ନାଗରିକ

ତୁମରି ହାତେ ବନ୍ଧାରେ ଆଜି ଜନମ ମାଟି ଟେକ

ଭାରତ ଦେଶ ଆକାଶେ ତୁମେ ତାରକା ଟିକି ଟିକି

ଚନ୍ଦ୍ର ହୋଇ ଉଇଁବ ଯିଏ ମହତ ଯିବ ରଖି

ନିଜକୁ କେବେ ମଣିବ ନାହିଁ ତୁଚ୍ଛ ହେୟ ବା ସାନ

ଧୃବ, ପ୍ରହ୍ଲାଦ ତୁମ ଭିତରେ ଜନମି ଥିଲେ ଜାଣ

ତୁମ ଆଖିରେ ସାଇତା ଅଛି ନୂଆ ସପନ ଯେତେ

ଗୋଟିକି ଗୋଟି ଲଭିବ ରୂପ ଏକା ତୁମରି ହାତେ

ସେଇ ସୁଦିନ ଆସିବା ପାଇଁ ନାହିଁରେ ଆଉ ଡେରି

ତୁମ ପରଶେ ଭାରତ ଭୁଇଁ ହେବ ସରଗ ପୁରୀ

...........................

ଆଖି

ନାଆଁଟି ଆମ ଆଖି

ଆମରି ବିନା ସଂସାରେ କେହି ପାରେନା କିଛି ଦେଖି

ନାଆଁଟି ଆମ ଆଖି

ଆମରି ଯୋଗୁଁ ବହି ତ ପଢ

ସିନେମା ଦେଖ ଖେଳଣା ଗଢ

ଆମ ଯତନ ନ ନେଲେ ଏକା

ହୋଇବ ତୁମେ ଦୁଃଖୀ

ନାଆଁଟି ଆମ ଆଖି

ଅଧୁଆ ମୁହଁ କେବେ ନ ରହି

ସକାଳୁ ଉଠି ନେଞ୍ଜରା ଧୋଇ

ଧୂଳିରୁ ମୋରେ ଦୂରେଇ ରଖ

ହୋଇବ ତେବେ ସୁଖୀ

ନାଆଁଟି ଆମ ଆଖି

...............................

ଅଲିଭା ଦାଗ

ସେତୁବନ୍ଧ ବାନ୍ଧି ସମୁଦ୍ରରେ

ରାମଚନ୍ଦ୍ର ଯିବେ ଲଙ୍କାପୁରେ

ବାନର ଦଳର କରାମତି ଦେଖି

ଶ୍ରୀରାମ ହସନ୍ତି ଧୀରେ ଧୀରେ

ଦେଖିଲେ ଅଦୂରେ ଗୁଣ୍ଡୁଚିଟି

ବାଲୁକା ଉପରେ ଯାଏ ଲୋଟି

ସେତୁବନ୍ଧ ପରେ ବାଲି ଝାଡିଦେଇ

ପର ପାଇଁ ଏକା ଯାଏ ଖଟି

ଦେଖି ରାମଚନ୍ଦ୍ର ହେଲେ ତୋଷ

ସ୍ନେହଭରେ ଡାକି ନିଜ ପାଶ

ତିନି ଆଂଗୁଳିରେ ଆଉଁଶି ଦିଅନ୍ତେ

ଅଲିଭା ରହିଲା ତାଙ୍କ ଯଶ

ଉଚ୍ଚମନା ଲଭେ ଉଚ୍ଚଫଳ

ନୀଚମନା ପାଇଁ ହଳାହଳ

ସରବେ ଫେରିବେ ନିଜ ନିଜ ପଥେ

କଥା ରହିଯିବ କାଳକାଳ

.........................

ଅଳସୁଆ ଦୁଃଖପାଏ

ସକାଳ ଆଠଟା ବାଜିଲେ ଯାଇ

ନିଦ ଛାଡି ନୁନୁ ନିତି ଉଠଇ

ବାପାଙ୍କ ଗାଳି

ବୋଉର ପରଶେ ଯାଏ ସେ ଭୁଲି

ଦାନ୍ତ ଘଷିସାରି ଗାଧୁଆ ଶେଷ

ସେଇ ଲାଗେ ବାଜେ ଘଡିରେ ଦଶ

ଗୁରୁଜୀ ପାଶେ

ବେତ ମାଡ ଖାଇ ଲୁହ ବରଷେ

ସାଥୀ ମେଳ ଦିନେ କରିଲେ ମନ

କାଲି ଭୋର ଯିବେ ନନ୍ଦନ ବନ

ନୁନୁ ନିଠେଇ

ଉଠୁ ଉଠୁ ଆଠ ବାଜିଛି ଯାଇ

ସାଥି ଛାଡି ଗଲେ ନୁନୁକୁ ଏକା

ନନ୍ଦନ କାନନ ନ ହେଲା ଦେଖା

କାନଟା ମୋଡି

ଅଳସୁଆ ପଣ ଦେଲା ସେ ଛାଡି

.............................

ଫେରି ଆସ ଥରେ

ବାନର ସେନାର ସେ ଟିକି ପରୀ

ବାହୁଥିଲା ଦିନେ ଭାରତ-ତରୀ

ଅପୂର୍ବ ସାହସେ ଶତ୍ରୁ ସଂହାରି

ଦେଶ ପାଇଁ ଯିଏ ଆଣିଲା ଶିରୀ

ଏ ହୃଦ ପରିଧୀ ଡେଇଁ

ମରଣ କି ତାକୁ ପାରିବ ନେଇଁ

ଜଳୁଛି ଏ ଦେଶେ ଅଶାନ୍ତି ନିଆଁ

ପର କରି ଆଜି ଲୁଚିଛ କିଆଁ

ଖୋଜୁଛି ଏ ଦେଶ ତୁମ ସାହସ

ତୁମରି ଆସିବା ହେବ ଅବଶ୍ୟ

ମାଟି ମା ଆଜି ଡାକଇ

ଫେରି ଆସ ଥରେ ଭାରତ ଭୁଇଁ

(ଇନ୍ଦିରା ଗାନ୍ଧୀ ସ୍ମରଣେ)

...........................

ମୃତ୍ୟୁ

ଜୀବନର ଅପରାହ୍ନେ

ନିଷ୍ପ୍ରଭ ହେଲାଣି ଖରା

ନାହିଁ ଆଉ

ମନ କି ସପନ ଦାଉ ଦାଉ

ମୃତ୍ୟୁ ଏଇ ଆସିଯିବ

ଚୁପ ଚାପ ସପନରେ

ଅବା

କାକର ରାତିରେ

ବେଳ ହେଲା ରତ ରତ

ଛାଡ ମୋତେ, ମୁକ୍ତି ଦିଅ,

ଶୋଇବାକୁ ହେବ ଆଉ ଏକ ନିଦ୍ରା

ଅପେକ୍ଷା କରିଛି ମୋତେ ଅନନ୍ତ ଶୟନ

ଭୁଲିବାକୁ ଅତୀତର ସାଇତା ସପନ

-୦-

ମୁକ୍ତି

ସୁଖ ସାଥେ ଦୁଃଖ ତ ଅତି ଆପଣାର

ଯେମିତିକି ଭଟ୍ଟାର ସାଥି ଜୁଆର

ଆଲୁଅର ସାଥି ଅନ୍ଧକାର.....

ତା ଆଖିରେ ଧୁଳି ଦେଇ


ଦୌଡିଗଲି ସିନା ମୁକ୍ତି ପାଇଁ

ହେଲେ ସେ

ମୋ ନାକରେ ପ୍ରଶ୍ଵାସ ହୋଇ ବହୁଥିଲା

ଆଉ ନିଃଶ୍ଵାସ ହୋଇ ଦୌଡୂଥିଲା

ଖେଳୁଥିଲା ଲୁଚକାଳି ମୁଁ ସାଇତିଥିବା

ପବନ ଭିତରେ .....

ମୁକ୍ତି ଆଉ ବନ୍ଧନର ବ୍ୟବଧାନ

ବେଶୀ ନୁହଁ

ଆଖି ଖୋଲା ଥିଲେ ଦଶଦିଗ ବନ୍ଦ

ଆଖି ମୁଦି ଦେଲେ ଦଶଦ୍ଵାର ଦେଇ

ଅହରହ ମୁକ୍ତିର ପ୍ରବାହ

ଦେଖୁନା, ପୃଥିବୀଟା ଅହରହ ଦଉଡୁଛି

ଆଉ ଆମେ ସବୁ ମଧ୍ୟ

ଦଉଡୁଛୁ ମୁକ୍ତି ପାଇଁ, ପୃଥିବୀରୁ ଜହ୍ନ ଯାଏଁ

କେବେ କେବେ ମନ୍ଦିରରୁ ମୂର୍ତ୍ତୀ ଯାଏଁ

ଖୋଜି ଖୋଜି ମୁକ୍ତିର ଖିଅଟା

ବେଳେ ବେଳେ ମନେ ହୁଏ ଆମେ ସବୁ

ଶତାବ୍ଦୀର ଶ୍ରେଷ୍ଠ ବୋକା, କାରଣ

ମୁକ୍ତି ପାଇଁ ଦଉଡୁଥିବା ଏ ବିରାଟ ପରିସର ହିଁ

ଆମ ଜେଲଖାନା

-୦-

ହରିହର ପ୍ରସାଦ ଶତପଥୀ,ରାୟଗଡା (mob-9658171687)


ଅନାବନା କବିତା ଲେଖିବାର ନିଶା ବଡ ଅଜବ ମନେହୁଏ । ସମାଜରେ ଘଟୁଥିବା କିମ୍ବା ଘଟିଥିବା ଅନେକ ଘଟଣାକୁ ନେଇ ମନରେ ନାନା ପ୍ରକାର ଆଲୋଡନ ସୃଷ୍ଟି ହୁଏ ଏବଂ ଏଇ ଆଲୋଡନ ହିଁ ମନର ଭାବ କବିତାରେ ପ୍ରକାଶ କରିବାକୁ ଏକ ପ୍ରକାର ବାଧ୍ୟ କରେ । ସେମିତି ଅନେକ ସମୟରେ ବିଭିନ୍ନ ଆଲୋଡନର ଶିକାର ହୋଇ କିଛି କବିତା ମୁ ଲେଖି ରଖିଥିଲି । ସେସବୁ ଅନାବନା କବିତାକୁ ଏକାଠି କରି ବାନ୍ଧିଦେଲାବେଳକୁ ଏକ ଛୋଟିଆ ଫୁଲର ଗୁଚ୍ଛଭଳି ଦେଖାଗଲା । ସେଇ ଛୋଟିଆ ଫୁଲ ଗୁଚ୍ଛଟି ଆଜି ପାଠକଙ୍କ ପାଇଁ ମୋ ଉପହାର ।

ଲେଖକଙ୍କ ଅନ୍ୟାନ୍ୟ ଲେଖା: ୧) ଶତାବ୍ଦୀର ଶ୍ରେଷ୍ଠ ବୋକା ୨) ଭଜନ ସାଗର (ଭାଗ-୧) ୩) ଭଜନ ସାଗର (ଭାଗ-୨) ୪) SHERISTADAR'S HANDBOOK-(PART-1)

................................ ତିନି ମାଙ୍କଡ

ବଇଠକ ଘରେ ତିନି ମୂରତି

ଯେ ଦେଖିଲା ହେଲା ଚକିତ ଅତି

ହସି ହସି ବାପୁ ବୁଝାଇ ଦିଅଂତି

ତିନି ମାଙ୍କଡର ତିନୋଟି ନୀତି......... ୧

ପ୍ରଥମ ମାଙ୍କଡ ବୁଜିଝି କାନ

ଶୁଣିବନି ମିଛ ଏ ତାର ପଣ

ସଦାଚାରୀ ହୁଅ ଅସତ୍ୟ ଆଡେଇ

ଦୁନିଆରେ ତେବେ ରଖିବ ମାନ......... ୨

ଦ୍ବିତୀୟ ମାଂକଡ ବୁଜିଛି ଆଖି

ମିଥ୍ୟାଚାର କେବେ ନ ହେଉ ଦେଖି

କହୁଛି ଅବିଦ୍ୟା,ଅପସଂସ୍କୃତିର

ଜୀବନେ କଦାପି ନ ହୁଅ ସାକ୍ଷୀ......... ୩

ତୃତୀୟ ମାଂକଡ ବୁଜିଛି ପାଟି

ମିଛକଥା କେବେ ନ ଯିବ ରଟି

ସତ୍ ହେଉ କଥା, କାମ ଆଉ ଚିନ୍ତା

ତିନି ମାଂକଡର ଏ ତିନି ନୀତି ...........୪


............................. ଜାତିର ଜନକ ମହାତ୍ମା ଗାନ୍ଧୀ ଆତତାୟୀର ଗୁଳିରେ ପ୍ରାଣ ହରାଇଲେ, ହେଲେ ଖାଲି ଭାରତ ନୁହେଁ ସାରା ବିଶ୍ଵ ପାଇଁ ଛାଡିଦେଇଗଲେ ଏକ ନୂତନ ଆଦର୍ଶ-ଗାନ୍ଧୀବାଦ । ଗାନ୍ଧୀ ହତ୍ୟାର ଏତେ ବର୍ଷ ପରେ ବି ସେଇ ଗାନ୍ଧୀବାଦର ପ୍ରାସଙ୍ଗିକତା ଯେ ଲୋପ ପାଇନାହିଁ- ଏଥିରେ କେହି ଦ୍ଵିମତ ହେବେ ନାହିଁ । ସେ ଦୃଷ୍ଟିରୁ ଗାନ୍ଧୀଙ୍କ ଉପରେ ରଚିତ ମୋର କିଛି ପୁରୁଣା କବିତା ଏଠାରେ ଉପସ୍ଥାପନା କରୁଛି । ଆଶା, ଧୀରେ ଧୀରେ ସ୍ମୃତିର ଅତଲ ଗର୍ଭକୁ ଚାଲିଯାଉଥିବା ଗାନ୍ଧୀବାଦ ପୁଣି ଉଜ୍ଜିବୀତ ହେବ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ଵରେ ଅହିଂସାବାଦର ପୁନଃପ୍ରତିଷ୍ଠା ହେବ । ବିନୀତ, ଲେଖକ ................................ ନିଜ-ପର

ଗାଆଁ ଗଣ୍ଡା ସାରା ହେଲା ହୁରି

ପହଞ୍ଚିବେ ବାପୁ ଘଡି ଚାରି

ବାଳ, ବୃଦ୍ଧ ଯୁବା ଏକତ୍ରିତ ହେଲେ

ଦେଖିବେ ବାପୁଙ୍କୁ ଆଖି ଭରି ....... ୧

ସରଳ ଠାଣିରେ ଗୁରୁ ବାଣୀ

କହି ଜନମନ ନେଲେ କିଣି

ଦେଖି ବାପୁଙ୍କର ରୀତି-ନୀତି

ପୁଜିଲେ ସଭିଏଁ ଭାବେ ଭକ୍ତି......... ୨

ପିଲାଏ ଦେଖିଲେ ହୋଇ ମେଳି

ମନେ ମନେ ଖାଲି ହେଲେ ଭାଳି

ଆଣ୍ଠୁ ଡିଏଁ ନାହିଁ ଲୁଗା ଯାର

ଲଢିବାକୁ ଦିଏ କି ମନ୍ତର .......... ୩

କୁତୁହଳେ କହେ ପିଲାଟିଏ

ନାହିଁ କି ତୁମର କୁର୍ତ୍ତାଟିଏ ?"

କୁରୁତା ମୋ ଘରେ ଅଛି ଯେତେ

ଆଣିଦେବି ଯଦି କୁହ ମୋତେ"..... ୪

ଦେଖି ସେ ପିଲାର ଧୀରମତି

ହସି ହସି ବାପୁ କହୁଥାନ୍ତି

କୁରୁତା ଗୋଟିରେ କିବା ଛାର

କୋଟିଏ ଲୋକ ଯା ପରିବାର ...... ୫

କହିଲେ କି ବାପୁ ଭାବ ତାର

ପର କଥା ଥରେ ଚିନ୍ତା କର

ଭାରତ ମାତାର କୋଟିଏ ସନ୍ତାନ

ତାଙ୍କ ପାଇଁ କୁର୍ତ୍ତା ଦରକାର ....... ୬

     -୦-

.................................................................................. ସପନର ଭାରତ

ଦେଖୁଚି ସପନ ମୁହିଁ

ସପନ ଭାରତେ ମୋର

ଅସତ୍ୟର ସ୍ଥାନ ନାହିଁ.........୧

ହିନ୍ଦୁ, ବୌଦ୍ଧ, ଖିରସ୍ତାନ

ଭୁଲି ଜାତି ଭେଦ ଜ୍ଞାନ

ହେବେ ଭାରତ ସନ୍ତାନ.......୨

ନ ରହିବ ଯୁଦ୍ଧ ଭୟ

ଅଧର୍ମ ହେବ ବିଲୟ

ଧରମର ହେବ ଜୟ.......୩

ଜନମ ଭୂମି ଭାରତ

ହୋଇବ କଳୂଷ ମୁକ୍ତ

ସପନ ମୋ ହେବ ସତ.......୪

..............................................................................................

ମୋକ୍ଷ

ଚଲାପଥ ଅଉ ନାହିଁ ଆଖି ସେପାରିରେ

   ଚାହିଁଦେଲେ ଦିଶେ ଖାଲି ଶୁନ୍ୟ
   ଶୈଶବ, କୈଶୋର କଥା
    ଲିଭିଗଲା ତୁହା ତୁହା ଆଖିର ଲୁହରେ
     ଝାପସା ଦିଶଇ ଯଉବନ
       ନିଃସନ୍ଦେହ ଏ ଯେ
         ଜୀବନର ଚତୁର୍ଥ ସୋପାନ


ଧର୍ମ, ଅର୍ଥ, କାମ ଆଉ ଲୋଡାନାହିଁ

   ଲୋଡାନାହିଁ ମାଟିର ଜୀବନ
    ଏବେ ଖାଲି 
     ମୋକ୍ଷ ପାଇଁ
       ଦେଖୁଛି ସପନ

--୦-- ହରିହର ପ୍ରସାଦ ଶତପଥୀ ମାର୍ଫତ: ପରିବାର ଅଦାଲତ, ରାୟଗଡ


ପରିବାର ଅଦାଲତ, ରାୟଗଡ


ଦୁଇହଜାର ଉଣିଶ ଇଂରେଜୀ ମସିହା ଜାନୁୟାରୀ ଉଣିଶିରେ ଘଟିଗଲା ଯାହା ......୧

ରାୟଗଡ ଇତିହାସେ ନୁଆ ଏକ ପୃଷ୍ଠା ପରିବାର ଅଦାଲତ ହୋଇଲା ପ୍ରତିଷ୍ଠା ......୨

ପାରିବାରିକ ବିବାଦ ସମାଧାନ ପାଇଁ ଅନନ୍ୟ ଏ ଅନୁଷ୍ଠାନ ଆସିଛି ଆଗେଇ ......୩

ସ୍ଵତନ୍ତ୍ର ବ୍ୟବସ୍ଥା ଯେତେ ରହିଛି ଏଥିରେ ଗୋଟି ଗୋଟି କରି ଶୁଣ କହୁଅଛି ଧିରେ ......୪

ଭରଣପୋଷଣ ଅବା ହେଉ ଛାଡପତ୍ର ବୈବାହିକ ଅଧିକାରେ ରହିବା ଏକତ୍ର ......୫

ହେପାଜତ ପାଇଁ ଦାବି ଜନ୍ମିତ ଶିଶୁର ଅଥବା ସ୍ତିରିର ବୈବାହିକ ଅଧିକାର ......୬

ପରିବାର ଅଦାଲତେ ସ୍ଵତନ୍ତ୍ର ଏ ନୀତି ବୁଝାମଣା ଦ୍ଵାରା ଲଭିବାକୁ ସହମତି ......୭

ପବିତ୍ର ବିବାହ ଡୋରୀ ରଖିବାକୁ ବାନ୍ଧି ଆଇନର ସୂକ୍ଷ୍ମ ଜାଲେ ନ ହେବାକୁ ଛନ୍ଦି ......୮

ପ୍ରଦାନ କରିବା ପାଇଁ ତ୍ଵରିତ ଯେ ନ୍ୟାୟ ଅଦାଲତ ଆପଣାନ୍ତି ଅନେକ ଉପାୟ ......୯

କାଉନସେଲର, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମଧ୍ୟସ୍ଥତା, ବିଶେଷଜ୍ଞ ଯେ ମନୋବିଜ୍ଞାନ ......୧୦

ପ୍ରୟାସ କରନ୍ତି ଯୋଡିବାକୁ ପରିବାର ଅନ୍ୟଥା ଆପୋଷ ବୁଝାମଣାରେ ନଜର ......୧୧

ପରିବାର ଅଦାଲତ ଅଧିନିୟମର ଧାରା ଦଶରେ ରହିଛି ବିଶେଷାଧିକାର ......୧୨

ପରିବାର ଅଦାଲତ ଆଇନ ମହିମା ମାମଲା ସାରିବା ପାଇଁ ତିନିମାସ ସୀମା ......୧୩

ମାମଲା କରିବା ପାଇଁ ନାହିଁ ଅର୍ଥ ବାଧା ଧାରା ପାଞ୍ଚରେ ରହିଛି ସ୍ଵତନ୍ତ୍ର ସୁବିଧା ......୧୪

କୋର୍ଟ ଫି ଛାଡ଼ ଏଠି ସମସ୍ତଙ୍କ ପାଇଁ ଯୋଗ୍ୟ ସ୍ଥଳରେ ମାଗଣା ଓକିଲ ମିଳଇ ......୧୫

ବାଦୀ, ପ୍ରତିବାଦୀ ତେଣୁ ନ ହୁଅ ଚିନ୍ତିତ ବିବାଦର ସମାଧାନ ହୋଇବ ତ୍ଵରିତ ......୧୬

ତ୍ଵରିତ ନ୍ୟାୟ ପାଇବା ଆମ ଅଧିକାର ପରିବାର ଅଦାଲତ କରୁଛି ସାକାର ......୧୭


-୦-

ହରିହର ପ୍ରସାଦ ଶତପଥୀ,Gr-I BC ମାର୍ଫତ- ପରିବାର ଅଦାଲତ, ରାୟଗଡ ୯୬୫୮୧୭୧୬୮୭

ମୁଁ ମରିଗଲା ପରେ .............

ମୁଁ ମରିଗଲା ପରେ

ଅନିତ୍ୟ ମୋ ଦେହ ମୋହରେ ଆଖିକୁ

ଭିଜାଇବନି ଲୁହରେ.........୧

ଲୋଡାନାହିଁ ମୋର ଲୁହର ଆସର

ମୋକ୍ଷ ଲାଗି ମୁଖେ ତୁଳସୀ ପତର

ବିଦାୟ ବାରତା ଭାଇ‌ରାଲ କରି

ଦେବନାହିଁ ଦୁଃଖ କାରେ

ମୁଁ ମରିଗଲା ପରେ.........୨

ଜୀବ ଯିବା ଆଗୁ ଶରୀରକୁ ଛାଡ଼ି

ବିଦାୟ ବେଳାର ସେ ଅମୃତ ଘଡ଼ି

ମୁଁ ଚାହେଁ ପରମ ଭାଗବତ ବାଣୀ

ଶୁଣାଇଦେବ କର୍ଣ୍ଣରେ

ମୁଁ ମରିଗଲା ପରେ.......୩

ଛଅ ଖଣ୍ଡି କାଠେ ଯତନେ ସଜାଡ଼ି

ସ୍ଵର୍ଗଦ୍ଵାରେ ମୋର ଶବ ଦେବ ପୋଡ଼ି

ଫେରିବା ବାଟରେ କେ ଯଦି ପଚାରେ

ଏକଥା କହିବ ତାରେ

ମୁଁ ମରିଗଲା ପରେ........୪

କହିବ ତାହାକୁ ହୋଇ ଅତି ଧୀର

ଅସାର ସଂସାରେ କେ ନୁହେଁ ଅମର

ନୂଆଦେହ ପାଇଁ ପୁରୁଣା ତେଜିଛି

ଆସିବି ମୁଁ ଆଉଥରେ

ମୁଁ ମରିଗଲା ପରେ.......୫

-୦-

ମରଣକୁ ବରଣ


ମରଣକୁ ଡ଼ରି ଆଉ କିଛି ଲାଭ ନାହିଁ

ସେଇ ଏକା ଚିରନ୍ତନ ସତ୍ୟ

ଲୁଚକାଳି ଖେଳିବାକୁ

ଆଉ ନାହିଁ ଇଛା

କେମିତିକ ଲୁଚକାଳି ଖେଳ ଇଏ

ମିଛେ ମିଛେ ଖୋଜୁଥିବି ଜୀବନର ସତ୍ୟ

ଆଉ ଅକସ୍ମାତେ ପାଇଗଲେ

ଲୁହ ଦେଇ କରିବାକୁ ଅଲୋଡା ବରଣ

ଇଛା ହୁଏ ଜୀବନରେ ସତ୍ୟ ସାଥେ

ଲୁଚକାଳି ଖେଳୁ ଖେଳୁ

ଧରାଦେବି ଏମିତି ବେଳାରେ

ଅଜସ୍ର ହସର ଧାରା ଯେତେବେଳେ

ବୋହୁଥିବ ଲୁହ ହୋଇ

ଆଲିଙ୍ଗନ କରି ତାକୁ ପଚାରିବି

ହେ ମରଣ

ଜୀବନର ଏକମାତ୍ର ସତ୍ୟ କେବେ ହୋଇପାରେ

ଭୟର କାରଣ ?

-୦- ରାୟଗଡ଼ ମୋର କି ସୁନ୍ଦର _______________

ଇତିହାସ ଗାଏ ଗୀତି ଯାର

ପ୍ରକୃତି ରାଣୀର ଗନ୍ତାଘର

ଚିର ପରିଚିତ ଏଇ ମୋ ସହର

ରାୟଗଡ଼ ମୋର କି ସୁନ୍ଦର-----1


ବିଜେ ଏଠି ନିଜେ ଠାକୁରାଣୀ

ଇଷ୍ଟଦେବୀ ମଝି ଘରିଆଣୀ

ବିଷମ କଟକେ ମାର୍କମା ଝଟକେ

ଦେବଗିରି ଶୋଭା ମନଜିଣି-----2


ଦିଗନ୍ତରେ ପରବତ ଶ୍ରେଣୀ

କି ସୁନ୍ଦର ସବୁଜ ବନାନୀ

ମଥାରୁ ସତେକି ବହେ ନାଗାବଳୀ

ମୋ ମାଟି ମାଆର ମଥାମଣୀ-----3


ଶିଳ୍ପରେ ସମୃଦ୍ଧ ଜିଲ୍ଲା ମୋର

ଥେରୁବାଲି କାରଖାନା ଫେରୋ

କାଶିପୁର ମାଟି ଆଲୁମିନା ସେଠି

ଡ଼ାକ ନାଆଁ ଜେକେ କାଗଜର----4


ବାବୁ କୃଷ୍ଣଚନ୍ଦ୍ର ବକ୍‌ସି ପାତ୍ର

ରଖିଛନ୍ତି ଟେକ ଏ ମାଟିର

ଗୁରୁ ଅରଜୁନ ପରଶିଲେ ଜ୍ଞାନ

ଗୁଣୀଜନେ ଭରା ମୋ ସହର......5


ମଙ୍ଗେଇ ଗମାଙ୍ଗ ବାବୁ ଏକ

ସଉରା ଲିପିର ସେ ଜନକ

ଓଡିଆ ଅସ୍ମିତା ଗୁଣ ଗାନ କରେ

ଯୁବ ପିଢୀ ଆଜି ଏ ମାଟିର

ରାୟଗଡ଼ ମୋର କି ସୁନ୍ଦର ......6

-----0-------

(ହରିହର ପ୍ରସାଦ ଶତପଥୀ, ରାୟଗଡ)


        _0_
    ଅମୃତର ସନ୍ତାନ

ବିଭୁ କୃପା ମାଗିବାରେ କିବା ପ୍ରୟୋଜନ

ଅମୃତର ସନ୍ତାନ ତୁ ବିଭୁ ଅବଦାନ........1

ତୋ ପାଇଁ ଗଢିଲା ସିଏ ସୁନ୍ଦର ଏ ଧରା

ତା ମଧ୍ୟେ ଖଞ୍ଜିଲା ପାଣି, ପବନ ଓ ଖରା......2

ବୃକ୍ଷଲତା ଫୁଲ ଫଳ କୋଇଲିର କୁହୁ

ବିଭୁ କୃପା ବିନା ତୁହି ପାଇଥାନ୍ତୁ କାହୁଁ......3

ଏ ଜନ୍ମରେ ହେଲୁ ପଞ୍ଚେନ୍ଦ୍ରିୟ ଅଧିକାରୀ

ମାଆପଣେ ବଳୀୟାନ ଜଗତରେ ନାରୀ......4

ମାଗି ତ ନ ଥିଲୁ କେବେ ଶ୍ରେଷ୍ଠ ଜନ୍ମ ନର

ତଥାପି ତ ବିଭୁ କୃପା ଦେଇଛି ଅପାର......5

ଶୁଝି ନ ପାରିବୁ କେବେ ବିଭୁକୃପା ଋଣ

ଅନ୍ତରରୁ ଧନ୍ୟବାଦ କର ତୁ ଅର୍ପଣ......6

କର୍ମ କରିଯା ନ ରଖି କର୍ମଫଳେ ଧ୍ୟାନ

କର୍ମଫଳ ଲଭିବୁ ଏ ବିଧିର ବିଧାନ ..........7

କର୍ମନ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚ୍ଚନ

ବିଭୁକୃପା ଲଭିବାର ଏହି ଗୀତାଜ୍ଞାନ.........8

-0-

ଜଗା

ପଥର ଦେଉଳେ ଦାରୁ ଦିଅଁ ତୁମେ

ମୋ ଡାକ ପାରୁନ ଶୁଣି କି

ଲକ୍ଷେ ଯୋଜନରୁ ଗଜ ଡାକ ଦେଲା

ନକ୍ର ନେଉଥିଲା ଟାଣିକି.....୧

ଗଜଠାରେ ଦୟା କଲୁ ତୁ ଅବଶ୍ୟ

ଡାକିଲା ସେ ଯେବେ ଆକୁଳେ

ମୁହିଁ ଦୀନ ହୀନ ଭକତ ନଗଣ୍ୟ

ନ ହେଲି ଏକୁଳେ ସେକୁଳେ.......୨

ଅଗତିର ଗତି ହେ ଜଗତପତି

ତୋର ପାଦେ ରହୁ ମୋ ମତି

ଥିବା ଯାଏଁ ଜୀବ ଭଜୁଥିବି ଶିବ

ଏତିକି ମାତ୍ର ମୋ ମୀନତି........3

ଡାକିଲି ମୁଁ ଏତେ ଆଶାକରି ତୋତେ

କରୁଣା ସାଗର ହେ ହରି

ତୋ କରୁଣା ଉଣା ହେଲେ ବା କେମିତି

ଭବ ସିନ୍ଧୁ ହେବି ମୁଁ ପାରି.....୪

ଅକୁଳ ବିନତି ଶୁଣ ଲକ୍ଷ୍ମୀସାଇଁ

ମୋ କୁଳ କରହେ ଉଦ୍ଧାର

ତୋ କରୁଣା କେବେ ହେବନାହିଁ ଉଣା

ଏ ବିଶ୍ୱାସ ଅଛି ମୋହର.......୫

ଏ ମାୟା ସଂସାରେ ଉବୁଟୁବୁ ହୋଇ

ଖୋଜୁଅଛି କୁଳ କିନାରା

ସତେ ଯଦି ତୁହିଁ ଅଗତିର ଗତି

ତୁହି ଏକା ମୋର ସାହାରା .....୬

ଶୟନେ ସପନେ ତୋ ନାମ ଜପିଲି

ଲଭିବାକୁ ତୋର କରୁଣା

ଅପେକ୍ଷାର ଅନ୍ତ କେବେ ଅବା ହେବ

ଭକତରେ ହେବି ମୁଁ ଗଣା.......7

ଇଛା ହୁଏ ତୋର ପାଦପଦ୍ମ ପୁଜି

କରିବି ତୋ ପାଖେ ମୁଁ ଅଳି

ଜାଣିଥା ଜଗାରେ ଦୟା ତୁ ନ କଲେ

ନିଶ୍ଚେ ଦେବି ତୋତେ ମୁଁ ଗାଳି.....8

ମୁଁହିଁ ମହାଦୁଃଖି ତୁହିଁ ଦୁଃଖହାରୀ

ସତ କହ ମୋତେ ଚାହିଁକି

ପୂରୁବ ଜନମେ ଲଭିନି କି ପୁଣ୍ୟ

ତୋ ଦୟା ପାଇବା ପାଇଁକି.....9

ଭୟ ନାହିଁ ମୋର ଜଗା ସଖା ଯାର

ସାହା ମୋର ଚଉବାହା ଯେ

ଚିନ୍ତା କାହିଁ ପାଇଁ କରିବି ମୁଁ ଅବା

ମାୟାଧାର ଯାର ସାହା ଯେ.....11

ବଡ ଦେଉଳର ବଡ ଦିଅଁ ତୁହି

ମୁହିଁ ଛାର ପାପୀ ମଣିଷ

ଏତେ ଦୂରେ ଥାଇ ତୋର ନାମ ଧ୍ୟାୟୀ

ମାଗେ ମୁଁ ତୋହରି ଆଶୀଷ......12

ଚାରି ଦୁଆର ତୋ ଖୋଲି ଦେଇ ଅଛୁ

ଧର୍ମ ଅର୍ଥ କାମ ମୋକ୍ଷ ସେ

ଏତେ ଭାଗ୍ୟ ମୋର ନାହିଁ ରେ କାଳିଆ

ଦାରଶନ ଦେବୁ ହରଷେ.....13

କେତେ କେତେ ପାପୀ ତୋର ନାମ ଜପି

ଲଭିଲେ ତୋହରି କରୁଣା

ମୋ ବେଳକୁ କିଆଁ କରୁଣାରେ ଉଣା

ତୋ ଭାବ ମୋର କି ଅଜଣା.....14

ଜାଣେନି ମୁଁ ପୂଜା ପାଠ ଅରଚନା

ଭାବ ଭକତିର ମନ୍ତର

ତୁହି ଏକା ଗତି ତୁହି ଏକା ମୁକ୍ତି

ତୋ ବିନା ସବୁ ତ ଅନ୍ଧାର.....15

ଯେ ଅବା ପଶିଛି ତୋଠାରେ ଶରଣ

ରଖିଛୁ ତୁ ଘଣ୍ଟ ଘୋଡାଇ

ମୋ ବେଳକୁ କିଆଁ ଏତେ ନିରିଦୟ

ବୁଝି ପାରୁନାହିଁ ମୁଁ.....16

ମାଗୁନାହିଁ ସ୍ୱର୍ଗ ସୁଖ ହୀରା ମୋତି

ଅଷ୍ଟସିଦ୍ଧି ମୁହିଁ ମାଗୁନି

ତୁମ ନାମ ଭଜି ତୁମ ପ୍ରେମେ ମଜ୍ଜି

ବିତୁ ମୋ ଦିବସ ରଜନୀ......17

ତୁହି ଦୟାନିଧି ଦୟାର ବାରିଧି

ତୁ ଏକା କର୍ମଫଳ ଦାତା

ସୂର୍ଯ୍ୟ ଚନ୍ଦ୍ର ଆତ ଯାତ ତୋ ଇଙ୍ଗିତେ

ତୁହି ମୋର ଭାଗ୍ୟ ବିଧାତା....18

ନିଶ୍ଚେ କିଛି ଅପରାଧ ମୁଁ କରିଛି

ପାପିରେ ହେଉଛି ମୁଁ ଗଣା

କ୍ଷମା କଲେ ତୋର କରୁଣା ସାଗରୁ

କି ଅବା ହୋଇଯିବ ଉଣା .......19

ରାତି ପରେ ଦିନ ପାପ ପରେ ପୁଣ୍ୟ

ନିୟମ ତୋର ଏ ସଂସାରେ

ମୋ ଜୀବନ ଅମା ଅନ୍ଧକାର ଯାଉ

ଭରିଦେ ତୁହି ଆଲୋକରେ .....20

ମୁଁ ଛାର ମଣିଷ ମାୟାର ଅଧୀନ

ଜାଣେନି ତୋହର ମହିମା

ଅଜାଣତେ ଭୁଲ ହେଲେ କୃପାସିନ୍ଧୁ

ଅଧମକୁ କରିଦେ କ୍ଷମା..........21

ବିଷୟ ବିକାର କବଳେ ପଡି ମୁଁ

ଭୋଗୁଅଛି କେତେ ଯେ ବାଧା

ଦିଅ ହୃଦେ ଭକ୍ତି ପ୍ରଭୁ ଅନୁରକ୍ତି

ହୃଦୟେ ତୋ ପାଇଁ ଶରଧା........22

ଆପଦେ ବିପଦେ ମୁହିଁ ଡାକେ ତୋତେ

ହୃଦୟେ ତୋ ନାମ ଧରି ଯେ

ଭକତର ମନ ବୁଝି କରୁ ଦାନ

ବିଶ୍ୱାସେ ମିଳନ୍ତି ହରି ଯେ........23

ଶ୍ରୀକ୍ଷେତ୍ର ଯିବାକୁ ବଳିଛି ମୋ ମନ

ଦେଖୁଛି ନିଇତି ସପନ

ତଥାପିରେ ଜଗା ନ ହେଲେ ତୋ ଦୟା

ହେବନାହିଁ ତୋ ଦରଶନ...........24

କେତେ ରୂପେ କେତେ ଲୀଳା କରୁଥାଅ

ଲୀଳାମୟ ତୁ ନାରାୟଣ

ମନ ବାଞ୍ଛା ମୋର କରିବୁ ପୂରଣ

ଶେଷ ବେଳେ ଦେବୁ ଦର୍ଶନ........25

ଏତିକି କରୁଣା କରିଥିବୁ ମୋତେ

ଦେଇଛୁ ଯେ କର୍ଣ୍ଣ ନୟନ

ତୋ ଦିବ୍ୟ ମୂରତି ଦେଖୁଥାଉ ଆଖି

ଦିବ୍ୟ ଲୀଳା ଶୁଣୁ ମୋ କର୍ଣ୍ଣ.......26

ଭକ୍ତିଭାବ ମୋର ହୃଦେ ଭରି ଦିଅ

ଦୁଃଖ ସହିବାକୁ ଶକତି

ଯେତେ ଦୁଃଖ କଷ୍ଟ ଆସୁ ଏ ଜୀବନେ

ତୋର ପାଦେ ରହୁ ମୋ ମତି......27

କି ଅବା ମାଗିବି ସବୁ ତ ଦେଇଛୁ

ଧନ ଜନ ବିଦ୍ୟା ସୁବୁଦ୍ଧି

ତଥାପି ମୋ ଆଶା ତୁଟୁନି କାହିଁକି

ପାଇ ତୋର ଅମୂଲ୍ୟ ନିଧି ......28

ଆଉ କିଛି ବୋଧେ ରହିଗଲା ବାକି

ହେବୁ ତୁ ମୋ ଜୀବନ ସଖା

ରହିଲା ମୋ ରାଣ ଜୀବ ଯିବା ବେଳେ

ଥରୁଟିଆ ଦେବୁ ତୁ ଦେଖା......29

ମୋ ମନୋକାମନା ପୂରଣ କରିଦେ

କାଳିଆ ତୁ କଳା ରତନ

ତୋ ବଡ ଦାଣ୍ଡରେ ଗାଇବି ତୋ ଗୀତ

ଧନ୍ୟ ହେବ ମୋର ଜୀବନ...30