ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ

ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ (ଇଂରାଜୀ: Bibhuti Kanungo College of Art and Craft) ଏକ ଭାରତୀୟ କଳା ଶିକ୍ଷା ମହାବିଦ୍ୟାଳୟ । ଏହା ଓଡ଼ିଶାର ଭୁବନେଶ୍ୱରରେ ଅବସ୍ଥିତ । ଓଡ଼ିଶା ସରକାର ଏହାକୁ ୧୯୮୩-୮୪ ମସିହାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାଶାସନିକ ନିୟନ୍ତ୍ରଣ ଅଧୀନରେ ଗଠନ କରିଥିଲେ । ଏହା ଅଧୁନା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ମାନ୍ୟତାପ୍ରାପ୍ତ ମହାବିଦ୍ୟାଳୟ ।[୧] ମହାବିଦ୍ୟାଳୟଟି ପ୍ରସିଦ୍ଧ ଚିତ୍ରକର, ଗ୍ରାଫିକ ଡିଜାଇନର ଏବଂ କଳା ଶିକ୍ଷାବିତ ବିଭୂତି କାନୁନଗୋଙ୍କ ସ୍ମୃତିରେ ଓ ତାଙ୍କ ନାମ ଅନୁସାରେ ପ୍ରତିଷ୍ଠା କରାଯାଇଥିଲା । ଏହି ଅନୁଷ୍ଠାନ ଚାରି ବର୍ଷିଆ ବ୍ୟାଚେଲର ଅଫ ଭିଜୁଆଲ ଆର୍ଟ୍ସ (ବି.ଭି.ଏ.) ପାଠ୍ୟକ୍ରମ ପ୍ରଦାନ କରେ ।[୨]

ଶିକ୍ଷା ବ୍ୟବସ୍ଥା ସମ୍ପାଦନା

ଦୃଶ୍ୟକଳାରେ (ଭିଜୁଆଲ ଆର୍ଟ) ଉଚ୍ଚ ତାଲିମ ପାଇଁ ଏହା ୧୯୮୩-୮୪ ମସିହାରୁ ୧୯୯୯-୨୦୦୦ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଏବଂ ୨୦୦୦-୨୦୦୧ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ନାତକ ଡିଗ୍ରୀ ପ୍ରଦାନ କରିଆସୁଛି । ଏଠାରେ ଉଭୟ ପାଶ୍ଚାତ୍ୟ ଏବଂ ଭାରତୀୟ ଶୈଳୀର ଚିତ୍ରକଳା, ମୂର୍ତ୍ତିକଳା, ପ୍ରୟୋଗ କଳା (ଆପ୍ଲାଏଡ ଆର୍ଟ), ପ୍ରିଣ୍ଟ ମେକିଂ ଏବଂ ଗ୍ରାଫିକ ଆର୍ଟ, କୁମ୍ଭାରକଳା ଏବଂ ସେରାମିକ କଳା ତଥା କଳା ଇତିହାସ ଶିକ୍ଷା ଦିଆଯାଇଥାଏ ।[୩] ଏଠାରେ ଛାତ୍ରମାନଙ୍କୁ ଷ୍ଟୁଡିଓ ପାଠ୍ୟକ୍ରମ ମାଧ୍ୟମରେ ଆବଶ୍ୟକୀୟ ପାରମ୍ପାରିକ ଏବଂ ଆଧୁନିକ ଦକ୍ଷତା ପଢ଼ାଯାଇଥାଏ । ପାଠ୍ୟକ୍ରମ ଭିତରେ କଳା ଇତିହାସ ଏବଂ ସୌନ୍ଦର୍ଯ୍ୟ ଜ୍ଞାନ ଶିକ୍ଷା ଦିଆଯାଇଥାଏ । ଏହି ମହାବିଦ୍ୟାଳୟ ଚାରି ବର୍ଷିଆ ବ୍ୟାଚେଲର ଅଫ ଭିଜୁଆଲ ଆର୍ଟ୍ସ (ବି.ଭି.ଏ. - BVA) ପାଠ୍ୟକ୍ରମ ପ୍ରଦାନ କରେ । ଏହି ପାଠ୍ୟକ୍ରମ ପାଇଁ ଆବଶ୍ୟକତା ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ତାହାର ସମାନ ଧରଣର ପରୀକ୍ଷାରେ ପାସ । ଚାରି ବର୍ଷ ମଧ୍ୟରୁ ପ୍ରଥମ ବର୍ଷ ପାଠ୍ୟକ୍ରମ ମୂଳଦୁଆ ତିଆରି ଏବଂ ଅନ୍ୟ ତିନି ବର୍ଷ ସ୍ୱତନ୍ତ୍ରତା ଶିକ୍ଷାଦାନ ପାଇଁ । ପ୍ରତ୍ୟେକ ଭାଗର ପରୀକ୍ଷା ବିଶ୍ୱବିଦ୍ୟାଳୟଦ୍ୱାରା କରାଯାଏ । ଚାରିବର୍ଷ ଶେଷରେ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ଏକ ଅନ୍ତିମ ପ୍ରମାଣପତ୍ର ପ୍ରଦାନ କରିଥାଏ ।[୨] ଏଠାରେ ପ୍ରତିବର୍ଷ ସର୍ବାଧିକ ୭୦ ଜଣ ଛାତ୍ର ପ୍ରବେଶିକା ପରୀକ୍ଷା ଦେଇ ଯୋଗଦେଇଥାନ୍ତି ।[୩]

କ୍ୟାମ୍ପସ ସମ୍ପାଦନା

ଏହି ଅନୁଷ୍ଠାନର ନିଜର ଏକ ତିନି ମହଲା କୋଠା ଅଛି ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମୋଟ 4,200 acres (1,700 ha) ଜମିରେ ବ୍ୟାପିଛି । ଏହା ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଗୁମ୍ଫାର ବହୁ ନିକଟତରେ ଅବସ୍ଥିତ ।[୨]

ଆଧାର ସମ୍ପାଦନା

  1. "List of Affiliated Colleges – Utkal University of Culture". uuc.ac.in. Archived from the original on 4 August 2020. Retrieved 10 September 2020.
  2. ୨.୦ ୨.୧ ୨.୨ "Culture Department: Bibhuti Kannungo College of Art & Craft (archive)". web.archive.org. 11 February 2020. Archived from the original on 11 February 2020. Retrieved 10 September 2020.
  3. ୩.୦ ୩.୧ "Bibhuti Kanungo College of Art and Crafts, Bhubaneswar". rtiodisha.gov.in. Retrieved 10 September 2020.