ବାହାଈ ଧର୍ମ
ଇରାନ (ପର୍ସିଆ)ରେ ମୁଖ୍ୟତଃ ସିଆ ମୁସଲମାନମାନେ ବାସ କରନ୍ତି । ସେଠାରେ ୧୮୫୨ ମସିହାରେ ମିର୍ଜା ହୁସୈନ ଆହି ନାମକ ଜଣେ ୩୫ ବର୍ଷ ବୟସର ଯୁବକ ଜେଲରୁ ଘୋଷଣା କଲେ ଯେ ସେ ହିଁ ହେଉଛନ୍ତି ଈଶ୍ୱରଙ୍କର ଏକ ନୂତନ ଅବତାର । ତା’ପରେ ସେ ନିଜକୁ ବାହାଉଲ୍ଲା ଅର୍ଥାତ୍ ଈଶ୍ୱରଙ୍କ ଯଶସ୍ୱୀ ଅବତାର ବୋଲି ଘୋଷଣା କରିବାରୁ ତାଙ୍କୁ ଇରାନ୍ରୁ ବିତାଡ଼ିତ କରିଦିଆଗଲା । ନିର୍ବାସନ ଓ ବିତାଡ଼ିତ ଜୀବନରେ ମଧ୍ୟ ତାଙ୍କର ଜୀବଦ ଓ ଦର୍ଶନ ପ୍ରତି ଆକୃଷ୍ଟ ହୋଇ ଅନେକ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ଇହୁଦି ଲୋକମାନେ ତାଙ୍କର ଆଦର୍ଶକୁ ଅନୁସରଣ କରିବାକୁ ଲାଗିଲେ । ଏହି ପ୍ରକାର ପରିସ୍ଥିତିରୁ ଉନବିଂଶ ଶତାବ୍ଦୀରେ ପୃଥିବୀର କନିଷ୍ଟତମ ଧର୍ମ ବାହାଈ ପନ୍ଥା ବା ଧର୍ମ ସୃଷ୍ଟି ହୋଇ କ୍ରମେ କ୍ରମେ ବିଭିନ୍ନ ଦେଶରେ ପରିବ୍ୟାପ୍ତ ହେବାକୁ ଲାଗିଲା । ତାଙ୍କ ଧର୍ମରେ ଦୁଇଟି ପ୍ରଧାନ ପୁସ୍ତକ ଅଛି । (୧) ସାତୋଟି ଉପତ୍ୟକା (୨) କିତାବ-ଇ-ଅଖତାବ । ବାହାଈମାନେ ସାଧାରଣତଃ ବଡ଼ ଉଦାରଧର୍ମୀ ଏବଂ ମାନବିକତା, ଆଦର୍ଶ ପ୍ରଚାର କରନ୍ତି । ତାଙ୍କର ତତ୍ତ୍ୱ ଏବଂ ଦର୍ଶନ ସଂକ୍ଷେପରେ ଦିଆଯାଇଛି-
- ଆମେମାନେ ସମସ୍ତେ ଯେଝା ମାର୍ଗରେ ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ
- କୌଣସି ପ୍ରକାର ଅନ୍ଧବିଶ୍ୱାସଦ୍ୱାରା ଆମେ ପ୍ରଭାବିତ ନହେଲେ ଭଲ
- ସମଗ୍ର ମାନବଜାତି ଏକ ବୋଲି ଆମେ ହୃଦୟରେ ଗ୍ରହଣ କରିବା ଉଚିତ୍
- ସବୁ ଧର୍ମରେ ଗୋଟିଏ ଦୃଢ଼ ଐକ୍ୟ ଭାବନା ରହିଛି ଏବଂ ବିଶ୍ୱାସ ହିଁ ସବୁ ଆଧ୍ୟାତ୍ମିକ ଭାବଧାରାର ମୂଳାଧାର
- ଜାତି, ଧର୍ମ, ସଂପ୍ରଦାୟ, ଗୋଷ୍ଠି ନାମରେ କୌଣସି କଠୋର ପନ୍ଥା ଅନୁସରଣ କରିବା ଆଦୌ ଉଚିତ୍ ନୁହେଁ
- ଆଧୁନିକ ବିଜ୍ଞାନ ଓ ଧର୍ମ ଭାବନା ମଧ୍ୟରେ ସହଯୋଗ ତଥା ସଂହତି ରହିବା ଅତ୍ୟନ୍ତ ଆବଶ୍ୟକ ଏବଂ
- ନାରୀ ଓ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ରହିବା ଅନୁଚିତ୍ ।
ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।[୧]
ଦିଲ୍ଲୀରେ ଥିବା ‘ପଦ୍ମ ମନ୍ଦିର’ଟି ବାହାଈ ଧର୍ମର ଉପାସନା ଗୃହ ଅଟେ । ଫୁଟିଥିବା ପଦ୍ମ ଆକାରର ଏହି ସଂପୂର୍ଣ୍ଣ ଶଙ୍ଖ ମଲମଲ ପଥରରେ ନିର୍ମିତ ଉପାସନା ଗୃହ ପୃଥିବୀର ଏକ ବିସ୍ମୟ ସୃଷ୍ଟି । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ଖଣ୍ଡ ଶଙ୍ଖ ମଲମଲ ପଥର କମ୍ପ୍ୟୁଟରଦ୍ୱାରା ମାପଚୁପ ହୋଇ ନିର୍ମିତ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ବିରାଟ ମନ୍ଦିର ପ୍ରକଳ୍ପ ଏବଂ ଏହାର ଅତି ସୁନ୍ଦର ପରିବେଶ ଆଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ ବିରାଟ ଓ ମହାନ ସୃଷ୍ଟି ।
ଆଧାର
ସମ୍ପାଦନା- ↑ ଡା. କବିପ୍ରସାଦ ମିଶ୍ର, ରବିବାର ସମାଜ, ପୃଷ୍ଠା-୭, ମେ୨୦-୨୬, ୨୦୧୨
ବାହାର ତଥ୍ୟ
ସମ୍ପାଦନାବାହାଈ ଧର୍ମ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- The Bahá'í Faith – The international website of the Bahá'ís of the world
- ବାହାଈ ଧର୍ମ at Curlie