ବରାହୀ ଦେଉଳ, ଚଉରାଶି
ବରାହୀ ଦେଉଳ ବା ବାରାହୀ ଦେଉଳ ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ଅନ୍ତିମ ଭାଗ ବା ଦଶମ ଶତାବ୍ଦୀର ପ୍ରଥମ ଭାଗରେ[୧] ନିର୍ମିତ ଏକ ଶକ୍ତିପୀଠ । ଓଡ଼ିଶାର ପୂର୍ବ ଉପକୂଳସ୍ଥ ପୁରୀ ଜିଲ୍ଲାରେ ଚଉରାଶିଠାରେ ପ୍ରାଚୀ ନଦୀ କୁଳରେ ଏହା ଅବସ୍ଥିତ । ଚଉରାଶି କାକଟପୁରରୁ ଅନତିଦୂରରେ ଅବସ୍ଥିତ ।
ବରାହୀ ଦେଉଳ | |||||
---|---|---|---|---|---|
Religion | |||||
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | ||||
District | Chaurasi, ପୁରୀ | ||||
Location | |||||
ସ୍ଥାନ | ପୁରୀ | ||||
Country | India |
ଇତିହାସ
ସମ୍ପାଦନାସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ (ଅନ୍ୟମତେ ୯ମ ଶତାବ୍ଦୀର ଶେଷ ଭାଗରେ) ମନ୍ଦିରଟି ଦେବୀ ବରାହୀଙ୍କ ନିମନ୍ତେ ନିର୍ମିତ । କେତେଜଣ ଗବେଷକଙ୍କ ମତରେ ଭୌମ ବଂଶର କୌଣସି ରାଜାଙ୍କଦ୍ୱାରା ମନ୍ଦିରଟି ନିର୍ମିତ ।[୨] ମନ୍ଦିରଟି ପୂର୍ବମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର, en:Sandstone) ଗଢ଼ାହୋଇଛି । ମୁଖ୍ୟ ମନ୍ଦିରଟିର ଉଚ୍ଚତା ପ୍ରାୟ ୨୫-୨୭ ଫୁଟ । ୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବରାହୀ । ତନ୍ତ୍ରରେ ବରାହୀ ଦେବୀ ବିଷ୍ଣୁଙ୍କ ବରାହ ଅବତାରର ନାରୀରୂପିଣୀ ଶକ୍ତି । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି ୧୫.୮୪ ମି. x ୮.୨୩ ମି. x ୮.୪୦ ମି. ।[୩]
ତାନ୍ତ୍ରିକ ରୀତିନୀତି
ସମ୍ପାଦନାକେତେକ ଗବେଷକଙ୍କ ମତରେ ଚଉରାଶିର ବରାହୀ ଦେଉଳ ଓ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିର ସମେତ ଅନ୍ୟାନ୍ୟ ଶାକ୍ତ-ତନ୍ତ୍ର ମନ୍ଦିରରେ ତାନ୍ତ୍ରିକ ରୀତିନୀତି ବିଶେଷ ଭାବେ ଅନୁଷ୍ଠିତ ହେଉଥିଲା । ଏହି କାରଣରୁ ଉଭୟ ମନ୍ଦିର ଜନବସତିଠାରୁ ଦୂରବର୍ତ୍ତୀ ଅଞ୍ଚଳରେସ୍ଥିତ । ଏହି ମନ୍ଦିରଗୁଡ଼ିକରେ କୌଳ ଓ କାପାଳିକ ସମ୍ପ୍ରଦାୟମାନଙ୍କ ପ୍ରଥା ଅନୁଯାୟୀ ମୈଥୁନ ବା ସମ୍ଭୋଗ ରୀତି ହେଉଥିଲା ବୋଲି ମଧ୍ୟ ମତ ରହିଛି ।[୪]
ଶିଳ୍ପକଳା
ସମ୍ପାଦନାମୁଖ୍ୟ ପ୍ରତିମା
ସମ୍ପାଦନାସ୍ଥାନୀୟ ଅଞ୍ଚଳରେ ଦେବୀ ମତ୍ସ୍ୟ ବରାହୀ ନାମରେ ଖ୍ୟାତ । ବରାହୀଙ୍କ ପ୍ରତିମା କଳାମୁଗୁନି ପଥରରେ ନିର୍ମିତ । ପ୍ରତିମାଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ୬'୯"[୫] (ଅନ୍ୟମତେ ୫'୫"[୬] ଓ ୬'୧"[୭]) ଓ ୨'୯" । କପାଳର ମଧ୍ୟଭାଗରେ ତୃତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଡାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ପାନପାତ୍ର ବା ଖପୁରୀ (ଖର୍ପର) ଧାରଣ କରିଛନ୍ତି ।[୬] ପାନପାତ୍ର ଥିବାରୁ ଦେବୀ ରକ୍ତ ବା ମଦ୍ୟ ପାନ କରୁଥିବା ଭଙ୍ଗୀରେ ରୂପାୟିତ । ଦେବୀଙ୍କ ଉଦର ପୃଥୁଳ ।[୮] ଲୋକମତରେ ମାଆଁ ଭାବେ ବରାହୀ ସମଗ୍ର ସଂସାରକୁ ନିଜ ଉଦରରେ ଧାରଣ କରିଥିବାରୁ ତାଙ୍କ ଉଦର ବିଶାଳ । ତାଙ୍କ ବାହନ ଏକ ମଇଁଷି ବା ମହିଷ । ଦେବୀ ତାନ୍ତ୍ରିକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।
ପୁରାତନ ଶାକ୍ତ ଦେଉଳଗୁଡ଼ିକର ଗଠନଶୈଳୀ ଅନୁକରଣରେ ବରାହୀ ଦେଉଳ ନିର୍ମାଣ କରାଯାଇଛି ବୋଲି ମତ ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ବରାହୀଙ୍କ ପ୍ରତିମା ବ୍ୟତୀତ ଜଗମୋହନରେ ଆଉ ଦୁଇଗୋଟି ବରାହୀ ମୂର୍ତ୍ତି ରହିଛି । ପାଖ ଅଞ୍ଚଳର କୌଣସି ମନ୍ଦିରରୁ ଏଗୁଡ଼ିକ ଅଣାଯାଇଥିବା ପରି ପ୍ରତୀତ ହୁଏ । ଏହି ଉଭୟ ମୂର୍ତ୍ତି ବର୍ତ୍ତମାନର ବରାହୀ ଦେଉଳଠାରୁ ପ୍ରାଚୀନ ।[୯]
ଗାତ୍ର
ସମ୍ପାଦନାଖାକରା ଶୈଳୀରେ ନିର୍ମିତ ଦେଉଳମାନଙ୍କ ମଧ୍ୟରୁ ବରାହୀ ଦେଉଳ ପ୍ରମୁଖ ଅଟେ । ମୁଖ୍ୟ ଦେଉଳର ଦ୍ୱାରଦେଶରେ ଦୁଇଗୋଟି ନାଗସ୍ତମ୍ଭ ରହିଛି । ଉତ୍କଳୀୟ ଶୈଳୀରେ ଏହା ନାଗସ୍ତମ୍ଭର ପ୍ରଥମ ଉଦାହରଣ ମଧ୍ୟରୁ ଅନ୍ୟତମ ।[୧୦] ଗାତ୍ରରେ ଦୁଇଗୋଟି ପଟଳ ରହିଛି । ଉପର ପଟଳର ସ୍ଥିତି ଓ ବର୍ତ୍ତମାନ ଅବସ୍ଥା ଯୋଗୁଁ ଏଥିରେ ଖୋଦିତ ମୂର୍ତ୍ତିଗୁଡ଼ାକ ସଠିକ ଭାବେ ଚିହ୍ନିତ ହୋଇନାହିଁ । ଅନ୍ୟ ମନ୍ଦିର ଅପେକ୍ଷା ବରାହୀ ଦେଉଳର ଉଭୟ ପଟଳ ଅପେକ୍ଷାକୃତ ଛୋଟ ଆକାରର ହୋଇଛି । ଏହି କାରଣରୁ ଏଥିରେ ଅତ୍ୟଧିକ ଜିନିଷ ଚିତ୍ରିତ ହୋଇପାରିନାହିଁ କିନ୍ତୁ ମଧ୍ୟବର୍ତ୍ତୀ ଯୋଡ଼ାଣସବୁ ନିଖୁଣ ଭାବରେ କରାଯାଇଛି । ବରାହୀ ଦେଉଳର ଶିଳ୍ପ ଅନ୍ୟାନ୍ୟ ଉତ୍କଳୀୟ ମନ୍ଦିର ଅପେକ୍ଷା ଅଧିକ ନିପୁଣ ଭାବେ ସମ୍ପନ୍ନ କରାଯାଇଛି ।[୧]
ଦେଉଳର ଗାତ୍ରରେ ଖୋଦିତ ମୂର୍ତ୍ତିଗୁଡ଼ିକରୁ ଦେବୀଙ୍କର ତାନ୍ତ୍ରିକ ସମ୍ବନ୍ଧର ବଳିଷ୍ଠ ପ୍ରମାଣ ମିଳେ । ତନ୍ତ୍ରରେ ଅଷ୍ଟକାମକଳାପ୍ରୟୋଗର ବିଧି ଆଚରିତ ହୁଏ । ସଂସ୍କୃତ ଓ ଓଡ଼ିଆ ଭାଷାରେ ଲିଖିତ ଏକ ତନ୍ତ୍ରଶାସ୍ତ୍ର ମତରେ ଅଷ୍ଟକାମକଳାପ୍ରୟୋଗରେ ଆଠଗୋଟି କଳାରେ କାମକେଳି କରାଯାଏ । କୌଳ ଚୂଡ଼ାମଣି ଗ୍ରନ୍ଥରେ ଏଥିରୁ ଛଅଗୋଟି ସ୍ତର ବିଷୟରେ ଉଲ୍ଲେଖ ରହିଛି । ବରାହୀ ଦେଉଳରେ ଏହି ସବୁ ଖୋଦିତ ହୋଇଛି । ବରାହୀ ଦେଉଳରେ ଏହା ଛଡ଼ା ଅନେକ ଊର୍ଦ୍ଧ୍ୱଲିଙ୍ଗ ନଗ୍ନପୁରୁଷଙ୍କ ବିଗ୍ରହ ଅଙ୍କିତ ହୋଇଛି । ଏହା ବାମାଚାରର ପ୍ରଧାନ ପ୍ରତୀକମାନଙ୍କ ଭିତରୁ ଅନ୍ୟତମ ।[୧୧] ଶବ ଆସନ ଦେବାଦେବୀମାନେ ମଧ୍ୟ ତାହାର ନିଦର୍ଶନ । ପୂର୍ବକଥିତ ଆଠଗୋଟି କଳା ବା ଭାଗ ହେଲା : ବଶୀକରଣ, ସମ୍ମୋହନ, ଆକର୍ଷଣ, ଉଚ୍ଚାଟନ, ଯୋନ୍ୟାଭିଷେକ, ପୁରଶ୍ଚରଣ, ରଜୋପାନ, ପ୍ରସ୍ତାବ ଓ ନିବୃତ୍ତି ।[୯][୧୧] ବୋଧ ହୁଏ ଏହା ତାନ୍ତ୍ରିକ ପରମ୍ପରାରେ ପ୍ରବେଶ କରୁଥିବା ନୂତନ ଶିଷ୍ୟମାନଙ୍କ କାମତନ୍ତ୍ର ସହ ପ୍ରଥମ ପରିଚିତି ।[୧୨]
କ୍ରମ | ନାମ | ବିବରଣୀ |
---|---|---|
୧ | ବଶୀକରଣ | ଯୁବତୀକୁ ବଶରେ ଆଣିବା |
୨ | ସମ୍ମୋହନ | ଯୁବତୀକୁ ମୋହିତ କରିବା |
୩ | ଆକର୍ଷଣ | ଯୁବତୀକୁ ନିଜ ପ୍ରତି ଆକର୍ଷିତ କରାଇବା |
୪ | ଉଚ୍ଚାଟନ | ଯୁବତୀକୁ ଉଚ୍ଚାଟ କରାଇବା |
୫ | ଯୋନ୍ୟାଭିଷେକ | ଯୋନିର ଅଭିଷେକ |
୬ | ପୁରଶ୍ଚରଣ | ପୂର୍ବକ୍ରିୟା |
୭ | ରଜୋପାନ | ରଜର ପାନ |
୮ | ପ୍ରସ୍ତାବ ଓ ନିବୃତ୍ତି | ସାଧାରଣ ସ୍ତରକୁ ଫେରିବା |
ରାମାୟଣ ପଟଳ
ସମ୍ପାଦନାଉତ୍କଳରେ ରାମାୟଣର ଚିତ୍ର ଓ ନାଟ୍ୟ ପରମ୍ପରାର ବିଶିଷ୍ଟ ଗବେଷିକା ଜୋଆନା ଉଇମିଆମ୍ସଙ୍କ ମତରେ ବରାହୀ ଦେଉଳରେ ସର୍ବତ୍ର ଦୃଶ୍ୟମାନ ତାନ୍ତ୍ରିକ ପ୍ରଭାବ ରାମାୟଣ ପଟଳରେ ପଡ଼ିନାହିଁ । ରାମାୟଣ କଳାକୃତିଗୁଡ଼ିକ କଠିଣ ଆଭରଣ ରହିଛି । ଦ୍ୱାରର ଦକ୍ଷିଣ ପଟରୁ ଆରମ୍ଭ ହୋଇ ଚକ୍ରଗତିରେ ରାମାୟଣ କାରୁକାର୍ଯ୍ୟଗୁଡ଼ିକ ସ୍ଥାପିତ ହୋଇଛି । ଶୂର୍ପଣଖା ପ୍ରସଙ୍ଗ, ମାୟାମୃଗ ଆଗମନ, ମାରୀଚ ମାରଣ, ଜଟାୟୁ ରାବଣ ସଙ୍ଗ୍ରାମ, ଦୁନ୍ଦୁଭି ଶବ, ସପ୍ତତାଳ ଭେଦ, ବାଳୀଯୁଦ୍ଧ, ସମୁଦ୍ରସେତୁ ନିର୍ମାଣ - ରାମାୟଣର ଏହି ସମସ୍ତ ପ୍ରସଙ୍ଗ ଚଉରାଶିରେ ରହିଛି ।[୧]
ମାତୃକା ଭାବେ ବରାହୀ
ସମ୍ପାଦନାଗବେଷକଙ୍କ ମତରେ ଚଉରାଶିର ବରାହୀ ମନ୍ଦିରରୁ ସପ୍ତମାତୃକାଙ୍କ ତାନ୍ତ୍ରିକ ସମ୍ବନ୍ଧ ସୁସ୍ପଷ୍ଟ ଭାବେ ଗୋଚର ହୁଏ ।[୯]
ଶିଳ୍ପ ପ୍ରକାଶ
ସମ୍ପାଦନାଶିଳ୍ପ ପ୍ରକାଶ ହେଉଛି ପଣ୍ଡିତ ସଦାଶିବ ରଥଶର୍ମା ଓ ଆଲିସ ବୋନରଙ୍କଦ୍ୱାରା ପୁନରୁଦ୍ଧୃତ ଓ ପ୍ରକାଶିତ ଏକ ପୁରାତନ ଉତ୍କଳୀୟ ଶିଳ୍ପଶାସ୍ତ୍ର । ଏହି ପୁସ୍ତକର ପ୍ରଣେତା ରାମଚନ୍ଦ୍ର କୌଳାଚାର ମହାନଦୀ ଉପକୁଳରେ ବସବାସ କରୁଥିବା କୌଳତନ୍ତ୍ର ସାଧକମାନଙ୍କ ଭିତରୁ ଜଣେ ଅଟନ୍ତି । ଏହି ପୁସ୍ତକର ତନ୍ତ୍ର ପ୍ରଣାଳୀରେ କିପରି ମନ୍ଦିର ଗଠନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ରହିଛି । ଚଉରାଶିର ବରାହୀ ଦେଉଳ ଏହି ପୁସ୍ତକର ଅଧିକାଂଶ ଉଲ୍ଲେଖର ବାସ୍ତବିକ ରୂପାୟନ ଦେଖିହୁଏ । ଏହି ଗ୍ରନ୍ଥାନୁସାରେ ବରାହୀ ଦେଉଳ ଖାକରା ଶୈଳୀର କାମଗର୍ଭ ପ୍ରକାରର ମନ୍ଦିର ।[୧୩]
ଶିଳ୍ପ ପ୍ରକାଶର ଉଲ୍ଲେଖ ଅନୁସାରେ ବରାହୀ ଦେଉଳରେ ନିବିଡ଼ ମୈଥୁନ ମୂର୍ତ୍ତି ଗାତ୍ରରେ ମିଳେ । ଶିଳ୍ପ ପ୍ରକାଶ ଅନୁସାରେ ସାଧାରଣ ଲୋକଙ୍କଠାରୁ ଯନ୍ତ୍ର ଶକ୍ତିକୁ ପ୍ରଚ୍ଛନ୍ନ ରଖିବା ନିମନ୍ତେ ବାହ୍ୟ ଆଭୂଷଣ ଭାବେ ମୈଥୁନ ମୂର୍ତ୍ତି ବା ରାମଚନ୍ଦ୍ରଙ୍କ ଭାଷାରେ 'କାମ ବନ୍ଧ' ବ୍ୟବହାର କରାଯାଏ ।[୧୪]
ପର୍ବପର୍ବାଣି
ସମ୍ପାଦନାମନ୍ଦିରର ମୁଖ୍ୟ ପର୍ବ ପର୍ବାଣି ମଧ୍ୟରେ ବିଜୟା ଦଶମୀ ଏବଂ ଚୈତ୍ରପର୍ବ ଅନ୍ୟତମ ।
ଅବସ୍ଥିତି
ସମ୍ପାଦନାନିମାପଡ଼ା-କାକଟପୁର ରାସ୍ତାରେ କୋଣାର୍କଠାରୁ ୩୦ କି.ମି. ଏବଂ କାକଟପୁରଠାରୁ ୧୪ କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି ।[୩] ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ ୨୯ କି.ମି. ଯିବାପରେ ଦାହାଣ ପଟେ ଅମରେଶ୍ୱର ଆଡକୁ ୩ କି.ମି. ଯାଇ ବାମ ପଟେ ୧.୮ କି.ମି. ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ The Two-headed Deer: Illustrations of the Rāmāyaṇa in Orissa, Joanna Gottfried Williams.
- ↑ Journal of Historical Research, Volumes 46-48, Department of History, Ranchi University, 2004.
- ↑ ୩.୦ ୩.୧ ୩.୨ The goddess associated with yoganidra of Vishnu, ଶ୍ରୀକ୍ଷେତ୍ର ।
- ↑ Śakti Cult in Orissa - Page 291, Francesco Brighenti. D.K. Printworld, 01-Jan-2001.
- ↑ Orissa Review, Volume 52, Issues 6-12. 1996.
- ↑ ୬.୦ ୬.୧ Encyclopaedia of Education, Culture and Children's Literature: Volume 3, Jagannath Mohanty.
- ↑ Sidelights on History and Culture of Orissa, Manmath Nath Das. Vidyapuri, 1977.
- ↑ The Journal of Orissan History- Volume 5- Issue 1, Orissa History Congress, 1983.
- ↑ ୯.୦ ୯.୧ ୯.୨ Religious Institutions and Cults in the Deccan, C. A.D. 600-A.D. 1000 (ଡେକ୍କାନର ଧାର୍ମିକ ସମ୍ପ୍ରଦାୟ), ରମେନ୍ଦ୍ର ନାଥ ନନ୍ଦୀ ।
- ↑ Parida, Asok Nath (09-Dec-2017). Early temples of Orissa: from the sixth century A.D. to the end of Somavamsi rule. Commonwealth Publishers.
{{cite book}}
: Check date values in:|year=
,|date=
, and|year=
/|date=
mismatch (help); Cite has empty unknown parameter:|dead-url=
(help) - ↑ ୧୧.୦ ୧୧.୧ A Social History of Early India, edited by Brajadulal Chattopadhyaya.
- ↑ Early stone temples of Orissa, Vidya Dehejia. Vikas, 1979.
- ↑ Studies in History, Volume 1, Issue 2. Vikas Publishing House, 1979.
- ↑ Secret Yantras and Erotic Display for Hindu Temples (ଓଡ଼ିଆ : ହିନ୍ଦୁ ମନ୍ଦିରରେ ଗୁପ୍ତ ଯନ୍ତ୍ର ଓ କାମୁକ ପ୍ରଦର୍ଶନ), ମାଇକଲ ଡି ରେବ । Tantra in Practice (ଅଭ୍ୟାସରେ ତନ୍ତ୍ର), ଡେଭିଡ ଗର୍ଡନ ହ୍ୱାଇଟ (ସମ୍ପାଦକ) ।