ବାଞ୍ଛାନିଧି ମହାନ୍ତି
ବାଞ୍ଛାନିଧି ମହାନ୍ତି ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ କବି । ତାଙ୍କ ଜୀବନର ଦୁଇଟି ଲକ୍ଷ୍ୟ ଥିଲା; ପ୍ରଥମଟି ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦ୍ୱିତୀୟଟି ହେଲା ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ । ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ଦେଶାତ୍ମବୋଧକ ଗୀତ ରଚନା କରି ନିଜେ ଗାନ କରିଥିଲେ, ଫଳରେ ଆଖପାଖରେ ଲୋକମାନେ ତାଙ୍କ ଗୀତ, କବିତା ଆଦିଦ୍ୱାରା ଆକୃଷ୍ଟ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କର ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା । ତାଙ୍କ ରଚିତ ଦୁଃଖିନୀ କନିକା ଗୀତଟି ଜନାଦୃତ । ସେ ଜାତୀୟତାଭରା ଗୀତ ଗାଇ ଗାଇ ଗାଁ ଗାଁରେ ବୁଲୁଥିବାରୁ ତାଙ୍କୁ ଜାତୀୟ କବି ବୋଲି ପରିଚୟ ମିଳିଥିଲା ।[୧] ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା ।[୧]
ଜାତୀୟ କବି ବାଞ୍ଛାନିଧି ମହାନ୍ତି | |
---|---|
![]() ଇରମ ରକ୍ତତୀର୍ଥଠାରେ ଥିବା ବାଞ୍ଛାନିଧି ମହାନ୍ତିଙ୍କର ପ୍ରତିମୂର୍ତ୍ତୀ | |
ଜନ୍ମ ଓ ଜନ୍ମସ୍ଥାନ | ବାଞ୍ଛାନିଧି ମହାନ୍ତି ଅପ୍ରେଲ ୨୦, ୧୮୯୭ |
ମୃତ୍ୟୁ | ୧୯ ଅପ୍ରେଲ ୧୯୩୮ | (ବୟସ ୪୦)
ଜାତୀୟତା | ![]() |
ସଂକ୍ଷୀପ୍ତ ଜୀବନସମ୍ପାଦନ କରନ୍ତୁ
ବାଲ୍ୟକାଳସମ୍ପାଦନ କରନ୍ତୁ
ବାଞ୍ଛାନିଧି ମହାନ୍ତି ୨୦ ଅପ୍ରେଲ ୧୮୯୭ରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମଠାରେ ଜନ୍ମଗ୍ରହଣ କରିଥିଲେ ।[୧]
ସ୍ୱାଧୀନତା ସଂଗ୍ରାମରେ ଯୋଗଦାନସମ୍ପାଦନ କରନ୍ତୁ
"କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ଆମେ ହେଲୁ ଭିକାରୀ ।"
ଯୁବାବସ୍ଥାରେ ବାଞ୍ଛାନିଧି ମଧ୍ୟ ଭାରତ ଭୂଇଁକୁ ଏକ ସ୍ୱାଧୀନ ଦେଶ ଭାବରେ ଦେଖିବାକୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ବିଭିନ୍ନ ସଭା ସମିତିଗୁଡ଼ିକରେ ଯୋଗଦେବା ଆରମ୍ଭ କରିଥିଲେ । ଗାଁ ମାଟିର ଦୀନଦରିଦ୍ର ରୂପକୁ ଦେଖାଇ ସେ ଏଥିପାଇଁ ଫିରିଙ୍ଗ ସରକାରକୁ ଦାୟୀ କରୁଥିଲେ । ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କରିଥିଲେ ଆଉ ତାକୁ ଅତି ଆନ୍ତରିକତାର ସହିତ ତାଙ୍କ କବିତାରେ ପ୍ରକାଶ କରିଥିଲେ ।[୧]
ଆମ ସମାଜରେ ଯେତେ ଦୋଷତ୍ରୁଟି ରହିଥିଲା, ତାକୁ ସେ ଗୋଟି ଗୋଟି କରି ଲୋକଙ୍କୁ ଦେଖାଉଥିଲେ । ମନକୁ ଛୁଇଁଲା ଭଳି ଆଞ୍ଚଳିକ ଭାଷାରେ ସେ ଦୁଃଖଦରଦ ଭରା ଭାବ ଫୁଟାଇ ଲୋକମାନଙ୍କୁ ବୁଝାଉଥିଲେ । ଜାତିଭେଦ, ମହାଜନି ଅତ୍ୟାଚାର, ସ୍ତ୍ରୀଜାତି ପ୍ରତି ଅବହେଳା କୌଣସିଟି ତାଙ୍କ କବିତାରୁ ବାଦ ଯାଇ ନ ଥିଲା । ସେଥିପାଇଁ ସେ ନିଜେ ଗୋଟିଏ ଥିଏଟର୍ ଦଳ ଗଢ଼ିଥିଲେ ଏବଂ ଜାଗା ଜାଗା ବୁଲି ନାଟକ ତଥା ଗୀତିନାଟ୍ୟ ପରିବେଷଣ କରୁଥିଲେ । ପାଲା, ଯାତ୍ରା, ଦାସକାଠିଆ ଦଳ ତାଙ୍କଠାରୁ ଏହି କବିତାମାନ ନେଇ ଗାଁମାନଙ୍କରେ ବୋଲୁଥିଲେ । ଫଳରେ ତାଙ୍କର କବିତାର ପ୍ରଭାବ ସମଗ୍ର ଅଞ୍ଚଳରେ ପଡ଼ିଥିଲା ଏବଂ ଅଧିକରୁ ଅଧିକ ଲୋକ ସ୍ୱେଚ୍ଛାରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ଆରମ୍ଭ କରିଥିଲେ ।[୧] ସେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି କାରାବରଣ କରିଥିଲେ ।[୨].
କତିପୟ ରଚନାସମ୍ପାଦନ କରନ୍ତୁ
ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ
ଭାଲ ହିମାଚଳ ଗିରିବର କମ୍ପିତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଧନ୍ୟ ଧନ୍ୟ ତୁହି ତିନି ରଙ୍ଗିଆରେ,
ଧରିଛୁ ଅଙ୍ଗରେ ମୁଖ ସାଙ୍ଗିଆରେ ଚରଖା
ଦରିଦ୍ର-ସେବା ଅବତାର ବକ୍ଷରେ ସେ ଚିହ୍ନ ନମୁଛି ମୁହିଁରେ
୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲେ ମଧ୍ୟ ବିହାର, ବଙ୍ଗଳା, ମଧ୍ୟପ୍ରଦେଶ ଓ ମାଡ୍ରାସ ପ୍ରେସିଡେନ୍ସିରୁ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇ ରହିଗଲା। ବ୍ୟଥିତ ହୃଦୟରେ ସେ ରଚନା କରିଥିଲେ :
କି ହେବ ମୁଣ୍ଡକଟା ବେଶକୁ ଘେନି
ମୁଣ୍ଡକଟା ଗୋଡ଼କଟା ପଙ୍ଗୁକୁ ଘେନି
ମୋ ଜନନୀ କି ସୁନ୍ଦର ସିଂହଭୂମି ତା’ର ଶିର
ମେଦିନିପୁର ମଂଜୁଷା ପୟର ବେନି
ଟିକାଲି ତା ଅଙ୍ଗଟେକା ସମ୍ବର ଚାରୁ ଛିଟିକା
ଫୁଲଝର ଫୁଲଝରା ସୁଷମା ବେଣୀ
୧୯୨୮ର କଲିକତା କଂଗ୍ରେସ ଅଧିବେଶନରେ ଯୋଗଦେଇ ସେ ଗାଇଥିଲେ:
କହ କହ କେଉଁ ଜାତି ପାଇଛି ମୁକତି
କରି ହୁରି ହାରି ଗୁହାରି
କହ ପାଇଛି କେ ସୁଖ ଲିଭାଇଛି
ଦୁଃଖ ମାଗି ମାଗି ପଥ ଭିକାରୀ
ଖଟିଖିଆ ସାଧାରଣ ଜନତାଙ୍କର ଦୁରବସ୍ଥାକୁ ଦେଖି ସେ ଗାଇଥିଲେ:
କି ହେବ ଏ ସ୍ୱରାଜ୍ୟ ଘେନି ଯେବେ ମୋର ନ ପୂରେ ପେଟ
ଖଟି ଖଟି ମଲେଣି ମୂଲିଆ ଚାଷ ଜମି ଦାନା କନା ନିଅଣ୍ଟ
ଅଧମାଣ ଜମି ଜଣକା, କୋରଖରେ ସେ ପୁଣି ବିକା
ଗାଁରେ ସଭିଏଁ କରଜ କରନ୍ତି, ଜଣେ ଦୁଇ ଜଣ ବମ୍ବେଇ ସେଠ
ମୃତ୍ୟୁସମ୍ପାଦନ କରନ୍ତୁ
ବାଞ୍ଛାନିଧି ମହାନ୍ତି ମାତ୍ର ୪୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ୧୯୩୮ ମସିହା ଏପ୍ରିଲ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ବସନ୍ତ ଏକ ବଡ଼ ମହାମାରୀ ଭାବରେ ବ୍ୟାପିଥିଲା ଏବଂ ସେହି ରୋଗରେ ହିଁ ବାଞ୍ଛାନିଧିଙ୍କର ମୃତ୍ୟ ହୋଇଥିଲା ।[୧]
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ମହାନ୍ତି, ଜଗନ୍ନାଥ (25 December 1983). ଆମରି ମାଟିର ଅମର ଶହୀଦ. କଟକ: ଶ୍ରୀ ରବୀନ୍ଦ୍ନାଥ ମହାନ୍ତି. p. ୧୪. Retrieved 14 August 2018.
- ↑ "Freedom Fighters of Bhadrak District".
ବାହାର ଆଧାରସମ୍ପାଦନ କରନ୍ତୁ
- ଉତ୍କଳ ପ୍ରସଂଗ, ଅଗଷ୍ଟ ୨୦୦୭