ନାରାୟଣ ମହାରଣା (ଜନ୍ମ: ୧୨ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ନାଟ୍ୟକାର, ପଶୁମୁଖା ଲୋକନୃତ୍ୟ ଗବେଷକ ଏବଂ ଲୋକକଳା ବିଶେଷଜ୍ଞ ।

ପ୍ରାରମ୍ଭିକ ଜୀବନୀ

ସମ୍ପାଦନା

ନାରାୟଣ ମହାରଣା ୧୯୬୪ ଫେବୃଆରୀ ୧୨ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ରଘୁନାଥ ମହାରଣା ଓ କମଳା ମହାରଣାଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ । ସ୍କୁଲରେ ପଢ଼ୁଥିବା ବେଳେ ବିଭିନ୍ନ ପୌରାଣିକ, କାଳ୍ପନିକ, ସାମାଜିକ ନାଟକରେ ଅଭିନୟ କରିବା ସହିତ ବୟୋଜ୍ୟେଷ୍ଠ କଳାକାରଗଣଙ୍କ ବାଘ, ବୃଷଭ, କଳଘୋଡ଼ା (ପଶୁମୁଖା) ନାଚ ଦେଖି ସେହି ନୃତ୍ୟକଳା ପ୍ରତି ଆକୃଷ୍ଟ ହେଲେ ।

ବୃତ୍ତିଗତ ଜୀବନୀ

ସମ୍ପାଦନା

ପରବର୍ତ୍ତୀ ସମୟରେ ଉକ୍ତ ନୃତ୍ୟକଳାରେ ସଂଶ୍ଳିଷ୍ଟ ହେବା ସହ ପାରମ୍ପରିକ କାଠ ଖୋଦେଇ ଓ କାଗଜ ମୁଖା ନିର୍ମାଣ କଲେ ଏବଂ ପଶୁମୁଖା ଲୋକନୃତ୍ୟକୁ ମାର୍ଜିତ କରାଇଲେ ।

କଳା ପ୍ରଦର୍ଶନ

ସମ୍ପାଦନା

ପଶୁମୁଖା ନୃତ୍ୟରେ ସେ ମୁଖ୍ୟତଃ ସିଂହ, ବାଘ, ବୃଷଭ, କଳଘୋଡ଼ା, ବୀର ଚଇତି ଘୋଡ଼ା ହରିଣ, ଚିତ୍ରିତ ମଣିଷ ବାଘ, ମା' ବ୍ୟାଘ୍ରଦେବୀ ବେଶ, ରାଜାରାଣୀ ବେଶ, ସାପସାପୁଆଣୀ ଓ କେଳାକେଳୁଣୀ ବେଶ ନୃତ୍ୟ ପରିବେଷଣ କରିଛନ୍ତି ।[] ଅନ୍ୟ କଳାକାରଙ୍କ ସହଯୋଗରେ ସେ ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ଅନୁଷ୍ଠାନ ଗଠନ କଲେ । ପରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଏବଂ ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ ଉତ୍ସବରେ ତଥା ଭାରତ ଓ ବିଦେଶରେ ବିଭିନ୍ନ ସ୍ଥାନରେ ଏହି ଲୋକଶିଳ୍ପକଳା ପ୍ରଦର୍ଶନ କରିଆସିଛନ୍ତି । ଭାରତର ଅନ୍ୟାନ୍ୟ ସ୍ଥାନ ମାଧ୍ୟରେ ଭୁବନେଶ୍ୱରର ଶିଳ୍ପମେଳା ସାରସ ଉତ୍ସବ, ୨୦୧୦ରେ ଜାତୀୟ ସ୍ତରୀୟ ଯୁବ ମହୋତ୍ସବରେ ୬୦ ଜଣ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଓଡ଼ିଶା ସରକାରଙ୍କ ୨୬ ପ୍ୟାରେଡ, ଦିଲ୍ଲୀରେ ଜାନୁଆରୀ ୨୬ ଲୋକ ତରଙ୍ଗ ଉତ୍ସବ, ଆପନା ଉତ୍ସବ ତଥା ଗୋଆ, ବମ୍ବେ, ଚଣ୍ଡୀଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ଚେନ୍ନାଇ, କଲିକତା, ରାଜସ୍ଥାନ, ଭୋପାଳ ଓ ବିହାରର ବିଭିନ୍ନ ଲୋକଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୧୯୮୭-୮୮ ମସିହାରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇ.ସି.ସି.ଆର.) ଦ୍ୱାରା ମନୋନୀତ ହୋଇ ତତ୍କାଳୀନ ସୋଭିଏତ୍ ଋଷରେ ଅନୁଷ୍ଠିତ ଉତ୍ସବରେ ନିଜ କଳା ପ୍ରଦର୍ଶନ କରିଥିଲେ । ଅନ୍ୟାନ୍ୟ ବିଦେଶ ପ୍ରଦର୍ଶନ ମଧ୍ୟରେ ୧୯୮୮-୮୯ରେ ମରିସସର ତିଲାମୋର, ୧୯୯୦-୯୧ରେ ଗ୍ଲାସଗୋ ଠାରେ, ୧୯୯୨-୯୩ରେ ବର୍ଲିନ, ପ୍ୟାରିସ, ତ୍ରିନିଦାଦଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ୧୯୯୮ରେ ରାଉରକେଲା ଭଞ୍ଜକଳା ମଣ୍ଡପ, ୨୦୦୦ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରାୟୋଜିତ ହାଇଦ୍ରାବାଦର ମାଧପୁର ଶିଳ୍ପରାମମଠାରେ ଅନୁଷ୍ଠିତ ଓଡ଼ିଶା ଉତ୍ସବ, ୨୦୦୧-୦୨ରେ ଆଣ୍ଡାମାନ-ନିକୋବରର ଦ୍ୱୀପ ମହୋତ୍ସବ, ୨୦୦୧-୦୨ରେ ଇଂଲଣ୍ଡର ବ୍ରାଇଟନ୍ ବିଶ୍ୱବିଦ୍ୟାଳୟ ପ୍ରାୟୋଜିତ ଏବଂ ଆୟୋଜିତ ଭିଜନ୍ସ-୨୦୦୨ ଓ ୨୦୦୪ରେ ଆଇ ସି ସି ଆର୍ ସହଯୋଗରେ କ୍ରମେ ଏସିଆ-ନ୍ୟୁଜିଲାଣ୍ଡ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଦିୱାଲି ଫେଷ୍ଟିଭାଲରେ ୱିଲିଂଟନ୍ ଓ ଅକଲାଣ୍ଡଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ।

କଳା ନିର୍ଦ୍ଦେଶନା ଓ ତାଲିମ

ସମ୍ପାଦନା

ତାଙ୍କ ନିର୍ଦ୍ଦେଶନାରେ ଦୂରଦର୍ଶନ (ଡିଡି-୬) କେନ୍ଦ୍ର ମାଧ୍ୟମରେ ଏହି ଲୋକ ନୃତ୍ୟର ପ୍ରଚାର ପ୍ରସାର ହୋଇପାରିଛି । ବିଭିନ୍ନ ସମୟରେ ଡିଡି-୬ ଓ ଆକାଶବାଣୀ କେନ୍ଦ୍ର ଦ୍ୱାରା ପଶୁମୁଖା ନୃତ୍ୟ ସଂପର୍କିତ ସାକ୍ଷାତକାର ପ୍ରସାରିତ । ଜଣେ ନିର୍ଦ୍ଦେଶକ ଓ ଗୁରୁ ଭାବେ ସରକାରଙ୍କ ଏସ୍ ଜି ଏସ୍ ୱାଇ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକ୍ରମରେ ଭେଜିପୁତ ଠାରେ ଦୁଇଗୋଟି ଦଳ କବି ସମ୍ରାଟ ପଶୁମୁଖା ନୃତ୍ୟ (ଏସ୍ ଏଚ୍ ଜି), ମା' ବ୍ୟାଘ୍ରଦେବୀ ପଶୁମୁଖା ନୃତ୍ୟ (ଏସ୍ ଏଚ୍ ଜି), ଲୁଣିପଡ଼ା ଶାସନ, ଢଉଗାଁ, ବାହାଡାଗୋଡ଼ା ଏବଂ ଶେରଗଡ଼ ମା' ଶିତଳା ସ୍ୱୟଂ ସହାୟକ ପଶୁମୁଖା ନୃତ୍ୟ ଦଳରେ ଶିକ୍ଷା ପ୍ରଦାନ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଦକ୍ଷିଣ ଓଡ଼ିଶା ଲୋକନୃତ୍ୟ ପରମ୍ପରା ଓ ପ୍ରଦର୍ଶନ ସେମିନାରରେ ସ୍ୱ-ଲିଖିତ ସନ୍ଦର୍ଭ ପାଠ କରିଛନ୍ତି । ସେଠାରେ ନିର୍ମିତ ସଂଗ୍ରହାଳୟରେ ତାଙ୍କ ହସ୍ତ ନିର୍ମିତ ବାଘ, ବୃଷଭ, ବୀର ଚଇତି ଘୋଡ଼ା ହରିଣ ଏବଂ ନବଗୁଞ୍ଜର ବେଶ ସ୍ଥାନ ପାଇଛି । ଭୋପାଳର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟଠରେ ତାଙ୍କର ହସ୍ତ ନିର୍ମିତ ପଶୁମୁଖା ବେଶ ସ୍ଥାନୀତ ହୋଇଛି ।

ରଚନାବଳୀ

ସମ୍ପାଦନା
  • ଡଷ୍ଟବିନ୍ (ନାଟକ)
  • ଅଣଲେଉଟା (ନାଟକ) ୨୦୨୦
  • ପଶୁମୁଖା ନୃତ୍ୟ (୧ମ ଓ ୨ୟ ଭାଗ)
  • ପୁରୁଣା ହିଁ ସୁନା (୨୦୧୬)

ସମ୍ମାନ ଓ ପୁରସ୍କାର

ସମ୍ପାଦନା

ତାଙ୍କର ଲୋକନୃତ୍ୟକୁ ଅବଦାନ‌ ନିମନ୍ତେ ସେ ୨୦୨୧ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ।[][][]

  1. ""ଗୁଣଗ୍ରାହୀ କଳାପ୍ରେମୀଙ୍କ ନିମନ୍ତେ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସଦାସର୍ବଦା ଏକ ମହୋଲ୍ଲାସ,"". Shasak Prashasak News - Odisha's No1. 24 x 7 Odia Newsportal (in Indian English). Shasak Prashasak News. 2024-09-05. Retrieved 2024-09-03.
  2. "Odisha Sangeet Natak Akademi Awards Announced For 2019 & 2020". Pragativadi. 27 August 2021. Retrieved 2 September 2024.
  3. Sambad (2021-08-29), Narayan Maharana To Receive Odisha Sangeet Natak Akademi Award | Sambad, retrieved 2024-09-03
  4. Himanshu (2021-08-27). "Odisha Sangeet Natak Akademi awards announced for 2019 and 2020: Complete list here". KalingaTV (in Indian English). Retrieved 2024-09-03.