ଟୁସୁ ପରବ ଓଡ଼ିଶା, ଝାଡ଼ଖଣ୍ଡପଶ୍ଚିମବଙ୍ଗର ମୁଖ୍ୟତଃ କୁରୁମୀ ଓ ବାକି ସମ୍ପ୍ରଦାୟଙ୍କଦ୍ୱାରା ପାଳିତ ଏକ କୃଷିଭିତ୍ତିକ ପର୍ବ ।[୧] ପୁଷ୍‌ ପରବ ବା ମକର ପର୍ବରେ ଆହୂତ ଦେବୀ ଟୁସୁ ମନୀଙ୍କର ପୂଜାର୍ଚ୍ଚନା କରାଯାଏ । ଟୁସୁ କୃଷିଭିତ୍ତିକ ସଂସ୍କୃତି ଦେବୀ । ମୁଖ୍ୟତଃ କୁମାରୀ କନ୍ୟାଗଣ ଟୁସୁଦେବୀଙ୍କର ମୃଣ୍ମୟ ମୂର୍ତ୍ତିଙ୍କୁ ପୌଷ ମାସରେ ପୂଜାକରନ୍ତି । ପ୍ରତ୍ୟହ ଟୁସୁ ସଙ୍ଗୀତ ବୋଲିଥାନ୍ତି । ଏହି ସଂଗୀତର ବିଷୟବସ୍ତୁ ଟୁସୁଦେବୀଙ୍କର ଲୀଳାଖେଳା, ଟୁସୁଦେବୀ ସଂପର୍କିତ ଓ ଝୁମର ସ୍ୱରର ଲୋକଗୀତ । ପାରମ୍ପରିକ ରୀତିରେ ପିଠାପଣା ଅଥବା ମିଷ୍ଟାନ୍ନ ଟୁସୁଦେବୀଙ୍କୁ ସମର୍ପଣ କରାଯାଏ । ଟୁସୁଦେବୀଙ୍କର ପ୍ରିୟ ଫୁଲ ଗେଣ୍ଡୁ । କୁମାରୀମାନେ ଏହି ଫୁଲ ଦେବୀଙ୍କୁ ଅର୍ପଣ କରି ସନ୍ତୁଷ୍ଟ କରାନ୍ତି । ଗାଁ ମୁଖିଆ, ଦେଶ ପଧାନ ବା ମାହାନ୍ତଙ୍କ ଗୃହ ଟୁସୁଦେବୀଙ୍କ ପୂଜା ଆରାଧନାସ୍ଥଳୀ । ଟୁସୁଦେବୀ ମାସେ ପର୍ଯ୍ୟନ୍ତ ପୂଜା ପାଆନ୍ତି । ମକର ସଂକ୍ରାନ୍ତି ଦିନ ଦେବୀ ବିସର୍ଜନ ହୁଅନ୍ତି । ମକର ପର୍ବ ତିନିଦିନ ବ୍ୟାପୀ ପ୍ରଥମ ଦିନ ‘ବାଉଣ୍ଡି’ ପରଦିବସ ‘ମକର’ ଏବଂ ଶେଷ ଦିବସ ‘ଆଖାନ’ । ‘ବାଉଣ୍ଡି’ (ପୌଷ ମାସନ୍ତ) ରାତି ସାରା ଟୁସୁ ସଙ୍ଗୀତ ବୋଲାଯାଏ । କୁମାରୀ କନ୍ୟାଗଣ ଟୁସୁ ଦେବୀଙ୍କ ସହିତ ଘରକୁ ଘର ବୁଲି ବିସର୍ଜନ ଦିନ ସକାଳ ଯାଏ ଟୁସୁଗୀତ ଗାନ କରନ୍ତି । ଟୁସୁ ଦେବୀ ଏକ ସ୍ୱତନ୍ତ୍ର ଧରଣର ବିମାନ ‘ଚଉଡଲ’ ଆରୋହଣ କରି ଜଳକୁ ଗମନ କରନ୍ତି । କୁମାରୀମାନେ ବିଦାୟ ସଙ୍ଗୀତ ବୋଲନ୍ତି:

ଗୀତର ପଦ ଓଡ଼ିଆ ଅନୁବାଦ

“ତଦେର ଘରକେ ଟୁସୁ ଆଇଲ
ତହରା ତ ଘୁମାଇ ଆଛ
ଉଠ ବାଛା ଚେତନ କର
ଟୁସୁକେ ବିଦାୟ କର ।”

ବିଦାୟ ମାଗୁଣୀ ନେଇ ଟୁସୁ ତୁମ ଘରକୁ
ଆସିଛି । ତୁମେ ସବୁ ଶୋଇ ପଡ଼ିଛ ଉଠ
ଚେତନା ପାଅ । ଟୁସୁକୁ ବିଦାୟ କର ।

ମୟୂରଭଞ୍ଜର ଅନେକ ସାଂସ୍କୃତିକ ଅନୁଷ୍ଠାନମାନ ଟୁସୁ ଉତ୍ସବ, ଟୁସୁମେଳା, ଟୁସୁ ସଙ୍ଗୀତ ତଥା ‘ଚଉଡଲ’(ବିମାନ) ପ୍ରତିଯୋଗିତାମାନ କରାନ୍ତି । ଏହା ବ୍ୟତୀତ ମୟୂରଭଞ୍ଜର ଟୁକପଳାସିଆ, ଯଶିପୁର, ରାମତୀର୍ଥ, କୋଷ୍ଠା, ବହଳଦା, କେଉଁଝର, ଜୋଡା, ସୁନ୍ଦରଗଡ଼, ଝାଡ଼ଖଣ୍ଡର ହଳଦିପୋଖରୀ, ଚକ୍ରଧରପୁର, ପଶ୍ଚିମବଙ୍ଗର ସିଲଦା, ମେଦିନୀପୁର, ପୁରୁଲିଆ ପ୍ରଭୃତି ଅଞ୍ଚଳମାନଙ୍କରେ ଟୁସୁମେଳା ଆୟୋଜିତ ହୋଇଆସୁଛି । ଟୁସୁ ସଂଗୀତ, ଟୁସୁଦେବୀଙ୍କ ମୃଣ୍ମୟ ମେଢ଼ ଓ ଚଉଡଲ ନିର୍ମାଣ ପାଇଁ ପ୍ରତିଯୋଗିତାମାନ ଆୟୋଜିତ ହୋଇଆସୁଛି ।[୨]

ଆଧାର ସମ୍ପାଦନା

  1. Alam, Raja. "Festival of Tusu: An Introduction". Sahapedia (in ଇଂରାଜୀ). Sahapedia. Retrieved 14 June 2019.
  2. ପ୍ରମେୟ ଧର୍ମ, ପୃଷ୍ଠା-୫, ୧୫.୧.୨୦୧୫