ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ
ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ଭାରତର ସବୁଠାରୁ ପୁରୁଣା ଜାତୀୟ ଉଦ୍ୟାନ । କ୍ରମଶଃ ହ୍ରାସ ପାଇଆସୁଥିବା ମହାବଳ ବାଘଙ୍କ ସଂଖ୍ୟାକୁ ଦେଖି ଈଂରେଜ ଶାସନାଧୀନ ଭାରତରେ ୧୯୩୬ ମସିହାରେ ହେଲି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଉତ୍ତରାଖଣ୍ଡ (ତତ୍କାଳୀନ ଉତ୍ତର ପ୍ରଦେଶ) ରାଜ୍ୟର ନୈନିତାଲ ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା । ଏହାର ସ୍ଥାପନରେ ଜିମ୍ କର୍ବେଟ୍ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଏହି ଜାତୀୟ ଉଦ୍ୟାନ ପରେ ତାଙ୍କରି ନାମରେ ନାମିତ ହୋଇଥିଲା । ଏହି ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଚୟନ କରାଯାଇଥିବା ପ୍ରଥମ ବ୍ୟାଘ୍ର ଅଭୟାରଣ୍ୟ ଥିଲା ।[୨]
ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ | |
---|---|
କର୍ବେଟ୍ ଜାତୀୟ ଉଦ୍ୟାନ କର୍ବେଟ୍ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଅବସ୍ଥାନ | ନୈନିତାଲ ଜିଲ୍ଲା, ଉତ୍ତରାଖଣ୍ଡ, ଭାରତ |
ପାଖ ସହର | ରାମନଗର |
ଦିଗବାରେଣି | 29°32′55″N 78°56′07″E / 29.54861°N 78.93528°E |
ସ୍ଥାପିତ | ୧୯୩୬ |
ପର୍ଯ୍ୟଟକ ସଂଖ୍ୟା | ୫୦୦୦୦୦[୧] |
ପରିଚାଳନା | ବ୍ୟାଘ୍ର ପ୍ରକଳ୍ପ, ଉତ୍ତରାଖଣ୍ଡ ସରକାର, ବନ୍ୟଜନ୍ତୁ ନିରୀକ୍ଷକ (କର୍ବେଟ୍ ଜାତୀୟ ଉଦ୍ୟାନ) |
Official website |
ଏହି ଜଙ୍ଗଲରେ ତେରାଇ ବା ହିମାଳୟ ପାଦଦେଶବର୍ତ୍ତୀ ଅଞ୍ଚଳର ଭୌଗୋଳିକ ପରିବେଶ ଓ ଜଳବାୟୁ ଅନୁଭୂତ ହୁଏ ।[୩] ଏକ ଇକୋଟୁରିଜମ୍ କ୍ଷେତ୍ର ରୂପେ ପରିଚିତ[୪] ଏହି ଜାତୀୟ ଉଦ୍ୟାନରେ ୪୮୮ ଭିନ୍ନ ପ୍ରଜାତିର ଉଦ୍ଭିଦ ଓ ଅନେକ ପ୍ରକାରର ଜୀବଜନ୍ତୁ ପରିଲକ୍ଷିତ ହୁଅନ୍ତି ।[୫][୬] ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ବର୍ତ୍ତମାନ ଏହି ଜାତୀୟ ଉଦ୍ୟାନର ପାରିବେଶିକ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି କରିଛି ।[୭]
କର୍ବେଟ୍ ସବୁବେଳେ ପର୍ଯ୍ୟଟକ ଓ ଜୀବପ୍ରେମୀଙ୍କ ପାଇଁ ଏକ ପ୍ରିୟ ସ୍ଥାନ ରହିଆସିଛି । ଜାତୀୟ ଉଦ୍ୟାନର ସୁନ୍ଦର ଜଙ୍ଗଲ ଓ ଜୀବଜନ୍ତୁଙ୍କ ଦର୍ଶନ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ସାମ୍ପ୍ରତିକ ସମୟରେ ଜାକୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଗୁଣ ବୃଦ୍ଧି ପାଇଛି । ପର୍ଯ୍ୟଟନ ଋତୁରେ ଦୈନିକ ହାରାହାରି ୭୦ ହଜାର ପର୍ଯ୍ୟଟକ ଉଦ୍ୟାନ ଦେଖିବାକୁ ଆସନ୍ତି ।
୫୨୦.୮ ବର୍ଗ କି.ମି. ପରିମିତ ଏହି ଜାତୀୟ ଉଦ୍ୟାନ ପାହାଡ଼, ନଦୀନାଳ, ସନ୍ତସନ୍ତିଆ ନିମ୍ନଭୂମି, ତୃଣଭୂମି ଓ କ ବିରାଟ ହ୍ରଦଦ୍ୱାରା ଶୋଭିତ । ଜାତୀୟ ଉଦ୍ୟାନ ମଧ୍ୟରେ ଏହାର ସର୍ବୋଚ୍ଚ ଓ ସର୍ବନିମ୍ନ ସ୍ଥାନର ସମୁଦ୍ର ପତନଠାରୁ ଉଚ୍ଚତା ଯଥାକ୍ରମେ ୧୩୦୦ ଫୁଟ୍ ଓ ୪୦୦୦ ଫୁଟ୍ । ଶୀତ ଋତୁରେ ରାତିରେ ଭଲ ଥଣ୍ଡା ହୁଏ କିନ୍ତୁ ଦିନବେଳା ଉଜ୍ଜ୍ୱଳ ସୂର୍ଯ୍ୟାଲୋକ ଆବଶ୍ୟକ ଉତ୍ତାପ ଯୋଗାଇଦିଏ । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ଜାତୀୟ ଉଦ୍ୟାନରେ ବୃଷ୍ଟିପାତ ହୁଏ ।
ଏଠାକାର ଘଞ୍ଚ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟରେ ମୁଖ୍ୟତଃ ଶାଳ, ବରଗଛ, ଆମ୍ବ, କାମଳ ଓ କଦମ୍ବ ଇତ୍ୟାଦି ଗଛ ଦେଖିବାକୁ ମିଳେ । ଜାତୀୟ ଉଦ୍ୟାନର ୭୩% ଭୂଭାଗ ଅରଣ୍ୟାବୃତ ଓ ୧୦% ଭୂମିରେ ତୃଣଭୂମିର ଗାଲିଚା ରହିଛି । ୧୧୦ ପ୍ରକାରର ବୃକ୍ଷ, ୫୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୮୦ ପ୍ରଜାତିର ପକ୍ଷୀ ଓ ୨୫ ପ୍ରଜାତିର ସରୀସୃପ ଉଦ୍ୟାନରେ ଦେଖିବାକୁ ମିଳନ୍ତି ।
ଇତିହାସ
ସମ୍ପାଦନାଏହି ଜାତୀୟ ଉଦ୍ୟାନର କିଛି ଅଂଶ ପୂର୍ବେ ତେହରି ଗଡ଼ୱାଲ୍ ରାଜ୍ୟର ଶିକାର ଜଙ୍ଗଲ ଥିଲା ।[୮] ରୋହିଲା ଅନୁପ୍ରବେଶକାରୀଙ୍କ ଦମନ ପାଇଁ ଜଙ୍ଗଲର ବହୁ ଅଂଶ କାଟି ସଫା କରିଦିଆ ଯାଇଥିଲା ।[୮] ଗୁର୍ଖାଙ୍କୁ ରାଜ୍ୟରୁ ବିତାଡ଼ିତ କରିବାରେ ସାହାଯ୍ୟ କରିଥିବାରୁ ତେହରିର ରାଜା ନିଜ ରାଜ୍ୟର କିଛି ଅଂଶ ବ୍ରିଟିଶ୍ ପୂର୍ବ ଭାରତୀୟ କମ୍ପାନୀକୁ ପ୍ରଦାନ କରିଥିଲେ ।[୮] ତେରାଇ ଅଞ୍ଚଳର ବୋକ୍ଷା ଜନଜାତି ଏଠାରେ ଘର କରି କୃଷିକାର୍ଯ୍ୟ ଇତ୍ୟାଦି କରୁଥିଲେ । କିନ୍ତୁ ୧୮୬୦ ଦଶନ୍ଧିରେ ବ୍ରିଟିଶ୍ ଶାସକମାନେ ଏମାନଙ୍କୁ ତଡ଼ି ଦେଇଥିଲେ ।[୮]
ଉନବିଂଶ ଶତାବ୍ଦୀରେ ଏହି ଅଞ୍ଚଳର ଦାୟିତ୍ତ୍ୱରେ ଥିବା ମେଜର୍ ରାମସେ ଏହି ଜଙ୍ଗଲର ସୁରକ୍ଷା ପାଇଁ ଚେଷ୍ଟା କରିଥିଲେ । ୧୮୬୮ ମସିହାରେ ବ୍ରିଟିଶ୍ ବନ ବିଭାଗ ଜଙ୍ଗଲ ମଧ୍ୟରେ କୃଷି ଓ ପଶୁ ଚରାଇବା ଉପରେ ନିଷେଧାଜ୍ଞା ଜାରି କରିଥିଲେ । ଏହା ଥିଲା ଏହି ଜଙ୍ଗଲର ସୁରକ୍ଷା ଦିଗରେ ପ୍ରଥମ ପଦକ୍ଷେପ ।[୯] ୧୮୭୯ ମସିହାରେ ଏହାକୁ ବ୍ରିଟିଶ୍ ରାଜୁତି ଏକ ସଂରକ୍ଷିତ ଜଙ୍ଗଲ ବୋଲି ଘୋଷଣା କଲେ ଓ ଏହି ଜଙ୍ଗଲରୁ ଗଛ କଟାକଟି ଉପରେ କଟକଣା ଲାଗିଲା ।
୧୯୦୦ ଶତାବ୍ଦୀର ପ୍ରଥମ ଭାଗରେ ଇ. ଆର୍. ଷ୍ଟିଭାନ୍ସ୍, ଏଭଲିନ୍ ଆର୍ଥର୍ ସ୍ମାଇଥିଜ୍ ଓ ଅନେକ ବ୍ରିଟିଶ୍ ପ୍ରଶାସକ ଏହି ସ୍ଥାନରେ ଏକ ଜାତୀୟ ଉଦ୍ୟାନ ସ୍ଥାପନ କରାଇବାର ପ୍ରସ୍ତାବ ରଖିଥିଲେ । ୧୯୦୭ ମସିହାରେ ଈଂରେଜ ପ୍ରଶାସନ ଏଠାରେ ଏକ ଶିକାର ଜଙ୍ଗଲ ସ୍ଥାପନ କରିବା ବିଷୟ ଚିନ୍ତା କରୁଥିଲେ ।[୯] ବହୁ ବର୍ଷ ପରେ ୧୯୩୦ ମସିହାରେ ଏଠାକାର ଜଙ୍ଗଲର ସୀମା ଧାର୍ଯ୍ୟ କରାଯିବା ଆରମ୍ଭ ହେଲା । ସେତେବେଳେ ଏହି ସ୍ଥାନ ସହିତ ଭଲ ଭାବେ ପରିଚିତ ଜିମ୍ କର୍ବେଟ୍ ଏହି ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସହାୟତା କରିଥିଲେ । ୧୯୩୬ ମସିହାରେ ୩୨୩.୭୫ ବର୍ଗ କି.ମି. ପରିମିତ ଅଞ୍ଚଳରେ ହେଲି ଜାତୀୟ ଉଦ୍ୟାନ ନାମକ ଏକ ସଂରକ୍ଷିତ ଜଙ୍ଗଲ ସ୍ଥାପିତ ହେଲା । ତତ୍କାଳୀନ ୟୁନାଇଟେଡ଼୍ ପ୍ରୋଭିଂସେସ୍ (ଉତ୍ତର ପ୍ରଗଣା)ର ଗଭର୍ଣ୍ଣର୍ ସାର୍ ମାଲ୍କମ୍ ହେଲିଙ୍କ ନାମାନୁସାରେ ଏହି ଜାତୀୟ ଉଦ୍ୟାନର ନାମ ରଖାଯାଇଥିଲା । ସେତେବେଳେ ଏହା ସମଗ୍ର ଏସିଆ ମହାଦେଶର ପ୍ରଥମ ଜାତୀୟ ଉଦ୍ୟାନ ଥିଲା ।[୧୦] ଏହି ଜାତୀୟ ଉଦ୍ୟାନ ସୀମା ମଧ୍ୟରେ ଶିକାର ଉପରେ ନିଷିଦ୍ଧାଦେଶ ଲାଗିଲା । କିନ୍ତୁ ଘରେ ବ୍ୟବହାର ପାଇଁ ଏହି ଜଙ୍ଗଲରୁ ଗଛ କାଟିବାର ଅନୁମତି ରହିଥିଲା । ପରବର୍ତ୍ତୀ ସମୟରେ ଅଭୟାରଣ୍ୟ ଘୋଷିତ ହେବା ପରେ ଏଠାକାର ସ୍ତନ୍ୟପାୟୀ, ସରୀସୃପ ଓ ପକ୍ଷୀଙ୍କୁ ଜନ୍ତା ପକାଇ ଧରିବା ବା ମାରିବା ଉପରେ ରହିଥିବା କଟକଣା ବଳବତ୍ତର ରହିଲା ।[୧୧]
୧୯୫୪-୫୫ ମସିହାରେ ଏହି ଅଭୟାରଣ୍ୟକୁ ରାମଗଙ୍ଗା ଜାତୀୟ ଉଦ୍ୟାନ ନାମରେ ନାମିତ କରାଗଲା ଓ ୧୯୫୫-୫୬ ମସିହାରେ ପୁଣି ନାମ ପରିବର୍ତ୍ତନ କରାଯାଇ କର୍ବେଟ୍ ଜାତୀୟ ଉଦ୍ୟାନ ନାମ ରଖାଗଲା ।[୧୦] ବର୍ତ୍ତମାନର ନାମ ବିଖ୍ୟାତ ଲେଖକ ଓ ସଂରକ୍ଷଣବାଦୀ ଜିମ୍ କର୍ବେଟ୍ଙ୍କ ନାମାନୁସାରେ ରଖାଯାଇଛି ।[୧୨] ଏଠାକାର ସ୍ଥାନୀୟ ସରକାରଙ୍କୁ ଏକ ଜାତୀୟ ଉଦ୍ୟାନ ଗଠନ କରିବାକୁ ପ୍ରଭାବିତ କରିପାରିଥିବାରୁ ଓ ଏହାର ସ୍ଥାପନା ସମୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ନାମରେ ନାମିତ କରିବା ପ୍ରଯୁଜ୍ୟ ମନେହୁଏ ।[୧୧]
୧୯୩୦ ଦଶନ୍ଧିରେ ନିର୍ବାଚିତ ପ୍ରଶସକଙ୍କ ଅଧୀନରେ ଉଦ୍ୟାନର ସୁପରିଚାଳନା ହୋଇଥିଲା ।[୧୩] କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ଗଛ କାଟିବା ଓ ଅବୈଧ ଶିକାର ବହୁ ମାତ୍ରାରେ ବୃଦ୍ଧି ପାଇଲା ।[୧୩] କ୍ରମେ ଅଭୟାରଣ୍ୟର କ୍ଷେତ୍ରଫଳ ବଢ଼ାଇ ଦିଆଯାଇ ୧୯୯୧ ମସିହା ବେଳକୁ ଆଉ ୭୯୭.୭୨ ବର୍ଗ କି.ମି. ଅଭୟାରଣ୍ୟରେ ଯୋଡ଼ା ହୋଇଥିଲା ।[୧୦] ୧୯୯୧ ମସିହାରେ ହୋଇଥିବା ଏହି ବୃଦ୍ଧିରେ କାଲାଗଡ଼ ବନଖଣ୍ଡ ଓ ଏହାର ଅନ୍ତର୍ଗତ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ଏକ ମୁଖ୍ୟ ଅଂଶ ଥିଲା ।[୧୦] ପ୍ରାରମ୍ଭିକ ଉଦ୍ୟାନ ଭାବେ ୧୯୭୪ ମସିହାରେ ଏହି ଜାତୀୟ ଉଦ୍ୟାନକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚୟନ କରାଗଲା ।[୧୪] ନୈନିତାଲ ଜିଲ୍ଲାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଏହାର ପ୍ରଶାସନିକ କାର୍ଯ୍ୟକଳାପ ନିୟନ୍ତ୍ରିତ ହୁଏ ।[୯]
World Wide Fund For Nature ସଂସ୍ଥାର ସହଯୋଗରେ ଚାଲିଥିବା ତେରାଇ ଆର୍କ୍ ଲାଣ୍ଡସ୍କେପ୍ ପ୍ରକଳ୍ପରେ ଭାରତ ଓ ନେପାଳର ଯେଉଁ ୧୩ଟି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭକ୍ତ ହୋଇଛି, ସେଥିରୁ କର୍ବେଟ୍ ଅନ୍ୟତମ ।[୧୫] ବାଘ, ହାତୀ, ଭାରତୀୟ ଗଣ୍ଡା ପରି ତିନୋଟି ପ୍ରଜାତିର ସୁରକ୍ଷା ଓ ଏଠାକାର ଜଙ୍ଗଲ ଓ ଜୀବଜନ୍ତୁଙ୍କ ପୁନରୁଦ୍ଧାର ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ।[୧୫]
ଭୌଗୋଳିକ ତଥ୍ୟ
ସମ୍ପାଦନାକର୍ବେଟ୍ ଜାତୀୟ ଉଦ୍ୟାନ ୨୯°୨୫'ରୁ ୨୯°୩୯' ଉତ୍ତର ଅକ୍ଷାଂଶ ଏବଂ ୭୮°୪୪'ରୁ ୭୯°୦୭' ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ ।[୮] ଏହି ଅଭୟାରଣ୍ୟ ମଧ୍ୟରେ ରହିଥିବା ସର୍ବୋଚ୍ଚ ସ୍ଥାନ ସମୁଦ୍ର ପତନଠାରୁ ୧୦୪୦ ମି. ଓ ସର୍ବନିମ୍ନ ସ୍ଥାନ ସମଦ୍ର ପତନରୁ ୩୬୦ ମିଟର୍ ଉଚ୍ଚ ।[୩] ଉଦ୍ୟାନ ମଧ୍ୟରେ ଅନେକ ପାହାଡ଼ମାଳା, ସଂକୀର୍ଣ୍ଣ ଉପତ୍ୟକା, ଛୋଟ ନଦୀନାଳ, ମାଳଭୂମି ଇତ୍ୟାଦି ରହିଛନ୍ତି ।[୩] ରାମଗଙ୍ଗା ନଦୀଦ୍ୱାରା ସୃଷ୍ଟ ପତ୍ଲି ଦୁନ୍ ଉପତ୍ୟକା ମଧ୍ୟ ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ଅବସ୍ଥିତ ।[୧୬] ଉତ୍ତରୀୟ ଗାଙ୍ଗେୟ ସମତଳ ଭୂମିର ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଓ ହିମାଳୟ ଉପ-କ୍ରାନ୍ତୀୟ ପାଇନ୍ ଅରଣ୍ୟର କିଛି ଅଂଶ ଏହି ଜାତୀୟ ଉଦ୍ୟାନର ସୀମା ମଧ୍ୟରେ ରହିଛନ୍ତି ଓ ସେହି କାରଣରୁ ସଂରକ୍ଷିତ ହୋଇପାରିଛନ୍ତି । ଏଠାକାର ଜଳବାୟୁ ଉପ-କ୍ରାନ୍ତୀୟ ଓ ଉଚ୍ଚଭୂମିସ୍ଥ ଆର୍ଦ୍ର ଜଳବାୟୁ ।
ଅଭୟାରଣ୍ୟର କ୍ଷେତ୍ରଫଳ ୧୩୧୮.୫୪ ବର୍ଗ କି.ମି. । ସେଥିରୁ ୫୨୦ ବର୍ଗ କି.ମି. କୋର୍ ଅଞ୍ଚଳ ଓ ୭୯୭.୭୨ ବର୍ଗ କି.ମି. ଅଣ-କୋର୍ ଅଞ୍ଚଳ । କୋର୍ ଅଞ୍ଚଳରେ ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ରହିଥିବା ବେଳେ ଅଣ-କୋର୍ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ (୪୯୬.୫୪ ବର୍ଗ କି.ମି.) ଓ ସୋନାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ (୩୦୧.୧୮ ବର୍ଗ କି.ମି.) ରହିଛି ।
ଏହି ଅଭୟାରଣ୍ୟ ଆଂଶିକ ରୂପେ ଦକ୍ଷିଣରେ ସିୱାଲିକ୍ ଓ ଉତ୍ତରରେ ନିମ୍ନ ହିମାଳୟଦ୍ୱାରା ସୃଷ୍ଟ ଉପତ୍ୟକାରେ ରହିଛି ।[୩]
ଜଳବାୟୁ
ସମ୍ପାଦନାଭାରତର ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ତୁଳନାରେ କର୍ବେଟ୍ ଉଦ୍ୟାନର ଜଳବାୟୁ ସାମାନ୍ୟ ସମଶୀତୋଷ୍ଣ ।[୧୬] ଶୀତଦିନରେ ଏହି ଉଦ୍ୟାନରେ ତାପମାତ୍ରା ୫ ଡିଗ୍ରୀ ସେଲ୍ସିୟସ୍ରୁ ଆରମ୍ଭ କରି ୩୦ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହୋଇପାରେ ଓ ସକାଳ ସମୟରେ ବେଳେବେଳେ କୁହୁଡ଼ିଆ ପାଗ ଅନୁଭୂତ ହୁଏ ।[୧୬] ଗ୍ରୀଷ୍ମଋତୁରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିନଥାଏ ।[୧୬] ଏଠାରେ ଶୁଷ୍କ ଋତୁରେ ସାମାନ୍ୟ ଓ ମୌସୁମୀ ପ୍ରବାହ ସମୟରେ ଅଧିକ ବୃଷ୍ଟିପାତ ହୋଇଥାଏ ।[୨]
ଉଦ୍ଭିଦ ଜଗତ
ସମ୍ପାଦନାକର୍ବେଟ୍ ଜାତୀୟ ଉଦ୍ୟାନରେ ୪୮୮ ପ୍ରଜାତିର ବୃକ୍ଷ, ଲତା, ଗୁଳ୍ମ ଆଦି ଦେଖାଯାଇଛି ।[୫] ଅଧିକ ଶାଳ ଗଛ ଥିବା ଅଂଶରେ ଜଙ୍ଗଲର ଘନତା ସର୍ବାଧିକ ହୋଇଥିବା ବେଳେ ଆକାଶିଆ ଗଛ ଥିବା ଅଞ୍ଚଳରେ ଘନତା ସର୍ବନିମ୍ନ ।[୧୭] ଉଦ୍ୟାନର ଘଞ୍ଚ ସ୍ଥାନମାନଙ୍କରେ ଝଙ୍କାଳିଆ ଶାଳ ଗଛ ଅରଣ୍ୟ ଭୂମିକୁ ଆଚ୍ଛାଦିତ କରି ରଖିଥାଏ ।[୧୭] ଜାମୁ ଗଛ ଥିବା ଅଞ୍ଚଳରେ ବୃକ୍ଷରୋପଣ କରି ଅଧିକ ଗଛ ଲଗାଯାଇପାରୁଥିବା ବେଳେ ଶାଳ ଗଛର ଛାୟାରେ ବୃକ୍ଷରୋପଣ କଲେ ଗଛ ଅଧିକ ବଢ଼ିପାରେନାହିଁ ।[୧୭]
-
କର୍ବେଟ୍ର ଘନ ଜଙ୍ଗଲ
-
କର୍ବେଟ୍ ଜାତୀୟ ଉଦ୍ୟାନରେ ଥିବା ତୃଣଭୂମି
-
ହାତୀପଲ
-
କର୍ବେଟ୍ ଉଦ୍ୟାନ ଦେଇ ପ୍ରବାହିତ ଏକ ନଦୀ
-
ପାହାନ୍ତ୍ୟା ସମୟରେ କର୍ବେଟ୍ର ଦୃଶ୍ୟ
-
କର୍ବେଟ୍ ଉଦ୍ୟାନରେ ଏକ ଶୀତୁଆ ସକାଳ
ବନ୍ୟପ୍ରାଣୀ
ସମ୍ପାଦନାକର୍ବେଟ୍ ଜାତୀୟ ଉଦ୍ୟାନରେ ୫୮୬ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାଇଛନ୍ତି । ସାପଖିଆ ଚିଲ, ଲାଲ୍ମୁହଁ ଶୁଆ, ଲାଲ୍ ବଣକୁକୁଡ଼ା (ଯାହାଠାରୁ ଅନ୍ୟ ବଣକୁକୁଡ଼ା ପ୍ରଜାତିଙ୍କ ବିବର୍ତ୍ତନ ଘଟିଛି), ଇତ୍ୟାଦି ଏଠାକାର କିଛି ଅଧିବାସୀ ପକ୍ଷୀ ।[୬] ୩୩ ପ୍ରଜାତିର ସରୀସୃପ, ୭ ପ୍ରଜାତିର ଉଭୟଚର, ୩୬ ପ୍ରଜାତିର କଙ୍କି ମଧ୍ୟ ଏଠାରେ ଦେଖାଯାନ୍ତି ।[୮]
କର୍ବେଟ୍ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟକ ମହାବଳ ବାଘ ରହିଥିଲେ ହେଁ ଘଞ୍ଚ ଜଙ୍ଗଲ ଓ ପାରିପାର୍ଶ୍ୱିକ ଜଙ୍ଗଲରେ ଏମାନଙ୍କୁ ସହଜରେ ଠାବ କରିହୁଏ ନାହିଁ ।[୨] ଘଞ୍ଚ ଜଙ୍ଗଲ, ଉଦ୍ୟାନ ଦେଇ ପ୍ରବାହିତ ରାମଗଙ୍ଗା ନଦୀ ଓ ବହୁଳ ମାତ୍ରାରେ ଉପଲବ୍ଧ ଶିକାର ଯୋଗୁଁ ଏହା ବାଘଙ୍କ ପାଇଁ ଏକ ଆଦର୍ଶ ଅଧିବାସ ।[୧୮] ଏହି ଜଙ୍ଗଲରେ ବାଘମାନଙ୍କୁ ନିଜ ଆକାରଠାରୁ ଯଥେଷ୍ଟ ବଡ଼ ମଇଁଷି ଓ ହାତୀମାନଙ୍କ ଶିକାର କରୁଥିବା ମଧ୍ୟ ଦେଖାଯାଇଛି ।[୬] ସାଧାରଣ ଶିକାର ଯଥା ହରିଣ, ମାଙ୍କଡ଼ ଇତ୍ୟାଦିଙ୍କ ଅଭାବ ଦେଖାଦେଲେ ବାଘ ବଡ଼ ଆକାରର ପ୍ରାଣୀଙ୍କ ଶିକାର କରିଥାଏ ।[୬] ନିଜ ଇଲାକାରେ ଶିକାର ଅଭାବରେ ଏଠାକାର ବାଘ ଗୃହପାଳିତ ପଶୁଙ୍କ ଶିକାର କରିବା ମଧ୍ୟ ଶୁଣାଯାଇଛି ।[୬]
କଲରାପତରିଆ ବାଘ ସାଧାରଣତଃ ପାହାଡ଼ିଆ ଭୂମିରେ ବାସ କରନ୍ତି ଓ ଆବଶ୍ୟକ ପଡ଼ିଲେ ନିମ୍ନାଞ୍ଚଳକୁ ଓହ୍ଲାଇ ଆସନ୍ତି ।[୬] କର୍ବେଟ୍ ଜଙ୍ଗଲରେ ଦେଖାଯାଉଥିବା ଛୋଟ ବିଲେଇ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବଣଭୁଆ, ମାଛଖିଆ ବଣ ବିଲେଇ ଓ ଚିତା ବିଲେଇ ଅନ୍ୟତମ ।[୬] କୁଟୁରା, ସମ୍ବର, କୁଜି ହରିଣ, ଚିତଲ୍ ହରିଣ, ଭାଲୁ, ହିମାଳୟ କଳାଭାଲୁ, ଭାରତୀୟ ପାଉଁଶିଆ ନେଉଳ, ଓଧ, ଭାରତୀୟ ମାର୍ଟେନ୍, ହିମାଳୟ ଘୋରାଲ୍, ବଜ୍ରକାପ୍ତା, ହନୁ ମାଙ୍କଡ଼, ପାତି ମାଙ୍କଡ଼ ଇତ୍ୟାଦି ଏଠାରେ ଦେଖାଯାଉଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀ ।[୧୮] ରାତିରେ ପେଚା ଓ ଦେବତା ବିନ୍ଧାଣୀ ପକ୍ଷୀଙ୍କ (ଭୂଇଁ ଚାପୁଳି – ଈଂରାଜୀରେ Nightjar) ଡାକ ଶୁଣିବାକୁ ମିଳେ ।[୬]
ଗ୍ରୀଷ୍ମଋତୁରେ ଶହ ଶହ ହାତୀଙ୍କ ପଲ ଦେଖାଯାଇପାରିବ ।[୬] ଏଠାରେ ଅଜଗର ମଧ୍ୟ ବସବାସ କରନ୍ତି । ଅଜଗର ଏକ ଭୟଙ୍କର ସାପ ଓ ବେଳେବେଳେ ଚିତଲ୍ ହରିଣମାନଙ୍କୁ ମାରି ଖାଇବା ମଧ୍ୟ ଦେଖାଯାଇଛି ।[୬] ସ୍ଥାନୀୟ ଗୋମୁହାଁ ଓ ଥଣ୍ଟିଆ କୁମ୍ଭୀରମାନେ ଏକଦା ଲୁପ୍ତ ହେବା ସ୍ଥିତିରେ ଥିଲେ । କିନ୍ତୁ ଏବେ ପ୍ରଜନନ କେନ୍ଦ୍ରରେ ଏମାନଙ୍କୁ ବଢ଼ାଇ ରାମଗଙ୍ଗା ନଦୀରେ ଛାଡ଼ି ଦିଆଯାଇଥାଏ ।[୬]
-
କର୍ବେଟ୍ ଜଙ୍ଗଲର ଚିତଲ୍ ହରିଣ
-
ସମ୍ବର ହରିଣ
-
ହାତୀ
-
କର୍ବେଟ୍ ଉଦ୍ୟାନର ଏକ ବାଘୁଣୀ
-
ପେଚା
-
ସୁବର୍ଣ୍ଣ ଶିଆଳ
-
କର୍ବେଟ୍ ଉଦ୍ୟାନର ସବୁଜ ଟିପା (Green Bee-eater) ପକ୍ଷୀ
ପର୍ଯ୍ୟଟନ
ସମ୍ପାଦନାଯଦିଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜାତୀୟ ଉଦ୍ୟାନର ମୂଳ ଉଦ୍ଦେଶ୍ୟ, ଏମାନଙ୍କୁ ଭଲଭାବେ ଜାଣିବା ପାଇଁ ପରିବେଶୋପଯୋଗୀ ଓ ଅଣବ୍ୟବସାୟିକ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ ।[୧୦] ୧୯୯୩ ମସିହାରେ ଉଦ୍ୟାନର ଗାଇଡ୍ମାନଙ୍କୁ ପ୍ରାକୃତିକ ଇତିହାସ, ପର୍ଯ୍ୟଟନ ପରିଚାଳନା, ଉଦ୍ୟାନର ବ୍ୟାଖ୍ୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।[୧୦] ୧୯୯୫ ମସିହାରେ ଆହୁରି ଗାଇଡ୍ ନିଯୁକ୍ତି ପାଇଲେ ଓ ଆଉ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଗଲା ।[୧୦] ଅନେକ ପ୍ରଶିକ୍ଷିତ ଗାଇଡ୍ ବ୍ୟବସ୍ଥାରେ ଆସିବା ଫଳରେ ଉଦ୍ୟାନରେ ପୂର୍ବରୁ ପର୍ଯ୍ୟଟକଙ୍କ ସୁବିଧା ବୁଝିବାରେ ବ୍ୟସ୍ତ କର୍ମଚାରୀ ଉତ୍ତମ ରୂପେ ପରିଚାଳନା କରିବାରେ ସମର୍ଥ ହେଲେ ।[୧୦] ଏହା ବ୍ୟତୀତ ଭାରତ ସରକାର କର୍ବେଟ ଜାତୀୟ ଉଦ୍ୟାନ ଓ ଗଡ଼ୱାଲ ଅଞ୍ଚଳରେ ପରିବେଶୋପଯୋଗୀ ପର୍ଯ୍ୟଟନ ପାଇଁ ଆହୁରି ଅନେକ କର୍ମଶାଳା ଆୟୋଜନ କରିଛନ୍ତି । ଏହି କର୍ମଶାଳା ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନରୁ ଲାଭ ପାଇବା ଓ ଜାତୀୟ ଉଦ୍ୟାନକୁ ସୁରକ୍ଷିତ ରଖିବା ଇତ୍ୟାଦି ସମ୍ପର୍କରେ ଅବଗତ କରାଇଲା ।[୧୦]
ଅପ୍ରେଲ୍ରୁ ଜୁନ୍ ମାସ ଭାରତୀୟ ପର୍ଯ୍ୟଟକ ଓ ନଭେମ୍ବରରୁ ଜାନୁଆରୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି କିଛି ଲେଖକ ମତ ରଖିଛନ୍ତି ।[୧୯] ହାତୀପିଠିରେ ବସି ଶୁଷ୍କ ଋତୁ (ଅପ୍ରେଲ୍ରୁ ଜୁନ୍)ରେ ଜାତୀୟ ଉଦ୍ୟାନକୁ ଗଲେ ବାଘଙ୍କୁ ଦେଖିବାର ଅଧିକ ସମ୍ଭାବନା ରହିଥାଏ ବୋଲି ମଧ୍ୟ କୁହାଯାଏ ।[୬]
୧୯୯୧ ମସିହା ୧୫ ନଭେମ୍ବରରୁ ୧୫ ଜୁନ୍ ମଧ୍ୟରେ କର୍ବେଟ୍ ଜାତୀୟ ଉଦ୍ୟାନ ବୁଲିବାକୁ ୪୫୨୧୫ ପର୍ଯ୍ୟଟକ ଆସିଥିଲେ ଓ ୩୨୩୭ଟି ଗାଡ଼ିରେ ବସି ଜାତୀୟ ଉଦ୍ୟାନକୁ ଉପଭୋଗ କରିଥିଲେ ।[୪] ଏପରି ମାତ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ପ୍ରାକୃତିକ ପରିବେଶ ପ୍ରତି ବିପଦ ସୃଷ୍ଟି କରିପାରେ ।[୪] ଅତ୍ୟଧିକ ପର୍ଯ୍ୟଟନ ଯୋଗୁଁ ମୃତ୍ତିକାର ଆର୍ଦ୍ରତା କମେ ଓ ଏହା ଫଳରେ ଉଦ୍ୟାନର ଉଦ୍ଭିଦ ପ୍ରଭାବିତ ହୁଅନ୍ତି ।[୪] ସେତେବେଳେ ପର୍ଯ୍ୟଟକମାନେ ଜାଳେଣୀ ପାଇଁ କାଠ ବ୍ୟବହାର କରିବା ବଢ଼ିଗଲା ।[୪] ଏହି ସବୁ କାଠ ଆଖପାଖର ଜଙ୍ଗଲରୁ କଟା ହୋଇ ଆସୁଥିଲା ଯାହା ସ୍ଥାନୀୟ ଜଙ୍ଗଲକୁ ନଷ୍ଟ କରୁଥିଲା ।[୪] ପର୍ଯ୍ୟଟକମାନେ ଆନନ୍ଦ ଉଲ୍ଲାସରେ ପାଟିତୁଣ୍ଡ କରି, ଏଣେତେଣେ ମଇଳା ଫୋପାଡ଼ି ଅଧିକ କ୍ଷତି ପହଞ୍ଚାଇଥାନ୍ତି ।[୨୦]
୨୦୦୭ ମସିହାରେ କାହିନି ଘୋଷ ମେହେତା ନାମକ ଜଣେ ଯୁବ ପ୍ରକୃତିପ୍ରେମୀ ଓ ଫଟୋଗ୍ରାଫର୍ କର୍ବେଟ୍ ଉଦ୍ୟାନରେ ଦାୟିତ୍ତ୍ୱବାନ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗାଇଡ୍ ପୁସ୍ତକ ଲେଖିଥିଲେ । ୱାଇଲ୍ଡ୍ ସାଗା ଅଫ୍ କର୍ବେଟ୍ ନାମକ ଏକ ଚଳଚ୍ଚିତ୍ର ପର୍ଯ୍ୟଟକମାନେ କିପରି ସଂରକ୍ଷଣ ଦିଗରେ ଯୋଗଦାନ କରିବେ ସେ ବିଷୟରେ ଆଲୋକପାତ କରିଛି ।
ଅନ୍ୟାନ୍ୟ ଆକର୍ଷଣ
ସମ୍ପାଦନା- ଧିକାଲା ଏକ ବିଶ୍ରାମ ଶିବିର । ବହୁ ବର୍ଷ ପୂର୍ବେ ଏହାକୁ ଶିକାର ଶିବିର ରୂପେ ବ୍ୟବହାର କରାଯାଉଥିଲା । ଏଠାରେ ଶହେରୁ ଅଧିକ ବର୍ଷ ପୁରୁଣା ଏକ ବିଶ୍ରାମସ୍ଥଳ ରହିଛି । ଧିକାଲା ପତ୍ଲି ଦୁନ୍ ଉପତ୍ୟାକାରେ ଓ କାଣ୍ଡାର ଢାଲୁ ନିକଟରେ ଅବସ୍ଥିତ ।
- ଜିପ୍ ସଫାରୀ ପର୍ଯ୍ୟଟକଙ୍କ ପାଇଁ ଏକ ସୁବିଧାଜନକ ମାଧ୍ୟମ ଓ ରାମନଗରରୁ ଜିପ୍ ଭଡ଼ାରେ ନେଇହେବ ।[୨୧]
- ପଦଭ୍ରମଣ: ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନ ମଧ୍ୟରେ ପଦଭ୍ରମଣ କରିପାରିବେ ନାହିଁ । କିନ୍ତୁ ଗାଇଡ୍ଙ୍କ ଉପସ୍ଥିତିରେ ଉଦ୍ୟାନ ବାହାରର ଜଙ୍ଗଲରେ ପଦଭ୍ରମଣ କରିବାର ଅନୁମତି ରହିଛି ।
- ପଦ ସଫାରୀ: ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀଙ୍କ ସହିତ ଉଦ୍ୟାନର ଅଣ-କୋର୍ ଅଞ୍ଚଳରେ ପଦ ସଫାରୀ କରିହେବ ।
- କାଲାଗଡ଼ ବନ୍ଧ ଜାତୀୟ ଉଦ୍ୟାନର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ । ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ଦର୍ଶନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।
- କର୍ବେଟ୍ ଜଳପ୍ରପାତ ୨୦ ମିଟର୍ ଉଚ୍ଚା ଓ ରାମନଗରରୁ ୨୫ କିଲୋମିଟର୍ ଦୂରରେ ଅବସ୍ଥିତ । କାଲାଦୁଂଗୀ ପଟରୁ ଏହାର ଦୂରତା କେବଳ ୪ କିଲୋମିଟର୍ । ଏହି ପ୍ରପାତ ଚାରିପଟୁ ଘଞ୍ଚ ଅରଣ୍ୟ ଘେରା ଓ ଏଠାରେ ଏକ ଅପୂର୍ବ ଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ ।[୨୨]
- ଗର୍ଜିୟା ଦେବୀ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଲେ ଗର୍ଜିୟା ଦେବୀ । କାର୍ତ୍ତିକ ପୂର୍ଣ୍ଣିମା ବେଳେ ଏଠାକୁ ବହୁ ଭକ୍ତଙ୍କ ସମାଗମ ହୁଏ । ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ କୋଶୀ ନଦୀତୀରରେ ଓ ରାମନଗରଠାରୁ ୧୪ କି.ମି. ଦୂରରେ ଗର୍ଜିୟା ଗାଁ ନିକଟରେ ଏହି ମନ୍ଦିର ଅବସ୍ଥିତ ।[୨୩]
ଅବସ୍ଥିତି
ସମ୍ପାଦନାଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ରାମନଗରରେ କର୍ବେଟ୍ ଜାତୀୟ ଉଦ୍ୟାନ ଅବସ୍ଥିତ ।
କ୍ଷେତ୍ରଫଳ : ୫୨୧ କି.ମି.୨
ଗମନାଗମନ : ରାମନଗର ସହରରେ କର୍ବେଟ୍ ବାଘ ଅଭୟାରଣ୍ୟର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଦିଲ୍ଲୀରୁ ରାମନଗର ଯାଏଁ ରେଳ ଚଳାଚଳ ବ୍ୟବସ୍ଥା ରହିଛି । ଏହି ରେଳ ସନ୍ଧ୍ୟାରେ ବାହାରି ପରଦିନ ସକାଳେ ରାମନଗରରେ ପହଞ୍ଚେ । କିଛି ରେଳଗାଡ଼ି ବାରଣାସୀ-ଲକ୍ଷ୍ନୌ-ରାମନଗର ଓ ଆଲାହାବାଦ୍-କାନପୁର-ରାମନଗର ପଥରେ ଚଳାଚଳ କରେ । ରାମନଗରରୁ ମୋଟର ଗାଡ଼ି ଯୋଗେ ଜାତୀୟ ଉଦ୍ୟାନ ଓ ଧିକଲା ପହଞ୍ଚିହେବ ।
କାନପୁର, ଲକ୍ଷ୍ନୌ, ବରେଲି, ନୈନିତାଲ, ରାଣୀକ୍ଷେତ୍, ହରିଦ୍ୱାର, ଦେରାଦୁନ୍, ନୂଆ ଦିଲ୍ଲୀ ଆଦି ସ୍ଥାନରୁ ରାମନଗର ପର୍ଯ୍ୟନ୍ତ ସଡ଼କପଥ ରହିଛି । ଦିଲ୍ଲୀରୁ ଗାଡ଼ି ଚଳାଇ ବାହାରିଲେ ଗଜରୌଲା, ମୋରାଦାବାଦ୍, କାଶୀପୁର ଦେଇ ୨୯୫ କି.ମି. ଅତିକ୍ରମ କରି ରାମନଗରରେ ପହଞ୍ଚି ହେବ । ନୂଆ ଦିଲ୍ଲୀରୁ ରାମନଗରକୁ ଏକ ରେଳଗାଡ଼ି ମଧ୍ୟ ରହିଛି । ନହେଲେ, ହଲ୍ଦୱାନି-କାଶୀପୁର-କାଠଗୋଦାମ ଦେଇ ରାମନଗର ପର୍ଯ୍ୟନ୍ତ ସଡ଼କପଥରେ ଯାଇହେବ ।
ଭ୍ରମଣ ପାଇଁ ସର୍ବଶ୍ରେଷ୍ଠ ସମୟ : ମଧ୍ୟ-ନଭେମ୍ବରରୁ ମଧ୍ୟ-ଜୁନ୍
ସମସ୍ୟା
ସମ୍ପାଦନାଅତୀତ
ସମ୍ପାଦନାକାଲାଗଡ଼ ନଦୀ ଉପରେ ବନ୍ଧ ନିର୍ମାଣ ଏହି ଅଭୟାରଣ୍ୟର ଇତିହାସରେ ଏକ ବିଶେଷ ଘଟଣା । କାରଣ ଏହି ବନ୍ଧ ଫଳରେ ୮୦ ବର୍ଗ କି.ମି. ପରିମିତ ଜଙ୍ଗଲ ପାଣିରେ ବୁଡ଼ିଗଲା ।[୧୦] ଏହା ଫଳରେ ବାରାଶିଂଘା ଏହି ଅଞ୍ଚଳରୁ ଲୋପ ପାଇଗଲେ ଓ କୁଜି ହରିଣଙ୍କ ସଂଖ୍ୟା ଯଥେଷ୍ଟ କମିଗଲା ।[୧୦] ତେବେ ନଦୀବନ୍ଧଦ୍ୱାରା ସୃଷ୍ଟ ଜଳାଶୟ ଯୋଗୁଁ ଜଳଜୀବଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଶୀତଦିନରେ ଏହା ପ୍ରବାସୀ ପକ୍ଷୀଙ୍କୁ ମଧ୍ୟ ଆକର୍ଷିତ କରୁଛି ।[୧୦]
ଅଭୟାରଣ୍ୟର ଦକ୍ଷିଣ ସୀମାରେ ଓ ରାମନଗର-କାଶୀପୁର ରାଜପଥ କଡ଼ରେ ରହିଥିବା ଫିରୋଜପୁର ଓ ମାନପୁର ନାମକ ଦୁଇଟି ଗାଁ ୧୯୯୦ରୁ ୧୯୯୩ ମସିହା ମଧ୍ୟରେ ଖାଲି କରାଯାଇ ଏହାକୁ ବଫର୍ (ଅଣ-କୋର୍) ଅଞ୍ଚଳ ବୋଲି ବବେଚିତ କରାଗଲା ।[୨୪] ଏହି ଦୁଇ ଗାଁର ଲୋକେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟଙ୍କ ଉପରେ ନିର୍ଭରଶୀଳ ଥିଲେ ।[୨୪] ସମୟକ୍ରମେ ଏହି ଦୁଇ ଗାଁ ରହିଥିବା ସ୍ଥାନର ଜଙ୍ଗଲ ଓ ପରିବେଶ ସୁଧୁରିବାକୁ ଲାଗିଲା ।[୨୪] ଲଟାବୁଦା, ଘାସ ଓ ଛୋଟବଡ଼ ଗଛ ବଢ଼ି ସମୟ କ୍ରମେ ଏକ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେବାରେ ଲାଗିଲା ।[୨୪] ପରିତ୍ୟକ୍ତ ଚାଷଜମିରେ ତୃଣଭୂମି ସୃଷ୍ଟି ହେଲା ଓ ତାକୁ ଲାଗି ରହିଥିବା ଜଙ୍ଗଲର ଅବସ୍ଥା ସୁଧୁରିଲା ।[୨୪] ୧୯୯୯-୨୦୦୨ ମସିହା ବେଳକୁ ବିଭିନ୍ନ ଗଛଲତା ବଢ଼ି ଉଠିଲେ ଓ ହାତୀ, ହରିଣ ପରି ତୃଣଭୋଜୀ ପ୍ରାଣୀମାନେ ଏହି କ୍ଷେତ୍ରକୁ ଆସି ବର୍ଷାଋତୁ ସାରା ଏଠାରେ ରହିବାକୁ ଲାଗିଲେ ।[୨୪]
୧୯୮୮-୧୯୮୯ ମସିହାରେ ଅବୈଧ ଶିକାରର ୧୦୯ଟି ଘଟଣା ଘଟିଥିବା ଲିପିବଦ୍ଧ କରାଯାଇଛି ।[୨୫] ୧୯୯୭-୧୯୯୮ବେଳକୁ ଅବୈଧ ଶିକାର ଘଟଣା ହ୍ରାସ ପାଇ ୧୨ ହୋଇଯାଇଥିଲା ।[୧୦]
୧୯୮୫ ମସିହାରେ ଡେଭିଡ୍ ହଣ୍ଟ୍ ନାମକ ଜଣେ ପକ୍ଷୀପ୍ରେମୀ ଓ ଗାଇଡ୍ଙ୍କୁ କର୍ବେଟ୍ ଜାତୀୟ ଉଦ୍ୟାନରେ ଏକ ବାଘ ମାରି ଦେଇଥିଲା ।[୨୬]
ବର୍ତ୍ତମାନ
ସମ୍ପାଦନାଲାଣ୍ଟାନା, ପାର୍ଥେନିୟମ୍ ପ୍ରଭୃତି ଉଦ୍ଭିଦ ମାଡ଼ିଚାଲନ୍ତି ଓ ସାରା ବଣରେ ବ୍ୟାପିଯାନ୍ତି । କର୍ବେଟ୍ ଜାତୀୟ ଉଦ୍ୟାନର କିଛି ଅଂଶରେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଛି ।[୧୦] ସ୍ଥାନୀୟ ଲୋକେ ମଧ୍ୟ ସମୟ ସମୟରେ ଜଙ୍ଗଲର କିଛି ଅଂଶ ସଫା କରି ସେଠାରେ ବସବାସ ବା କୃଷି କରନ୍ତି । କର୍ବେଟ୍ ଉଦ୍ୟାନରେ ଏପରି ୭୪ଟି ପରିବାର ବିଭିନ୍ନ ସ୍ଥାନରେ ୧୩.୬୨ ହେକ୍ଟର୍ ଜମିରେ ବସବାସ କରିବା ଦେଖାଯାଇଥିଲା ।[୧୦]
ଉଦ୍ୟାନ ଚାରିପଟେ ରହିଥିବା ଗାଁଗୁଡ଼ିକ ୩୦-୪୦ ବର୍ଷ ହେଲା ସ୍ଥାପିତ ହୋଇଛି ଓ ବର୍ତ୍ତମାନ ସମୟରେ ଆଉ କୌଣସି ନୂଆ ଗାଁ ଦେଖାଯାଇନାହିଁ ।[୨୭] ଜାତୀୟ ଉଦ୍ୟାନର ଆଖପାଖରେ ଦ୍ରୁତ ହାରରେ ବଢ଼ୁଥିବା ଜନସଂଖ୍ୟା ଓ ଜନବସତି ଘନତା ଉଦ୍ୟାନ ପାଇଁ ସମସ୍ୟା ସୃଷ୍ଟି କରିପାରେ ।[୨୭] ମହାବଳ ବାଘ ଓ କଲରାପତରିଆ ବାଘମାନେ ଗୃହପାଳିତ ପଶୁ ମାରିବା ଓ ଖାଇବା ସ୍ଥାନୀୟ ଲୋକଙ୍କୁ ଉତ୍କ୍ଷିପ୍ତ କରିଦେଇଥାଏ ଓ ସେମାନେ ଏହି ପଶୁଙ୍କୁ ପାନେ ଦେବା ଉଦ୍ଦେଶ୍ୟରେ ଜଗି ରହିଥାନ୍ତି ।[୧୦] ଉଦ୍ୟାନର ଦକ୍ଷିଣ ସୀମାରେ ଏକ ୧୨ କି.ମି. ଲମ୍ବା ପଥର ପାଚେରୀ ନିର୍ମାଣ କରାଯିବା ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ସୀମାରେ ଲୋକଙ୍କ ଚାଷଜମି ଉଦ୍ୟାନର ସୀମାକୁ ଲାଗି ରହିଛି ।[୧୦]
୨୦୦୮ ମସିହା ଅପ୍ରେଲ୍ ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority-NTCA) ଉଦ୍ୟାନରେ ଶିକାରୀ ପଶିଥିବା ଓ ଅବୈଧ ଶିକାର ହେଉଥିବାର ଚିନ୍ତା ପ୍ରକଟ କଲେ । ବିଭିନ୍ନ କ୍ଷେତ୍ର ନିରୀକ୍ଷଣ ପରେ ହେଉଥିବା ପ୍ରଣୟନ ହୋଇଥିବା କାର୍ଯ୍ୟବିଧି ଓ ଆଚରଣବିଧି ଅନୁସରଣ ହେଉନଥିବା ଜଣାପଡ଼ିଲା । ୨୦୦୬ ମସିହା ପରଠାରୁ ବାଘଙ୍କ ବିଷୟରେ ମାସିକ ରିପୋର୍ଟ୍ ଦିଆଯାଉନଥିବା ପଦାକୁ ଆସିଲା । ଏପରି ଭାବେ କାର୍ଯ୍ୟ ପରିଚାଳନା ହେଲେ ବାଘଙ୍କ ନିରୀକ୍ଷଣ ଓ ଅବୈଧ ଶିକାରୀଙ୍କ ପ୍ରତିରୋଧ ଅସମ୍ଭବ ବୋଲି NTCA ମତ ରଖିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରି ଉଦ୍ୟାନ ମଧ୍ୟରେ ଏକ ପକ୍କା ସଡ଼କ ନିର୍ମାଣ କରାଯାଇଛି । କାଲାଗଡ଼ ଓ ରାମନଗର ମଧ୍ୟରେ ଯାତାୟତ ପାଇଁ ଏହି ସଡ଼କ ବହୁଳ ଭାବେ ବ୍ୟବହୃତ ହୁଏ ଓ ଝିର୍ଣ୍ଣା, କୋତିରୌ, ଧାରା ପରି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରର ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରେ । କାଲାଗଡ଼ ଜଳସେଚନ କଲୋନୀରୁ ଜନବସତି ହଟାଇବା ପାଇଁ ୨୦୦୭ ମସିହାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ବହୁ ବର୍ଷ ଯାଏଁ କାର୍ଯ୍ୟକାରୀ ହୋଇନଥିଲା ।[୨୮]
୨୦୧୪ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା କର୍ବେଟ୍ ଜାତୀୟ ଉଦ୍ୟାନର ବାଘଙ୍କ ଆକ୍ରମଣରେ ୯ ଜଣ ସ୍ଥାନୀୟ ବାସିନ୍ଦା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।[୨୯]
ଆହୁରି ଦେଖନ୍ତୁ
ସମ୍ପାଦନାଟୀକା
ସମ୍ପାଦନା- ↑ "An Assessment of Tourism in Corbett National Park". Wildlife Institute of India. Archived from the original on 5 November 2007. Retrieved 2007-10-12.
{{cite web}}
: Cite uses deprecated parameter|authors=
(help) - ↑ ୨.୦ ୨.୧ ୨.୨ Riley & Riley 2005: 208
- ↑ ୩.୦ ୩.୧ ୩.୨ ୩.୩ Tiwari & Joshi 1997: 210
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ Tiwari & Joshi 1997: 309
- ↑ ୫.୦ ୫.୧ Pant 1976
- ↑ ୬.୦୦ ୬.୦୧ ୬.୦୨ ୬.୦୩ ୬.୦୪ ୬.୦୫ ୬.୦୬ ୬.୦୭ ୬.୦୮ ୬.୦୯ ୬.୧୦ ୬.୧୧ Riley & Riley 2005: 210
- ↑ Tiwariji & Joshiji 1997: 309–311
- ↑ ୮.୦ ୮.୧ ୮.୨ ୮.୩ ୮.୪ ୮.୫ UNEP 2003
- ↑ ୯.୦ ୯.୧ ୯.୨ Tiwari & Joshi 1997: 208
- ↑ ୧୦.୦୦ ୧୦.୦୧ ୧୦.୦୨ ୧୦.୦୩ ୧୦.୦୪ ୧୦.୦୫ ୧୦.୦୬ ୧୦.୦୭ ୧୦.୦୮ ୧୦.୦୯ ୧୦.୧୦ ୧୦.୧୧ ୧୦.୧୨ ୧୦.୧୩ ୧୦.୧୪ ୧୦.୧୫ ୧୦.୧୬ Corbett National Park (Project Tiger Directorate)
- ↑ ୧୧.୦ ୧୧.୧ Rangarajan 2006: 72
- ↑ Jim Corbett National Park – History
- ↑ ୧୩.୦ ୧୩.୧ Rangarajan 2006: 78
- ↑ Tiwari & Joshi 1997: 108
- ↑ ୧୫.୦ ୧୫.୧ Drayton 2004
- ↑ ୧୬.୦ ୧୬.୧ ୧୬.୨ ୧୬.୩ Tiwari & Joshi 1997: 286
- ↑ ୧୭.୦ ୧୭.୧ ୧୭.୨ Singh et al. 1995
- ↑ ୧୮.୦ ୧୮.୧ Riley & Riley 2005: 208–210
- ↑ Tiwari & Joshi 1997: 298
- ↑ Tiwari & Joshi 1997: 311
- ↑ "Jim Corbett National Park". Expert Bulletin. Archived from the original on 2018-06-30. Retrieved 2017-09-10.
- ↑ chandan@nainitaltourism.com. "NAINITAL TOURISM 1000 Pages Since 1999 - Corbett Water Falls | Jim Corbett National Park | Corbett Water Falls Nainital India |". Nainitaltourism.com. Retrieved 2017-09-10.
- ↑ "Tourist Places to Visit Near Jim Corbett National Park". Corbett-national-park.com. Retrieved 2017-09-10.
- ↑ ୨୪.୦ ୨୪.୧ ୨୪.୨ ୨୪.୩ ୨୪.୪ ୨୪.୫ Rao 2004
- ↑ Tiwari & Joshi 1997: 269
- ↑ Flumm, D. S. "Obituary". In Rogers, M. J. (ed.) (1985) Isles of Scilly Bird Report 1984. Cornwall Bird Watching and Preservation Society.
- ↑ ୨୭.୦ ୨୭.୧ Tiwari & Joshi 1997: 263
- ↑ The Pioneer
- ↑ Share on Twitter (2014-02-10). "Another Corbett death, another tiger on the prowl? - Times of India". Timesofindia.indiatimes.com. Retrieved 2017-09-10.
{{cite web}}
:|author=
has generic name (help)
ଆଧାର
ସମ୍ପାଦନା- Riley, Laura; William Riley (2005). Nature's Strongholds: The World's Great Wildlife Reserves. Princeton University Press. ISBN 0-691-12219-9.
- Singh, Ashok; Reddy, V. S.; Singh, J. S. "Analysis of woody vegetation of Corbett National Park, India". Vegetatio. 120 (1 / September 1995): 69–79.
- Tiwari, P. C.; Joshi, Bhagwati, eds. (January 1997). Wildlife in the Himalayan Foothills: Conservation and Management. Indus Publishing Company. ISBN 81-7387-066-7.
- "Corbett National Park (Project Tiger Directorate)". Project Tiger Directorate, Ministry of Environment, Government of India. Archived from the original on 2004-02-22. Retrieved 2007-10-13.
- Rangarajan, M. (2006). India's Wildlife History: an Introduction. Orient Longman. ISBN 81-7824-140-4.
- UNEP (2003). "World Database on Protected Areas, India, Corbett National Park". UNEP WCMC. Archived from the original on 24 December 2007. Retrieved 2007-10-13.
- Drayton, F. (2004). "Terai Arc Landscape in India" (PDF). World Wide Fund for Nature. Archived from the original (PDF) on 2011-07-28. Retrieved 2007-10-13.
- Pant, P.C. (1976). "Plants of Corbett National Park, Uttar Pradesh". Journal of the Bombay Natural History Society. 73: 287–295.
- Rao, R.S.P. "Secondary succession in the buffer zone of Corbett Tiger Reserve, Uttaranchal". Current Science. Indian Academy of Sciences. 87 (4, 25 August 2004.).
- The Pioneer (18 May 2008). "Trouble in Paradise". The Pioneer. CMYK Printech Ltd. Archived from the original on 24 April 2009. Retrieved 2009-03-30.
ଆହୁରି ପଢ଼ନ୍ତୁ
ସମ୍ପାଦନା- Corbett, Jim (January 1985). Man-Eaters of Kumaon. Buccaneer Books, Inc. ISBN 978-0-89966-574-0.
- Corbett, Jim; Nayak, Prashanto Kumar (July 2004). Oxford India Illustrated Corbett. Oxford University Press, USA. ISBN 978-0-19-566874-2.
- Durga Charan Kala (1979). Jim Corbett of Kumaon. Ravi Dayal Publishers.
- Martin Booth (1986). Carpet Sahib: A Life of Jim Corbett. Constable. ISBN 978-0-09-467400-4.
- Miriam Davidson (1988). Convictions of the Heart: Jim Corbett and the Sanctuary Movement. University of Arizona Press. ISBN 978-0-8165-1034-4.
- Werling, T. (1998). Jim Corbett: Master of the Jungle. Safari Press, Incorporated. ISBN 978-1-57157-104-5.
- Jaleel, J. A. (2001). Under the Shadow of Man-eaters: The Life and Legend of Jim Corbett of Kumaon. Orient Longman. ISBN 978-81-250-2020-2.
- Khati, A. S. (2003). Jim Corbett of India: Life & Legend of a Messiah. Pelican Creations International. ISBN 978-81-86738-10-8.
- Johnsingh, A. J. T. (2004). On Jim Corbett's Trail and Other Tales from Tree-tops. Orient Blackswan. ISBN 978-81-7824-081-7.
- Gupta, Reeta Dutta (2006). Jim Corbett : The Hunter Conservationist. Rupa & Company. ISBN 978-81-291-0893-7.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Corbett Tiger Reserve — official website
- Map of the park provided by Project Tiger Directorate, Ministry of Environment, Govt of India.
- Expert Bulletin Archived 2018-06-30 at the Wayback Machine.
- "Corbett National Park." Encyclopædia Britannica. 2007. Encyclopædia Britannica Online. 12 October 2007
- "Corbett National Park," Microsoft Encarta Online Encyclopedia 2007.( Archived 2009-10-31 at the Wayback Machine. 2009-10-31)