ଘୁମୁରା ନାଚ ଏକ ଭାରତୀୟ ଲୋକନୃତ୍ୟ । ଏହା ଓଡ଼ିଶାର କଳାହାଣ୍ଡି ଅଞ୍ଚଳରୁ ଏକ ଯୁଦ୍ଧ ସମୟର ନୃତ୍ୟ ଭାବେ ଆରମ୍ଭ ହୋଇ ପରେ ଏକ ଲୋକନୃତ୍ୟରେ ପରିଣତ ହୋଇଥିଲା । ଘୁମୁରା ନାଚ ସମୟରେ ଏକ ଘୁମୁରା ବାଦ୍ୟ ବଜାଯାଇଥାଏ । ଏହି ବାଦନ ଶୈଳୀ ପାରମ୍ପରିକ ଭାବେ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ନୃତ୍ୟ ଓ ବାଦ୍ୟ ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ବାଦ୍ୟ ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର ଓ ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ଭାବେ ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।[୧]

ଇତିହାସସମ୍ପାଦନ କରନ୍ତୁ

କଳାହାଣ୍ଡିର ଗୁଡ଼ହାଣ୍ଡିଯୋଗୀମଠରୁ ମିଳୁଥିବା ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଦେଖାଯାଏ ଯେ ଗୁମ୍ଫାଚିତ୍ର ମଧ୍ୟରେ ଡମ୍ବରୁ ଓ ଘୁମୁରା ବାଦ୍ୟ ପରିବେଷଣର ଚିତ୍ର ରହିଛି ।[୨] ପୋଡ଼ାମାଟିରେ ତିଆରି ଏକ ଘୁମୁରା ନେହନାରୁ ମିଳିଥିଲା । ଏହା ଅଧୁନା ଖଡ଼ିଆଳ ଶାଖା ସଂଗ୍ରହାଳୟରେ ରହିଛି ।[୩][୪] ଯୁଦ୍ଧବାଦ୍ୟ ଭାବେ ଆରମ୍ଭ ହୋଇ ପରେ ଏହା କଳାହାଣ୍ଡିର ଲୋକସଂସ୍କୃତିରେ ଦଶହରା ଆଦି ପର୍ବପର୍ବାଣୀରେ ପରେ ଗଣବାଦ୍ୟ ଭାବେ ବ୍ୟବହାର ହେବାରେ ଲାଗିଲା ।[୫]

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ସାରଳା ମହାଭାରତରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ ସତ୍ୟ ଯୁଗରେ ଜେନାବଳୀ-ପାଟଣା ମହିଷାସୁରଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର ଜୁନାଗଡ଼ । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି ।[୬] ସାରଳା ଦାସ ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।[୭]

ଆଧାରସମ୍ପାଦନ କରନ୍ତୁ

  1. ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨
  2. ପରିଜା, ଜି.ପି., ୧୯୮୭, p. ୧୧
  3. ସିଂହ ଦେଓ, ଜେ.ପି., "Ghumura Dance"
  4. R. R. Prasad (1996). Encyclopaedic Profile of Indian Tribes. Discovery Publishing House. pp. 82–. ISBN 978-81-7141-298-3.
  5. ମିଶ୍ର, ଏମ., ୧୯୯୬, p. ୩୧୮
  6. Ghosh, A.K., 1928, p.90, 343
  7. ଦାସ, ସାରଳା. ଚଣ୍ଡୀ ପୁରାଣ, pp. ୪୫ ଓ ୯୬