ଗୋବିନ୍ଦ ବଲ୍ଲଭ ପନ୍ତ

ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ (୧୦ ସେପ୍ଟେମ୍ବର ୧୮୮୭ – ୭ ମାର୍ଚ ୧୯୬୧) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା । ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ତଥା ବଲ୍ଲଭ ଭାଇ ପଟେଲଙ୍କ ସହ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ମୁଖ୍ୟ ସହଯୋଗୀ । ତତ୍କାଳୀନ ୟୁନାଇଟେଡ଼ ପ୍ରୋଭିନସ ବା ବର୍ତ୍ତମାନର ଉତ୍ତରପ୍ରଦେଶର ସେ ଥିଲେ ଏକ ପ୍ରମୁଖ ରାଜନେତା । ହିନ୍ଦୀକୁ ଭାରତର କେନ୍ଦ୍ର ସରକାରଙ୍କ ତଥା ପାର୍ଲିଆମେଣ୍ଟର ସରକାରୀ ଭାଷା କରିବା ପାଇଁ ଦାବୀ କରି ସେ ଅସଫଳ ହୋଇ ଥିଲେ ବି ଗୋଟିଏ ସରକାରୀ ଭାଷାରେ ସାରା ରାଷ୍ଟ୍ରକୁ ଏକ ସୂତ୍ରରେ ବାନ୍ଧିବା ଉଦ୍ୟମ ଅନେକଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା ।

ବାଲ୍ୟ ଜୀବନ ଓ ଶିକ୍ଷା

ସମ୍ପାଦନା

ଗୋବିନ୍ଦ ବଲ୍ଲଭ ପନ୍ତ ୧୦ ସେପ୍ଟେମ୍ବର ୧୮୮୭ରେ ଆଲମୋରା ନିକଟବର୍ତ୍ତୀ ଖୁଣ୍ଟ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ବାପା ମନୋରଥ ପନ୍ତ ଥିଲେ ଜଣେ ସରକାରୀ କର୍ମଚାରୀ ଏବଂ ମାଅ ଥିଲେ ଗୋବିନ୍ଦି ବାଇ । ବାପା ସରକାରୀ କର୍ମଚାରୀ ଥିବାରୁ ସରକାରୀ କର୍ମରେ ବିଭିନ୍ନ ସ୍ଥାନ ବୁଲିବାକୁ ପଡୁଥିଲା । ତେଣୁ ଗୋବିନ୍ଦଙ୍କ ବାଲ୍ୟ ଜୀବନ ଓ ପାଠପଢ଼ା ନିଜ ଅଜାଙ୍କ ଘରେ ସଂପନ୍ନ ହୋଇଥିଲା । ଅଜା ବଦ୍ରି ଦତ୍ତ ଯୋଶୀ ଜଣେ ସ୍ଥାନୀୟ ସରକାରୀ କର୍ମଚାରୀ ଥିଲେ । ଗୋବିନ୍ଦଙ୍କ ବ୍ୟକ୍ତିତ୍ୱ ତଥା ରାଜନୈତିକ ଚିନ୍ତାଧାରା ସଜାଡିବାରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ ।[]

ପନ୍ତ ଆଲାହବାଦ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିସାରି କାଶୀପୁରରେ ଓକିଲାତି ଆରମ୍ଭ କଲେ । ଏଇଠି ହିଁ ଏକ ମକଦ୍ଦମା ମାଧ୍ୟମରେ ଆରମ୍ଭ ହେଲା ପନ୍ତଙ୍କର ଇଂରେଜ ଶାସନ ବିରୁଦ୍ଧରେ ଲଢେଇ । ୧୯୧୪ ମସିହାରେ ସେ ସ୍ଥାନୀୟ ପରିଷଦ ପକ୍ଷରୁ ଇଂରେଜଦ୍ୱାରା ଲାଗୁ କରାଯାଇଥିବା "coolie begar" ଆଇନକୁ ଅବୈଧ ଘୋଷଣା କରିବା ନିମିତ୍ତ ଏକ ମକଦ୍ଦମାରେ ସହାୟତା କରିଥିଲେ । ଏହି ଆଇନ ପ୍ରକାରେ ସ୍ଥାନୀୟ ଲୋକଙ୍କୁ ସରକାରୀ କାର୍ଯ୍ୟରେ ଆସିଥିବା ଇଂରେଜ ଅଫିସରଙ୍କ ସାମାନ ବିନା ପାରିଶ୍ରମିକରେ ବୋହିବାକୁ ବାଧ୍ୟ କରାଯାଇଥିଲା । ୧୯୨୧ରେ ସେ ଆଗ୍ରା ଓ ଅଉଧ ସଂଯୁକ୍ତ ପ୍ରୋଭିନ୍ସର ବିଧାନ ସଭାର ସଭ୍ୟ ରୂପେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା

ସମ୍ପାଦନା

ଜଣେ ଉଚ୍ଚ ଶ୍ରେଣୀର ଆଇନ ବିଶାରଦ ହେତୁ କଂଗ୍ରେସ ଦଳ ତାଙ୍କୁ କାକୋରୀ ହତ୍ୟା ମକଦ୍ଦମାରେ ଜଡ଼ିତ ରାମ ପ୍ରସାଦ ବିସମିଲ୍ଲା, ଆସଫାକୁଲ୍ଲା ଖାନ ତଥା ଅନ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା ପାଇଁ କୁହାଗଲା । ଏହା ୧୯୨୦ ମସିହାର ମଧ୍ୟଭାଗର ଘଟଣା । ୧୯୩୦ରେ ଗାନ୍ଧୀଙ୍କ ଡାକରାରେ ଏକ ଲବଣ ସତ୍ୟାଗ୍ରହ ମୋର୍ଚାର ନେତୃତ୍ୱ ନେଇଥିବାରୁ କିଛି ସପ୍ତାହ ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିନେଲେ । ୧୯୩୩ରେ ଇଂରେଜ ସରକାରଦ୍ୱାରା ପ୍ରତିବନ୍ଧିତ ତତକାଳୀନ ପ୍ରାନ୍ତୀୟ କଂଗ୍ରେସର ଏକ ଅଧିବେଶନରେ ଯୋଗ ହେଇଥିବାରୁ ତାଙ୍କୁ ପୁଣି ହର୍ଷ ଦେବ ବହୁଗୁଣାଙ୍କ ସହ ସାତ ମାସ ପାଇଁ ଜେଲ ଯିବାକୁ ପଡିଥିଲା । ଏହି ପ୍ରତିବନ୍ଧକ ହଟିବା ପରେ ସେ ଜେଲରୁ ମୁକ୍ତ ହେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଗାନ୍ଧୀଙ୍କ ଗୋଷ୍ଠୀ ଯେଉଁମାନେ କି ଯୁଦ୍ଧରେ ବ୍ରିଟିଶକୁ ସାହାଯ୍ୟ କରିବା ସପକ୍ଷରେ ଥିଲେ ଏବଂ ସୁଭାଷ ବୋଷ ସମର୍ଥିତ ଅନ୍ୟ ଗୋଷ୍ଠୀ ଯେଉଁମାନେ ଏହାର ସୁଯୋଗରେ ବ୍ରିଟିଶକୁ ବିରୋଧ କରିବାକୁ ଚାହୁଁଥିଲେ, ଏହି ଦୁଇ ଗୋଷ୍ଠୀ ମଧ୍ୟରେ ମଧ୍ୟସ୍ଥି କରି ଏକ ସର୍ବସମ୍ମତ ପ୍ରସ୍ତାବରେ ଉଭୟ ପକ୍ଷକୁ ରାଜି କରାଇପାରିଥିଲେ ।

୧୯୪୦ ମସିହାରେ ଏକ ସତ୍ୟାଗହ ଆୟୋଜନ କରାଇବା ଅଭିଯୋଗରେ ଗିରଫ ହେଲେ । ୧୯୪୨ରେ ଭାରତ ଛାଡ଼ ସଂକଳ୍ପ (Resolution) ହସ୍ତାକ୍ଷର କରି ସେ ପୁଣି ଗିରଫ ହେଲେ ଏବଂ ତିନି ବର୍ଷ ଅହମଦନଗର୍ ଫୋର୍ଟରେ ଅନ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ସହ କାରାବାସ ବିତାଇଲେ । ୧୯୪୫ ମାର୍ଚରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ସେ ଜଲରୁ ମୁକୁଳିଲେ ।[]

ସ୍ୱାଧୀନତା ପର ରାଜନୀତି

ସମ୍ପାଦନା

ପଣ୍ଡିତ ଜବାହାରଲାଲ ନେହେରୁ ୧୦ ଜାନୁଆରୀ ୧୯୫୫ରେ ତାଙ୍କୁ ଗୃହ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ପନ୍ତ ୧୯୫୫ରୁ ୧୯୬୧ ଯାଏଁ ସ୍ୱାଧୀନ ଭାରତର ଗୃହ ମନ୍ତ୍ରୀ ଥିଲେ । ଗୃହ ମନ୍ତୀ ଥିବା ବେଳେ ଭାଷା ଆଧାରରେ ରାଜ୍ୟର ପୁନର୍ଗଠନ ତାଙ୍କ ସମୟର ଏକ ମୁଖ୍ୟ ଉପଲବ୍ଧୀ ଥିଲା । ଜଣେ ନିର୍ଦ୍ଦଳୀୟ କର୍ମକର୍ତ୍ତା ଭାବେ ତାଙ୍କର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତିରେ ତାଙ୍କ ଅବଦାନ ଯୋଗୁଁ ତାଙ୍କୁ ୨୬ ଜାନୁଆରୀ ୧୯୫୭ ଦିନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।[]

ମୃତ୍ୟୁ

ସମ୍ପାଦନା

୧୯୬୦ ମସିହାରେ ସେ ଏକ ହୃଦ୍‌ଘାତର ଶୀକାର ହେଲେ । ତାଙ୍କ ସାଥୀ ତଥା ତତ୍କାଳୀନ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସମେତ ବହୁ ବିଶିଷ୍ଟ ଚିକିତ୍ସକ ତାଙ୍କ ସେବାରେ ନିୟୋଜିତ ହେଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଅବନତି ଆଡକୁ ଗତି କଲା ଏବଂ ସେ ୭୪ ବର୍ଷ ବୟସରେ ୭ ମାର୍ଚ୍ ୧୯୬୧ ମସିହାରେ ମସ୍ତିଷ୍କ ଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ମୃତ୍ୟୁ ବେଳକୁ ସେ ଭାରତର ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

  1. Chopra, Swami Rajesh. "Govind Ballabh Pant". www.liveindia.com. Retrieved 18 August 2018.
  2. B. R. Nanda, Pant, Govind Ballabh (1887–1961), politician in India (2004)
  3. "Wayback Machine" (PDF). 10 April 2009. Archived from the original on 10 April 2009. Retrieved 18 August 2018.{{cite web}}: CS1 maint: bot: original URL status unknown (link)