ମୟୂରଭଞ୍ଜର ବିଭିନ୍ନ କଳା ଓ ସଂସ୍କୃତି ମଧ୍ୟରେ ଗଞ୍ଜାକୁକୁଡ଼ା ଲଢ଼େଇ ଅନ୍ୟତମ ।[] ସାଧାରଣତଃ ଉତ୍ତର ଓଡ଼ିଶାର ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ଶୀତଦିନେ ଆରମ୍ଭ ହୋଇଯାଏ କୁକୁଡ଼ା ଲଢ଼େଇ । ଏହି ସବୁ ଅଞ୍ଚଳରେ ପ୍ରାୟତଃ ସବୁ ସାପ୍ତାହିକ ହାଟରେ ଗଞ୍ଜା ଲଢେଇ ପାଇଁ ପାଳା (କ୍ଷେତ୍ର) ପ୍ରସ୍ତୁତ ହୋଇଥାଏ । ଏହା ବ୍ୟତୀତ ବାର୍ଷିକ ଖେଳକୁଦ ସମାରୋହ, ପର୍ବପର୍ବାଣିରେ ଅନୁଷ୍ଠିତ ମେଳାରେ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆୟୋଯିତ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର କୁକୁଡ଼ା ସହ ମାଲିକମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇଥାନ୍ତି । ଅନେକ ଦର୍ଶକ ଗଞ୍ଜା ଲଢ଼େଇରେ ବାଜି ଲଗେଇବାକୁ ଭିଡ଼ କରିଥାନ୍ତି । ଏଥିପାଇଁ ପାଳା ପାଖରେ ହାଣ୍ଡିଆ ହାଟ ବସେ, ହାଣ୍ଡିଆ ପିଇ ନିଶାଗ୍ରସ୍ତ ଲୋକ କୁକୁଡ଼ା ଓ ବାଜି ଖେଳରେ ସର୍ବସ୍ୱ ହରାଇଥାନ୍ତି । ଲଢ଼େଇରେ ଭାଗ ନେଉଥିବା ଗଞ୍ଜାଗୁଡ଼ିକ ପ୍ରାୟ ହନ୍ସିଲ[] ଓ ହାଜରା ଜାତିର ହୋଇଥାଏ । [] ଲଢୁଆ କୁକୁଡା ଗୁଡିକର ଦାମ ସାଧାରଣ କୁକୁଡା ଅପେକ୍ଷା ୩ରୁ ୪ ଗୁଣ ଅଧିକ ହୋଇଥାଏ ।[]

ଗଞ୍ଜା ଲଢ଼େଇ


ଗଞ୍ଜା ଗୋଡରେ ବନ୍ଧାଯାଇଥିବା ଛୁରି

ଗୋଟିଏ ବଡ଼ ପଡ଼ିଆର ମଧ୍ୟସ୍ଥଳରେ ବାଉଁଶ ଓ କଣ୍ଟାଝଟା ସାହାଯ୍ୟରେ ଏକ ବର୍ଗାକୃତି ବାଡ଼ ଦିଆଯାଇ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରାସ୍ତାଥିବାବେଳେ ଭିତରେ କୁକୁଡ଼ା ଲଢ଼େଇ ପାଇଁ ଆବଶ୍ୟକ ସ୍ଥାନଥାଏ ଏହାକୁ ପାଳା କୁହାଯାଏ । ନିଜର ତାଲିମପ୍ରାପ୍ତ ଗଞ୍ଜାର ପ୍ରତିଦ୍ୱନ୍ଦୀ ଭାବେ ଲଢୁଆ ଗଞ୍ଜା ଚୟନ କରିବାପରେ କାତିକାର (ଗଞ୍ଜା ଲଢ଼େଇ କରୁଥିବା ଅଭିଜ୍ଞ ବ୍ୟକ୍ତି) ଗଞ୍ଜା ଗୋଡ଼ରେ ତିକ୍ଷ୍‌ଣ ଛୁରି (କାତି) ବାନ୍ଧି[] ଗଞ୍ଜାକୁ ଧରି ପାଳା ମଧ୍ୟକୁ ପ୍ରବେଶ କରିଥାନ୍ତି । ପ୍ରତିପକ୍ଷ କାତିକାର ପହଞ୍ଚିବା ପରେ ଉଭୟ ଗଞ୍ଜାକୁ କିଛି ସମୟ ଉତ୍ତେଜିତ କଲାପରେ ଆକ୍ରମଣ ପାଇଁ ଏକା ସଙ୍ଗେ ପାଳାରେ ଛଡା ଯାଇଥାଏ । ଏହି ସମୟରେ ବାହାରେ ଉପସ୍ଥିତ ଦର୍ଶକ ନିଜ ପସନ୍ଦର କୁକୁଡ଼ାକୁ ନେଇ ପଚାଶରୁ ପାଞ୍ଚହଜାର ପର୍ଯନ୍ତ ବାଜି ଲଗାଇଥାନ୍ତି । ନିଜ ସପକ୍ଷର କୁକୁଡ଼ାର ରଙ୍ଗ ଅନୁସାରେ ଧ୍ୱନି ଦେଇଥାନ୍ତି ଓ ଉତ୍କଣ୍ଠାର ସହ ଫଳାଫଳକୁ ଅପେକ୍ଷା କରିଥାନ୍ତି । ଅସ୍ତ୍ରବନ୍ଧାଥିବା କୁକୁଡ଼ାଦ୍ୱୟ ଆକ୍ରମଣ ଓ ପ୍ରତିଆକ୍ରମଣରେ କ୍ଷତାକ୍ତ ହୋଇଥାନ୍ତି ଏପରିକି କିଛି କୁକୁଡ଼ା ପାଳାରେ ମରିଯାଆନ୍ତି, ତ ଆଉକିଛି ଦୌଡ଼ି ପଳାନ୍ତି । ପରାଜିତ ଗଞ୍ଜାକୁ ପାଢୁ ଏବଂ ବିଜୟୀ ଗଞ୍ଜାକୁ ଜିତ୍‌କାର ବୋଲି କୁହାଯାଏ । ବିଜେତା ଗଞ୍ଜାର ମାଲିକ ପରାଜିତ ଗଞ୍ଜାକୁ ଅକ୍ତିଆର କରିଥାନ୍ତି ।[]

  1. Bose, Amarendra (2002). "Where cockfighting remains a passion - Times Of India". indiatimes.com. Retrieved 21 December 2012. cockfighting, a favourite sport for many in tribaldominated mayurbhanj district[permanent dead link]
  2. "The Tribune, Chandigarh, India - Nation". tribuneindia.com. 2011. Retrieved 21 December 2012. The species locally known as 'hansli',
  3. "Avian influenza threat to cockfights in Mayurbhanj". telegraphindia.com. 2012. Retrieved 21 December 2012. The tribal-dominated district is famous for indigenous fowl breeds such as hansil and hazra.
  4. "Hansli". sapplpp.org. Archived from the original on 2 January 2013. Retrieved 21 December 2012. Fighting cocks are sold at exorbitant prices, usually 3 to 4 times higher than when they are sold for meat purposes.
  5. ":: Parampara Project | Cock Fight ::". paramparaproject.org. Archived from the original on 14 April 2021. Retrieved 21 December 2012. Three to four-inch long blades, or sharp knives, are tied to the cock's legs
  6. "The Hindu : Other States / Orissa News : Unique fighter breed cocks set to perish". hindu.com. 2008. Retrieved 21 December 2012. After a cockfight, the winner took away the vanquished cock. It was generally eaten.

ଅଧିକ ତଥ୍ୟ

ସମ୍ପାଦନା