ଖାଓ ଫିଂଗ୍ କାନ୍‍

ଥାଇଲାଣ୍ଡର ଏକ ଦ୍ୱୀପ

ଖାଓ ଫିଂଗ୍ କାନ୍ ବା କୋ ଖାଓ ଫିଂଗ୍ କାନ୍ (ଇଂରାଜୀରେ Khao Phing Kan, ଥାଇ ଭାଷାରେ เขาพิงกัน ବା เกาะเขาพิงกัน) ଦ୍ୱୀପ ଥାଇଲାଣ୍ଡର ଫୁକେତରୁ ଉତ୍ତର-ପୂର୍ବକୁ ଥିବା ଫାଂଗ୍ ଙ୍ଗା ଉପସାଗରରେ ଅବସ୍ଥିତ । ଖାଓ ଫିଂଗ୍ କାନ୍‍ ତଟରୁ ପ୍ରାୟ ୪୦ ମିଟର ଦୂରରେ ସମୁଦ୍ର ମଧ୍ୟରେ ୨୦ ମିଟର ଉଚ୍ଚ ଏକ ପ୍ରସ୍ତର ସ୍ତମ୍ଭ ପରି ଦ୍ୱୀପ ରହିଛି ଯାହାକୁ କୋ ଟାପୁ (ଥାଇ ଭାଷାରେ เกาะตาปู) କୁହାଯାଏ ।

ଖାଓ ଫିଂଗ୍ କାନ୍‍
Native name:
เขาพิงกัน
ଖାଓ ଫିଂଗ୍ କାନ୍‍ is located in Thailand
ଖାଓ ଫିଂଗ୍ କାନ୍‍
ଖାଓ ଫିଂଗ୍ କାନ୍‍
Geography
Locationଦକ୍ଷିଣ-ପୂର୍ବ ଏସିଆ
Coordinates8°16′29″N 98°30′04″E / 8.274591°N 98.501151°E / 8.274591; 98.501151
Administration
ଖାଓ ଫିଂଗ୍ କାନ୍ ଦ୍ୱୀପ

ଏହି ଦ୍ୱୀପଗୁଡ଼ିକର ଶିଳା ମୁଖ୍ୟତଃ ଚୂନ ପଥରରେ ଗଢ଼ା ।[୧] ଏହି ଦ୍ୱୀପ ଆଓ ଫାଂଗ୍ ଙ୍ଗା ଜାତୀୟ ଉଦ୍ୟାନର ଅଂଶ । ୧୯୭୪ ମସିହାରେ ନିର୍ମିତ ଜେମ୍ସ ବଣ୍ଡ ଚଳଚ୍ଚିତ୍ର ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍‍ର କିଛି ଅଂଶ ଏହି ଦ୍ୱୀପରେ ନିର୍ମାଣ କରାଯାଇଥିଲା । ତା’ ପରଠାରୁ ଖାଓ ଫିଂଗ୍ କାନ୍ ଓ କୋ ଟାପୁକୁ ଲୋକମାନେ ଜେମ୍ସ ବଣ୍ଡ ଦ୍ୱୀପ (James Bond Island) ନାମରେ ଡାକିବା ଆରମ୍ଭ କଲେ ।

ନାମକରଣ ସମ୍ପାଦନା

ଥାଇ ଭାଷାରେ ଖାଓ ଫିଂଗ୍ କାନ୍‍ର ଅର୍ଥ ହେଲା "ପରସ୍ପରକୁ ଆଉଜି ରହିଥିବା ପାହାଡ଼" ।[୨] ଏହି ଦ୍ୱୀପଗୁଡ଼ିକ ପରସ୍ପର ସହିତ ଏପରି ସଂଲଗ୍ନ ରହିଥିବାରୁ ଏପରି ନାମକରଣ କରାଯାଇଥିବା ସମ୍ଭବପର । “ଖାଓ ଟା ପୁ”କୁ ଅନୁବାଦ କଲେ ତାହାର ଅର୍ଥ “କଙ୍କଡ଼ାର ଆଖି” ଦ୍ୱୀପ ହୋଇଥାଏ । କୋ ଟା ପୁର ଅନୁବାଦ ହେଲା ଗେଣ୍ଡା ଦ୍ୱୀପ ଏବଂ ଏହି ଦ୍ୱୀପର ଆକାର ପାଇଁ ଏପରି ନାମ ଦିଆଯାଇଥିବ । ଥାଇ ଭାଷାରେ କୋଃର ଅର୍ଥ ଦ୍ୱୀପ ଏବଂ ଖାଓର ଅର୍ଥ ପାହାଡ଼ । ହେଲେ କୋ, ଖାଓ ଏବଂ କୋ ଖାଓ ପ୍ରାୟତଃ ଦ୍ୱୀପ ଅର୍ଥରେ ବ୍ୟବହୃତ ହୋଇଥାଏ ।[୩] ୧୯୭୪ ମସିହାର ଜେମ୍ସ ବଣ୍ଡ ଚଳଚ୍ଚିତ୍ର “ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍”ର କିଛି ଅଂଶ ଏଠାରେ ନିର୍ମିତ ହେବା ପରେ ଖାଓ ଫିଂଗ୍ କାନ୍[୪][୫][୬][୭] ଓ ଖାଓ ଟା ପୁ[୮] ପର୍ଯ୍ୟଟକଙ୍କ ମହଲରେ “ଜେମ୍ସ ବଣ୍ଡ୍ ଆଇଲ୍ୟାଣ୍ଡ୍” ରୂପେ ପ୍ରସିଦ୍ଧି ଲାଭ କଲା ଏବଂ କେବଳ ସ୍ଥାନୀୟ ଲୋକଙ୍କ ଛଡ଼ା ଏହାକୁ ପ୍ରକୃତ ନାମରେ କେହି ଡାକନ୍ତି ନାହିଁ ।[୯]

ଇତିହାସ ସମ୍ପାଦନା

୧୯୭୪ ପୂର୍ବରୁ ଏଠାକୁ ବହୁତ କମ୍ ଲୋକଲଯାତାୟତ କରୁଥିଲେ । ଜେମ୍ସ ବଣ୍ଡ୍ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଚରିତ୍ର ଫ୍ରାନ୍ସିସ୍କୋ ସ୍କାରାମାଙ୍ଗାଙ୍କ ବାସସ୍ଥାନ ରୂପେ ଏହି ଦ୍ୱୀପକୁ ଦେଖାଯାଇଥିଲା । ଚଳଚ୍ଚିତ୍ର ପରେ ଦ୍ୱୀପଟି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ପରିଣତ ହେଲା[୧୦] କିନ୍ତୁ ଅଧିକ ପର୍ଯ୍ୟଟନ ଯୋଗୁଁ ଏହି ସ୍ଥାନ ବହୁ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି ।[୯]

୧୯୮୧ ମସିହାରେ ଏହି ଦ୍ୱୀପକୁ ନୂତନ ଭାବେ ପ୍ରତିଷ୍ଠିତ ଆଓ ଫାଂଗ୍ ଙ୍ଗା ସାମୁଦ୍ରିକ ଜାତୀୟ ଉଦ୍ୟାନର ଅଂଶ ବୋଲି ଘୋଷଣା କରାଗଲା ।[୪] ୧୯୯୮ ମସିହାରୁ ପର୍ଯ୍ୟଟକମାନଙ୍କ ଡଙ୍ଗା ପାଇଁ କୋ ଟା ପୁ ଦ୍ୱୀପ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଗଲା । ଏଠାକାର ଚୂନ ପଥରର ଅବକ୍ଷୟ ଘଟି ଏହି ସ୍ତମ୍ଭ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଧ୍ୱସ୍ତ ହେବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା ।[୧୧]

ଜଳବାୟୁ ସମ୍ପାଦନା

ଏହି ଅଞ୍ଚଳରେ କ୍ରାନ୍ତୀୟ ମୌସୁମୀ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାକାର ତାପମାତ୍ରା ପ୍ରାୟ ସ୍ଥିର ରହେ ଓ ଏଠାରେ ନିୟମିତ ଭାବେ ବୃଷ୍ଟିପାତ ହୋଇଥାଏ । ୧୯୬୧ ମସିହାରୁ ୧୯୯୦ ମସିହା ମଧ୍ୟରେ ସଂଗୃହୀତ ତଥ୍ୟାନୁସାରେ ଏଠାରେ ବାର୍ଷିକ ମଇରୁ ନେଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ହାରାହାରି ୧୮୯ ଦିନରେ ୩୫୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୁଏ । ହାରାହାରି ତାପମାତ୍ରା ୨୩° ସେଲସିୟସ୍‍ରୁ ୩୨° ସେଲସିୟସ୍ ମଧ୍ୟରେ ରହିଥାଏ ଓ ଆପେକ୍ଷିକ ଆର୍ଦ୍ରତା ପ୍ରାୟ ୮୩% ।[୧୨]

ଭୂଗୋଳ ସମ୍ପାଦନା

ଖାଓ ଫିଂଗ୍ କାନ୍ ସମ୍ପାଦନା

ଦୁଇଟି ଅରଣ୍ୟାବୃତ ଢାଲୁ ପାହାଡ଼ ପରି ଦ୍ୱୀପକୁନେଇ ଖାଓ ଫିଂଗ୍ କାନ୍ ଗଠିତ । ଫାଂଗ୍ ଙ୍ଗା ଉପସାଗରର ଉତ୍ତର-ପଶ୍ଚିମ ପଟକୁ ମୁଖ୍ୟ ସ୍ଥଳଭାଗରୁ ପ୍ରାୟ ୬ କିଲୋମିଟର ଦୂରରେ ଏହି ଦ୍ୱୀପ ଅବସ୍ଥିତ । ଦ୍ୱୀପର ପଶ୍ଚିମ ପାର୍ଶ୍ୱର ବ୍ୟାସ ପ୍ରାୟ ୧୩୦ ମିଟର । ପୂର୍ବ ପଟର ଦୈର୍ଘ୍ୟ ୨୪୦ ମିଟର ଓ ପ୍ରସ୍ଥ ପ୍ରାୟ ୧୪୦ ମିଟର । ଉତ୍ତର ପଟକୁ ଦ୍ୱୀପଟି ଅପ୍ରଶସ୍ତ ଭାବରେ ଲମ୍ବିଛି । ଦ୍ୱୀପର ଦକ୍ଷିଣ-ପଶ୍ଚିମରେ କେତୋଟି ଗୁମ୍ଫା ଓ ବାଲୁକାପୂର୍ଣ୍ଣ ବେଳାଭୂମି ରହିଛି । ଏହି ଦ୍ୱୀପରେ ପର୍ଯ୍ୟଟକଙ୍କ ଟିକସ ପଇଠ କରିବା ପାଇଁ ଏକ କାର୍ଯ୍ୟାଳୟ, ସାମୁଦ୍ରିକ ଜୀବଙ୍କ ଅବଶେଷରେ ନିର୍ମିତ କଳା ଓ ଘରସଜା ପଦାର୍ଥର ଦୋକାନ ରହିଛି ।[୪] ୨ରୁ ୩ ମିଟର ଉଚ୍ଚ ଜୁଆର ଯୋଗୁଁ ଗୁମ୍ଫା ଓ ବେଳାଭୂମି ଅଧିକାଂଶରେ ଜଳ ପ୍ଳାବିତ ରହିଥାଏ । କେବଳ ନିମ୍ନ ଜୁଆର ସମୟରେ ଏଗୁଡ଼ିକ ଦେଖିହେବ ।[୩] ଦ୍ୱୀପର ଥାଇ ନାମ ଖାଓ ଫିଂଗ୍ କାନ୍ ଏହି ଦ୍ୱୀପର ଚୂନ ପଥର ପାହାଡ଼ର ଢଳି ରହିଥିବା ଆକାରରୁ ଉଦ୍ଧୃତ ।[୪]


ଦ୍ୱୀପ ନିକଟସ୍ଥ ସମୁଦ୍ରର ପାଣି ଗାଢ଼ କିମ୍ବା ଫିକା ସବୁଜ ରଙ୍ଗର । ଉପସାଗରର ନିମ୍ନାଂଶରେ ଉତ୍ତର ପଟର ନଦୀମାନେ ନିଷ୍କାସନ କରିଥିବା ମାଟି ଜମି ରହିଛି ।[୧୩]

 
ଖାଓ ଫିଂଗ୍ କାନ୍ ଓ କୋ ଟା ପୁ
 
କୋ ଟା ପୁ

ଖାଓ ଟା ପୁ ସମ୍ପାଦନା

ଖାଓ ଟା ପୁ ୨୦ ମିଟର ଉଚ୍ଚ ଏକ ଚୂନ ପଥର ସ୍ତମ୍ଭ । ଜଳ ସ୍ତରରେ ପଥର ସ୍ତମ୍ଭର ବ୍ୟାସ ପ୍ରାୟ ୪ ମିଟର ହୋଇଥିବା ବେଳେ ଏହା କ୍ରମଶଃ ବଢ଼ି ଉପରେ ଏହାର ବ୍ୟାସ ପ୍ରାୟ ୮ ମିଟର । ଖାଓ ଫିଂଗ୍ କାନ୍‍ର ଉତ୍ତର ପଟରୁ ପଶ୍ଚିମ ଦିଗକୁ ସମୁଦ୍ର ମଝିରେ ପ୍ରାୟ ୪୦ ମିଟର ଦୂରରେ ଏହି ପଥର ସ୍ତମ୍ଭ ଦ୍ୱୀପ ରହିଛି ।

ଖାଓ ଟା ପୁ ବିଷୟରେ ସ୍ଥାନୀୟ ଲୋକକଥା ବା କିମ୍ବଦନ୍ତୀ ମଧ୍ୟ ରହିଛି । ଏହି କଥାନୁସାରେ ଏଠାରେ ଏକ ମତ୍ସ୍ୟଜୀବୀ ରହୁଥିଲା ଯେ ପ୍ରତିଦିନ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲା । ଥରେ ବହୁ ଚେଷ୍ଟା ସତ୍ତ୍ୱେ ସେ କୌଣସି ମାଛ ଧରି ପାରିଲା ନାହିଁ ଓ ଶେଷରେ ତା’ ଜାଲରେ କେବଳ କଣ୍ଟାଟିଏ ଲାଗିଲା । ଯେତେ ଥର ସେ କଣ୍ଟାଟିକୁ ପାଣି ଭିତରକୁ ଫିଙ୍ଗି ପୁଣି ଜାଲ ପକାଇଲା ସବୁବେଳେ ପୁଣି ସେହି କଣ୍ଟା ତା’ ଜାଲରେ ଲାଗିଲା । ଶେଷରେ କ୍ରୋଧିତ ହୋଇ ସେ କଣ୍ଟାଟିକୁ ଦୁଇ ଫାଳ କରି ସମୁଦ୍ରରେ ଫିଙ୍ଗିଦେଲା ଓ ସେହି କଣ୍ଟାରୁ ଖଣ୍ଡିଏ ଖାଓ ଟା ପୁରେ ପରିଣତ ହେଲା ।[୧୨]


ବୈଜ୍ଞାନିକ ମତାନୁସାରେ ଖାଓ ଟା ପୁ ପର୍ମିଆନ୍ ସମୟର ଏକ ପ୍ରବାଳ ଦ୍ୱୀପ । ଟେକ୍ଟୋନିକ୍ ପ୍ଲେଟ୍‍ର ଚଳନ ଘଟି ଭଗ୍ନ ଓ ବିଖଣ୍ଡିତ ଦ୍ୱୀପମାନ ସୃଷ୍ଟି ହୋଇଛି । ବାୟୁ, ଜଳ ତରଙ୍ଗ ଯୋଗୁଁ କ୍ରମଶଃ ପଥରଗୁଡ଼ିକର ଅବକ୍ଷୟ ଘଟି ବର୍ତ୍ତମାନର ଅବସ୍ଥା ସୃଷ୍ଟି ହୋଇଛି ।[୧୩] ଜୁଆର ଯୋଗୁଁ ଘଟିଥିବା ଅବକ୍ଷୟ ଖାଓ ଟା ପୁ ତଳେ ସ୍ପଷ୍ଟ ରୂପେ ଦେଖିହେବ ।

ଜେମ୍ସ ବଣ୍ଡ ଚଳଚ୍ଚିତ୍ର ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍‍ର କଥା ଅନୁସାରେ ଖଳନାୟକ ଚରିତ୍ର ଫ୍ରାନ୍ସିସ୍କୋ ସ୍କାରାମାଙ୍ଗା ଏକ ଛତୁ ଆକାରର ପଥର (ଖାଓ ଟା ପୁ) ଉପରେ ଦୁଇଟି ବୃହତ ସୌର ପ୍ୟାନେଲ୍ ନିର୍ମାଣ କରିଥିଲେ ଯାହା ନିରବଚ୍ଛିନ୍ନ ଭାବେ ସୌର ଶକ୍ତି ଗ୍ରହଣ କରୁଥିଲା । ଖାଓ ଟା ପୁ ଦ୍ୱୀପଟି ଆଉ ଏକ ଜେମ୍ସ ବଣ୍ଡ୍ ଚଳଚ୍ଚିତ୍ର ଟୁମୋରୋ ନେଭର୍ ଡାଇସ୍‍ରେ ମଧ୍ୟ ଦେଖିବାକୁ ମିଳେ । ଏତତ୍ ବ୍ୟତୀତ ଇଟାଲୀୟ ଚଳଚ୍ଚିତ୍ର କ୍ୱୋ ଭାଡୋର ଏକ ଅଂଶ ମଧ୍ୟ ଏହି ଦ୍ୱୀପରେ ନିର୍ମିତ ହୋଇଥିଲା ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Thailand: Ko Khao Phing Kan (James Bond Island), Ao Phang Nga (Phangnga Bay) National Park, Phang Nga Province". Pictures from History. Retrieved 24 November 2014.
  2. "Phang-nga Town". Archived from the original on 1 May 2010. Retrieved 4 July 2009.
  3. ୩.୦ ୩.୧ Approaching James Bond Island, 6 Apr 2009 Archived 31 August 2013 at the Wayback Machine.
  4. ୪.୦ ୪.୧ ୪.୨ ୪.୩ Joe Cummings, Becca Blond, Morgan Konn Thailand, Lonely Planet (2005) ISBN 1-74059-697-8 p. 642 web version
  5. Carter, Mike (20 November 2000). "Thailand: All quiet on the Andaman Sea". The Telegraph. Retrieved 3 July 2019.
  6. Duncan, Fiona (18 January 2006). "Time to move on". The Telegraph. Retrieved 3 July 2019.
  7. Sykes, Martin (30 March 2010). "Phuket: Like a limestone cowboy". The New Zealand Herald. Retrieved 12 Oct 2011.
  8. Travel like 007, NBC News, 11 November 2008[not in citation given]
  9. ୯.୦ ୯.୧ Claudia Springer James Dean transfigured: the many faces of rebel iconography, University of Texas Press, 2007 ISBN 0292714440 p. 195
  10. "The Man With the Golden Gun film locations". Archived from the original on 2013-03-24. Retrieved 2020-11-24.
  11. Ko Tapu is closed for tourists, Travel.ru (in Russian)
  12. ୧୨.୦ ୧୨.୧ "Ao Phang-nga National Park". Department of National Parks (DNP). 21 May 2014. Archived from the original on 20 October 2014. Retrieved 3 July 2019.
  13. ୧୩.୦ ୧୩.୧ Phang Nga Bay National Park, National Park Division, Royal Forestry Department[not in citation given]

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା

8°16′31.36″N 98°30′02.02″E / 8.2753778°N 98.5005611°E / 8.2753778; 98.5005611