କୁଫା
କୁଫା (ଇଂରାଜୀ ଭାଷାରେ kuphar ବା kuffah ବୋଲି ଉଚ୍ଚାରିତ[୧]) ଏକ ଗୋଲାକାର ଡଙ୍ଗା । ଟାଇଗ୍ରିସ୍ ଓ ୟୁପ୍ରେଟିସ୍ ନଦୀ କୂଳରେ ଗଢ଼ି ଉଠିଥିବା ପ୍ରାଚୀନ ମେସୋପଟାମିଆ ସଭ୍ୟତା ସମୟରୁ ଏହି କୁଫା ବ୍ୟବହୃତ ହୋଇ ଆସୁଛି । ଗୋଲାକୃତି ହୋଇଥିବାରୁ ସ୍ରୋତର ବିପରୀତ ଦିଗରେ ଯିବା ବେଳେ ଏହା ଗୋଲ ଗୋଲ ବୁଲିଥାଏ ଓ ସ୍ରୋତର ବିପରୀତ ଦିଗରେ କୁଫା ଚଳାଇବା କଷ୍ଟ । କିନ୍ତୁ ଏହା ଏକ ସୁରକ୍ଷିତ, ସୁଗଠିତ ଡଙ୍ଗା ଓ ଏହାର ନିର୍ମାଣ ପ୍ରକ୍ରିୟା ସରଳ । କାତ ବା ଆହୁଲା ସାହାଯ୍ୟରେ କୁଫାକୁ ଚଳାଇବାକୁ ପଡ଼ିଥାଏ ।[୨][୩]
ନାମକରଣ
ସମ୍ପାଦନାମୂଳ ଆରବୀୟ ଶବ୍ଦ قفة (ଉଚ୍ଚାରଣ କୁଫାଃ)ରୁ ଏହି ନୌକାର ନାମ ଉଦ୍ଧୃତ । କୁଫା ଶବ୍ଦର ଅର୍ଥ ହେଲା ବେତ, ଲଟା ଓ ପତ୍ର ଇତ୍ୟାଦିରେ ନିର୍ମିତ ଟୋକେଇ । ଫଳ, ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବୋହି ନେବା ପାଇଁ ନିର୍ମିତ ଟୋକେଇ ପରି ଦିଶୁଥିବାରୁ ଓ ଟୋକେଇ ପରି ସାମଗ୍ରୀ ବୋହିବାରେ ବ୍ୟବହୃତ ହେଉଥିବାରୁ ଏହି ନୌକାକୁ କୁଫା କୁହାଯାଏ ।[୪] ଏହି ଆରବୀୟ ଶବ୍ଦର ଉତ୍ପତ୍ତି ପ୍ରାଚୀନ ଆକାଡ଼ୀୟ ଶବ୍ଦ “କୁପୁ”ରୁ । କୁପୁ ଶବ୍ଦର ଅର୍ଥ ମଧ୍ୟ ଟୋକେଇ ବା ଝୁଡ଼ି ।[୨]
ଇତିହାସ
ସମ୍ପାଦନାଏସିରୀୟ ଭଗ୍ନାବଶେଷରୁ ମିଳିଥିବା ବିଭିନ୍ନ ଫଳକ ଓ ଲେଖରେ କୁଫା ନୌକାର ଉଲ୍ଲେଖ ମିଳେ । ଏହି ଭଗ୍ନାବଶେଷ ଖ୍ରୀଷ୍ଟପୂର୍ବ ୯ମ, ୮ମ ଓ ୭ମ ଶତାବ୍ଦୀର ଅନେକ ରାଜା ଯଥା: ଅସୁରନସିରପାଳ ଦ୍ୱିତୀୟ (ଖ୍ରୀ.ପୂ. ୮୮୩-୮୫୯), ସେନ୍ନାଚେରିବ (ଖ୍ରୀ.ପୂ. ୭୦୫-୬୮୧), ଅସୁରବନିପାଳ (ଖ୍ରୀ.ପୂ. ୬୬୮-୬୨୭) ପ୍ରଭୃତିଙ୍କ ରାଜତ୍ୱ କାଳର ।[୨]: 130 ସଂଗୃହୀତ ମାଟି ଫଳକର ଏକ ବିବାଦୀୟ ଅନୁବାଦ ପ୍ରାଚୀନ ବାବିଲୋନୀୟ ଯୁଗ (ଖ୍ରୀ.ପୂ. ୧୮୩୦-୧୫୩୧) ସମୟରେ ମଧ୍ୟ କୁଫା ବ୍ୟବହୃତ ହେଉଥିବାର ଦାବୀ କରିଥିଲା ।[୫]
ଗ୍ରୀକ୍ ଐତିହାସିକ ହେରୋଡଟସ୍ ଆନୁମାନିକ ଖ୍ରୀ.ପୂ. ୪୫୦ ସମୟରେ ବେବିଲୋନ୍ ପରିଭ୍ରମଣ କରିବାକୁ ଯାଇଥିଲେ ଓ ସେ କୁଫା ବିଷୟରେ ଉଲ୍ଲେଖ କରିଥିଲେ:[୬]
କିନ୍ତୁ ଏହି ଦେଶରେ ମୋତେ ଏଠାକାର ସହର ବ୍ୟତୀତ ଆଉ ଯେଉଁ ବସ୍ତୁ ଆଶ୍ଚର୍ଯ୍ୟାନ୍ୱିତ କରିଛି, ତାହା ବିଷୟରେ କିଛି କହିବି । ବେବିଲୋନ୍ର ନଦୀରେ ଉପରମୁଣ୍ଡରୁ ଯେଉଁ ସବୁ ଡଙ୍ଗା ଭାସି ଆସେ ସେଗୁଡ଼ିକ ଗୋଲାକାର ଓ ଚମଡ଼ାରେ ତିଆରି । ମୁଖ୍ୟ ଶରୀରଟି ଯେଉଁ କାଠରେ ତିଆରି ତାହା ଏସିରିଆ ଉତ୍ତରରେ ଥିବା ଆର୍ମେନିଆର ଉଚ୍ଚଭୂମିରୁ କଟାଯାଇଥାଏ । ଏହି କାଠରେ ଗୋଲାକାର ଡଙ୍ଗାର ଶରୀରର ତିଆରି କରି ତାହାର ବହିଃ ପାର୍ଶ୍ୱକୁ ଚମଡ଼ାରେ ଆଚ୍ଛାଦିତ କରିଦିଆଯାଇଥାଏ । ଏହି ଗୋଲାକାର ଡଙ୍ଗାଗୁଡ଼ିକ ଢାଲ ପରି ଆକାରର । ତାହା ପରେ ଡଙ୍ଗାଗୁଡ଼ିକରେ ପାଳ, କୁଟା ଭରି ତାହା ଉପରେ ସାମଗ୍ରୀ ରଖି ପରିବହନ ନଦୀ ସ୍ରୋତରେ ତଳ ମୁଣ୍ଡକୁ ଭସାଇ ଦିଆଯାଏ । ତାଳ କାଠ ନିର୍ମିତ ପାତ୍ରରେ (କାସ୍କ) ମଦ ପରିବହନ କରିବା ପାଇଁ ଏହି ଡଙ୍ଗା ବ୍ୟବହୃତ ହୁଏ । ଦୁଇ ଜଣ ଲୋକ ଛିଡ଼ା ହୋଇ ଦୁଇଟି ଆହୁଲା ସାହାଯ୍ୟରେ ଏହି ଡଙ୍ଗାକୁ ଚଳାଇଥାନ୍ତି । ଏହି ଡଙ୍ଗା ଛୋଟ, ବଡ଼ ଏପରି ଅନେକ ଆକୃତିରେ ଦେଖାଯାଏ ; ସବୁଠାରୁ ବଡ଼ ୫୦୦୦ ଟାଲେଣ୍ଟ୍ ମାପର ହୋଇଥାଏ । ପ୍ରତି ଡଙ୍ଗାରେ ଗୋଟିଏ ଜୀବନ୍ତ ଗଧ ରଖାଯାଏ, ବଡ଼ ଆକାରର ଡଙ୍ଗାରେ ଦୁଇଟି ଗଧ ରହିପାରନ୍ତି । ଡଙ୍ଗା ଭାସି ବେବିଲୋନ୍ ପହଞ୍ଚିବା ପରେ ପଣ୍ୟ ଦ୍ରବ୍ୟ ଓହ୍ଲାଇ ବିକ୍ରି କରାଯାଏ । ତା’ ପରେ ଲୋକ ଡଙ୍ଗାର କାଠ ଓ ଚମଡ଼ା ଖୋଲି ଦିଅନ୍ତି । ପାଳ-କୁଟା ଓ କାଠକୁ ବିକି ଦିଆଯାଏ । ଗଧ ପିଠିରେ ଚମଡ଼ା ଲଦି ବେପାରୀମାନେ ପୁଣି ଆର୍ମେନିଆକୁ ଫେରିଯାଆନ୍ତି । ନଦୀ ସ୍ରୋତ ପ୍ରଖର ଥିବାରୁ ଏହି ଡଙ୍ଗାରେ ଉପରମୁଣ୍ଡକୁ ଯିବା ସମ୍ଭବପର ନୁହେଁ, ତେଣୁ ଡଙ୍ଗାଗୁଡ଼ିକ କାଠ ପରିବର୍ତ୍ତେ ଚମଡ଼ାରେ ତିଆରି କରାଯାଏ । ଆର୍ମେନିଆ ଫେରିଯିବା ପରେ ସେମାନେ ପୁଣି ନୂଆ ଡଙ୍ଗା ତିଆରି କରନ୍ତି ।
— ହେରୋଡଟସ୍
ତତ୍କାଳୀନ ୫୦୦୦ ଗ୍ରୀକ୍ ଟାଲେଣ୍ଟର ମାପ ୧୪୩ ଟନ୍ ହେବ । ତେଣୁ ଏହା ଅତ୍ୟୁକ୍ତି ହୋଇପାରେ । ଏସିରୀୟ ଭଗ୍ନାବଶେଷରେ ମିଳିଥିବା କିଛି ପ୍ରସ୍ତର ଖୋଦିତ ଚିତ୍ରରେ କିନ୍ତୁ କୁଫାରେ ପଥର ପରିବହନ କରାଯିବା ଦର୍ଶିତ ହୋଇଛି । ଏହି ବଡ଼ କୁଫାକୁ ୪ ଜଣ ଲୋକ ଆହୁଲା ମାରି ଚଳାଇଥାନ୍ତି ।[୭] ନିକଟ ଅତୀତରେ ସମ୍ପନ୍ନ କିଛି ବିଶ୍ୱାସଯୋଗ୍ୟ ଗବେଷଣା ଅନୁସାରେ ପ୍ରାଚୀନ ସମୟର ସର୍ବବୃହତ କୁଫାର ବ୍ୟାସ ୧୮ ଫୁଟ୍ (୫.୫ ମିଟର) ଥିଲା ଓ ଏମାନେ ୧୬ ଟନ୍ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ ପରିବହନ କରିପାରୁଥିଲେ ।[୮]: 86
ଏହି ଡଙ୍ଗାର ନିର୍ମାଣ ଶୈଳୀ ବିଷୟରେ ହେରୋଡଟସ୍ ଦୁଇଟି ଉପାୟ ବର୍ଣ୍ଣନା କରିଛନ୍ତି – ଗୋଟିଏ ହେଲା, କାଠର ଛାଞ୍ଚ ଉପରେ ଚମଡ଼ା ଚଢ଼ାଇ ଓ ଦ୍ୱିତୀୟଟି ହେଲା ବେତ ତଥା ଲଟାକୁ ଗୁନ୍ଥି ଟୋକେଇ ନିର୍ମାଣ କରି ଡଙ୍ଗା ନିର୍ମିତ ହୁଏ । ସେମାନଙ୍କ ତଳୁ ପାଣି ନ ଗଳିବା ପାଇଁ ପିଚୁ ବା ବିଟୁମେନ୍ ଲଗାଯାଏ । ୧୯୩୮ ମସିହାରେ ବ୍ରିଟିଶ୍ ମାନବ ବଂଶବିଜ୍ଞାନୀ ଜେମ୍ସ୍ ହର୍ଣ୍ଣେଲ୍ ନିଜ ଲେଖା The Coracles of the Tigris and Euphrates (ଟାଇଗ୍ରିସ୍ ଓ ୟୁଫ୍ରେଟିସ୍ର କୋରାକଲ୍)ରେ ଏପରି ପ୍ରଣାଳୀ ନିର୍ମିତ ଡଙ୍ଗା ବ୍ୟବହାର ହେଉଥିବା ବିଷୟକୁ ପୁଣି ଉଲ୍ଲେଖ କରିଛନ୍ତି ।[୯]
ବାଇବେଲରେ ଉଲ୍ଲେଖ
ସମ୍ପାଦନାବ୍ରିଟିଶ୍ ସଂଗ୍ରହାଳୟରେ ପ୍ରଦର୍ଶିତ ପ୍ରାଚୀନ ବେବିଲୋନୀୟ ସାଙ୍କେତିକ ଲିପିରେ ଲିଖିତ ଏକ ମାଟି ଫଳକ ନୋଆର ଡଙ୍ଗା ଏକ ବିରାଟ କୁଫା ହୋଇଥିବା ଇଙ୍ଗିତ କରିଥାଏ ।[୧୦] ପ୍ରଫେସର୍ ଇର୍ଭିଂଗ୍ ଫିଙ୍କେଲ୍ ଏହି ଫଳକର ଅନୁବାଦ କରିଛନ୍ତି ଏବଂ ଏହି ଫଳକରେ ନୋଆର ଡଙ୍ଗା ବୃତ୍ତାନ୍ତ ସହ ସାମଞ୍ଜସ୍ୟ ଥିବା ଏକ କିମ୍ବଦନ୍ତୀ ଲେଖା ହୋଇଥିବା ବିଷୟ ପ୍ରକାଶ କରିଥିଲେ ।[୧୧] ଅନୁବାଦକୁ ଅନୁସରଣ କରି ୩୫ ଟନ୍ କୁଫାର ସେ ଏକ କ୍ଷୁଦ୍ର ନମୁନା ତିଆରି କରାଇଥିଲେ ।[୧୨] ୨୦୧୪ ମସିହାରେ ଫିଙ୍କେଲ୍ ଭାରତର କେରଳରେ ଏହି କୁଫାକୁ ଭସାଇବାର ଅସଫଳ ଚେଷ୍ଟା କରିଥିଲେ । ସ୍ଥାନୀୟ ବିଟୁମେନ୍ ବା ପିଚୁ ନିମ୍ନ ମାନର ହୋଇଥିବା ଯୋଗୁଁ ତାଙ୍କ ଦୁଇ ମହଲାବିଶିଷ୍ଟ କୁଫା ଭସାଇବା ପ୍ରୟାସ ବିଫଳ ହେଲା ବୋଲି ସେ କହିଥିଲେ ।[୧୩][୧୨]
ଫଳକରେ ବେବିଲୋନୀୟ ଦୈବୀ ପ୍ରଳୟ କିମ୍ବଦନ୍ତୀ ଓ ଜଣେ ବେବିଲୋନୀୟ ନାୟକ ଆତ୍ରାହସିସ୍ର ନୌକା ନିର୍ମାଣ କଥା ବର୍ଣ୍ଣିତ ।[୧୨] ନୋଆଦ୍ୱାରା ନିର୍ମିତ ଏହି ବିରାଟକାୟ କୁଫା ୧-୨ ମହଲାବିଶିଷ୍ଟ ଓ ଏହାର ସମୁଦାୟ ପୃଷ୍ଠ କ୍ଷେତ୍ରଫଳ ୧୪୪୦୦ ବର୍ଗ କ୍ୟୁବିଟ୍ (୩୬୦୦ ବର୍ଗ ମିଟର୍) ହୋଇଥିବା ଲେଖାଅଛି । ତେଣୁ ଏହି ବନ୍ୟା ଓ ପ୍ରଳୟ କିମ୍ବଦନ୍ତୀ, ନୋଆ, ଡଙ୍ଗା କିମ୍ବଦନ୍ତୀର ଉତ୍ସ ମେସୋପଟାମିଆ ସଭ୍ୟତା (ଆଧୁନିକ ଇରାକ) ହୋଇପାରେ ବୋଲି ଫିଙ୍କେଲ୍ ଅନୁମାନ କରନ୍ତି ।[୧୪][୧୨]
କିଛି ନୂତନ ଏସିରୀୟ କାଳର କିମ୍ବଦନ୍ତୀରେ ଟୋକେଇ ବା ଛୋଟ କୁଫାରେ ଶିଶୁଙ୍କୁ ଭସାଇ ଦେଉଥିବା କଥା ବର୍ଣ୍ଣିତ ଅଛି । ଏହି ବର୍ଣ୍ଣନାର ମୋଜେସ୍ଙ୍କ କିମ୍ବଦନ୍ତୀ ସହିତ ସାମଞ୍ଜସ୍ୟ ରହିଛି ।[୧୫] ଏହି ଆଧାରରେ କିଛି ବିଶେଷଜ୍ଞ କୁହନ୍ତି ଯେ ଶିଶୁ ମୋଜେସ୍ଙ୍କୁ ଯେଉଁ ଡଙ୍ଗାରେ ରଖି ନୀଳ ନଦୀରେ ଭସାଇ ଦିଆ ଯାଇଥିଲା ତାହା ଏକ କୁଫା ହୋଇପାରେ ।[୧୦][୧୫][୧୨]
ଆଧୁନିକ ସମୟରେ ବ୍ୟବହାର
ସମ୍ପାଦନାବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇରାକରେ ବାଗଦାଦ ଆଖପାଖରେ କୁଫାମାନଙ୍କୁ ଗମନାଗମନ, ମାଛଧରା ଡଙ୍ଗା ରୂପେ ବ୍ୟବହାର କରାଯାଉଥିଲା । ଏହି କୁଫାଗୁଡ଼ିକର ପ୍ରସ୍ଥ ୪.୫-୧୦ ଫୁଟ୍ ପର୍ଯ୍ୟନ୍ତ ଥିଲା । ଯଦିଓ ଏଗୁଡ଼ିକର ଯାତ୍ରୀବାହୀ କ୍ଷମତା ୨୦, ଏଥିରେ ୪-୫ ଜଣ ଯାତ୍ରୀ ପରିବାହିତ ହେଉଥିଲେ । ବୃହଦାକାର କୁଫାଗୁଡ଼ିକ ୪-୫ ଟନ୍ ଓଜନର ସାମଗ୍ରୀ ପରିବହନ କରିପାରନ୍ତି (ଉଦାହରଣ ସ୍ୱରୂପ: ୩ଟି ଘୋଡ଼ା, କିଛି ମନୁଷ୍ୟ ଓ ସେମାନଙ୍କ ସାମଗ୍ରୀ) ।[୨]: 132 ବିଂଶ ଶତାବ୍ଦୀର ସର୍ବବୃହତ କୁଫାର ବ୍ୟାସ ପ୍ରାୟ ୧୬.୪-୧୮ ଫୁଟ୍ ।[୭]
ଆଧୁନିର ଯୁଗରେ ଇରାକରେ ସଡ଼କ ଓ ସେତୁ ଇତ୍ୟାଦି ନିର୍ମାଣ ହେବା ପରେ ତଥା ମୋଟର ଗାଡ଼ି ଆସିବା ପରେ କୁଫାର ବ୍ୟବହାର ହ୍ରାସ ପାଇବାକୁ ଲାଗିଲା । ୧୯୭୦ ଦଶନ୍ଧି ପର୍ଯ୍ୟନ୍ତ ଇରାକରେ ଏମାନଙ୍କ ବ୍ୟବହାର ହେଉଥିଲା ।[୨]: 130 ପୁରାତନ କାଳ ପରି ବର୍ତ୍ତମାନ ମଧ୍ୟ ବେତ ଓ ଲଟାଝଟା ଗୁନ୍ଥି ଓ ପାଣି ନ ଗଳିବା ପାଇଁ ପିଚୁଦ୍ୱାରା ଏହାର ତଳକୁ ଆଚ୍ଛାଦିତ କରି ଆଧୁନିକ କୁଫା ନିର୍ମିତ ହୁଏ ।[୩] ଜେମ୍ସ୍ ହର୍ଣ୍ଣେଲ୍ଙ୍କ ବର୍ଣ୍ଣନାନୁଯାୟୀ :[୩]: 153 ତିବ୍ବତୀୟ ଗିନା ପରି ଏହି ଡଙ୍ଗାଟି ଗୋଲ, ତଳଟି ଚଟକା ଓ ଏହାର ପାର୍ଶ୍ୱ ଉତ୍ତଳାକାର । ନିର୍ମାଣ ଦୃଷ୍ଟିରୁ କୁଫା ଏକ ବିରାଟ ଘୋଡ଼ଣିହୀନ ଝୁଡ଼ି ପରି ।
ନିଜର ୧୮୨୭ ମସିହାର କବିତା ପର୍ସିଆରେ ଲର୍ଡ୍ ଟେନିସନ୍ କୁଫାର ଉଲ୍ଲେଖ କରିଛନ୍ତି ।
କୁଫା ପରି ଅନ୍ୟ ଡଙ୍ଗା
ସମ୍ପାଦନାବହୁ ଲେଖକ କୁଫାର ଆକୃତି ସହ ସାମଞ୍ଜସ୍ୟ ଥିବା ବିଭିନ୍ନ ଡଙ୍ଗା ବିଷୟରେ ଉଲ୍ଲେଖ କରିଯାଇଛନ୍ତି ।[୮][୧୬] ହର୍ଣ୍ଣେଲ୍, ମେରି-ଖ୍ରିଷ୍ଟିନ୍ ଡି ଗ୍ରେଭ୍ ଓ ବହୁ ମାନବ ବିଜ୍ଞାନୀ ଅନୁମାନ କରନ୍ତି ଯେ ୟୁରେସିଆ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବହୃତ ଗୋଲ ଡଙ୍ଗା କୁଫାକୁ ଦେଖି ନିର୍ମିତ ହୋଇଥିବ ।[୨][୮]: 85-9 ପ୍ରାଚୀନ ଆୟାର୍ଲାଣ୍ଡର ସେଲ୍ଟମାନେ ସ୍ୱକୌଶଳରେ କୁରା ନାମକ ଏକ ଗୋଲ ଡଙ୍ଗା ନିର୍ମାଣ କରୁଥିବାର ତଥ୍ୟ ଜଣାପଡ଼ିଛି ।[୧୬]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "kuphar, n.", Oxford English Dictionary
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Agius, Dionisius A. (2008). Classic Ships of Islam: From Mesopotamia to the Indian Ocean. BRILL. pp. 129–132. ISBN 9789004158634.
- ↑ ୩.୦ ୩.୧ ୩.୨ Hornell, James (1938-01-01). "The Coracles of the Tigris and Euphrates". The Mariner's Mirror. 24 (2): 153–159. doi:10.1080/00253359.1938.10657280. ISSN 0025-3359.
- ↑ منظور الأنصاري, ابن (1873). "معنى قفة" (PDF). لسان العرب. Bulaq: الميرية. Retrieved June 14, 2018.
- ↑ Kennedy, Maev (2010-01-01). "Relic reveals Noah's ark was circular". The Guardian. ISSN 0261-3077. Retrieved 2018-06-14.
- ↑ Herodotus, translated by George Rawlinson (1885), The History of Herodotus, vol. 1, Appleton and Company
- ↑ ୭.୦ ୭.୧ Badge, Peter (2009-06-17). The Coracles of the World (UK ed.). Gwasg Carrech Gwalch. ISBN 9781845272555.
- ↑ ୮.୦ ୮.୧ ୮.୨ De Graeve, Marie-Christine (1981). The Ships of the Ancient Near East (c. 2000-500 B.C.). Departement Oriëntalistiek. ISBN 9789070192075.
- ↑ Sean McGrail (2004), Boats of the World: From the Stone Age to Medieval Times, Oxford University Press, pp. 64–66, ISBN 9780199271863
- ↑ ୧୦.୦ ୧୦.୧ "Coracles: The surprising history of Britain's strangest boat". BBC one. BBC. Retrieved 14 June 2018.
- ↑ Sameer Rahim (14 September 2014), "What's the truth of Noah's Ark?", Daily Telegraph
- ↑ ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ "Secrets of Noah's Ark - Transcript". Nova. PBS. 7 October 2015. Retrieved 27 May 2019.
- ↑ Basu, Shrabani (September 14, 2014). "The ark that Finkel built". The Telegraph India. Retrieved 14 June 2018.
- ↑ Finkel, Irving L. (2014), "Conclusions: Stories and Shapes", The Ark Before Noah: Decoding the Story of the Flood, Hodder & Stoughton
{{citation}}
: Invalid|ref=harv
(help) - ↑ ୧୫.୦ ୧୫.୧ Potts, Daniel T. (2012-05-21). A Companion to the Archaeology of the Ancient Near East. John Wiley & Sons. ISBN 9781405189880.
- ↑ ୧୬.୦ ୧୬.୧ Hornell, James (1939-02-11). "British Coracles and Irish Curraghs: with a Note on the Quffah of Iraq". Nature. 143 (224): 224. doi:10.1038/143224c0. ISSN 1476-4687.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Kuphar-ସମ୍ପର୍କିତ ମିଡ଼ିଆ