କଳ୍ପନା ଦାଶ
କଳ୍ପନା ଦାଶ (୭ ଜୁଲାଇ ୧୯୬୬ – ୨୩ ମଇ ୨୦୧୯) ଜଣେ ଓକିଲ ଓ ପର୍ବତ ଆରୋହଣକାରୀ ଥିଲେ । ସେ ପ୍ରଥମ ଓଡ଼ିଆ, ପ୍ରଥମ ଭାରତୀୟ ବେସାମରିକ ଓ ସବୁଠାରୁ ବୟସ୍କା ମହିଳା (୪୨) ଏଭରେଷ୍ଟ ଶୃଙ୍ଗ ଆରୋହଣକାରୀ ।[୧] ସେ ପ୍ରଥମେ ୨୦୦୮ ମସିହା ମଇ ୨୧ ତାରିଖରେ ପ୍ରଥମଥର ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଓ ନେପାଳର ଅଧିବାସୀଙ୍କ ସଙ୍ଗେ ଏକ ପାଞ୍ଚଜଣିଆ ଦଳର ଅଂଶ ଭାବେ ଏଭରେଷ୍ଟ ଆରୋହଣ କରିଥିଲେ ।
କଳ୍ପନା ଦାଶ | |
---|---|
ଜନ୍ମ | କଳ୍ପନା ଦାଶ ଜୁଲାଇ ୭, ୧୯୬୬ |
ମୃତ୍ୟୁ | ୨୩ ମଇ ୨୦୧୯ | (ବୟସ ୫୨)
ଜାତୀୟତା | ଭାରତୀୟ |
ଶିକ୍ଷା | ଆଇନରେ ସ୍ନାତକ |
ବୃତ୍ତି | ଓକିଲାତି (ପର୍ବତାରୋହୀ) |
ପ୍ରସିଦ୍ଧି | ଓଡ଼ିଶାର ପ୍ରଥମ ଏଭେରେଷ୍ଟ ଆରୋହଣକାରୀ |
ପିତାମାତା | ବାପା: ସ୍ୱର୍ଗତ ଗୁଣନିଧି ଦାଶ, ମାଆ: ଶୈଳବାଳା ଦାଶ |
ସେ ୨୦୦୪ ଓ ୨୦୦୬ ମସିହାରେ ପ୍ରଥମେ ଦୁଇଥର ଏଭରେଷ୍ଟ ଆରୋହଣ କରିବାକୁ ଚେଷ୍ଟାକରି ପାଣିପାଗ ଓ ସ୍ୱାସ୍ଥାବସ୍ଥା କାରଣରୁ ବିଫଳ ହୋଇଥିଲେ ।
ଦାଶ ଶେଷଥର ପାଇଁ ଏଭରେଷ୍ଟ ଶିଖରରେ ୨୦୧୯ ମସିହାରେ ମଇ ୨୩ ତାରିଖରେ ଆରୋହଣ କରିବାରେ ସଫଳ ହୋଇଥିଲେ ହେଁ ଫେରିବା ସମୟରେ ଅସୁସ୍ଥ ହୋଇ ଏଭରେଷ୍ଟ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ ।[୨]
ପର୍ବତାରୋହଣ
ସମ୍ପାଦନାପର୍ବତାରୋହଣ କରିବାର ପ୍ରେରଣା କଳ୍ପନା ନିଜ ପିତା ସ୍ୱର୍ଗତ ଗୁଣନିଧି ଦାଶଙ୍କଠାରୁ ପାଇଥିଲେ । ଢେଙ୍କାନାଳର ଆଖ ପାଖରେ ଥିବା ସମସ୍ତ ପାହଡ଼ ଚଢା ସମୟରେ କଳ୍ପନା ତାଙ୍କ ସାଙ୍ଗରେ ଥିଲେ । ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ଏଭରେଷ୍ଟର ଶିଖରକୁ ଛୁଇଁବାପାଇଁ ଆବଶ୍ୟକୀୟ ଅର୍ଥ ନିଜ ଉଦ୍ୟମରେ ଯୋଗାଡ଼ କରିଥିଲେ। ଏଭେରେଷ୍ଟ ଶିଖରରେ ପହଞ୍ଚି ପାରିଥିବା ଆଉ ସମସ୍ତ ଭାରତୀୟ ଆରୋହଣକାରୀ ହୁଏତ ସେନା ବାହିନୀ ତରଫରୁ କିମ୍ବା କୌଣସି ସଂସ୍ଥା ତରଫରୁ ପ୍ରଶିକ୍ଷଣ ଓ ଆର୍ଥିକ ପୃଷ୍ଠପୋଷକତା ପାଇଥିଲେ।[୧]
ଆର୍ଥିକ, ଶାରୀରିକ ତଥା ସାମାଜିକ ଆହ୍ୱାନକୁ ସାମନା କରି ଜଣେ ନାରୀ, ବିଶେଷ କରି ଓଡ଼ିଆ ହିସାବରେ ଏମିତି ଏକ ଉପଲବ୍ଧି ହାସଲ କରିବାର ଉଦାହରଣ ଅତି ବିରଳ। ଦୁଇ ଦୁଇଥର ବିଫଳତାର ସାମନା କରିବା ପରେ ମଧ୍ୟ ତାଙ୍କର ଉତ୍ସାହ ମରି ଯାଇ ନଥିଲା ।
କୌଣସି ବିଧିବଦ୍ଧ ଶିକ୍ଷା ବିନା ସେ ୨୦୦୪ରେ ହିମାଳୟ ଆରୋହଣର ପ୍ରଥମ ପ୍ରଚେଷ୍ଟା କରି ୭୩୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ଯାଇ ପାରିଥିଲେ । ତାଙ୍କ ଜୋତାରେ ତ୍ରୁଟି ଆସିବା କାରଣରୁ ଓହ୍ଲେଇ ଆସିଥିଲେ।
୨୦୦୬ରେ ପୁନର୍ବାର ସେ ୮୦୪୮ ମିଟିର ପର୍ଯ୍ୟନ୍ତ ଏଭେରେଷ୍ଟ ଆରୋହଣ କରିଥିଲେ। କିନ୍ତୁ ମୃତ୍ୟୁର ବଳୟ ବୋଲି କୁହାଯାଉଥିବା ଇଲାକା ଯେଉଁଠି ଅମ୍ଳଜାନର ମାତ୍ରା ପାଖାପାଖି ଶୂନ୍ୟ ଥାଏ ଓ ଉତ୍ତାପ ଶୂନ୍ୟଡିଗ୍ରୀରୁ କମ ଥାଏ, ସେଠାରେ ପ୍ରବେଶ କରିଲା ପରେ, ଅତି ପ୍ରତିକୂଳ ପାଣିପାଗ ଯୋଗୁଁ ବାଧ୍ୟ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ।
ତଦୁପରାନ୍ତ ପର୍ବତାରୋହଣରେ ପ୍ରାମାଣିକ ଶିକ୍ଷା ହାସଲ କରିବାପାଇଁ ସେ ୨୦୦୧ରେ ଦାର୍ଜିଲିଂର ହିମାଳୟ ପର୍ବତାରୋହଣ-ପ୍ରଶିକ୍ଷଣ ସଂସ୍ଥାନରେ (Himalayan Mountaineering Institute at Darjeeling) ୩୫ ବର୍ଷର ପରିଣତ ବୟସରେ ଯୋଗଦେଇଥିଲେ। ତା’ପରଠାରୁ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରତିଦିନ ସେ ନିଜ ସହର ଢେଙ୍କାନାଳ (ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ କି.ମି. ଦୂର) ଉପକଣ୍ଠରେ ଥିବା ୧୩୫୨ ପାହାଚଯୁକ୍ତ କପିଳାସ ପାହାଡ଼କୁ ନିଜ ପିଠିରେ ୩୦ କିଲୋ ଓଜନ ବୋହି ଚଢ଼ିବା ଓ ଓହ୍ଲାଇବାର ଅଭ୍ୟାସ ଦିନକୁ ପାଞ୍ଚ ପାଞ୍ଚଥର କରୁଥିଲେ । ତାଙ୍କୁ ଏ ଦିଗରେ ଆରୋହଣ ନିପୁଣା ବଚେନ୍ଦ୍ରୀ ପାଲଙ୍କର ମାର୍ଗଦର୍ଶନ ବହୁତ ସାହାଯ୍ୟ କରିଥିଲା। ପାଲ୍ କଳ୍ପନାଙ୍କୁ ଆରୋହଣର ଅନେକ କୌଶଳ ଶିକ୍ଷା ଦେଇଥିଲେ। [୧]
ପର୍ବତାରୋହଣ କରିବାରେ ଅନେକ ଅର୍ଥର ଆବଶ୍ୟକତା ରହିଥାଏ, ଯାହା ବ୍ୟକ୍ତିଗତ ଭାବେ ତାଙ୍କଦ୍ୱାରା ପୂରଣ କରିବା ସମ୍ଭବ ନ ଥିଲା। ଢେଙ୍କାନାଳର କତିପୟ ବାସିନ୍ଦା ଏବଂ ଢେଙ୍କାନାଳର ଜିଲ୍ଲାପାଳ ତାଙ୍କୁ ଏ ଦିଗରେ ଆର୍ଥିକ ସାହାଯ୍ୟ କରିଥିଲେ ଯାହା ଯଥେଷ୍ଟ ନ ଥିଲା। ଏପରିକି ସରକାରଙ୍କ ତରଫରୁ ମଧ୍ୟ ଯାହା ସାହାଯ୍ୟ ମିଳିଲା ତାହାଥିଲା ସମୁଦ୍ରକୁ ଶଙ୍ଖେ ପାଣି ପରି। ଯଦିଓ ସେ ପେଶାରେ ଜଣେ ଓକିଲ, ତଥାପି ଓକିଲାତି ପାଇଁ ତାଙ୍କ ପାଖରେ ଖୁବ୍ କମ୍ ସମୟଥିଲା, କାରଣ ତାଙ୍କ ଜୀବନର ପ୍ରାଥମିକତା ଥିଲା ପର୍ବତାରୋହଣ।
ସଫଳତା ଓ ସମ୍ମାନ
ସମ୍ପାଦନାନେପାଳ, ଆମେରିକା, କାନାଡ଼ା ଓ ୟୁକ୍ରେନର ପର୍ବତାରୋହୀଙ୍କୁ ନେଇ ଗଠିତ ଦଳକୁ ନେଇ ସେ ୨୦୦୮ ମସିହା ମେ ମାସ ୨୧ ତାରିଖ, ୧୧.୪୫ ସମୟରେ ସେ ହିମାଳୟର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରିବାରେ ସଫଳ ହୋଇ ପାରିଥିଲେ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ଏଭେରେଷ୍ଟ ଆରୋହଣରେ ସଫଳ ହୋଇ ପାରିଛନ୍ତି। [୩]
କଳ୍ପନା ତାଙ୍କର ଅଭିଯାନରେ ବାହାରିବା ଆଗରୁ ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଠାକୁରଙ୍କ ଆଶିଷ ନେବାପାଇଁ ଯାଇଥିଲେ। ‘ପ୍ରଥମ ଓଡ଼ିଆ ଏଭରେଷ୍ଟ ଆରୋହଣକାରୀ ଜଣେ ନାରୀ କେମିତି ହୋଇ ପାରିଲେ’ ବୋଲି ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ‘ଏହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା’ । ନିଜ ସଫଳତାର ଶ୍ରେୟ ସେ ଓଡ଼ିଶାବାସୀଙ୍କୁ ଦେଇ କହିଥିଲେ, ସେମାନଙ୍କର ଶୁଭକାମନା ଯୋଗୁଁ ଏହା ସମ୍ଭବ ହୋଇ ପାରିଲା।
ତାଙ୍କର ସଫଳତା ପରେ ତାଙ୍କୁ ରାଜ୍ୟପାଳ ମାନନୀୟ ରାମେଶ୍ୱର ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ରାଜ ଭବନ ଭୁବନେଶ୍ୱରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟାନ୍ୟ କାର୍ଯ୍ୟକ୍ରମ
ସମ୍ପାଦନା୪୨ ବର୍ଷ ବୟସରେ ଏଭେରେଷ୍ଟ ଆରୋହଣରେ ସଫଳ ହେଲାପରେ ତାଙ୍କର ଅଭିଳାଷ ଥିଲା ମାଉଣ୍ଟ ମ୍ୟାକ କିନଲେ (Mount McKinley), ଉତ୍ତର ଆମେରିକାର ସର୍ବୋଚ୍ଚ ପର୍ବତ ଶିଖର (୬୧୯୪ ମିଟର/୨୦୩୨୦ ଫୁଟ ଉଚ୍ଚ)କୁ ୫ ଜୁନ ୨୦୧୦ରେ ଆରୋହଣ କରିବାପାଇଁ, ଯାହା ଅତି ପ୍ରତିକୂଳ ପାଣିପାଗଯୁକ୍ତ (ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ)।
ପୂର୍ବ ପ୍ରସ୍ତୁତି ମୁତାବକ ସେ ମ୍ୟାକକିନଲେ ଅଭିଯାନରେ ୫ ଜୁନ ୨୦୧୦କୁ ବାହାରିଥିଲେ। ୧୪,୨୦୦ ଫୁଟ ଉଚ୍ଚ ଆରୋହଣ କରିବା ପରେ ସେ ଅସୁସ୍ଥତା କାରଣରୁ ନିଜର ଅଭିଯାନକୁ ୧୮ ଜୁନ ୨୦୧୦ରେ ବନ୍ଦ କରି ଓଡ଼ିଶା ଫେରି ଆସିଥିଲେ। [୪].
କଳ୍ପନା ଜାନୁୟାରୀ ୧୬, ୨୦୧୫ରେ ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଅକୋନକାଗୁଆ(Aconcagua) ଛୁଇଁଥିଲେ | ଅକୋନକାଗୁଆ, ଆର୍ଜେଣ୍ଟିନାର ଆଣ୍ଡେସ୍ ପର୍ବତମାଳାରେ ଅବସ୍ଥିତ | ଏହାର ଉଚ୍ଚତା ୬୯୬୦.୮ମିଟର | ମାଉଣ୍ଟ ଅକୋନକାଗୁଆ ଅଭିଯାନରେ ଥିବା ୧୩ ଜଣ ପର୍ବତାରୋହୀଙ୍କ ମଧ୍ୟରେ କଳ୍ପନା ଏକ ମାତ୍ର ମହିଳା ପର୍ବତାରୋହୀ ଥିଲେ | ଜାନୁୟାରୀ ୪, ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ ଚଢିବାର ନିଜ ଅଭିଯାନ ଆରମ୍ଭ କରିଥିଲେ | ୧୨ ଦିନର ଅଭିଯାନ ପରେ ୧୬ ଜାନୁୟାରୀ ୨୦୧୫ରେ କଳ୍ପନା ଏବଂ ତାଙ୍କ ସହଯୋଗୀ ଅକୋନକାଗୁଆ ଶୃଙ୍ଗ ଛୁଇଁଥିଲେ | [୫]
ମୃତ୍ୟୁ
ସମ୍ପାଦନା୨୩ ମଇ ୨୦୧୯ ମସିହା ଦିବା ୧୨ଟା ୫୫ ମିନିଟରେ ସେ ଏଭେରେଷ୍ଟ ଶୃଙ୍ଗର ଶିଖରରେ ପହଞ୍ଚିଥିଲେ ।[୬] ସେଠାରୁ ତଳକୁ ଓଲ୍ହାଇଲାବେଳେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[୭] ତାଙ୍କ ସହ ନେପାଳର କାଞ୍ଚିମୟ ତାମାଙ୍ଗ ଓ ଚୀନର ଲାଇମୁ ମାଙ୍କ ଏହି ଆରୋହଣରେ ଭାଗନେଇଥିଲେ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "www.tribuneindia.com/2008/20081005/spectrum/main2.htm".
{{cite web}}
: Missing or empty|url=
(help) - ↑ ୨.୦ ୨.୧ Reporter, Staff (24 May 2019). "Kalpana Dash, Odisha's first woman mountaineer, dead". The Hindu (in Indian English).
- ↑ "Orissa Reference Manual 2009- Part I, Page 102 (access date 21.5.2012)".
- ↑ Kalpana Dash, the first oriya to conquer Mount Everest
- ↑ http://odishasuntimes.com/2015/01/26/odisha-mountaineer-kalpana-dash-scales-mt-aconcagua/
- ↑ "Odisha mountaineer Kalpana Dash no more". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2019-05-23. Retrieved 2019-05-24.
- ↑ "ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ ଏଭରେଷ୍ଟରେ ପ୍ରାଣ ହରାଇଲେ". Sambad (in ଆମେରିକୀୟ ଇଂରାଜୀ). 2019-05-23. Retrieved 2019-05-24.