କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)

'କିସ୍‍' ବା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ହୋଇଛି ଭୁବନେଶ୍ୱରର ପଟିଆଠାରେ ଥିବା ଏକ ଶିକ୍ଷାନୁଷ୍ଠାନ ଯେଉଁଥିରେ ୨୫୦୦୦ରୁ ଅଧିକ ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ ଓ ରହିବା ଖାଇବା ବ୍ୟବସ୍ଥା ଦିଆଯାଉଛି । ଭୁବନେଶ୍ୱର ଉପକଣ୍ଠ ପଟିଆଠାରେ ୧୯୯୩ରେ ମାତ୍ର ୧୨୫ଜଣ ଆଦିବାସୀ ବସ୍ତିପିଲାଙ୍କୁ ମାଗଣାରେ ଶିକ୍ଷା ଦେବା ପାଇଁ କିସ ଆରମ୍ଭ କରାଯାଇଥିଲା । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ହେଉଛନ୍ତି ଡ: ଅଚ୍ୟୁତ ସାମନ୍ତ[୧] ଏଠାରେ ଓଡ଼ିଶାର ୩୦ଟି ଜିଲାର ପ୍ରାୟ ୨୨ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରାଥମିକ ଶ୍ରେଣୀଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷାଲାଭ କରୁଛନ୍ତି । [୨]ଅନୁଷ୍ଠାନର ୮ଶହ ମେଧାବୀ ଛାତ୍ରଛାତ୍ରୀ କିଟ୍ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ, ମ୍ୟାନେଜମେଣ୍ଟ ଭଳି ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ମଧ୍ୟ ନିଃଶୁଳ୍କ ଶିକ୍ଷା ପାଇପାରୁଛନ୍ତି । ଏହା ବ୍ୟତୀତ ଝାଡ଼ଖଣ୍ଡ, ଛତିଶଗଡ଼, ଆସାମପଶ୍ଚିମବଙ୍ଗ ଆଦି ୭ଟି ରାଜ୍ୟର ଜନଜାତି ପିଲାମାନେ ମଧ୍ୟ ଏଠାରେ ଉଚ୍ଚଶିକ୍ଷା ପାଇପାରୁଛନ୍ତି । ଜଣେ ବ୍ୟକ୍ତି ୧୦ ଜଣ ଆଦିବାସୀ ପିଲାଙ୍କ ଦାୟିତ୍ୱ ବହନ କରି ମାଗଣାରେ ଶିକ୍ଷା ପ୍ରଦାନ କରିବା ଦୁରୂହ ବ୍ୟାପାର । ସେଭଳି ସ୍ଥଳେ କିସ୍‍ରେ ୨୨ହଜାର ପିଲା ଗୋଟିଏ ସ୍ଥାନରେ ରହି ପାଠପଢ଼ି ମଣିଷ ହେବା ନିଶ୍ଚିତ ଭାବେ ଗୌରବର କଥା । ଏହାର ସମୀକ୍ଷା ପାଇଁ ଆମେରିକା ଫୁଲବ୍ରାଇଟ ସ୍କଲାର କ୍ରଷ୍ଟାଇନ ଫିନାନ ୨୦୧୪ରୁ ଗବେଷଣା କରୁଛନ୍ତି ।

ଭିତ୍ତିଭୂମି

ମୋଟ ୩ଟି କ୍ୟାମ୍ପସକୁ ନେଇ କିସ୍‍ ଗଠିତ । ପ୍ରାଥମିକ ଶିକ୍ଷା ଓ ଛାତ୍ରାବାସ ନିମନ୍ତେ ପ୍ରତିଷ୍ଠାନ ପରିସରରେ ଦୁଇଟି କ୍ୟାମ୍ପସ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ତୃତୀୟ କ୍ୟାମ୍ପସ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଶ୍ରେଣୀଗୃହଠାରୁ ଆରମ୍ଭ କରି ଖେଳପଡ଼ିଆ, ବ୍ୟାୟାମଶାଳା, ପାଠାଗାର, ଧନ୍ଦାମୂଳକ ତାଲିମ ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ଭୋଜନ ଗୃହ ଆଦି ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀମାନେ ଯେଭଳି ପୌଷ୍ଟିକ ଆହାର ପାଇପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିସ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (କିମ୍‍ସ) ମଧ୍ୟ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । କିସ୍ ପରିସରରେ ୫୫୦ କିଲୋୱାଟ୍‌ର ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି । ସର୍ବାଧିକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାରେ କିସ୍ ହେଉଛି ଭାରତର ସର୍ବପ୍ରଥମ ଶିକ୍ଷାନୁଷ୍ଠାନ ।[୩]


ଶିକ୍ଷାଦାନ ପଦ୍ଧତି

ଗୁଣାତ୍ମକ ଶିକ୍ଷା ଉପରେ କିସ୍‍ ସର୍ବଦା ଧ୍ୟାନ ଦେଇଆସୁଛି । ଫଳରେ କିସ୍‍ରେ କୌଣସି ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତଅକୃତକାର୍ଯ୍ୟ ହୋଇନାହାନ୍ତି । ଏଠାରେ ୨୫ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ଫେଲ ସଂଖ୍ୟା ଶୂନ । ଗତ ୧୦ବର୍ଷ ହେଲା ମାଟ୍ରିକ ଓ +୨ ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ପାସ୍‍ କରୁଛନ୍ତି । ଧନ୍ଦାମୂଳକ ଶିକ୍ଷାକୁ କିସ୍‍ କର୍ତ୍ତୃପକ୍ଷ ପ୍ରାଥମିକତା ଦେଇ ଆସୁଛନ୍ତି । କମ୍ପ୍ୟୁଟର ଶିକ୍ଷା, ଖାଦ୍ୟ ପ୍ରକ୍ରିୟାକରଣ, ଟେଲରିଂ, ଚାନ୍ଦୁଆ, ପେଣ୍ଟିଂ, ଫଟୋ ଫ୍ରେମିଂ, କମ୍ପୋଜିଟ ଫାର୍ମିଂ, ଆର୍ଟ ଓ କ୍ରାଫ୍ଟ, ଖେଳଣା ପ୍ରସ୍ତୁତି, ମିନେରାଲ ୱାଟର ପ୍ରସ୍ତୁତି, ରାସାୟନିକ ସାମଗ୍ରୀ ପ୍ରସ୍ତୁତ ଆଦି ୩୫ଟି ବିଭାଗରେ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । କିସ୍‍ରେ ପଢ଼ୁଥିବା ୬୨ଟି ଜନଜାତି ଓ ୧୩ ଆଦିମ ଜନଜାତିର ଛାତ୍ରଛାତ୍ରୀଙ୍କୁ ନେଇ ମୋଟ୨୫ହଜାର ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ରହି ଆସୁଛନ୍ତି । ପ୍ରତିବର୍ଷ ଏହି ଅନୁଷ୍ଠାନର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏକ ମହାସମ୍ମିଳନୀ ଆୟୋଜନ କରାଯାଇଥାଏ । ଏଥିରେ ପ୍ରାୟ ୫୦ହଜାର ଜନଜାତି ଅଭିଭାବକ ଯୋଗ ଦେଇଥାନ୍ତି । ଏହା ବ୍ୟତୀତ ପ୍ରତିମାସ ଶେଷରେ ଅଭିଭାବକଙ୍କୁ ସେମାନଙ୍କ ପିଲା ଭେଟିବା ନିମନ୍ତେ ବ୍ୟବସ୍ଥା ରହିଛି । [୪]

କୃତିତ୍ୱ

ଛାତ୍ରଛାତ୍ରୀଙ୍କ କୃତିତ୍ୱ କିସ୍‍ର ପିଲାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳ କରାଇବା ପାଇଁ ଅନୁଷ୍ଠାନ ପରିସରରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଛି । ୨୦୦୭ରେ ଲଣ୍ଡନ୍‍ରେ ରଗ୍‍ବୀ ବିଶ୍ୱକପ୍‍ ଚାମ୍ପିଆନ୍‍ଠାରୁ ଆରମ୍ଭ କରି ୨୦୧୪ରେ କିସ୍‍ର ରଞ୍ଜିତ ନାୟକ ତାଇୱାନ୍‍ରେ ଆୟୋଜିତ ୟୁଥ ଅଲିମ୍ପିକ୍‍ ତୀରନ୍ଦାଜୀରେ ଭାରତ ପାଇଁ ରୌପ୍ୟ ପଦକ ଜିଣି ଗୌରବ ଆଣି ଦେଇଛନ୍ତି । କିସ୍ ଛାତ୍ର ଧର୍ମେନ୍ଦ୍ର ପୂଜାରୀଙ୍କୁ ମିଳିଛି ୨୦୧୩ ମସିହାର ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର । କିସ୍‌ର ଡଙ୍ଗରିଆ କନ୍ଧ ସଂପ୍ରଦାୟ ଛାତ୍ର ଜୟନ୍ତ ମାଝୀ ୨୦୧୪ରେ ଆମେରିକା ଗସ୍ତ କରିଥିଲେ । ଓଡ଼ିଶାରୁ କୌଣସି ଡଙ୍ଗରିଆ କନ୍ଧ ଛାତ୍ରଙ୍କ ଏହା ହେଉଛି ପ୍ରଥମ ଆମେରିକା ଗସ୍ତ । ଦିଲ୍ଲୀର ନଜଫଗଡ଼ଠାରେ ଗରିବ ପିଲାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ କିସ୍‍ ମଡେଲ୍‍ର ଏକ ସ୍କୁଲ୍‍ ନିର୍ମାଣ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ରହୁଥିବା ତଫସିଲ ଭୁକ୍ତ ଜାତି, ଜନଜାତି, ପଛୁଆବର୍ଗ ସଂଖ୍ୟାଲଘୁ ବର୍ଗର ୧୨ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ କିସ୍‍ ଢ଼ାଞ୍ଚାର ଅନୁଷ୍ଠାନ ଖୋଲିବା ପାଇଁ କିସ୍‍ କର୍ତ୍ତୃକ୍ଷଙ୍କ ସହ ଅଲୋଚନା ଜାରି ରଖିଛନ୍ତି ।

ଏକ ଅସହାୟ ଶିଶୁକୁ ଶିକ୍ଷାଦାନ, ଏକ ଅନ୍ଧକୁ ଚକ୍ଷୁଦାନ ସହ ସମାନ । - ଅଚ୍ୟୁତ ସାମନ୍ତ (କିସ୍ ପ୍ରତିଷ୍ଠାତା)

ଆଧାର

  1. "Kiss Details" (PDF). Retrieved 24 April 2015.[permanent dead link]
  2. https://en.wikipedia.org/wiki/Achyuta_Samanta
  3. "ଆର୍କାଇଭ୍ କପି". Archived from the original on 2014-04-17. Retrieved 2015-04-03. {{cite web}}: Cite has empty unknown parameter: |1= (help)
  4. http://www.kiss.ac.in/