ଚାଳିଶା
ଚାଳିଶା ବା ପ୍ରେସବାୟୋପିଆ (ଇଂରାଜୀ ଭାଷାରେ Presbyopia) ମାନବ ଚକ୍ଷୁର ଏକ ଅବସ୍ଥା ଯାହା ବୟସ ବୃଦ୍ଧି ସହ ଜଡ଼ିତ ଓ ଏହା ଫଳରେ ପାଖରେ ଥିବା ପଦାର୍ଥ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ (focus) କରିବା ଶକ୍ତି କ୍ରମାନୁସାରେ କମିଯାଏ । ଛୋଟ ଅକ୍ଷର ପଢ଼ିବା କଷ୍ଟକର ହୁଏ, ପଢ଼ିବା ପଦାର୍ଥ କିଛି ଦୂରରେ ରଖି ପଢ଼ିବାକୁ ହୁଏ, ମୁଣ୍ଡବଥା ଓ ଚକ୍ଷୁପୀଡ଼ା (eyestrain) ହୁଏ । ଲୋକ ଅନୁସାରେ ବିଭିନ୍ନ ମାତ୍ରାର ଅସୁବିଧା ସାମନା କରନ୍ତି । ଅନ୍ୟାନ୍ୟ ଚକ୍ଷୁ ପ୍ରତିସରଣ ଦୋଷ ମଧ୍ୟ ଚାଳିଶା ସହିତ ଥାଇପାରେ ।[୧]
ଚାଳିଶା | |
---|---|
ଇଂରାଜୀ ପ୍ରତିଶବ୍ଦ - the aging eye condition[୧] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଚକ୍ଷୁ ବିଜ୍ଞାନ |
ଆଇସିଡ଼ି-୧୦ | H52.4 |
ଆଇସିଡ଼ି-୯-ସିଏମ୍ | 367.4 |
ରୋଗ ଡାଟାବେସ | 29647 |
ମେଡ଼ିସିନ-ପ୍ଲସ | 001026 |
ଇ-ମେଡ଼ିସିନ | article/1219573 |
MeSH | D011305 |
ବୟସ ବୃଦ୍ଧି ସହିତ ଚାଳିଶା ଏକ ପ୍ରାକୃତିକ ଅବସ୍ଥା ଭାବରେ ସୃଷ୍ଟି ହୁଏ । ଚକ୍ଷୁ ଜବକାଚ (lens of the eye) ଶକ୍ତ ହୋଇଯିବା ଯୋଗୁ ନିକଟରେ ଥିବା କୌଣସି ବସ୍ତୁକୁ ଦେଖିଲେ ତାହାର ଛବି ରେଟିନା (retina) ଉପରେ କେନ୍ଦ୍ରୀଭୂତ ନ ହୋଇ ତାହାର ପୃଷ୍ଠ ଭାଗରେ କେନ୍ଦ୍ରୀଭୂତ ହୁଏ । ସମୀପଦୃଷ୍ଟି, ଦୂରଦୃଷ୍ଟି ଓ ଆସ୍ଟିମାଟିଜ୍ମ ଭଳି ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷ । ଚକ୍ଷୁ ପରୀକ୍ଷା (eye exam) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]
ଚଷମା (eye glasses) ଦେଇ ଏହାର ଚିକିତ୍ସା କରାଯାଏ । ଚଷମା ଜବକାଚର ତଳ ଭାଗରେ ଅଧିକ ଫୋକସ ଶକ୍ତି ଥିବା କାଚ ଦିଆଯାଏ । କେତେକ ଲୋକଙ୍କର କେବଳ ପଢ଼ିବା ଚଷମା (reading glasses) ବ୍ୟବହାର ଯଥେଷ୍ଟ ହୁଏ । [୧]
ବୟସ ୩୫ ଟପିଲେ ଯେ କୌଣସି ଲୋକର ଚାଳିଶା ସଙ୍କଟ ଆସିଯାଏ ଓ ସମସ୍ତେ କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୧] ପୁରାତନ ଗ୍ରୀସ ଦେଶର ଆରିସ୍ଟଟଲଙ୍କ ଲେଖାରେ ମଧ୍ୟ ଏହି ବେମାରୀ ବିଷୟ ଲିପିବଦ୍ଧ ହୋଇଛି । କାଚ ନିର୍ମିତ ଜବକାଚ ପ୍ରଥମେ ୧୩ଶ ଶତାବ୍ଦୀର ଶେଷ ଭାଗରେ ବ୍ୟବହୃତ ହେଲା ।[୨] ପ୍ରେସବାୟୋପିଆ ଶବ୍ଦ ଗ୍ରୀକ ଭାଷାରୁ ଆସିଥିବା (Greek πρέσβυς) ପ୍ରେସବିସ (πρέσβυς - presbys) ଶବ୍ଦର ଅର୍ଥ ବୃଦ୍ଧ ଲୋକ ଓ ଓପସ (ὤψ - ops)) ଶବ୍ଦର ଅର୍ଥ ଯେପରି ଦେଖ ("see like") ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Facts About Presbyopia". NEI. October 2010. Archived from the original on 4 October 2016. Retrieved 11 September 2016.
- ↑ Wade, Nicholas J.; Wade, Nicholas (2000). A Natural History of Vision (in ଇଂରାଜୀ). MIT Press. p. 50. ISBN 9780262731294.
- ↑ "Presbyopia". Dictionary.reference.com. Retrieved 2013-04-19.