ସୁଆଦଖିଆ

ସାଦଖିଆ, ଓଡ଼ିଆ ପ୍ରାଚୀନ ସଂସ୍କୃତି

ସୁଆଦଖିଆ ବା ସାଦଖିଆ ଓଡ଼ିଶାର ଗୋଟିଏ ଶ୍ରେଣୀର ଲୋକ ସଙ୍ଗୀତ । ଏହି ଗୀତଗୁଡ଼ିକରେ ବିଭିନ୍ନ ଖାଦ୍ୟଦ୍ରବ୍ୟ ଖାଇବାକୁ ସାଧାରଣ ମଣିଷର ଇଚ୍ଛା ପ୍ରକାଶ ପାଇଥାଏ । ସୁଆଦଖିଆ ଗୀତଗୁଡ଼ିକ ଅତ୍ୟନ୍ତ ସରଳ ଓ ବାହ୍ୟ କବିତ୍ୱ ବର୍ଜ୍ଜିତ । ଓଡ଼ିଶାର ଖାଦ୍ୟରୁଚିର ବୈଶିଷ୍ଟ୍ୟ ଏଥିରୁ ପ୍ରକଟ ହୁଏ । ଏହି ଗୀତସବୁ ଓଡ଼ିଆ ଲୋକ ସାହିତ୍ୟ ଓ ସଙ୍ଗୀତର ବିଶେଷ ଅଙ୍ଗ ।

ସୁଆଦଖିଆ
୧୯୧୪ ମସିହାର ଏକ ଚଟିବହିରେ ମୁଦ୍ରିତ କବି ଗୋପିନାଥଙ୍କ ରଚିତ ସାଦଖିଆ ଗୀତ ।
ମାଧ୍ୟମସଙ୍ଗୀତ
ସଂସ୍କୃତିଓଡ଼ିଆ

ଉତ୍ପତ୍ତି

ସମ୍ପାଦନା

ଗର୍ଭିଣୀ ନାରୀର ଅରୁଚି ଛଡ଼ାଇବା ଓ ଗର୍ଭର ଗୁରୁ ଭାର ବହନରେ ଶକ୍ତି ସାମର୍ଥ୍ୟ ଦେବା ଲାଗି ଭଲ ଖାଦ୍ୟ ଲୋଡ଼ା । ଗର୍ଭ ଧାରଣ କାଳରେ ସୁଖାଦ୍ୟ ଓ ଅଖାଦ୍ୟ ଖାଇବା ଏକ ସ୍ୱାଭାବିକ ପ୍ରବୃତ୍ତି ଭାବେ ଦେଖାଯାଏ ।[]

ସୁଆଦଖିଆ ଗୀତଗୁଡ଼ିକ ଶ୍ରମିକ ଶ୍ରେଣୀର ଖାଦ୍ୟ ଅଭିଳାଷ ପ୍ରକଟ କରିଥାଏ ବୋଲି ମତ ରହିଛି । ରାଜା ବା ଧନୀ ଗୃହମାନଙ୍କରେ କିଛି ଦୁଷ୍ପ୍ରାପ୍ୟ ନୁହେଁ, କିନ୍ତୁ ଶ୍ରମିକମାନଙ୍କ ଲାଗି ଏହା ଗୋଟିଏ କାମନା, ଯାହା ଆଂଶିକ ଭାବେ ପୂରଣ ହେଲେ ମଧ୍ୟ ଆନନ୍ଦ ଦେଇଥାଏ ।[]

ସୁଆଦଖିଆ ଗୀତଗୁଡ଼ିକ ଏକାଧିକ କବିଙ୍କ ରଚନା । ଏହି ଗୀତମାନଙ୍କରେ ତାଳଖିରୀ, ବାସିଚକୁଳି, ବାଲିବସା ଜେଉଟ, ଓଉପକା ସାତପତୁରିଆ, କାକୁଡ଼ି, ଆମ୍ବିଳ, ଭଇଞ୍ଚି, ବନବନା, ଲୁଣି ବା ମିରିଗା କୋଳି, କଇଁବେଣ୍ଟଲିଆ, ସଜପଖାଳ ଦହି ଇତ୍ୟାଦି ସୁଲଭ ଜିନିଷମାନଙ୍କ ସଙ୍ଗେ ସଙ୍ଗେ ସରୁ ଚକୁଳି, ଖଣ୍ଡଦିଆ ନାଡ଼ି, ଖରମରା ଘିଅପକା ଖେଚେଡ଼ି, ଗହମ କାକରା, ଛେନାମଣ୍ଡା, ଖିରୀପୁରୀ ଭଳି ଦୁର୍ଲ୍ଲଭ ଜିନିଷମାନଙ୍କ ମଧ୍ୟ ଉଲ୍ଲେଖ ରହିଛି ।

ପର୍ଶୁରାମ ବିହାରୀ, କବିକର୍ଣ୍ଣ, ବିପ୍ର ବୈଷ୍ଣବ, ଗୋପିନାଥିଆ ଇତ୍ୟାଦି କବିମାନେ ସାଦଖିଆ ଗୀତ ରଚନା କରିଥିବା ଲକ୍ଷ୍ୟ କରାଯାଏ ।[][]

ବହୁତ ସୁଆଦ ଖାଇବି ମୋର ହେଉଛି ମନ
ଯାହା ଖାଇବି ଲୋ ମାଉସୀ ଆଣିଦିଅ ବହନ ।
ଶାହାଜାନି ଧାନ ଚାଉଳ ମୁଗ ନଡ଼ିଆ ପଡ଼ି
ଖରମରା ଘିଅ ଅଦା ଲୋ ପଡ଼ି ହେବ ଖେଚେଡ଼ି ।
ସୁନାକେରୀ ଧାନ ଚାଉଳ ଦିଶେ ବଡ଼ ଉଜଳ
ଟଭାରସ ମଲ୍ଲୀଫୁଲରେ ବସା ଦହି ପଖାଳ ।
ସଜନା ମୁଗୁନା ଶାଗରେ ବଡ଼ କଖାରୁ ଫୁଲ
ଭଜା ହେଲେ ତାର ସୁଆଦ ଦଶ କାହାଣ ମୂଲ ।
କାଣ୍ଡିଆ କୁଣ୍ଡାକୁ ଝାଡ଼ିବ ଢିଙ୍କିମୁଣ୍ଡରେ ବସି
ବୁଢ଼ୀମାନେ ତାକୁ ଖାଇଲେ ହେବେ ଷୋଳବୟସୀ ।
ଏତେ ସ୍ୱାଦ ମୁହିଁ ଖାଇବି ମୋର ହେଉଛି ମନ
ଦ୍ୱିଜ କବି କର୍ଣ୍ଣ ଭଣିଲେ ଧନ୍ୟ ନାରୀ ରତନ ।

— କବିକର୍ଣ୍ଣ, ସୁଆଦଖିଆ ଢମାଳି
  1. ୧.୦ ୧.୧ ପଲ୍ଲୀଗୀତ ସଞ୍ଚୟନ, କୁଞ୍ଜବିହାରୀ ଦାଶ ।
  2. ସୁନାଦେଈ କାନ୍ଦ ଓ ରୂପାଦେଇ କାନ୍ଦ ଓ ସାଦଖିଆ । କଟକର ନିତ୍ୟାନନ୍ଦ ପୁସ୍ତକାଳୟ , ବଳରାମ ଦାସଙ୍କଦ୍ୱାରା ୧୯୧୪ରେ ପ୍ରଥମବାର ପ୍ରକାଶିତ ।
  3. ପ୍ରାଚୀନ ହାସ୍ୟ ସମୁଚ୍ଚୟ, ସଚ୍ଚିଦାନନ୍ଦ ମିଶ୍ର । ଓଡ଼ିଶା ଲେଖକ ସମବାୟ ସମିତି ଲିମିଟେଡ୍, ଭୁବନେଶ୍ୱର ।