ବିଶ୍ୱରେ ଯେତେ ମନ୍ଦିର ଅଛି ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ସର୍ବାଧିକ ନୀତି ବହୁଳ ମନ୍ଦିର ଅଟେ।ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣୀରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।ଶ୍ରୀକ୍ଷେତ୍ରସ୍ଥ ଦେବାଦେବୀ ମନ୍ଦିର ସହିତ ଶ୍ରୀଜଗନ୍ନାଥଙ୍କ ଉପାସନାର ସମ୍ପର୍କ ଥିବା ପ୍ରଧାନ ମନ୍ଦିର ଗୁଡିକ ହେଲା ଆଲାମଚଣ୍ଡୀ, ଅର୍ଦ୍ଧାଶନୀ, ନାରାୟଣୀ, ଚର୍ଚ୍ଚିକା, ଦକ୍ଷିଣ କାଳୀ, ଜୟଦୁର୍ଗା ମନ୍ଦିର, ଚକ୍ର ନୃସିଂହ/ଚକ୍ର ନାରାୟଣ, ଯମ୍ବେଶ୍ୱର, ଲୋକନାଥ, ନୀଳକଣ୍ଠ, କପାଳମୋଚନ, ମାର୍କଣ୍ଡେଶ୍ୱର ଇତ୍ୟାଦି।ଜଗନ୍ନାଥଙ୍କ ନୀତି ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ଚାରି ଆଶ୍ରମ ଓ ମାର୍କଣ୍ଡ ପୁଷ୍କରିଣୀର ସମ୍ପର୍କ ରହିଛି।ଏହି ପୁରୁଷୋତ୍ତମ କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ମହାବିଷ୍ଣୁ ଶ୍ରୀଜଗନ୍ନାଥ ରୁଦ୍ରଙ୍କୁ କ୍ଷେତ୍ର ସ୍ୱାମୀ ରୂପେ ଓ ଶକ୍ତିଙ୍କୁ କ୍ଷେତ୍ର ରକ୍ଷାକାରିଣୀ ରୂପେ ଅଷ୍ଟ ଲିଙ୍ଗ ଓ ଅଷ୍ଟ ଶକ୍ତିଙ୍କୁ ଶ୍ରୀମନ୍ଦିରର ଚତୁର୍ଦ୍ଦିଗରେ ସ୍ଥାପନା କରିଛନ୍ତି।ବାମଦେବ ସଂହିତାରେ ଉଲ୍ଲେଖ ଅଛି ଯେ-

        ବାଟେଶୋ ବଟମୂଳେ ତୁ କ୍ଷେତ୍ରପାଳୋ ଜମ୍ବେଶ୍ୱରଃ
         ଈଶାନୋ ନୀଳକଣ୍ଠହ ସ୍ୟାନ୍ମାର୍କଣ୍ଡେୟଶ୍ଚବିଲ୍ୱକଃ।।୩୬।
         କପାଳମୋଚନୋ ନାମ ଲିଙ୍ଗାନ୍ୟଷ୍ଟଉ ମହେଶିତୁଃ।
          ରୁଦ୍ରାଣୀ ବଟମୂଳେ ତୁ ମଙ୍ଗଳା ବିମଳା ତଥା।।୩୭।
          ଶଙ୍ଖସ୍ୟ ପୃଷ୍ଟଭାଗେ ତୁ ସଂସ୍ଥିତା ସର୍ବମଙ୍ଗଳା।
          ଅର୍ଦ୍ଧାଶନୀ ତଥାଲମ୍ବା  କୌବେରଦିଶି ସଂସ୍ଥିତା।।୩୮।
          କାଳରାତ୍ରୀ ଦକ୍ଷିଣସ୍ୟାଂ ପୂର୍ବସ୍ୟାଂ ତୁ ମରୀଚିକା।
           କାଳରାତ୍ର୍ୟାସ୍ତଥା ପଶ୍ଚାଚ୍ଚଣ୍ଡରୂପା ବ୍ୟବସ୍ଥିତା।।୩୯।

ଅଲାମଚଣ୍ଡୀସମ୍ପାଦନ କରନ୍ତୁ

ଅଲାମଚଣ୍ଡୀ ମନ୍ଦିର ଅଠର ନଳା ନିକଟରେ ଅବସ୍ଥିତ।ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରକୁ ଯାଇଥାଏ।ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ, ଛତା,କାହାଳୀ ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ୱିପ୍ରହର ଧୂପପରେ ଅଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ପୂଜା ପାଇଁ ନେଇଥାନ୍ତି।ନବକଳେବର ବର୍ଷରେ ଦାରୁ ଶଗଡି ଶ୍ରୀମନ୍ଦିର କୋଇଲି ବୈକୁଣ୍ଠକୁ ଅଣାଯିବା ସମୟରେ ମା' ଅଲମଚଣ୍ଡୀଙ୍କ ନିକଟରେ ଦାରୁ ଶଗଡି କିଛି ସମୟ ପାଇଁ ପୂଜା କରାଯାଇଥାଏ।ସେଠାରୁ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ ଦାରୁ ଶଗଡି ଦାରୁ ପଟୁଆରେ ନିଆଯାଏ।ବିଶେଷତଃ ଦେବୀ ସୁଭଦ୍ରାଙ୍କ ଦାରୁ ଏଠାରେ ରହିବାର ବିଧି ରହିଛି ବୋଲି ଜଣାଯାଏ।

ଅର୍ଦ୍ଧାଶନୀ/ମାଉସୀ ମାସମ୍ପାଦନ କରନ୍ତୁ

ଲୋକ ଲୋଚନରେ ମା' ଅର୍ଦ୍ଧାଶନୀ ଶ୍ରୀଜଗନ୍ନାଥଙ୍କ ମାଉସୀ ଅଟନ୍ତି।ଏହି ମା'ଙ୍କ ପୀଠ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।କିମ୍ବଦନ୍ତୀରୁ ଜଣାପଡେ ଯେ ଏହି ଦେବୀ ମହାପ୍ରଳୟ କାଳରେ ପ୍ରଳୟ ଜଳର ଅର୍ଦ୍ଧେକ ଅଂଶ ଅଶନ(ଭକ୍ଷଣ) କରିଥିଲେ ତେଣୁ ତାଙ୍କ ନାମ ଅର୍ଦ୍ଧାଶନୀ ହୋଇଛି।[୧]ବାହୁଡା ଯାତ୍ରା ସମୟରେ ଠାକୁରମାନଙ୍କ ରଥ ମାଉସୀ ମା'ମନ୍ଦିର ପାଖେ ଅଟକି ଥାଏ।ଏଠାରେ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ କରାଯାଇଥାଏ।ବାସ୍ତବିକ ଜଗନ୍ନାଥଙ୍କୁ କୌଣସି ପୋଡା ଖାଦ୍ୟ ଭୋଗ କରାଯାଏ ନାହିଁ।ଯାହାକୁ ପୋଡ଼ପିଠା କୁହାଯାଏ ତାହାକୁ ପୋଡାଯାଇ ପ୍ରସ୍ତୁତ ହୋଇ ନଥାଏ।ଏହି ପୋଡ଼ପିଠା ଘିଅ, ଅଟା, ଛେନା, ମସଲା ଇତ୍ୟାଦି ଦ୍ରବ୍ୟରେ ଖଳି ପ୍ରସ୍ତୁତ କରାଯାଇ ଘିଅରେ ଛଣା ଯାଇ ପ୍ରସ୍ତୁତ କରାଯାଇଥାଏ।

ନାରାୟଣୀସମ୍ପାଦନ କରନ୍ତୁ

ଦୋଳମଣ୍ଡପ ସାହିରେ ମା'ନାରାୟଣୀଙ୍କ ମନ୍ଦିର ଅବସ୍ଥିତ।ବିମଳାଙ୍କ ଷୋଳପୂଜା ସମୟରେ ଦୁର୍ଗା-ମାଧବ ଭଦ୍ରାସନରେ ଏକାଠି ରୁନ୍ଧାହୋଇ ପ୍ରଥମ ଆଠଦିନ ବିମଳାଙ୍କ ମନ୍ଦିରରେ ପୂଜିତ ହେବା ପରେ ଶେଷ ଆଠଦିନ ତାଙ୍କୁ ନାରାୟଣୀଙ୍କ ମନ୍ଦିରରେ ପୂଜା କରାଯାଇଥାଏ।

ଚର୍ଚ୍ଚିକାସମ୍ପାଦନ କରନ୍ତୁ

ବଡ଼ଦାଣ୍ଡ କଡ଼ରେ ଶ୍ରୀଜଗନ୍ନାଥ ମୁଖ୍ୟକାର୍ଯ୍ୟାଳୟ ପାର୍ଶ୍ୱରେ ମା'ଚର୍ଚ୍ଚିକାଙ୍କ ମନ୍ଦିର ଅବସ୍ଥିତ।ବଢ଼େଇ ଓ ଭୋଗ ସେବକମାନେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଭଲରେ ହେବା ପାଇଁ ଏହି ମା'ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି।

ଦକ୍ଷିଣକାଳୀସମ୍ପାଦନ କରନ୍ତୁ

ଶ୍ରୀମନ୍ଦିର ପୂର୍ବ ଦିଗରେ କଳିକାଦେବୀ ସାହିରେ ଦକ୍ଷିଣ କାଳୀ ମନ୍ଦିର ଅବସ୍ଥିତ।ଏହି ମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ଦିନ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ।

ଚକ୍ର ନାରାୟଣ/ଚକ୍ର ନୃସିଂହସମ୍ପାଦନ କରନ୍ତୁ

ସ୍କନ୍ଧ ପୁରାଣ ମତରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅନ୍ତର୍ହିତ ନୀଳମାଧବଙ୍କୁ ପାଇବା ପାଇଁ ନାରଦଙ୍କ ଉପଦେଶରେ ଶ୍ରୀକ୍ଷେତ୍ରର ଉତ୍ତର ଦିଗରେ ଗୁଣ୍ଡିଚା ମନ୍ଦିର ନିକଟରେ ନୃସିଂହଙ୍କୁ ପ୍ରତିଷ୍ଠା କରିଥିଲେ।ଏହି ନୃସିଂହଙ୍କୁ ଆଦି ନୃସିଂହ କୁହାଯାଏ।ଏଠାରେ ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କଲେ ଓ ପରେ ନୃସିଂହଙ୍କ ପ୍ରସନ୍ନତାରୁ ଫାଲଗୁନ ମାସ ଶୁକ୍ଳପକ୍ଷ ପୁଷ୍ୟା ନକ୍ଷେତ୍ର ଦ୍ୱାଦଶୀ ତିଥିରେ ସମୁଦ୍ର କୂଳରେ(ଚକ୍ରତୀର୍ଥ) ଦାରୁବ୍ରହ୍ମଙ୍କ ଆବିର୍ଭାବ ହୋଇଥିଲା।ଏହା ଇନ୍ଦ୍ରନୀଳମଣି ପୁରାଣରୁ ଜଣାପଡିଥାଏ-

       ଫାଲଗୁନସ୍ୟାମଳେ ପକ୍ଷେ ଦ୍ୱାଦଶ୍ୟାମ୍ ଜୀବବାସରେ।
        ଦଦର୍ଶ ନୃପତିତ୍ତୀରେ ଅପୂର୍ବ ଦାରୁ ପାବନମ୍।।
        ଚକ୍ରଚିହ୍ନାନ୍ୱିତଦାରୁନୃହରିଚକ୍ର ମଣ୍ଡଳେ।
         ଦର୍ଶନାତ୍ ପ୍ରଣିପାତେନ ନୃପଃ ନୃହରିଃ ପ୍ରାର୍ଥୟମ୍।।୩୦/୩୧।।

ଏଥିପାଇଁ ଶ୍ରୀଜଗନ୍ନାଥଙ୍କ ପୂଜା ଉପାସନାରେ ନୃସିଂହଙ୍କ ପ୍ରାଧାନ୍ୟ ରହିଛି।ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ନୃସିଂହ ରୂପେ ଉପାସିତ ହୁଅନ୍ତି।ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ନିଆଯାଇ ଚକ୍ରତୀର୍ଥରେ ନୃସିଂହ ଜନ୍ମ ପାଳିତ ହୋଇଥାଏ।

ଯମ୍ବେଶ୍ୱରସମ୍ପାଦନ କରନ୍ତୁ

ରାଧାଷ୍ଟାମୀସମ୍ପାଦନ କରନ୍ତୁ

ଶ୍ରୀଜଗନ୍ନାଥଙ୍କ ହିସାବ ରକ୍ଷକ ହେଉଛନ୍ତି ପ୍ରଭୁ ଯମ୍ବେଶ୍ୱର।ରାଧାଷ୍ଟାମୀ ଦିନ ସୁଦର୍ଶନ ଠାକୁର ଚୂଳ ଅଳଙ୍କାର ଲାଗି ହୋଇ ବଡ଼ ଦେଉଳରେ ଗୋଟିଏ ବେଢ଼ା ସାରି ପାଲିଙ୍କିରେ ଯମ୍ବେଶ୍ୱର ମନ୍ଦିରକୁ ବିଜେ କରନ୍ତି।ସେଠାରେ ସୁଦର୍ଶନ ରୂପୀ ହରି ଓ ହରଙ୍କ ପୂଜା ବନ୍ଦାପନା କରାଯାଇ ତାଙ୍କୁ ପ୍ରାର୍ଥନା କରାଯାଏ।

ରୁକ୍ମିଣୀ ହରଣ ଏକାଦଶୀସମ୍ପାଦନ କରନ୍ତୁ

ରୁକ୍ମିଣୀ ବିବାହ ଉପଲକ୍ଷେ ତା'ପରଦିନ ଜ୍ୟେଷ୍ଠ ଶୁକ୍ଳ ଚମ୍ପକ ଦ୍ୱାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ପ୍ରତିନିଧି ଲକ୍ଷ୍ମୀଙ୍କୁ ବିମାନବଡୁ ସେବକମାନେ ପାଲିଙ୍କିରେ ଗୌଡ଼ବାଡ଼ ସାହିର ଯମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ନେଇଥାନ୍ତି।ଏହି ମନ୍ଦିରରେ ପଞ୍ଚଗ୍ରାସ, ଭୋଗ ବନ୍ଦାପନା କରାଯାଇଥାଏ।

ଲୋକନାଥସମ୍ପାଦନ କରନ୍ତୁ

ଶିବରାତ୍ରିସମ୍ପାଦନ କରନ୍ତୁ

ଶ୍ରୀମନ୍ଦିରର ରତ୍ନଭଣ୍ଡାର ରକ୍ଷକ ଭଣ୍ଡାର ଫାଲଗୁନ ଚତୁର୍ଦ୍ଦଶୀ ଶିବରାତ୍ରି ଦିନ ଲୋକନାଥ ଠାକୁର ଲୋକନାଥ ମନ୍ଦିରକୁ ବିଜେ କରନ୍ତି।ସେଠାରେ ହରିହର ଭେଟ ଭୋଗ ବନ୍ଦାପନା ସରିବା ପରେ ବାହୁଡା ବିଜେ କରିଥାନ୍ତି।ଏ ସମ୍ପର୍କରେ 'ଜଗନ୍ନାଥ ପୁରାଣ'ରେ ଅଛି-

        "ଏହିଠାରେ ପ୍ରତିବର୍ଷ ଶିବରାତ୍ରି ଦିନ
           ହରିହରଙ୍କ ମିଳନ ହୁଅଇଟି ଜାଣ।"

ଶମ୍ଭୁ ଏକାଦଶୀସମ୍ପାଦନ କରନ୍ତୁ

ଏକାଦଶୀ ଯଦି ସୋମବାରରେ ପଡେ ତାକୁ ଶମ୍ଭୁ ଏକାଦଶୀ କୁହାଯାଏ।ସେ ଦିନ ଲୋକନାଥଙ୍କ ମନ୍ଦିରକୁ ଭଣ୍ଡାର ଲୋକନାଥଙ୍କୁ ନିଆଯାଏ।ମଦନମୋହନ ଦ୍ୱିପ୍ରହର ଧୂପ ପରେ ଲୋକନାଥଙ୍କ ମନ୍ଦିରକୁ ବିଜେ କରନ୍ତି।ଆଳତି, ବନ୍ଦାପନା ପରେ ଦିଅଁ ମଦନମୋହନଙ୍କ ପାଲିଙ୍କିରେ ବାହୁଡା ବିଜେ କରିଥାନ୍ତି।ରୁକ୍ମିଣୀ ହରଣ ଏକାଦଶୀ ଓ ଶମ୍ଭୁ ଏକାଦଶୀ ଏକାଠି ପଡ଼ିଲେ ଦିଅଁ ମାନେ ଲୋକନାଥ ମନ୍ଦିରକୁ ଯାଇ ନ ଥାନ୍ତି।

ପଞ୍ଚ ମହାଦେବସମ୍ପାଦନ କରନ୍ତୁ

ଚନ୍ଦନ ଯାତ୍ରାସମ୍ପାଦନ କରନ୍ତୁ

ପୁରୀରେ ଥିବା ଶିବ ମନ୍ଦିରମାନଙ୍କରୁ ଶ୍ରୀଜଗନ୍ନାଥଙ୍କ ନୀତି ସହ ଜଡ଼ିତ ଶିବମନ୍ଦିରମାନେ ହେଲେ ଶ୍ରୀ ଲୋକନାଥ, ଶ୍ରୀ ଯମ୍ବେଶ୍ୱର, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ କପାଳମୋଚନ ଓ ଶ୍ରୀ ନୀଳକଣ୍ଠ।ଏହି ପାଞ୍ଚ ମହାଦେବଙ୍କୁ ପଞ୍ଚ ମହାଦେବ କୁହାଯାଏ।ଏବଂ ପଞ୍ଚ ପାଣ୍ଡବ ମଧ୍ୟ କୁହାଯାଏ।ଏହି ପଞ୍ଚ ମହାଦେବ ପୃଥକ୍ ପୃଥକ୍ ଭାବେ ଶ୍ରୀଜଗନ୍ନାଥଙ୍କ ନୀତି ସହ ଜଡ଼ିତ କିନ୍ତୁ ଚନ୍ଦନ ଯାତ୍ରା ଓ ଶୀତଳ ଷଷ୍ଠୀରେ ଏହି ଦେବଗଣ ଶ୍ରୀଜଗନ୍ନାଥଙ୍କ ନୀତି ସହ ସାମୂହିକ ଭାବେ ଜଡ଼ିତ।ଏହି ପଞ୍ଚ ମହାଦେବଙ୍କ ମଧ୍ୟରୁ ଶ୍ରୀ ଜମ୍ବେଶ୍ୱରଙ୍କୁ ଯୁଧିଷ୍ଟିର, ଶ୍ରୀ ଲୋକନାଥଙ୍କୁ ଭୀମ(ମତାନ୍ତରରେ ଅର୍ଜୁନ), ଶ୍ରୀମାର୍କଣ୍ଡେଶ୍ୱରଙ୍କୁ ଅର୍ଜୁନ(ମତାନ୍ତରରେ ଭୀମ), ଶ୍ରୀକପାଳମୋଚନଙ୍କୁ ନକୁଳ ଓ ଶ୍ରୀ ନୀଳକଣ୍ଠଙ୍କୁ ସହଦେବ ବୋଲି କୁହାଯାଏ। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ଆତ୍ମୀୟ ଯୁଧିଷ୍ଟିରଙ୍କ ସମେତ ଅନ୍ୟାନ୍ୟ ପାଣ୍ଡବଙ୍କୁ ସାଥିରେ ନେଇ ଚନ୍ଦନ ରାସ, ନୌକା ବିହାର କରନ୍ତି।ତାଙ୍କ ପର୍ବ କେତୋଟିରେ ଯେପରି ଚନ୍ଦନ ଯାତ୍ରାରେ ପାଣ୍ଡବଙ୍କ ପରି ଯୋଗଦାନ କରି ସଖ୍ୟ ପ୍ରଦାନ କରିଥିବାରୁ ପଞ୍ଚ ପାଣ୍ଡବଙ୍କୁ ପଞ୍ଚ ମହାଦେବ ନାମରେ ନାମିତ କରାଯାଇଛି। କୃଷ୍ଣ ସ୍ତୁତିରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଚନ୍ଦନ ଯାତ୍ରାର ୨୧ ଦିନ ଯାକ ପଞ୍ଚୁ ପାଣ୍ଡବ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ରାମକୃଷ୍ଣ ଓ ମଦନମୋହନଙ୍କ ସହିତ ଯୋଗଦାନ କରିଥାନ୍ତି।ଏହାର କାରଣ ଏକ ପୌରାଣିକ ଉପାଖ୍ୟାନରେ ରହିଛି।ମତ୍ସ୍ୟରାଜ ବିରାଟଙ୍କ ରାଜ୍ୟରେ ପଞ୍ଚପାଣ୍ଡବ ଅଜ୍ଞାତ ବନବାସ ସାରିବା ପରେ ଏହି ନୃପତି ପଞ୍ଚ ପାଣ୍ଡବଙ୍କ ପରିଚୟ ପାଇ ତାଙ୍କୁ ଦ୍ୱାରକାଧିଶ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରାଇବା ପାଇଁ ପ୍ରାର୍ଥନା କଲେ।ପଞ୍ଚ ପାଣ୍ଡବଙ୍କ ଅନୁରୋଧରେ ରାମକୃଷ୍ଣ ବିରାଟଙ୍କ ଜଳକେଳି ଉତ୍ସବରେ ଯୋଗ ଦେଇଥିଲେ।ଏହି ପଞ୍ଚପାଣ୍ଡବ ଶ୍ରୀକ୍ଷେତ୍ରରେ ପଞ୍ଚମହାଦେବ ରୂପରେ ଅବସ୍ଥାପିତ ହୋଇ ମଦନମୋହନଙ୍କ ସହ ଚନ୍ଦନ ଯାତ୍ରା କରିଥାନ୍ତି।

ଶୀତଳ ଷଷ୍ଠୀସମ୍ପାଦନ କରନ୍ତୁ

ଶ୍ରୀକ୍ଷେତ୍ରରେ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀରେ ଶିବ ବିବାହ ଅନୁଷ୍ଠିତ ହୋଇଥାଏ।ଶୀତଳ ଷଷ୍ଠୀରେ ବା ବିବାହ ପରଦିନ ଶ୍ରୀଜଗନ୍ନାଥ ପଞ୍ଚମହାଦେବ(ନବ ବିବାହିତ ବରକନ୍ୟା)ଙ୍କୁ ଶ୍ରୀମନ୍ଦିରକୁ ନିମନ୍ତ୍ରଣ କରି ପଞ୍ଚଗ୍ରାସି କରାଇଥାନ୍ତି।ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦୋଳଗୋବିନ୍ଦ ଲକ୍ଷ୍ମୀ ମନ୍ଦିରରେ ପଞ୍ଚମହାଦେବ ନିଜ ନିଜ ପତ୍ନୀମାନଙ୍କ ଗହଣରେ ବସି ସେମାନଙ୍କ ଆତିଥ୍ୟ ସତ୍କାର କରନ୍ତି ଓ ସମସ୍ତଙ୍କ ପାଇଁ ଭୋଗ ଏକା ସମୟରେ ବଢ଼ା ଯାଇଥାଏ।ଶୀତଳ ଷଷ୍ଠୀ ନୀତି ବାସ୍ତବରେ ଶ୍ରୀମନ୍ଦିରରେ ଶିବ ବିଷ୍ଣୁଙ୍କ ସମ୍ମିଳିତ ଉପାସନା କରାଯାଇ ପାଳନ କରାଯାଇଥାଏ।

ଦରିଆମହାବୀରସମ୍ପାଦନ କରନ୍ତୁ

ମହାବିଷୁବ ସଂକ୍ରାନ୍ତି ଦିନ ସକାଳ ଧୂପ ପରେ ଦକ୍ଷିଣ ଘର ହନୁମାନ ଠାକୁର ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି।ହନୁମାନ ଠାକୁର ବିମାନରେ ରହିଥିବାବେଳେ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ମହାବୀରମାନଙ୍କୁ ଆଜ୍ଞାମାଳ ଦେବା ପରେ ଦରିଆମହାବୀରଙ୍କୁ ଆଜ୍ଞାମାଳ ଦିଆଯାଇ ସେଠାରୁ ଫେରିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବନ୍ଦାପନା ଭୋଗ ଆଦି କରାଯାଇଥାଏ।

ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେସମ୍ପାଦନ କରନ୍ତୁ

ପଣ୍ଡୁ ପୂର୍ଣ୍ଣିମାସମ୍ପାଦନ କରନ୍ତୁ

ମାର୍ଗଶୀର ମାସ ପଣ୍ଡୁ ପୂର୍ଣ୍ଣିମା ଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ନୃସିଂହ ବିଜେ ହୋଇ ଚାରି ଆଶ୍ରମ ଯଥା:- ମହର୍ଷି ମାର୍କଣ୍ଡେୟ ଆଶ୍ରମ(ମାର୍କଣ୍ଡେଶ୍ୱର ସାହି), ମହର୍ଷି ଆଙ୍ଗିରାଶ୍ରମ(ଦୋଳମଣ୍ଡପ ସାହି), ମହର୍ଷି ପଣ୍ଡୁ ଆଶ୍ରମ(ଗଉଡ଼ବାଡ଼ ସାହି), ମହର୍ଷି ଭୃଗୁ ଆଶ୍ରମ(ବାଲି ସାହି) ଭ୍ରମଣ କରିଥାନ୍ତି।

ବାଡ଼ି ନୃସିଂହ ବିଜେସମ୍ପାଦନ କରନ୍ତୁ

ନୃସିଂହ ମହାପ୍ରଭୁ ଶ୍ରାବଣ କୃଷ୍ଣ ପକ୍ଷ ନବମୀ ତିଥିରେ ମଧ୍ୟାହ୍ନ ଧୂପପରେ ରତ୍ନସିଂହାସନକୁ ବିଜେ କରି ଆଜ୍ଞାମାଳ ପାଇଥାନ୍ତି।ଏହାପରେ ବିମାନରେ ସିହଂଦ୍ୱାର ଦେଇ ଚାରି ଆଶ୍ରମକୁ ବିଜେ କରନ୍ତି।ସେଠାରେ ଶୀତଳ ଭୋଗ ପାଇବା ହେବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି।ଶ୍ରୀକ୍ଷେତ୍ରରେ ହଇଜା ଦେଖା ଦେବାରୁ ଶ୍ରୀମନ୍ଦିରରୁ ନୃସିଂହ ବିଜେ କରାଯାଇଥିଲା।ଏହାକୁ ବାଡ଼ି ନୃସିଂହ ବିଜେ କୁହାଯାଏ। ଶ୍ରୀଜଗନ୍ନାଥ ମନ୍ଦିର ସହିତ ବଲ୍ଲଭ ମଠ, ମାର୍କଣ୍ଡେୟ ପୁଷ୍କରିଣୀ, ମହୋଦଧି ସହିତ ମଧ୍ୟ ସମ୍ପର୍କ ରହିଛି।ଭାଦ୍ରବ ମାସ ଋଷି ପଞ୍ଚମୀ ବ୍ରତ, କାଳୀୟଦଳନ ଏକାଦଶୀ, ବଳଭଦ୍ର ଜନ୍ମୋତ୍ସବ ମାର୍କଣ୍ଡେୟ ପୁଷ୍କରିଣୀଠାରେ ଅନୁଷ୍ଠିତ ହୋଇଥାଏ।

  1. ହୋଇଛି, କିମ୍ବଦନ୍ତୀରୁ (୨୨/୦୮/୨୦୧୫). ଶ୍ରୀକ୍ଷେତ୍ରର ଦେବଦେବୀଙ୍କ ସହିତ ଶ୍ରୀଜଗନ୍ନାଥ ଉପାସନାର ସମ୍ପର୍କ. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ. p. ୮୯. More than one of |author= and |last= specified (help); More than one of |pages= and |page= specified (help); Check date values in: |date= (help)