ଶୈଳପୁତ୍ରୀ
ଶୈଳପୁତ୍ରୀ
ଦେବୀ ଦୁର୍ଗାଙ୍କର ନଅ ପ୍ରକାରର ରୂପ ମଧ୍ୟରୁ ପ୍ରଥମଟି ହେଉଛି ଶୈଳପୁତ୍ରୀ। ନବଦୁର୍ଗାଙ୍କ ମଧ୍ୟରେ ଏ ହେଉଛନ୍ତି ପ୍ରଥମ ଦୁର୍ଗା। ସେ ପର୍ବତ ରାଜା ହିମାଳୟଙ୍କ କନ୍ୟା ଭାବରେ ଜନ୍ମ ହୋଇଥିବାରୁ ତାଙ୍କ ନାମ ‘ଶୈଳପୁତ୍ରୀ' ବୋଲି ରଖାଯାଇଥିଲା। ନବରାତ୍ରୀର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏହି ପ୍ରଥମ ଦିନର ପୂଜାରେ ଯୋଗୀମାନେ ସେମାନଙ୍କର ମନକୁ ‘ମୂଳାଧାର' ଚକ୍ରରେ ରଖନ୍ତି। ଏହିଠାରୁ ତାଙ୍କର ଯୋଗ ଅଭ୍ୟାସ ଆରମ୍ଭ ହୁଏ।
ଶ୍ଳୋକ
ବନ୍ଦେବାଂଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତ ଶେଖରାମ୍।
ବୃଷାରୂଢ଼ାମ୍ ଶୂଳଧରାଂ ଶୈଳପୁତ୍ରୀଂ ଯଶସ୍ବିନୀମ୍।।
ରୂପଶୋଭା
ବୃଷଭାସୀନା ମାତା ତାଙ୍କ ଡାହାଣ ହାତରେ ଏକ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ପୁଷ୍ପ ଧାରଣ କରିଛନ୍ତି। ସେ ପୂର୍ବଜନ୍ମରେ ପ୍ରଜାପତି ଦକ୍ଷଙ୍କର କନ୍ୟା ରୂପେ ଅବତାର ଗ୍ରହଣ କରିଥିଲେ। ସେତେବେଳେ ତାଙ୍କର ନାମ ‘ସତୀ’ ଥିଲା। ସେ ଭଗବାନ ଶଙ୍କରଙ୍କୁ ବିବାହ କରିଥିଲେ।
କାହାଣୀ
ଥରେ ପ୍ରଜାପତି ଦକ୍ଷ ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ। ଏଥିରେ ସେ ସମସ୍ତ ଦେବତାଙ୍କୁ ନିଜ ନିଜର ଯଜ୍ଞର ଅଂଶ ପାଇବାକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଭଗବାନ ଶଙ୍କରଙ୍କୁ ଏହି ଯଜ୍ଞକୁ ନିମନ୍ତ୍ରଣ କରିନଥିଲେ। ସତୀ ଯେତେବେଳେ ଶୁଣିଲେ ଯେ ତାଙ୍କ ପିତା ଏକ ବିରାଟ ଯଜ୍ଞ କରୁଛନ୍ତି, ସେତେବେଳେ ସେ ସେଠାକୁ ଯିବାକୁ ବ୍ୟଗ୍ରତା ପ୍ରକାଶ କରିଥିଲେ।
ସେ ତାଙ୍କର ଏହି ଇଚ୍ଛା ଭଗବାନ ଶଙ୍କରଙ୍କୁ କହିଥିଲେ। ସେ କହିଥିବା ସମସ୍ତ ବିଷୟ ଉପରେ ବିଚାର କରିବା ପରେ ଭଗବାନ ଶଙ୍କର କହିଲେ- ପ୍ରଜାପତି ଦକ୍ଷ କୌଣସି କାରଣରୁ ଆମ ଉପରେ କ୍ରୋଧ କରିଛନ୍ତି। ସେ ତାଙ୍କର ଯଜ୍ଞରେ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ କରିଛନ୍ତି। ସେମାନଙ୍କର ଯଜ୍ଞ ଅଂଶ ମଧ୍ୟ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି, କିନ୍ତୁ ସେମାନେ ଜାଣିଶୁଣି ଆମକୁ ଆମନ୍ତ୍ରଣ କରିନାହାଁନ୍ତି। ଆମକୁ କୌଣସି ସୂଚନା ମଧ୍ୟ ପଠାଯାଇ ନାହିଁ। ଏପରି ପରିସ୍ଥିତିରେ, ଆପଣ କୌଣସି ପ୍ରକାରେ ସେଠାକୁ ଯିବା ଅନୁଚିତ୍।
ଭଗବାନ ଶଙ୍କରଙ୍କ ଏହି ଉପଦେଶ ସତୀଙ୍କୁ ବାସ୍ତବତା ଅନୁଭବ କରାଇପାରି ନ ଥିଲା। ପିତାଙ୍କ ଯଜ୍ଞ ଦେଖିବା ଏବଂ ସେଠାକୁ ଯାଇ ତାଙ୍କ ମା ଏବଂ ଭଉଣୀମାନଙ୍କୁ ଭେଟିବା ପାଇଁ ତାଙ୍କର ଥିବା ପ୍ରବଳ ଆଗ୍ରହ କୌଣସି ପ୍ରକାରେ ହ୍ରାସ ହୋଇପାରିଲା ନାହିଁ। ତାଙ୍କର ଦୃଢ଼ ଅନୁରୋଧ ଦେଖି ଭଗବାନ ଶଙ୍କର ତାଙ୍କୁ ସେଠାକୁ ଯିବାକୁ ଅନୁମତି ଦେଲେ।
ସତୀ ତାଙ୍କ ପିତାଙ୍କ ଘରେ ପହଞ୍ଚି ଦେଖିଲେ ଯେ ତାଙ୍କୁ କେହି ସମ୍ମାନ ଓ ପ୍ରେମର ସହ କଥା କହୁ ନାହାଁନ୍ତି। ସମସ୍ତେ ବିମୁଖ ହେଉଛନ୍ତି। କେବଳ ତାଙ୍କ ମା ତାଙ୍କୁ ସ୍ନେହରେ ଆଲିଙ୍ଗନ କରିଥିଲେ। ଭଉଣୀମାନଙ୍କର ଶବ୍ଦଗୁଡ଼ିକ ପରିହାସ ଏବଂ ବ୍ୟଙ୍ଗରେ ପରିପୂର୍ଣ୍ଣ ଥିଲା।
ତାଙ୍କ ପରିବାର ସଦସ୍ୟଙ୍କ ଏହି ଆଚରଣ ତାଙ୍କୁ ବହୁତ ଆଘାତ ଦେଇଥିଲା। ସେ ଆହୁରି ମଧ୍ୟ ଦେଖିଲେ ଯେ ସବୁ ସ୍ଥାନରେ ଭଗବାନ ଶଙ୍କରଙ୍କ ପ୍ରତି ଅବମାନନା ଭାବନା ଭରି ରହିଛି। ଦକ୍ଷ ତାଙ୍କ ପ୍ରତି କିଛି ଅପମାନଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ଏସବୁ ଦେଖି ସତୀଙ୍କ ହୃଦୟ କ୍ଷୋଭ, ଗ୍ଳାନି ଏବଂ କ୍ରୋଧରେ ପରିପୂର୍ଣ୍ଣ ହେଲା। ସେ ଭାବିଲେ, ଭଗବାନ ଶଙ୍କରଙ୍କ କଥା ନ ଶୁଣି, ମୁଁ ଏଠାକୁ ଆସି ଏକ ମସ୍ତବଡ ଭୁଲ କରିଛି।