ଶେଷାଚଳମ ପର୍ବତମାଳା

ଶେଷାଚଳ ନିବାସୀ ପ୍ରଭୁ ଶ୍ରୀଭେଙ୍କେଟେଶ୍ୱର ଶ୍ରୀନିବାସ I ତିରୁମାଳା ପର୍ବତ ଶ୍ରେଣୀ ଉପରେ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ଶ୍ରୀଭେଙ୍କେଟେଶ୍ୱର ଭଗବାନ I ସମଗ୍ର ଭାରତବର୍ଷରେ ଖ୍ୟାତି ଅର୍ଜନ କରିଥିବା ତିରୁପତି କ୍ଷେତ୍ର ଦାକ୍ଷିଣାତ୍ୟର ପ୍ରମୁଖ ତୀର୍ଥସ୍ଥଳୀ I ଭାରତର ଚାରିଧାମ ଭିତରେ ଏହା ଗଣା ହେଉ ନଥିଲେ ବି ଲକ୍ଷ ଲକ୍ଷ ଲୋକଙ୍କ ଆଗମନରେ ଏହା ପ୍ରମୁଖ ତୀର୍ଥରେ ପରିଣତ ହୋଇଛି I କିମ୍ବଦନ୍ତୀ ଅନୁଯାୟୀ ଏକଦା ଶେଷନାଗ ଓ ବାୟୁଦେବତାଙ୍କ ମଧ୍ୟରେ ନିଜ ନିଜ ଶକ୍ତିନେଇ ବିବାଦ ଉପୁଜିଲା I ବଳ ପରୀକ୍ଷା ପାଇଁ ଶେଷନାଗ ମେରୁଗିରି ଚତୁଃପାର୍ଶ୍ୱରେ ଘେରି ଯାଇ ବାୟୁଦେବତାଙ୍କୁ ନିଜର ଶକ୍ତି ଦେଖାଇବାକୁ ଆହ୍ୱାନ କଲେ I ପବନ ଦେବ କିନ୍ତୁ ମେରୁ ଶୃଙ୍ଗକୁ ଉଡାଇ ପାରିଲେ ନାହିଁ I ତେବେ ଶେଷଦେବ ଶ୍ୱାସଗ୍ରହଣ ପାଇଁ ପାଟି ଖୋଲିବା ମାତ୍ରେ ବାୟୁ ତାଙ୍କ ଶରୀର ଭିତରେ ପ୍ରବେଶ କରି ଶେଷଙ୍କ ସମେତ ପର୍ବତର ଏକଭାଗକୁ ଉଡାଇ ନେଇଥିଲେ I ମେରୁ ପର୍ବତ ଉଡି ଉଡି ଥକି ପଡ଼ିବାରୁ ବିଶ୍ରାମ ଦେବା ପାଇଁ ବାୟୁଦେବତାଙ୍କୁ ଅନୁରୋଧ କଲେ I ଏହିଠାରେ ବାୟୁ ତାଙ୍କୁ ବିଶ୍ୱାସ କରିବା ପରେ ଛାଡିଥିଲେ I ତେବେ ଶେଷନାଗ ବାୟୁଦେବଙ୍କ ନିକଟରେ ହାରିଯିବାରୁ ଲଜ୍ଜାରେ ମ୍ଳାନ ପଡ଼ି ଶ୍ରୀହରିଙ୍କ ଉପାସନା କଲେ I ତାଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ଭଗବାନ ଶ୍ରୀହରି ବିଷ୍ଣୁ ପ୍ରକଟ ହେବା ସହ ଏହି ପର୍ବତ ଶୀର୍ଷରେ ବାସ କରି ପର୍ବତର ନାମକୁ ତାଙ୍କ ନାମରେ ନାମିତ କରିବାକୁ କହିଥିଲେ I ଶେଷଦେବଙ୍କୁ ଶ୍ରୀହରିଙ୍କ ଆଶୀର୍ବାଦସ୍ୱରୂପ ଏହିପର୍ବତ ଶେଷାଚଳ ବା ଶେଷାଦ୍ରି ନାମରେ ମଧ୍ୟ ପରିଚିତ I ତେଲୁଗୁ ଭାଷାରେ ତିରୁମାଳା ବୋଲି କୁହାଯାଉଥିବା ଏହିପର୍ବତ ଶ୍ରେଣୀର ଅନ୍ୟନାମ ଭେଙ୍କେଟଗିରି I ସାତଟି ପର୍ବତର ସମାହାର ହେତୁ ଏହାକୁ ସପ୍ତଗିରି ବୋଲି କହନ୍ତି I ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏହି ଭେଙ୍କେଟେଚଳ ପର୍ବତ ଚତୁଃପାର୍ଶ୍ୱରେ ଘେରି ରହିଛି ତିନି ହଜାର ଫୁଟ ଉଚ୍ଚତାର ପର୍ବତ ଶ୍ରେଣୀ I ମଧ୍ୟବର୍ତ୍ତୀ ଅନୁଚ୍ଚ ଶୃଙ୍ଗରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀନିବାସ I ସମାଜ, ପୃଷ୍ଠା-୨, ୧୨.୮.୨୦୧୦

ଆଧାର ସମ୍ପାଦନା