ଶାନ୍ଦୁର ପୋଲୋ ଉତ୍ସବ

ଶାନ୍ଦୁର ପୋଲୋ ଉତ୍ସବ (ଇଂରାଜୀରେ Shandur Polo Festival, ଉର୍ଦ୍ଦୁ ଭାଷାରେ شندور میلہ) ପାକିସ୍ତାନର (ଭାରତୀୟ ଦୃଷ୍ଟିକୋଣରୁ ପାକ୍-ଅଧିକୃତ କାଶ୍ମୀରର, କାଶ୍ମୀର ବିବାଦ ପଢ଼ନ୍ତୁ) ଏକ ପ୍ରମୁଖ କ୍ରୀଡ଼ା ଉତ୍ସବ । ଖାଇବର୍-ପଖ୍‍ତୁନ୍‍ଖ୍ୱାର ଚିତ୍ରାଲ ଜିଲ୍ଲାସ୍ଥିତ ଶାନ୍ଦୁରରେ ପ୍ରତିବର୍ଷ ଜୁଲାଇ ୭-୯ ତାରିଖ ଯାଏଁ ଏହି ପୋଲୋ ଉତ୍ସବ ଅନୁଷ୍ଠିତ ହୁଏ । ଚିତ୍ରାଲ ଜିଲ୍ଲା ଓ ଗିଲଗିଟ୍-ବାଲ୍‍ଟିସ୍ତାନ ଜିଲ୍ଲାର ଦଳମାନଙ୍କ ମଧ୍ୟରେ ଏହି ପୋଲୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପୋଲୋକୁ ମୁକ୍ତ ଶୈଳୀ (ଫ୍ରି ଷ୍ଟାଇଲ୍‌) ପାର୍ବତ୍ୟ ପୋଲୋ କୁହନ୍ତି ।[][] ପୋଲୋ ଖେଳ ଅଶ୍ୱାରୋହୀଙ୍କ ପାଇଁ ଉଦ୍ଦିଷ୍ଟ ଓ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ମଧ୍ୟ-ଏସିଆରେ ଏହି ଖେଳର ସୃଷ୍ଟି ।[]

ଶାନ୍ଦୁର ପୋଲୋ ଉତ୍ସବ
شندور میلہ
ଶାନ୍ଦୁରରେ ଖେଳାଯାଉଥିବା ଏକ ପୋଲୋ ମ୍ୟାଚ୍

ପୋଲୋ ଉତ୍ସବ

ସମ୍ପାଦନା

ସ୍କାର୍ଦୁର ବାଲ୍‍ଟି ରାଜା ଅଲି ଶେର୍ ଖାନ୍ ଆଞ୍ଚନ ପ୍ରଥମେ ଶାନ୍ଦୁର ପୋଲୋ ଖେଳ ପଡ଼ିଆ ପ୍ରତିଷ୍ଠା କରାଇଥିଲେ ଓ ଏଠାରେ ପୋଲୋ ପ୍ରତିଯୋଗିତା ଆୟୋଜନ କରିବାର ଶ୍ରେୟ ମଧ୍ୟ ତାଙ୍କୁ ଯାଇଥାଏ ।[] ୧୯୩୬ ମସିହାରୁ ଶାନ୍ଦୁରରେ ଏହି ପୋଲୋ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି ଓ ଏହା ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ ।[] ଜୁଲାଇ ମାସର ପ୍ରଥମ ସପ୍ତାହରେ ଗିଲ୍‍ଗିଟ୍-ବାଲ୍‍ଟିସ୍ତାନ ଓ ଚିତ୍ରାଲ ଜିଲ୍ଲାର ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ ଏହି ପୋଲୋ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏନ୍. ଡବ୍ଲୁ. ପି. ଏଫ୍.ର ପର୍ଯ୍ୟଟନ ନିଗମ ଏହି ପ୍ରତିଯୋଗିତାର ଆୟୋଜନ ଓ ଖର୍ଚ୍ଚ ଦାୟିତ୍ୱ ବହନ କରନ୍ତି । ଶାନ୍ଦୁର ଶିଖରରେ ସମୁଦ୍ର ପତନରୁ ୩୭୦୦ ମିଟର୍ ଉଚ୍ଚତାରେ ଥିବା ପୃଥିବୀର ଉଚ୍ଚତମ ପୋଲୋ ପଡ଼ିଆରେ ଏହି ପୋଲୋ ଖେଳ ଖେଳାଯାଏ । ସମୁଦ୍ର ପତନରୁ ଶାନ୍ଦୁର ଗିରିପଥର ଉଚ୍ଚତା ୩୮୦୦ ମିଟର । ଖେଳ ଛଡ଼ା ଏହି କ୍ରୀଡ଼ା ଉତ୍ସବରେ ଲୋକଗୀତ, ନାଚ ପ୍ରଭୃତିର ଆସର ଜମିଥାଏ ଓ ଲୋକଙ୍କୁ ତମ୍ବୁ ପକାଇ କ୍ୟାମ୍ପିଂ କରିବାର ସୁଯୋଗ ମଧ୍ୟ ମିଳେ । ବିବିସିର କାର୍ଯ୍ୟକ୍ରମ ହିମାଲୟା ୱିଥ୍ ମିଶେଲ୍ ପାଲିନ୍ର ପ୍ରଥମ ଅଧ୍ୟାୟରେ ଏହି ପୋଲୋ ପ୍ରତିଯୋଗିତା ସ୍ଥାନ ପାଇଥିଲା ।

ଚିତ୍ରାଲ ଓ ଗିଲ୍‍ଗିଟ୍-ବାଲ୍‍ଟିସ୍ତାନରୁ ବିଭିନ୍ନ ଦଳ ଏହି ସ୍ୱତନ୍ତ୍ର ପୋଲୋ ଖେଳକୁ ଖେଳି ଆସୁଛନ୍ତି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟିଶ୍ ଶାସକମାନେ ଏହି ଖେଳର ପୃଷ୍ଠପୋଷକତା କରୁଥିଲେ ।[]

ମୁକ୍ତ ଶୈଳୀ ପାର୍ବତ୍ୟ ପୋଲୋକୁ ପୋଲୋର ଶୁଦ୍ଧତମ ରୂପ କୁହାଯାଇପାରେ । ଶାନ୍ଦୁରର ଏହି ପୋଲୋ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅତି ଲୋକପ୍ରିୟ ତଥା ଏହାକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହି ଖେଳରେ କୌଣସି ଅମ୍ପାୟାର୍ ନଥାନ୍ତି । ଏହି ଖେଳର ଏକ ମାତ୍ର ନିୟମ ଏହି ଯେ ଏଥିରେ କୌଣସି ନିୟମ ନାହିଁ । ଥରେ ଜଣେ ପୋଲୋ ଖେଳାଳୀ କହିଥିଲେ: "ତୁମର ଯଦି ସାହସ ଅଛି ତୁମେ ନିଜ ପ୍ରତିଦ୍ୱନ୍ଦୀ ଉପରକୁ ଅଶ୍ୱ ଧାବନ କରି ଯାଇପାରିବ ।"

 
ପାକିସ୍ତାନରେ ପୋଲୋ ଖେଳ

ଚିତ୍ରାଲ ଓ ଗିଲଗିଟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ସେଥିରୁ ଶ୍ରେଷ୍ଠ ଦଳମାନେ ଶାନ୍ଦୁରରେ ଖେଳିବା ପାଇଁ ଯୋଗ୍ୟତା ଲାଭ କରନ୍ତି । ଚିତ୍ରାଲ ଓ ଗିଲ୍‍ଗିଟ୍‍ର ଏ(A), ବି (B), ସି (C) ଓ ଡି (D) ଦଳମାନେ ଶାନ୍ଦୁର ପୋଲୋ ପଡ଼ିଆରେ ଲଢ଼ିଥାନ୍ତି । ପ୍ରତି ଦଳ ୬ ଜଣ ସଦସ୍ୟ ବିଶିଷ୍ଟ ଓ ପ୍ରତି ଦଳରେ ୨-୪ ଜଣ ଅତିରିକ୍ତ ଖେଳାଳୀ ମଧ୍ୟ ରହିଥାନ୍ତି । ମ୍ୟାଚ୍ ଏକ ଘଣ୍ଟା ଧରି ଚାଲେ । ମ୍ୟାଚ୍ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇଥାଏ ଓ ମଝିରେ ୧୦ ମିନିଟ୍ ବିରତି ରହିଥାଏ । ବିରତି ସମୟରେ ସ୍ଥାନୀୟ ଲୋକେ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରନ୍ତି । ସମୟ ସରିବା ବେଳକୁ ଯେଉଁ ଦଳ ଅଧିକ ଗୋଲ କରିଥାଏ, ସେହି ଦଳ ବିଜୟୀ ଘୋଷିତ ହୁଏ । ଜୁଲାଇ ୯ ତାରିଖ ଦିନ ଫାଇନାଲ ଅନୁଷ୍ଠିତ ହୁଏ ।

ସାମାନ୍ୟ ପୋଲୋ ପଡ଼ିଆ ୨୭୦ ମି × ୧୫୦ ମି ମାପର ହୋଇଥିବା ବେଳେ ଶାନ୍ଦୁରର ପୋଲୋ ପଡ଼ିଆ ୨୦୦ ମି × ୫୬ ମି ମାପବିଶିଷ୍ଟ । ପଡ଼ିଆର ଦୈର୍ଘ୍ୟରେ ୬୦ ସେଣ୍ଟିମିଟର ଉଚ୍ଚ କାନ୍ଥ ରହିଥାଏ । ପ୍ରତି ଦଳରେ ୬ ଜଣ ଖେଳାଳୀ ରହୁଥିବାରୁ ଓ ପଡ଼ିଆର ଆକାର ଛୋଟ ହୋଇଥିବାରୁ ସାମାନ୍ୟ ପୋଲୋ ତୁଳନାରେ ଏହି ପୋଲୋ ଖେଳ ଅଧିକ ଗହଳିପୂର୍ଣ୍ଣ ଲାଗିଥାଏ । ଗହଳି ଯୋଗୁଁ ଖେଳର ବେଗ କମ୍ ହୁଏ ଓ ନିୟମହୀନ ଖେଳରେ ସୁରକ୍ଷା ଦୃଷ୍ଟିରୁ ତାହା ସହାୟକ ହୁଏ । ଖେଳାଳୀମାନେ ହେଲମେଟ ପିନ୍ଧିବା, ଘୋଡ଼ାଙ୍କ ଗୋଡ଼ରେ ପଟି ବାନ୍ଧିବା କିମ୍ବା ପୋଲୋ ବାଡ଼ିର ଗ୍ରିପ୍ ଇତ୍ୟାଦି ଦେଖାଯାଏ ନାହିଁ ।

ଐତିହାସିକ ପୃଷ୍ଠଭୂମି

ସମ୍ପାଦନା

ଶାନ୍ଦୁରରେ ସ୍କାର୍ଦ୍ଦୁର ବାଲ୍‍ଟି ରାଜା ଅଲି ଶେର୍ ଖାନ୍ ଆଞ୍ଚନ ସର୍ବ ପ୍ରଥମେ ପୋଲୋ ଖେଳ ଆରମ୍ଭ କରାଇଥିଲେ ।[][][] ପୋଲୋ ପଡ଼ିଆ ନିର୍ମାଣ କରାଇବାରେ ରାଜାଙ୍କୁ ତତ୍କାଳୀନ ବ୍ରିଟିଶ୍ ଶାସକମାନେ ରାଜାଙ୍କୁ ସହାୟତା କରିଥିଲେ । ୧୯୩୫ ମସିହାରେ ଉତ୍ତରାଂଶର ଦାୟିତ୍ୱରେ ଥିବା ବ୍ରିଟିଶ୍ ଅଧିକାରୀ ଏଭ୍‍ଲିନ୍ ହେ କୋବ୍ବ୍ ନ୍ୟାତ୍ କବୁଲ୍ ହାୟାତ୍ କାକାଖେଲଙ୍କୁ ଶାନ୍ଦୁରରେ ଏକ ପୋଲୋ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲୋ ପଡ଼ିଆ ପ୍ରସ୍ତୁତ ହୋଇଗଲା । ପୋଲୋ ପଡ଼ିଆକୁ "ମାସ୍ ଜୁନାଲି" ବୋଲି ନାମିତ କରାଗଲା । ଖୋୱାର ଭାଷାରେ ମାସ୍ ଅର୍ଥ ଜହ୍ନ ଓ ଜୁନାଲି ଅର୍ଥ ପୋଲୋ ପଡ଼ିଆ । କାକାଖେଲଙ୍କ କାର୍ଯ୍ୟ ଦକ୍ଷତାରେ କୋବ୍ବ୍ ଖୁସି ହୋଇ ତାଙ୍କୁ ପୁରସ୍କୃତ କରିବାକୁ ଇଚ୍ଛା କଲେ । କାକାଖେଲ କିନ୍ତୁ ପୁରସ୍କାର ଗ୍ରହଣ ନକରି କୋବ୍ବଙ୍କୁ ଏଠାକାର ଜଳ ସ୍ରୋତମାନଙ୍କରେ ଟ୍ରାଉଟ୍ ମାଛ ଛାଡ଼ିବାକୁ ଅନୁରୋଧ କରିଥିଲେ । କାକାଖେଲଙ୍କ କଥାରେ ଇଂଲଣ୍ଡରୁ ମାଛ ଆଣି ଘିଜର୍ ନଦୀରେ ଛଡ଼ାଗଲା, ଏକ ମତ୍ସ୍ୟ ସମ୍ପଦ ବିଭାଗ ପ୍ରତିଷ୍ଠା କରାଗଲା ଓ ବହୁ ସ୍ଥାନୀୟ ଲୋକଙ୍କୁ ଜୀବିକା ମିଳିଲା । ବର୍ତ୍ତମାନ ସମୟରେ ହୁନ୍ଦାରାପ ହ୍ରଦରେ ୨୪ କିଲୋଗ୍ରାମ ଓ ବାହା ହ୍ରଦ, ଖୁଖୁଶ୍ ନଳାରେ ଥିବା ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଟ୍ରାଉଟ୍ ମାଛ ମିଳନ୍ତି ।[୧୦]

ମାସ୍ ଜୁନାଲି ଯୋଗୁଁ ଖାଇବର୍-ପଖ୍‍ତୁନ୍‍ଖ୍ୱାର ଚିତ୍ରାଲ ଜିଲ୍ଲା ଓ ଗିଲ୍‍ଗିଟ୍-ବାଲ୍‍ଟିସ୍ତାନର ଜିଲ୍ଲାର ଲୋକଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ଗଢ଼ି ଉଠିଥିଲା । ଚିତ୍ରାଲ ଓ ଘିଜର୍ ଜିଲ୍ଲା ମଧ୍ୟରେ ଖେଳା ଯାଉଥିବା ପୋଲୋ ମ୍ୟାଚ୍ ମଧ୍ୟ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ।[୧୧]

ଶିଖରରେ ପୋଲୋ ପାଇଁ ଉନ୍ମାଦନା

ସମ୍ପାଦନା

ବିଶ୍ୱର ଉଚ୍ଚତମ ପୋଲୋ ପଡ଼ିଆରେ ପୋଲୋ ପାଇଁ ଲୋକଙ୍କ ମନରେ ଆଗ୍ରହ ଓ ଉନ୍ମାଦନା ମଧ୍ୟ ଶିଖରରେ ରହିଥାଏ । ପ୍ରତିବର୍ଷ ପୋଲୋ ଖେଳ, ଲୋକଗୀତ, ଲୋକ ନୃତ୍ୟ, ପାରମ୍ପରିକ କ୍ରୀଡ଼ା ଓ କ୍ୟାମ୍ପିଂ ପାଇଁ ଶାନ୍ଦୁରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି ।[୧୨]

ଆହୁରି ଦେଖନ୍ତୁ

ସମ୍ପାଦନା
  1. "Shandur Polo Festival". www.tnn.com.pk. Archived from the original on 18 July 2018. Retrieved 18 July 2018.
  2. "Held on 7th to 9th July". Pamirtimes.net. Retrieved 18 July 2018.
  3. Polo (Game of King or King of Game), arose in Persia. pp. Polo is an equestrian sport with its origin embedded in Central Asia dating back to 6th century BC.
  4. Israr-ud-Din. Proceedings of the Third International Hindu Kush Cultural Conference. Oxford University Press, 2008 - Reference - 540 pages.
  5. Ground Effect - an excerpt from T. Mulliner's book Long Ride for a Pie Archived 2012-02-20 at the Wayback Machine. ISBN 1-86966-135-4
  6. https://www.youtube.com/watch?v=ZXm-PdF24Uo
  7. Dawn. "GILGIT: Scouts accused of expanding encroachments".
  8. pakistan tour and travel. "shandur festival".
  9. express, tribune. "Rumble on the roof of the world".
  10. The Pakistan Journal of Forestry. Pakistan Forest Institute. 1973-01-01.
  11. "Polo Match being played between the teams of Ghizer and Laspur".
  12. Ground Effect - an excerpt from T. Mulliner's book Long Ride for a Pie,. ISBN 1-86966-135-4. Archived from the original on 2012-02-20.

ଆହୁରି ପଢ଼ିପାରିବେ

ସମ୍ପାଦନା