ଲାଜକୁଳୀ ଲତା
ଲାଜକୁଳୀ ଲତାର ଇଂରାଜୀ ନାମ 'Touch Me Not' ଓ ବୈଜ୍ଞାନିକ ନାମ ମାଇମୋସା ପୁଡିକା (Mimosa Pudica) । ଏହା ମାଇମୋସେସୀ(Mimosaceae) ବଂଶ ଅନ୍ତର୍ଗତ ଏକ କଣ୍ଟକପୂର୍ଣ୍ଣ କଠିନ ତୃଣଜାତୀୟ ଉଦ୍ଭିଦ । ଏହାର ଚେରରେ ଥିବା ଗଣ୍ଠିରେ ବହୁ ବୀଜାଣୁ ବାସ କରନ୍ତି ଓ ସେମାନେ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି । ଛୁଇଁଦେଲେ ଲାଜକୁଳୀ ଲତା ଝାଉଁଳି ପଡେ଼ । ସ୍ପର୍ଶଜନିତ ଏହି ଗତିକୁ ଅନ୍ତର୍କୁଞ୍ଚନ (Nastic movement) କୁହାଯାଏ ।[୨]
ଲାଜକୁଳୀ ଲତା | |
---|---|
(Mimosa pudica) Flower-head | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Fabales |
କୁଳ: | Fabaceae |
ଉପକୁଳ: | Mimosoideae |
ପ୍ରଜାତି: | Mimosa |
ଜାତି: | M. pudica |
ବାଇନୋମିଆଲ ନାମ | |
Mimosa pudica |
ପରିଚୟ
ସମ୍ପାଦନାଲାଜକୁଳୀ ଲତା ଗୋଟିଏ ଔଷଧୀୟ ଗୁଣସଂପନ୍ନ ଉଦ୍ଭିଦ । ଏହା ସାଧାରଣତଃ ଚିକିଟା କଳା ମାଟିରେ ଉଠେ ଓ ଉଷ୍ଣପ୍ରବଣ ଅଞ୍ଚଳରେ ଏହା ଦେଖାଯାଏ । ଆମ ଦେଶର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖିବାକୁ ମିଳେ । ଏହାର ଉଚ୍ଚତା ୪୫ ସେ.ମି.ରୁ ୯୦ ସେ.ମି. ଯାଏ ହୋଇଥାଏ । ଏହାର କାଣ୍ଡ, ଶାଖା ତଳକୁ ଓହଳି ଥାଏ । ଲତାରେ କଣ୍ଟା ଓ ପତ୍ରଗୁଡ଼ିକ ଲାଲ ଦେଖାଯାଏ । ଏହାର ମୂଳ ମାଟି ତଳେ ଦେଢ଼ ଫୁଟରୁ ଦୁଇଫୁଟ ଯାଏ ଭେଦ କରିପାରେ । ଏହା ମଧ୍ୟ ଲାଲ ଓ ସୁଗନ୍ଧଯୁକ୍ତ ହୋଇଥାଏ । ଏହା ଦୃଢ଼ ଓ ତନ୍ତୁପୂର୍ଣ୍ଣ । ପତ୍ର ପ୍ରାୟ ୨.୫ ସେ.ମି.ରୁ ୫.୦ ସେ.ମି. ଯାଏ ଓ ଉପରକୁ ଚିକ୍କଣିଆ, ତଳପାଖ ରୁଆ ରୁଆ ହୋଇଥାଏ । ଏଥିରେ ଫୁଲ ଫୁଟେ, ଫଳ ହୁଏ । ଫୁଲର ରଙ୍ଗ ଗୋଲାପୀ, ପ୍ରାୟ ୧.୦ରୁ ୧.୫ ସେ.ମି. ଚଉଡ଼ା । ବର୍ଷା ଓ ଶୀତ ଋତୁରେ ଏହା ଫୁଲ ଫଳରେ ଭରି ଉଠେ । ଏହାର ମଞ୍ଜି ମୁଗଠାରୁ ଟିକିଏ ଛୋଟ । ଏହି ଲତାକୁ ଛୁଇଁଲାମାତ୍ରେ ଝାଉଁଳିଯାଏ । ତେଣୁ ଏହାକୁ "ଲାଜକୁଳୀ ଲତା" ବୋଲି କୁହାଯାଏ ।
ବିଭିନ୍ନ ଭାଷାରେ ନାମ
ସମ୍ପାଦନାସଂସ୍କୃତରେ ଏହାକୁ ଲଜ୍ଜାଳୁ, ଅଞ୍ଜଳିକାରିକା, କନ୍ଦିରୀ, ରକ୍ତପାଦୀ, ଶମୀପତ୍ରା, ସ୍ପୃକ୍କା, ଖଦିରପତ୍ରିକା, ସଙ୍କୋଚିନୀ, ଖଦିରୀ, ସମଙ୍ଗା(ଙ୍ଗୀ), ନମସ୍କାରୀ, ପ୍ରସାରଣୀ, ସପ୍ତପର୍ଣ୍ଣୀ, ଗଣ୍ଡମାଳିକା, ଲଜ୍ଜା, ଲଜ୍ଜିରୀ, ସ୍ପର୍ଶଲଜ୍ଜା, ଅସ୍ରରୋଧିନୀ, ରକ୍ତମୂଳା, ଲଜ୍ଜାବତୀ, ଲଜ୍ଜାସ୍ପର୍ଶ, ତାମ୍ରମୂଳା, ସୂଗୁପ୍ତା, ମହାଭୀତା, ଖଣ୍ଡକାଳୀ, ବଶିନୀ, ମହୌଷଧି, ବାରାହକ୍ରାନ୍ତ [୩] ଓ ହିନ୍ଦୀରେ ଲାଜଓ୍ବନ୍ତୀ, ଛୁଇମୁଇ କହାଯାଏ । ଏହାର ଅନ୍ୟାନ୍ୟ ନାମଗୁଡ଼ିକ ହେଲା: ମ: ଲଜାଳୁ, ଲାଜରୀ, ସଂକୋରଣୀ, ଗୁ: ରିଶାମଣୀ ।
ଗୁଣଧର୍ମ
ସମ୍ପାଦନାଲାଜକୁଳୀ ଲତାର ରସ ତିକ୍ତ ଓ କଷା, ବିପାକଦ୍ୱାରା ଅଧିକ ତିକ୍ତ ଲାଗେ । କଫ ଓ ପିତ୍ତ ପ୍ରଶମନରେ ଏହା ସହାୟକ ହୁଏ ।
ପ୍ରୟୋଗ
ସମ୍ପାଦନାଔଷଧୀୟ
ସମ୍ପାଦନାଏହାର ମୂଳ, ପତ୍ର, ମଞ୍ଜି ବିଭିନ୍ନ ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଏ । ସ୍ୱପ୍ନଦୋଷ, ଶୀଘ୍ରସ୍ଖଳନ, ଶୁକ୍ରପ୍ରମେହ, ଯୋନି ଭଙ୍ଗ , ରକ୍ତପ୍ରଦର, ଅତିସାର, ରକ୍ତସ୍ରାବ, ଭଗନ୍ଦର ଇତ୍ୟାଦି ରୋଗରେ ଏହାକୁ ଆୟୁର୍ବେଦ ପଦ୍ଧତିରେ ପ୍ରୟୋଗ କରାଗଲେ ସୁଫଳ ମିଳେ । ଏହାଛଡ଼ା ରକ୍ତବିକାର, ରକ୍ତ ଝାଡ଼ା, କାଶ, ପୁରାତନ କ୍ଷତ ଇତ୍ୟାଦିର ଚିକିତ୍ସାରେ ବ୍ୟବହାର କରାଯାଏ । ଲାଜକୁଳୀ ସହିତ ଅନ୍ୟ କେତେକ ଦ୍ରବ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ଔଷଧ ଓ ରୋଗର ସଂକ୍ଷିପ୍ତ ସୂଚନା ନିମ୍ନରେ ଦିଆଗଲା[୪] -
- ଶୁକ୍ରପ୍ରମହେ ରୋଗରେ ଲାଜକୁଳୀ ମଞ୍ଜି ଏକ ତୋଳା, ତାଳମଖାନା ଏକତୋଳା ଏକତ୍ର କୁଟି କ୍ଷୀରରେ ଭିଜାଇ ଘୋଟି ଦେବା ପରେ ସେଗୁଡ଼ିକରୁ ଚଣା ମାପର ଗୁଳି ତିଆରି କରି ସକାଳେ ଓ ସନ୍ଧ୍ୟାରେ ଗାଈଦୁଧ ସହିତ ଦୁଇ ଦୁଇଟି ଗୁଳି ଖାଇଲେ ଶୁକ୍ରପ୍ରମହେରୁ ଉପଶମ ମିଳେ ।
- ଯୋନିଭଙ୍ଗ ହୋଇଥିଲେ ଯୋନିମାର୍ଗ ଦେଇ ଲାଜକୁଳୀ ପତ୍ରର ରସ ବା ମୂଳଚେର ବାଟି ଗର୍ଭାଶୟ ଉପରେ ଲେପ ଦେଲେ ଏବଂ କୌପୀନ ପିନ୍ଧାଇ ଦେଇ ଶୁଆଇ ଦେଲେ ଗର୍ଭାଶୟ ବାହାରକୁ ବାହାରି ଆସେ ନାହିଁ ।
- ରକ୍ତପ୍ରଦରରେ ଲାଜକୁଳୀ ଚେର ଓ ଶିମିଳିଫୁଲ, ରକ୍ତ ଚନ୍ଦନ, ଅର୍ଜୁନ ଗଛର ଛେଲି ଓ ନୀଳପଦ୍ମର ସବୁଅଂଶ ସମାନ ଭାଗରେ ଏକତୋଳା ଲେଖାଁ ବାଟି, ଛେଳି ଦୁଧରେ ଦୈନିକ ପିଇଲେ ରୋଗ ଦୂର ହୁଏ ।
- ସ୍ତନ ଶିଥିଳ ହୋଇ ପଡୁଥିଲେ ଲାଜକୁଳୀ ଓ ଅଶ୍ୱଗନ୍ଧା ଚେରକୁ ବାଟି ଲଗାଇଲେ ଉପକାର ମିଳେ ।
ଆଧାର
ସମ୍ପାଦନା- ↑ "Mimosa pudica information from NPGS/GRIN". www.ars-grin.gov. Retrieved 2008-03-27.
- ↑ ଓଡ଼ିଶା ବିଜ୍ଞାନ ଏକାଡ଼େମି ପ୍ରକାଶିତ ପତ୍ରିକା ବିଜ୍ଞାନ ଦିଗନ୍ତ, ସେପ୍ଟେମ୍ବର ୨୦୧୨
- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsalsrv02.uchicago.edu. Retrieved 1 May 2013.
କନ୍ଦିରୀ, ରକ୍ତପାଦୀ, ଶମୀପତ୍ରା...
[permanent dead link] - ↑ ଡାକ୍ତର ଦୀନବନ୍ଧୁ ମହାରାଣା, "ଲାଜକୁଳୀ ଲତା" - ଓଡ଼ିଶା ବିଜ୍ଞାନ ଏକାଡ଼େମି ପ୍ରକାଶିତ ପତ୍ରିକା ବିଜ୍ଞାନ ଦିଗନ୍ତ, ସେପ୍ଟେମ୍ବର ୨୦୧୨
ବାହାର ତଥ୍ୟ
ସମ୍ପାଦନା- A list of notable chemical compounds found in Mimosa pudica
- View occurrences of Mimosa pudica in the Biodiversity Heritage Library
- "Sensitive Plant" page by Dr. T. Ombrello
- Page about nyctinasty and leaf movement of Mimosa pudica by John Hewitson
- Youtube video: Mimosa Pudica
- Indiana.edu "Plants in motion" videos of Mimosa pudica: 1 and 2
- "Video:MIMOSA PUDICA SENSITIVE:guide de culture". Ethnoplants.com. Archived from the original on 2009-09-13. Retrieved 2009-10-12.