ରାମ ଜନ୍ମଭୂମି ମାମଲା

ରାମ ଜନ୍ମଭୂମି ମାମଲା ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ସେଠାରେ ଥିବା ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଏକଧିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ତେବେ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ । ବିଭିନ୍ନ ସମୟରେ ଏହି ବିବାଦ ଅଦାଲତରେ ପହଞ୍ଚିଥିଲେ ମଧ୍ୟ ତନ୍ମଧ୍ୟରୁ ଏ ସଂପର୍କିତ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଏବଂ ପରିଶେଷରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ମହତ୍ତ୍ୱପୂର୍ଣ୍ନ ।

ଆଲାହବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ପାଦନା

ମାମଲାର ପୃଷ୍ଠଭୂମି ସମ୍ପାଦନା

ହିନ୍ଦୁମାନଙ୍କର ବିଶ୍ୱାସ ଯେ ଉକ୍ତ ବିବାଦିତ ସ୍ଥଳ ହିଁ ପ୍ରଭୁ ରାମଙ୍କର ଜନ୍ମ ଭୂମି ଏବଂ ଏଠାକାର ଏକ ପୂରାତନ ରାମ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ତିଆରି କରାଯାଇଛି । ବିମାମଲାଟି ଅଦାଲତରେ ପହଞ୍ଚିବା ପୂର୍ବରୁ ସେହି ବିବାଦିତ ସ୍ଥଳରେ ମୁସଲମାନମାନେ ମସଜିଦର କେନ୍ଦ୍ରିୟ-କୋଠରୀରେ ପୂଜା କରୁଥିବା ବେଳେ ହିନ୍ଦୁମାନେ ମସଜିଦର ବାହାର ଭାଗ ଅଧିକାର କରି ରଖିଥିଲେ । ୧୯୪୯ ମସିହାରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଉପୁଜିବାରୁ ସଂପ୍ରଦାୟୀକ ହିଂସା ଆଶଙ୍କା କରି ଉକ୍ତ ବିବାଦିତ ସ୍ଥଳକୁ ସିଲ କରିଦିଆଯାଇଥିଲା । ତେବେ ୧୯୮୬ ମସିହାରେ ଏକ ଅଦାଲତି ଆଦେଶ ବଳରେ ସେହି ସ୍ଥାନରେ ସିଲ ଖୋଲାଯାଇ ହିନ୍ଦୁମାନଙ୍କୁ ପୂଜା କରିବାଅକୁ ଅନୁମତି ଦିଆଗଲା । ପରବର୍ତ୍ତୀ ସମୟରେ ଏହି ବିବାଦ ବୃଦ୍ଧି ପାଇ ୧୯୯୨ ମସିହାରେ ଉଗ୍ରରୂପ ଧାରଣ କରିଥିଲା । ୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯିବାପରେ ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା । ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ୧୯୫୦ରୁ ୧୯୮୯ ମଧ୍ୟରେ ଦାୟର ହୋଇଥିବା ପାଞ୍ଚୋଟି ଦେୱାନୀ ମାମଲାକୁ ନେଇ ଏହି ଶୁଣାଣି ହୋଇଥିଲା ।

ଉଚ୍ଚ ନ୍ୟାୟାଳୟଙ୍କ ରାୟ ସମ୍ପାଦନା

ମାମଲାର ଶୁଣାଣୀ କରୁଥିବା ତିନିଜଣିଆ ଖଣ୍ଡପୀଠରେ ଥିଲେ ଜଷ୍ଟିସ ଏସ୍ ୟୁ ଖାନ୍, ଜଷ୍ଟିସ ସୁଧୀର ଅଗ୍ରୱାଲା ଏବଂ ଜଷ୍ଟିସ ଧରମବୀର ଶର୍ମା । ମାମଲାଟିର ମୂଳ ରାୟ ପ୍ରକାଶ ବେଳେ ପ୍ରତ୍ୟେକ ନ୍ୟାୟାଧୀଶ ନିଜର ସ୍ୱତନ୍ତ୍ର ରାୟ ଲେଖିଥିଲେ ଯାହାକି ସମୁଦାୟ ୮୦୦୦ ପୃଷ୍ଠାରୁ ଅଧିକ ଥିଲା । ଅନେକ ବିଷୟରେ ବିଶେଷ ଭାବେ ବିବାଦିତ ଜମିକୁ ଭାଗ ଭାଗ କରିଦେବା ବିଷୟରେ ସମସ୍ତ ନ୍ୟାୟାଧୀଶ ନିଜର ଏକମତ ପ୍ରଦାନ କରିଥିଲେ ହେଁ ଅନ୍ୟ କିଛି ବିଷୟରେ ସେମାନଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଥିଲା । ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି ।[୧][୨]

ବିବାଦିର ଜମିର ମାଲିକାନା ସଂପର୍କରେ ଉଚ୍ଚ ନ୍ୟାୟାଳୟ ଏହି ନିଷ୍ପତ୍ତିରେ ପହଞ୍ଚିଥିଲେ କି ଉକ୍ତ ବିବାଦିତ ଜମିରେ ତିନି ପକ୍ଷ ଯଥା ହିନ୍ଦୁ, ସୁସଲିମ ଏବଂ ନିର୍ମୋହି ଆଖାଡା ମିଳିତଭାବେ ମାଲିକାନାର ହକଦାର । ଅତଏବ ବିବାଦିତ ଜମି ତିନି ଭାଗ ହୋଇ ପ୍ରତି ଆବେଦନକାରୀଙ୍କୁ ମୋଟ ଜମିର ଏକ- ତୃତୀୟାଂଶ ପ୍ରଦାନ କରାଯିବ । ତେବେ ହିନ୍ଦୁଙ୍କ ଭାଗରେ କେନ୍ଦ୍ରୀୟ ମସଜିଦର ସମ୍ମୁଖଭାଗ ଯେଉଁଠାରେ ରାମଲାଲାଙ୍କର ପୂଜା ଅର୍ଚନା କରାଯାଉଥିଲା, ସେହି ଅଂଶ, ମୁସଲିମଙ୍କୁ ମସଜିଦ ରହିଥିବା ଅଂଶ ଏବଂ ନିର୍ମୋହି ଆଖାଡାକୁ ମସଜିଦର ବାହାର ଅଂଶରେ ଥିବା ବାକି ଏକ-ତୃତୀୟାଂଶ ଦିଆଯିବା ପାଇଁ ରାୟରେ ଉଲ୍ଲେଖ ରହିଲା । ଏଥିସହ ପ୍ରତ୍ୟେକ ପକ୍ଷ, ଅନ୍ୟ ପକ୍ଷ ପାଇଁ ଯିବା ଆସିବାରେ ଯେପରି କାହାରି ଅଧିକାର ବ୍ୟାଘାତ ନ ହୁଏ, ତାହା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟରେ ଏହା ମଧ୍ୟ ଉଲ୍ଲେଖ ଥିଲା କି ବିବାଦିତ ଜମିର ବିଷମ ପରିମାଣ ଦୃଷ୍ଟିରୁ ସମ ଆବଣ୍ଟନ ବେଳେ ଯଦି କୌଣସି ପକ୍ଷ ନିଜର ନ୍ୟାଯ୍ୟ ଅଂଶ ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ସେହି ପକ୍ଷକୁ ସରକାର ଏହି ଜମି ସହ ଲାଗି ରହିଥିବା ସରକାରୀ ଜମିରୁ କିଛି ଅଂଶ ଦେଇ ଛୋଟମୋଟ ସମାୟୋଜନ କରିପାରିବେ ।

ତେବେ ବିବାଦିତ ଜମିରେ ବାସ୍ତବରେ ଏକ ହିନ୍ଦୁ ମନ୍ଦିର ଥିଲା କି ନାହିଁ ସେହି ବିଷୟରେ ତିନିଜଣ ନ୍ୟାୟାଧୀଶଙ୍କ ମଧ୍ୟରେ ସହମତି ନ ଥିଲା । ଏହାଛଡା ବାବ୍ରୀ ମସଜିଦ ପ୍ରକୃତରେ କିଏ ନିର୍ମାଣ କରିଥିଲେ, ଏହି ବିଷୟରେ ମଧ୍ୟ ତିନିଜଣ ନ୍ୟାୟାଧୀଶ ସହମତ ହୋଇପାରି ନ ଥିଲେ ।

ଜଷ୍ଟିସ ଶର୍ମାଙ୍କ ମତ ଏ ସଂକ୍ରାନ୍ତରେ ବେଶ ପ୍ରଣିଧାନ ଯୋଗ୍ୟ । ତାଙ୍କ ମତରେ, "ଯଦିଓ ବାବ୍ରୀ ମସଜିଦ ବାବରଙ୍କ ଅମଳରେ ନିର୍ମାଣ ହେବାର ପ୍ରମାଣ ରହିଛି, ତଥାପି ଏହା ଇସଲାମ ଧର୍ମର ମୌଳିକ ଭାବନା ବିରୁଦ୍ଧରେ ଗଢାଯାଇଥିବାରୁ ଏହା ମସଜିଦ ପଦବାଚ୍ୟ ହୋଇ ନ ପାରେ" ( The structure was constructed against the tenets of Islam, and therefore, it could not be viewed as a mosque)[୩]

ଉକ୍ତ ମାମଲାର ସମସ୍ତ ପକ୍ଷ ଉଚ୍ଚତମ ନ୍ୟାୟାଳୟରେ ଏହି ରାୟ ବିରୁଦ୍ଧରେ ଅପିଲ କରିବା ପରେ ଉଚ୍ଚତମ ନ୍ୟାୟାଲୟ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଉପରେ ୨୦୧୧ ମସିହାରେ ରହିତାଦେଶ ଜାରି କରିଥିଲେ ।

ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ସମ୍ପାଦନା

ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର (Civil Appeal Nos 10866-10867 of 2010 M Siddiq (D) Thr Lrs Versus Mahant Suresh Das & Ors )ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା । ତେବେ ମାମଲାର ଏକ ଆପୋଷ ସମାଧାନ ପାଇଁ ନ୍ୟାୟାଳୟଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଫଳ ହେବା ପରେ ହିଁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣୀ ଶେଷରେ ମଧ୍ୟ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ମାମଲାରେ ବିବାଦିତ ବିଷୟର ପରିସର ସଂକୁଚିତ କରିବା ପାଇଁ ତିନିଦିନ ସମୟ ପ୍ରଦାନ କରିଥିଲେ ।[୪]

ପରିଶେଷରେ ୨୦୧୯ ନଭେମ୍ବର ୯ ତାରିଖଦିନ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା ।[୫] ରାୟ ମୁତାବକ ଏହି ବିବାଦିତ ସ୍ଥଳ ସରକାରଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ଏବଂ ଏହି ଟ୍ରଷ୍ଟଦ୍ୱାରା ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ । ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାନ ଲାଗି ୫ ଏକର ଯାଗା ପ୍ରଦନ କରିବେ । ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ ।[୬]

ଓଡ଼ିଶା ସଂଦର୍ଭ ସମ୍ପାଦନା

ଉଚ୍ଚତମ ନ୍ୟୟାଲୟଙ୍କ ୧୦୪୫ ପୃଷ୍ଠା ବିଶିଷ୍ଟ ରାୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦୁଇଟି ରାୟର ସଂଦର୍ଭ ଉଲ୍ଲେଖ ରହିଛି । ପ୍ରଥମ ମାମଲା ହେଉଛି ୧୯୬୬ ମସିହାର ମହନ୍ତ ଶ୍ରୀନିବାସ ରାମାନୁଜ ବନାମ ସୁର୍ଯ୍ୟନାରାୟନ ଦାସ ଏବଂ ଦ୍ୱୀତୀୟ ମାମଲାଟି ହେଉଛି ରାଧାକୃଷ୍ଣ୍ଣ ଦାସ ବନାମ ରାଧାରମଣ ସ୍ୱାମୀ[୭][୮]

ଆହୁରି ଦେଖନ୍ତୁ ସମ୍ପାଦନା

ରାମ ଜନ୍ମଭୂମି ବିବାଦ

ଆଧାର ସମ୍ପାଦନା

  1. "Ayodhya dispute: The complex legal history of India's holy site". BBC News. 16 October 2019. Retrieved 16 October 2019.
  2. Gist of Judgements by Justices S. U. Khan, Sudhir Agarwal and Dharam Veer Sharma, Allahabad High Court, 6 October 2010
  3. "Ayodhya: Allahabad High Court judgment of 2010 explained". Bar & Bench. 8 November 2019. Retrieved 11 November 2019.
  4. "Ayodhya case: SC concludes hearing". The Times of India.
  5. "Ayodhya verdict live updates: Supreme Court delivers judgement on Ram Mandir-Babri Masjid case". The Times of India (in ଇଂରାଜୀ). Retrieved 2019-11-09.
  6. "No regret over SC saying Nirmohi Akhara not 'shebait' of deity Ram Lalla: Outfit". The Times of India. 9 November 2019.
  7. "Case Studies Of Odisha That Were Pivotal During Ayodhya Verdict | OTV". www.odishatv.in. Archived from the original on 11 November 2019. Retrieved 11 November 2019.
  8. "Ayodhya Verdict: Full text of Supreme Court's judgment in the Ram Janmabhoomi-Babri Masjid land dispute case". www.Moneycontrol.com. Retrieved 11 November 2019.