ରାଜ ମରିଚ (ଈଂରାଜୀରେ Ghost Pepper ବା Ghost Chili) ଏକ ପ୍ରକାରର କଲମୀ ବା ଶଂକର ଜାତୀୟ ଲଙ୍କା । ଭାରତରେ ମିଳୁଥିବା ସମସ୍ତ ପ୍ରକାରର ଲଙ୍କା ମଧ୍ୟରୁ ଏହା ସବୁଠାରୁ ଅଧିକ ରାଗ ବୋଲି କୁହାଯାଏ । ଏହି ଲଙ୍କାର ଅନ୍ୟ କେତେକ ସ୍ଥାନୀୟ ନାମ ହେଲା : ଭୂତ୍ ଜୋଲୋକିୟା, ଊ-ମୋରୋକ୍, ଲାଲ୍ ନାଗା, ନାଗା ଜୋଲୋକିୟା ଇତ୍ୟାଦି । ଏହି ମରିଚ ମୁଖ୍ୟତଃ ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲ୍ୟାଣ୍ଡମଣିପୁର ଇତ୍ୟାଦି ରାଜ୍ୟମାନଙ୍କରେ ଚାଷ କରାଯାଏ ।[୧][୨] ଚୀନୀ ଶିମଳାଲଙ୍କା ଓ ଫ୍ରୁଟେଶିନ୍ସ ଶିମଳାଲଙ୍କାର କଲମୀକରଣରୁ ଏହି ମରିଚର ସୃଷ୍ଟି ଏବଂ ଏହି ମରିଚ ବଙ୍ଗଳାଦେଶରେ ମିଳୁଥିବା ନାଗା ମୋରିଚ୍‍ର ନିକଟ ସମ୍ପର୍କୀୟ ।[୩]

ରାଜ ମରିଚ
ରାଜା ମରିଚ
ହାଇବ୍ରିଡ଼ ପିତାମାତା
ଚୀନୀ ଶିମଳାଲଙ୍କାଫ୍ରୁଟେଶିନ୍ସ ଶିମଳାଲଙ୍କାର ଶଂକର
ଜନ୍ମ
ଆସାମ, ନାଗାଲାଣ୍ଡ, ଉତ୍ତର-ପୂର୍ବ ଭାରତ

୨୦୦୭ ମସିହାରେ ଗିନିଜ୍ ବୁକ୍ ଅଫ୍ ୱଲ୍ଡ୍ ରେକର୍ଡ୍ସରେ ରାଜ ମରିଚକୁ ବିଶ୍ୱର ସବୁଠାରୁ ରାଗ ଲଙ୍କା ବୋଲି ମାନ୍ୟତା ମିଳିଥିଲା । ମେକ୍ସିକୋର ପ୍ରସିଦ୍ଧ ରାଗ ଶସ୍ ଟାବାସ୍କୋଠାରୁ ରାଜ ମରିଚ ୪୦୦ ଗୁଣ ଅଧିକ ରାଗ । ମରିଚର ରାଗକୁ ସ୍କୋଭିଲ୍ ରାଗ ଏକକ (Scoville Heat Unit - SHU)ଦ୍ୱାରା ମପାଯାଏ ଓ ରାଜ ମରିଚ କ୍ଷେତ୍ରରେ ଏହାର ମାନ ୧୦ ଲକ୍ଷରୁ ବି ଅଧିକ । ତେବେ କଲମୀକରଣରୁ ପ୍ରାପ୍ତ ଅନ୍ୟ କେତେକ ଲଙ୍କା ଏହାକୁ ପଛରେ ପକାଇ ଦେଇଛନ୍ତି । ସେମାନେ ହେଲେ - ୨୦୧୧ ମସିହାରେ ଉଦ୍ଭାବିତ ଇନ୍‍ପିନିଟି ଚିଲି, ତାହା ପରେ ନାଗା ଭାଇପର୍ ଶିମଳାଲଙ୍କା, ୨୦୧୨ ମସିହାରେ ତ୍ରିନିଦାଦ୍ ମୋରୁଗା ସ୍କର୍ପିୟନ୍ ଓ ସର୍ବଶେଷରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ କ୍ୟାରୋଲିନା ରୀପର୍ ସବୁଠାରୁ ରାଗ ଲଙ୍କା ଭାବେ ଘୋଷିତ ହୋଇଛନ୍ତି ।[୪]

ନାମକରଣ ସମ୍ପାଦନା

ବିଭିନ୍ନ ସ୍ଥାନରେ ରାଜ ମରିଚ ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଆସାମର ଅଧିକାଂଶ ସ୍ଥାନରେ ଏହାକୁ ଭୂତ୍ ଜୋଲୋକିୟା (ভোট জলকীয়া)ବା ବିହ୍ ଜୋଲୋକିୟା (বিহ জলকীয়া)କୁହାଯାଏ । ଏହି ମରିଚର ଅହମିୟା ଭାଷାର ନାମରେ ଥିବା ଭୂତ୍ (ভোট) ଶବ୍ଦଟି ଭୂଟାନୀରୁ ଗୃହୀତ । ଆସାମରେ ବିଭିନ୍ନ ଜାତିର ନାମରେ ବିଭିନ୍ନ ଗଛର ନାମ ରଖାଯାଉଥିବାରୁ ଏପରି ନାମକରଣ ସମ୍ଭବପର । ହେଲେ ଏହି ମରିଚ ପ୍ରଥମେ ଭୂଟାନରେ ଉତ୍ପତ୍ତି ହୋଇଥିଲା ବୋଲି କହିବା ଭୁଲ ହେବ । ଆସାମର ଅନ୍ୟ କିଛି ଅଞ୍ଚଳରେ ରାଜ ମରିଚକୁ ଲୋକେ ନୋଗା ଜୋଲୋକିୟା (নগা জলকীয়া)ବୋଲି ମଧ୍ୟ କହିଥାନ୍ତି । ଏହି ନାମଟି ନାଗାଲ୍ୟାଣ୍ଡର ପାହାଡ଼ ଓ ସମତଳ ଅଞ୍ଚଳରେ ବସବାସ କରୁଥିବା ବୀର ନାଗା ଯୋଦ୍ଧାଙ୍କ ନାମାନୁସାରେ ଦିଆଯାଇଛି ।[୫] ଏହାର ବଡ଼ ଆକାର ପାଇଁ ୨୦୦୯ ମସିହାରେ ଏକ ନୂଆ ଈଂରାଜୀ ନାମ "ନାଗା କିଂଗ୍ ଚିଲି" (Naga king chili – ନାଗା ରାଜ ମରିଚ) ମଧ୍ୟ ଶୁଣାଯାଇଥିଲା ।[୬][୭] ନାଗାଲ୍ୟାଣ୍ଡର କଥିତ ଭାଷାରେ ଏହି ଲଙ୍କାକୁ ରାଜା ମିର୍ଚା or ରାଜା ମିର୍ଚି ବୋଲି କୁହାଯାଉଥିବାରୁ ଏପରି ନୂଆ ଈଂରାଜୀ ନାମ ସୃଷ୍ଟି ହୋଇଥାଇପାରେ । ତେବେ ଅହମିୟା ଭାଷାର ନାମ ଭୂତ୍ ଜୋଲୋକିୟା ଓ ବିହ୍ ଜୋଲୋକିୟା ଭାରତରେ ଏହାର ସବୁଠାରୁ ଅଧିକ ବୋଲାଯାଉଥିବା ନାମ । ଆସାମରେ ପ୍ରଚଳିତ ଭାଷା ଅନୁସାରେ ବିହ୍‍ର ଅର୍ଥ ହେଲା ବିଷ ଓ ଜୋଲୋକିୟାର ଅର୍ଥ ହେଲା ଶିମଳାଲଙ୍କା । ରାଜ ମରିଚ ଉଦ୍ଦେଶ୍ୟରେ କେହି କେହି ରହସ୍ୟମୟୀ ଭାରତୀୟ ମରିଚ, ଭାରତୀୟ କର୍କଷ ମରିଚ ଓ ଶାଗା ଜ୍ଲୋକିୟା ଇତ୍ୟାଦି ନାମର ପ୍ରୟୋଗ ମଧ୍ୟ କରିଥାନ୍ତି ।[୬][୮] ଆସାମର ତେଜପୁର ସହର ନାମରେ ଏହାକୁ "ତେଜପୁର ମରିଚ" ବୋଲି ମଧ୍ୟ କୁହାଯାଏ ।[୫] ମଣିପୁରରେ ରାଜ ମରିଚକୁ ଊ-ମୋରୋକ୍ ବୋଲି କୁହନ୍ତି । ମଣିପୁରୀ ଭାଷାରେ ଊ ଶବ୍ଦର ଅର୍ଥ ହେଲା ଗଛ ଓ ମୋରୋକ୍ ଶବ୍ଦର ଅର୍ଥ ହେଲା ଲଙ୍କା । କୁକୀମାନେ ରାଜ ମରିଚକୁ ମାଲ୍ଚା-ଫୋଃ (ଯାହାର ଅର୍ଥ ସବୁଠାରୁ ତିକ୍ତ ବା ରାଗ ଲଙ୍କା) କହିଥନ୍ତି ।[୯]

ସ୍କୋଭିଲ୍ ମାନଦଣ୍ଡ ସମ୍ପାଦନା

୨୦୦୦ ମସିହାରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରୟୋଗଶାଳା (DRL) ସ୍କୋଭିଲ୍ ଏକକରେ ରାଜ ମରିଚର ରାଗର ମାପ ୮୫୫୦୦୦ SHU ବୋଲି ପ୍ରକାଶ କରିଥିଲା ।[୧୦] ୨୦୦୪ ମସିହାରେ ଅଧିକ ସଠିକ୍ ପରୀକ୍ଷଣ କରାଯିବାରୁ ଜଣା ପଡ଼ିଲା ଯେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୧୦୪୧୪୨୭ SHU ।[୧୧] ତୁଳନାତ୍ମକ ଭାବେ ଦେଖିଲେ ଟାବାସ୍କୋ ଶସ୍ ୫୦୦୦-୧୦୦୦୦ ଏବଂ କେବଳ କାପାଶିସିନ୍ (ଯେଉଁ ଉପାଦାନ ଯୋଗୁଁ ଲଙ୍କା ରାଗ ଲାଗେ) ୧୬୦୦୦୦୦୦ SHU ଏକକ ।

୨୦୦୫ ମସିହାରେ ଲାସ୍ କ୍ରୁସେସ୍‍ସ୍ଥିତ ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟର ଚିଲି ପେପର୍ ଅନୁଷ୍ଠାନ[୧୨] ଜାଣିବାକୁ ପାଇଲା ଯେ ରାଜ ମରିଚର ମଞ୍ଜି ପୋତି ଦକ୍ଷିଣ ନ୍ୟୁ ମେକ୍ସିକୋରେ ଉତ୍ପନ୍ନ ହୋଇଥିବା ରାଜ ମରିଚର ସ୍କୋଭିଲ୍ ସଂଖ୍ୟା ପ୍ରାୟ ୧୦୦୧୩୦୪ SHU ।[୧]

 
୩୦ ଦିନର ରାଜ ମରିଚ ଗଛ

କେଉଁ ରାଜ ମରିଚ କେତେ ରାଗ ତାହା ମୁଖ୍ୟତଃ ଜଳବାୟୁ ଉପରେ ନିର୍ଭର କରେ । ୨୦୦୫ ମସିହରେ କରାଯାଇଥିବା ଏକ ପରୀକ୍ଷଣ ଅନୁସାରେ ଆସାମର ତେଜପୁରରେ ମିଳୁଥିବା ରାଜ ମରିଚ ଗ୍ୱାଲିୟର୍‍ର ଶୁଷ୍କ ଜଳବାୟୁରେ ଉତ୍ପନ୍ନ ରାଜ ମରିଚଠାରୁ ଦୁଇ ଗୁଣ ଅଧିକ ରାଗ ।[୧୩] ମଣିପୁର ବିଶ୍ୱବିଦ୍ୟାଳୟର କେତେକ ଗବେଷକ ପରୀକ୍ଷା କରି ଦେଖିଥିଲେ ଉତ୍ତର ପୂର୍ବ ଭାରତ ଛଡ଼ା ଭାରତର ଅନ୍ୟ ସ୍ଥାନରେ ଚାଷ କରାଗଲେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୩୨୯୧୦୦ SHU ହୋଇଥାଏ ।[୯]

ରାଜ ମରିଚର ସମଗ୍ର ଫଳରେ କାପାଶିସିନ୍ ନାମକ ରାସାୟନିକ ଏକ ଉପାଦାନ ରହିଥାଏ । ଅନ୍ୟ ବହୁତ ପ୍ରକାରର ଲଙ୍କାରେ କିନ୍ତୁ ଏହି ଉପାଦାନ କେବଳ ମଞ୍ଜି ଓ ମଞ୍ଜିକୁ ଧରି ରଖିଥିବା ପ୍ଲାସେଣ୍ଟାରେ ମିଳେ ।[୧୪]

ଆକୃତି ପ୍ରକୃତି ସମ୍ପାଦନା

ପାଚିଲା ରାଜ ମରିଚ ୬୦ରୁ ୮୫ ମିଲିମିଟର୍ ଲମ୍ବା ଓ ୨୫ରୁ ୩୦ ମିଲିମିଟର୍ ମୋଟା ହୋଇଥାନ୍ତି । ପାଚିଲା ରାଜ ମରିଚ ଲାଲ୍, ହଳଦିଆ, କମଳା ବା ଚକୋଲେଟ୍ ରଙ୍ଗର ହୋଇଥାଏ । ଭାରତରେ ରାଜ ମରିଚର ବିଭିନ୍ନ ପ୍ରକାର ଦେଖିବାକୁ ମିଳିଥାଏ । ରାଜ ମରିଚର ବାହ୍ୟ ଆକୃତି ଭାରତରେ ମିଳୁଥିବା ଅନ୍ୟ ଶିମଳାଲଙ୍କା ଓ ସାଧାରଣ ଲଙ୍କାଠାରୁ ପତଳା ଓ ଭିନ୍ନ ।[୧୫] ଲାଲ୍ ରଙ୍ଗର ରାଜ ମରିଚର ଦୁଇଟି ପ୍ରକାର ରହିଛି – ଗୋଟିଏର ଚୋପା ଚିକ୍କଣିଆ ହୋଇଥିବା ବେଳେ ଅନ୍ୟଟି ଟିକିଏ ଖଦଡ଼ା । ଖଦଡ଼ା ରାଜ ମରିଚ ଗଛ ଅପେକ୍ଷାକୃତ ଉଚ୍ଚା ଓ ଏହାର ଡାଳ ଦୃଢ଼ ନୁହେଁ । ଚିକ୍କଣିଆ ରାଜ ମରିଚ ଗଛରେ ଅଧିକ ଫଳ ଲାଗେ, ଏହି ଗଛର ଆକାର ଛୋଟ କିନ୍ତୁ ଦୃଢ଼ ଶାଖାବିଶିଷ୍ଟ ହୋଇଥାଏ ।[୧୬]

ଉପଯୋଗ ସମ୍ପାଦନା

 
ଭୂତ୍ ଜୋଲୋକିୟା (ভূত-জলকীয়া)

ସାଧାରଣ ମରିଚ ପରି ରାଜ ମରିଚ ମଧ୍ୟ ଖାଦ୍ୟରେ ବ୍ୟବହୃତ ହୁଏ । ଗ୍ରୀଷ୍ମ ଋତୁରେ ଅଧିକ ଉତ୍ତାପରୁ ବଞ୍ଚିବା ପାଇଁ ମଧ୍ୟ ଲୋକେ ରାଜ ମରିଚ ଖାଆନ୍ତି ।[୨] ତରକାରୀ, ଆଚାର ଓ ଚଟଣିକୁ ରାଗ କରିବା ପାଇଁ ଏହି ମରିଚ ବ୍ୟବହାର କରାଯାଏ । ଏହି ମରିଚକୁ ଲୋକେ ଖରାରେ ଶୁଖାଇ ମଧ୍ୟ ଏହାକୁ ଖାଇବା ପାଇଁ ବ୍ୟବହାର କରନ୍ତି । ଏହି ମରିଚକୁ ଶିଳରେ ବାଟି ସେଥିରୁ ତିଆରି ହେଉଥିବା ଚଟଣି ଉତ୍ତର-ପୂର୍ବ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଘୁଷୁରୀ ମାଂସ ଓ ଶୁଖୁଆ ସହିତ ରାଜ ମରିଚର ଯୋଡ଼ି ଭାରି ଲୋକପ୍ରିୟ । ଭାରତର ଉତ୍ତର-ପୂର୍ବରେ ଲୋକେ ରାଜ ମରିଚ ଗୁଣ୍ଡ ନିଜ ଘର ଚାରିପଟେ ରହିଥିବା ଘେରି ବାଡ଼ ଉପରେ ଛିଞ୍ଚି ଦିଅନ୍ତି ବା ଧୂଆଁ ବାଣରେ ରାଜ ମରିଚ ଗୁଣ୍ଡ ବ୍ୟବହାର କରାଯାଏ । ବଣୁଆ ହାତୀମାନଙ୍କୁ ଗାଁଠାରୁ ଓ ଚାଷଜମିରୁ ଦୂରେଇ ରଖିବା ପାଇଁ ଏପରି କରାଯାଇଥାଏ ।[୧୭][୧୮] ଅତ୍ୟଧିକ ରାଗ ହୋଇଥିବାରୁ ବିଶ୍ୱରେ ଆୟୋଜିତ ବିଭିନ୍ନ ରାଗ ଜିନିଷ ଖାଇବା ପ୍ରତିଯୋଗିତାରେ ରାଜ ମରିଚ ଉପସ୍ଥିତ ଥାଏ ।[୧୯]

ପ୍ରତିରକ୍ଷା ସାମଗ୍ରୀ ସମ୍ପାଦନା

୨୦୦୯ ମସିହାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO)ର ବୈଜ୍ଞାନିକମାନେ ହାତ ବୋମାରେ ଲଙ୍କା ମରିଚ ଗୁଣ୍ଡ ବ୍ୟବହାର କରିବାର ପ୍ରସ୍ତାବ ରଖିଥିଲେ । ଲୁକ୍କାୟିତ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅନ୍ୟ ରାସାୟନିକ ଓ ଗ୍ୟାସୀୟ ବୋମା ତୁଳନାରେ ଏହା କମ୍ ମରଣାନ୍ତକ । ଦୁର୍ବୃତ୍ତ ଓ ଅସାମାଜିକ ଲୋକଙ୍କଠାରୁ ନିଜର ସୁରକ୍ଷା ପାଇଁ ମହିଳାମାନଙ୍କୁ ଯେଉଁ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିବାପାଇଁ କୁହାଯାଏ, ସେଥିରୁ କେତେକ ସ୍ପ୍ରେରେ ରାଜ ମରିଚ ଗୁଣ୍ଡ ବ୍ୟବହୃତ ହୁଏ ।[୨୦][୨୧] ରାଜ ମରିଚ ଗୁଣ୍ଡର ବ୍ୟବହାର କରି ତିଆରି ହୋଇଥିବା ବୋମା, ଧୂଆଁବାଣ ଇତ୍ୟାଦି ଉତ୍ତେଜିତ ଆନ୍ଦୋଳନକାରୀଙ୍କୁ ଇତଃସ୍ତତଃ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି DRDO ମତ ରଖିଥିଲା ।[୨୨]

୨୦୧୫ ମସିହା ଅଗଷ୍ଟ ମାସରେ ଗୁମ୍ଫା ମଧ୍ୟରେ ଲୁଚି ରହିଥିବା ସଜ୍ଜଦ୍ ଅହମଦକୁ ବାହାର କରାଇବା ପାଇଁ ଭାରତୀୟ ସୈନିକମାନେ ରାଜ ମରିଚ ଗୁଣ୍ଡ ଥିବା ବୋମା ବ୍ୟବହାର କରିଥିଲେ ଓ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲେ ।[୨୩]

୨୦୧୬ ମସିହା ଅଗଷ୍ଟ ମାସରେ ଭାରତୀୟ ସୁରକ୍ଷା ସେନାନୀମାନେ କାଶ୍ମୀରରେ ବିବାଦୀୟ ପେଲେଟ୍ ଗନ୍ ପରିବର୍ତ୍ତେ ଲଙ୍କାଗୁଣ୍ଡ ବୋମା ବ୍ୟବହାର କରିବେ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଥିଲେ ।[୨୪]

ନାଗା ମରିଚ ସମ୍ପାଦନା

ଡୋର୍ସେଟ୍ ନାଗା ହେଉଛି ବଙ୍ଗଳାଦେଶୀ ନାଗା ମରିଚର ଏକ ଉପଶ୍ରେଣୀ ।[୨୫]

୨୦୦୫ ମସିହାରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ମିଳୁଥିବା ଭିନ୍ନ ଭିନ୍ନ ଡୋର୍ସେଟ୍ ନାଗା ଲଙ୍କାର ରାଗ ପରୀକ୍ଷା କରାଯାଇଆସୁଛି । ଭିନ୍ନ ଜଳବାୟୁ ଓ ପରିପକ୍ୱତାରେ ରହିଥିବା ଏହି ଲଙ୍କାର ରାଗ ସ୍କୋଭିଲ୍ ମାପ ୬୬୧୪୫୧ SHU (୨୦୦୭ରେ ପରୀକ୍ଷା କରାଯାଇଥିବା କଞ୍ଚା ମରିଚ)ରୁ ଆରମ୍ଭ କରି ୧୦୩୨୩୧୦ SHU (୨୦୦୯ରେ ପରୀକ୍ଷା କରାଯାଇଥିବା ପାଚିଲା ଲଙ୍କା) ପର୍ଯ୍ୟନ୍ତ ହୋଇପାରେ ।[୨୬]

ବିବିସି (BBC)ଦ୍ୱାରା ନିର୍ମିତ ଗାର୍ଡେନର୍‍ସ୍ ୱଲ୍ଡ୍ (Gardeners' World) କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚର ରାଗ ଆହୁରି ଅଧିକ ବୋଲି କୁହାଯାଇଥିଲା । ୨୦୦୬ ମସିହାରେ ଏକ କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚ ସମେତ ଅନେକ ଲଙ୍କାର ରାଗ ପରୀକ୍ଷା କରାଗଲା । ୱାର୍ୱିକ୍ HRIଙ୍କଦ୍ୱାରା କରାଯାଇଥିବା ଏହି ପରୀକ୍ଷଣରେ ଡୋର୍ସେଟ୍ ନାଗା ମରିଚର ରାଗ ସ୍ତର ପ୍ରାୟ ୧୫୯୮୨୨୭ SHU ବୋଲି ସ୍ଥିର କରାଯାଇଥିଲା । ସେତେବେଳେ ଏହାକୁ ସବୁଠାରୁ ରାଗ ମରିଚ ବୋଲି କୁହାଗଲା ।[୨୫][୨୭]

ଚିତ୍ର ଗ୍ୟାଲେରି ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ Shaline L. Lopez (2007). "NMSU is home to the world's hottest chile pepper". Archived from the original on 2007-02-19. Retrieved 2007-02-21.
  2. ୨.୦ ୨.୧ "'Ghost chile' burns away stomach ills - Diet & Nutrition - MSNBC.com:". Associated Press. 2007. Retrieved 2007-08-05.
  3. Paul W. Bosland and Jit B. Baral (2007). "'Bhut Jolokia'—The World's Hottest Known Chile Pepper is a Putative Naturally Occurring Interspecific Hybrid" (PDF). Horticultural Science. 42 (2): 222–4.
  4. "Hottest Chili". Guinness World Records. Retrieved December 26, 2013.
  5. ୫.୦ ୫.୧ DeWitt, Dave; Bosland, Paul W. (2009). The Complete Chile Pepper Book. Timber Press. p. 158. ISBN 0-88192-920-4.
  6. ୬.୦ ୬.୧ Raktim Ranjan Bhagowati; et al. (2009). "Genetic Variability and Traditional Practices in Naga King Chili Landraces of Nagaland" (PDF). Asian Agri-History. 13 (3): 171–180. Archived from the original (PDF) on 2011-07-20.
  7. "Northeast 'Hottest' chef gets a taste of hottest jolokia". The Telegraph. Calcutta. 2009-04-10. Retrieved 2010-01-19.
  8. Rajghatta, Chidanand (6 September 2009). "Saga Jolokia: Indian chilli acquires cult following in US". The Economic Times. New Dehli, India. Retrieved 24 April 2012.
  9. ୯.୦ ୯.୧ Sanatombi K., G. J. Sharma (2008). "Capsaicin Content and Pungency of Different Capsicum spp. Cultivars". Not. Bot. Hort. Agrobot. Cluj. 36 (2): 89–90. ISSN 1842-4309. Archived from the original (PDF) on 2011-08-23.
  10. Mathur R; et al. (2000). "The hottest chili variety in India" (PDF). Current Science. 79 (3): 287–8.
  11. "Bih jolokia". 2006. Retrieved 2006-12-12.
  12. "NMSU: The Chile Pepper Institute - Home". The Chile Pepper Institute. Retrieved 2012-07-20.
  13. Tiwari A; et al. (2005). "Adaptability and production of hottest chili variety under Gwalior climatic conditions" (PDF). Current Science. 88 (10): 1545–6.
  14. Bosland, Paul; Coon, Danise; Cooke, Peter H. (June 2015). "Novel Formation of Ectopic (Nonplacental) Capsaicinoid Secreting Vesicles on Fruit Walls Explains the Morphological Mechanism for Super-hot Chile Peppers". Journal of the American Society for Horticultural Science. 140 (3): 253–256.
  15. Barker, Catherine L. (2007). "Hot Pod: World's Hottest". National Geographic Magazine. Vol. 2007, no. May. p. 21.
  16. Dremann, Craig Carlton. 2011. Redwood City Seed Company, Observations on the variations in the Bhut Jolokia pepper from seed reproduction growouts.
  17. Hussain, Wasbir (2007-11-20). "World's Hottest Chile Used as Elephant Repellent". National Geographic. Retrieved 2007-11-21.
  18. "Ghost Chile Scares Off Elephants". National Geographic News website. National Geographic. 2007-11-20. Retrieved 2008-08-18.
  19. Mary Roach (June 2013). "The Gut-Wrenching Science Behind the World's Hottest Peppers". Smithsonian Magazine. Archived from the original on 2013-12-27. Retrieved 2018-03-11.
  20. "Army's new weapon: world's hottest chili - Trends News - IBNLive". Ibnlive.in.com. 2010-03-24. Archived from the original on 2010-03-27. Retrieved 2012-11-06.
  21. "South Asia | India plans hot chilli grenades". BBC News. 2009-06-25. Retrieved 2010-04-11.
  22. Bhaumik, Subir (24 March 2010). "India scientists hail 'multi-purpose' chillis". BBC News. City of Westminster, England: BBC. Retrieved 24 April 2012.
  23. "Army used 'chilly grenades' to flush out Pak terrorist Sajjad Ahmed from a cave". Indian Express.
  24. Srinagar (August 26, 2016). "India finds alternative to Kashmir pellet guns: Chilli-filled grenades". World is One News. Zee Media Corporation Ltd.
  25. ୨୫.୦ ୨୫.୧ "Some Like It Hot: Dorset's Ultra-Hot Chillies". Archived from the original on 19 November 2012. Retrieved 25 August 2010.
  26. "Dorset Naga". Dorset Naga. Retrieved 2012-07-20.
  27. "Gardening: 20 October 2006". bbc.co.uk. London: BBC. 20 October 2006. Gardeners' World's hottest chillies. Archived from the original on 17 January 2008. Retrieved 20 July 2012.