ମୋଗଲ ତାମସା
ମୋଗଲ ତାମସା ଭଦ୍ରକ ଜିଲ୍ଲାରେ ପ୍ରଚଳିତ ଏକ ନାଟ୍ୟ ପରମ୍ପରା ।[୧] ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ସ୍ଥାପନା ପାଇଁ ଏହି କଳାର ସୃଷ୍ଟି କରାଯାଇଥିଲା ।[୨][୩][୪]
ମୋଗଲ ତାମସା | |
---|---|
ମାଧ୍ୟମ | ଗୀତ-ନାଟ-ସଂଳାପ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଓଡ଼ିଶା, ଭାରତ |
ସମୟ କାଳ | ମୋଗଲ ଶାସନ |
ଇତିହାସ
ସମ୍ପାଦନା୧୭୦୦ ମସିହା ପ୍ରାରମ୍ଭରେ ବଙ୍ଗରେ ମୁର୍ସିଦ କୁଲିଙ୍କ ଶାସନ ଥିଲା । ଓଡ଼ିଶା ବଙ୍ଗ ଅଧିନରେ ଥିଲା ଓ ମୁର୍ସିଦ କୁଲିଙ୍କ ଜାମାତା ଥିଲେ ଓଡ଼ିଶାର ନାଏବ ନଜିମ ବା ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ । ମୁର୍ସିଦ କୁଲି ଜଣେ ଉଦାରବାଦୀ ଶାସକ ଥିଲେ । ସେ ଔରଙ୍ଗଜେବଙ୍କଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ହିନ୍ଦୁ ବିରୋଧୀ ନୀତିର ପ୍ରଚଳନ ବନ୍ଦ କରାଇଥିଲେ । ତାଙ୍କ ଶାସନ ସମୟରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସଦଭାବ ସ୍ଥାପନା ପାଇଁ ଅନେକ ଉଦ୍ୟମ କରାଯାଇଥିଲା । ସେହିପରି ଏକ ଉଦ୍ୟମ ଥିଲା ମୋଗଲ ତାମସା । ବଂଶୀବଲ୍ଲଭ ଗୋସ୍ବାମୀ ଏହି ନାଟ୍ୟକଳାର ପରିକଳ୍ପନା ଏବଂ ପ୍ରଥମ ମଞ୍ଚାୟନ କରାଇଥିଲେ । ବଂଶୀବଲ୍ଲଭ ୧୭୨୮ ମସିହାରେ ମୋଗଲ ତାମସା ଲେଖିଥିଲେ ବୋଲି ଉଲ୍ଲେଖ ରହିଛି । ନାଟକ ଗୁଡ଼ିକ ସେ ମଞ୍ଚରେ ପ୍ରଦର୍ଶନ କରାଉଥିଲେ ଓ ତାଳପତ୍ର ପୋଥିରେ ସେଗୁଡ଼ିକୁ ଲେଖି ରଖୁଥିଲେ ।[୫]
ବୈଶିଷ୍ଟ୍ୟ
ସମ୍ପାଦନାମୋଗଲ ତାମସା ଏକ ହାସ୍ୟୋଦ୍ଦୀପକ ମନୋରଂଜନଧର୍ମୀ ନାଟକ । ଉଭୟ ହିନ୍ଦୁ ଓ ମୁସଲମାନ ଧାର୍ମିକ ପରମ୍ପରାର ଜୟଗାନ କରିବା ନାଟକର ବୈଶିଷ୍ଟ୍ୟ ଥିଲା। ଏଥିରେ ସାମନ୍ତବାଦୀ ଆଭିଜାତ୍ୟର ମଧ୍ୟ ଉପହାସ କରାଯାଇଥାଏ । ଏହି ନାଟକରେ ହିନ୍ଦୁ ସନ୍ନ୍ୟାସୀ, ମୁସଲିମ ଫକିର, ମିର୍ଜା ସାହେବ, ଓଡ଼ିଆ ଗ୍ରାମୀଣ ଲୋକେ ଆଦି ଚରିତ୍ରମାନ ରହିଥାନ୍ତି । ଏହି ନାଟକରେ ସାଂସ୍କୃତିକ ଏବଂ ଧାର୍ମିକ ସମନ୍ବୟ ସାଙ୍ଗରେ ଭାଷାର ସମନ୍ବୟ ମଧ୍ୟ ଦେଖିବାକୁ ମିଳେ । ଏଥିରେ ଓଡ଼ିଆ ବ୍ୟତୀତ ପାର୍ସୀ, ଊର୍ଦ୍ଦୁ, ଆରବୀ, ବଙ୍ଗଳା ଓ ସଂସ୍କୃତର ବ୍ୟବହାର କରାଯାଏ । ନାଟକରେ ଭୂମିକା ବା ଚରିତ୍ର ଅନୁଯାୟୀ ଭାଷା ଓ ସଂଳାପ ନଥାଏ । ଏଥିରେ ସାଧାରଣ ଚାକର ପିଲା ସଂସ୍କୃତ କହେ, ମୁସଲିମ ଫକିର ଶିବ ବନ୍ଦନା ଗାଏ ଏବଂ ମିର୍ଜା ସାହେବ ଭୂମିକାଟି ଆଭିଜାତ୍ୟ ବର୍ଗର ପ୍ରତୀକ ହେବା ସତ୍ତ୍ବେ ପାର୍ସୀ ସହିତ ଓଡ଼ିଆ ଭାଷାରେ ସଂଳାପ କହେ । ଭାୟୋଲିନ୍, ପଖୋଉଜ, ଯୋଡ଼ି-ତରଙ୍ଗ, ଗିନି, ହାର୍ମୋନିଅମ ଓ ତବଲା ଭଳି ଅନ୍ୟୁନ୍ୟ ୬ଟି ବାଦ୍ୟଯନ୍ତ୍ର ଏହି ନାଟକରେ ବ୍ୟବହାର କରାଯାଏ ।
ପୁନରୁଦ୍ଧାର
ସମ୍ପାଦନା୧୭୦୦ ମସିହାର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିବା ଏହି ନାଟ୍ୟକଳା ସମୟକ୍ରମେ ଲୋପପାଇବାକୁ ଲାଗିଲା । ୧୯୬୬ ମସିହାରେ ସଂସ୍କୃତି ଗବେଷକ କୃଷ୍ଣଚରଣ ବେହେରା, ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ସମୟରେ ମୋଗଲ ତାମସା କଳାକାରମାନେ ମନେ ରଖିଥିବା ସଂଳାପକୁ ରେକଡ଼ିଂ କରାଇଥିଲେ ଓ ତାଳପତ୍ର ପାଣ୍ଡୁଲିପିଗୁଡ଼ିକୁ କାଗଜରେ ଲେଖାଇଥିଲେ । ଏହି ଉଦ୍ୟମ ଯୋଗୁଁ ୨୫୦ ବର୍ଷ ପୁରୁଣା ଲୋକକଳାର ବହୁ ପରିମାଣରେ ପୁନରୁଦ୍ଧାର ହୋଇପାରିଥିଲା ।[୬]
ଆଧାର
ସମ୍ପାଦନା- ↑ Indian Folk-lore Society (1985). Folk-lore. Indian Publications. Retrieved 31 January 2024.
- ↑ Chakra, Shyamhari (4 February 2021). "A theatre, a people and peace". The Hindu. Retrieved 31 January 2024.
- ↑ Banerjee, H. (2023). Beyond Punjab: Sikhs in East and Northeast India. Taylor & Francis. p. 51. ISBN 978-1-000-80028-9. Retrieved 31 January 2024.
- ↑ Mahapatra, S.; Das, H.C.; Biswal, A. (2001). Rethinking Indian Culture: Challenges and Responses. Rethinking Indian Culture: Challenges and Responses. Institute of Oriental & Orissan Studies. Retrieved 31 January 2024.
- ↑ Seagull Foundation for the Arts (1996). Seagull Theatre Quarterly. Seagull Foundation for the Arts. Retrieved 31 January 2024.
- ↑ Bureau, Sambad (31 January 2024). "ସାମାନ୍ୟ କଥନ: ସାଂପ୍ରଦାୟିକ ସଂପ୍ରୀତି ଓ ମୋଗଲ ତାମସା". Sambad. Retrieved 31 January 2024.