ପ୍ରତିଷ୍ଠା ସମ୍ପାଦନା

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ବାଶୁଳୀ ପ୍ରତ୍ୟକ୍ଷ ଦେବୀ ରୂପେ ବିରାଜିତ । ୧୨୦୦ ଖ୍ରୀ.ରେ ଏହି ଅଂଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଏବଂ ଦେବଗିରି ସନ୍ନ୍ୟାସ ନାମକ ଜଣେ ଋଷି ଏହି ଜଙ୍ଗଲରେ ହୋମଯଜ୍ଞ ଓ ସାଧନା କରୁଥିଲେ ।ତେବେ କିମ୍ବଦନ୍ତୀରୁ ଜଣାଯାଏ ଉତ୍କଳର ସମ୍ରାଟ ଲାଙ୍ଗୁଳା ନରସିଂହ ଦେବ ପୂର୍ବୋତ୍ତରସୀମାରେ ବଙ୍ଗଳାର ମୁସଲମାନ ଆକ୍ରମଣକାରୀଙ୍କୁ ପ୍ରତିହତ କରି ବିଜୟର ସ୍ମୃତିରୂପେ ଶାକ୍ତ ଭକ୍ତ ଦେବଗିରି ସନ୍ୟାସଙ୍କ ଦାୟିତ୍ୱରେ ମନ୍ଦିର ତୋଳାଇବାର ଦୃଢ଼ ସଂକଳ୍ପ ନେଇଥିଲେ । ସମୟକ୍ରମେ ଦେବଗିରି ସନ୍ନ୍ୟାସ ତାଙ୍କର ୧୨୦୦ ଶିଷ୍ୟଙ୍କ ସହାୟତାରେ ଉକ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ ।ତେବେ ପ୍ରଥମେ ପ୍ରାଚୀନ ମନ୍ଦିରଟି ବର୍ତ୍ତମାନର ବାଶୁଳୀ ମନ୍ଦିରର ଉତ୍ତରକୁ ଦେଉଳବାଡ଼ିରେ ଥିଲା।ଏହି ମନ୍ଦିରକୁ ତୋଳିବା ପାଇଁ ନୀଳଗିରି ପର୍ବତରୁ ପଥର ସବୁ ଟିଗିରି ଘାଟ ଦେଇ ଗୋଟିଏ ଗ୍ରାମରେ ରଖାଯାଉଥିଲା ।ତେବେ ବାଶୁଳୀ ମନ୍ଦିରରେ ବ୍ୟବହୃତ ପଥର ସୁଦୂର ପାହାଡ଼ରୁ କିପରି ଆସିଲା ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ କିନ୍ତୁ ସମୁଦ୍ର ପାରି ବାଣିଜ୍ୟର ଇତିହାସ ଏଥି ସହିତ ଜଡ଼ିତ ଏହା ସୁନିଶ୍ଚିତ ।ତେବେ ସୁବର୍ଣ୍ଣରେଖା ନଦୀକୂଳରେ ଏକ ଘାଟ ଯେଉଁଠାରେ ପଥରସବୁ ଠୁଳ କରାଯାଉଥିଲା ,ସମୟାନୁକ୍ରମେ ସେହି ଅଂଚଳର ନାମ ପଥରଘଟା ନାମରେ ନାମିତ ହୋଇଥିଲା ।ଯଦିଓ ଇତିହାସ ବା ପାଣ୍ଡୁଲିପି ଏବେ ଦୁଷ୍ପ୍ରାପ୍ୟ ତେବେ ବି ଯତକିଞ୍ଚିତ ତାଳପତ୍ର ସଂଗୃହିତ ତଥ୍ୟ ଅନୁଯାୟୀ ଦେଉଳ ବାଡ଼ିରେ ଥିବା ପ୍ରାଚୀନ ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ କାରଣରୁ ହେଉ ଅବା ଅନ୍ୟ କୌଣସି କାରଣରୁ କେତେକାଳ ପରେ ଭାଙ୍ଗିଥିଲା ତାହାର ସମ୍ପୂର୍ଣ୍ଣ ସଠିକ ତଥ୍ୟ ମିଳେନାହିଁ।ତେବେ ପ୍ରାଚୀନ ମନ୍ଦିରଟି ଭାଙ୍ଗିଯିବା ପରେ ଠାକୁରାଣୀଙ୍କ ସ୍ୱପ୍ନାଦେଶ କ୍ରମେ ଦେଉଳବାଡ଼ିରୁ ପଥର ବୁହାହୋଇ ତତ୍କାଳୀନ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ୧୧ଅଙ୍କ ଅର୍ଥାତ ୧୭୦୯ ଶକାବ୍ଦ ଇଂରାଜୀ ଖ୍ରୀ ୧୭୮୭ରେ ସ୍ଥାନୀୟ ରାଜା ଶ୍ରୀ ଶ୍ରୀ ରାଜାରାମଙ୍କ ଶାସନ କାଳରେ ଯାମକୁଣ୍ଡାର ଭୂୟାଁ ଜମିଦାରଙ୍କ ସହାୟତାରେ,ସନ୍ନ୍ୟାସୀ ଦେବଗିରିଙ୍କ ତତ୍ତ୍ୱାବଧାନରେ ମୋତିଗିରି ଓ ରଣଛୋଡ଼ଜିଙ୍କଦ୍ୱାରା ବର୍ତ୍ତମାନର ମନ୍ଦିର ଗଢ଼ାଯାଇଥିଲା।ଯେହେତୁ ମା ଦୁର୍ଗାଙ୍କ ସ୍ୱରୂପ ସେଥିପାଇଁ ବର୍ତ୍ତମାନର ବାଶୁଳୀ ସମେତ ଦୁଇପାର୍ଶ୍ୱରେ ଶିବ ଓ ଗଣେଶ ମନ୍ଦିରମାନ ନିର୍ମାଣ କରାଯାଇଥିଲା।କଟକ ଜିଲ୍ଲାର ଯାଜପୁର ଅଞ୍ଚଳର ଏକାଦୋଶୀ ମହାରଣା ମନ୍ଦିରର ବାସ୍ତବ ରୂପ (ପ୍ଲାନ ଖସଡ଼ା)ଦେଇଥିଲେ।ଠାକୁରାଣୀଙ୍କ ମୂର୍ତ୍ତି ତଳେଥିବା ତମ୍ବା ପଟାରୁ ଏ ତଥ୍ୟ ଜଣାଯାଏ।ସମାୟାନୁଯାଇ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମନ୍ଦିରର ଦୁଇପାର୍ଶ୍ୱରେ ଥିବା ଶିବ ଓ ଗଣେଶଙ୍କ ମନ୍ଦିର ଭୁଷୁଡ଼ି ପଡିବା ପରେ ୧୯୮୫ରେ ଭୋଗରାଇର ଜଣେ ଧର୍ମପ୍ରାଣ ବ୍ୟକ୍ତି ୰ ଦିବାକର ସିଂହ ନିଜସ୍ୱ ବ୍ୟୟରେ ପ୍ରଥମେ ପୂର୍ବଦିଗରେ ଗଣେଶ ମନ୍ଦିର ଏବଂ ୧୯୯୦ରେ ବାଉଁଶଖଣା ଗ୍ରାମର ଆଉ ଜଣେ ଧର୍ମପ୍ରାଣ ବଦାନ୍ୟବ୍ୟକ୍ତି ୰ ଭୀମ ଚରଣ ମାଝି ପଶ୍ଚିମପଟେ ମହାଦେବଙ୍କ ମନ୍ଦିରଟି ପୁନଃ ନିର୍ମାଣ କରିଛନ୍ତି ।ଗତ ତା୦୯.୦୩.୨୦୦୮ରିଖରେ ୰ ଦିବାକର ବାବୁଙ୍କ ପୁତ୍ର ଶ୍ରୀ କିଶୋରୀ ମୋହନ ସିଂହ ଏକ ହନୁମାନ ମନ୍ଦିର ଗଣେଶ ମନ୍ଦିର ପାଖରେ ପ୍ରତିଷ୍ଠା କରିଛନ୍ତି । ତେବେ ଆଜିବି ବାଶୁଳୀ ମନ୍ଦିରର ଉତ୍ତରକୁ ଦେଉଳବାଡ଼ି ବୋଲି ଏକ ବିସ୍ତୀର୍ଣ୍ଣ ପଡ଼ିଆ ରହିଛି ।ଦେଉଳବାଡ଼ିର ସୁଉଚ୍ଚ ମାଟିସ୍ତୁପ ଏବେବି ରହିଛି ,ତାତଳେ ପ୍ରଚୁର ପଥରଖଣ୍ଡମାନ ରହିଛି।ଗାଁ ଲୋକେ ପଥର ଖୋଳି ଘରକାମରେ ଲଗାଇଥିଲେ ମଧ୍ୟ ଭୂଗର୍ଭରେ ବହୁ ପଥର ରହିବା ସହ ଅନେକ ପ୍ରାଚୀନ ବ୍ୟବହୃତ ଦ୍ରବ୍ୟ ଓ ମୂର୍ତ୍ତି ରହିଥିବାର ଅନୁମାନ କରାଯାଏ।ଯଦି ଭୂତତ୍ତ୍ୱବିତମାନଙ୍କ ସହାୟତରେ ଏହି ସ୍ଥାନକୁ ଖୋଳାଯାଏ ତେବେ ମନ୍ଦିର ପ୍ରତିଷ୍ଠାର ପ୍ରାଚୀନତା ସମ୍ପର୍କରେ ସୂଚନା ମିଳିପାରନ୍ତା।ଐତିହାସିକ ସ୍ମୃତିପୀଠ ବର୍ତ୍ତମାନ ପୂର୍ବତନ ଟ୍ରଷ୍ଟିମାନଙ୍କ ଅମାନୁଷିକତା ପାଇଁ ବ୍ୟକ୍ତିଗତ ମାଲିକାନାରେ ରହିଛି ।

ମନ୍ଦିରର ଗଠନ ପ୍ରଣାଳୀ : - ଭୋଗରାଇରେ ଅଧିଷ୍ଠାତ୍ରୀ ଦେବୀ ମା ବାଶୁଳୀଙ୍କ ମନ୍ଦିର କେବଳ ପ୍ରାଚୀନ ନୁହେଁ ,ନିର୍ମାଣ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଉତ୍କଳୀୟ।ଏହା ଭାସ୍କର୍ଯ୍ୟ ମଣ୍ଡିତ ନ ହେଲେ ବି ସ୍ଥାପତ୍ୟ ଦୃଷ୍ଟିରୁ କୋଣାର୍କ ମନ୍ଦିରର କ୍ଷୁଦ୍ର ସଂସ୍କରଣ ଭଳି ଦୃଶ୍ୟମାନ ହୁଏ ।ଏହା ତୀକ୍ଷ ଏବଂ ପୀଢ଼ ଶୈଳୀରେ ନିର୍ମିତ।ଏହା ମାଙ୍କଡ଼ା,ଶଂଖମଳ,ମୁଗୁନି ପଥର ତଥା ପୁରୁଣା କାଳିଆ ଚେପଟା ଇଟାରେ ତିଆରି।ଏଥିରେ ସିମେଣ୍ଟ ବ୍ୟବହାର କରାଯାଇନାହିଁ ।ଓଡ଼ିଶାର ମଧ୍ୟଯୁଗୀୟ ମନ୍ଦିର ନିର୍ମାଣ ଶୈଳୀ ଏବଂ ସରଞ୍ଜାମରେ ଏହା ନିର୍ମିତ ।

ମନ୍ଦିରର ଉଚ୍ଚତା ୬୦ ଫୁଟ,ମୁଖଶାଳାର ଉଚ୍ଚତା ୫୦ ଫୁଟ ,ପୁରୀ କୋଣାର୍କ ମନ୍ଦିର ବିଶ୍ୱବିଖ୍ୟାତ ହେଲେ ବି ବାଶୁଳୀ ମନ୍ଦିର ତାର ଅବସ୍ଥିତି ଦୃଷ୍ଟିରୁ ଅଧିକ ବିସ୍ମୟ ସୃଷ୍ଟି କରେ ।ବୈଦିକ ପଞ୍ଚୋପାସନା ମଧ୍ୟରୁ ଏଠାରେ ତିନି ଦେବଦେବୀଙ୍କ ଆରାଧ୍ୟ ପୀଠ କାହିଁ କେଉଁକାଳରୁ ରହିଛି ।ମଧ୍ୟଭାଗରେ ଶକ୍ତିରୂପେ ମା ବିଶାଳାକ୍ଷୀ ଓ ଦୁଇ ପାର୍ଶ୍ୱରେ ଶିବ ଓ ଗଣେଶ ତିନିଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ କରିହୁଏ । ଏତଦବ୍ୟତୀତ ସଂକଟମୋଚନ ହୁନୁମାନ ଭକ୍ତଗଣଙ୍କ ସଙ୍କଟକୁ ମୋଚନ କରୁଥିବାବେଳେ ଭଗବାନ ରାମଙ୍କ ମନ୍ଦିର ମନ ମଧ୍ୟରେ ଏକ ନୂତନ ଭକ୍ତିମୟର ଧାରା ପ୍ରବାହିତ କରିଥାଏ ।

ମନ୍ଦିରର ବିଶେଷତ୍ୱ ସମ୍ପାଦନା

ସାଧାରଣତଃ ଦେବାଦେବୀଙ୍କ ମନ୍ଦିରରେ ଅର୍ପିତ ଭୋଗ ଶୁଦ୍ଧ ନିରାମିଷ ହୋଇଥାଏ, କିନ୍ତୁ ମା ବିଶ୍ୱାଳନୟନା ବିଶାଳାକ୍ଷୀଙ୍କ ମନ୍ଦିରରେ ଭକ୍ତ ନିଜର ମାନସିକ ପୂରଣ ପାଇଁ ଶେଉଳମାଛ ଅର୍ଥାତ ଆମିଷ ଭୋଗ ଅର୍ପଣ କରିଥାନ୍ତି ।ଏଠାରେ ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ଆଳତି କରାଯାଏ ,କୁହାଯାଏ ଆଳତି ସମୟରେ ମନ୍ଦିରର ବାଜା,ଶଙ୍ଖ ଧ୍ୱନି ଶୁଣି (ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଏହି) ଜଙ୍ଗଲର ଜୀବଜନ୍ତୁମାନେ ମାଛ ଭୋଗ ଖାଇବାକୁ ଆସୁଥିଲେ।ଏହି ପରମ୍ପରା ଅନୁଯାୟୀ ଏଯାବତ ମନ୍ଦିରର ପୂଜକ ମଧ୍ୟାହ୍ନ ସମୟରେ ଆଳତି କରିବା ସହ ମାନସିକଧାରୀଙ୍କ ଅର୍ପିତ ଶେଉଲ ମାଛର ଭୋଗ ମାଙ୍କ ପାଖରେ ଲାଗି କରିଥାନ୍ତି ।ବିଶେଷକରି ମାଙ୍କ ପାଖରେ କ୍ଷୀରି ଭୋଗ ଓ ମଧ୍ୟାହ୍ନ ସମୟରେ ଅର୍ପିତ ଅନ୍ନ ଭୋଗକୁ "ଜନ୍ଥାଳ"ବୋଲି କୁହାଯାଇଥାଏ।ଏହାଛଡା ଚୂଡ଼ା ଓ ବିଭିନ୍ନ ଫଳମୂଳ ବାଲିଭୋଗରୂପେ ଲାଗେ ।ଠିକ ଦିନ ୧୨ଟା ସମୟରେ ମଧ୍ୟାହ୍ନ ଭୋଗଲାଗି ସମୟରେ ଯେଉଁ ବାଜାତୁରୀ ବାଜେ ତାକୁ ଘଣ୍ଟା ପଡ଼ିଲାଣି ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହିଥାନ୍ତି। କାହିଁ କେଉଁ ଅନାଦି କାଳରୁ ଘଣ୍ଟା ନ ଥିବା ସମୟରୁ ସାଧାରଣ ଗ୍ରାମବାସୀ ଏହିପରି ଭାବେ ସମୟ ସଚେତନ ହେଉଥିଲେ । ବୈଶାଖ ମାସରେ ସପ୍ତାହର ମଙ୍ଗଳବାର ଓ ଶନିବାରରେ ମାଙ୍କ ନିମିତ୍ତ ବିଶେଷ ଧରଣର ମେଳାର ଆୟୋଜନ କରାଯାଇଥାଏ ଯାହା ବୈଶାଖୀ ମେଳା ନାମରେ ନାମିତ।ବୈଶାଖ ମାସ ସାରା ଧୂ ଧୂ ଖରାରେ ମଧ୍ୟ ମାଙ୍କ ମେଳାରେ ଭକ୍ତଙ୍କ ଭିଡ଼ ଦେଖି ସରଳ ଗ୍ରାମ୍ୟ ଜୀବନରେ ଅତିବାହିତ କରୁଥିବା ସାଧାରଣ ଲୋକଙ୍କ ପାଇଁ ଏହି ମେଳାର ମହତ୍ତ୍ୱ କଣ ତାହା ଅନୁମାନ କରିହୁଏ । ଦେବୀଙ୍କ ଆବିର୍ଭାବ:- ବର୍ତ୍ତମାନର ପୂଜକ ପଣ୍ଡା ବଂଶର ପୂର୍ବଜ ଭବାନୀ ପଣ୍ଡା ଜୟରାମପୁରର କୀର୍ତ୍ତିଶାଳ ଗଡ଼ରେ କୀରାତ ରାଜାଙ୍କ ଦୁର୍ଗାପୂଜା ପାଇଁ ପ୍ରତିବର୍ଷ ମେଦିନୀପୁର ଅଞ୍ଚଳରୁ ଆସୁଥାନ୍ତି ।ସେତେବେଳେ ମେଦିନୀପୁର ଓଡ଼ିଶାର ଥିଲା ।ଥରେ ପୁଟିଣା ଗ୍ରାମର ଗହୀର ବିଲର ଘଞ୍ଚ ଅରଣ୍ୟ ମଧ୍ୟରେ ସେ ପଥଭ୍ରଷ୍ଟ ହେବାରୁ ବନଦୁର୍ଗାଙ୍କୁ ଧ୍ୟାନ କଲେ।କିଛି କ୍ଷଣ ପରେ ହଠାତ ଜଣେ ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରିଣୀ, ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ ଶରୀରଧାରୀ ୮ ବର୍ଷର ଶିଶୁକନ୍ୟା ଆବିର୍ଭୂତା ହୋଇ ପୂଜକଙ୍କୁ ବାପ ବୋଲି ସମ୍ବୋଧନ ସହ କିଛି ବାଟ ଯିବା ପାଇଁ ଅନୁରୋଧ କଲେ ।ପୂଜକ ସମ୍ମତି ପ୍ରଦାନ କରିବାପରେ ଶିଶୁକନ୍ୟାଟି ଆଗେ ଆଗେ ଯାଇ ପୂଜକଙ୍କ ମାର୍ଗଦର୍ଶିକା ସାଜି ଉକ୍ତ ବିସ୍ତୀର୍ଣ୍ଣ ସ୍ଥାନରେ ପହଞ୍ଚିବା ପରେ ଅଟକି ଯାଇଥିଲେ ।ପୂଜକ ମଧ୍ୟ ଇତିମଧ୍ୟରେ ବାଟ ପାଇସାରିଥିଲେ।ଫେରିବା ବାଟରେ ପୁଣିଥରେ ପୂଜକଙ୍କ ସହ ସେହି ସ୍ଥାନରେ ଭେଟ ହେବ ବୋଲି ଶିଶୁକନ୍ୟା କହିଥିଲେ ।ଗଡ଼ରେ ଦୁର୍ଗାପୂଜା ସାରି ଫେରିବା ପରେ ଉକ୍ତ ସ୍ଥାନରେ ଝିଅଟି ପରିବର୍ତ୍ତେ ଏକ କାଷ୍ଠ ନିର୍ମିତ ମୂର୍ତ୍ତି ଓ ତହିଁରେ ଝିଅଟି ପିନ୍ଧିଥିବା ସମସ୍ତ ଅଳଙ୍କାର ଥିଲା। ପଥକ୍ଳାନ୍ତ ପାଇଁ ପୂଜକ ଜଣକ ଉକ୍ତ ସ୍ଥାନରେ ନିଦ୍ରା ଗଲେ ଏବଂ ସ୍ୱପ୍ନରେ ମା ତାଙ୍କୁ ଦର୍ଶନ ଦେଇ ସେଠାରେ ତାଙ୍କର ମନ୍ଦିର ପ୍ରତିଷ୍ଠା ଓ ଆବିର୍ଭାବର ସୂଚନା ପ୍ରଦାନ କରିଥିଲେ।

ମୂର୍ତ୍ତି ସମ୍ପାଦନା

ଦେବୀ ଦ୍ୱିଭୁଜା,ଖଡ଼ଗ ଓ ଖର୍ପର ଧାରିଣୀ।ମୂର୍ତ୍ତିର ଏକ ବୈଶିଷ୍ଟ୍ୟ ଦେବୀଙ୍କ ମୂର୍ତ୍ତି କାଠରେ ତିଆରି ।ଓଡ଼ିଶା ବା ଭାରତର ଅନ୍ୟ କେଉଁଠି ଏଭଳି ଦେବୀ ମୂର୍ତ୍ତି କ୍ୱଚିତ ଦେଖାଯାଏ।ଅନ୍ୟତ୍ର ଦେବୀମୂର୍ତ୍ତି ବିଭିନ୍ନ ଧାତୁ,ମୂର୍ତ୍ତିକା ଅବା ପଥରରେ ତିଆରି ହୋଇଥାନ୍ତି।ଦେବୀମୂର୍ତ୍ତି ପ୍ରାୟ ସର୍ବତ୍ର ଚତୁର୍ଭୁଜା ,ଅଷ୍ଟଭୂଜା, ଦଶଭୂଜା ହୋଇଥାନ୍ତି ମାତ୍ର ଦ୍ୱିଭୁଜା ମୂର୍ତ୍ତି ଅନ୍ୟତ୍ର ବିରଳ।କେବଳ ଏତିକି ନୁହେଁ ଉଚ୍ଚତାରେ ପ୍ରାୟ ୬ଫୁଟ ଉଚ୍ଚର ମୂର୍ତ୍ତି ମଧ୍ୟ ଅନ୍ୟତ୍ର ବିରଳ।ଦେବୀ ସ୍କନ୍ଧାସୁର ଉପରେ ଦଣ୍ଡାୟମାନ,ଅସୁରଟି ଭୂମିରେ ଶାୟିତ, ଅସୁର ପାପ ଓ ଦୁଷ୍ଟ ଶକ୍ତିର ପ୍ରତୀକ - ଦେବୀ ଯୁଗେ ଯୁଗେ ଦୁଷ୍ଟର ଦଳନ କରନ୍ତି ,ତାଙ୍କ ମୂର୍ତ୍ତି ଏହା ହିଁ ଶିକ୍ଷା ଦିଏ।ଦେବୀଙ୍କ ମାଳକୁ "ଧଣ୍ଡାମାଳ" କୁହାଯାଏ।ଏହା ଗଳାରୁ ପାଦଯାଏଁ ବାରହାତ ଲମ୍ବ । ବାଶୁଳୀ ଦେବୀଙ୍କ ଆଖି ମୂର୍ତ୍ତି ତୁଳନାରେ ବଡ଼। ତେଣୁ ତାଙ୍କର ଅନ୍ୟନାମ ବିଶାଳାକ୍ଷୀ।ହାସ୍ୟ କରୁଣା ବୀରରସ ସମନ୍ବିତା ଅପୂର୍ବ ସେ ଦୃଷ୍ଟି ।

କିମ୍ବଦନ୍ତୀ ସମ୍ପାଦନା

ବାଶୁଳୀଙ୍କ ଅପାର ମହିମା ସମ୍ପର୍କରେ ଅନେକ ଅଲୌକିକ କଥା ଲୋକମୁଖରେ ଶୁଣିବାକୁ ମିଳେ ।ଜନଶ୍ରୁତି ରହିଛି ଯେ, ଥରେ ପୂଜକ ମହାଶୟ କୌଣସି କାର୍ଯ୍ୟବଶତଃ ଘରୁ ବାହାରକୁ ଯିବାକୁ ପଡିଲା ,ତେଣୁ ଉକ୍ତ ଦିନ ପୂଜକ ମହାଶୟ ତାଙ୍କର ପୁତ୍ରଙ୍କୁ ମା ବାଶୁଳୀଙ୍କ ଆରାଧନା ଓ ପୂଜାର୍ଚ୍ଚନା ଦାୟିତ୍ୱ ଦେଇଗଲେ।ବ୍ରାହ୍ମଣପୁତ୍ର ପିତାଙ୍କ ନିର୍ଦ୍ଦେଶ କ୍ରମେ ମାଙ୍କ ପୂଜାର୍ଚ୍ଚନା ସାରି ନୈବେଦ୍ୟ ଅର୍ପଣ କରିବାପାଇଁ ଯିବାରୁ ମା ନୈବେଦ୍ୟ ଗ୍ରହଣ କରିବାପାଇଁ କାହିଁକି ପ୍ରକଟ ହେଉନାହାନ୍ତି ଭାବି ନିଜ ଉପରେ କ୍ଷୋଭ ପ୍ରକାଶ କରି ଏକ ବାଡ଼ିରେ ମାଙ୍କୁ ମାଡ଼ ମାରିବାକୁ ଲାଗିଲେ ।କହିଲେ ବାପା ଭୋଗ ଲଗାଇଲେ ଖାଇଦେଉ ଆଜି କଣ ହୋଇଛି ତୋତେ କଣ ଭୋଗ ରୁଚୁ ନାହିଁ ? ଏମିତିରେ ତୋ ମାଡକୁ ଈଶ୍ୱର ମଧ୍ୟ ଭୟ କରନ୍ତି ତେଣୁ ମା ପ୍ରକଟ ହୋଇ ବ୍ରାହ୍ମଣପୁତ୍ର ସାମ୍ନାରେ ବସି ସମସ୍ତ ଭୋଗ ଖାଇବାକୁ ଲାଗିଲେ ।ଏଣେ ବ୍ରାହ୍ମଣ କାମରୁ ଫେରିଆସି ଘରେ ପୁତ୍ର ମନ୍ଦିରରୁ ନ ଫେରିବାର ଖବର ପାଇ ବିଚଳିତ ହୋଇଗଲେ ଏବଂ ପୁତ୍ରକୁ ଖୋଜିବାକୁ ଯାଇ ମନ୍ଦିରରେ ପୁତ୍ର ସାମ୍ନାରେ ମା ପ୍ରକଟିତ ହୋଇ ଭୋଗ ସେବନ କରୁଥିବାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୁତ୍ରର ଭକ୍ତି ଓ ମାଙ୍କ ଦିବ୍ୟଦର୍ଶନ ସହ ମା ଯେ ସ୍ୱୟଂ ଚଳନ୍ତି ପ୍ରତିମା ଏହା ଅନୁଭବ କରିପାରିଥିଲେ ।


ଅନ୍ୟଏକ ଲୋକକଥା ଅନୁଯାୟୀ ଅତୀତର ଗୌରବମୟ ସମୁଦ୍ର ପାରି ବଣିଜ ସହିତ ଦେବୀଙ୍କର ଐତିହାସିକ ସମ୍ପର୍କ ଥିଲା ।ପୂର୍ବେ ଆଦ୍ୟ କାର୍ତ୍ତିକ ମାସରେ ଧୀବର ବା ସାଧବମାନେ ବଇତରେ ବାଣିଜ୍ୟ ପାଇଁ ଯିବା ପୂର୍ବରୁ ମାଙ୍କ ପାଖରେ ପୂଜାଦେଇ ସିନ୍ଦୁର, ଫୁଲମାଳ ନିଜର ରକ୍ଷାକବଚ ରୂପେ ସାଥିରେ ନେଇଯାଉଥିଲେ।ମା ବାଶୁଳୀ ହିଁ ତାଙ୍କୁ ଗଭୀର ସମୁଦ୍ର ମଧ୍ୟରେ ସାହା ହେଉଥିଲେ ।ଯଦିଓ ଏବେ ବାଣିଜ୍ୟ ନାହିଁ ମାତ୍ର ଧୀବରମାନେ ନୌକା, ଜାଲ ନେଇ ବର୍ଷ ଆଦ୍ୟରେ ନଦୀ ସମୁଦ୍ରକୁ ଯାତ୍ରା ପୂର୍ବରୁ ପୂର୍ବ ବିଧିରେ ପୂଜାର୍ଚ୍ଚନା କରି ଅନୁକୂଳ କରନ୍ତି। ଭୋଗରାଇର ଅଧିଷ୍ଠାତ୍ରୀ ଦେବୀ ମା ବାଶୁଳୀଙ୍କ ସ୍ୱପ୍ନାଦେଶ କ୍ରମେ ଦୂର ନିକଟ ଅନେକ ସ୍ଥାନରେ ବାଶୁଳୀ ମନ୍ଦିରମାନ ପ୍ରତିଷ୍ଠା ହୋଇଛି ।ଏହାର ଏକ ଦୃଷ୍ଟାନ୍ତ ହେଲା - ବାହାନଗା ବ୍ଲକର ଏକ ହରିଜନ ବହୁଳ ବଡ଼ଗାଁ ଗ୍ରାମର ବାଶୁଳୀ ମନ୍ଦିର । କଥିତ ଅଛି ଯେ,ବହୁବର୍ଷ ପୂର୍ବେ ଅର୍ଜ୍ଜୁନୀ ପ୍ରଧାନ ନାମରେ ଜଣେ ନିଃସନ୍ତାନ ବାସନ ବ୍ୟବସାୟୀ ଭୋଗରାଇ ଅଞ୍ଚଳରେ ଘର ଘର ବୁଲି ବାସନ ବିକ୍ରୟ କରୁଥିଲେ ଏବଂ ରାତିରେ ମାଙ୍କ ମନ୍ଦିରରେ ଶୋଇଯାଉଥିଲେ।ମାଙ୍କ ବିଶାଳ ସୌମ୍ୟ ମୂର୍ତ୍ତି ଦର୍ଶନ କରି ସେ ଏକଦା ଏକ ସନ୍ତାନ ପାଇଁ ପ୍ରାର୍ଥନା କରିଥିଲେ।ଗାଁରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ ଦେଖିଲେ ତାଙ୍କ ପଛରେ ଏକ କାଳୀ ଶାଢ଼ୀ ପରିହିତା କିଶୋରୀ ଝିଅଟେ ଆସୁଛି ।ପଛକୁ ଦେଖିବା କ୍ଷଣି ଝିଅଟିର ପରିଚୟ ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତେ ହଠାତ ଝିଅଟି ଅନ୍ତନ୍ଧାନ ହୋଇଯାଇଥିଲା।ଘରେ ପହଂଚି ଜାଣିବାକୁ ପାଇଲେ ପୂର୍ବରୁ ଗ୍ରାମରେ ପ୍ରତିଷ୍ଠିତ ପ୍ରଭୁ ବଂଶୀଧର ଶ୍ୟାମଦେବ ସ୍ୱପ୍ନରେ ବଡ଼ଗାଁ ମଠର ମହନ୍ତଙ୍କୁ ବାଶୁଳୀ ମାଙ୍କ ଆବିର୍ଭାବ ସମ୍ପର୍କରେ କହିଛନ୍ତି।ପରବର୍ତ୍ତୀ ସମୟରେ ଅର୍ଜ୍ଜୁନୀ ମନ୍ଦିର ପ୍ରତିଷ୍ଠା କରି ଠାକୁରାଣୀଙ୍କ ସେବା ପୂଜାର ବ୍ୟବସ୍ଥା କଲେ।ତାପରେ ତାଙ୍କର ସନ୍ତାନ ପ୍ରାପ୍ତି ହେଲା ।ସେଇଦିନୁ ସେଠାରେ ମଧ୍ୟ ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଛି ।

ଭୋଗରାଇ ନାମକରଣ ପଛରେ ମାଙ୍କ କୃପା :- କିମ୍ବଦନ୍ତୀ କହେ ଯେ,ମାଙ୍କ ଭୋଗରାଶିରୁ ହିଁ ସ୍ଥାନୀୟ ଅଞ୍ଚଳର ନାମକରଣ ହୋଇଛି।୧୫୦୦ ଶତାବ୍ଦୀର କଥା ଆକବରଙ୍କ ଅର୍ଥମନ୍ତ୍ରୀ ତଦରମଲ୍ଲ ବଙ୍ଗରୁ ଓଡ଼ିଶା ଆସିଥିଲେ ।ସେତେବେଳେ ମନ୍ଦିରରେ ଏକ ବଡ଼ ଧରଣର ପୂଜାର ଆୟୋଜନ କରାଯାଇଥିଲା।ଏତେ ବିଶାଳକାୟ ପୂଜାର ଆୟୋଜନ ଦେଖି ତୋଡ଼ରମଲ୍ଲ ଆଶ୍ଚର୍ଯ୍ୟ ହେବା ସହ ସେ ଏହି ସ୍ଥାନର ନାମ ଜାଣିବାକୁ ଆଗ୍ରହ ପ୍ରକାଶ କଲେ , ପଣ୍ଡାମାନେ କିନ୍ତୁ ତାଙ୍କ ଭାଷା ବୁଝିପାରିଲେ ନାହିଁ ।ସେମାନେ ଭାବିଲେ ମହାଶୟ ଠାକୁରାଣୀଙ୍କ ଭୋଗ କଥା ପଚାରୁଛନ୍ତି।ସେମାନେ ଭୋଗ ଆଡ଼କୁ ହାତ ବଢ଼ାଇ କହିଲେ ଭୋଗରାଶି।ଯେହେତୁ ତୋଡ଼ରମଲ୍ଲ ଓଡ଼ିଆ ଜାଣିନଥିଲେ , ସେ ବୁଝିଲେ ଏ ସ୍ଥାନର ନାମ ଭୋଗ ଯାହା ପରବର୍ତ୍ତୀ ସମୟରେ ଭୋଗରାଶିରୁ ଏହି ସ୍ଥାନର ନାମ ହେଲା ଭୋଗରାଇ ।

ଏବେ ବି ଲୋକମୁଖରେ ଶୁଣାଯାଏ - "ବାଶୁଳୀ ମା ଭୋଗପାଇଁ

                ଅତି ଭୋଗେ ଭୋଗରାଇ ନାମ।"

ଦେବୀ ହୋଇ ବି ମାଙ୍କ ମାନବୀୟ ଲୀଳା : - କିମ୍ବଦନ୍ତୀରୁ ଜଣାଯାଏ ଯେ, ମାଙ୍କ ପ୍ରତ୍ୟକ୍ଷ ହେବାର ଅନେକ ଦୃଷ୍ଟାନ୍ତ ରହିଛି ।ମା ଶଙ୍ଖାରୀ ବୁଢ଼ା ଠୁ ଜଣେ ସାଧାରଣ ସ୍ତ୍ରୀ ଲୋକ ବେଶରେ ଯାଇ ନିଜ ପାଇଁ ଶଙ୍ଖା ନେବାକୁ ଯାଉଥିଲେ ଏବଂ ଶଙ୍ଖାର ମୂଲ୍ୟ ମା ତାଙ୍କ ପୂଜକ ପଣ୍ଡାଠୁ ନେବାକୁ କହୁଥିଲେ ।ପୂଜକ ପଣ୍ଡାକୁ ନିଜର ପୁତ୍ର ରୂପେ ପରିଚୟ ପ୍ରଦାନ କରୁଥିଲେ । ସାଧାରଣ ସ୍ତ୍ରୀ ଲୋକ ପରି ମାଙ୍କର ମଧ୍ୟ ଋତୁଚକ୍ର ଘଟୁଥିଲା ।ମା ମଧ୍ୟ ରଜ୍ୱଶିଳା ହେଉଥିଲେ । କିନ୍ତୁ ମା ଙ୍କର ଏପରି ମାନବୀୟ ଗୁଣ ପାଇଁ ତାଙ୍କର ପୂଜକ ବିରକ୍ତ ପ୍ରକାଶ କରିବା ପରେ ଏଭଳି ମାନବୀୟ ଗୁଣ ପାଇଁ ସେ ତାଙ୍କର ପୂଜକ ପୁତ୍ରକୁ ହଇରାଣ ନ କରିବା ପାଇଁ ଯାଇ ଏହାକୁ ବନ୍ଦ କରିଦେଇଥିଲେ । ଆହୁରି ମଧ୍ୟ କଥିତ ଅଛି ଯେ,ଦେବୀ ମା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଥିବା ସୁନ୍ଦର ବଗିଚାରୁ ଫୁଲ ଆଣି ମାଙ୍କ ସଙ୍କେତ ସ୍ୱରୂପ ନିଜର ପଦଚିହ୍ନ ଛାଡ଼ିଆସିଥିଲେ ।

ପୂଜା ବିଧି ସମ୍ପାଦନା

ନବକଳେବର ସମ୍ପାଦନା

ବାଶୁଳୀଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହୋଇଥାଏ ।ଅବଶ୍ୟ କୌଣସି ତିଥି ଅନୁସାରେ ନୁହେଁ ,କୌଣସି ଅଘଟଣ ପାଇଁ ମୂର୍ତ୍ତି ଅପବିତ୍ର ହେଲେ କିମ୍ବା ଦୀର୍ଘବର୍ଷ ପରେ ସ୍ୱଭାବତଃ ମୂର୍ତ୍ତି ଖଣ୍ଡିତ ହେଲେ ନବକଳେବର ହୁଏ ।ପବିତ୍ର ମହାନିମ୍ବ କାଠରେ କୌଳିକ ମିସ୍ତ୍ରୀଦ୍ୱାରା ସମ୍ପୂର୍ଣ୍ଣ ଶୁଦ୍ଧପୂତ ବିଧିରେ ଦେବୀ ମୂର୍ତ୍ତି ନିର୍ମାଣ କରାଯାଇଥାଏ ।ତେବେ ବର୍ତ୍ତମାନର ଦେବୀପ୍ରତିମା ୧୯୭୨ ମସିହାରେ ବାରିପଦାର ବାରମାଣ୍ଡିଆ ଘାଟରୁ ମହାନିମ୍ବର ଦାରୁ ଅଣାଯାଇ ମାଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ନବକଳେବର ବିଧି ପରେ ପୁରାତନ ମୂର୍ତ୍ତି ସବୁ ପୋଖରୀରେ ବିସର୍ଜନ କରିଦିଆଯାଉଥିବା ଅନୁମାନ ସ୍ପଷ୍ଟ ବାରି ହୁଏ। ବାଶୁଳୀ ପୋଖରୀ ନାମରେ ପଶ୍ଚିମ ପଟ ରାସ୍ତା ଅପରପଟେ ଥିବା ବହୁ ପ୍ରାଚୀନ ପୁଷ୍କରିଣୀକୁ କିଛି ବର୍ଷ ତଳେ ଅଞ୍ଚଳର ଜଣେ ବିଶିଷ୍ଟ ସମାଜସେବକ ୰ ପ୍ରସନ୍ନ କୁମାର ପରିଡ଼ାଙ୍କଦ୍ୱାରା ପୁଷ୍କରିଣୀ ଖନନ ବେଳେ ପୁରୁଣା ୮ଟି ମୂର୍ତ୍ତି ବାହାରିଥିଲା ।ଗାଁ ମଧ୍ୟରେ ଥିବା ଅନ୍ୟ ଏକ ବୃହତ ପୁଷ୍କରିଣୀ ମକରବଧି ଖନନ ବେଳେ ମଧ୍ୟ ଠାକୁରାଣୀଙ୍କ ୬ଟି ପୁରୁଣା ମୂର୍ତ୍ତି ବାହାରିଥିଲା ।ଯଦି ପ୍ରତି ଶହେ ବର୍ଷରେ ଥରେ ନବକଳେବରଦ୍ୱାରା ମୂର୍ତ୍ତି ବଦଳ କରାଯାଇଥାଏ ତେବେ ମୂର୍ତ୍ତି ଗୁଡିକରୁ ମନ୍ଦିରର ପ୍ରାଚୀନତା ସ୍ପଷ୍ଟ ବାରି ହୁଏ ।

ପୂଜକ ଚୟନ ସମ୍ପାଦନା

ପରବର୍ତ୍ତୀ ସମୟରେ ଦେବଗିରି ସନ୍ନ୍ୟାସ ନିଜର ମୃତ୍ୟୁ ପୂର୍ବରୁ ମାଙ୍କ ଆରାଧନା ଓ ପୂଜାର୍ଚ୍ଚନା ପାଇଁ ସ୍ବୟଂ ମାଙ୍କୁ ଜଣେ ପୂଜକ ଚୟନ କରିବାକୁ କହିଲେ । କୁହାଯାଏ ଯେ, ସେତେବେଳେ ମା ବିଜୟ ବାଶୁଳୀ ଦେବଗିରି ସନ୍ନ୍ୟାସଙ୍କ ସହ ପ୍ରତ୍ୟକ୍ଷ ଦର୍ଶନ ଦେଇ କଥାବାର୍ତ୍ତା କରୁଥିଲେ ।ନିଜ ଭକ୍ତର ଦୁବିଧାକୁ ବୁଝିପାରି ମା ତାଙ୍କୁ ଉକ୍ତ ଭକ୍ତର ସନ୍ଧାନ କିପରି ପ୍ରାପ୍ତ ହେବ ସେଥିପାଇଁ ଉପାୟ କହିଲେ । ସେହି ସମୟରେ ସୁଦୂର ନଦୀଆ ନଗରୀରୁ ଜଣେ ବିଧବା ସ୍ତ୍ରୀ ଲୋକ ଓ ତାଙ୍କର ଏକମାତ୍ର ପୁତ୍ର ନିଜର ଭରଣପୋଷଣ ପାଇଁ କାମ ସନ୍ଧାନରେ ଉକ୍ତ ଅଞ୍ଚଳକୁ ଚାଲି ଆସିଥିଲେ। ପଥକ୍ଲାନ୍ତ ସହି ନ ପାରି ପୁତ୍ରଟି ଯେତେବେଳେ ଏକ ବଟ ବୃକ୍ଷ ମୂଳେ ବିଶ୍ରାମ ନେଉଥିଲେ ସେହି ସମୟରେ ଏକ ନାଗ ସର୍ପ ସୂର୍ଯ୍ୟଙ୍କ କିରଣରେ କାଳେ ପୁତ୍ରର ନିଦ୍ରା ଭଙ୍ଗ ହେବ ସେଥିରୁ ରକ୍ଷା କରିବା ପାଇଁ ଭିକ୍ଷୁକ ପୁତ୍ର ମୁଣ୍ଡ ଉପରେ ଫଣ ଦେଖାଇ ରହିଥିଲା। ଏଣେ ମାଙ୍କ ନିର୍ଦ୍ଦେଶ କ୍ରମେ ଦେବଗିରି ସନ୍ନ୍ୟାସ ଯେଉଁ ବ୍ୟକ୍ତିର ମୁଣ୍ଡ ଉପରେ ନାଗାଧିରାଜ ଆଶୀର୍ବାଦ ବର୍ଷଣ କରୁଥିବେ ସେ ହିଁ ହେବ ମୋ ପୂଜକ। ପ୍ରଥମେ ବ୍ୟକ୍ତି ଏବଂ ତାଙ୍କର ମା ଦେବଗିରି ସନ୍ନ୍ୟାସଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ ଏବଂ ମାଙ୍କ ସେବା କରିବାକୁ ଅମଙ୍ଗ ହୋଇଥିଲେ ମଧ୍ୟ ମା ବାଶୁଳୀଙ୍କ ପ୍ରତ୍ୟକ୍ଷ ଦର୍ଶନ ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟକ୍ତିର ଈଶ୍ୱରଙ୍କୁ ପ୍ରାର୍ଥନା କଥା ମା ସ୍ମରଣ କରାଇଦେଇଥିଲେ।ସେହିଦିନଠାରୁ ସେହି ବ୍ୟକ୍ତିଙ୍କ ବଂଶଧରମାନେ ଏଯାବତ ମାଙ୍କ ସେବାକାର୍ଯ୍ୟରେ ଲିପ୍ତ ଅଛନ୍ତି ,ଏମାନେ ମୁଖ୍ୟତଃ ପୂଜକ ପଣ୍ଡାବଂଶ ନାମରେ ଏହି ଅଂଚଳରେ ଜଣାଶୁଣା।

ମାଙ୍କ ସମ୍ମାନାର୍ଥେ ପ୍ରତିଟି ଭକ୍ତର କର୍ତ୍ତବ୍ୟ : - ଭକ୍ତଙ୍କ ମହତ ମନସ୍କାମନା ଦେବୀ ପୂର୍ଣ୍ଣ କରନ୍ତି ଏଥିପାଇଁ ଦୂର ନିକଟ ବିଭିନ୍ନ ସ୍ଥାନରୁ ମାନସିକ ଭୋଗ ଧରି ଭକ୍ତମାନେ ଆସନ୍ତି।ବାଶୁଳୀଙ୍କ ସମ୍ମାନାର୍ଥେ ତାଙ୍କ ନାମରେ ନାମିତ "ବାଶୁଳୀ ବନ୍ଧ"ରେ କେହି ବାଜା ବଜାଇ ଯାନ୍ତି ନାହିଁ।ବିବାହାଦି ଉତ୍ସବରେ ରୋଷଣୀ ବନ୍ଧ ଆଗରୁ ବନ୍ଦ ହୁଏ।ବନ୍ଧ ପାରହେଲେ ପୁଣି ଆରମ୍ଭ ହୁଏ ।ଏହା ପରମ୍ପରା କ୍ରମେ ଶହ ଶହ ବର୍ଷ ଧରି ମାନ୍ୟ ହୋଇଆସୁଛି।ବାଶୁଳୀଙ୍କ ମନ୍ଦିର ଆଗଦେଇ କେହି ଜୋତା ପିନ୍ଧି ଯାନ୍ତି ନାହିଁ।ମାଙ୍କୁ ପ୍ରଣାମ କରି ପ୍ରତ୍ୟେକ ବାଟୋଇ ନିଜ କର୍ମକ୍ଷେତ୍ରକୁ ,ନିଜର ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।ବାଶୁଳୀମାଙ୍କ ମହିମା କୀର୍ତ୍ତନ କରି ବହୁ ପଲ୍ଲୀ କବି ସ୍ମୃତି ପୁସ୍ତିକାମାନ ରଚନା କରିଛନ୍ତି।ଭୋଗରାଇର ଅନ୍ୟତମ କୃତି ସନ୍ତାନ ସ୍ବର୍ଗତ ନରେଶ ଚନ୍ଦ୍ର ପାତ୍ର ନିଜ ରଚିତ ସଙ୍ଗୀତରେ ଠାକୁରାଣୀଙ୍କ ମହିମା କୀର୍ତ୍ତନ କରିଛନ୍ତି ।

ଭୂସମ୍ପତ୍ତି ସମ୍ପାଦନା

ପୂର୍ବେ ଠାକୁରାଣୀଙ୍କ ଭୂସମ୍ପତ୍ତି ଅଚଳାଚଳ ଥିଲା ।କେବଳ ଓଡ଼ିଶା କାହିଁକି ସମଗ୍ର ଭାରତରେ ଏତେ ଭୂସମ୍ପତ୍ତି ବହୁ ସୁଖ୍ୟାତ ଧର୍ମପୀଠର ମଧ୍ୟ ନ ଥିଲା । ତାହା ସୁଦୂର ବଙ୍ଗଦେଶର ସୁନ୍ଦରବନଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।ଏଥିରୁ ଠାକୁରାଣୀଙ୍କ ଅତୀତ ସୁଖ୍ୟାତି ଜଣାଯାଏ।ଧାନ ଜମି ବିଶାଶହ ବାଟି ଅର୍ଥାତ ଅଢେ଼ଇ ହଜାର ଏକର ଏବଂ ବିଜେସ୍ଥଳୀ ଶହେ ଏକରରୁ ଉର୍ଦ୍ଧ୍ବ ଥିଲା ।ଏହାଛଡା ନିକଟ ଓ ଦୂରାନ୍ତ ଗ୍ରାମମାନଙ୍କରେ ଅକଳନ କଳାବାଡ଼ି ବା ବାସ୍ତୁ ଢ଼ିପା ମଧ୍ୟ ଠାକୁରାଣୀଙ୍କର ।ଠାକୁରାଣୀଙ୍କ ପୂର୍ବଘାଟ ହାଟ ପାଖରୁ ପଛପଟ ଭୋଗରାଇ ଗାଁ ମଧ୍ୟକୁ ଥିବା ପ୍ରଶସ୍ତ ରାସ୍ତା ଠାକୁରାଣୀଙ୍କର।ଏବେବି ଏହାକୁ ବାଶୁଳୀ ବନ୍ଧ କୁହାଯାଏ।ଭୋଗରାଇ ଫିଡ଼ର ନୋଡ଼ାଲ ସ୍କୁଲ ମଧ୍ୟ ଠାକୁରାଣୀଙ୍କ ବିଜେସ୍ଥଳୀର ଏକ ଅଂଶ ତାହାର ସମ୍ମୁଖ ବିଶାଳ ପ୍ରାନ୍ତରକୁ ମଧ୍ୟ ପୂର୍ବକାଳରୁ ବିକ୍ରି କରାଯାଇଛି ଯାହା ଶତ ଶତ ବର୍ଷ ଧରି ଜନବସତିରେ ପରିପୂର୍ଣ୍ଣ ହୋଇଛି।ଅଜଣାରେ ମଧ୍ୟ ଅନେକ ସମ୍ପତ୍ତି ରହିଛି। ଏ ବିଶାଳ ଭୂସମ୍ପତ୍ତିକୁ ଭକ୍ତମାନେ ଦାନ ସୂତ୍ରରେ ଦେଇଥିଲେ ।କିଛି ରାଜଶକ୍ତି ମଧ୍ୟ ଖଞ୍ଜି ଦେଇଥିଲେ ।ଜନଶ୍ରୁତିରୁ ଜଣାଯାଏ ,ଆକବରଙ୍କ ମନ୍ତ୍ରୀ ତୋଡରମଲ୍ଲ ଏବଂ ସେନାପତି ମାନସିଂହ ବଙ୍ଗ ବିଜୟ ପରେ ମିତ୍ର ରାଜ୍ୟ ଓଡ଼ିଶାର ଅଶାନ୍ତ ପରିସ୍ଥିତିକୁ ଶାନ୍ତ କରି ଫେରିବା ରାସ୍ତାରେ ଶତ୍ରୁର ମାରଣାନ୍ତକ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସତେବେଳର ସବୁଠୁ ପ୍ରସିଦ୍ଧି ଲଭିଥିବା ଏ ଶକ୍ତିପୀଠର ଅଧିଷ୍ଠାତ୍ରୀ ଦେବୀ ମା ବାଶୁଳୀଙ୍କ କୃପାରୁ ସେମାନେ ବିପଦମୁକ୍ତ ହୋଇଥିଲେ।ମାନସିଂହ ସହ ପରାମର୍ଶ କରି ଓଡ଼ିଶାର ପ୍ରବେଶ ପଥ (Gate way) ତୁଲ୍ୟ ଉତ୍ତରପୂର୍ବ ସୀମାନ୍ତରେ ସୁବର୍ଣ୍ଣରେଖା ନଦୀର ଉଭୟ ପାର୍ଶ୍ୱରେ ତାଙ୍କ ରାଜପୁତ ବାହିନୀର ବିପୁଳ ସଂଖ୍ୟକ ଯୋଦ୍ଧା ସୈନ୍ୟମାନଙ୍କ ପାଇଁ ପ୍ରଚୁର ଜମି ଖଞ୍ଜି ଦେଇ ସେମାନଙ୍କର ସ୍ଥାୟୀ ବସବାସର ବ୍ୟବସ୍ଥା କରିବା ସହ ଠାକୁରାଣୀଙ୍କ ସେବା ପୂଜା ପାଇଁ ବିପୁଳ ଭୂସମ୍ପତ୍ତି ନିଷ୍କର ଜାଗିରି ରୂପେ ଖଞ୍ଜି ଦେଲେ।ପରବର୍ତ୍ତୀ କାଳରେ ପଞ୍ଚେଟଗଡ଼ (ଅଧୁନା ବଙ୍ଗ)ର ଜମିଦାର ରାଣୀ ରେଣୁକା ଦେଇ ଭୋଗରାଇ ଜମିଦାରୀ ଶାସନ କରୁଥିବା ବେଳେ ଠାକୁରାଣୀଙ୍କ ସମ୍ପତ୍ତି ରକ୍ଷାର ସୁବନ୍ଦୋବସ୍ତ କରାଇଦେଇଥିଲେ ।ବ୍ରାହ୍ମଣ,ଜ୍ୟୋତିଷ, ମାଳୀ, ଗାୟକ,ବାଜିଆ ହିସାବରେ ପ୍ରାୟ ସମସ୍ତ ଜାତିର ସେବାୟତ ଖଟିବାର ନୀତି ଖଞ୍ଜି ଦେଇଛନ୍ତି ।