କେଉଁକାଳରୁ ରୋଷେଇଠାରୁ ଆରମ୍ଭକରି ପାଣି ରଖିବା ମାଟିପାତ୍ରକୁ ମଣିଷ ବ୍ୟବହାର କରୁଛି । ଅଧୁନା ଆଲୁମିନିୟମ ଓ ସ୍ଟିଲ ବାସନକୁସନ ବ୍ୟବହାର ବଢିଥିଲେ ମଧ୍ୟ ମାଟିପାତ୍ରର ବ୍ୟବହାର ହ୍ରାସ ପାଇନାହିଁ । ଖରାଦିନ ଆସିଲେ ପାଣି ଥଣ୍ଡା ରଖିବା ପାଇଁଁ ମାଠିଆ, ସୁରେଇ, ମାଟିଘୁମା, ମହଣା, ବଡହାଣ୍ଡିର ଦରକାର ପଡେ ।

ମାଟିପାତ୍ର ଗଢ଼ିବା ପ୍ରଣାଳୀ

ସମ୍ପାଦନା

ମାଟିପାତ୍ର ଗଢ଼ିବା ପାଇଁ ଗୋଡି, ପଥର ରହିତ ଚିକିଟା ମାଟି ଆବଶ୍ୟକ ହୁଏ ୤ ସେହି ମାଟିରେ ଆବଶ୍ୟକ ପରିମାଣର ପାଣି ମିଶାଇ ଚକଡା ଯାଏ ୤ ଚକଡା ଯାଇଥିବା ମାଟିରେ ଦରକାର ମୁତାବକ ବାଲି ମିଶାଯାଇ ଏକ ସ୍ୱତନ୍ତ୍ର ସ୍ଥାନରେ ସାଇତି ରଖାଯାଏ ୤ ଚକଟାମାଟିକୁ ମାଟିପିଣ୍ଡି ବା ଗୋଳା କରାଯାଇ ସେଥିରୁ ଗୋଡି ବଛାଯାଏ ୤ ମାଟିପାତ୍ର ଗଢ଼ିବା ପୂର୍ବରୁ କଞ୍ଚାପାଗ ମାଟିକୁ କୁମ୍ଭାର ଚକରେ ରଖି ଚକକୁ ଘୁରାଯାଏ ୤ କୁମ୍ଭାର-କାରିଗର ହାତର ସ୍ପର୍ଶରେ ବିଭିନ୍ନ ପ୍ରକାର ମାଟି ସାମଗ୍ରୀ ଗଢ଼ା ହୋଇଯିବା ପରେ ସେଗୁଡ଼ିକୁ ଅଳ୍ପଖରାରେ କିଛି ସମୟ ପାଇଁ ସୁଖାଇଲା ବେଳେ ଯେପରି ମାଟିପାତ୍ରଗୁଡ଼ିକ ଅଳ୍ପଓଦା ରହିବ ୤ ପରେ ପିଣ୍ଡ, ପିଟଣା ଓ ଗେଣ୍ଢା ସାହାଯ୍ୟରେ କୁମ୍ଭକାର ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ବିଭିନ୍ନ ମାଟିପାତ୍ର ମସୃଣ କରେ ୤ ମାଟିପାତ୍ର ଭିତରେ ପିଣ୍ଡ ରଖି ଓ ମାଟିପାତ୍ରର ବାହାର ଅଂଶକୁ ପିଟଣରେ ପିଟି ମାଠଣା ବା ମସୃଣ କରେ ୤ ତା’ପରେ କୁମ୍ଭାରଶାଳ ବା ଭାଟିରେ କଞ୍ଚା ମାଟିପାତ୍ରଗୁଡ଼ିକୁ ସଜଡା ଯାଇ ପୋଡିବାର ବ୍ୟବସ୍ଥା କରାଯାଏ ୤

ସାଧାରଣତଃ ଶାଳଘର ଭାଟି ଗାଁମୁଣ୍ଡ ବା ବାଡିପଟରେ ତିଆରି ହୋଇଥାଏ । ଭାଟି କହିଲେ ଏକ ନିର୍ଦ୍ଦିଷ୍ଟ ଗୋଲେଇର ଏକ ଗଭୀର ଗାତ । ତା'ଚାରିପାଖେ ପ୍ରାୟ ୪/୫ଫୁଟ ଉଚ୍ଚର ମାଟିକାନ୍ଥ । ଏହା ନୁଆଣିଆ ଚାଳଛପର ଘର ଭିତରେ ଭାଟି ରହିଥାଏ । କିନ୍ତୁ ଭାଟିର କାନ୍ଥ ସମ୍ପୂର୍ଣ୍ଣଭାବେ ଚାଳଘରକୁ ସ୍ପର୍ଶକରି ନଥାଏ । ପ୍ରଥମେ ଭାଟି ବା ଶାଳର ଗାତରେ ଏକପ୍ରକାର ବଡଜାଲି ରହିଥାଏ । ଏହା ଲୁହାଛଡରେ ରୁଆ ପ୍ରସ୍ତୁତ ହୋଇଥାଏ । ସେହି ଲୁହାଛଡ ଉପରେ ପୂର୍ବରୁ କଞ୍ଚାମାଟିରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମାଟିପାତ୍ରକୁ ସଜାଡି ରଖାଯାଇଥାଏ । ତା'ପରେ ପୂର୍ବରୁ ଭାଟିରେ ରଖାଯାଇଥିବା ଝାଟିଡାଳରେ ନିଆଁ ଲଗାଯାଇ ମାଟିପାତ୍ରକୁ ପୋଡ଼ାଯାଇଥାଏ । ପୋଡ଼ା ସମୟରେ ସାବଧାନତା ଅବଲମ୍ବନ କରାଯାଏ ନଚେତ୍ ସଜଡା ଯାଇଥିବା ହାଣ୍ଡିଗୁଡିକ ଭୁଶୁଡି ଯାଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।[]

  1. ଧରିତ୍ରୀ, ଅପ୍ରିଲ ୨-୮, ୨୦୧୭