ମରୁଭୂମି
ମରୁଭୂମି ଏକ ଅନୁର୍ବର ସ୍ଥାନ ଯେଉଁଠି ବହୁତ ଅଳ୍ପ ବୃଷ୍ଟିପାତ (precipitation) ହେବାଦ୍ୱାରା ଗଛ ଓ ଜୀବ ତଥା ମାନବମାନଙ୍କର ଜୀବନ ଧାରଣ କରିବାକୁ ପ୍ରତିକୁଳ ଅବସ୍ଥା ଉତ୍ପନ୍ନ ହୋଇଥାଏ । କୌଣସି ବୃକ୍ଷ ନଥିବାରୁ ଭୂପୃଷ୍ଠ ଅସୁରକ୍ଷିତ ହୋଇ କ୍ଷୟ (denudation) ହୋଇଯାଏ । ପୃଥିବୀର ପ୍ରାୟ ଏକ ତୃତୀୟାଂଶ ସ୍ଥାନ ଶୁଷ୍କ (arid) ବା ଅର୍ଦ୍ଧଶୁଷ୍କ ଥାଏ । ମେରୁ ଅଞ୍ଚଳରେ ମଧ୍ୟ ବୃଷ୍ଟିପାତ କମ୍ ହୁଏ ଓ ସେଥିଯୋଗୁ ଏହାକୁ ମଧ୍ୟ ଥଣ୍ଡା ମରୁଭୂମି ବା ମେରୁ ମରୁଭୂମି କୁହାଯାଏ । ମରୁ ସ୍ଥାନର ବୃଷ୍ଟିପାତ ପରିମାଣ, ଉତ୍ତାପ, ମରୁ ହେବାର କାରଣ ବା ସେମାନଙ୍କର ଭୌଗଳିକ ସ୍ଥାନ ଅନୁସାରେ ମରୁଭୂମିର ବର୍ଗୀକରଣ କରାଯାଏ ।
ପାଣିପାଗରେ ବିରାଟ ପରିବର୍ତ୍ତନ ଦିବାରାତ୍ରରେ ହେଉଥିବାରୁ ଉତ୍ତାପର ପରିବର୍ତ୍ତନ ହୁଏ ଓ ସେଥିଯୋଗୁ ଶିଳାମାନଙ୍କ ଉପରେ ତାହାର ପ୍ରଭାବ ପଡ଼ିବାରୁ ସେଗୁଡ଼ିକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ । ମରୁଭୂମିରେ କ୍ୱଚିତ ବର୍ଷା ହୁଏ ଓ ସେତେବେଳେ ସାମାନ୍ୟ ବନ୍ୟା ମଧ୍ୟ ହୁଏ । ଉତ୍ତପ୍ତ ଶିଳା ଉପରେ ବୃଷ୍ଟିପାତ ହେବା ଯୋଗୁ ସେହି ଖଣ୍ଡମାନ ଆହୁରି ଭାଙ୍ଗିଯାଏ ଓ ବେଗଯୁକ୍ତ ପବନ ଯୋଗୁ ଅଧିକ କ୍ଷୟ ହୁଏ । ପବନରେ ଏହି ଧୁଳି ଗୁଣ୍ଡ ଉଡ଼ି ବାଲିଝଡ଼ (dust storms) ସୃଷ୍ଟିକରେ । ଏହି ଉଡ଼ନ୍ତା ଧୁଳି ପଥର ଦେହରେ ବାଜି ଆହୁରି କ୍ଷୟ କରାଏ । ପଥର ଚିକ୍କଣ ହୋଇଯାଏ ଓ ବାଲୁକା ରାଶି ଠାଏ ଠାଏ ଜମା ହୋଇଯାଇ ସ୍ୟାଣ୍ଡ ଡ୍ୟୁନ ତିଆରି ହୋଇଯାଏ । ଅନ୍ୟ କେତେକ ମରୁଭୂମିରେ ବାଲି ଉଡ଼ିଯାଇ କେବଳ ଚିକ୍କଣ ପଥର ମୋଜାଇକ ଭଳି ଦେଖାଯାଏ । ଏହାକୁ ମରୁ ଫୁଟପାଥ (desert pavement) କୁହାଯାଏ ଓ ଏହାପରେ ଆଉ ବିଶେଷ କୌଣସି କ୍ଷୟ ହୁଏନାହିଁ । ଅନ୍ୟାନ୍ୟ ମରୁ ଦୃଶ୍ୟ ମଧ୍ୟରେ ପଥର ଆଧକ୍ୟ ଓ ଜଳ ପ୍ରବାହ ଯୋଗୁ କାଦୁଅ ଜମିଯିବା ଦେଖାଯାଏ । ଅନେକ ସ୍ଥାନରେ ଭୂତଳ ଜଳ (aquifers) ଥିବା ଯୋଗୁ ଝରଣା ଦେଖାଯାଏ । ଏହିଭଳି ସ୍ଥାନରେ ମରୁଦ୍ୟାନ ସୃଷ୍ଟି ହୋଇଥାଏ ।
ଏହି ଉତ୍ତପ୍ତ ବାତାବରଣରେ ରହିବା ନିମନ୍ତେ ଜୀବଜଗତକୁ ସେଥିପାଇଁ ଖାପଖୁଆଇବାକୁ ହୁଏ । ସେଠାରେ ଥିବା ଗଛ ଶକ୍ତ, ଛୋଟ ପତ୍ର ବା ପତ୍ର ବିହୀନ ହୋଇଥାଆନ୍ତି, ଜଳ ପ୍ରତିରୋଧି କ୍ୟୁଟିକ୍ଲ ଥାଏ ଓ କଣ୍ଟାଯୁକ୍ତ ହୋଇ ପ୍ରାଣୀମାନଙ୍କ ଖାଦ୍ୟ ହେବାରୁ ବଞ୍ଚିତ ହୁଅନ୍ତି । କେତେକ ବର୍ଷିକିଆ ଗଛମାନଙ୍କର ଅଙ୍କୁରୋଦ୍ଗମ ହୋଇ ପୁଷ୍ପିତ ହୋଇ କିଛି ସପ୍ତାହ ମଧ୍ୟରେ ମରିଯାଆନ୍ତି । ଅନ୍ୟ କେତେକ ଗଛ ବର୍ଷ ବର୍ଷ ଧରି ବଞ୍ଚନ୍ତି ଓ ତାଙ୍କର ଚେର ଭୂଗର୍ଭକୁ ଯାଇ ଜଳକଣା ସଂଗ୍ରହ କରନ୍ତି । ପ୍ରାଣୀମାନେ ବିନା ପାଣିରେ ବଞ୍ଚିବା ଶିଖିଥାଆନ୍ତି; ଦିବା ସମୟରେ ଛାଇରେ ବା ଭୂମିତଳେ ରହନ୍ତି । ଅନେକ ପ୍ରାଣୀ ଦୀର୍ଘ ସମୟ ଧରି ନିଷ୍କ୍ରିୟ ହୋଇ ରହିବା ପରେ କ୍ୱଚିତ ହେଉଥିବା ବର୍ଷା ସମୟରେ ସକ୍ରିୟ ହୋଇଯାଆନ୍ତି । ଉପଯୁକ୍ତ ବାତାବରଣରେ ସେମାନେ ଦୃତ ଗତିରେ ପ୍ରଜନନ କରି ସମୟ ହେଲେ ପୁନଶ୍ଚ ନିଷ୍କ୍ରିୟ ହୋଇଯାଆନ୍ତି ।
ଶବ୍ଦ ବ୍ୟୁତ୍ପତ୍ତି
ସମ୍ପାଦନାମରୁଭୂମିର ପ୍ରତିଶବ୍ଦ ଭାବରେ ଥିବା ଇଂରାଜୀ, ଇଟାଲୀ, ଫ୍ରାନସ ଓ ପର୍ତ୍ତୁଗାଲରେ ବ୍ୟବହୃତ ସମସ୍ତ ଶବ୍ଦମାନ ଲାଟିନର ଡେଜର୍ଟମ (dēsertum) ଶବ୍ଦରୁ ଆସିଛି ଯାହାର ଅର୍ଥ ପରିତ୍ୟାଗ । [୧] ବିଂଶ ଶତାବ୍ଦୀ ପୂର୍ବରୁ ଡେଜର୍ଟ କହିଲେ ଜନବିହୀନ ସ୍ଥାନ ଭାବରେ ବିଦିତ ଥିଲା ଯାହାର ଶୁଷ୍କତା ସାଥିରେ କୌଣସି ସମ୍ପର୍କ ନଥିଲା । [୧] ଆଜିକାଲି ଏହାକୁ ସ୍ୱଳ୍ପ ବୃଷ୍ଟିପାତ ଓ ଶୁଷ୍କତା ଯୋଗୁ ସୃଷ୍ଟି ହେଉଥିବା ସ୍ଥାନକୁ କୁହାଯାଉଛି । [୨] ଡେଜର୍ଟ ଦ୍ୱୀପ "desert island" ଭଳି ବାକ୍ୟାଂଶ ବା [୩] ପୂର୍ବତନ ଶତାବ୍ଦୀରେ ଲିଖିତ ଗ୍ରେଟ ଆମେରିକାନ ଡେଜର୍ଟ (Great American Desert) ବା ସେକସପିଅରଙ୍କ ରଚନାରେ ଥିବା ଉଇଣ୍ଟରସ ଟେଲ (The Winter's Tale) କାହାଣୀରେ ଥିବା ଡେଜର୍ଟ ଅଫ ବୋହେମିଆରେ କୌଣସି ଶୁଷ୍କତା ନଥିଲା ଓ ଏହା ଅଳ୍ପ ସଂଖ୍ୟକ ଜନପଦ ଥିବା ସ୍ଥାନକୁ ଚିହ୍ନଟ କରୁଥିଲା । [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ Harper, Douglas (2012). "Desert". Online Etymology Dictionary. Retrieved 2013-05-12.
- ↑ "Desert". The Free Dictionary. Farlex. Retrieved 2013-05-12.
- ↑ "Desert Island". The Free Dictionary. Farlex. Retrieved 2013-05-12.
- ↑ Meinig, Donald W. (1993). The Shaping of America: A Geographical Perspective on 500 Years of History, Volume 2: Continental America, 1800–1867. Yale University Press. p. 76. ISBN 978-0-300-05658-7.