ଭାଲୁ ଉପଦ୍ରବ ବିଜୟ ମିଶ୍ରଙ୍କ ରଚିତ ଏକ ଓଡ଼ିଆ ଏକାଙ୍କିକା ।[୧] ଏହାର କାହାଣୀ ପଶୁର ବିଶ୍ୱାସ ଓ ମଣିଷର ବିଶ୍ୱାସହୀନତାକୁ ନେଇ ଗତିଶୀଳ ।

ବିଜୟ ମିଶ୍ର

ବିଷୟବସ୍ତୁ ସମ୍ପାଦନା

ଏକଦା ଜଙ୍ଗଲ ଛାଡ଼ି ସହରକୁ ଚାଲିଆସିଥିବା ଭାଲୁଟିଏ ସହରୀ ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିଥିଲା । ପ୍ରଶାସନ ପକ୍ଷରୁ ଆରମ୍ଭ କରି ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି । ଭାଲୁ ହିଂସ୍ରଜନ୍ତୁ । ମଣିଷର ଅଧିକ କ୍ଷତି କରିପାରେ ସେ । ଏପରି ଏକ ସମ୍ଭାବନାକୁ ନାଟ୍ୟକାର ନାଟକୀୟ ମୋଡ ଦେଇଛନ୍ତି ଓ ସସେମିରା ଉପାଖ୍ୟାନଟିକୁ ଏଥିରେ ସନ୍ନିବେଶିତ କରିଛନ୍ତି । ପଶୁର ବିଶ୍ୱାସ ଓ ମଣିଷର ବିଶ୍ୱାସଘାତକତା ଏକ ଚିରାଚରିତ ଢଙ୍ଗରେ କାହାଣୀଟି ପର୍ଯ୍ୟବେସିତ । ନାନା ପ୍ରକାରର ଆଶା-ଆଶଙ୍କାରେ ମ୍ରିୟମାଣ ଗୋଟାଏ ମେସ‌ର ଅନ୍ତେବାସୀମାନେ,ଅବଲୀଳାକ୍ରମେ ସେମାନଙ୍କ ପାଇଖାନା ଘର ଭିତରକୁ ଭାଲୁ ପ୍ରବେଶ କରିବାର ଜାଣିପାରିଛନ୍ତି । ନାନା ତର୍କବିତର୍କ ପରେ ଯେତେବେଳେ ପଛପଟ ଦୁଆର ଖୋଲି ଭାଲୁକୁ ବାହାର କରିବାର ଉଦ୍ୟମ ହୋଇଛି, ସେତେବେଳେ ପ୍ରଶ୍ନ ଉଠୁଛି ‘ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ?’ଶେଷରେ ଉଠିଛି ଗୋପୀର କଥା,ଯାହାକୁ ତା ବୁଢୀମା ଏମାନଙ୍କ ଦାୟିତ୍ୱରେ ଛାଡ଼ିଦେଇଥିଲା । ମେସ‌ର ସମସ୍ତ ସ୍ବାର୍ଥପରମାନେ ନିଜ ନିଜର ସୁରକ୍ଷା ପାଇଁ ଗୋପୀକୁ ହିଁ ବିପଦ ମୁହଁକୁ ଠେଲି ଦେଇଛନ୍ତି । କିନ୍ତୁ ଭାଲୁର ଦୟାରୁ ସେ ବଞ୍ଚିଯାଇଛି । ପରେ ଗୋପୀ ମେସ୍ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇଛି ଓ ଏହି ଅବସରରେ ନାଟ୍ୟକାର ଗୋପୀ ମୁହଁରେ ସେଇ ‘ସସେମିରା’ କଥା ମନେପକାଇ ବିଶ୍ୱାସ ଓ ଅବିଶ୍ୱାସର ମୁଖାପିନ୍ଧା ମଣିଷର ପ୍ରକୃତ ପରିଚୟ ପଦାରେ ପକାଇଛନ୍ତି ।

ଆଧାର ସମ୍ପାଦନା

  1. ସାହିତ୍ୟ ଜ୍ୟୋତି: ପ୍ରଥମ ଭାଗ. ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା. 2016. pp. ୧୯୯. ISBN 978-81-8005-352-8.