ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର
ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ବ୍ରହ୍ମପୁର (ଇଂରାଜୀ: Indian Institute of Science Education and Research Berhampur, ସଂକ୍ଷେପରେ ଆଇଜର ବ୍ରହ୍ମପୁର) ଏକ ଭାରତୀୟ ସ୍ୱୟଂଶାସିତ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ । ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା (ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ) ଓଡ଼ିଶାର ବ୍ରହ୍ମପୁରଠାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଉଚ୍ଚତର ବୈଜ୍ଞାନିକ ଶିକ୍ଷା ଏବଂ ଅନୁସନ୍ଧାନ ସହ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ଉଚ୍ଚ ଗୁଣ ସମ୍ପନ୍ନ ଶିକ୍ଷାବିତ ଗଠନ ଏହାର ଉଦ୍ଦେଶ୍ୟ ଥିଲା । ଏହି ଅନୁଷ୍ଠାନକୁ ଭାରତ ସରକାର 'ଜାତୀୟ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ'ର ମାନ୍ୟତା ପ୍ରଦାନ କରିଛନ୍ତି । ଏହା ୨୦୧୬-୧୭ ଶିକ୍ଷାବର୍ଷ ଅଗଷ୍ଟ ମାସରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ଭାରତର ଅନ୍ୟ ସାତୋଟି ଆଇଜର ମଧ୍ୟରୁ ଅନ୍ୟତମ ।
ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର | |
---|---|
ଫାଇଲ:IISER Berhampur Logo.svg | |
ସ୍ଥାପିତ | ୨୦୧୬ [୧] |
ପ୍ରକାର | ସର୍ବସାଧାରଣ |
ନିର୍ଦ୍ଦେଶକ | ପ୍ରଫେସର କେ. ଭି. ଆର୍. ଚାରୀ [୨] |
ଅବସ୍ଥାନ | ବ୍ରହ୍ମପୁର, ଓଡ଼ିଶା, ଭାରତ 19°18′38″N 84°49′39″E / 19.310653°N 84.827539°E(ଅସ୍ଥାୟୀ କ୍ୟାମ୍ପସ୍) |
ୱେବସାଇଟ | www |
ଇତିହାସ
ସମ୍ପାଦନାଗୁଣାତ୍ମକ ଶିକ୍ଷା ଏବଂ ମୌଳିକ ବିଜ୍ଞାନରେ ଗବେଷଣାକୁୁ ପ୍ରୋତ୍ସାହିତ କରିବାପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ୨୦୦୬ ମସିହାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ସ୍ଥାପନ କରାଯାଇଥିଲା । ଜାତୀୟ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ଅଧିନିୟମ, ୨୦୦୭ରେ ସଂଶୋଧନ ଓ ପରିବର୍ତ୍ତନ ଆଣି ସଂସଦରେ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ (NITSER) ବିଲ୍, ୨୦୧୬ ମାଧ୍ୟମରେ ମୂଳ ଅଧିନିୟମର ଦ୍ୱିତୀୟ ପରିଶିଷ୍ଟରେ ଆଇଜର ତିରୁପତି ଓ ଆଇଜର ବ୍ରହ୍ମପୁରକୁ ସାମିଲ କରାଯାଇଥିଲା । [୩] ସେତେବେଳର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୫ ମସିହାରେ ନିଜର ବଜେଟ୍ ଭାଷଣରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହା ପୂର୍ବରୁ ପୁଣେ ଏବଂ କୋଲକାତା (୨୦୦୬), ମୋହାଲି (୨୦୦୭), ଭୋପାଳ ଏବଂ ତିରୁଅନନ୍ତପୁରମ (୨୦୦୮)ଠାରେ ଅନ୍ୟ ୫ଟି ଆଇଜର ପ୍ରତିଷ୍ଠା କରାଯାଇଥିଲା ।
ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ
ସମ୍ପାଦନାଉଦ୍ଦେଶ୍ୟ :
ଆଇଜର ବ୍ରହ୍ମପୁରର ଲକ୍ଷ୍ୟ ହେଉଛି ଏପରି ଏକ ଉଚ୍ଚ ଦକ୍ଷତାପୂର୍ଣ୍ଣ ଗବେଷଣା ପ୍ରତିଷ୍ଠାନର ସୃଷ୍ଟି ଓ ବିକାଶ କରିବା, ଯାହା ମୌଳିକ ବିଜ୍ଞାନରେ ଶିକ୍ଷାଦାନ ଏବଂ ଶିକ୍ଷାକୁ ଅତ୍ୟାଧୁନିକ ଗବେଷଣା ସହିତ ଏକୀକୃତ କରିପାରିବ । ଆଇଜରଗୁଡ଼ିକ ସ୍ନାତକ ଓ ସ୍ନତକୋତ୍ତର ଶିକ୍ଷା ପ୍ରତି ଉତ୍ସର୍ଗୀକୃତ ଏବଂ ଶିକ୍ଷାଦାନ ଓ ବିଜ୍ଞାନର ଶିକ୍ଷଣକୁ ଏକୀକୃତ କରି ମୌଳିକ ବିଜ୍ଞାନକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିବା ସେମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ।
ଲକ୍ଷ୍ୟ :
- ମୌଳିକ ବିଜ୍ଞାନରେ ଗୁଣାତ୍ମକ ଶିକ୍ଷା ଏବଂ ଅନୁସନ୍ଧାନ ସୃଷ୍ଟି କରିବା ।
- ଉଚ୍ଚମାନର ଶିକ୍ଷକଙ୍କୁ ଆକର୍ଷିତ କରିବା ଏବଂ ପ୍ରତିପୋଷଣ କରିବା ।
- ଅଳ୍ପ ବୟସରେ ଅନୁସନ୍ଧାନରେ ପ୍ରବେଶ ଯୋଗାଇବା ପାଇଁ ବିଜ୍ଞାନରେ ଏକୀକୃତ ମାଷ୍ଟର୍ସ କାର୍ଯ୍ୟକ୍ରମ ସୃଷ୍ଟି କରିବା । ଏଥିସହ, ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ଅନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର ଏବଂ ପି.ଏଚ.ଡି. ପାଇଁ ଏକୀକୃତ ପ୍ରୋଗ୍ରାମ ରହିବ ।
- ବିଜ୍ଞାନରେ ଏକ ନମନୀୟ ସୀମାହୀନ ପାଠ୍ୟକ୍ରମ ସମ୍ଭବ କରିବା ।
- ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏବଂ ଗବେଷଣାଗାର ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ମାଧ୍ୟମରେ ସକ୍ରିୟ ଭାବରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା ।
- ଉନ୍ନତ ଅନୁସନ୍ଧାନ ଗବେଷଣାଗାର ଏବଂ କେନ୍ଦ୍ରୀୟ ସୁବିଧା ପ୍ରତିଷ୍ଠା କରିବା |[୪]
କ୍ୟାମ୍ପସ
ସମ୍ପାଦନାଆଇଜର ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ. ବ୍ରହ୍ମପୁରରେ ଏହାର ଅସ୍ଥାୟୀ କ୍ୟାମ୍ପସରୁ ସାମୟିକ ଭାବେ କାର୍ଯ୍ୟ କରୁଛି । ସ୍ଥାୟୀ କ୍ୟାମ୍ପସ ବ୍ରହ୍ମପୁର ନିକଟ ଲାଉଡ଼ିଗ୍ରାମରେ ନିର୍ମାଣ ଚାଲିଛି ।
ଶୈକ୍ଷିକ କାର୍ଯ୍ୟକ୍ରମ
ସମ୍ପାଦନାଆଇଜର ବ୍ରହ୍ମପୁର ବର୍ତ୍ତମାନ ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ, ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି. ଏବଂ ପି. ଏଚ. ଡି. ପ୍ରଦାନ କରୁଛି ।
- ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ (Dual-degree Bachelor of Science & Master of Science (BS-MS)) ଏକ ୫ ବର୍ଷୀୟ ଦ୍ବୈତ ଡିଗ୍ରୀ ଓ BS-MS କାର୍ଯ୍ୟକ୍ରମ ହେଉଛି ସମସ୍ତ ଆଇଜରର ମୁଖ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ପ୍ରଥମ ଦୁଇ ବର୍ଷ ସମସ୍ତ ବିଷୟ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ମାନବିକତା ଏବଂ ଆନ୍ତଃ ବିଭାଗୀୟ ପାଠ୍ୟକ୍ରମ)ରେ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ । ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଛାତ୍ରମାନେ ସେମାନଙ୍କର ଅନୁସନ୍ଧାନ ଆଗ୍ରହ ଅନୁଯାୟୀ ଏକ 'ମେଜର' ଏବଂ 'ମାଇନର' ବିଷୟ ଚୟନ କରନ୍ତି । ପଞ୍ଚମ ବର୍ଷ ସମ୍ପୂର୍ଣ୍ଣ ଭାବରେ ଗବେଷଣା/ବିଶେଷ ତାଲିମ ନିମନ୍ତେ ସମର୍ପିତ । ସେଥିରେ ସେମାନେ ପ୍ରକଳ୍ପ ସମ୍ବନ୍ଧୀୟ ଏକ ଗବେଷଣା ନିବନ୍ଧ ପ୍ରସ୍ତୁତ କରିଥାନ୍ତି । ପଞ୍ଚମ ବର୍ଷ ଶେଷରେ ସଫଳ ପ୍ରାର୍ଥୀଙ୍କୁ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଏ ।[୫] ବି. ଏସ. ଏମ୍. ଏସ. କାର୍ଯ୍ୟକ୍ରମରେ ନାମଲେଖା ପାଇଁ କେବଳ ନିମ୍ନଲିଖିତ ଛାତ୍ରମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି:
- କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (KVPY): ମୌଳିକ ବିଜ୍ଞାନ ଷ୍ଟ୍ରିମର ଯେଉଁ ଛାତ୍ରମାନେ ଚଳିତ ଆଡମିଶନ ବର୍ଷରେ KVPY ଛାତ୍ରବୃତ୍ତି (SA / SX / SB ଷ୍ଟ୍ରିମ୍ ରେ) ଲାଭ କରିଛନ୍ତି, ସେହି ପ୍ରାର୍ଥୀମାନେ ଆଡମିଶନ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।
- ମିଳିତ ପ୍ରବେଶିକା ପରୀକ୍ଷା (ଉନ୍ନତ) - Joint Entrance Examination (Advanced): ସାଧାରଣ ବର୍ଗର ପ୍ରାର୍ଥୀମାନେ, ଯେଉଁମାନେ ଜେ. ଇ. ଇ. ଆଡଭାନ୍ସର ସାଧାରଣ କ୍ରମାଙ୍କ ତାଲିକା (CRL)ରେ ୧୦୦୦ ମଧ୍ୟରେ ପଦବୀ ସୁରକ୍ଷିତ କରିଛନ୍ତି ସେମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ସଂରକ୍ଷିତ ବର୍ଗ (OBC-NCL, ଅନୁସୂଚିତ ଜାତି(SC), ଅନୁସୂଚିତ ଜନଜାତି (ST), ଭିନ୍ନକ୍ଷମ (PD))ର ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କର ବର୍ଗ ମାନ୍ୟତା ବ୍ୟବହାର କରାଯାଏ ।
- ରାଜ୍ୟ ଏବଂ କେନ୍ଦ୍ରୀୟ ବୋର୍ଡ State and Central Boards (SCB): ଯେଉଁ ଛାତ୍ରମାନେ ଚଳିତ କିମ୍ବା ପୂର୍ବ ବର୍ଷ ବିଜ୍ଞାନ ଷ୍ଟ୍ରିମ୍ ସହିତ (୧୦ + ୨) ସ୍ତର ପାସ କରିଛନ୍ତି, ସେମାନେ ନିଜ ନିଜ ବୋର୍ଡରେ କଟ୍ ଅଫ୍ ଶତକଡ଼ା କିମ୍ବା ତା’ଠାରୁ ଅଧିକ ମାର୍କ ସହିତ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଏକ ଯୁଗ୍ମ ଆଡମିଶନ ପ୍ରୋଗ୍ରାମ୍ ମାଧ୍ୟମରେ ଏହା ବର୍ତ୍ତମାନ ଅନ୍ୟ ଆଇଜର ସହିତ ସମନ୍ୱୟରେ କରାଯାଉଅଛି । ଏଥି ପାଇଁ ସେମାନଙ୍କୁ "ଆଇଜର ଦକ୍ଷତା ପରୀକ୍ଷା (IISER Aptitude Test (IAT)" ଦେବାକୁ ପଡିଥାଏ ।[୬]
- ଡକ୍ଟରେଟ ଇନ୍ ଫିଲୋସୋଫି (Ph.D.): ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଡକ୍ଟରାଲ୍ କାର୍ଯ୍ୟକ୍ରମରେ ଆଡମିଶନ କରାଯାଇପାରେ । ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ କାର୍ଯ୍ୟକ୍ରମର ଛାତ୍ରମାନଙ୍କ ବ୍ୟତୀତ ଅନ୍ୟ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ସ୍ନାତକୋତ୍ତର ଛାତ୍ରମାନେ ମଧ୍ୟ ଡକ୍ଟରାଲ୍ କାର୍ଯ୍ୟକ୍ରମରେ ଭର୍ତ୍ତି ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ ପାଠ୍ୟକ୍ରମ କାର୍ଯ୍ୟ, ଯୋଗ୍ୟତା ପରୀକ୍ଷା, ଅଧ୍ୟାପକଙ୍କ ଅଧୀନରେ ଥେସିସ୍ ଗବେଷଣା, ଏକ ଖୋଲା ସେମିନାର ଏବଂ ଡିସର୍ଟେସନ୍ ପ୍ରତିରକ୍ଷା ପରୀକ୍ଷା ଅନ୍ତର୍ଭୁକ୍ତ ହୋଇଥାଏ, ଯାହାକି ପି. ଏଚ. ଡି. ଲାଭ କରିବା ନିମନ୍ତେ ଏକାନ୍ତ ଆବଶ୍ୟକ । ଡିଗ୍ରୀ ଛାତ୍ରଙ୍କ ପୃଷ୍ଠଭୂମି ଉପରେ ନିର୍ଭର କରି ପାଠ୍ୟକ୍ରମର ପରିମାଣ ଭିନ୍ନ କରାଯାଇପାରେ । ବ୍ୟକ୍ତିଗତ ଅନୁସନ୍ଧାନ ବ୍ୟତୀତ, ଛାତ୍ରମାନେ ଅନେକ ବୃତ୍ତିଗତ କାର୍ଯ୍ୟକଳାପ ଯେପରିକି ସେମିନାର, କର୍ମଶାଳା, ଉପସ୍ଥାପନା ଏବଂ ସମୀକ୍ଷା ବୈଠକରେ ଜଡ଼ିତ ହେବେ ତଥା ଅଧ୍ୟାପକମାନଙ୍କୁ ଡକ୍ଟରାଲ୍ କାର୍ଯ୍ୟକ୍ରମ ସମୟରେ ଶିକ୍ଷାଦାନରେ ସାହାଯ୍ୟ କରିବାକୁ ହୁଏ ।[୭]
- ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି.(iPh.D.): ଏହି କାର୍ଯ୍ୟକ୍ରମ ହେଉଛି ଏପରି ଏକ କାର୍ଯ୍ୟକ୍ରମ, ଯାହାର ପରିଶେଷରେ ଏକ ସ୍ନାତକୋତ୍ତର ଡିଗ୍ରୀ ଓ ପି. ଏଚ. ଡି. ଡିଗ୍ରୀ ପ୍ରଦାନ କରାଯାଇଥାଏ । ଏଥିରେ ପ୍ରଥମ ତିନିଟି ସେମିଷ୍ଟାର କୋର୍ ଏବଂ ଚୟନ ପାଠ୍ୟକ୍ରମ ପଢ଼ାଯାଇଥାଏ ଓ ଚତୁର୍ଥ ସେମିଷ୍ଟାରରେ ଉନ୍ନତ ପାଠ୍ୟକ୍ରମ ସହିତ ପ୍ରକଳ୍ପକାର୍ଯ୍ୟ ରହିଥାଏ । ବିସ୍ତୃତ ଏବଂ ପ୍ରକଳ୍ପ କାର୍ଯ୍ୟ ପରେ ଛାତ୍ରଛାତ୍ରୀମାନେ ଗବେଷଣାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି, ଯାହା ସେମାନଙ୍କୁ ପି. ଏଚ. ଡି. ଲାଭରେ ସହାୟକ ହୋଇଥାଏ । ଏହିପରି ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଶେଷ ହେବାକୁ ପ୍ରାୟ ୭ ବର୍ଷ ଲାଗିଥାଏ ।[୮] [୯]
ବିଭାଗ
ସମ୍ପାଦନାଏହି ଅନୁଷ୍ଠାନରେ ମୋଟ ୪ଟି ବିଭାଗ ରହିଛି ଯେଉଁଥିରେ ବି. ଏସ. ଏମ୍. ଏସ. ଦ୍ବୈତ ଡିଗ୍ରୀ, ଇଣ୍ଟିଗ୍ରେଟେଡ୍ ପି. ଏଚ. ଡି. ଏବଂ ପି. ଏଚ. ଡି. ଡ଼ିଗ୍ରୀ ପ୍ରଦାନ କରାଯାଇଥାଏ । ସେଗୁଡିକ ହେଲା :
୧. ଜୀବ ବିଜ୍ଞାନ ବିଭାଗ (Department of Biological Sciences)
୨. ରସାୟନ ବିଜ୍ଞାନ ବିଭାଗ (Department of Chemical Sciences)
୩. ଗଣିତ ବିଭାଗ (Department of Mathematical Sciences)
୪. ପଦାର୍ଥ ବିଜ୍ଞାନ ବିଭାଗ (Department of Physical Sciences)