ବ୍ରହ୍ମାଙ୍କ ବୟସ ୧୦୦ ବ୍ରହ୍ମ ବର୍ଷ । ଏକ ବ୍ରହ୍ମ ବର୍ଷ = ୭୨୦ କଳ୍ପ (୩୬୦ ଦିନ + ୩୬୦ ରାତି )। ପୌରାଣିକ ମତେ ୨୦୧୬ ସାଲରେ ବ୍ରହ୍ମାଙ୍କ ୫୧ବର୍ଷର ପ୍ରଥମ ଦିନର ସପ୍ତମ ମନ୍ଵନ୍ତରର ଅଷ୍ଟାବିଂଷ (୨୮) ମହାଯୁଗର କଳିଯୁଗ ଚାଲୁଅଛି । [୧]

କଳ୍ପ ସମ୍ପାଦନା

ପୌରାଣିକ ମତେ ବ୍ରହ୍ମାଙ୍କର ଏକଦିନ ବା ଏକରାତିର ସମୟ, ଏହା ମଣିଷ ମାନଙ୍କର ୪୩୨ କୋଟି ବରଷ କାଳ । ବର୍ତ୍ତମାନ (୨୦୧୬ସାଲରେ) ଶ୍ଵେତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୮ବର୍ଷ ଚଳୁଅଛି ।

ଶ୍ଵେତବାରାହ କଳ୍ପ ସମ୍ପାଦନା

ଶ୍ଵେତବାରାହ ବ୍ରହ୍ମାଙ୍କ ସୃଷ୍ଟିର ଆଦିଯୁଗର ପ୍ରଥମ କଳ୍ପ । ଏହି କଳ୍ପାବ୍ଦର ପରିମାଣ ମୋଟରେ ୪୩୨କୋଟି ବର୍ଷ । ଏହି କଳ୍ପର ସପ୍ତବିଂଶ ଯୁଗ ଅତୀତ ହୋଇ ଅଷ୍ଟାବିଂଶ ଯୁଗ ବର୍ତ୍ତମାନ ଚାଲୁଅଛି । ଏ କଳ୍ପରେ ସ୍ଵୟମ୍ଭୁବ, ସ୍ଵାରୋଚିଷ, ଉତ୍ତମଜ, ତାମସ, ରୈବତ ଓ ଚାକ୍ଷୁଷ ମନୁମାନଙ୍କର ଅଧିକାର ଶେଷ ହୋଇଅଛି, ବର୍ତ୍ତମାନ ବୈବସ୍ଵତ ନାମକ ସପ୍ତମ ମନୁଙ୍କ ଅଧିକାର ଚଳୁଅଛି । ବର୍ତ୍ତମାନ ଶ୍ଵେତବାରାହ କଳ୍ପାବ୍ଦରେ ୧୯୭କୋଟି ୨୯ଲକ୍ଷ ୫୦ହଜାର ୧୩ବର୍ଷ ଚଳୁଅଛି । ଶ୍ଵେତବାରାହ କଳ୍ପର ଆରମ୍ଭ ହେଲାବେଳେ ଏ ପୃଥିବୀ ସୃଷ୍ଟି ହୋଇ ନ ଥିଲା । ଏ କଳ୍ପାରମ୍ଭର ୧କୋଟି ୭୦ଲକ୍ଷ ୬୪ହଜାର ବର୍ଷପରେ ଏ ପୃଥିବୀର ସୃଷ୍ଟି ହୋଇଅଛି । ବର୍ତ୍ତମାନ ପୃଥିବୀର ବୟସ ୧୯୫ କୋଟି ୫୮ଲକ୍ଷ ୮୬ହଜାର ୧୩ବର୍ଷ ।

ମନ୍ୱନ୍ତର ସମ୍ପାଦନା

ମନ୍ଵନ୍ତର (ମନୁ+ଅନ୍ତର; ଏକ ମନୁଙ୍କର ଅନ୍ତର ହୁଏ ଯହିଁରେ) ୧୩ କୋଟି ୭୭ ଲକ୍ଷ ୨ ହଜାର ମାନୁଷବତ୍ସର ବ୍ୟାପୀ କାଳ; ଦେବତାମାନଙ୍କର ୭୧ଟି ଯୁଗ । ପ୍ରଜାପତିଙ୍କର ୧୪ଟି ମାନସପୁତ୍ର ବା ମନୁଙ୍କମଧ୍ୟରୁ ପ୍ରତ୍ୟେକେ ଦେବତାମାନଙ୍କର ୭୧ ଯୁଗ ବା ମନୁଷ୍ୟ ଗଣନାରେ ୭୧ ଚତୁର୍ଯୁଗ ବ୍ୟାପୀ କାଳ ରାଜତ୍ୱକରନ୍ତି ଏହା ବ୍ରହ୍ମାଙ୍କର ଏକଦିବସର ୧୪ ଭାଗରୁ ଏକଭାଗ । ୧୪ଟି ମନ୍ୱନ୍ତର ହେଲେ ବ୍ରହ୍ମାଙ୍କ ଗୋଟିଏ ଦିବସହୁଏ । ଏକ ମନୁଙ୍କର ରାଜତ୍ୱର ଶେଷହେଲେ ପ୍ରଳୟ ଉପସ୍ଥିତ ହୁଏ । ବର୍ତ୍ତମାନ ୭ମ ମନୁ ବା ବୈବସୁତମନୁ ଙ୍କର ରାଜତ୍ୱକାଳର ଅଷ୍ଟାବିଂଶ ଯୁଗର 1ମଭାଗ ଭୋଗହେଉଅଛି ।

ମନୁ ସମ୍ପାଦନା

ମନୁ ବ୍ରହ୍ମାଙ୍କର ୧୪ଜଣ ମାନସ ପୁତ୍ର ଯଥା- ସ୍ଵାୟଂଭୁବ, ସ୍ଵାରୋଚିଷ, ଉତ୍ତମ, ତାମସ, ରୈବତ, ଚାକ୍ଷୁସ, ବୈବସ୍ଵତ, ସାବର୍ଣ୍ଣି, ଦକ୍ଷ ସାବର୍ଣ୍ଣି, ବ୍ରହ୍ମସାବର୍ଣ୍ଣି, ଧର୍ମସାବର୍ଣ୍ଣି, ରୁଦ୍ରସାବର୍ଣ୍ଣି, ଦେବସାବର୍ଣ୍ଣି ଓ ଇନ୍ଦ୍ରସାବର୍ଣ୍ଣି । ସୃଷ୍ଟିର ପ୍ରତ୍ୟେକ କଳ୍ପରେ ଏହି ୧୪ଜଣ ମନୁ ବ୍ରହ୍ମାଙ୍କ ମନରୁ ଜାତ ହୁଅନ୍ତି ଓ ଯଥାକ୍ରମେ ସୃଷ୍ଟି କର୍ମରେ ଲାଗନ୍ତି ଓ ସୃଷ୍ଟିରେ ଅଧିକାରି ହୁଅନ୍ତି । ପୃଥିବୀର ବର୍ତ୍ତମାନ ମନ୍ଵନ୍ତରରେ ବୈବସ୍ଵତ ମନୁଙ୍କର ଅଧିକାର । ଚଳିତ ଶ୍ଵେତବରାହ କଳ୍ପର ଚତୁର୍ଦ୍ଦଶ ମନୁ:[୨]

  1. ସ୍ଵାୟଂଭୁବ
  2. ସ୍ଵାରୋଚିଷ
  3. ଉତ୍ତମ
  4. ତାମସ
  5. ରୈବତ
  6. ଚାକ୍ଷୁସ
  7. ବୈବସ୍ଵତ (ବର୍ତ୍ତମାନର ମନୁ)
  8. ସାବର୍ଣ୍ଣି
  9. ଦକ୍ଷ ସାବର୍ଣ୍ଣି
  10. ବ୍ରହ୍ମସାବର୍ଣ୍ଣି
  11. ଧର୍ମସାବର୍ଣ୍ଣି
  12. ରୁଦ୍ରସାବର୍ଣ୍ଣି
  13. ଦେବସାବର୍ଣ୍ଣି
  14. ଇନ୍ଦ୍ରସାବର୍ଣ୍ଣି

ବତ୍ସର ସମ୍ପାଦନା

ଚଳିତ ସମ୍ବତ୍ସର: ସମ୍ବତ୍ସର ନାମ ସାଧାରଣ ବୃଷ (ଜ୍ୟେଷ୍ଠ) ଦି୩୧ନ ପର୍ଯ୍ୟନ୍ତ ଓ ସମ୍ବତ୍ସର ନାମ ବିରୋଧକୃତ ମିଥୁନ (ଆଷାଢ଼) ଦି୧୬ନ ଠାରୁ । (ଉତ୍ତର ଭାରତୀୟ ଗଣନା ଓ ଦକ୍ଷିଣ ଭାରତୀୟ ଗଣନା ମଧ୍ୟରେ ୧୨ତି ସମ୍ବତ୍ସରର ବ୍ୟବଧାନ ପରିଲକ୍ଷିତ ହୁଏ ।[୩])

ବତ୍ସର ୧୨ମାସ ଯୁକ୍ତ ସମୟ । ପୃଥିବୀରେ ବିଭିନ୍ନ ଗଣନାନୁସାରେ ନାନାପ୍ରକାର ବତ୍ସର ପ୍ରଚଳିତ; ଯଥା: ନକ୍ଷତ୍ରମାନ, ସୌରମାନ, ଚାନ୍ଦ୍ରମାନ, ଶକାବ୍ଦ, ଫସଲୀ ବା କୃଷିବର୍ଷ, ହିଜରୀ, ଖ୍ରୀଷ୍ଟାବ୍ଦ, ଶାଳିବାହାନାବ୍ଦ, ଇତ୍ୟାଦି । ପୂର୍ବେ ଭାରତବର୍ଷରେ ବର୍ଷକ ୩ଅଂଶ ବା ଋତୁରେ ବିଭକ୍ତି ହେଉଥିଲା, ଯଥା: ଫାଲ୍ଗୁନ, ଚୈତ୍ର, ବୈଷାଖ ଓ ଜ୍ୟୈଷ୍ଠ= ଗ୍ରୀଷ୍ମଋତୁ; ଆଷାଢ଼, ଶ୍ରାବଣ, ଭାଦ୍ର ଓ ଆଶ୍ୱିନ = ବର୍ଷାଋତୁ; କାର୍ତ୍ତିକ, ମାର୍ଗଶିର, ପୌଷ ଓ ମାଘ=ହେମନ୍ତଋତୁ । ବ୍ରାହ୍ମଣମାନେ ଏହି ଚାତୁର୍ମାସ୍ୟର ପ୍ରାରମ୍ଭରେ ବା ଅନ୍ତରେ ଯାଗଯଜ୍ଞାଦି ଅନୁଷ୍ଠାନ କରୁଥିଲେ । ହିନ୍ଦୁସନ୍ୟାସୀ, ବୌଦ୍ଧଭିକ୍ଷୁ ଓ ଜୈନଯତିମାନ ବର୍ଷାଚାରିମାସ ଅନ୍ୟତ୍ର ପରିଭ୍ରମଣ ନକରି ଆଶ୍ରମରେ ରହୁଥିଲେ ।

  • ସମ୍ବତ୍ସର/ ସୌର ବତ୍ସର/ ସୌର ବର୍ଷ: ମେଷ ସଂକ୍ରାନ୍ତିଠାରୁ ପରବର୍ତ୍ତୀ ମେଷ ସଂକ୍ରାନ୍ତିର ପୂର୍ବ ଦିନ ପର୍ଯ୍ୟନ୍ତ । ୧ ସୌର ବତ୍ସର = ସାବନ ୩୬୫ ଦିନ ୧୫ ଦଣ୍ଡ ୩୧ ବିପଳ ୨୪ ଅନୁପଳ
    • ସୌର ମାସ: ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ । ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ । ଏହା ୨୯, ୩୦, ୩୧ କିମ୍ବା ୩୨ ଦିନ ବ୍ୟାପି ହୁଏ ।
  • ଧନୁବତ୍ସର/ ଚାନ୍ଦ୍ରାୟଣ ବର୍ଷ/ ଚାନ୍ଦ୍ର ବର୍ଷ: ଚନ୍ଦ୍ରଙ୍କ ଗତି ଦ୍ଵାରା ନିୟମିତ ଦ୍ଵାଦଶ ମାସ ବିଶିଷ୍ଟ ବର୍ଷ ବା ୩୫୪.୧୯୨ ଦିନ ।
  • ଚାନ୍ଦ୍ରମାନବତ୍ସର ଚନ୍ଦ୍ରଙ୍କଗତି ଦ୍ୱାରା ନିୟମିତ ଦ୍ୱାଦଶ ମାସ ବିଶିଷ୍ଟ ବର୍ଷ
    • ଚାନ୍ଦ୍ର ମାସ: ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହାକୁ ଚାନ୍ଦ୍ରମାସ ବୋଲାଯାଏ । ଏହା ୨୭, ୨୮, ୨୯କିମ୍ବା ୩୦ ଦିନ ବ୍ୟାପି ହୁଏ ।
  • ନାକ୍ଷତ୍ରିକବତ୍ସର/ ନାକ୍ଷତ୍ରିକ ସମ୍ବତ୍ସର/ ନାକ୍ଷତ୍ରିକବର୍ଷ: ବାରଟି ନାକ୍ଷତ୍ରିକ ମାସ ଯୁକ୍ତମାସ
    • ନାକ୍ଷତ୍ର ମାସ: ଚନ୍ଦ୍ରଙ୍କର ଅଶ୍ଵିନୀ ନକ୍ଷତ୍ରରେ ଉଦୟ ହେବା ସମୟଠାରୁ ଯଥାକ୍ରମେ ପରବର୍ତ୍ତୀ ରେବତୀ ନକ୍ଷତ୍ରରେ ଉଦୟ ହେବା ଦିନର ଶେଷ ପର୍ଯ୍ୟନ୍ତ କାଳକୁ ନାକ୍ଷତ୍ର ମାସ ବୋଲାଯାଏ । ନାକ୍ଷତ୍ର ମାସ ୨୭ ଦିନ ବ୍ୟାପି ହୁଏ ।

ବାର୍ହସ୍ପତ୍ୟ ବତ୍ସର ସମ୍ପାଦନା

  • ଇଦାବତ୍ସର: ବୃହସ୍ପତି ମାଘମାସରେ ଧନିଷ୍ଠା ନକ୍ଷତ୍ରର ପ୍ରଥମାଂଶରେ ଉଦୟ ହେବା ବେଳେ ଏ ଗଣନାର ଆରମ୍ଭ ହୁଏ । ରାଶି ଚକ୍ରରେ ବୃହସ୍ପତିଙ୍କ ଗତି ଅନୁସାରେ ପ୍ରତି ୬୦ ବର୍ଷରେ ୧୨ ଯୁଗ ହୁଏ ଓ ପ୍ରତି ଯୁଗରେ ୫ ବର୍ଷ ଥାଏ । ଏହି ୫ ବର୍ଷର ନାମ ଯଥାକ୍ରମେ: ସଂବତ୍ସର, ପରିବତ୍ସର, ଅନୁବତ୍ସର ଓ ଇଦ୍‌ବତ୍ସର । ୧୨ଟି ଯୁଗର ଅଧିପତି ଯଥାକ୍ରମେ: ବିଷ୍ଣୁ, ସୁରେଜ୍ୟ, ବଳଭିତ୍, ଅଗ୍ନି, ତ୍ଵଷ୍ଟା, ଉତ୍ତର, ପ୍ରୋଷ୍ଠପଦ, ପିତୃଗଣ, ବିଶ୍ଵ, ସୋମ, ଶକ୍ରାନିଳ, ଅଶ୍ଵି ଓ ଭଗ ।
  • ପରିବତ୍ସର: ଯେଉଁ ସମୟ ମଧ୍ୟରେ ବୃହସ୍ପତି ଦ୍ଵାଦଶରାଶି ଭୋଗ କରେ । ସୌର ଦ୍ଵାଦଶ ବତ୍ସର
  • ଅଧିବତ୍ସର: ମଧ୍ୟମ ମାନରେ (ମଧ୍ୟମ ଗତିରେ) ଯଦି ବୃହସ୍ପତି ଗୋଟିଏ ଚାନ୍ଦ୍ର ବର୍ଷ ମଧ୍ୟରେ (ଚୈତ୍ର ଶୁକ୍ଳ ପ୍ରତିପଦ ଠାରୁ ପୁଣି ଉକ୍ତ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ) ରାଶ୍ୟାନ୍ତ ନହୁଏ (ଆଦୌ ନହୁଏ) ତାହା ହେଲେ ସେହି ଚାନ୍ଦ୍ର ବର୍ଷକୁ ସ୍ମୃତି ପଣ୍ଡିତମାନେ ଅଧିବତ୍ସର କହନ୍ତି ।
  • ଲୁପ୍ତ ସମ୍ବତ୍ସର: ସ୍ଫୁଟ ଗତିରେ ଗୋଟିଏ ସୌର ବର୍ଷ ମଧ୍ୟରେ (ମେଷ ସଂକ୍ରାନ୍ତିରୁ ପୁଣି ମେଷ ସଂକ୍ରାନ୍ତି ମଧ୍ୟରେ) ଯଦି ବୃହସ୍ପତି ଦୁଇଟି ରାଶିକୁ ଯିବାର ଦେଖାଯିବ ତେବେ ସେହି ସୌର ବର୍ଷକୁ ଲୁପ୍ତ ସମ୍ୱତ୍ସର କୁହାଯିବ ।
ବତ୍ସର କ୍ରମ ଯୁଗର୧ମ ବତ୍ସର ଯୁଗର ୨ୟ ବତ୍ସର ଯୁଗର ୩ୟ ବତ୍ସର ଯୁଗର ୪ର୍ଥ ବତ୍ସର ଯୁଗର ୫ମୟ ବତ୍ସର
ହିନ୍ଦୀ ଶବ୍ଦସାଗର ନାମ [୪] ସଂବତ୍ସର ପରିବତ୍ସର ଇଦାବତ୍ସର ଅନୁବତ୍ସର ଇଦ୍‌ବତ୍ସର
ଯଜୁର୍ବେଦ ନାମ[୫] - ପରିବତ୍ସର ଇଦାବତ୍ସର ଇଦ୍‌ବତ୍ସର ବତ୍ସର
ବତ୍ସର ଅଧୀଶ୍ୱର ବହ୍ନ ଅର୍କ ଚନ୍ଦ୍ର ବ୍ରହ୍ମା ଶିବ
୧ମ ଯୁଗ ବିଷ୍ଣୁ ଯୁଗ (୦୧) ପ୍ରଭବ ବିଭବ ଶୁକ୍ଳ ପ୍ରମଦ (୦୫) ପ୍ରଜାପତି
୨ୟ ଯୁଗ ଗୁରୁ ଯୁଗ (୦୬) ଅଙ୍ଗିରା ଶ୍ରୀକୁଖ ଭାନୁ ଯୁବା (୧୦) ଧାତା
୩ୟ ଯୁଗ ଇନ୍ଦ୍ର ଯୁଗ (୧୧) ଇଶ୍ୱର ବହୁଧାନ୍ୟ ପ୍ରମୋଦ ବିକ୍ରମ (୧୫) ବୃଷଃ
୪ର୍ଥ ଯୁଗ ପାବକ ଯୁଗ (୧୬) ଚିତ୍ରଭାନୁ ସୁଭାନୁ ତାରଣ ପାର୍ଥିବ (୨୦) ଅବ୍ୟୟ
୫ମ ଯୁଗ ତ୍ୱାଷ୍ଟ୍ର ଯୁଗ (୨୧) ସର୍ବ୍ବଜିତ୍ ସର୍ବଧାରୀ ବିରୋଧୀ ବିକୃତି (୨୫) ଖର
୬ଷ୍ଠ ଯୁଗ ଅହିବୁଧ୍ନ୍ୟ ଯୁଗ (୨୬) ନନ୍ଦନ ବିଜୟ ଜୟ ମନ୍ମଥ (୩୦) ଦୁର୍ମୁଖ
୭ମ ଯୁଗ ପିତୃ ଯୁଗ (୩୧) ହେମଲମ୍ବୀ ବିଲମ୍ବୀ ବିକାରୀ ଶାର୍ବ୍ବରୀ (୩୫) ପ୍ଳବ
୮ମ ଯୁଗ ବୈଶ୍ୱ ଯୁଗ (୩୬) ଶୋକକୃତ୍ ଶୁଭକୃତ୍ କ୍ରୋଧୀ ବିଶ୍ୱାବସୁ (୪୦) ପରାବସୁ
୯ମ ଯୁଗ ଚାନ୍ଦ୍ର ଯୁଗ (୪୧) ପ୍ଳବଙ୍ଗ କୀଳକ ସୌମ୍ୟ ସାଧାରଣ (୪୫) ବିରୋଧକୃତ୍
୧୦ମ ଯୁଗ ଐନ୍ଦ୍ରାନଳ ଯୁଗ (୪୬) ପରିଧାବୀ ପ୍ରମାଥୀ ଆନନ୍ଦ ରାକ୍ଷସ (୫୦)ଅନଳ
୧୧ଶ ଯୁଗ ଆଶ୍ୱିନ ଯୁଗ (୫୧) କପିଳ କାଳ ସିଦ୍ଧାର୍ଥ ରୌଦ୍ର (୫୫) ଦୁର୍ମତି
୧୨ଶ ଯୁଗ ଭାଗ୍ୟ ଯୁଗ (୫୬) ଦୁନ୍ଦୁଭି ରୁଧିରୋଦ୍ଗାରୀ ରକ୍ତାକ୍ଷ କ୍ରୋଧନ (୬୦) କ୍ଷୟ
  • ଶରଣ/ ଶରଣ ପଞ୍ଚକ: ପ୍ରତ୍ୟେକ ମାସରେ ଚନ୍ଦ୍ରର ମକର ଓ କୁମ୍ଭ ରାଶିରେ ରହିବା କାଳ ଅର୍ଥାତ ଉତ୍ତରାଷାଢ଼ା (୨୧ଶ), ଶ୍ରବଣା (୨୨ଶ), ଧନିଷ୍ଠା (୨୩ଶ), ଶତଭିଷା (୨୪ଶ) ଓ ପୂର୍ବ ଭାଦ୍ରପଦ (୨୫ଶ) ନକ୍ଷତ୍ରମାନଙ୍କରେ ଏକାଦିକ୍ରମେ ପଡ଼ିଥିବା ୫ଟି ଦିବସ । ଏହି ପାଞ୍ଚଦିନ ଭୂମି ଖନନ, ତୃଣ କାଷ୍ଠାଦି ଛେଦନ ନିଷିଦ୍ଧ ।
  • ଭାରତୀୟ ଭୂମଧ୍ୟ ରେଖା (ମାଧ୍ୟନ୍ଦିନ ରେଖା) ବିଷୁବକୁ ଯେଉଁଠାରେ କାଟିଛି ସେହି ବିନ୍ଦୁକୁ ଲଙ୍କା ବୋଲି ଭାରତୀୟ ଜ୍ୟୋତିଷ ସିଦ୍ଧାନ୍ତ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ହେଇଛି । ଲଙ୍କାର ଅର୍ଦ୍ଧରାତ୍ରିରୁ ସବୁ ଦିନର ଆରମ୍ଭ ।
  • ସାବର୍ଣ୍ଣ ବର୍ଷ/ ସାବନ ବର୍ଷ: ସାବନ ମାସାନୁସାରେ ସଂସ୍କାର, ଅଶୌଚ ଓ ଯଜ୍ଞକର୍ମାଦି କାର୍ଯ୍ୟ କରାଯାଏ ସୌର ବା ଚାନ୍ଦ୍ର ମାସ ଧରାଯାଏ ନାହିଁ ।

ମାସ ସମ୍ପାଦନା

ରାଶି ସମ୍ପାଦନା

ପୃଥିବୀ ବର୍ଷକେ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୂରିଆସେ କିନ୍ତୁ ଜ୍ୟୋତିଷ ଗଣନାର ସୁବିଧାପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତିଯେ ସମୁଦାୟ ଅକାଶ ବା ଖଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ ବା ୩୬୫ ଦିନରେ ବା ଏକ ସୌରବର୍ଷରେ ପୃଥିବୀର ଚାରିଆଡ଼େ ଥରେ ଘୁରିଆସନ୍ତି । ବର୍ଷକ ୧୨ମାସ ଥିବାରୁ ଖଗୋଳ (୩୬୦ ଡିଗ୍ରୀ) କୁ୧୨ ଭାଗରେ ବିଭକ୍ତ କରାଯାଇଅଛି ଏହା ପ୍ରତ୍ୟେକ ଭାଗ ୩୦ ଡିଗ୍ରୀଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀପରିମିତ ସୀମାମଧ୍ୟରେ ଦେଖାଯାଉଥିବା କେତେକ ଉଜ୍ବଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା: ମେଷ, ବୃଷ, ମିଥୁନ, କଙ୍କଡ଼ା, ସିଂହ, କନ୍ୟା, ବିଚ୍ଛା, ମକର, ମୀନ) ର ବା ବସ୍ତୁ (ଯଥା: ତୁଳାଯନ୍ତ୍ର, ଧନୁ, କୂମ୍ଭ) ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ର ମାନଙ୍କୁ ସେହି ସେହି ଜୀବ ବା ବସ୍ତୁନାମରେ ଡକାଯାଇଅଛି । ଉଦାହରଣ ସ୍ୱରୁପ ଦେଖାଯିବ ଯେଉଁ ୩୦ ଡିଗ୍ରୀ ସୀମାମଧ୍ୟରେ ବିଛାରାଶି ଅବସ୍ଥିତ ସେଥିରେଥିବା ଉଜ୍ବଳ ତାରା ଗୁଡିକ ଯୋଗକଲେ ଗୋଟିଏ କଙ୍କଡା ବିଛାର ରୂପ କଳ୍ପିତ ହୋଇପାରିବ ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ ।

ସୌର ମାସ ସମ୍ପାଦନା

କ୍ରାନ୍ତିପଥ ଦେଇ ସୂର୍ଯ୍ୟ ଗତି କରିବା ଭିତରେ ପ୍ରତ୍ୟେକ ବର୍ଷ ବାରଟି ତାରାମଣ୍ଡଳ ବା ରାଶି ମଣ୍ଡଳ ଦେଇ ଯାଇଥାଏ । ସୂର୍ଯ୍ୟ ଯେଉଁ ଦିନ ଗୋଟିଏ ରାଶି ଛାଡ଼ି ଆଉ ଗୋଟିଏ ରାଶିରେ ପଶେ, ସେହି ଦିନକୁ ସଂକ୍ରାନ୍ତି କୁହାଯାଏ ଏବଂ ଏହା ସୌରମାସର ପ୍ରଥମ ଦିନ ଭାବରେ ଗଣନା କରାଯାଏ । ସେହି ରାଶିର ନାମ ଅନୁସାରେ ସଂକ୍ରାନ୍ତିର ଓ ସେହି ସୋରମାସର ନାମ ରଖାଯାଏ । ଯେପରି ଧନୁରାଶିରେ ସୂର୍ଯ୍ୟ ପଶିବା ଦିନକୁ ଧନୁ ସଂକ୍ରାନ୍ତି କୁହାଯାଏ ଏବଂ ପରବର୍ତ୍ତୀ ସଂକ୍ରାନ୍ତି ଯାଏଁ ମାସଟିକୁ ଧନୁମାସ ବୋଲି କୁହାଯାଏ । ସୌରମାସ ଗୁଡ଼ିକ ହେଲା: ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଚ୍ଛା, ଧନୁ, ମକର, କୁମ୍ଭ ଓ ମୀନ) । ସୌର ବର୍ଷ ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ । ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ ।

ଚାନ୍ଦ୍ର ମାସ ସମ୍ପାଦନା

ଚାନ୍ଦ୍ର ମାସ ଦୁଇପ୍ରକାର ଯଥା । ଗୌଣ ଚାନ୍ଦ୍ରମାସ ଓ ମୁଖ୍ୟ ଚାନ୍ଦ୍ରମାସ

  • ଗୌଣ ଚାନ୍ଦ୍ରମାସ: ପୂର୍ଣ୍ଣିମା ପରଦିନ (କୃଷ୍ଣ ପ୍ରତିପଦ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ ।
  • ମୁଖ୍ୟ ଚାନ୍ଦ୍ରମାସ: ଅମାବସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍ ନୂତନ ଚନ୍ଦ୍ରକଳା ଦର୍ଶନ) ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ ।

ଆଧାର ସମ୍ପାଦନା

  1. "THE HINDU THEORY OF WORLD CYCLES In the Light of Modern Science". Baharna.com. Retrieved 17 November 2016.
  2. His Divine Grace A. C. Bhaktivedanta Swami Prabhupada. Teachings of Lord Caitanya (Third Edition): The Golden Avatara. The Bhaktivedanta Book Trust. pp. 109\u2013. ISBN 978-91-7149-730-7.
  3. Robert Sewell; S.B. Dikshit (31 May 1995). The Indian Calendar, with Tables for the Conversion of Hindu and Muhammadan Into A.D. Dates, and Vice Versa. Motilal Banarsidass Publishe. pp. 37–. ISBN 978-81-208-1207-9.
  4. ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ. p. ୬୮୩୫. Retrieved 17 November 2016.
  5. Bettina Bäumer; Kapila Vatsyayan (January 1992). Kalātattvakośa: A Lexicon of Fundamental Concepts of the Indian Arts. Motilal Banarsidass Publishe. pp. 215–. ISBN 978-81-208-1044-0.

ଅଧିକ ତଥ୍ୟ ସମ୍ପାଦନା