ବୈଷ୍ଣବ ଚରଣ ମହାନ୍ତି

ଭାରତୀୟ ଓଡ଼ିଆ-ଭାଷୀ ପ୍ରାବନ୍ଧିକ

ବୈଷ୍ଣବ ଚରଣ ମହାନ୍ତି (ଜନ୍ମ: ୧୫ ଅଗଷ୍ଟ ୧୯୫୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ପ୍ରାବନ୍ଧିକ । ସେ ଅନେକ ନାଟକ, କବିତା, ନିବନ୍ଧର ଲେଖକ । ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଜଣେ ସକ୍ରିୟ ଲେଖକ । ତାଙ୍କ ଲିଖିତ ପାନ ଓ ପ୍ରିୟତମା ପାଇଁ ତାଙ୍କୁ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ପୁରସ୍କୃତ ହୋଇଥିଲା । ପାନ ଓ ପ୍ରିୟତମା ପୁସ୍ତକଟି ‘ପାନ’ ସମ୍ପର୍କରେ ଏକ ଗବେଷଣାଧର୍ମୀ ଉପସ୍ଥାପନା ।

ବୈଷ୍ଣବ ଚରଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1954-08-15) ୧୫ ଅଗଷ୍ଟ ୧୯୫୪ (ବୟସ ୬୯)
ବୃତ୍ତିପ୍ରାବନ୍ଧିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପାନ ଓ ପ୍ରିୟତମା
ଶ୍ରୀମତୀଙ୍କ ସୁବିଧା ପାଇଁ
ନିଶରୁ ନମସ୍କାର ପର୍ଯ୍ୟନ୍ତ
ଠେଙ୍ଗା ଥେସିସ୍‌
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪)
ଜୀବନସାଥୀଶ୍ରୀମତୀ ମଞ୍ଜୁବାଳା ଦାସ
ସନ୍ତାନଦୁଇ ଜଣ ପୁଅ

ବାଲ୍ୟ ଜୀବନ ସମ୍ପାଦନା

୧୯୫୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭରାଳୋ ଗ୍ରାମରେ ବୈଷ୍ଣବ ଜନ୍ମ ଗ୍ରହଣ କରିଥିଲେ । ଅବିଭକ୍ତ କଟକ ଜିଲ୍ଲାରେ ମହାନଦୀ କୂଳରେ ଅବସ୍ଥିତ ରାହାମାରୁ ଅଳ୍ପ କିଛି ଦୂରରେ ଭରାଳୋ ଅବସ୍ଥିତ । ମାତ୍ର ଦଶ ବର୍ଷ ବୟସ ବେଳକୁ, ତାଙ୍କ ପିତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା । ତେଣୁ ବୈଷ୍ଣବଙ୍କ ବାଲ୍ୟ ଜୀବନ ଅର୍ଥାଭାବରେ କଟିଥିଲା । ଦଶମ ଶ୍ରେଣୀ ସମାପ୍ତ କରିବାର କିଛି ଦିନ ପରେ ବୈଷ୍ଣବଙ୍କର ମାତୃ ବିୟୋଗ ହୋଇଥିଲା ।

କର୍ମ ଜୀବନ ସମ୍ପାଦନା

ସେ ଓଡ଼ିଶା ଗଣଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ସହ ନିର୍ଦ୍ଦେଶକ ଥିଲେ । ଜୀବନୀ ସମ୍ପର୍କିତ ପୁସ୍ତକ ସଂଗ୍ରହ କରିବା ବୈଷ୍ଣବଙ୍କର ଏକ ରୁଚି । ବୈଷ୍ଣବ ନିଜ ବ୍ୟକ୍ତିଗତ ପାଠାଗାରରେ ଓଡ଼ିଆ ଭାଷା ଲିଖିତ ୩୦୦ରୁ ଅଧିକ ଜୀବନୀ ପୁସ୍ତକ ସଂଗ୍ରହ କରି ରଖିଛନ୍ତି ।

ବୈଷ୍ଣବଙ୍କ ମତରେ ଇତିହାସ ରାଜନୈତିକ ଚିତ୍ରର ପ୍ରତିଫଳନ, କିନ୍ତୁ ଏକ ବ୍ୟକ୍ତିଙ୍କ ଆତ୍ମଜୀବନୀ ତତ୍କାଳୀନ ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା, ଚଳଣି, ଖାଦ୍ୟପେୟ, ଶିକ୍ଷା, ଧର୍ମ ଭାବନା ଇତ୍ୟାଦିର ନିଦର୍ଶକ । ତେଣୁ ସେ ଆତ୍ମଜୀବନୀ ପଢ଼ିବାକୁ ଓ ସଂଗ୍ରହ କରିବାକୁ ଭଲପାଆନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ।[୧] ୧୯୯୯ ମହାବାତ୍ୟାରେ ବୈଷ୍ଣବ ସଂଗୃହୀତ ନିଜର ବହୁ ପୁସ୍ତକ ହରାଇ ବସିଥିଲେ । ସମ୍ ହସ୍ପିଟାଲ ନିକଟରେ ସେ ନିଜ ଘରେ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ ନାମକ ଏକ ଘରୋଇ ସଭାର ପ୍ରତିଷ୍ଠା କରି ସାହିତ୍ୟବିତ୍ ଓ ବନ୍ଧୁମାନଙ୍କ ସହିତ ଆଲୋଚନା କରନ୍ତି ।

ରଚନାବଳୀ ସମ୍ପାଦନା

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ଶ୍ରୀମତୀଙ୍କ ସୁବିଧା ପାଇଁ ୧୯୯୭ ଭୁବନେଶ୍ୱର ସଂଜୀବନୀ ପ୍ରକାଶିନୀ[୨]
ନିଶରୁ ନମସ୍କାର ପର୍ଯ୍ୟନ୍ତ
ଠେଙ୍ଗା ଥେସିସ୍‌ ୧୯୯୬ କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର[୩]
ପାନ ଓ ପ୍ରିୟତମା ୨୦୦୧ କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର
ଶଳା ସମ୍ପର୍କରେ
ଝଡ଼ ବର୍ଷାର ମଧ୍ୟବର୍ତ୍ତୀ (କବିତା)
ପୁଅ ନାଁ ଗୋପାଳିଆ (ବ୍ୟଙ୍ଗ)
ଗାଁ ଦାଣ୍ଡର ନାଟକ
ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି (ଜୀବନୀ ପୁସ୍ତକ)
କର କର ନିରୀକ୍ଷଣ (ଅନୁବାଦ ପୁସ୍ତକ)
ସଙ୍କୁଚିତ ସଂସ୍କୃତି
ବିଧବା ବେଶ ବିରୋଧରେ
ଜ୍ଞାନୀର ଲକ୍ଷଣ
ଗାଁ ଲୋକଙ୍କ ନାଁ ଦିଆ (ଗଳ୍ପ ପୁସ୍ତକ)
ମନ ଥିଲେ ଧନ
ଅପା ଘରକୁ ଗଲି କପା କିଣି
ଗୋ ହିତେ ଜନ କଲ୍ୟାଣ
କି ଥିଲା ଏ ଗାଁ କି ହୋଇଛି ଆଜ
ଆମ ଝୋଟି ଚିତା ମୁରୁଜ
ସାରିଆ ଦେଇଛି ଚିଠି
ଏଇ କୁନା ଦିନେ ପ·ରୁ ଥିଲା (ଶିଶୁ ସାହିତ୍ୟ)
ନାଁ ରଖିଗଲେ ପିଲାଟି ବେଳୁ
ପାଠଶାଳାର ହସ କଥା

ପୁରସ୍କାର ଓ ସମ୍ମାନ ସମ୍ପାଦନା

ପାନ ଓ ପ୍ରିୟତମା ପାଇଁ ବୈଷ୍ଣବ ଚରଣ ମହାନ୍ତିଙ୍କୁ ୨୦୦୪ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ପାନ ଓ ପ୍ରିୟତମା ପୁସ୍ତକର ଲେଖକ ବୈଷ୍ଣବ କିନ୍ତୁ ଜୀବନରେ ବହୁ ବର୍ଷ ପର୍ଯ୍ୟନ୍ତ ପାନ ଖାଇ ନଥିଲେ । ୧୯୯୨ ମସିହାର ରଥଯାତ୍ରା ଅବସରରେ ତାମ୍ବୂଳ ମହାପ୍ରସାଦ ଗ୍ରହଣ କରିବାକୁ ସେ ନିଜର ପ୍ରଥମ ପାନଖିଆ ଅନୁଭୂତି ବୋଲି ପାନ ଓ ପ୍ରିୟତମା ପୁସ୍ତକରେ ଲେଖିଛନ୍ତି । ପାନ ଓ ପ୍ରିୟତମା ପୁସ୍ତକ “ପାନ” ସମ୍ପର୍କରେ ବିଭିନ୍ନ ଗବେଷଣାମୂଳକ ତଥ୍ୟ ରହିଛି ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଆୟୋଜିତ ସଭାରେ ବୈଷ୍ଣବ ଚରଣ ମହାନ୍ତିଙ୍କୁ ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।[୪]

ଉତ୍କଳ ସାହିତ୍ୟ ସମାଜ ନାମକ ଅନୁଷ୍ଠାନ ପକ୍ଷରୁ ବ୍ୟଙ୍ଗ ଓ କଟାକ୍ଷ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବୈଷ୍ଣବ ଚରଣ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।[୫]

୨୦୨୧ ମସିହା ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଲଳିତ ନିବନ୍ଧ ରଚନା ପାଇଁ ତାଙ୍କୁ ଝଙ୍କାର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୬]

ଆଧାର ସମ୍ପାଦନା

  1. "ଓଡ଼ିଆ ଆତ୍ମଜୀବନୀର ଜଣେ ନିଆରା ସଂଗ୍ରାହକ: ବୈଷ୍ଣବ ଚରଣ ମହାନ୍ତି". OdishaLIVE (in ଆମେରିକୀୟ ଇଂରାଜୀ). 2017-07-29. Retrieved 2019-02-21.
  2. "VTLS Chameleon iPortal System Error Occurred". opac.nationallibrary.gov.in. Retrieved 2019-02-21.
  3. "VTLS Chameleon iPortal Item List". opac.nationallibrary.gov.in. Retrieved 2019-02-21.
  4. "ପ୍ରଥମ ଡକ୍ଟର ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ - Hindusthan Samachar Odiya | DailyHunt". DailyHunt (in ଇଂରାଜୀ). Retrieved 2019-02-21.
  5. "Sahitya award for surgeon". www.telegraphindia.com (in ଇଂରାଜୀ). Retrieved 2019-02-21.
  6. "ହରପ୍ରସାଦ, ଅମରେଶ ପାଇବେ ବିଷୁବ ପୁରସ୍କାର". No. ସମ୍ବାଦ ୦୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡ଼ିଆ. 3 April 2021. p. ୩. Archived from the original on 3 April 2021. Retrieved 3 April 2021.