ବିଦ୍ୟୁତ ଉତ୍ପାଦନ

(ବିଦ୍ୟୁତ୍ ଉତ୍ପାଦନରୁ ଲେଉଟି ଆସିଛି)

କୌଣସି ଏକ ପ୍ରାଥମିକ ଶକ୍ତି-ଉତ୍ସରୁ ବୈଦ୍ୟୁତିକ ଶକ୍ତିର ଉତ୍ପାଦନ କରିବା ପ୍ରକ୍ରିୟା ହେଉଛି ବିଦ୍ୟୁତ୍ ଉତ୍ପାଦନ । ଶକ୍ତି କମ୍ପାନୀଗୁଡ଼ିକ ପାଇଁ ଏହା ସରବାରହ, ବିତରଣ ଏବଂ ସଞ୍ଚୟର ପୂର୍ବବର୍ତ୍ତୀ ସୋପାନ ଅଟେ ।

ଟର୍ବୋ ଜେନେରେଟର
ଏକ ବୈଦ୍ୟୁତିକ ଶକ୍ତି ବ୍ୟବସ୍ଥାର ଚିତ୍ର, ଲାଲ ରଙ୍ଗରେ ଉତ୍ପାଦନ ପ୍ରଣାଳୀ ଦର୍ଶାଯାଇଛି

ବିଦ୍ୟୁତ୍ ଶକ୍ତି ପ୍ରଚୁର ପରିମାଣରେ ପ୍ରକୃତିରେ ମୁକ୍ତ ଭାବରେ ଉପଲବ୍ଧ ନୁହେଁ, ତେଣୁ ଏହାକୁ “ଉତ୍ପାଦନ” କରିବାକୁ ପଡ଼େ (ଅର୍ଥାତ୍ ଅନ୍ୟ ଶକ୍ତିକୁ ବିଦ୍ୟୁତରେ ରୂପାନ୍ତରଣ କରିବା) । ଏହି ଉତ୍ପାଦନ ପ୍ରକ୍ରିୟା ପାୱାର ଷ୍ଟେସନରେ କରାଯାଇଥାଏ (ଏହାକୁ “ପାୱାର୍ ପ୍ଲାଣ୍ଟ” ମଧ୍ୟ କୁହାଯାଏ) ଏବଂ ଏଠାରେ ବିଦ୍ୟୁତ-ଯାନ୍ତ୍ରିକ ଜନିତ୍ର (ଇଲେକ୍ଟ୍ରୋ-ମେକାନିକାଲ୍ ଜେନେରେଟର) ବ୍ୟବହାର କରି ଶକ୍ତି ଉତ୍ପନ୍ନ ହୋଇଥାଏ । ଯଦିଓ ଏହି ଜନିତ୍ରକୁ ଚଳାଇବା ପାଇଁ ମୁଖ୍ୟତଃ ଜାଳେଣି (ଦହନ) କିମ୍ବା ଆଣବିକ ଫିସନ୍ଦ୍ୱାରା ଚାଳିତ ଉତ୍ତାପ ଇଞ୍ଜିନ୍ ବ୍ୟବହାର କରାଯାଇଥାଏ, କେତେକ କ୍ଷେତ୍ରରେ ପ୍ରବାହିତ ଜଳ ଏବଂ ପବନର ଗତିଜ ଶକ୍ତିର ବ୍ୟବହାର ବି ଲୋକପ୍ରିୟ ଅଟେ । ଅନ୍ୟାନ୍ୟ ଶକ୍ତି ଉତ୍ସଗୁଡ଼ିକରେ ସୌର ଶକ୍ତି ଏବଂ ଭୂତାପ ଶକ୍ତି ଅନ୍ତର୍ଭୁକ୍ତ ।

ଇତିହାସ

ସମ୍ପାଦନା

ବିଦ୍ୟୁତ୍ ଉତ୍ପାଦନର ମୌଳିକ ନିୟମଗୁଡ଼ିକ ୧୮୨୦ ଦଶକ ଏବଂ ୧୮୩୦ ଦଶକର ପ୍ରଥମାର୍ଦ୍ଧରେ ବ୍ରିଟିଶ୍ ବୈଜ୍ଞାନିକ ମାଇକେଲ୍ ଫାରାଡେଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା । ତାଙ୍କ ପଦ୍ଧତି ଆଜି ବି ବ୍ୟବହୃତ ହେଉଛି- ଏକ 'ଚୁମ୍ବକୀୟ କ୍ଷେତ୍ର' ମଧ୍ୟଦେଇ 'ତାରର ଏକ ଲୁପ୍' (ଫାରାଡେ ଡିସ୍କ)କୁ ଗତିଶୀଳ କରିବା ପୂର୍ବକ ବିଦ୍ୟୁତ୍ ଉତ୍ପନ୍ନ କରିବା । ପରବର୍ତ୍ତୀ ସମୟରେ, ପ୍ରତ୍ୟାବର୍ତ୍ତୀ କରେଣ୍ଟ (AC)ର ବହୁଳ ବ୍ୟବହାର କେନ୍ଦ୍ରୀୟ ପାୱାର ଷ୍ଟେସନଗୁଡ଼ିକ ପାଇଁ ବ୍ୟବସାୟିକ ସଫଳତା ଆଣିଦେଲା । ପ୍ରତ୍ୟାବର୍ତ୍ତୀ କରେଣ୍ଟ ଯୋଗୁଁ ଟ୍ରାନ୍ସଫର୍ମର ବ୍ୟବହାର କରି ଉଚ୍ଚ ବିଦ୍ୟୁତ୍ ବିଭବ ସଂପନ୍ନ ଶକ୍ତି ଏବଂ ସ୍ୱଳ୍ପ କ୍ଷତିରେ ବହୁତ ଦୂର ପ୍ରେରଣ କରିବା ସମ୍ଭବ ହୋଇପାରିଥିଲା ।

୧୮୭୦ ମସିହାରେ ଡାଇନାମୋକୁ ହାଇଡ୍ରୋଲିକ୍ ତରବାଇନ ସହ ଯୋଡିବା ସହିତ ବାଣିଜ୍ୟିକ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ବୈଦ୍ୟୁତିକ ଶକ୍ତିର ଯାନ୍ତ୍ରିକ ଉତ୍ପାଦନ ଦ୍ୱିତୀୟ ଶିଳ୍ପ ବିପ୍ଳବ ଆରମ୍ଭ କଲା ଏବଂ ବିଦ୍ୟୁତ୍ ବ୍ୟବହାର କରି ଅନେକ ଉଦ୍ଭାବନ ସମ୍ଭବ ହେଲା, ଏଥିରେ ପ୍ରମୁଖ ଯୋଗଦାନକାରୀ ଥିଲେ ଥୋମାସ୍ ଆଲଭା ଏଡ଼ିସନ ଏବଂ ନିକୋଲା ଟେସଲା । ଏହା ପୂର୍ବରୁ ବିଦ୍ୟୁତ୍ ଉତ୍ପାଦନ କରିବାର ଏକମାତ୍ର ଉପାୟ ଥିଲା ରାସାୟନିକ ପ୍ରତିକ୍ରିୟା କିମ୍ବା ବ୍ୟାଟେରୀର ବ୍ୟବହାର, ଏବଂ ବିଦ୍ୟୁତର ଏକମାତ୍ର ବ୍ୟବହାରିକ ପ୍ରୟୋଗ ଟେଲିଗ୍ରାଫ୍ ପାଇଁ ହେଉଥିଲା । ୧୮୮୨ ମସିହାରେ ନ୍ୟୁୟର୍କର ପର୍ଲ-ଷ୍ଟ୍ରୀଟସ୍ଥିତ ଏକ କେନ୍ଦ୍ରୀୟ ଶକ୍ତି ଷ୍ଟେସନରେ ବାଷ୍ଫ ଇଞ୍ଜିନ ଚଳିତ ଡାଇନମୋ ବ୍ୟବହାର କରି ସଳଖ ବିଦ୍ୟୁତ (DC) ଉତ୍ପାଦନ କରାଯାଇଥିଲା ଏବଂ ଏହି ଶକ୍ତିଦ୍ୱାରା ସାର୍ବଜନୀନ ସ୍ଥାନରେ ଆଲୋକ ବ୍ୟବସ୍ଥା କରାଯାଇଥିଲା । ଏହି ନୂତନ ଟେକ୍ନୋଲୋଜିକୁ ଶୀଘ୍ର ବିଶ୍ୱର ଅନେକ ସହର ଗ୍ରହଣ କରିନେଇଥିଲେ । ପରବର୍ତ୍ତୀ ସମୟରେ ସାର୍ବଜନୀନ ଅଟ୍ଟାଳିକା, ବ୍ୟବସାୟ ଏବଂ ଟ୍ରାମ୍ ଏବଂ ଟ୍ରେନ୍ ପରି ସାଧାରଣ ପରିବହନକୁ ବିଦ୍ୟୁତ୍ ଆଲୋକ ବ୍ୟବହାର କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ନିର୍ମିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଜଳ କିମ୍ବା କୋଇଲା ବ୍ୟବହାର କରାଯାଇଥିଲା [] କିନ୍ତୁ ଆଜି ଶକ୍ତିର ଅନ୍ୟାନ୍ୟ ଉତ୍ସ, ଯଥା- ପରମାଣୁ, ପ୍ରାକୃତିକ ଗ୍ୟାସ, ପବନ, ତୈଳ, ଭୂତାପ, ଜୁଆର, ଏବଂ ସୂର୍ଯ୍ୟ କିରଣ ଆଦିର ବ୍ୟବହାର ଉପରେ ଗୁରୁତ୍ତ୍ୱ ଦିଆଯାଉଅଛି ।

  1. "Pearl Street Station - Engineering and Technology History Wiki". ethw.org. Retrieved 2016-08-14.

ବାହାର ଲିଙ୍କ

ସମ୍ପାଦନା