ବାରାହୀ ମନ୍ଦିର
ବାରାହୀ ମନ୍ଦିର ଓଡ଼ିଶାର ପୁରୀ ଜିଲ୍ଲାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଦକ୍ଷିଣ ଦିଗରେ ଥିବା ଏକ ଶକ୍ତିପୀଠ । ତାଙ୍କୁ ଏଠାରେ ନାରାୟଣୀ ରୂପରେ ଉପାସନା କରାଯାଏ । ଶ୍ରୀମନ୍ଦିରର ସୁରକ୍ଷାପାଇଁ ଯେଉଁ ଅଷ୍ଟଶକ୍ତି ବିଦ୍ଯମାନ ସେହି ଅଷ୍ଟଶକ୍ତିଙ୍କ ମଧ୍ଯରୁ ଦେବୀ ବାରାହୀ ଅନ୍ୟତମ । ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ଦେବୀ ବାରାହୀ ଅବସ୍ଥାନ କରି ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ସପ୍ତମାତୃକାଙ୍କ ମଧ୍ୟରେ ବାରାହୀ ପଞ୍ଚମ ମହାବିଦ୍ୟା ରୂପେ ପୂଜିତା ।[୧]
ନାମ କରଣ
ସମ୍ପାଦନାବାରାହୀଙ୍କ ମୁଖ ବରାହ ମୁଖ ପରି ହୋଇଥିବାରୁ ତାଙ୍କୁ ବାରାହୀ ଠାକୁରାଣୀ ବୋଲି କୁହାଯାଏ ।[୧]
ଅବସ୍ଥିତି
ସମ୍ପାଦନାଏହି ପୀଠ ଜଗନ୍ନାଥ ମନ୍ଦିରର ଦକ୍ଷିଣଦ୍ୱାରଠାରୁ ୫ଶହ ମିଟର ଦୂରରେ ଅବସ୍ଥିତ ।[୧]
କିମ୍ବଦନ୍ତୀ
ସମ୍ପାଦନାକିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ବରାହ ଅବତାର ଧାରଣ କରିଥିଲେ । ସପ୍ତଶତୀ ଚଣ୍ଡୀରେ ବାରାହୀଙ୍କୁ ମହିଷାସନା ଭାବେ ବର୍ଣ୍ଣନା କରାଯାଇଛି । ଗଜପତି ମହାରାଜା କାଞ୍ଚି ଅଭିଯାନ ପୂର୍ବରୁ ଯୁଦ୍ଧରେ ଜୟଲାଭ କରିବାପାଇଁ ତନ୍ତ୍ରମନ୍ତ୍ରରେ ବାରାହୀଙ୍କୁ ପୂଜା କରିଥିବା ଉଲ୍ଲେଖ ରହିଛି ।[୧]
ପୂଜା ବିଧି
ସମ୍ପାଦନାଷୋଳ ପୂଜା
ସମ୍ପାଦନାଷୋଳପୂଜା କାଳରେ ନୂଆ ଶାଢ଼ୀ ଓ ଫୁଲରେ ପ୍ରତ୍ୟେକ ଦିନ ଦେବୀମାନଙ୍କୁ ବେଶ କରାଯାଇଥାଏ । ମାଲପୁଆ, କାକେରା, ଖାସ୍ତାପୁରି, ମୁଠିଗଜା, ଖଜା, ସିଝା ସୋଲା, ଜାଇମୁଗ, କୋରା ନଡ଼ିଆ, ପାଚିଲା କଦଳୀ, ସେଉ, ଅଙ୍ଗୁରୁ, କାକୁଡି, ମେଘୁଆ ଓ ଚାଉଳିଆ ଭୋଗ ଆଦି ଶୀତଳ ଭୋଗ ହୁଏ । ରାତିରେ ସଂକୁଡ଼ି ଭୋଗ ହୋଇଥାଏ । ଷଷ୍ଠୀ ପର୍ଯ୍ୟନ୍ତ ବାରାହୀଙ୍କୁ ନିରାମିଷ ଭୋଗ ହୋଇଥାଏ । ସେଥିରେ ଖେଚୁଡ଼ି, ସାଧାଅନ୍ନ, ଘିଅ ଅନ୍ନ, ମିଷ୍ଟାନ୍ନ, ମିଠାଡାଲି, ଖଟା, ଦହିପଖାଳ ଓ କ୍ଷୀରି ଆଦି ଭୋଗ ଅର୍ପଣ କରାଯାଇଥାଏ । ସପ୍ତମୀ, ମହାଷ୍ଟମୀ ଏବଂ ନବମୀରେ ବାରାହୀଙ୍କ ନିକଟରେ ଆମିଷ ଭୋଗ କରାଯାଏ । ମାଛ ବେସର ଓ ଚିଙ୍ଗୁଡି ମହୁର ଆଦି ଭୋଗ ଏହି ଦିନରେ ଅର୍ପଣ କରାଯାଏ । ସପ୍ତମୀ ତିଥିରେ ସେଠାରେ ପଂକ୍ତି ଭୋଜନ ହୋଇଥାଏ । ମହାଷ୍ଟମୀର ବିଳମ୍ବିତ ରାତିରେ ନିଶାର୍ଦ୍ଧ ପୂଜା ହୁଏ । ସେହି ରାତିରେ ସଂକୁଡି ଭୋଗ କରାଯାଇ ନବମୀ ସକାଳୁ ତାହାକୁ ବିତରଣ କରାଯାଏ । ନବମୀ ତିଥିରେ ମଧ୍ୟ ସଂଖୁଡ଼ି ଭୋଗ ହୋଇଥାଏ । ଦଶମୀରେ କ୍ଷୀରି ଓ କାକରା ଭୋଗ କରାଯାଏ । ଏହି ସମୟରେ ବାରାହୀଙ୍କୁ କାତିମାଛ ପୋଡ଼ା ବଳି ଦିଆଯିବାର ପରମ୍ପରା ରହିଛି । ଷୋଳପୂଜା ସମୟରେ ସବୁଦିନ ସେଠାରେ ଚଣ୍ଡୀପାଠ କରାଯାଇଥାଏ । ରାତିରେ ପଣାଭୋଗ ହୋଇଥାଏ । ଦୁର୍ଗାପୂଜା ସମୟରେ ଭକ୍ତମାନେ ବାରାହୀଙ୍କୁ ଶୀତଳ ଭୋଗ କରାଇଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ତୃତୀୟ ଭାଗର ୧୮୫ ପୃଷ୍ଠାରେ ବାରାହୀ ଠାକୁରାଣୀଙ୍କ ସମ୍ପନ୍ଧରେ ଉଲ୍ଲେଖ ରହିଛି । ଏଥିପାଇଁ ବଡ଼ଦେଉଳରୁ ଖଇ ଆସିଥାଏ । ଷୋଳପୂଜାରେ ଦେଉଳ ପ୍ରଶାସନ ତରଫରୁ ରାଶିତେଲ, ଚନ୍ଦନକିଳା ଏବଂ ଶାଢ଼ୀ ସମେତ ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ପାଇଁ ୫ହଜାର ଟଙ୍କା ପ୍ରଦାନ କରାଯିବାର ପ୍ରଥା ରହିଛି । ଶିବ-ପାର୍ବତୀଙ୍କ ବିବାହ ଭାବେ ପାଳିତ ଶୀତଳ ଷଷ୍ଠୀରେ ବାରାହୀଙ୍କୁ ଜଳଶାୟୀ ଏବଂ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ନବପତ୍ରିକା ପୂଜା କରାଯାଇଥାଏ ।[୧]
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |