ବଙ୍ଗଭବନ (ବଙ୍ଗାଳୀ: বঙ্গভবন) ହେଉଛି ବାଂଲାଦେଶ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ତଥା ମୁଖ୍ୟ କାର୍ଯ୍ୟକ୍ଷେତ୍ର । ଏହି କୋଠା ଢାକାର ବଙ୍ଗଭବନ ରାସ୍ତାରେ ଅବସ୍ଥିତ । ଏହି ସରକାରୀ ପ୍ରାସାଦଟି ଚାରିପଟରୁ ବଙ୍ଗଭବନ ବଗିଚା (ପୂର୍ବରୁ 'ନବାବଙ୍କ ଦିଲଖୁସ ବଗିଚା' ଭାବେ ପରିଚିତ) ଦ୍ୱାରା ଘେରି ରହିଛି ।[]

ବଙ୍ଗଭବନ
বংগভবন
ବଙ୍ଗଭବନର ଆସମାନି ଚିତ୍ର
General information
Architectural styleହିନ୍ଦ୍‌-ଇସଲାମିକ ଶୈଳୀ
Locationଢାକା,  ବଙ୍ଗଳାଦେଶ
Construction started1905
Technical details
Floor area6,700 ବର୍ଗ ମିଟର = 72,120 ବର୍ଗ ଫୁଟ(ପ୍ରାୟ)
Website
http://www.bangabhaban.gov.bd/

ଏହି ପ୍ରାସାଦଟି ପ୍ରଥମେ ବ୍ରିଟିଶ ସାମ୍ରାଜ୍ୟର ଏକ ସରକାରୀ ଗୃହ ଭାବରେ ନିର୍ମିତ ହୋଇଥିଲା । ପାକିସ୍ତାନର ସ୍ଵାଧୀନତା ପରେ ଏହା ପୂର୍ବ ବଙ୍ଗର ରାଜ୍ୟପାଳଙ୍କ ସରକାରୀ ବାସଭବନରେ ପରିଣତ ହେଲା ଏବଂ ୧୯୫୫ ମସିହା ପରେ ପୂର୍ବ ପାକିସ୍ତାନର ରାଜ୍ୟପାଳଙ୍କ ସରକାରୀ ବାସଭବନ ହେଲା । ରାଷ୍ଟ୍ରପତି ଆବୁ ସୟିଦ ଚୌଧୁରୀ ୧୨ ଜାନୁଆରୀ ୧୯୭୨ ରେ ପ୍ରଥମ ବାଂଲାଦେଶୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହି ପ୍ରାସଦକୁ ରାଷ୍ଟ୍ରପତିଙ୍କ ସରକାରୀ ବାସଗୃହ ଭାବେ ବ୍ୟବହାର କଲେ । ରାଜପ୍ରାସାଦର ସୁରକ୍ଷା ଦାୟୀତ୍ଵ ରାଷ୍ଟ୍ରପତି ଗାର୍ଡ ରେଜିମେଣ୍ଟ ୟୁନିଟ୍ ଉପରେ ନ୍ୟସ୍ତ ।

ଇତିହାସ

ସମ୍ପାଦନା

ବଙ୍ଗଳାର ସୁଲତାନଙ୍କ ରାଜତ୍ଵ କାଳରେ, ଢାକାର ଜଣେ ସୁଫି ସାଧୁ, ହଜରତ ଶାହାଜାଲାଲ ଦକ୍ଷିଣୀ ଏବଂ ତାଙ୍କ ଅନୁଗାମୀମାଙ୍କୁ ସୁଲତାନଙ୍କ ଏଜେଣ୍ଟମାନଙ୍କ ଦ୍ଵାରା ହତ୍ୟା କରାଯାଇ ବଙ୍ଗଭବନ ସ୍ଥାନରେ ପୋତି ଦିଆଯାଇଥିଲା । ଏହି ସ୍ଥାନ ଖୁବ୍ ଶୀଘ୍ର ସୁଫି ସାଧୁଙ୍କ ଅନୁଗାମୀ ଭକ୍ତମାନଙ୍କ ପାଇଁ ଏକ ତୀର୍ଥ ଭାବରେ ପ୍ରସିଦ୍ଧି ଲାଭ କଲା । ବ୍ରିଟିଶ ଶାସନର ପ୍ରାରମ୍ଭ କାଳରେ ଏହି ଜମି ଏକ ଜମିଦାରଙ୍କର ବୋଲି ଅନୁମାନ କରାଯାଏ | ପରେ ଢାକାର ନବାବ ସାର୍ ଖ୍ୱାଜା ଅବଦୁଲ ଘାନି ଏହି ଜାଗା କିଣି ସେଠାରେ ଏକ ବଙ୍ଗଳା ନିର୍ମାଣ କରିଥିଲେ ଯାହାକୁ ସେ "ଦିଲଖୁସ୍‌ ଉଦ୍ୟାନ" ନାମରେ ନାମିତ କରିଥିଲେ ।

୧୯୦୫ ମସିହାରେ ଲର୍ଡ କର୍ଜନଙ୍କ ଦ୍ଵାରା ବଙ୍ଗଳା ବିଭାଜନ ହେବା ସହିତ ପୂର୍ବ ବଙ୍ଗ ଏବଂ ଆସାମର ନୂତନ ସୃଷ୍ଟି ହୋଇଥିବା ପ୍ରଦେଶର ସରକାର ଏହି ସ୍ଥାନ କିଣି ଲେଫ୍ଟନାଣ୍ଟ-ଗଭର୍ଣ୍ଣର ଏବଂ ତାଙ୍କ ଅଧିକାରୀଙ୍କ ପାଇଁ ଏକ ସୁଦୃଶ ଅଟ୍ଟାଳିକା ନିର୍ମାଣ କରିଥିଲେ । ୧୪ ଫେବୃଆରୀ ୧୯୦୬ ରେ, ପ୍ରଦେଶର ପ୍ରଥମ ଲେଫ୍ଟନାଣ୍ଟ-ଗଭର୍ଣ୍ଣର ସାର୍ ଜୋସେଫ୍ ବାମଫିଲ୍ଡ ଫୁଲର୍ ବର୍ତ୍ତମାନର ବଙ୍ଗଭବନ ଦରବାର ହଲଠାରେ ତାଙ୍କର ସରକାରୀ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ପ୍ରାସାଦ ଦିଲଖୁସ ସରକାରୀ ଗୃହ ଭାବରେ ପରିଚିତ ହେଲା ।[] ୧୯୪୭ ମସିହାରେ ବ୍ରିଟିଶମାନଙ୍କର ବିଦାୟ ତଥା ପାକିସ୍ତାନର ସ୍ଵାଧୀନତା ପରେ ପୂର୍ବ ବଙ୍ଗର ନୂତନ ପ୍ରଦେଶ ଆନୁଷ୍ଠାନିକ ଭାବରେ ପାକିସ୍ତାନର ଅଂଶ ହୋଇଗଲା ଏବଂ ଉକ୍ତ ରାଜପ୍ରାସାଦ ପୂର୍ବ ବଙ୍ଗର ରାଜ୍ୟପାଳଙ୍କ ସରକାରୀ ବାସଭବନ ଭାବରେ ପରିଚିତ ହେଲା । ୧୯୬୧ ମସିହାରେ ଝଡ ଯୋଗୁଁ ଏହି କୋଠାଟି କ୍ଷତିଗ୍ରସ୍ତ ହୋଇଥିଲା; ତେବେ ୧୯୬୪ ସୁଦ୍ଧା ପୁନଃ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା | ବାଂଲାଦେଶର ସ୍ଵାଧୀନତା ପରେ, ୨୩ ଡିସେମ୍ବର ୧୯୭୧ରେ, କାର୍ଯ୍ୟକାରୀ ରାଷ୍ଟ୍ରପତି ସୟଦ ନଜରୁଲ ଇସଲାମଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳଙ୍କ ଗୃହରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ଏହି ଭବନକୁ ବଙ୍ଗଭବନ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପଶ୍ଚିମ ପାକିସ୍ତାନରେ ଥିବା ହେପାଜତରୁ ମୁକ୍ତ ହେବା ପରେ ୧୯୭୨ ମସିହାରେ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନ ଏକ ସଂସଦୀୟ ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ନିଷ୍ପତ୍ତି ହେତୁ ବଙ୍ଗଭବନରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

୨୦୦୬ ମସିହାରେ ବଙ୍ଗଭବନର ଇତିହାସ ଉପରେ ଏକ ପୁସ୍ତକ, "Hundred Years of Bangabhaban" (ଶହ ଶହ ବର୍ଷର ବଙ୍ଗଭବନ) ପ୍ରକାଶିତ ହୋଇଥିଲା ।[]

ନିର୍ମାଣ ଶୈଳୀ

ସମ୍ପାଦନା

ବଙ୍ଗଭବନ ନିର୍ମାଣ ଶୈଳୀରେ ମୋଗଲ କଳା ସହ ବ୍ରିଟିଶ ଯୁଗର କଳାର ଝଲକ ଉପଲବ୍ଧ ଯାହାକି ୧୮୫୭ରୁ ୧୯୪୭ ମଧ୍ୟରେ ଢାକାରେ ବ୍ରିଟିଶ ଦ୍ଵାରା ନିର୍ମିତ ସ୍ଥପତିରେ ଦେଖିବାକୁ ମିଳେ । ୧୯୬୧ ରୁ ୧୯୬୪ ମଧ୍ୟରେ ଏହି ପ୍ରାସାଦର ପୁନଃ ନିର୍ମାଣ ସହିତ, ସେଥିରେ ଇସଲାମିକ ସ୍ଥାପତ୍ୟ ଏବଂ ବଙ୍ଗଳା ଶୈଳୀର ଅନେକ ଉପାଦାନ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟ କୋଠାଟି ତିନିମହଲା ଏକ ବିଶାଳ ପ୍ରାସାଦ ସଦୃଶ ଯାହାର ଚାରିପାଖରେ ସବୁଜ ବୃକ୍ଷରାଜି ଘେରି ରହିଛି । ତଳ ମହଲାର ଚଟାଣର କ୍ଷେତ୍ରଫଳ ପ୍ରାୟ ୭୦୦୦ ବର୍ଗ ମିଟର । ରାଷ୍ଟ୍ରପତିଙ୍କ ମୁଖ୍ୟ କାର୍ଯ୍ୟାଳୟ, ନାଗରିକ ତଥା ସାମରିକ ସଚିବଙ୍କ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତିଙ୍କ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ତଥା ବିଦେଶୀ ପରିଦର୍ଶକଙ୍କ ସହ ଦର୍ଶକଙ୍କ ପାଇଁ ପୃଥକ ହଲ ମଧ୍ୟ ତଳ ମହଲାରେ ଅବସ୍ଥିତ । ଏଥିସହ ଏକ କ୍ୟାବିନେଟ୍ ରୁମ୍, ଭୋଜି ହଲ୍, ଦରବାର କୋଠରୀ(ହଲ), ଭୋଜନ କକ୍ଷ, ଏକ ଛୋଟ ଅଡିଟୋରିୟମ୍ ମଧ୍ୟ ଅଛି | ପ୍ରଥମ ମହଲାରେ ରାଷ୍ଟ୍ରପତିଙ୍କ ବାସଭବନ ବ୍ୟତୀତ ସରକାରୀ ଅଧିକାରୀଙ୍କ ପାଇଁ ପାଞ୍ଚଟି କୋଠରୀ, ଏକ କଣ୍ଟ୍ରୋଲ୍ ରୁମ୍ ଏବଂ ଷ୍ଟ୍ଯୁଡିଓ ଅଛି। ଦ୍ୱିତୀୟ ମହଲାରେ ବିଦେଶୀ ରାଜ୍ୟ ଓ ସରକାରର ମୁଖ୍ୟମାନଙ୍କ ପାଇଁ ଚାରୋଟି ସ୍ଵତନ୍ର କକ୍ଷ ରହିଅଛି |

ବିଶେଷତା

ସମ୍ପାଦନା

ଏହି ପ୍ରାସାଦ ବଙ୍ଗଳାଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ । ଗଣମାଧ୍ୟମ ପାଇଁ ଏହା ଏକ ବିଶେଷ ସ୍ଥାନ ହେବା ସହ ଏକ ପର୍ଯ୍ୟଟନ କେନ୍ଦ୍ର ଭାବେ ମଧ୍ୟ ଏହା ପରିଚିତ | ପ୍ରତିବର୍ଷ ୨୬ ମାର୍ଚ୍ଚରେ ବାଂଲାଦେଶର ସ୍ୱାଧୀନତା ଦିବସ ଅବସରରେ ଏଠାରେ ସ୍ୱତନ୍ତ୍ର ଜନ ସମାରୋହ ଅନୁଷ୍ଠିତ ହୋଇଥାଏ | ବାଂଲାଦେଶର ରାଷ୍ଟ୍ରପତି ଅନେକ ସମୟରେ ବୁଦ୍ଧିଜୀବୀ ତଥା ବିଦେଶୀ ରାଷ୍ଟ୍ର ମୁଖ୍ୟ ତଥା ରାଷ୍ଟ୍ରଦୂତଙ୍କ ସମେତ ବାଂଲାଦେଶର ପ୍ରତିନିଧିତ୍ୱ କରୁଥିବା ସମସ୍ତ କାର୍ଯ୍ୟକ୍ରମ ପାଇଁ ସଭା, ସମ୍ମିଳନୀ ଏବଂ ଅତିଥି ଭୋଜନ ବ୍ୟବସ୍ଥା ଆୟୋଜନ କରିଥାନ୍ତି ।

  1. "Bangabhaban - Banglapedia". en.banglapedia.org (in ଇଂରାଜୀ). Retrieved 2024-11-14.
  2. "The Daily Star Web Edition Vol. 5 Num 610". web.archive.org. 2016-03-04. Archived from the original on 2016-03-04. Retrieved 2024-11-14.
  3. Morshedi, Helal (27 June 2007). "Book Review: Hundred Years of Bangabhaban" (PDF). bangla-sydney.com.