ପଞ୍ଚଧାର ପର୍ବତମାଳା

ପଞ୍ଚଧାରା ଓଡ଼ିଶାର କେନ୍ଦ୍ରାଞ୍ଚଳରେ ଅବସ୍ଥିତ ପର୍ବତମାଳା ମଧ୍ୟରୁ ଅନ୍ୟତମ । ସେଠାରେ ପ୍ରକୃତି ସର୍ବଦା ଚଳଚଞ୍ଚଳ । ଚିରଦିନ ବସନ୍ତର ଅଖଣ୍ଡ ରାଜତ୍ୱ । ଏହାର ଅନନ୍ତ ବୈଚିତ୍ର୍ୟମୟୀ ପ୍ରକୃତି ଯୁଗେ ଯୁଗେ ଅନେକ କବି, ଭାବୁକ ଓ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି । ସମୁଦ୍ର ପତ୍ତନଠାରୁ ୭୬୦ ମିଟର ଉଚ୍ଚରେ ଅବସ୍ଥିତ ଏହି ପର୍ବତମାଳାର ଦୈର୍ଘ୍ୟ ପ୍ରାୟ ପଞ୍ଚାବନ କି.ମି., ପ୍ରସ୍ଥ କେଉଁଠି ଦଶ ଓ ଆଉ କେଉଁଠି ବାର କି.ମି. । ଚିର ପଞ୍ଚଧାରା ଏହି ପର୍ବତଶ୍ରେଣୀ ପାଞ୍ଚୋଟି ଧାରର ସମଷ୍ଟିକୁ ନେଇ ଗଠିତ । ୧୯୨୭-୩୧ ମସିହାର ବନ୍ଦୋବସ୍ତ ଅନୁସାରେ ଏହା ବଡଝର, ମୂଳଝର, ନେକୁଡିଆଝର, ବହୁଝର ଓ ଚଣାଗାଡିଆଝରର ସମିଶ୍ରଣରେ ସୃଷ୍ଟି ହୋଇଛି ।ଦକ୍ଷିଣ-ପୂର୍ବ ଓ ଉତ୍ତର-ପଶ୍ଚିମ ଆଡକୁ ବିସ୍ତାରିତ ଏହି ପର୍ବତମାଳାର ପରିସର ହାତୀଧରା ଓ ତଲେଇପଥର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିଦ୍ୟମାନ । ପଞ୍ଚଧାର କ୍ରୋଡଦେଶରେ କେତକୀଝର, ତଲେଇପଥର, ଝିମେଇଚୁଆ ଓ କୁଟଗାଁଖୋଲ ପ୍ରଭୃତି ମନୋରମ ସ୍ଥାନ । ପ୍ରାଚୀନ କାଳରୁ ଅନେକ ସାଧୁ ସନ୍ନ୍ୟାସୀ, ମହାପୁରୁଷ ଓ ସାଧକମାନଙ୍କର ଏହା ସାଧନାସ୍ଥଳୀ ଥିଲା ।

ପଞ୍ଚଧାରା ପର୍ବତ
ପଞ୍ଚଧାରା ଘାଟି, ଆଠମଲ୍ଲିକ
Elevation୭୬୦ m (୨,୪୯୩ ft)[୧]
Location
ପଞ୍ଚଧାର ପର୍ବତମାଳା is located in Odisha
ପଞ୍ଚଧାରା
ପଞ୍ଚଧାରା
ପଞ୍ଚଧାରା ପର୍ବତର ଅବସ୍ଥାନ
Locationଆଠମଲ୍ଲିକ, ଓଡ଼ିଶା
Rangeପୂର୍ବଘାଟ ପର୍ବତମାଳା
Coordinates20°43′16.02″N 84°32′3.95″E / 20.7211167°N 84.5344306°E / 20.7211167; 84.5344306

କଥିତ ଅଛି, ଆଠମଲ୍ଲିକର ପୂର୍ବତନ ରାଜା ଯୋଗୀନ୍ଦ୍ର ଦେଓ ନିଜର ମନ୍ତ୍ରୀ ପିତାମ୍ବର ମଲ୍ଲିକଙ୍କୁ ରାଜ୍ୟ ଶାସନ ଭାର ଅର୍ପଣ କରି ତଲେଇପଥର ଜଙ୍ଗଲକୁ ଯାଇ ସେଠାରେ ମାସ ମାସ ଧରି ତପସ୍ୟାରତ ହେଉଥିଲେ । ଏହି ସ୍ଥାନ ସମ୍ପ୍ରତି ତପାଖୋଲ ନାମରେ ସୁପରିଚିତ ।

ପଞ୍ଚଧାର ପର୍ବତମାଳାର ନିଘଞ୍ଚ ଜଙ୍ଗଲ ଅନେକ ବନ୍ୟଜନ୍ତୁମାନଙ୍କର ନିବାସସ୍ଥଳୀ । ହସ୍ତୀ, ବ୍ୟାଘ୍ର, ଗୟଳ, ମୃଗ, ସମ୍ବର, ବରାହ, ଶୂକର ଓ ଭଲ୍ଲୁକ ପ୍ରଭୃତି ବନ୍ୟଜନ୍ତୁମାନେ ଏଠାରେ ନିର୍ଭୟରେ ଭ୍ରମଣ କରୁଥାନ୍ତି । ଏହା ସହିତ ଅହିରାଜ ଭଳି ବୃହତ ସର୍ପମାନେ ମଧ୍ୟ ଅନେକ ସମୟରେ ପର୍ଯ୍ୟଟକମାନଙ୍କ ଦୃଷ୍ଟି ପଥାରୂଢ କରିଥାନ୍ତି । ଶାଳ, ପିଆଶାଳ, ଶାଗୁଆନ ଓ ଶିଶୁ ପ୍ରଭୃତି ଦୁର୍ଲ୍ଲଭ ବୃକ୍ଷରାଜି ଏଠାରେ ବିପୁଳ ପରିମାଣରେ ଦେଖିବାକୁ ମିଳେ । ବର୍ଷା ଦିନେ ପଞ୍ଚଧାର ପର୍ବତମାଳା ଅପୂର୍ବଶ୍ରୀ ଧାରଣ କରେ।

କଟକ, ଭୁବନେଶ୍ୱର, ସମ୍ବଲପୁରଠାରୁ ଆଠମଲ୍ଲିକ ଯିବାକୁ ହେଲେ ପଞ୍ଚଧାର ପର୍ବତମାଳା ମଧ୍ୟ ଦେଇ ଯାଇଥିବା ଘାଟି ରାସ୍ତାରେ ଯିବାକୁ ପଡେ । ବର୍ଷା ଦିନେ ଏହାର ଶୃଙ୍ଗମାନଙ୍କ ମଧ୍ୟରେ ଭସା ବଉଦ ମାନଙ୍କର ଲୁଚକାଳି ଖେଳ ପର୍ଯ୍ୟଟକ ମନରେ ଅସୁମାରୀ ଆନନ୍ଦ ସୃଷ୍ଟି କରେ । ସେତେବେଳେ ଏହା ମଧ୍ୟ ଦେଇ ପ୍ରବାହିତ କୁକୁଡା ଯୋରର ପୂର୍ଣ୍ଣଗର୍ଭା ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ବିମୋହିତ ହୋଇପଡନ୍ତି । ପଞ୍ଚଧାର ପର୍ବତମାଳାର ଅଳ୍ପ ଦୂରରେ ଅବସ୍ଥିତ ଆଠମଲ୍ଲିକ ସହର।

  1. "BRIEF NOTE ON ATHAMALLICK FOREST DIVISION". NIC, Angul.