ନୀଳଗିରି ହନୁ ମାଙ୍କଡ଼

ନୀଳଗିରି ହନୁ ମାଙ୍କଡ଼ (ଜୀବବିଜ୍ଞାନ ନାମ Trachypithecus johnii) ଆଦିବାନରମାନଙ୍କ ଲୁଟୁଂଗ୍ ଶ୍ରେଣୀର ମାଙ୍କଡ଼ । ଏହି ମାଙ୍କଡ଼ମାନଙ୍କୁ ଇଣ୍ଡିଆନ୍ ହୁଡେଡ୍ ଲିଫ୍ ମଂକି (Indian Hooded Leaf Monkey), ଜନ୍‍ସ୍ ଲଂଗୁର୍ (John's Langur) ଓ ବ୍ଲାକ୍ ଲିଫ୍ ମଂକି (Black Leaf Monkey) ବୋଲି ମଧ୍ୟ କୁହାଯାଏ । ଏହି ମାଙ୍କଡ଼ର ମାଂସ ଖାଇଲେ ସଂଭୋଗ ଶକ୍ତି ବୃଦ୍ଧି ପାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । [୩]

ନୀଳଗିରି ହନୁ ମାଙ୍କଡ଼ (Nilgiri Langur) [୧]
ନୀଳଗିରି ହନୁ ମାଙ୍କଡ଼
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Primates
କୁଳ: Cercopithecidae
ଉପକୁଳ: Colobinae
ପ୍ରଜାତି: Trachypithecus
ଜାତି ଗୋଷ୍ଠୀ: T. vetulus
ଜାତି: T. johnii
ବାଇନୋମିଆଲ ନାମ
Trachypithecus johnii
(ୟୋହାନ୍ ବାପ୍ଟିଷ୍ଟ ଫିଶର୍, ୧୮୨୯)
ନୀଳଗିରି ହନୁ ମାଙ୍କଡ଼ମାନଙ୍କ ବ୍ୟାପ୍ତି

ଶରୀର ଗଠନ ସମ୍ପାଦନା

ଅଣ୍ଡିରା ମାଙ୍କଡ଼ମାନଙ୍କ ମୁଣ୍ଡରୁ ଏମାନଙ୍କ ଶରୀରର ଦୈର୍ଘ୍ୟ ପ୍ରାୟ ୭୮-୮୦ ସେଣ୍ଟିମିଟର୍ ଓ ମାଈମାନଙ୍କ ଦୈର୍ଘ୍ୟ ପ୍ରାୟ ୫୮-୬୦ ସେଣ୍ଟିମିଟର୍ । ଲାଞ୍ଜ ଯୋଗୁଁ ଶରୀରର ଦୈର୍ଘ୍ୟ ୬୮.୫ରୁ ୯୬.୫ ସେଣ୍ଟିମିଟର୍ ବଢ଼ିଯାଏ । ଅଣ୍ଡିରା ମାଙ୍କଡ଼ମାନଙ୍କ ଓଜନ ୯.୧-୧୪.୮ କି.ଗ୍ରା. ଓ ମାଈମାନଙ୍କ ଶରୀରର ଓଜନ ୧୦.୯-୧୨ କି.ଗ୍ରା. ପର୍ଯ୍ୟନ୍ତ ହୋଇଥାଏ । [୩] ଏହି ଆଦି ବାନରର ଶରୀରରେ କଳାରଙ୍ଗର ଚିକ୍କଣିଆ ଲୋମ ଓ ମୁଣ୍ଡରେ ସୁନେଲି-ମାଟିଆ ରଙ୍ଗର ଲୋମ ରହିଥାଏ । ଏମାନଙ୍କର ଶରୀରର ଆକାର ଓ ଲାଞ୍ଜ ସାଧାରଣ ହନୁ ମାଙ୍କଡ଼ ପରି ହୋଇଥାଏ । ମାଈ ମାଙ୍କଡ଼ମାନଙ୍କ ଜଙ୍ଘର ଭିତର ପାଖରେ ଧଳାରଙ୍ଗର ଲୋମ ରହିଥାଏ । ଏମାନଙ୍କ ଲାଞ୍ଜର ଝଙ୍କାଳିଆ ଲୋମ ଈଷତ୍ ଧଳା ରଙ୍ଗର ।

ବ୍ୟବହାର ସମ୍ପାଦନା

ପ୍ରାୟ ୯-୧୦ଟି ସଦସ୍ୟବିଶିଷ୍ଟ ଦଳରେ ଏମାନେ ରହିଥାନ୍ତି । [୨] ଏକ ମାଙ୍କଡ଼ ଦଳରେ ଗୋଟିଏ ମୁଖିଆ ଅଣ୍ଡିରା ମାଙ୍କଡ଼ ଓ ୧୫ରୁ ଅଧିକ ମାଈ ମାଙ୍କଡ଼ ରହିଥାନ୍ତି । ଦଳରେ ତରୁଣ ଅଣ୍ଡିରା ମାଙ୍କଡ଼ ମଧ୍ୟ ରହିଥାନ୍ତି । ମାଙ୍କଡ଼ ଦଳଟି ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣରେ ଘୁରି ବୁଲନ୍ତି । ତରୁଣ ମାଙ୍କଡ଼ମାନଙ୍କ ମଧ୍ୟର ମାଈ ମାଙ୍କଡ଼ ସହିତ ସହବାସ କରିବା ପାଇଁ ସଂଘର୍ଷ ହୋଇଥାଏ । କିନ୍ତୁ ଅଣ୍ଡିରା ମୁଖିଆ ସମ୍ମୁଖରେ ଏପରି କରାଗଲେ ସେ ସେମାନଙ୍କୁ ଦଳରୁ ଘଉଡ଼ାଇ ଦିଏ । ଏପରି କରିବାଦ୍ୱାରା ଦଳରେ ଅଣ୍ଡିରା ମୁଖିଆର କ୍ଷମତା ଓ ଏକଛତ୍ରବାଦ ବଢ଼େ ଓ ପ୍ରତିଯୋଗିତା କମିଯାଏ । ଏମାନଙ୍କ ଗର୍ଭଧାରଣ ସମୟ ସମ୍ପର୍କରେ ଅଧିକ ତଥ୍ୟ ଜଣାନାହିଁ କିନ୍ତୁ ସାଧାରଣ ହନୁ ମାଙ୍କଡ଼ ପରି ଏମାନଙ୍କ ଗର୍ଭଧାରଣ ସମୟ ୨୦୦ ଦିନର ହୋଇଥିବ ବୋଲି ଅନୁମାନ କରାଯାଏ । [୩] ପ୍ରାୟତଃ ମଇରୁ ନଭେମ୍ବର୍ ମାସ ମଧ୍ୟରେ ମୌସୁମୀ ବର୍ଷା ଯୋଗୁଁ ଗଛମାନଙ୍କରେ ନୂଆ ପତ୍ର କଅଁଳେ ଓ ଏହି ସମୟରେ ମାଈ ନୀଳଗିରି ହନୁମାଙ୍କଡ଼ମାନେ ଶିଶୁମାନଙ୍କୁ ଜନ୍ମ ଦେଇଥାନ୍ତି । ମାଙ୍କଡ଼ ଦଳ ମୁଖ୍ୟତଃ ଅପରାହ୍ନରେ ବୁଲିବା ଆରମ୍ଭ କରନ୍ତି । ସନ୍ଧ୍ୟା ବେଳକୁ ଏମାନେ ନିଜର ଶୟନସ୍ଥଳରେ ପହଞ୍ଚିଯାନ୍ତି । ଶୟନସ୍ଥଳରେ ଏମାନେ ନିଜର ସାମାଜିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥାନ୍ତି । ବିଭିନ୍ନ ପ୍ରକାରର ଧ୍ୱନି ଓ ଶବ୍ଦ ମାଧ୍ୟମରେ ଏମାନେ ପରସ୍ପର ସହିତ ଯୋଗାଯୋଗ ସ୍ଥାପନ କରିଥାନ୍ତି ।

ଖାଦ୍ୟପେୟ ସମ୍ପାଦନା

ଏହି ମାଙ୍କଡ଼ମାନେ ୧୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ପତ୍ର ଖାଉଥିବାରୁ ଏମାନଙ୍କ ଅନ୍ୟନାମ କଳା ପତ୍ରଭୋଜୀ ମାଙ୍କଡ଼ (Black Leaf Monkey) ନାମର ଯଥାର୍ଥତା ପ୍ରତିପାଦିତ ହୁଏ । ପତ୍ର ବ୍ୟତୀତ ଏହି ମାଙ୍କଡ଼ ଗଛର ଫଳ, କରଡ଼ି, ଫୁଲ, ମଞ୍ଜି ଇତ୍ୟାଦି ମଧ୍ୟ ଆହରଣ କରିଥାନ୍ତି ।

ଅଧିବାସ ସମ୍ପାଦନା

ଦକ୍ଷିଣ ଭାରତସ୍ଥିତ ପଶ୍ଚିମଘାଟ ପର୍ବତମାଳାର ଅଂଶ ନୀଳଗିରି ପର୍ବତରେ ଏହି ମାଙ୍କଡ଼ ଦେଖାଯାନ୍ତି । ନୀଳଗିରି ପର୍ବତର ୨-୬ ହେକ୍ଟର୍ ପରିମୀତ ଅଞ୍ଚଳରେ ଏମାନେ ବସବାସ କରିବା ଦେଖାଯାଇଛି । ଖାଦ୍ୟର ଅଭାବ ହେଲେ ଏମାନେ ଅନ୍ୟ ଅଞ୍ଚଳକୁ ଚାଲିଯାନ୍ତି । କର୍ଣ୍ଣାଟକର କୋଡ଼ାଗୁ, ତାମିଲ୍‍ନାଡ଼ୁର କୋଡାୟାର୍ ପାହାଡ଼ ଓ ଅନ୍ୟ ପାହାଡ଼ିଆ ଅଞ୍ଚଳ ତଥା କେରଳର ଉଚ୍ଚଭୂମି ଅଞ୍ଚଳରେ ଏମାନେ ଦୃଶ୍ୟମାନ ହୁଅନ୍ତି । ଏହି ସବୁ ଅଞ୍ଚଳ ମୁଦହଲ୍ଲି ହାତୀ ଇଲାକାର ନିକଟବର୍ତ୍ତୀ ।

ସଂରକ୍ଷଣ ସମ୍ପାଦନା

ଏହି ମାଙ୍କଡ଼ମାନଙ୍କ ଚମଡ଼ା ବ୍ୟବହାର କରି ଲୋକ ବଦ୍ୟଯନ୍ତ୍ର ବା ଢୋଲ ଇତ୍ୟାଦି ତିଆରି କରନ୍ତି । ମାଂସ ଓ ଦେହର ଅନ୍ୟ ଅଂଶରୁ କାମୋଦ୍ଦୀପକ ଔଷଧ ତିଆରି କରାଯାଏ । ଅଧିବାସ କ୍ଷୟ, ଚମଡ଼ା ଓ ମାଂସ ପାଇଁ ଅବୈଧ ଶିକାର ଯୋଗୁଁ ଏମାନଙ୍କ ସ୍ଥିତି ବର୍ତ୍ତମାନ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ବର୍ତ୍ତମାନ ବଣୁଆ ନୀଳଗିରି ହନୁମାଙ୍କଡ଼ମାନଙ୍କ ସର୍ବମୋଟ ସଂଖ୍ୟା ମାତ୍ର ୫୦୦୦ । ତେଣୁ IUCNଦ୍ୱାରା ଏହି ପ୍ରଜାତିକୁ “Vulnerable” ଶ୍ରେଣୀଭୁକ୍ତ କରାଯାଇଛି । ଅଧିବାସ କ୍ଷୟ, ଖଣି ପ୍ରତିଷ୍ଠା, ନଦୀବନ୍ଧ ନିର୍ମାଣ, ମଣିଷମାନଙ୍କ ଜଙ୍ଗଲ ଭିତରକୁ କ୍ରମଶଃ ଅନୁପ୍ରବେଶ ଯୋଗୁଁ ଏମାନେ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ନୂତନ ସ୍ଥାନେ ପୁଣି ନିଜର ଦଳ ସଂଗଠିତ କରି ଜୀବନଯାପନ କରିପାରନ୍ତି ଓ ଖାପଖୁଆଇ ଚଳି ପାରନ୍ତି । ଏହି ମାମଲାରେ ଏମାନେ ସିଂହଲାଙ୍ଗୁଡ଼ିଆ ମାଙ୍କଡ଼ଠାରୁ ଅଧିକ ଦକ୍ଷ ଓ ଚତୁର ।

ନୀଳଗିରି ହନୁ ମାଙ୍କଡ଼ ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. Groves, C. P. (2005). Wilson, D. E.; Reeder, D. M (eds.). Mammal Species of the World (3rd ed.). Baltimore: Johns Hopkins University Press. p. 178. OCLC 62265494. ISBN 0-801-88221-4. {{cite book}}: Invalid |ref=harv (help)
  2. ୨.୦ ୨.୧ {{{assessors}}} (2008). Trachypithecus johnii. In: IUCN 2008. IUCN Red List of Threatened Species. Downloaded on 4 January 2009.
  3. ୩.୦ ୩.୧ ୩.୨ Malviya, M.; Srivastav, A.; Nigam, P.; Tyagi, P. C. (2011). "Indian National Studbook of Nilgiri Langur (Trachypithecus johnii)" (PDF). Wildlife Institute of India, Dehradun and Central Zoo Authority, New Delhi.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ହନୁମାଙ୍କଡ଼

ବବୁନ୍ ମାଙ୍କଡ଼

ପାତି ମାଙ୍କଡ଼

ସିଂହଲାଙ୍ଗୁଡ଼ିଆ ମାଙ୍କଡ଼