ଦ୍ୱୀପପୁଞ୍ଜ

ଅନେକ ଗୁଡ଼ିଏ ଦ୍ଵୀପର ସମାହାର

ଅନେକ ଗୁଡ଼ିଏ ଛୋଟ ବଡ଼ ଦ୍ୱୀପର ସମାହାରକୁ ଦ୍ୱୀପପୁଞ୍ଜ ବା ଦ୍ୱୀପସମୂହ (ଈଂରାଜୀରେ Archipelago) ବୋଲି କୁହଯାଇଥାଏ । ଦ୍ୱୀପମାନଙ୍କର ଶୃଙ୍ଖଳ ବା ସମୁଦ୍ରରେ ଗୋଟିଏ ସ୍ଥାନରେ ବିକ୍ଷିପ୍ତ ଭାବେ ରହିଥିବା ଦ୍ୱୀପମାନଙ୍କୁ ଦ୍ୱୀପପୁଞ୍ଜ ବୋଲି କୁହାଯାଇପାରିବ ।

ବ୍ରହ୍ମଦେଶର ମେର୍ଗ୍ୱି ଦ୍ୱୀପପୁଞ୍ଜ

ଇଣ୍ଡୋନେସିଆ, ଜାପାନ, ତାଇୱାନ୍, ଫିଲିପାଇନ୍‍ସ୍, ନ୍ୟୁଜିଲ୍ୟାଣ୍ଡ୍, ମାଳଦ୍ୱୀପ, ବାହାମା, ଗ୍ରୀସ୍, ହାୱାଇ, ପୋଲିନେସୀୟ ଦ୍ୱୀପପୁଞ୍ଜ, କ୍ୟାନାରି ଦ୍ୱୀପପୁଞ୍ଜ, ଆଜୋରେସ୍ ଦ୍ୱୀପପୁଞ୍ଜ ଇତ୍ୟାଦି ବିଶ୍ୱର କେତେକ ଜଣାଶୁଣା ଦ୍ୱୀପପୁଞ୍ଜ । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଇଣ୍ଡୋନେସିଆ ବିଶ୍ୱର ସର୍ବବୃହତ୍ ଦ୍ୱୀପପୁଞ୍ଜ । [୧]

ଈଂରାଜୀ ଶବ୍ଦ ଆର୍କିପେଲାଗୋର ଉତ୍ପତ୍ତି ଓ ବ୍ୟବହାର ସମ୍ପାଦନା

ଗ୍ରୀକ୍ ଶବ୍ଦ ἄρχι- (ଆର୍ଖି - ମୁଖ୍ୟ) ଓ πέλαγος (ପେଲାଗୋସ୍ - ସାଗର)ରୁ ଈଂରାଜୀ ଶବ୍ଦ ଆର୍କିପେଲାଗୋର ସୃଷ୍ଟି । ଗ୍ରୀକ୍, ଲାଟିନ୍ ଓ ଈଟାଲୀୟ ଭାଷାରେ ଭୂମଧ୍ୟ ସାଗରକୁଲାଗି ରହିଥିବା ଏଜିୟାନ୍ ସାଗରକୁ ଏହି ନାମ ମିଳିଥିଲା । ଭୌଗୋଳିକ ଗଠନ ଦୃଷ୍ଟିରୁ ଏଜିୟାନ୍ ସାଗର ଅଳ୍ପ ଦୂରତାରେ ରହିଥିବା କ୍ଷୁଦ୍ର ଦ୍ୱୀପମାନଙ୍କ ପାଇଁ ବିଖ୍ୟାତ । ତେଣୁ କାଳକ୍ରମେ ଏଜିୟାନ୍ ସାଗରରେ ରହିଥିବା ଦ୍ୱୀପସମୂହ ଗୁଡ଼ିକୁ ଆର୍କିପେଲାଗୋ ବୋଲି କୁହାଗଲା ।

ଦ୍ୱୀପପୁଞ୍ଜର ପ୍ରକାର ଭେଦ ସମ୍ପାଦନା

ବିଶ୍ୱରେ ବିଭିନ୍ନ ପ୍ରକାରର ଦ୍ୱୀପସମୂହ ଦେଖାଯାଏ । କୌଣସି ମହାଦେଶ, ଦେଶ ବା ଭୂଖଣ୍ଡକୁ ଲାଗି ଅନେକ କ୍ଷୁଦ୍ର ଦ୍ୱୀପ ରହିଥାନ୍ତି । ମହାସାଗର ମଧ୍ୟରେ ଭୂଖଣ୍ଡରୁ ଅନେକ ଦୂରରେ ମଧ୍ୟ ଦ୍ୱୀପପୁଞ୍ଜ ଦେଖାଯାନ୍ତି । ଉଦାହରଣ ସ୍ୱରୂପ ସ୍କଟ୍‍ଲ୍ୟାଣ୍ଡର ଚତୁଃପାର୍ଶ୍ୱରେ ୭୦୦ରୁ ଅଧିକ ଛୋଟ ଛୋଟ ଦ୍ୱୀପ ରହିଛନ୍ତି ଓ ଏମାନଙ୍କୁ ନେଇ ସ୍କଟ୍‍ଲ୍ୟାଣ୍ଡର ଦ୍ୱୀପପୁଞ୍ଜ ଗଠିତ । ଅଧିକାଂଶ ସମୟରେ ଆଗ୍ନେୟ ଉଦ୍‍ଗୀରଣରୁ ବା ଭୂଖଣ୍ଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ କ୍ରମଶଃ ପୋତି ହୋଇ ବା ଅବକ୍ଷୟ ଘଟି ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଦ୍ୱୀପମାନଙ୍କ ଭୌଗୋଳିକ ସୃଷ୍ଟିର କାରଣକୁ ଭିତ୍ତି କରି ଏମାନଙ୍କୁ ମହାସାଗରୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Oceanic Islands), ମହାଦେଶୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Islands) ବା ବିଖଣ୍ଡିତ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Fragments) ଶ୍ରେଣୀରେ ବିଭକ୍ତ କରାଯାଏ । [୨]

ମହାସାଗରୀୟ ଦ୍ୱୀପପୁଞ୍ଜ ସମ୍ପାଦନା

ସାଧାରଣତଃ ମହାସାଗରୀୟ ଦ୍ୱୀପସମୂହ ଆଗ୍ନେୟ ଉଦ୍‍ଗୀରଣରୁ ସୃଷ୍ଟି ହୋଇଥାନ୍ତି ଓ ଭୂଖଣ୍ଡରୁ ଯଥେଷ୍ଟ ଦୂରରେ ମହାସାଗର ମଧ୍ୟରେ ଏମାନେ ଦୃଶ୍ୟମାନ ହୁଅନ୍ତି । ସମୁଦ୍ର ଗର୍ଭରୁ ଆଗ୍ନେୟ ଉଦ୍‍ଗୀରଣ ହୋଇ ଏହି ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି । ଏକ ଆଗ୍ନେୟ କେନ୍ଦ୍ର ନିକଟରେ ଦ୍ୱୀପପୁଞ୍ଜମାନ ସୃଷ୍ଟି ହୋଇ ଧନୁ ପରି ଦେଖାଯାନ୍ତି । ଆଗ୍ନେୟ କେନ୍ଦ୍ର ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ ଏବଂ ଭୂସ୍ତର ଧୀରେ ଧୀରେ ବିସ୍ଥାପିତ ହୋଇ ଦ୍ୱୀପମାନଙ୍କର ସୃଷ୍ଟି ହୁଏ । [୩]

ଉଦାହରଣ ସ୍ୱରୂପ : ହାୱାଇ, ମାଳଦ୍ୱୀପ, ଜାପାନ ।

ବିଖଣ୍ଡିତ ଦ୍ୱୀପପୁଞ୍ଜ ସମ୍ପାଦନା

ଭୂଚଳନ ଯୋଗୁଁ କିଛି ସ୍ଥଳଭାଗ ମହାଦେଶ ବା ମୁଖ୍ୟ ସ୍ଥଳଭାଗରୁ ଦୂରକୁ ବିସ୍ଥାପିତ ହୋଇ ବିଖଣ୍ଡିତ ଦ୍ୱୀପପୁଞ୍ଜ ସୃଷ୍ଟି ହୋଇଥାନ୍ତି ।

ବିଖଣ୍ଡିତ ଦ୍ୱୀପପୁଞ୍ଜର କେତେକ ଉଦାହରଣ ହେଲା ମାଡାଗାସ୍କାର୍, ମାସ୍କାରେନ୍ ଦ୍ୱୀପପୁଞ୍ଜ, ତିମୋର୍ ଦ୍ୱୀପପୁଞ୍ଜ ଇତ୍ୟାଦି । ଇଣ୍ଡୋନେସୀୟ ଦ୍ୱୀପପୁଞ୍ଜର କିଛି ଅଂଶକୁ ମଧ୍ୟ ବିଖଣ୍ଡିତ ଦ୍ୱୀପ କୁହାଯାଏ ।

ମହାଦେଶୀୟ ଦ୍ୱୀପପୁଞ୍ଜ ସମ୍ପାଦନା

ଭୂଖଣ୍ଡରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ମହାଦେଶୀୟ ଦ୍ୱୀପପୁଞ୍ଜ ଦେଖାଯାନ୍ତି ଓ ଏମାନେ ମହାଦେଶର ଅଂଶ ଭାବେ ପରିଗଣିତ ହୋଇଥାନ୍ତି । ହିମଯୁଗର ଶେଷ ବେଳକୁ ବରଫ ତରଳି ଜଳସ୍ତର ବଢ଼ିବା ଫଳରେ ଅନେକ ସ୍ଥଳଭାଗ ସମୁଦ୍ରଗର୍ଭରେ ବୁଡ଼ିଗଲା । ଉଚ୍ଚସ୍ଥାନଗୁଡ଼ିକ ଦ୍ୱୀପ ଆକାର ଧାରଣ କଲେ । [୪]

ଉଦାହରଣ ସ୍ୱରୂପ : ତାଇୱାନ୍, ଫିନ୍‍ଲ୍ୟାଣ୍ଡ୍, ମାଳୟ ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "Indonesia". The World Factbook. Central Intelligence Agency. 4 December 2008. Archived from the original on 10 December 2008. Retrieved 7 December 2008.
  2. Whittaker R. J. & Fernández-Palacios J. M. (2007) Island Biogeography: Ecology, Evolution, and Conservation. New York, Oxford University Press
  3. "archipelago".
  4. "archipelago".

ଆହୁରି ଦେଖନ୍ତୁ ସମ୍ପାଦନା

ବିଶ୍ୱର ପ୍ରମୁଖ ଦ୍ୱୀପପୁଞ୍ଜ

ଫରାସୀ ପୋଲିନେସିଆ

ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ

କେମନ୍ ଦ୍ୱୀପପୁଞ୍ଜ

କୁକ ଦ୍ୱୀପପୁଞ୍ଜ

ଫାରୋ ଦ୍ୱୀପପୁଞ୍ଜ

ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ

କୋକୋସ୍ (କୀଲିଙ୍ଗ୍) ଦ୍ୱୀପପୁଞ୍ଜ

ଫଲ୍‌କ୍‌ଲ୍ୟାଣ୍ଡ ଦ୍ୱୀପପୁଞ୍ଜ