ଦୁର୍ଗାସ୍ତୁତି

(ଦୁର୍ଗାଙ୍କ ସ୍ତୁତିରୁ ଲେଉଟି ଆସିଛି)

ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ । ଏକଦା ଦେବତାମାନେ ମାତାଦୁର୍ଗାଙ୍କୁ ଷୋଡଶ ଉପଚାରରେ ପୂଜା କଲେ । ଦେବତାମାନଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଦୁର୍ଗତିନାଶିନୀ ଦୁର୍ଗା କହିଲେ – “ ହେ ଦେବଗଣ, ମୁଁ ତୁମ୍ଭମାନଙ୍କ ପୂଜାରେ ସନ୍ତୁଷ୍ଟ । ମୁଁ ତୁମ୍ଭମାନଙ୍କୁ ଏକ ଦୁର୍ଲଭବସ୍ତୁ ପ୍ରଦାନ କରିବି “ । ଦୁର୍ଗାଙ୍କ କଥା ଶୁଣି ଦେବତାମାନେ କହିଲେ – “ ହେ ମା’ ଦୁର୍ଗା ଆପଣ ଆମ୍ଭମାନଙ୍କର ଶତ୍ରୁ ମହିଷାସୁର, ଚଣ୍ଡମଣ୍ଡ ଓ ଶୁମ୍ଭନିଶୁମ୍ଭ ଆଦି ଦାନବମାନଙ୍କୁ ସଂହାର କରିଛନ୍ତି । ଆପଣ ଭକ୍ତମାନଙ୍କ ପାଇଁ କଳ୍ପବୃକ୍ଷ ଅଟନ୍ତି । ଆମ୍ଭେମାନେ ଆପଣଙ୍କର ଶରଣାପନ୍ନ । ଆପଣ ସଂକଟରେ ପଡ଼ିଥିବା ଭକ୍ତମାନଙ୍କୁ କିପରି ରକ୍ଷା କରନ୍ତି ସେହି କଥା ଆମ୍ଭ ନିକଟରେ ପ୍ରକାଶ କରନ୍ତୁ । ଦେବତାମାନଙ୍କର ପ୍ରାର୍ଥନା ଶୁଣି ଦୁର୍ଗାଦେବୀ କହିଲେ – ହେ ଦେବଗଣ, ମୁଁ ଯେଉଁ କଥା ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଛି ତହ ଅତ୍ୟନ୍ତ ଦୁର୍ଲଭ ଅଟେ । ମୋର ବତିଶିଟି ନାମମାଳା ସମସ୍ତ ବିପଦକୁ ବିନାଶ କରି ଭକ୍ତର ସଂକଟମୋଚନ କରିଥାଏ । ତ୍ରିଭୁବନରେ ଏପରି ଦୁର୍ଲଭ ସ୍ତୁତି କିଛି ନାହିଁ । ଏହା ଖୁବ୍ ଗୋପନୀୟ । ଏହିସ୍ତୁତି ମନଦେଇ ଶ୍ରବଣ କର । ଏହି ସ୍ତୁତିଟି ହେଲା –

ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ, ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।

ମା’ ଦୁର୍ଗାଙ୍କ ଏହି ଦୁର୍ଲଭ ସ୍ତୁତିକୁ ଯିଏ ଗାନ କରେ ତା‘ର ସମସ୍ତ ପ୍ରକାର ଭୟ ଓ ଦୁଃଖକଷ୍ଟ ବିନାଶ ହୁଏ । ମଣିଷ କୌଣସି ବିପଦରେ ପଡ଼ିଲେ ଏହି ସ୍ତୋତ୍ର ଜପ କଲାମାତ୍ରେ ତା‘ର ବିପଦ କଟିଯାଏ । ମଣିଷର ବିପଦ ସମୟରେ ଏହା ହେଉଛି ଭୟନାଶକ ସ୍ତୁତି । ଯେଉଁ ମଣିଷ ବିପଦରେ ପଡ଼ି ଦୁର୍ଗାଙ୍କର ଏହି ବତିଶିଟି ନାମକୁ ହଜାର ଥର, ଦଶହଜାର ଥର କିମ୍ବା ଏକଲକ୍ଷ ଥର ପାଠ କରେ ସେହି ମନୁଷ୍ୟର ନିଶ୍ଚିତ ଭାବରେ ସମସ୍ତ ବିପଦ ଲାଘବ ହୋଇଥାଏ । ମାତା ଦୁର୍ଗା ପୁନର୍ବାର ଦେବତାମାନଙ୍କୁ କହିଲେ – ହେ ଦେବଗଣ, ମଣିଷ ମାଟିରେ ମୋର ଅଷ୍ଟଭୁଜା ମୂର୍ତ୍ତି ନିର୍ମାଣ କରି ଆଠଗୋଟି ବାହୁରେ ଗଦା, ଖଡ୍ଗ, ତ୍ରିଶୂଳ, ବାଣ, ଧନୁ, ପଦ୍ମ, ଢାଲ ଏବଂ ମୁଦ୍ଗର ଧାରଣ କରାଇ ମୋତେ ପୂଜା କରିବ । ସେହି ମାଟିର ମୂର୍ତ୍ତିରେ ମୋର ତ୍ରିନେତ୍ର ଥିବ ଏବଂ ମସ୍ତକରେ ଚନ୍ଦ୍ରମା ଥିବ । ମୋତେ ରକ୍ତବର୍ଣ୍ଣର ବସ୍ତ୍ର ପରିଧାନ କରାଇବ । ମୋର ବାହନ ସିଂହ ଥିବ । ମୋର ଏହି ସ୍ୱରୂପ ମହିଷାସୁରକୁ ନିଧନ କରୁଥିବ । ଏହିପରି ମୂର୍ତ୍ତି ନିର୍ମାଣ କରି ମଣିଷ ମୋତେ ଉପାସନା କଲେ ତା‘ର ସମସ୍ତ ଭୟ ଦୂରହେବ । [୧]

ଆହୁରୁ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ରମାକାନ୍ତ ମହାପାତ୍ର, ଧରିତ୍ରୀ, ପୃଷ୍ଠା- ୮,ତା୭/୧୦/୨୦୦୮