ଦଦରାହଣା ପକ୍ଷୀ (ଇଂରାଜୀ ଭାଷାରେ Spot-billed Pelican ବା Grey Pelican, ଜୀବବିଜ୍ଞାନ ନାମ Pelecanus philippensis) ପେଲିକାନ୍ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏସିଆରେ ପାକିସ୍ତାନର ଦକ୍ଷିଣାଂଶରୁ ନେଇ ଭାରତ ଓ ପୂର୍ବରେ ଇଣ୍ଡୋନେସିଆ ପର୍ଯ୍ୟନ୍ତ ଅଞ୍ଚଳ ଏହି ପକ୍ଷୀଙ୍କ ପ୍ରଜନନ ଓ ନିବାସ କ୍ଷେତ୍ର । ଉପକୂଳ ଓ ସ୍ଥଳଭାଗ ମଧ୍ୟସ୍ତ ବୃହତ ଜଳାଶୟମାନଙ୍କରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାନ୍ତି । ଯଦିଓ ଆକାରରେ ସାମାନ୍ୟ ଛୋଟ, କିନ୍ତୁ ଦୂରରୁ ଏମାନେ ଅନ୍ୟାନ୍ୟ ପେଲିକାନ୍ ପ୍ରଜାତିର ପକ୍ଷୀଙ୍କ ପରି ଦେଖାଯାନ୍ତି । କିନ୍ତୁ ନିକଟରୁ ଲକ୍ଷ୍ୟ କଲେ ଏମାନଙ୍କ ଥଣ୍ଟର ଛିଟଛିଟ ଚିହ୍ନ, ପାଉଁଶିଆ ଦେହରୁ ଏମାନଙ୍କୁ ସହଜରେ ଠଉରାଇ ହେବ । କିଛି ଅଞ୍ଚଳରେ ଜନବସତିରୁ ଅନତି ଦୂରରେ ଏହି ପକ୍ଷୀଙ୍କ ବୃହତ ସମାଗମ ଦେଖିବାକୁ ମିଳିଥାଏ ।

ଦଦରାହଣା ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Pelecaniformes
Family: Pelecanidae
Genus: Pelecanus
ଜାତି: P. philippensis
ବାଇନୋମିଆଲ ନାମ
Pelecanus philippensis
ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୯

ବର୍ଣ୍ଣନା

ସମ୍ପାଦନା
 
ନୀଡ଼ରେ ବୟସ୍କ ଓ କିଶୋର ଦଦରାହଣା ପକ୍ଷୀ

ଦଦରାହଣା ପେଲିକାନ୍‍ ପରିବାରର ପକ୍ଷୀଙ୍କ ମଧ୍ୟରେ ଛୋଟ କିନ୍ତୁ ତଥାପି ଆକାରରେ ଯଥେଷ୍ଟ ବଡ଼ । ଏମାନଙ୍କ ଶରୀରର ଦୈର୍ଘ୍ୟ ପ୍ରାୟ ୧୨୫-୧୫୨ ସେଣ୍ଟିମିଟର୍ ଏବଂ ଓଜନ ପ୍ରାୟ ୪.୧-୬ କିଲୋଗ୍ରାମ୍ । ଏହାର ରଙ୍ଗ ମୁଖ୍ୟତଃ ଧଳା, ଛାତି ତଥା ବେକର ପଛପଟର ରଙ୍ଗ ପାଉଁଶିଆ ଏବଂ ଲାଞ୍ଜର ରଙ୍ଗ ଖଇରିଆ । ବେକର ପଛ ପଟର ପରଗୁଡ଼ିକ କୁଞ୍ଚୁକୁଞ୍ଚିଆ ଓ ଏକ ପାଉଁଶିଆ ଚୂଳ ପରି ଦେଖାଯାନ୍ତି । ଥଣ୍ଟ ତଳର ଖାଦ୍ୟ ଥଳୀ ଗୋଲାପୀ ବା ବାଇଗଣୀ ପରି ରଙ୍ଗର ଏବଂ ଏଥିରେ ଅନେକ ଛିଟ ଦାଗ ରହିଥାଏ । ଥଣ୍ଟର ଅଗ୍ର ଭାଗ ହଳଦିଆ ବା କମଳା ରଙ୍ଗର ହୋଇଥାଏ । ପ୍ରଜନନ କରୁଥିବା ପକ୍ଷୀଙ୍କ ଥଣ୍ଟ ମୂଳର ଚର୍ମ କଳା ରଙ୍ଗର ହୋଇଥିବା ଦେଖାଯାଏ । ଉଡ଼ିବା ବେଳେ ଦଦରାହଣା ପକ୍ଷୀ ପ୍ରାୟ ଡାଲମାସିଆନ୍ ପେଲିକାନ୍ ପରି ଦେଖାଯାନ୍ତି । କିନ୍ତୁ ଦ୍ୱିତୀୟକ ଓ ତୃତୀୟକ ପରର କଳା ରଙ୍ଗରୁ ଦଦରାହଣାଙ୍କୁ ଠଉରାଇ ହେବ । ଏମାନଙ୍କ ଲାଞ୍ଜଟି ବଙ୍କେଇ ଗୋଲିଆ ହୋଇଯାଇଛି ।[]

ସଦ୍ୟ ଜାତ ଦଦରାହଣା ଶାବକମାନେ ଧଳା ରଙ୍ଗର ହୋଇଥାନ୍ତି । କ୍ରମଶଃ ସେମାନଙ୍କ ଦେହରେ ପାଉଁଶିଆ ପର ସୃଷ୍ଟି ହୁଏ । ଜନ୍ମର ପ୍ରାୟ ବର୍ଷେ ପରେ ଥଣ୍ଟର ଛିଟ ଦାଗ ସ୍ପଷ୍ଟ ଭାବେ ଦେଖାଯାଏ । ପ୍ରଜନନକ୍ଷମ ପରିପକ୍ୱ ପକ୍ଷୀର ରଙ୍ଗ ଜନ୍ମ ହେବାର ପ୍ରାୟ ୩ ବର୍ଷ ପରେ ଆସିଥାଏ ।[]

ପରିବାସ, ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି

ସମ୍ପାଦନା
 
ନିର୍ଦ୍ଦିଷ୍ଟ ସଂରଚନାରେ ଉଡ଼ୁଥିବା ଦଦରାହଣା ଦଳ

କେବଳ ଭାରତୀୟ ଉପଦ୍ୱୀପ, ଶ୍ରୀଲଙ୍କାକାମ୍ବୋଡ଼ିଆରେ ଦଦରାହଣା ପକ୍ଷୀ ପ୍ରଜନନ କରୁଥିବାର ତଥ୍ୟ ଲିପିବଦ୍ଧ କରାଯାଇଛି । କିଛି ଭାରତୀୟ ଦଦରାହଣା ଗାଙ୍ଗେୟ ଉପତ୍ୟକାରେ ଶୀତ ଦିନେ ପ୍ରବାସ କରିବା ଦେଖାଯାଏ, କିନ୍ତୁ ମାଳଦ୍ୱୀପ, ପାକିସ୍ତାନବଙ୍ଗଳାଦେଶ ଇତ୍ୟାଦି ସ୍ଥାନରେ ଏମାନଙ୍କ ଉପସ୍ଥିତି ସନ୍ଦେହ ଘେରରେ ରହିଛି ।[] ନିମ୍ନ ସମତଳ ଭୂମିର ମଧୁରଜଳ ଥିବା ଅଞ୍ଚଳ ଏହି ପକ୍ଷୀଙ୍କ ପରିବାସ । ଦଦରାହଣା ପ୍ରବାସୀ ନୁହଁନ୍ତି କିନ୍ତୁ ଅଳ୍ପ ଦୂରରେ ସ୍ଥାନୀୟ ପ୍ରବାସ କରିବା ମଧ୍ୟ ଦେଖାଯାଏ ଓ ପ୍ରଜନନ ଋତୁ ନଥିବା ସମୟରେ ଏମାନେ ବିଚ୍ଛିନ୍ନ ଭାବେ ରହିଥାନ୍ତି ।

 
ଚିତ୍ରିତ କ୍ରୌଞ୍ଚ ପକ୍ଷୀଙ୍କ ସହ ନୀଡ଼ ବାନ୍ଧିଥିବା ଦଦରାହଣା ପକ୍ଷୀ

ଦଦରାହଣା ପକ୍ଷୀମାନେ ବସ୍ତିରେ ରହି ପ୍ରଜନନ କରନ୍ତି । ଏମାନଙ୍କ ବସ୍ତିରେ ଅନ୍ୟ ପ୍ରଜାତିର ଜଳପକ୍ଷୀ ମଧ୍ୟ ଦେଖାଯାନ୍ତି । ଏମାନଙ୍କ ବସା ଆର୍ଦ୍ର ଭୂମି ନିକଟସ୍ଥ ବା ଜନବସତି ନିକଟସ୍ଥ ଅଳ୍ପ ଉଚ୍ଚତାବିଶିଷ୍ଟ ଗଛମାନଙ୍କରେ ନିର୍ମିତ ହୋଇଥାଏ । ବିଭିନ୍ନ ଦଦରାହଣା ବସ୍ତି ଆବିଷ୍କାର ଓ ନିଶ୍ଚିହ୍ନ ହେବାର ତଥ୍ୟ ଲିପିବଦ୍ଧ କରାଯାଇଛି । ୧୯୦୬ ମସିହା ଜୁନ୍ ମାସରେ ସି ଇ ରେନିୟସ୍ ତିରୁନେଲୱେଲି ଜିଲ୍ଲାର କୁତାନକୁଳମରେ ଦଦରାହଣା ପକ୍ଷୀଙ୍କ ବସ୍ତି ଦେଖିଥିଲେ ଓ ଏହି ଅଞ୍ଚଳର ଗ୍ରାମବାସୀଙ୍କ ମନରେ ଏହି ପକ୍ଷୀ ପବିତ୍ର ବୋଲି ଧାରଣା ରହିଥିଲା ।[] ୧୯୪୪ ମସିହାରେ ଏହି ନିର୍ଦ୍ଦିଷ୍ଟ ବସ୍ତିରେ ମାତ୍ର ୧୦ଟି ଦଦରାହଣା ବସା ଓ ୨୦୦ଟି ଚିତ୍ରିତ କ୍ରୌଞ୍ଚ ବସା ରହିଥିଲା ।[]

ବ୍ରହ୍ମଦେଶର ସୀତାଙ୍ଗ ନଦୀରେ ଲକ୍ଷ ଲକ୍ଷ ଦଦରାହଣା ବାସ କରୁଥିବା ବିଷୟ ୟୁଜିନ୍ ୱିଲିୟମ୍ ଓଟ୍‍ସ୍ ୧୮୭୭ ମସିହାରେ ଉଲ୍ଲେଖ କରିଥିଲେ । ୧୯୨୯ ମସିହାରେ ଇ ସି ଷ୍ଟୁଆର୍ଟ ବେକର୍ ସେଠାରେ ବଡ଼ ହାଡ଼ଗିଳା ପକ୍ଷୀଙ୍କ ସହ ହଜାର ହଜାର ସଂଖ୍ୟାରେ ଦଦରାହଣା ବସା ବାନ୍ଧିଥିବା କଥା କହିଛନ୍ତି:

ସମଗ୍ର ଜଙ୍ଗଲ ବିରାଟକାୟ ଗଛମାନଙ୍କଦ୍ୱାରା ଆଚ୍ଛାଦିତ ଥିଲା, କିନ୍ତୁ ଏକ ଛୋଟ ଅଂଶ (ପ୍ରାୟ ବିଂଶ ଭାଗରୁ ଏକ ଭାଗ) ଟଂଗ୍ ତେଲ ଗଛରେ ପୂର୍ଣ୍ଣ ଥିଲା । ୧୦୦ ଫୁଟ୍ ଉଚ୍ଚ ଶାଖାବିହୀନ କାଣ୍ଡରେ ଦଣ୍ଡାୟମାନ ଏହି ବିରାଟ ଗଛଗୁଡ଼ିକ ୧୫୦ ଫୁଟ୍ ବା ତତୋଧିକ ଉଚ୍ଚତାବିଶିଷ୍ଟ ଥିଲା । ଦଦରାହଣା ପକ୍ଷୀମାନେ ଏହି ଗଛଗୁଡ଼ିକୁ ବସା ବାନ୍ଧିବା ପାଇଁ ଚୟନ କରିଥିଲେ ।
ସେ ଦିନ ମୁଁ ଅପରାହ୍ନ ୩ଟା ବେଳୁ ବାହାରି ଯାଇଥିଲି । ବିଭିନ୍ନ ଦିଗରେ ଅତି କମରେ ୨୦ ମାଇଲ୍ ବାଟ ଚାଲିଥିଲେ ମଧ୍ୟ ସବୁଠାରେ ମୁଁ ଦଦରାହଣା ଓ ହାଡ଼ଗିଳା ବସା ଦେଖିବାକୁ ପାଇଥିଲି । ମୁଁ ଯାହା ଦେଖିଲି ଓ ବର୍ମାର ଲୋକଙ୍କଠୁ ଯାହା ଶୁଣିବାକୁ ପାଇଲି, ତାହାକୁ ଭିତ୍ତି କରି ମୋ ଗଣନା କୁହେ ଯେ ଏହି ଅଞ୍ଚଳର ୨୦ ମାଇଲ୍ × ୫ ମାଇଲ୍ କ୍ଷେତ୍ରଫଳ ଅଞ୍ଚଳରେ ଏହି ପକ୍ଷୀଙ୍କ ପ୍ରଜନନ କ୍ଷେତ୍ର ଓ ବାସସ୍ଥଳ ରହିଥିଲା ।

— ଆଲାନ୍ ଅକ୍ଟୋଭିଆନ୍ ହ୍ୟୁମ୍ (୧୮୯୦)ଙ୍କ ପୁସ୍ତକରେ ଓଟିସ୍ (୧୮୭୭)ଙ୍କ ବୟାନ[]

କିନ୍ତୁ ୧୯୩୦ ଦଶନ୍ଧିରୁ ୧୯୪୦ ଦଶନ୍ଧି ମଧ୍ୟରେ ଏହି ବିଶାଳ ଦଦରାହଣା ବସ୍ତି ଅଦୃଶ୍ୟ ହୋଇଯାଇଥିବା ବିଷୟ ବେର୍ଟ୍ରାମ୍ ସ୍ମିଦିସ୍ କହିଥିଲେ ।[]

୧୯୦୨ ମସିହାରେ କଡ଼ପ୍ପା ଜିଲ୍ଲାର ବୁଚୁପାଲେରେ ଆଉ ଏକ ଦଦରାହଣା ବସ୍ତି ଆବିଷ୍କୃତ ହୋଇଥିଲା । ସେଠାରେ ମାର୍ଚ୍ଚ ମାସରେ ଚିତ୍ରିତ କ୍ରୌଞ୍ଚ ଓ ଦଦରାହଣା ପକ୍ଷୀ ମିଶି ବସା ବାନ୍ଧୁଥିଲେ ।[] କିନ୍ତୁ ଏହି ବସ୍ତି ପୁନର୍ବାର ଦେଖାଯାଇନାହିଁ ।[] କେ କେ ନୀଳକଣ୍ଠନ ୧୯୪୬ ମସିହାରେ କୋଲେରୁ ହ୍ରଦ ନିକଟରେ ଏକ ବସ୍ତି ଆବିଷ୍କାର କରିଥିଲେ ଓ ସେ ସମୟରେ ସେଠାରେ ପ୍ରାୟ ୩୦୦୦ଟି ଦଦରାହଣା ପକ୍ଷୀ ବାସ କରୁଥିଲେ ।[][] ୧୯୭୫ ମସିହା ବେଳକୁ ଏହି ଦଦରାହଣା ବସ୍ତି ମଧ୍ୟ ଉଭାନ ହୋଇଯାଇଥିଲା ।[୧୦][୧୧][୧୨]

ପରିବାସ କ୍ଷୟ ଓ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଦଦରାହଣା ପକ୍ଷୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏପରିକି ଦକ୍ଷିଣ-ପୂର୍ବ ଏସିଆର ଅନେକ ସ୍ଥାନର ଦଦରାହଣା ବିଲୁପ୍ତ ହୋଇସାରିଲେଣି ।[୧୩] ଏହାର ଜୀବବିଜ୍ଞାନ ନାମରେ ଯେଉଁ ସ୍ଥାନର ନାମ ରହିଛି, ବିଂଶ ଶତାବ୍ଦୀର ଆରମ୍ଭରେ ସେହି ଫିଲିପାଇନ୍ସରେ ବହୁ ଦଦରାହଣା ପକ୍ଷୀ ରହିଥିଲେ ।[] କିନ୍ତୁ ୧୯୬୦ ଦଶନ୍ଧି ବେଳକୁ ଏମାନେ ସ୍ଥାନୀୟ ଭାବେ ବିଲୁପ୍ତ ପ୍ରଜାତି ହୋଇ ସାରିଥିଲେ ।[୧୪] ଦକ୍ଷିଣ ଭାରତର ଦଦରାହଣା ସଂଖ୍ୟା ବଢ଼ୁଥିବା ଜଣା ପଡ଼ିଥିଲା ।[୧୫] ସଂରକ୍ଷଣ ନିୟମ ଓ ସୁରକ୍ଷା ଯୋଗାଇଦେବାରୁ ଏମାନଙ୍କ ସଂଖ୍ୟା ବଢ଼ୁଛି ଏବଂ IUCN ସଂସ୍ଥାର ତାଲିକାରେ ପୂର୍ବେ ଅତି ସଙ୍କଟାପନ୍ନ (vulnerable) ସ୍ଥିତିରେ ରହିଥିବା ଏହି ପ୍ରଜାତିକୁ ୨୦୦୭ ମସିହାରେ ଅଳ୍ପ ସଙ୍କଟାପନ୍ନ (near threatened) ସ୍ଥିତିକୁ ଉନ୍ନୀତ କରାଯାଇଥିଲା ।[]

ପରିସଂସ୍ଥା ଓ ବ୍ୟବହାର

ସମ୍ପାଦନା
 
ଭାରତର ତାମିଲନାଡ଼ୁର କୁନ୍ତନକୁଳମ ପକ୍ଷୀ ଅଭୟାରଣ୍ୟରେ କିଛି ଦଦରାହଣା ପକ୍ଷୀ
 
ଆନ୍ଧ୍ରପ୍ରଦେଶର ଉପ୍ପଲାପଡ଼ୁରେ ଦଦରାହଣା ନୀଡ଼ର ଏକ ଫଟୋଚିତ୍ର

ଦଦରାହଣା ପକ୍ଷୀ ସାଧାରଣତଃ ନୀରବ ରହନ୍ତି । କିନ୍ତୁ ନିଜ ନୀଡ଼ ପାଖରେ ଥିବା ସମୟରେ ଏହି ପକ୍ଷୀଙ୍କ ସୁ-ସୁ ଶବ୍ଦ କରିବା, ନିମ୍ନ ତୀବ୍ରତାରେ ଘୁଙ୍ଗୁଡ଼ି ପରି ଶବ୍ଦ କରିବା ଓ ଥଣ୍ଟ ପିଟିବା ପରି ବ୍ୟବହାର ଦେଖିହେବ ।[] ଅଳ୍ପ କିଛି ପ୍ରାଚୀନ ବିବରଣୀରେ ଦଦରାହଣା ବସ୍ତିମାନଙ୍କୁ ନୀରବ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ଅଧିକାଂଶ ବସ୍ତିକୁ କୋଳାହଳ ପୂର୍ଣ୍ଣ ବୋଲି କୁହାଯାଇଛି ।[][୧୬]

ଅନ୍ୟ ପେଲିକାନ୍ ପ୍ରଜାତିର ପକ୍ଷୀଙ୍କ ପରି ଦଦରାହଣା ପକ୍ଷୀ ପାଣିରେ ପହଁରିବା ସମୟରେ ମାଛ ଧରି ନିଜ ଥଣ୍ଟ ନିମ୍ନସ୍ଥ ବଡ଼ ଥଳୀରେ ରଖିଥାଏ । ଧଳା ପେଲିକାନ୍ ପକ୍ଷୀମାନେ ଏକ ବିଶାଳ ଦଳରେ ଆହରଣ କରୁଥିବା ବେଳେ ଏହି ପ୍ରଜାତିର ପକ୍ଷୀ ଏକାକୀ ବା ଛୋଟ ଦଳରେ ଖାଦ୍ୟ ସଂଗ୍ରହ କରୁଥିବାର ଲକ୍ଷ୍ୟ କରାଯାଇଛି । ଦଳରେ ଖାଦ୍ୟ ସଂଗ୍ରହ କରିବା ବେଳେ ଏମାନେ ମିଳିତ ଭାବେ ମାଛମାନଙ୍କୁ ଅଗଭୀର ପାଣି ଆଡ଼କୁ ଘଉଡ଼ାଇ ସେମାନଙ୍କର ଶିକାର କରନ୍ତି । ନୀଡ଼କୁ ବା ଖାଦ୍ୟ ଆହରଣ ଜଳାଶୟକୁ ଯିବା ସମୟରେ ଏମାନେ ଅବିରତ ଡେଣା ହଲାଇ ଏକ ନିର୍ଦ୍ଦିଷ୍ଟ ସଂରଚନାରେ ଦଳବଦ୍ଧ ଭାବେ ଆକାଶରେ ଉଡ଼ିବା ଦେଖାଯାଏ । ଦିନର ସବୁଠାରୁ ଅଧିକ ଗରମ ସମୟରେ ଏମାନେ ଉତ୍ତପ୍ତ ପବନ ସ୍ରୋତକୁ ବ୍ୟବହାର କରି କେବଳ ଡେଣା ଖୋଲି ରଖି ଉଡ଼ିବା ଦେଖାଯାଏ ।[୧୭] ବେଳେବେଳେ ଏମାନଙ୍କୁ ରାତିରେ ଖାଦ୍ୟ ପାଇଁ ବିଚରଣ କରୁଥିବା ମଧ୍ୟ ଦେଖାଯାଇଛି ।[୧୮]

ଏମାନେ ଗୋଠ ହୋଇ ବସ୍ତିରେ ନିଜର ନୀଡ଼ ନିର୍ମାଣ କରିଥାନ୍ତି । ଅଳ୍ପ ଉଚ୍ଚତାବିଶିଷ୍ଟ ଗଛର ମୋଟା ଡାଳରେ ବଡ଼ ବଡ଼ ଡାଙ୍ଗ ସହାୟତାରେ ନିଜ ବସା ବାନ୍ଧନ୍ତି । ଅକ୍ଟୋବର ମାସରୁ ନେଇ ମଇ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ସମୟ ।[] ତାମିଲନାଡ଼ୁରେ ଉତ୍ତର-ପୂର୍ବ ମୌସୁମୀ ପ୍ରବାହ ଆରମ୍ଭ ହେବା ପରେ ଏମାନଙ୍କ ପ୍ରଜନନ ଋତୁ ଆସେ । ମାଈ ପକ୍ଷୀଙ୍କୁ ଆକର୍ଷିତ କରିବା ପାଇଁ ଅଣ୍ଡିରାମାନେ ନିଜର ଖାଦ୍ୟ ଥଳୀକୁ ପ୍ରସାରିତ କରି ନିଜ ମୁଣ୍ଡକୁ ପ୍ରଥମେ ଉପର-ତଳ, ତା’ ପରେ ପାର୍ଶ୍ୱରୁ ପାର୍ଶ୍ୱକୁ ହଲାଇ ଓ ଶେଷରେ ଟେକି ରଖି ପ୍ରଦର୍ଶନ କରନ୍ତି । ଏପରି ପ୍ରଦର୍ଶନ ସମୟରେ ଉପର ଓ ତଳ ଥଣ୍ଟକୁ ତାଳି ମାରିବା ପରି ପିଟି ଏମାନେ ଶବ୍ଦ ମଧ୍ୟ ସୃଷ୍ଟି କରନ୍ତି ।[୧୯][୨୦] ବିଭିନ୍ନ ଜଳଜୀବୀ ପକ୍ଷୀ; ବିଶେଷ କରି ଚିତ୍ରିତ କ୍ରୌଞ୍ଚ ପକ୍ଷୀଙ୍କ ବସ୍ତି ଥିବା ଅଞ୍ଚଳରେ ଏମାନେ ନିଜର ବସା ବାନ୍ଧିଥାନ୍ତି । ମାଈ ଦଦରାହଣା ଏକା ବେଳକେ ୩-୪ଟି ଚୂନ ପରି ଧଳା ଅଣ୍ଡା ଦେଇପାରେ । ସମୟ ଅତିବାହିତ ହେବା ସହିତ ଅଣ୍ଡାଗୁଡ଼ିକ ମଇଳା ହେବା ପରି ଦେଖାଯାନ୍ତି ।[୧୭] ପ୍ରାୟ ୩୦ରୁ ୩୩ ଦିନରେ ଅଣ୍ଡାଗୁଡ଼ିକ ଫୁଟି ଛୁଆ ବାହାରନ୍ତି । ଦଦରାହଣା ଶାବକମାନେ ନୀଡ଼ରେ ୩-୫ ମାସ ପର୍ଯ୍ୟନ୍ତ ରହନ୍ତି ।[୧୯][୨୧] ପୋଷା ମନାଇ ରଖାଯାଇଥିବା ଦଦରାହଣା ଜନ୍ମ ହେବାର ଦୁଇ ବର୍ଷ ପରେ ପ୍ରଜନନ କ୍ରିୟା ଆରମ୍ଭ କରିବା ଦେଖାଯାଇଛି ।[୨୨] ଅନ୍ୟ ପେଲିକାନ ଜାତୀୟ ପକ୍ଷୀଙ୍କ ପରି ଏମାନେ ମଧ୍ୟ କଣ୍ଠ କୋଷିକାର କମ୍ପନ ଓ ଧଇଁସଇଁ ହେଲା ପରି କ୍ରିୟାଦ୍ୱାରା ନିଜ ଶରୀରର ଉଷ୍ମତାକୁ ନିୟନ୍ତ୍ରିତ କରିଥାନ୍ତି ।[୨୩]

ଲଣ୍ଡନ ଚିଡ଼ିଆଖାନାରେ ମୃତ ଯାଇଥିବା ଏକ ସିଂହଳୀ ଦଦରାହଣା ପକ୍ଷୀ ନମୁନାର ବୃକକ୍‍ରୁ ରେନିକୋଲା ପେଲିକାନି (Renicola pelecani) ପରଜୀବୀ ମିଳିବା ବିଷୟ ବର୍ଣ୍ଣିତ ଅଛି ।[୨୪][୨୫]

ସଂସ୍କୃତିରେ ଦଦରାହଣା

ସମ୍ପାଦନା

ପୂର୍ବେ ଦଦରାହଣା ପକ୍ଷୀଙ୍କ ସହାୟତାରେ ପୂର୍ବ ବଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀମାନେ କିଛି ନିର୍ଦ୍ଦିଷ୍ଟ ପ୍ରକାରର ମାଛ ଧରିପାରୁଥିଲେ । ଦଦରାହଣା ଦେହରୁ ଏକ ପ୍ରକାରର ତେଲିଆ ତରଳ କ୍ଷରିତ ହୁଏ ଯାହା କଉକଉଫାସିଆ ପରି ମାଛଙ୍କୁ ଆକୃଷ୍ଟ କରିଥାଏ ।[୨୬]

ଜନବସତି ନିକଟରେ ଏହି ପକ୍ଷୀଙ୍କ ନୀଡ଼ ବାନ୍ଧିବା ଲକ୍ଷ୍ୟ କରି ବ୍ରିଟିଶ୍ ପ୍ରାଣୀବିଜ୍ଞାନୀ ଥୋମାସ୍ କ୍ୟାଭର୍‍ହିଲ୍ ଜେର୍ଡନ୍ କହିଥିଲେ:

କର୍ଣ୍ଣାଟକରେ ମୁଁ କିଛି ଦଦରାହଣା ବସା ଦେଖିଥିଲି ଓ ସେଠାରେ ଆବହମାନ କାଳରୁ ଏହି ପକ୍ଷୀମାନେ ଜନବସତିର ଅତି ନିକଟରେ; ଏପରିକି ଗାଁ ମଝିରେ ଥିବା ଅଳ୍ପ ଉଚ୍ଚ ଗଛରେ ମଧ୍ୟ ନିଜ ବସା ବାନ୍ଧି ଆସୁଥିଲେ ଓ ମଣିଷଙ୍କ ଏତେ ନିକଟରେ ରହିବାକୁ ଭୟ କରୁନଥିଲେ I

— ଜେର୍ଡନ୍, ୧୮୬୪[୨୬]

ଦଦରାହଣା ପକ୍ଷୀଙ୍କର ଏପରି ଅନେକ ବସତି ଦେଖିବାକୁ ମିଳେ । କିଛି ଅଞ୍ଚଳ ଏମାନେ ପରିତ୍ୟାଗ କରିଥିବା ବେଳେ ଆଉ କେତେ ସ୍ଥାନ ଓ ଗ୍ରାମ ଏମାନଙ୍କ ବସତି ପାଇଁ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । କୋକ୍ରେବେଳୁର୍, କୁତାନକୁଳମ୍ ଓ ଉପ୍ପଲପଡ଼ୁ ପରି ଗ୍ରାମ ଏହାର କିଛି ଉଦାହରଣ ।[୧୧][୨୭]

  1. ୧.୦ ୧.୧ BirdLife International (2012). "Pelecanus philippensis". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. ୨.୦ ୨.୧ ୨.୨ ୨.୩ Rasmussen, PC & JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. p. 49.
  3. ୩.୦ ୩.୧ McGregor, R C (1909). A manual of Philippine birds. Part 1. Bureau of Printing, Manila. pp. 208–210.
  4. Rhenius, C.E. (1907). "Pelicans breeding in India". J. Bombay Nat. Hist. Soc. 17 (3): 806–807.
  5. Webb-Peploe, CG (1945). "Notes on a few birds from the South of the Tinnevelly District". J. Bombay Nat. Hist. Soc. 45 (3): 425–426.
  6. Hume, AO (1890). The nests and eggs of Indian birds. Volume 3. R H Porter. p. 297.
  7. ୭.୦ ୭.୧ ୭.୨ ୭.୩ Gee, EP (1960). "The breeding of the Grey or Spottedbilled Pelican Pelecanus philippensis (Gmelin)". J. Bombay Nat. Hist. Soc. 57 (2): 245–251.
  8. Campbell, W.H. (1902). "Nesting of the Grey Pelican Pelecanus philippensis in the Cuddapah District, Madras Presidency". J. Bombay Nat. Hist. Soc. 14 (2): 401.
  9. Neelakantan, KK (1949). "A South Indian pelicanry". J. Bombay Nat. Hist. Soc. 48 (4): 656–666.
  10. Guttikar, S. N. (1978). "Lost pelicanry". J. Bombay Nat. Hist. Soc. 75: 482–484.
  11. ୧୧.୦ ୧୧.୧ Kannan V & R Manakadan (2005). "The status and distribution of Spot-billed Pelican Pelecanus philippensis in southern India" (PDF). Forktail. 21: 9–14.
  12. Nagulu, V & Ramana Rao, JV (1983). "Survey of south Indian pelicanries". J. Bombay Nat. Hist. Soc. 80 (1): 141–143.
  13. Crivelli, A; Schreiber, R (1984). "Status of the Pelecanidae". Biological Conservation. 30 (2): 147. doi:10.1016/0006-3207(84)90063-6.
  14. Van Weerd, Merlijn & J van der Ploeg (2004). "Surveys of wetlands and waterbirds in Cagayan valley, Luzon, Philippines" (PDF). Forktail. 20: 33–39.
  15. Gokula, V (2011). "Status and distribution of population and potential breeding and foraging sites of spot-billed pelican in Tamil Nadu, India". J. Sci. Trans. Environ. Technov. 5 (2): 59–69.[permanent dead link]
  16. Whistler, Hugh (1949). Popular handbook of Indian birds. Edition 4. Gurney and Jackson. pp. 489–491.
  17. ୧୭.୦ ୧୭.୧ Ali, Salim (1996). The Book of Indian Birds. Edition 12. BNHS & Oxford University Press. p. 66.
  18. Gokula, V. (2011). "Nocturnal foraging by Spot-billed Pelican in Tamil Nadu, India" (PDF). Marine Ornithology. 39: 267–268.
  19. ୧୯.୦ ୧୯.୧ Gokula, V (2011). "Breeding biology of the Spot-billed Pelican (Pelecanus philippensis) in Karaivetti Bird Sanctuary, Tamil Nadu, India". Chinese Birds. 2 (2): 101–108. doi:10.5122/cbirds.2011.0013.
  20. Gokula V (2011). "An ethogram of Spot-billed Pelican (Pelecanus philippensis)". Chinese Birds. 2 (4): 183–192. doi:10.5122/cbirds.2011.0030.
  21. Ali, S & Ripley, S D (1978). Handbook of the birds of India and Pakistan. Vol. 2 (2nd ed.). Oxford University Press. pp. 29–30.
  22. Das, RK (1991). "Assam: the main breeding ground of Spotbilled Pelican". Newsletter for Birdwatchers. 31 (11&12): 12–13.
  23. Bartholomew, GA; Robert C. Lasiewski & Eugene C. Crawford Jr. (1968). "Patterns of Panting and Gular Flutter in Cormorants, Pelicans, Owls, and Doves". The Condor. 70 (1): 31–34. doi:10.2307/1366506. JSTOR 1366506.
  24. Stunkard, Horace W. (1964). "Studies on the Trematode Genus Renicola: Observations on the Life-History, Specificity, and Systematic Position". Biological Bulletin. 126 (3): 467–489. doi:10.2307/1539314. JSTOR 1539314.
  25. Wright, C. A. (1954). "Trematodes of the genus Renicola from birds in British zoos, with descriptions of two new species". Journal of Zoology. 124: 51–61. doi:10.1111/j.1096-3642.1954.tb01477.x.
  26. ୨୬.୦ ୨୬.୧ Jerdon, TC (1864). The Birds of India. Volume 3. George Wyman & Co. pp. 858–860.
  27. Neginhal, S. G. (1977). "Discovery of a pelicanry in Karnataka". J. Bombay Nat. Hist. Soc. 74: 169–170.

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା