ତାଜିକିସ୍ତାନ ମଧ୍ୟ-ଏସିଆର ଏକ ସ୍ଥଳଭାଗରେ ଘେରା ଦେଶ । ଏହାର କ୍ଷେତ୍ରଫଳ ୧୪୩,୧୦୦ ବର୍ଗ କିଲୋମିଟର (୫୫,୩୦୦ ବର୍ଗ ମାଇଲ) ଏବଂ ଆନୁମାନିକ ଜନସଂଖ୍ୟା ୯,୫୩୭,୬୪୫ |ଏହାର ଦକ୍ଷିଣରେ ଆଫଗାନିସ୍ତାନ, ପଶ୍ଚିମରେ ଉଜବେକିସ୍ତାନ, ଉତ୍ତରରେ କିର୍ଗିଜସ୍ଥାନ ଏବଂ ପୂର୍ବରେ ଚୀନ୍ ଅବସ୍ଥିତ। ତାଜିକ୍ ଲୋକମାନଙ୍କର ପାରମ୍ପାରିକ ବାସଭୂମିରେ ବର୍ତ୍ତମାନର ତାଜିକିସ୍ତାନ ଏବଂ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନର କିଛି ଅଂଶ ଅନ୍ତର୍ଭୁକ୍ତ ।

ବର୍ତ୍ତମାନ ତାଜିକିସ୍ତାନ ଗଠନ କରୁଥିବା ଅଞ୍ଚଳ ପୂର୍ବରୁ ବହୁ ପୁରାତନ ସଂସ୍କୃତିର ଘର ଥିଲା, ନୂତନ ପ୍ରସ୍ତର ଯୁଗ ଏବଂ ବ୍ରୋଞ୍ଜ ଯୁଗର ସରଜମ୍ ସହର ଏବଂ ପରେ ଅକ୍ସସ୍ ଭ୍ୟାଲି ସଭ୍ୟତା ସମେତ ବିଭିନ୍ନ ଧର୍ମ ଏବଂ ସଂସ୍କୃତିର ଲୋକମାନଙ୍କଦ୍ୱାରା ଶାସିତ ରାଜ୍ୟଗୁଡିକ ଥିଲା ଯଥା ଆଣ୍ଡ୍ରୋନୋଭୋ ସଂସ୍କୃତି, ବୌଦ୍ଧ ଧର୍ମ, ନେଷ୍ଟୋରିଆନ୍ ଖ୍ରୀଷ୍ଟିଆନ, ବୈଦିକ ଧର୍ମ, ଜୋରାଷ୍ଟ୍ରିଆନ୍ ଧର୍ମ, ମାନୀକ ଧର୍ମ ଏବଂ ଇସଲାମ ଧର୍ମ| ଆକେମେନିଡ୍ ସାମ୍ରାଜ୍ୟ, ସାସାନିଆନ୍ ସାମ୍ରାଜ୍ୟ, ହେଫଥାଲାଇଟ୍ ସାମ୍ରାଜ୍ୟ, ସାମାନିଦ୍ ସାମ୍ରାଜ୍ୟ ଏବଂ ମୋଙ୍ଗୋଲ ସାମ୍ରାଜ୍ୟ ସମେତ ଅନେକ ସାମ୍ରାଜ୍ୟ ଏବଂ ରାଜବଂଶଦ୍ୱାରା ଏହି ଅଞ୍ଚଳ ଶାସିତ ହୋଇଛି | ଏହି ଅଞ୍ଚଳ ପରେ ରୁଷ ସାମ୍ରାଜ୍ୟ ଏବଂ ପରବର୍ତ୍ତୀ ସମୟରେ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଅନ୍ତର୍ଭୁକ୍ତ ହେଲା | ସୋଭିଏତ୍ ୟୁନିଅନ୍ ମଧ୍ୟରେ ଏହା ପ୍ରଥମେ ଉଜବେକିସ୍ତାନର ଏକ ସ୍ୱୟଂଶାସିତ ଗଣତନ୍ତ୍ର ଭାବରେ ଓ ପରେ ୧୯୨୯ ମସିହାରେ ଏକ ପୂର୍ଣ୍ଣ ସୋଭିଏତ୍ ଗଣତନ୍ତ୍ରର ପାହ୍ୟା ପାଇଥିଲା । ୯ ସେପ୍ଟେମ୍ବର ୧୯୯୧ ରେ, ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ ତାଜିକିସ୍ତାନ ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା।

ଭୂଗୋଳସମ୍ପାଦନ କରନ୍ତୁ

 
ତାଜିକିସ୍ତାନର ପର୍ବତମାଳା

ତାଜିକିସ୍ତାନ କ୍ଷେତ୍ର ଅନୁଯାୟୀ ମଧ୍ୟ-ଏସିଆର ସବୁଠାରୁ ଛୋଟ ରାଷ୍ଟ୍ର ଅଟେ | ଏହା ପ୍ରାୟତଃ ୩୬°ରୁ ୪୧° ଉତ୍ତର ଅକ୍ଷାଂଶ, ଏବଂ ୬୭°ରୁ ୭୫° ପୂର୍ବ ମଧ୍ୟରେ ଅବସ୍ଥିତ | ଏହା ପାମିର ପର୍ବତ ଶୃଂଖଳାଦ୍ୱାରା ଆଚ୍ଛାଦିତ ହୋଇଛି ଏବଂ ଦେଶର ଅଧିକାଂଶ ଅଂଶ ସମୁଦ୍ର ପତ୍ତନଠାରୁ ୩୦୦୦ ମିଟର (୯୮୦୦ ଫୁଟ)ରୁ ଅଧିକ | ସମତଳ ଭୂମିର ଏକମାତ୍ର ପ୍ରମୁଖ ଭାଗ ଉତ୍ତରରେ (ଫର୍ଗାନା ଉପତ୍ୟକାର କିଛି ଅଂଶ) ଏବଂ ଦକ୍ଷିଣ କୋଫର୍ନିହୋନ୍ ଏବଂ ଭାଖ ନଦୀ ଉପତ୍ୟକା, ଯେଉଠାରୁ ଆମୁ ଦର‍୍ୟା ନଦୀ ସୃଷ୍ଟି ହୋଇଛି | ଦୁଶାନବେ ସହର କୋଫର୍ନିହୋନ୍ ଉପତ୍ୟକା ଉପରେ ଦକ୍ଷିଣ ଢାଲୁରେ ଅବସ୍ଥିତ । ଅମୁ ଦର‍୍ୟା ଏବଂ ପଞ୍ଜ ନଦୀଗୁଡିକ ଆଫଗାନିସ୍ତାନ ସହିତ ସୀମା ଚିହ୍ନିତ କରେ । ତାଜିକିସ୍ତାନର ପାର୍ବତ୍ୟଞ୍ଚଳରେ ଥିବା ହିମବାହଗୁଡିକ ଆରାଲ ସାଗର ପାଇଁ ଜଳସ୍ରୋତର ମୁଖ୍ୟ ଉତ୍ସ ଅଟେ। ତାଜିକିସ୍ତାନରେ ୧୦ କିଲୋମିଟର ଲମ୍ବରୁ ଅଧିକ ୯୦୦ରୁ ଅଧିକ ନଦୀ ଅଛି ।[୧]

 
ତାଜିକିସ୍ତାନର ସାଟେଲାଇଟ୍ ଚିତ୍ର

ଶାସନସମ୍ପାଦନ କରନ୍ତୁ

 
ତାଜିକିସ୍ତାନର ସଂସଦ ଗୃହ

ତାଜିକିସ୍ତାନ ଆନୁଷ୍ଠାନିକ ଭାବରେ ଏକ ରାଷ୍ଟ୍ରପତି ପ୍ରଧାନ ଗଣତନ୍ତ୍ର ଅଟେ । ରାଷ୍ଟ୍ରପତି ଉଭୟ ରାଷ୍ଟ୍ରମୁଖ୍ୟ ଏବଂ ସରକାରର ମୁଖ୍ୟ । ଉଭୟ କାର୍ଯ୍ୟନିର୍ବାହୀ ଶାଖା ଏବଂ ସଂସଦର ଦୁଇଟି ଗୃହରେ ଆଇନ ପ୍ରଣୟନ କ୍ଷମତା ରହିଛି । ରାଷ୍ଟ୍ରପତି ଏବଂ ସଂସଦ ପାଇଁ ନିୟମିତ ନିର୍ବାଚନ ହୁଏ । ଏହା ଏକ ବହୁଦଳୀୟ ବ୍ୟବସ୍ଥା ମାତ୍ର ଗୋଟିଏ ଦଳର ମାତ୍ରାଧିକ ପ୍ରାଧାନ୍ୟ ରହିଆସିଛି । ତାଜିକିସ୍ତାନର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି ନିୟମିତ ଭାବରେ ସଂସଦରେ ସଂଖ୍ୟାବହୁଳ । ନଭେମ୍ବର ୧୯୯୪ ପରଠାରୁ ଇମୋମାଲି ରହମାନ କ୍ରମାଗତ ଭାବରେ ତାଜିକିସ୍ତାନର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେଉଛନ୍ତି କୋଖୀର ରସୁଲଜୋଡା, ପ୍ରଥମ ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ମତ୍ତଲବୁଖନ୍ ଡାଭଲାଟୋଭ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ମୁରୋଡାଲି ଆଲିମର୍ଡନ୍ ଏବଂ ରୁକିଆ କୁର୍ବାନୋଭା।[୨]

ଅର୍ଥନୀତିସମ୍ପାଦନ କରନ୍ତୁ

ତାଜିକିସ୍ତାନର ଜିଡିପିର ପ୍ରାୟ ୪୭% ପ୍ରବାସୀ ତାଜିକଙ୍କଠାରୁ ଆସିଥାଏ (ପ୍ରାୟତଃ ରୁଷରେ କାର୍ଯ୍ୟ କରୁଥିବା ତାଜିକଙ୍କଠାରୁ)।ଏହାକୁ ଛାଡିଦେଲେ ତାଜିକିସ୍ତାନରେ ଆୟର ଅନ୍ୟ ଉତ୍ସ ହେଉଛି ଆଲୁମିନିୟମ ଉତ୍ପାଦନ, କପା ଚାଷ । କେତେକ ଆକଳନ ଅନୁଯାୟୀ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ପ୍ରତିଦିନ ୧.୨୫ ଡଲାରରୁ କମ୍ ଆୟରେ ଜୀବନଯାପନ କରନ୍ତି।[୩]

ଆଧାରସମ୍ପାଦନ କରନ୍ତୁ

  1. "People, Religion, History, & Facts". Encyclopedia Britannica. 2020-10-12. Retrieved 2020-11-13.
  2. "Elections: Tajikistan Assembly of Representatives 2015". IFES Election Guide. 2015-03-01. Retrieved 2020-11-13.
  3. "Remittance man". The Economist. 2013-09-07. Retrieved 2020-11-13.