ଜେ. ଆର. ଡି. ଟାଟା
ଫରାସୀ ମାଟିରେ ଜନ୍ମଗ୍ରହଣ କରିଥିବା ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର୍. ଡି. ଟାଟା - J. R. D. Tata) ଏକାଧାରରେ ଜଣେ ଭାରତୀୟ ବିମାନଚାଳକ, ବ୍ୟବସାୟିକ ସୁଯୋଗ ସୃଷ୍ଟିକାରକ, ଟାଟା କମ୍ପାନୀପୁଞ୍ଜର ପୂର୍ବତନ ଅଧ୍ୟକ୍ଷ ଓ ଟାଟା ସନ୍ସର ଜଣେ ଶେୟାର୍-ହୋଲଡର୍ । ସେ ୨୯ ଜୁଲାଇ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ୨୯ ନଭେମ୍ବର୍ ୧୯୯୩ରେ ତାଙ୍କର ତିରୋଧାନ ହୋଇଥିଲା । ତାଙ୍କୁ ଭାରତ ବର୍ଷରେ ଅନେକ ଲୋକ “ଜେ. ଆର୍. ଡି.” ନାମରେ ମଧ୍ୟ ସମ୍ବୋଧନ କରୁଥିଲେ ।
ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର୍. ଡି. ଟାଟା) | |
---|---|
ଜନ୍ମ | ୨୯-୦୭-୧୯୦୪ ପ୍ୟାରିସ୍, ଫ୍ରାଂସ୍ |
ମୃତ୍ୟୁ | ୨୯-୧୧-୧୯୯୩ (୮୯ ବର୍ଷ ବୟସରେ) ଜେନିଭା, ସ୍ୱିଜରଲ୍ୟାଣ୍ଡ୍ |
ଜାତୀୟତା | ଫରାସୀ, ଭାରତୀୟ |
ବୃତ୍ତି | ବ୍ୟବସାୟ |
ବୈବାହିକ-ସାଥୀ | ଥେଲମା ଭିକାଜି ଟାଟା |
ପିତାମାତା | ରତନଜୀ ଦାଦାଭୋୟ ଟାଟା ସୁଜାନେ ବ୍ରିଏରେ |
ସମ୍ପର୍କୀୟ | ଟାଟା ପରିବାର ଦେଖନ୍ତୁ |
ପାରସି ସମ୍ପ୍ରଦାୟର ସମ୍ଭ୍ରାନ୍ତ ଟାଟା ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା ରତନଜୀ ଦାଦାଭୋୟ ଟାଟା ଜଣେ ସୁନାମଧନ୍ୟ ବ୍ୟବସାୟୀ ହୋଇଥିବା ବେଳେ, ମାତା ସୁଜାନେ ବ୍ରିଏରେ ପ୍ରଥମ ମହିଳା ଭାରତରେ ଭାବେ ମୋଟର ଗାଡ଼ି ଚାଳନ କରି ବେଶ୍ ଜଣାଶୁଣା ହୋଇଥିଲେ । ୧୯୨୯ ମସିହାରେ ଜେ. ଆର୍. ଡି. ଭାରତର ପ୍ରଥମ ଅନୁମତି ପତ୍ରଧାରକ ବିମାନଚାଳକ (ପାଇଲଟ୍) । ଟାଟା କମ୍ପାନୀପୁଞ୍ଜର ଅନେକ ବ୍ୟବସାୟିକ ଅବୟବର ଗଠନ ଓ ବିକାଶରେ ଜେ. ଆର୍. ଡି. ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟାଟା କଂସଲ୍ଟାଂସି ସର୍ଭିସେସ୍ (Tata Consultancy Services), ଟାଟା ମୋଟର୍ସ (Tata Motors), ଟାଇଟାନ୍ ଇଣ୍ଡଷ୍ଟ୍ରିଜ୍ (Titan Industries), ଟାଟାଟି (Tata Tea), ଭୋଲଟାସ୍ (Voltas) ଏବଂ ଏୟାର୍ ଇଣ୍ଡିଆ (Air India) ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ । ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ବିଭୂଷଣ, ୧୯୮୩ ମସିହାରେ ଫରାସୀ ଲିଜିଅନ୍ ଅଫ୍ ଅନର୍ ଓ ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଅଳଙ୍କୃତ କରାଯାଇଥିଲା ।[୨]
ପ୍ରାକ୍-ଜୀବନ
ସମ୍ପାଦନା୧୯୦୪ ମସିହା ଜୁଲାଇ ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଜେ. ଆର୍. ଡି.ଙ୍କ ଜନ୍ମନାମ ଜାହାଙ୍ଗିର୍ ଥିଲା । ଜେ. ଆର୍. ଡି. ଏକ ପାରସି ପରିବାରରେ ବ୍ୟବସାୟୀ ରତନଜୀ ଦାଦାଭୋୟ ଟାଟା (ଆର୍. ଡି. ଟାଟା) ଓ ତାଙ୍କ ଫରାସୀ ପତ୍ନୀ ସୁଜାନେ ସୂନି ବ୍ରିଏରେଙ୍କର ଦ୍ୱିତୀୟ ସନ୍ତାନ ଥିଲେ ।[୩] ଆର୍. ଡି. ଟାଟାଙ୍କ ପିତା ଭାରତର ଶିଳ୍ପକ୍ଷେତ୍ରର ଅନ୍ୟତମ ଜନକ ଜମସେଦଜୀ ଟାଟାଙ୍କ ଦେଦେଇ-ପୁଅ-ଭାଇ ଥିଲେ । ଜେ. ଆର୍. ଡି.ଙ୍କ ପରିବାରରେ ତାଙ୍କ ବ୍ୟତୀତ ବଡ଼ ଭଉଣୀ ଶୀଲା, ସାନ ଭଉଣୀ ରୋଦାବେ, ଦୁଇ ସାନ ଭାଇ ଦରାବ ଟାଟା ଓ ଜିମ୍ମି ଟାଟା ମଧ୍ୟ ରହୁଥିଲେ । ତାଙ୍କ ବଡ଼ ଭଉଣୀ ଶୀଲାଙ୍କ ବିବାହ ପେଟିଟ୍ ପରିବାରର ଦ୍ୱିତୀୟ ସମ୍ଭ୍ରାନ୍ତ ଦିନ୍-ଶ ମାନେକଜୀ ପେଟିଟଙ୍କ ସହିତ ହୋଇଥିଲା । ଜେ. ଆର୍. ଡି.ଙ୍କ ଭାଣେଜୀ ରତ୍ତନବାଇ ପେଟିଟ୍ ପରବର୍ତ୍ତୀ ସମୟରେ ପାକିସ୍ଥାନର ରାଷ୍ଟ୍ରପିତା ମହମ୍ମଦ ଅଲି ଜିନ୍ନାଙ୍କ ପତ୍ନୀ ହୋଇଥିଲେ । ଜେ. ଆର୍. ଡି.ଙ୍କ ଭାଣେଜୀଙ୍କ ଝିଅ ଦିନା ଜିନ୍ନା ପ୍ରସିଦ୍ଧ ଉଦ୍ୟୋଗପତି ନେଭିଲ୍ ୱାଡିଆଙ୍କୁ ବିବାହ କରିଥିଲେ ।
ତାଙ୍କ ମାତା ଫରାସୀ ହୋଇଥିବାରୁ ତାଙ୍କ ବାଲ୍ୟଜୀବନର ଅଧିକାଂଶ ଭାଗ ଫ୍ରାଂସରେ ବିତିଥିଲା ଓ ତାଙ୍କ ମାତୃଭାଷା ମଧ୍ୟ ଫରାସୀ ଭାଷା ଥିଲା । ପ୍ୟାରିସର ଜାନସନ୍ ଡି ସେଲି ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ । ଏହି ବିଦ୍ୟାଳୟର ଜନୈକ ଶିକ୍ଷକ କୌଣସି ଏକ କାରଣରୁ ତାଙ୍କୁ “ଏଲ୍. ଇଜିପ୍ସିୟନ୍” ବୋଲି ଡାକୁଥିଲେ ବୋଲି କଥିତ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜେ. ଆର୍. ଡି. ସ୍ପାହିସ୍ ରେଜିମେଣ୍ଟରେ ଏକ ବର୍ଷ ସେବାରତ ଥିଲେ ।[୪] ସେ ଏହି ସେବାରୁ ବିରତି ନେବାର କିଛି ସମୟ ପରେ ଏହି ରେଜିମେଣ୍ଟ୍ ମୋରୋକ୍କୋରେ ଏକ ଅଭିଯାନ କରୁଥିବା ବେଳେ ଏହାର ସମସ୍ତ ସୈନିକ ପ୍ରାଣ ହରାଇଥିଲେ ।[୫]
ତା’ପରେ ସେ ବମ୍ବେରେ କ୍ୟାଥେଡ୍ରାଲ୍ ଓ ଜନ୍ କନ୍ନୋନ୍ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଜେ. ଆର୍. ଡି. ଲଣ୍ଡନ, ଜାପାନ, ଫ୍ରାଂସ୍ ଓ ଭାରତ ଆଦି ଅନେକ ଦେଶରେ ଶିକ୍ଷାଲାଭ କରିଛନ୍ତି । ଆର୍. ଡି. ଟାଟା ଟାଟା କମ୍ପାନୀରେ ଯୋଗଦେବା ପରେ ନିଜର ସମସ୍ତ ପରିବାରକୁ ନେଇ ଲଣ୍ଡନପାଇଁ ପ୍ରସ୍ଥାନ କରିଥିଲେ । ଏହି ସମୟରେ ୪୩ ବର୍ଷ ବୟସରେ ଜେ. ଆର୍. ଡି.ଙ୍କ ମାତା ଅକାଳ ମୃତ୍ୟୁବରଣ କଲେ । ଏହି ସମୟରେ ଜେ. ଆର୍. ଡି.ଙ୍କ ପିତା ଭାରତରେ ଓ ପରିବାର ଫ୍ରାଂସରେ ଥିଲେ ।
ପତ୍ନୀଙ୍କ ବିୟୋଗପରେ ଆର୍. ଡି. ଟାଟା ଭାରତ ଫେରିଯିବାର ନିଷ୍ପତ୍ତି ନେଲେ ଓ ଜେ. ଆର୍. ଡି.ଙ୍କୁ ଅକ୍ଟୋବର ୧୯୨୩ରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଇଂଲଣ୍ଡକୁ ପଠାଇଥିଲେ । ସେଠାରେ ସେ ଏକ ଗ୍ରାମାର୍ ବା ବ୍ୟାକରଣ ଶିଖାଉଥିବା ବିଦ୍ୟାନୁଷ୍ଠାନରେ ନାମ ଲେଖାଇଥିଲେ । ଜେ. ଆର୍. ଡି. କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ବୈଷୟିକ ଶିକ୍ଷା ଲାଭ କରିବା ପାଇଁ ଆଶାୟୀ ଥିଲେ । ସେ ନିଜର ବ୍ୟାକରଣ ଶିକ୍ଷା ସମାପ୍ତ କରି କେମ୍ବ୍ରିଜରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଫ୍ରାଂସରେ ଏକ ନୂତନ ନିୟମ ପ୍ରଣୟନ କରାଯାଇଥିଲା । ଏହି ନୂତନ ନିୟମାନୁସାରେ ୨୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ଫରାସୀ ବାଳକଙ୍କୁ ୨ ବର୍ଷ ପାଇଁ ସାମରିକ ବାହିନୀରେ ଯୋଗ ଦେବାକୁ ପଡିଥିଲା । ଫ୍ରାଂସର ନାଗରିକ ହୋଇଥିବାରୁ ଜେ. ଆର୍. ଡି.ଙ୍କୁ ଏକ ବର୍ଷ ପାଇଁ ସାମରିକ ବାହିନୀରେ ଅନ୍ତର୍ଭୁକ୍ତ କରାଗଲା । ବ୍ୟାକରଣ ସ୍କୁଲ୍ ଓ ଫରାସୀ ସାମରିକ ସେବା ସମୟରେ ମିଳୁଥିବା ଅଳ୍ପ ଅତିରିକ୍ତ ସମୟ ସେ ବମ୍ବେସ୍ଥିତ ନିଜ ଘରେ କଟାଉଥିଲେ । ଫରାସୀ ସେନାରେ ଯୋଗଦେଲା ପରେ ସେନାର “ସ୍ପାହିସ୍” (ଦ ସିପୋୟଜ୍, The Sepoys – ହିନ୍ଦୀ ବା ଓଡ଼ିଆରେ ସିପାହୀ) ନାମକ ବାହିନୀରେ ତାଙ୍କୁ ନିଯୁକ୍ତି ମିଳିଲା । ଖୁବ୍ ଶୀଘ୍ର ଏହି ବାହିନୀର କର୍ଣ୍ଣେଲ୍ ବା ମୁଖିଆ ଜାଣିବାକୁ ପାଇଲେ ଯେ ତାଙ୍କ ଦଳରେ ଥିବା ଜେ. ଆର୍. ଡି. ଫରାସୀ ଓ ଇଂରାଜୀ ଭାଷା ଲେଖିପାରନ୍ତି ଓ ପଢିପାରନ୍ତି[୬], ତା’ ସହିତ ଟାଇପ୍ ମଧ୍ୟ କରିପାରନ୍ତି । ତେଣୁ ସେ ଜେ. ଆର୍. ଡି.ଙ୍କୁ ନିଜ କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କଲେ । ଜେ. ଆର୍. ଡି., କର୍ଣ୍ଣେଲଙ୍କ ବିଳାସପୂର୍ଣ୍ଣ କାର୍ଯ୍ୟାଳୟରେ ସ୍ଥାନାନ୍ତରିତ ହୋଇ ଆସିଲେ । ଏହାର ପ୍ରାୟ ୧୨ ମାସ ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । କିନ୍ତୁ ନିଜ ପିତାଙ୍କ ନିର୍ଦ୍ଦେଶାନୁସାରେ ଭାରତ ଫେରିଆସି ଟାଟା କମ୍ପାନୀରେ କାର୍ଯ୍ୟ ଆରମ୍ଭ କଲେ ।
୧୯୨୯ ମସିହାରେ ଜେ. ଆର୍. ଡି. ନିଜର ଫରାସୀ ନାଗରିକତା ପରିତ୍ୟାଗ କରି ଭାରତୀୟ ନାଗରିକତ୍ୱ ଗ୍ରହଣ କଲେ ଓ ଟାଟା କମ୍ପାନୀରେ କାର୍ଯ୍ୟାକମ୍ଭ କଲେ । ବମ୍ବେର ମେରାଇନ୍ ଡ୍ରାଇଭରେ ଦ୍ରୁତ ଗତିରେ ନିଜ ଡୁକାଟି ଗାଡି ଚଳାଇବା ଅଭିଯୋଗରେ ଜେ. ଆର୍. ଡି.ଙ୍କ ନାମରେ ହୋଇଥିବା ମୋକଦ୍ଦମାରେ “ଜ୍ୟାକ୍ ଭିକାଜି” ନାମକ ଜଣେ ଓକିଲଙ୍କୁ ନିଯୁକ୍ତ କରିଥିଲେ । ୧୯୩୦ ମସିହାରେ ସେ ଥେଲମା ଭିକାଜିଙ୍କୁ ବିବାହ କରିଥିଲେ । ଥେଲମା ଭିକାଜି ହେଉଛନ୍ତି ଜ୍ୟାକ୍ ଭିକାଜିଙ୍କ ଭାଣେଜି । ଏହା ପୂର୍ବରୁ ଜେ. ଆର୍. ଡି.ଙ୍କ ନିର୍ବନ୍ଧ ଦିନବାଇ ମେହେଟାଙ୍କ ସହିତ ହୋଇଥିଲା କିନ୍ତୁ ବିବାହ ହୋଇପାରି ନଥିଲା । ଦିନବାଇ ମେହେଟା ଦ ଇକୋନୋମିଷ୍ଟ ଖବର କାଗଜର ସମ୍ପାଦକ “ଶପୁର୍ ଖାରେଗାଟର”ଙ୍କ ମାତା ଭାବେ ଜଣାଶୁଣା ।
କର୍ମ ଜୀବନ
ସମ୍ପାଦନାଜେ. ଆର୍. ଡି. ଟାଟା ଫରାସୀ ଉଦ୍ଭାବକ, ଆବିଷ୍କାରକ ଓ ବିମାନଚାଳକ ଲୁଇ ବ୍ଲେରିଓ (Louis Blériot)ଙ୍କଦ୍ୱାରା ଅନୁପ୍ରାଣିତ ହୋଇ ବିମାନ ଚାଳନ ଶିକ୍ଷା କରିଥିଲେ । ୧୯୨୯ ମସିହା ଫେବୃଆରୀ ୧୦ ତାରିଖରେ ଭାରତରୁ ପ୍ରଦାନ କରାଯାଉଥିବା ପ୍ରଥମ ବିମାନଚାଳକ ଅନୁମତି ପତ୍ର ଜେ. ଆର୍. ଡି.ଙ୍କୁ ମିଳିଥିଲା ।[୭] ଜେ. ଆର୍. ଡି. ୧୯୩୨ ମସିହାରେ ଭାରତର ପ୍ରଥମ ବ୍ୟବସାୟିକ ଓ ବେସାମରିକ ବିମାନ ସେବା “ଟାଟା ଏୟାରଲାଇନସ୍” ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଟାଟା ଏୟାରଲାଇନ୍ସ ଭାରତ ସରକାରଙ୍କଦ୍ୱାରା ପରିଚାଳିତ ହୋଇ “ଏୟାର୍ ଇଣ୍ଡିଆ” ନାମ ପାଇଲା । ବର୍ତ୍ତମାନ ଏୟାର୍ ଇଣ୍ଡିଆ ଭାରତର ଜାତୀୟ ବିମାନ ସେବା ପରିଚାଳନାକାରୀ ଅନୁଷ୍ଠାନ । ପ୍ରଥମ ବିମାନ ସେବା ଆରମ୍ଭ କରିଥିବାରୁ ତାଙ୍କୁ ଭାରତୀୟ ବେସାମରିକ ବିମାନସେବାର ଜନକ ମଧ୍ୟ କୁହାଯାଏ । ନିଜ ବନ୍ଧୁ ନେଭିଲ୍ ଭିନସେଣ୍ଟ୍ ଓ ଜେ. ଆର୍. ଡି. ଟାଟାଙ୍କ ମିଳିତ ଉଦ୍ୟମରେ ଟାଟା ଏୟାରଲାଇନ୍ସ ପ୍ରତିଷ୍ଠିତ ହୋଇପାରିଥିଲା । ୧୯୨୫ ମସିହାରେ ବିନା ପାରିତୋଷିକରେ ସେ ଜଣେ “ଆପ୍ରେଣ୍ଟିସ୍” ଭାବେ ଟାଟା ସନ୍ସରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୩୮ ମସିହା ବେଳକୁ ୩୪ ବର୍ଷରେ ଉପନୀତ ଜେ. ଆର୍. ଡି. ଭାରତର ସର୍ବବୃହତ ଉଦ୍ୟୋଗପୁଞ୍ଜର ମୂଳ କମ୍ପାନୀ ଟାଟା ସନ୍ସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ନିଜ ସମ୍ପର୍କୀୟ ନୌରୋଜୀ ସକଲତୱାଲାଙ୍କଠାରୁ ଏହି ପଦ ଗ୍ରହଣ କରିଥିଲେ । ଆଗାମୀ ଅନେକ ଦଶନ୍ଧି ଧରି ଜେ. ଆର୍. ଡି. ଏହି କମ୍ପାନୀପୁଞ୍ଜର ପରିଚାଳନା କରିଥିଲେ । ଷ୍ଟିଲ୍ ଉତ୍ପାଦନ, ବୈଷୟିକ କ୍ଷେତ୍ର, ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ, ରାସାୟନିକ ଉତ୍ପାଦନ ଓ ସତ୍କାରସେବା (Hospitality) ଇତ୍ୟାଦିରେ ସେ ଅଧିକ ମନୋନିବେଶ କରିଥିଲେ । ସେ ରାଜନେତାଙ୍କୁ ଲାଞ୍ଚ ଦେଉନଥିଲେ ଓ କଳାବଜାରରେ ଦ୍ରବ୍ୟ ବିକ୍ରି କରୁନଥିଲେ । ବ୍ୟବସାୟରେ ସହଜରେ କାମ ହାସଲ କରିବାର ପନ୍ଥା ନ ଆପଣେଇ ଓ ଏପରି ଉଚ୍ଚ ନୈତିକ ଓ ବ୍ୟବସାୟିକ ମାନଦଣ୍ଡଦ୍ୱାରା ସେ ପ୍ରତିଯୋଗିତା ଓ ବ୍ୟବସାୟରେ ସଫଳତା ଲାଭ କରିଥିଲେ । ଜେ. ଆର୍. ଡି. ଓ ଟାଟା କମ୍ପାନୀର ଅନ୍ୟ ମୁଖିଆମାନଙ୍କଦ୍ୱାରା ସ୍ଥାପିତ “ଟାଟା ଗ୍ରୁପ୍”ର ନୈତିକ ଓ ବ୍ୟବସାୟିକ ମାନଦଣ୍ଡ “ଟାଟା ବିଜନେସ୍ ଏକ୍ସିଲେନ୍ସ୍ ମଡେଲ୍” ନାମରେ ଜଣାଯାଏ ଓ ସମସ୍ତ କର୍ମଚାରୀଙ୍କୁ ଏଥିରେ ତାଲିମ ଦିଆଯାଏ । ଜେ. ଆର୍. ଡି.ଙ୍କ ସଭାପତିତ୍ୱରେ ଟାଟା ଗ୍ରୁପର ସମ୍ବଳ ୧୦ କୋଟି ଆମେରିକୀୟ ଡଲାରରୁ ବଢ଼ି ୫ ଲକ୍ଷ କୋଟି ଆମେରିକୀୟ ଡଲାର ହୋଇଯାଇଥିଲା । ତାଙ୍କ ନିରୀକ୍ଷଣ ଓ ନେତୃତ୍ୱରେ ୧୪ ଗୋଟି ନୂଆ କମ୍ପାନୀ ଆରମ୍ଭ ହୋଇଥିଲା । ପ୍ରାୟ ୫୦ ବର୍ଷ ପରେ ୨୬ ଜୁଲାଇ ୧୯୮୮ ବେଳକୁ ସେ ଟାଟା ସନ୍ସରୁ ଅବସର ନେବାବେଳେ ଟାଟା ସନ୍ସ ଅଧୀନରେ ପ୍ରାୟ ୯୫ଟି କମ୍ପାନୀ ରହିଥିଲା । ଏହି କମ୍ପାନୀଗୁଡ଼ିକ ଟାଟା ସନ୍ସ ପ୍ରତିଷ୍ଠା କରିଥିଲା ବା ଏଗୁଡିକର ବ୍ୟବସାୟ ସେମାନେ ନିୟନ୍ତ୍ରଣ କରୁଥିଲେ ।
୧୯୩୨ ମସିହାରେ ପ୍ରତିଷ୍ଠିତ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ସେ ଟ୍ରଷ୍ଟି ରହିଥିଲେ । ତାଙ୍କ ମାର୍ଗଦର୍ଶନରେ ୧୯୪୧ ମସିହାରେ ବମ୍ବେରେ ଏହି ଟ୍ରଷ୍ଟ ଏସିଆର ପ୍ରଥମ କର୍କଟରୋଗ ଚିକିତ୍ସାଳୟ “ଟାଟା ମେମୋରିଆଲ୍ ସେଣ୍ଟର୍ ଫର୍ କ୍ୟାନସର୍, ରିସର୍ଚ୍ଚ୍ ଏଣ୍ଡ୍ ଟ୍ରିଟମେଣ୍ଟ୍”ର (Tata Memorial Centre for Cancer, Research and Treatment) ପ୍ରତିଷ୍ଠା କରିଥିଲା । ସେ ଆହୁରି ମଧ୍ୟ ୧୯୩୬ ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (Tata Institute of Social Sciences-TISS), ୧୯୪୫ ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ୍ (Tata Institute of Fundamental Research-TIFR) ଓ ନ୍ୟାସନାଲ୍ ସେଣ୍ଟର୍ ଫର୍ ପରଫର୍ମିଂଗ୍ ଆର୍ଟ୍ସ (National Center for Performing Arts) ପରି ଅନୁଷ୍ଠାନର ପ୍ରତିଷ୍ଠା ମଧ୍ୟ କରିଥିଲେ ।
୧୯୪୫ ମସିହାରେ ଜେ. ଆର୍. ଡି.ଙ୍କ ତତ୍ତ୍ୱାବଧାନରେ ଟାଟା ମୋଟର୍ସ୍ ପ୍ରତିଷ୍ଠିତ ହେଲା । ୧୯୪୮ ମସିହାରେ ଭାରତର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନସେବା ଏୟାର୍ ଇଣ୍ଡିଆ ଇଣ୍ଟରନ୍ୟାସନାଲରେ ଜେ. ଆର୍. ଡି.ଙ୍କୁ ଭାରତ ସରକାର ସଭାପତି ପଦରେ ନିଯୁକ୍ତ କଲେ । ଭାରତ ସରକାର ତାଙ୍କୁ ଇଣ୍ଡିଆନ୍ ଏୟାରଲାଇନ୍ସର ବୋର୍ଡରେ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତ କରିଥିଲେ ଓ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ଜେ. ଆର୍. ଡି. ଏହି ଦାୟିତ୍ୱ ନିର୍ବାହ କରିଥିଲେ । ବିମାନ ଚଳାଚଳ ଦିଗରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନରାରୀ ଏୟାର୍ କୋମୋଡୋର୍ ଅଫ୍ ଇଣ୍ଡିଆ ପଦବୀରେ ସନ୍ମାନିତ କରାଯାଇଥିଲା ।
ଜେ. ଆର୍. ଡି. ଟାଟା ନିଜ କର୍ମଚାରୀଙ୍କ ବିଶେଷ ଯତ୍ନ ନେଉଥିଲେ । ୧୯୫୬ ମସିହାରେ ସେ “ପ୍ରବନ୍ଧକଙ୍କ ସହିତ କର୍ମଚାରୀଙ୍କ ସମ୍ପର୍କ”କୁ ଆହୁରି ନିବିଡ଼ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହାଦ୍ୱାରା କର୍ମଚାରୀମାନେ ମଧ୍ୟ କମ୍ପାନୀର ପରିଚାଳନା ସମ୍ପର୍କରେ ନିଜ ମନ୍ତବ୍ୟ ରଖିପାରୁଥିଲେ । ସେ କର୍ମଚାରୀଙ୍କୁ ସମସ୍ତ ସୁଖସୁବିଧା ଦେବାପାଇଁ ଚେଷ୍ଟା କରୁଥିଲେ ଓ ଏହି ବିଶ୍ୱାସର ଦୃଢ଼ ସମର୍ଥକ ମଧ୍ୟ ଥିଲେ । ସେ ଦିନକୁ ୮ ଘଣ୍ଟା କାର୍ଯ୍ୟସୀମା ବ୍ୟବସ୍ଥାର ପ୍ରଚଳନ କରାଇଥିଲେ । କର୍ମଚାରୀଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା, କର୍ମଚାରୀଙ୍କ ପାଇଁ ଅବସର ଭତ୍ତା, ଦୁର୍ଘଟଣା ସମୟରେ ଆର୍ଥିକ ସହାୟତା ଯୋଜନା ଇତ୍ୟାଦି ସେ ବହୁ ବର୍ଷ ପୂର୍ବେ ଆରମ୍ଭ କରାଇଥିଲେ ଓ ବର୍ତ୍ତମାନ ସମୟରେ ଏହିପରି ନୀତି ଓ ଯୋଜନା ସମସ୍ତ କ୍ଷେତ୍ରରେ ବାଧ୍ୟତାମୂଳକ ନୀତିରୂପେ ଦେଖାଗଲାଣି ।
୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଘୋଷିତ “ଜରୁରୀକାଳୀନ ପରିସ୍ଥିତି”ର ସମର୍ଥନ କରି ସେ ବିବାଦୀୟ ହୋଇଥିଲେ । ନ୍ୟୁୟର୍କର ଜନୈକ ସାମ୍ବାଦିକକୁ ଦେଇଥିବା ସାକ୍ଷାତକାରରେ ଜେ. ଆର୍. ଡି. କହିଥିଲେ ଯେ, “କଥା ସବୁ ନିୟନ୍ତ୍ରଣର ବହୁତ ବାହାରକୁ ଚାଲିଯାଇଥିଲା । ଆମେ ଧର୍ମଘଟ, ଅସହଯୋଗ, ବିରୋଧ ପ୍ରଦର୍ଶନ ଆଦି କେଉଁ କେଉଁ ଅବସ୍ଥା ମଧ୍ୟଦେଇ ଗତି କରୁଥିଲୁ ତୁମେ ଅନୁମାନ ମଧ୍ୟ କରିପାରିବ ନାହିଁ । ସେ ସମୟରେ କାର୍ଯ୍ୟାଳୟ ବାହାରକୁ ଯାଇ ସହରର ରାସ୍ତାରେ ମଧ୍ୟ ଚାଲିହେଉନଥିଲା । ଆମର ସଂସଦୀୟ ବ୍ୟବସ୍ଥାର ଆମ ଆବଶ୍ୟକତାକୁ ପରିପୂର୍ଣ୍ଣ କରିପାରିବାର କ୍ଷମତା ନାହିଁ ।”[୮]
ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଇକୋନୋମିକ୍ ରିସର୍ଚ୍ଚର (National Council of Applied Economic Research-NCAER)ପ୍ରଥମ ପ୍ରତିଷ୍ଠାତା ବୋର୍ଡର ସେ ସଭ୍ୟ ମଧ୍ୟ ରହିଥିଲେ । ୧୯୫୬ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ଭାରତର ପ୍ରଥମ ସ୍ୱାୟତ୍ତ ଅର୍ଥନୀତିକ ବିଧିନିରୂପଣ ସଂସ୍ଥା । ୧୯୬୮ ମସିହାରେ ସେ “ଟାଟା କମ୍ପ୍ୟୁଟର୍ କେନ୍ଦ୍ର”ର ସ୍ଥାପନା କରିଥିଲେ ଯାହା ପରବର୍ତ୍ତୀ ସମୟରେ ବିକଶିତ ହୋଇ “ଟାଟା କନ୍ସଲଟାନ୍ସି ସର୍ଭିସେସ୍” କମ୍ପାନୀ ଭାବେ ବିଦିତ ହେଲା ଓ ବର୍ତ୍ତମାନ ବ୍ୟବସାୟ ଓ କର୍ମଚାରୀସଂଖ୍ୟା ଦୃଷ୍ଟିରୁ ଏହା ଭାରତର ସର୍ବବୃହତ୍ ସୂଚନା ଓ ପ୍ରୌଦ୍ୟୋଗିକ କମ୍ପାନୀ । ୧୯୭୯ ମସିହାରେ ଟାଟା ଷ୍ଟିଲ୍ ଏକ ଅଭିନବ ନୀତି ପ୍ରଣୟନ କରିଥିଲା ଯାହା ଅନୁସାରେ ଘରୁ ବାହାରି ଘରକୁ ନ ଫେରିବା ପର୍ଯ୍ୟନ୍ତ କର୍ମଚାରୀ “କାର୍ଯ୍ୟରତ” ବୋଲି ଅଭିହିତ କରାଗଲା । ଏହି ନୀତିଦ୍ୱାରା କାର୍ଯ୍ୟକ୍ଷେତ୍ରରେ କୌଣସି ଅଘଟଣ ଘଟିଲେ କମ୍ପାନୀ ସେ କର୍ମଚାରୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ଓ ଏପରି ନିୟମ ଦେଖିନଥିବା ଭାରତୀୟ ଶିଳ୍ପୋଦ୍ୟୋଗରେ ଏକ ନୂତନ ଭାବ ଦେଖାଦେଲା । ୧୯୮୭ ମସିହାରେ ସେ “ଟାଇଟାନ୍ ଇଣ୍ଡଷ୍ଟ୍ରିଜ୍”ର ପ୍ରତିଷ୍ଠା କରିଥିଲେ । ଟାଟା ଷ୍ଟିଲ୍ କାରଖାନାରେ କାମ କରୁଥିବା କର୍ମଚାରୀୟଙ୍କ ପାଇଁ ନିର୍ମିତ ଜାମସେଦପୁର (ଟାଟା ନଗର ଭାବେ ମଧ୍ୟ ପରିଚିତ) ସହରକୁ ଏହାର ଜୀବନଯାପନର ଗୁଣବତ୍ତା, ସ୍ୱଚ୍ଛତା, ସଡକ ଓ ସମାଜକଲ୍ୟାଣ ପାଇଁ ମିଳିତ ଜାତିସଂଘ ତରଫରୁ “ଗ୍ଲୋବାଲ୍ କମ୍ପାକ୍ଟ୍ ସିଟି” ଭାବେ ଚୟନ କରାଯାଇଥିଲା ।[୯]
ପୁରସ୍କାର ଓ ସମ୍ମାନ
ସମ୍ପାଦନାଜେ. ଆର୍. ଡି. ଅନେକ ପୁରସ୍କାର, ପଦବୀ, ସମ୍ମାନ ଓ ଗୌରବ ଲାଭ କରିଛନ୍ତି ।
ବର୍ଷ | ପୁରସ୍କାର, ପଦବୀ, ସମ୍ମାନ ବା ଗୌରବ | ଅନ୍ୟ ତଥ୍ୟ |
---|---|---|
୧୯୪୮ | ଭାରତୀୟ ବାୟୁସେନାର “ଗ୍ରୁପ୍ କ୍ୟାପଟେନ୍” ପଦବୀ | ପରବର୍ତ୍ତୀ ସମୟରେ ସେ ସ୍ଥଳସେନାର ବ୍ରିଗେଡିୟର୍ ପାହ୍ୟାର ସମକକ୍ଷ “ଏୟାର୍ କମାଣ୍ଡର୍” ପଦକୁ ଉନ୍ନୀତ ହୋଇଥିଲେ । |
୧୯୫୫ | ପଦ୍ମ ବିଭୂଷଣ | |
୦୧ ଅପ୍ରେଲ୍, ୧୯୭୪ | ଭାରତୀୟ ବାୟୁସେନାର “ଏୟାର୍ ଭାଇସ୍ ମାର୍ଶାଲ୍” ପଦବୀ | ଏୟାର୍ କମାଣ୍ଡର୍ ପରବର୍ତ୍ତୀ ପଦୋନ୍ନତି ପରେ ଏହି ପଦବୀ ଲାଭ କରିଥିଲେ । |
ମାର୍ଚ୍ଚ୍, ୧୯୭୯ | ଦ ଟୋନି ଜାନୁସ୍ ସମ୍ମାନ | ସେ ପ୍ରାପ୍ତ କରିଥିବା ଅନେକ ବୈମାନିକ ସମ୍ମାନ ମଧ୍ୟରୁ ଏହା ଅନ୍ୟତମ । |
୧୯୮୩ | ଦ ଫ୍ରେଞ୍ଚ୍ ଲିଜ୍ୟନ୍ ଅଫ୍ ଅନର୍ | |
୧୯୮୫ | ଦ ଗୋଲ୍ଡ୍ ଏୟାର୍ ମେଡାଲ୍ | ଏହା ମଧ୍ୟ “ଫେଡେରେସନ୍ ଏରୋନଟିକ୍ ଇଣ୍ଟରନ୍ୟାସନାଲ୍”ଦ୍ୱାରା ପ୍ରଦତ୍ତ ଏକ ବୈମାନିକ ସମ୍ମାନ |
୧୯୮୬ | ଏଡୱାର୍ଡ୍ ୱାର୍ନର୍ ସମ୍ମାନ | କାନାଡାର “ଇଣ୍ଟରନ୍ୟାସନାଲ୍ ସିଭିଲ୍ ଏଭିଏସନ୍ ଓର୍ଗାନାଇଜେସନ୍” ପ୍ରଦତ୍ତ ଏକ ବୈମାନିକ ସମ୍ମାନ |
୧୯୮୮ | ଡାନିଏଲ୍ କନିଂଗହାମ୍ ମେଡାଲ୍ | ଏହା ମଧ୍ୟ ଏକ ବୈମାନିକ ସମ୍ମାନ[୧୦] |
୧୯୯୨ | ଭାରତରତ୍ନ | ଜନସମାଜର ଉନ୍ନତି ପାଇଁ ତାଙ୍କର ନିସ୍ୱାର୍ଥପର ସେବା ଓ ଚେଷ୍ଟା ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନରେ
ଭୂଷିତ କରାଯାଇଥିଲା । |
୧୯୯୨ | ମିଳିତ ଜାତିସଂଘ ପପୁଲେସନ୍ ଏୱାର୍ଡ୍ | ଭାରତରେ ପରିବାର ନିୟୋଜନ ପ୍ରକଳ୍ପର ପରିଯୋଜନା ଓ ଏହାର କାର୍ଯ୍ୟକାରିତାର ସଫଳତା ପାଇଁ ତାଙ୍କୁ ସମ୍ମାନିତ
କରାଯାଇଥିଲା ।[୧୧] ଭାରତ ସରକାର ଏହାକୁ ଏକ ସରକାରୀ ନୀତି ଭାବେ ପ୍ରଚଳିତ କରାଇବାର ବହୁ ବର୍ଷ ପୂର୍ବରୁ ଜେ. ଆର୍. ଡି. ଏହାର ପରିକଳ୍ପନା କରିଥିଲେ । |
ତାଙ୍କ ସ୍ମୃତିରେ ମହାରାଷ୍ଟ୍ର ସରକାର ପୁଣେର କସରୱାଡି ଫଟାରେ ନିର୍ମିତ ଭାରତର ପ୍ରଥମ ଦୁଇଟି ସ୍ତରବିଶିଷ୍ଟ ସେତୁକୁ “ଭାରତରତ୍ନ ଜେ. ଆର୍. ଡି. ଟାଟା ଓଭରବ୍ରିଜ୍” ବୋଲି ନାମିତ କରିଛନ୍ତି ।
ମୃତ୍ୟୁ
ସମ୍ପାଦନା୨୯ ନଭେମ୍ବର୍ ୧୯୯୩ ଦିନ ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଜେ. ଆର୍. ଡ଼ି. ଟାଟା ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ସେ ବୃକକ ସଂକ୍ରମଣରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ ଭାରତୀୟ ସଂସଦୀୟ କାର୍ଯ୍ୟ ମୁଲତବି କରାଯାଇଥିଲା । ଅଣ-ସଂସଦୀୟ ସଭ୍ୟଙ୍କୁ ଏପରି ଭାବେ ସମ୍ମାନ ପ୍ରଦର୍ଶନ କରାଯିବା ଅତି ବିରଳ । ପ୍ୟାରିସର ପେର୍ ଲଶେଜ୍ କବରଖାନାରେ (Père Lachaise Cemetery) ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ଆଧାର
ସମ୍ପାଦନା- ↑ "Shyam Swaraj: "Happy Birthday J.R.D Tata: The Father Of Indian Aviation", dazeinfo.com, July 29, 2015. Retrieved 18 July 2017". Archived from the original on 2 August 2020. Retrieved 2 October 2017.
- ↑ A report in Vohuman.org Amalsad, Meher Dadabhoy. "Vohuman". Retrieved 11 April 2007.
- ↑ "J.R.D. TATA". Tata Central Archives. Archived from the original on 2013-10-29. Retrieved 2015-10-07.
- ↑ "29 NOVEMBER 1993..." unitedstatesofindia.com. Archived from the original on 13 April 2014. Retrieved 10 April 2014.
- ↑ Shafali. "Biography of jrd tata-Essay-Shafali". studymode.com. Retrieved 10 April 2014.
- ↑ R.M. Lala : Beyond the last Blue Mountains, Life of J.R.D Tata
- ↑ "Bombay Flying Club First Annual Report". Flight Global. 1 August 1929. Retrieved 16 September 2011.
- ↑ Guha, Ramachandran. (2007 ed.). India: Pan Books. p. 110. ISBN 978-0-330-54022-3.
{{cite book}}
: Missing or empty|title=
(help) - ↑ UN Global Compact Cities Programme, retrieved 25 July 2013
- ↑ Sachin in IAF blues (2010-06-23). "Blog: Honorary commissions in the IAF". StratPost. Archived from the original on 2014-12-04. Retrieved 2015-10-07.
- ↑ "Industrialists:JRD Tata – Made Tatas the largest Business House in India of his times". Archived from the original on 13 April 2014. Retrieved 10 April 2014.