ଗାଞ୍ଜିଆ
ଗାଞ୍ଜିଆ କହିଲେ ଟଙ୍କାପଇସା ରଖିବା ନିମନ୍ତେ ବ୍ୟବହାର ହେଉଥିବା ମୋଟା ପଇତା ସୂତାରେ ବୁଣାଯାଇଥିବା ମୁଣିକୁ ବୁଝାଏ । ଏହା ସାଧାରଣତଃ ଛଅରୁ ଦଶ ଆଙ୍ଗୁଠି ଲମ୍ବ ହୋଇଥାଏ ଓ ମୁଣ୍ଡରେ ଥିବା ସୂତୁଲିଦ୍ୱାରା ଖୋଲେ ଓ ବନ୍ଦ ହୁଏ । ପୂର୍ବକାଳରେ କାଗଜ ନୋଟର ବ୍ୟବହାର କମ ଥିବାରୁ, ମୂଦ୍ରା ରଖିବା ପାଇଁ ଲୋକେ ଗାଞ୍ଜିଆର ବ୍ୟବହାର କରୁଥିଲେ । ଯିବାଆସିବା ସମୟରେ ଧୋତି କାନିରେ, ଅଣ୍ଟାରେ ଅବା ପଇତାରେ ବାନ୍ଧି ରଖୁଥିଲେ । ଗାଁ ସାହୁକାରମାନେ ଏହାକୁ ବେକରେ ଝୁଲାଇ ବୁଲୁଥିଲେ ।
ବୁଣିବା ପଦ୍ଧତି
ସମ୍ପାଦନାପଇତା ସୂତାକୁ ରସ ବା ତମ୍ବା ସୁଡୁଙ୍ଗିରେ ରଖାଯାଇ ସରୁ ଓ ଚିକ୍କଣ ବାଉଁଶ ପାତିଆଦ୍ୱାରା ଗାଞ୍ଜିଆ ବୁଣାଯାଇଥାଏ । ବୁଣିବା ସମୟରେ, ସୁତୁଲିର ଦୁଇମୁଣ୍ଡ ପାଦର ଦୁଇ ବୁଢ଼ା ଆଙ୍ଗୁଠିରେ ବାନ୍ଧି ଦିଆଯାଏ । ଘରର ଝରକା ରେଲିଂ, ଖୁଣ୍ଟରେ ମଧ୍ୟ ବନ୍ଧାଯାଇ ବୁଣାଯାଏ । ଆରମ୍ଭରେ ଯେତିକି ଘର ଥାଏ, ଦୁଇ ତିନି ଧାଡି ବୁଣିଲା ପରେ ମଝିରେ ମଝିରେ ମାଈଫାଶ ପକାଇ, ଏହାର ଚଉଡା ବଢାଯାଇଥାଏ । ବୁଣା ସରିଲା ପରେ, ଏହାର ଖୋଲା ଦୁଇ ଧାରକୁ ସୂତାଦ୍ୱାରା ସିଲେଇ କରାଯିବା ପରେ, ଏହା ମୁଣିର ରୁପ ନିଏ । ଏହାକୁ ଆକର୍ଷଣୀୟ କରିବା ପାଇଁ, ରଙ୍ଗୀନ ସୂତା ମଧ୍ୟ ବ୍ୟବହାର କରାଯାଇଥାଏ । [୧]
ଆଧାର
ସମ୍ପାଦନା- ↑ ଧରିତ୍ରୀ ୧୩/୧୧/୨୦୧୪ ପୃଷ୍ଠାରେ ପ୍ରକାଶିତ ଅଭିମନ୍ୟୁ ଧଳଙ୍କ ଲେଖା "ଗାଞ୍ଜିଆ ଦାୟାଦ"