କୃଷ୍ଣସାର ମୃଗ ବା କଳା ବାହୁଟିଆ ହରିଣ (ବାଲି ହରିଣ ଭାବେ ମଧ୍ୟ ପରିଚିତ) ଏକ ସ୍ତନ୍ୟପାୟୀ ପ୍ରାଣୀ । ଚିତା ପରେ ଏମାନେ ସବୁଠାରୁ ଅଧିକ ଦ୍ରୁତ ଗତିରେ ଧାଇଁ ପାରନ୍ତି ବୋଲି ପ୍ରାଣୀ ବିଜ୍ଞାନୀଙ୍କ ମତ । ଘଣ୍ଟାପ୍ରତି ଏମାନେ ପ୍ରାୟ ୫୦ରୁ ୬୦ କିମି ପର୍ଯ୍ୟନ୍ତ ଦୌଡ଼ି ପାରନ୍ତି । ବିଶେଷତ୍ୱ ହେଉଛି ଏମାନେ ଜନବସତି ମଧ୍ୟରେ ଚରାବୁଲା କରିବାକୁ ଭଲ ପାଆନ୍ତି । ଖୋଲା ପଡ଼ିଆରେ ଏମାନେ ରହିବା ସହ ଶସ୍ୟ କ୍ଷେତରୁ ଖାଦ୍ୟ ଖାଇ ଥା'ନ୍ତି । ଦଳବଦ୍ଧଭାବେ ଏମାନେ ବିଚରଣ କରନ୍ତି । ପ୍ରତିଦଳରେ ଅଣ୍ଡିରାଙ୍କ ସଂଖ୍ୟା କମ୍ ଓ ମାଈ ହରିଣ ଅଧିକ ଥା'ନ୍ତି । ବିଭିନ୍ନ ପ୍ରଜାତିର ମୃଗ ମଧ୍ୟରେ କୃଷ୍ଣସାର ନିଆରା ବୋଲି ବିବେଚନା କରାଯାଏ ।

କୃଷ୍ଣସାର ମୃଗ
A blackbuck in Blackbuck National Park in Gujarat, India
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Artiodactyla
କୁଳ: Bovidae
ପ୍ରଜାତି: Antilope
Pallas, 1766
ଜାତି: A. cervicapra
ବାଇନୋମିଆଲ ନାମ
Antilope cervicapra
Subspecies

A. c. cervicapra (Linnaeus, 1758)
A. c. rajputanae Zukowsky, 1927

Synonyms

Antilope bezoartica Gray, 1850

ସାଧାରଣ ମୃଗଦେହରେ ଟୋପା ଟୋପା ଚିହ୍ନ ଥାଏ । ତେବେ ଅଣ୍ଡିରା କୃଷ୍ଣସାରର ଦେହସାରା କଳା, କେବଳ ପେଟ ଧଳା ହୋଇଥିବା ବେଳେ ମାଈ କୃଷ୍ଣସାରର ଦେହ ପାଉଁଶିଆ । ପାଣିର ଅଭାବ ହେଲେ ଅଣ୍ଡିରା କୃଷ୍ଣସାର ବି ପାଉଁଶିଆ ହୋଇଯାଏ । ଶାବକର ରଙ୍ଗ ହଳଦିଆ ହୋଇଥିବାବେଳେ ବୟସ ବୃଦ୍ଧି ସାଙ୍ଗକୁ ଦେହର ରଙ୍ଗ କଳା ପଡ଼ିଯାଏ । ଏମାନଙ୍କ ମାଂସ ବେଶ୍ ସୁସ୍ୱାଦୁ । ତେଣୁ କେତେକ ଏମାନଙ୍କ ମାଂସ, ଚର୍ମ ଓ ଶିଙ୍ଗ ପାଇଁ ଶିକାର କରିଥାନ୍ତି । ଏମାନେ ମୁଖ୍ୟତଃ ୧୨ରୁ ୧୫ ବର୍ଷ ବଞ୍ଚିଥା'ନ୍ତି । ସତେଜ ପତ୍ର, ଘାସ, ଫସଲ, ପନିପରିବା, ଧାନ, ମୁଗ, ବିରି ପ୍ରଭୃତି ଏମାନେ ଖାଆନ୍ତି । ବିନା ପାଣିରେ ସେମାନେ ଗୋଟିଏ ଦିନରୁ ସପ୍ତାହେ ପର୍ଯ୍ୟନ୍ତ ରହିପାରନ୍ତି ।

କୃଷ୍ଣସାର ମୃଗ ପାଇଁ ଗଞ୍ଜାମର ଭେଟନଈ ଅଞ୍ଚଳ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ୪/୫ଟି କୃଷ୍ଣସାର ମୃଗ ଗଞ୍ଜାମର ଭେଟନଈ ଅଂଚଳକୁ ଚାଲି ଆସିଥିଲେ । ସେମାନେ ଆସିବା ପରେ ସ୍ଥାନୀୟ ଅଂଚଳରେ ବର୍ଷା ହେବା ସହ କୃଷିଜୀବୀଙ୍କ ମୁହଁରେ ହସ ଫୁଟି ଉଠିଥିଲା । ଫଳରେ ସ୍ଥାନୀୟ ବାସିନ୍ଦା ଏହି କୃଷ୍ଣସାର ମୃଗଙ୍କୁ ଭଗବାନଙ୍କ ଦୂତ ବୋଲି ବିବେଚନା କଲେ । ସେହିଦିନଠାରୁ ସେମାନଙ୍କୁ ସୁଖ ଆଉ ସମୃଦ୍ଧିର ପ୍ରତୀକଭାବେ ଲୋକେ ବିବେଚନା କରି ଆସୁଛନ୍ତି ।

ଏହି ପ୍ରଜାତିର ମୃଗ ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ଖଣ୍ଡ ଏବଂ ଆସିକା, ବୁଗୁଡ଼ା ତହସିଲର ଭଞ୍ଜନଗର ରାଜସ୍ୱ ଉପଖଣ୍ଡରେ ଦେଖାଯା’ନ୍ତି । ବିଶେଷକରି ଭେଟନଈ ଅଂଚଳରେ ଏମାନେ ବହୁସଂଖ୍ୟାରେ ଦେଖିବାକୁ ମିଳିଥାନ୍ତି । ପୂର୍ବରୁ ପୁରୀ ଜିଲାର କୋଣାର୍କ ବନଖଣ୍ଡ ଅନ୍ତର୍ଗତ ନିମାପଡ଼ା, କାକଟପୁର ଅଂଚଳରେ ଏହି ମୃଗ ଦେଖାଦେଉଥିଲେ ହେଁ ଏବେ ସେଠାରେ ଏମାନଙ୍କୁ ଦେଖିବାକୁ ମିଳୁନାହିଁ । ଗତ ୨୦୧୫ ଗଣନାରେ କୋଣାର୍କ ବନଖଣ୍ଡ ଅଂଚଳରେ କୃଷ୍ଣସାର ମୃଗ ନଥିବା ସ୍ପଷ୍ଟ ହୋଇଛି । ୨୦୦୪ରେ ୭୮୬, ୨୦୦୬ରେ ୧,୧୦୧, ୨୦୦୮ରେ ୧,୬୭୨, ୨୦୧୧ରେ ୨,୧୮୧ ଓ ୨୦୧୫ ସୁଦ୍ଧା ଏହି ପ୍ରଜାତିର ମୃଗଙ୍କ ସଂଖ୍ୟା ୩,୮୦୬ରେ ପହଞ୍ଚିଛି । ସାରା ଭାରତ ବର୍ଷରେ ଏମାନଙ୍କ ସଂଖ୍ୟା ୫୦ରୁ ୬୦ ହଜାର ଭିତରେ ସୀମିତ । ମୁଖ୍ୟତଃ ଏମାନେ ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁରେ ଦେଖିବାକୁ ମିଳିଥାନ୍ତି ।

ଆଧାର ସମ୍ପାଦନା

  1. "Antilope cervicapra". IUCN Red List of Threatened Species. IUCN. 2008: e.T1681A6448761. 2008. Retrieved 14 June 2016. {{cite journal}}: Cite uses deprecated parameter |authors= (help)