କୁଜିବର ପତ୍ର ୧୭୬୯ ମସିହାରେ ଓଡ଼ିଶାରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକା ଓ ପ୍ରଥମ ଓଡ଼ିଆ ପତ୍ରିକା ଥିଲା ଓ ପରେ ଏକ ଖବରକାଗଜରେ ପରିଣତ ହୋଇଥିଲା ।[୧] ଛାପାଖାନାରେ ଓଡ଼ିଆ ମୁଦ୍ରଣ ସେତେବେଳକୁ ଆରମ୍ଭ ହୋଇନଥିଲା ଓ ଚୌଦ୍ୱାର ନିକଟସ୍ଥ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସ ଏହାକୁ ଏକ ହାତଲେଖା ପତ୍ରିକା ଭାବରେ ପ୍ରକାଶ କରିଥିଲେ । ଏହା ଅନିୟମିତ ବ୍ୟବଧାନରେ ଦୈନିକ, ସାପ୍ତାହିକ, ଏବଂ ପାକ୍ଷିକ ଭାବରେ ପ୍ରକାଶିତ ହେଉଥିଲା । ଓଡ଼ିଆରେ ମୋଟା କାଗଜରେ ଲେଖା ଏହି ପତ୍ରିକା ବିଭିନ୍ନ ବଜାର, ମିଶନାରୀ କେନ୍ଦ୍ର ଏବଂ କଟକର ମିଶନ ହୋମ ଓ ଜନସାଧାରଣଙ୍କ ବ୍ୟବହୃତ ଅନ୍ୟାନ୍ୟ କେନ୍ଦ୍ରୀୟ ସ୍ଥାନରେ ବିକ୍ରୀ ହେଉଥିଲା । ଏଥିରେ ତତ୍କାଳୀନ ରାଜନୈତିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ଶିକ୍ଷାଗତ ତଥା ପ୍ରାଶାସନିକ ବିଷୟ ପ୍ରକାଶ ପାଉଥିଲା । ଏହା ଏକ ପ୍ରମୁଖ ପ୍ରକାଶନରେ ପରିଣତ ହୋଇ ୧୮୦୦ ମସିହା ବେଳକୁ ହିନ୍ଦୀ ଏବଂ ମରାଠୀରେ ଅନୂଦିତ ହେଉଥିଲା । ଏହାର ପ୍ରସିଦ୍ଧି ବୃଦ୍ଧିପାଇବା ପରେ ହାତଲେଖା ସଂସ୍କରଣସବୁ ତତ୍କାଳୀନ ମିଶନାରୀଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା ଓ ମିଶନାରୀମାନେ ଏହାକୁ ଅନୁବାଦ କରି ଲଣ୍ଡନକୁ ପଠାଉଥିଲେ । ସେଠାରେ ଏହା ଲଣ୍ଡନ ବାପ୍ଟିଷ୍ଟ ମିଶନାରୀ ରିପୋର୍ଟ ଓ ଜର୍ଣ୍ଣାଲରେ ଏହାର ସମୀକ୍ଷା ପ୍ରକାଶ ପାଉଥିଲା । ଏଥିମଧ୍ୟରୁ ୧୯୨୭ ମସିହାରେ ଆମସ ସଟନ ଲଣ୍ଡନ ବାପ୍ଟିଷ୍ଟ ମିଶନରେ କରିଥିବା ଏକ ଅନୁବାଦରେ ପୁରୀରେ ହୋଇଥିବା ଦୁର୍ନୀତି ଓ ଅମାନବୀୟ କାର୍ଯ୍ୟକଳାପ, ବ୍ରିଟିଶ ସରକାରଙ୍କ ଅଧାର୍ମିକ କାର୍ଯ୍ୟକଳାପ ଇତ୍ୟାଦି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ । ଆର. କେ. ମହାପାତ୍ର କୁଜିବର ପତ୍ରର କିଛି ସଂସ୍କରଣ ବର୍ତ୍ତମାନ ଇଣ୍ଡିଆ ହାଉସ ଲାଇବ୍ରେରୀରେ ଲଣ୍ଡନରେ ଉପଲବ୍ଧ ବୋଲି ଉଲ୍ଲେଖ କରିଛନ୍ତି ।[୨]

ଆଧାର ସମ୍ପାଦନା

  1. "ପତ୍ରିକା | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2023-11-25.
  2. Mahapatra, R.K. (September 2004). "Growth and Development of Press in Orissa" (PDF). Orissa Review: ୫୧–୬୦.