କମ୍ପାସ

ଦିଗବାରେଣୀ ଯନ୍ତ୍ର

ଦିଗ ଜାଣିବାରେ ସାହାଯ୍ୟ କରୁଥିବାରୁ କମ୍ପାସକୁ ଦିଗବାରେଣୀ ମଧ୍ୟ କୁହାଯାଏ । ପୃଥିବୀ ଅକ୍ଷର ଚୁମ୍ବକୀୟ ପ୍ରଭାବଦ୍ୱାରା କମ୍ପାସର କଣ୍ଟା ସର୍ବଦା ଉତ୍ତର ଦକ୍ଷିଣ ହୋଇ ରହିଥାଏ । ପୂର୍ବେ ବିଶାଳ ସମୁଦ୍ର ବକ୍ଷରେ ଜାହାଜ ଯାତ୍ରା କାଳରେ ନାବିକମାନେ ପାଖରେ ଗୋଟିଏ କମ୍ପାସ ରଖୁଥିଲେ । ଏହା ସାହାଯ୍ୟରେ ସମୁଦ୍ର ମଧ୍ୟରେ ଦିଗ ଚିହ୍ନି ପାରି ଦୂର ଦେଶରେ ପହଞ୍ଚି ପାରୁଥିଲେ । ପ୍ରଥମେ ଚୀନ ଦେଶରେ କମ୍ପାସର ବ୍ୟବହାର ହୋଇଥିଲା । ଖ୍ରୀଷ୍ଟପୂର୍ବ ୨୪୭ ମସିହାରେ ଚୀନରେ ଏହାର ଉଦ୍ଭାବନ ହୋଇଥିବାର ଜଣା ପଡ଼ିଛି । ତାହା ପ୍ରାକୃତିକ ଚୁମ୍ବକ ପଥର ବା ଲୋଡ଼ଷ୍ଟୋନରେ ତିଆରି ହୋଇଥିଲା । ଠିକ୍ ଚାମଚ ଆକାରର ଏକ ଚୁମ୍ବକ ପଥରଖଣ୍ଡକୁ ବ୍ରୋଞ୍ଜ ଥାଳିଟିରେ ରଖି ତାହାର ନିର୍ମାଣ କରାଯାଇଥିଲା । ସେତେବେଳେ ତାହାକୁ ନୌଯାତ୍ରାରେ ବ୍ୟବହାର କରାଯାଉନଥିଲା । ତାହାକୁ ପ୍ରଥମେ ଚୀନରେ ଫେଙ୍ଗଶୁଇରେ ବ୍ୟବହାର କରାଯାଉଥିଲା । ଏହି ବିଦ୍ୟାରେ ଭାଗ୍ୟ ନିରୂପଣ ବା ଗୃହ ତିଆରି କାମରେ କମ୍ପାସର ବ୍ୟବହାର ହେଉଥିଲା । ମାତ୍ର ଏକାଦଶ ଶତାବ୍ଦୀ ପରେ ଏହାକୁ ନୌଯାତ୍ରାରେ ବ୍ୟବହାର କରାଗଲା । ଏହାପରେ ଏହା ଆରବ ବ୍ୟବସାୟୀମାନଙ୍କ ମାଧ୍ୟମରେ ଆରବ ଦେଶରେ ପହଞ୍ଚିଲା । ସେଠାରୁ ୟୁରୋପ ମହାଦେଶ ଭାରତକୁ କମ୍ପାସ ଆସିଲା । ୟୁରୋପୀୟମାନେ ଏହି କମ୍ପାସ ବ୍ୟବହାର କରି ପୃଥିବୀର ଅନେକ ଦେଶ ଓ ମହାଦେଶ ଆବିଷ୍କାର କରିଥିଲେ । ଭାରତରେ ଏହାର ଗଠନ ଅଲଗା ଥିଲା । ଗୋଟିଏ କପ ତେଲ ମଧ୍ୟରେ ମାଛ ଆକୃତିର ଚୁମ୍ବକ ପଥରଟିକୁ ରଖାଯାଇ ଥିଲା । ତେଣୁ ତାହା ମତ୍ସ୍ୟ ଯନ୍ତ୍ର ନାମରେ ପରିଚିତ ହୋଇଥିଲା ।

ଗୋଟିଏ ସାଧାରଣ କମ୍ପାସ

କମ୍ପାସ ଠିକ୍ ଗୋଟିଏ ଘଡ଼ି ପରି ହୋଇଥାଏ । ଏଥିରେ ଗୋଟିଏ ସୂଚୀ ଚୁମ୍ବକ ରହିଥାଏ । ଚୁମ୍ବକଟିକୁ ଗୋଟିଏ ଧାତବ ଖୋଳ ମଧ୍ୟରେ ରଖାଯାଇଥାଏ । ତାହାର ଉପର ପାଖରେ ଗୋଟିଏ କାଚ ଢାଙ୍କୁଣି ଲାଗିଥାଏ । ଖୋଳ ମଧ୍ୟରେ ଗୋଟିଏ ଗୋଲାକାର ଚକତି ରଖାଯାଇଥାଏ । ତାହାର ଚାରି ପାଖରେ ୦୦ରୁ ୩୬୦୦ ପର୍ଯ୍ୟନ୍ତ ଅଙ୍କନ କରାଯାଇଥାଏ । ସେଥିରେ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଆଦି ଦିଗ ଦର୍ଶାଇ ଦିଆଯାଇଥାଏ । ଚକତିଟିର କେନ୍ଦ୍ର ଭାଗରେ ଗୋଟିଏ ଦଣ୍ଡ ଉପରେ ସୂଚୀ ଚୁମ୍ବକଟିକୁ ରଖାଯାଇଥାଏ । ଏହା କମ୍ପାସ ମଧ୍ୟରେ ଚୁମ୍ବକଟି ସବୁବେଳେ ଉତ୍ତର ଦକ୍ଷିଣ ହୋଇ ରହୁଥାଏ । ସମୁଦ୍ର ଯାତ୍ରା ସମୟରେ ଏଥିରୁ ଜାହାଜର ଗତି ପଥ ଓ ଦିଗ ସମ୍ପର୍କରେ ଏଥିରୁ ସୂଚନା ମିଳିଥାଏ ।

କମ୍ପାସଟିରେ ଥିବା ସୂଚୀ ଚୁମ୍ବକଟି ସବୁବେଳେ ଉତ୍ତର ଦକ୍ଷିଣ ହୋଇ ରହିବା ପଛରେ ଗୋଟିଏ କାରଣ ରହିଛି । ଆମ ପୃଥିବୀର କେନ୍ଦ୍ର ଭାଗରେ ଗୋଟିଏ ବଡ଼ ଦଣ୍ଡ ଚୁମ୍ବକ ରହିଛି । ଏହାକୁ ଭୂ-ଚୁମ୍ବକ କହନ୍ତି । ତାହା ପୃଥିବୀର ଅକ୍ଷ ସହିତ ପ୍ରାୟ ୧୮୦ କୋଣ ଅଙ୍କନ କରି ରହିଥାଏ । ଏହାର ଦକ୍ଷିଣ ମେରୁ ପୃଥିବୀର ଉତ୍ତର ମେରୁ ସିଧା ଓ ଚୁମ୍ବକଟିର ଉତ୍ତର ମେରୁ ପୃଥିବୀର ଦକ୍ଷିଣ ମେରୁ ଆଡ଼କୁ ରହିଥାଏ । ତେଣୁ କମ୍ପାସରେ ସୂଚୀଟିର ଉତ୍ତର ମେରୁ ସବୁବେଳେ ପୃଥିବୀର ଉତ୍ତର ମେରୁ ଆଡ଼କୁ ଓ ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ଆଡ଼କୁ ରହିଥାଏ । ଅବଶ୍ୟ ଏହି କମ୍ପାସରେ କେତେକ ଦୋଷ ହେତୁ ଆଜିକାଲି ଗାଇରୋକମ୍ପାସ ପରି ଉନ୍ନତ କମ୍ପାସ ବ୍ୟବହୃତ ହେଉଛି ।

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା